ବୁଧବାରଠାରୁ ଖୋଲିବ ଶ୍ରୀମନ୍ଦିର, ଦର୍ଶନ ଲାଗି ଏସଓପି ପ୍ରସ୍ତୁତ

ପୁରୀ: କାଲି ଖୋଲିବ ଶ୍ରୀମନ୍ଦିର, ମିଳିବ ଜଗା ଦର୍ଶନ। ବୁଧବାର ଦିନ ସକାଳ ୭ଟା ୩୦ମି.ରୁ ଦର୍ଶନ ଆରମ୍ଭ ହେବାକୁ ଥିବା ବେଳେ ପହୁଡ଼ ପର୍ଯ୍ୟନ୍ତ ଜଗା ଦର୍ଶନ କରିପାରିବେ ସେବାୟତ ଓ ପରିବାର । ଦର୍ଶନ ନେଇ ଏସଓପି ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ସୂଚନା ମୁତାବକ ଜୋତା ଷ୍ଟାଣ୍ଡ ନିକଟରେ ଜୋତା ରଖି ଫଟୋ ଉଠାଇ ସାନିଟାଇଜ ପରେ ଦର୍ଶନ ପାଇଁ ମନ୍ଦିରକୁ ଯିବେ । ସେହିପରି ଆସନ୍ତା ୨୬ ତାରିଖରୁ ପୁରୀବାସୀ ଜଗା ଦର୍ଶନ କରିପାରିବେ । ଏନେଇ ୱାର୍ଡ ୱାରୀ ତାଲିକା ପ୍ରସ୍ତୁତ ହୋଇଛି ।

ସେହିପରି ୨୬ ତାରିଖ ସକାଳ ୭ଟା ୩୦ମି.ରୁ ଦର୍ଶନ ଆରମ୍ଭ ହେବ । ପ୍ରଥମ ଦିନ ୨,୩,୬,୯,୧୧,୧୨,୧୫ ନମ୍ବର ୱାର୍ଡବାସୀ ଜଗା ଦର୍ଶନର ସୁଯୋଗ ପାଇବେ । ପ୍ରଥମ ଦଫା ଦର୍ଶନ ୭ଟା ୩୦ମି.ରୁ ୧୧ଟା ୩୦ମି. ଥିବା ବେଳେ ଦ୍ଵିତୀୟ ଦଫା ୧୨ଟାରୁ ୪ଟା ଓ ତୃତୀୟ ପର୍ଯ୍ୟାୟ ଦର୍ଶନ ୪ଟା ୩୦ମି.ରୁ ପହୁଡ଼ ଯାଏଁ ଚାଲିବ ।

ଏହି ଅନୁସାରେ ୩୧ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ୱାର୍ଡବାସୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ । ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ ଜଣ ସ୍ୱେଛାସେବୀ ନିୟୋଜିତ ହେବେ । ଭିନ୍ନକ୍ଷମଙ୍କ ପାଇଁ ଉତ୍ତରଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଜାନୁଆରୀ ୩ ତାରିଖ ପରଠାରୁ ଜିଲ୍ଲା ବାହାରର ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ମହାପ୍ରଭୁଙ୍କୁ । ଆହୁରି ମଧ୍ୟ କୋଭିଡ୍‌ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ରହିଛି ।

Leave a Reply