spot_img
Home Blog Page 6340

ମନ୍ଦିର ବେଢ଼ାରେ କୁକୁର ବୁଲାଇ ଅଡ଼ୁଆରେ ମାଲିକ: ମାମଲା ରୁଜୁ କଲା ପୋଲିସ

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱର ବଣିଆ ସାହି ସ୍ଥିତ ବକ୍ରେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ନିଜ ପୋଷା କୁକୁରକୁ ବୁଲାଇ ହରଡ଼ଘଣାରେ ପଡ଼ିଛନ୍ତି ତୋଫାନ ସାମନ୍ତରାୟ । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଓୟୁପି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି କମିଶନରେଟ୍ ପୋଲିସ ।

https://www.facebook.com/695860203766120/posts/3633544566664321/

            ସୂଚନା ଯୋଗ୍ୟ ଯେ, ତୋଫାନ ସାମନ୍ତରାୟ ସକାଳୁ ସକାଳୁ ନିଜ ପୋଷା କୁକରକୁ ମନ୍ଦିର ପ୍ରାଙ୍ଗଣରେ ବୁଲାଉଥିବା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଯେଉଁଥିରେ ବ୍ୟକ୍ତି ଜଣଙ୍କ ଗାମୁଛା ପିନ୍ଧି କଳା ରଙ୍ଗର ପୋଷା କୁକୁରକୁ ମଳ ତ୍ୟାଗ କରାଇବା ପାଇଁ ମନ୍ଦିର ବେଢ଼ାକୁ ଆଣିଥିବା ଜଣାପଡ଼ୁଥିଲା । ମୋବାଇଲରୁ ମୋବାଇଲକୁ ଏହି ଫଟୋ ଘୁରିବୁଲିଥିଲେ । ଲୋକେ ଏହି ଫଟୋକୁ ନିଜ ଫେସବୁକ୍ ଓ ଅନ୍ୟ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବା ସହ ଘଟଣାକୁ ନିନ୍ଦା କରିଥିଲା । ଏହି ଫଟୋଟି କମିଶନରେଟ୍ ପୋଲିସର ମଧ୍ୟ ନଜରକୁ ଆସିଥିଲା । ଏହା ପରେ ପୋଲିସ କମିଶନ ଡ.ସୁଧାଂଶୁ ଷଡ଼ଙ୍ଗୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବଂ ପୋଲିସ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ମାମଲା ରୁଜୁ କରିଛି ପୋଲିସ । ଏ ନେଇ ସୋସିଆଲ୍ ମିଡିଆ ଯୋଗେ ପୋଲିସ ପକ୍ଷରୁ ସୂଚିତ କରାଯାଇଛି  । ଏଥିସହିତ ପୋଷା ଜୀବଜନ୍ତୁଙ୍କୁ ବୁଲାଇଲା ବେଳେ ଦାୟିତ୍ୱବାନ ହେବାକୁ ପରାମର୍ଶ ଦେଇଛନ୍ତି ପୋଲିସ ।

ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗ, ଆର୍ମି କଷ୍ଟଡିକୁ ଗଲେ ମେଜର

ଭୁବନେଶ୍ୱର: ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେଉଥିଲେ ସେନା ବାହିନୀର ବରିଷ୍ଠ ଅଧିକାରୀ । ଏହି ମାମଲାରେ ମେଜର୍ ସୌମ୍ୟ ରଞ୍ଜନ ମିଶ୍ରଙ୍କୁ ଗିରଫ୍ କରିଥିଲା ପୋଲିସ୍ । ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା କୋର୍ଟ । ଜାମିନ ନାମୁଞ୍ଜର ହେବାରୁ ତାଙ୍କୁ ଆର୍ମି କଷ୍ଟଡିକୁ ପଠା ଯାଇଛି ।

ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା କୋର୍ଟ । ଆଉ କୋର୍ଟରେ ଉପସ୍ଥିତ ଥିଲେ ମାନ୍ୟବର ବିଚାରପତି । ଅଭିଯୁକ୍ତ, ପୀଡିତା ଓ ପରିବାର ଲୋକଙ୍କ ଉପସ୍ଥିତିରେ ଉଭୟ ପକ୍ଷଙ୍କ ଓକିଲ ରଖୁଥିଲେ ଯୁକ୍ତି । ରାତି ଯେତେ ବଢୁଥିଲା ଭାରତୀୟ ଆଇନକୁ ନେଇ ବିତର୍କ ସେତିକି ଶାଣିତ ହେଉଥିଲା । ରାତି ୮.୩୦ରୁ ଆରମ୍ଭ ହୋଇଥିବା ଶୁଣାଣି ରାତି ୨ଟା ପର୍ଯ୍ୟନ୍ତ ଚାଲିଥିଲା । ଶେଷରେ ଅଭିଯୁକ୍ତ ମେଜରଙ୍କୁ ବିଚାର ବିଭାଗୀୟ ହାଜତ ବଦଳରେ ଆର୍ମି କଷ୍ଟଡିକୁ ପଠାଇଲେ କୋର୍ଟ । ଦିଲ୍ଲୀରେ ଅବସ୍ଥାପିତ ବିହାର ରେଜିମେଣ୍ଟର ମେଜର ସୌମ୍ୟ ରଞ୍ଜନ ମିଶ୍ର । ପତ୍ନୀଙ୍କ ଅଭିଯୋଗ, ଯୌତୁକ ପାଇଁ ମେଜର ସୌମ୍ୟ ଓ ତାଙ୍କ ପରିବାର ଲୋକ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ।

ସୌମ୍ୟରଞ୍ଜନ ୨୦୧୩ ମେ ମାସରେ ବୈଦିକ ରୀତିନୀତିରେ ତେଜସ୍ୱିନୀ ମହାପାତ୍ରଙ୍କୁ ବିବାହ କରିଥିଲେ । ହେଲେ ଖୁସିର ସଂସାର ଆରମ୍ଭ ହେବା ପୂର୍ବରୁ ଯୌତୁକ ରାକ୍ଷାସ ପଶି ଆସିଥିଲା । ନିର୍ଯାତନା ଅସହ୍ୟ ହେବାରୁ କିଛି ମାସ ତଳେ ମହିଳା ଥାନାରେ ଅଭିଯୋଗ କରିଥିଲେ ପତ୍ନୀ ତେଜସ୍ୱିନୀ । ଗୁରୁବାର ମେଜର ସୌମ୍ୟଙ୍କୁ ଗିରଫ କରିଥିଲା ପୋଲିସ୍ । ତେବେ ଜାମିନ୍ ନାମଞ୍ଜୁର କରିବା ସହ ଅଭିଯୁକ୍ତଙ୍କୁ ଆର୍ମି କଷ୍ଟଡିଙ୍କୁ ପଠାଇଥିଲେ କୋର୍ଟ । ସେନାର ଶୃଙ୍ଖଳିତ ଅନୁଶାସନ ଓ କଠୋର କଟକଣା ଭିତରେ ମେଜର ସୌମ୍ୟ କିଭଳି ହେଲେ ବିଶୃଙ୍ଖଳିତ ? ଏ ଚର୍ଚ୍ଚା ଏବେ ସମସ୍ତଙ୍କ ମୁହଁରେ ।

ହସ୍ତତନ୍ତ କାରିଗର ଓ ବୁଣାକାରଙ୍କୁ ଆର୍ଥିକ ସହାୟତା ପାଇଁ ରାଜ୍ୟ ସଭା ଏମପି ଅମର ପଟ୍ଟନାୟକଙ୍କ ଚିଠି

ଭୁବନେଶ୍ୱର: କରୋନା କେବଳ ଦେଶର କୃଷି ଏବଂ ଶିଳ୍ପ ଅର୍ଥନୀତିକୁ ପ୍ରଭାବିତ କରିନାହିଁ । ହସ୍ତତନ୍ତ ଉପରେ ମଧ୍ୟ ଏହାର କୁ ପ୍ରଭାବ ପଡିଛି । ନିକଟରେ ଚତୁର୍ଥ ସର୍ବଭାରତୀୟ ହସ୍ତତନ୍ତ ଜନଗଣନା(୨୦୧୯-୨୦) ଅନୁଯାୟୀ ୩୧.୪୫ ଲକ୍ଷ ପରିବାର ଏହି ହସ୍ତତନ୍ତ ଉପରେ ନିର୍ଭରଶୀଳ । କୃଷି ପରେ ସର୍ବାଧିକ ଏହି କ୍ଷେତ୍ରରେ ଲୋକ ରୋଜଗାର ଉପାର୍ଜନ କରିଥାଆନ୍ତି । ମାତ୍ର ଚିନ୍ତା ଜନକ ବିଷୟ ଏହି କି ଯେ, ଏହି ହସ୍ତତନ୍ତରୁ ମାସିକ ପ୍ରାୟ ୫୦୦୦ରୁ କମ୍ ଟଙ୍କା ରୋଜଗାର ହେଉଛି । କରୋନା ମାଡ ଏହାକୁ ଆହୁରି ପ୍ରଭାବିତ କରିଛି ।

ସାରା ଦେଶର ବିଶେଷ କରି ଓଡ଼ିଶାରେ ହସ୍ତତନ୍ତ କାରିଗରଙ୍କ ଅର୍ଥନୈତିକ ଜୀବନକୁ ଦୃଷ୍ଟିରେ ରଖି ବିଜେଡି ରାଜ୍ୟ ସଭା ଏମପି ଅମର ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ହସ୍ତତନ୍ତ ମନ୍ତ୍ରୀ ସ୍ମୃତି ଇରାନୀ ଦୃଷ୍ଟି ଆକର୍ଷଣ କରିବା ସହ କାରିଗରଙ୍କୁ ସହାୟତା ପାଇଁ ଅମର ଉଲ୍ଲେଖ କରିଛନ୍ତି । ନିକଟରେ ୟୁଏନଡିପି ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ପ୍ରାୟ ୭୧,୦୬୦ ହସ୍ତତନ୍ତ କାରିଗର ଏବଂ ୪୭,୨୦୮ ବୁଣାକାର ଫନୀ ଦ୍ୱାରା ବହୁଳ ପ୍ରଭାବିତ ହୋଇଛନ୍ତି ।

କୃଷକମାନଙ୍କ ସହାୟତା ପାଇଁ ଯେପରି ରାଜ୍ୟ ସରକାର କାଳିଆ ଯୋଜନା ଏବଂ କେନ୍ଦ୍ର ସରକାର ପିଏମ କିଷାନ ଯୋଜନାର ଆରମ୍ଭ କରାଯାଇଛି । ଅନୁରୂପ ଭାବେ ହସ୍ତତନ୍ତ କାରିଗର ଏବଂ ବୁଣାକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ କିଛି ଯୋଜନା କରାଯାଉ ବୋଲି ଅମର ପଟ୍ଟନାୟକ ଦାବି କରିଛନ୍ତି । ସେହିପରି ଅନ୍ୟ ଏକ ଚିଠି ମାଧ୍ୟମରେ ଅମର ପଟ୍ଟନାୟକ ଓଡ଼ିଶାର ଅନୁନ୍ନତ ଅଞ୍ଚଳରେ ଅଧିକ ସଂଖ୍ୟକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ ଅମର କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରୀୱାଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ଉପ-ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ: ଘରେ ବସି ବି ଦେଇ ହେବ ଭୋଟ

ଭୁବନେଶ୍ୱର: ପ୍ରକାଶ ପାଇଲା ତିର୍ତ୍ତୋଲ ଓ ବାଲେଶ୍ଵର ଉପନିର୍ବାଚନ ପାଇଁ ବିଜ୍ଞପ୍ତି । କୋଭିଡ କଟକଣା ଭିତରେ ନିର୍ବାଚନ କରିବା ବଡ଼ ଚ୍ୟାଲେଞ୍ଜ । ତେବେ ପୂର୍ବରୁ ହେଉଥିବା ନିର୍ବାଚନଠାରୁ ଏହା ଭିନ୍ନ ହେବାକୁ ଯାଉଛି । ସାମାଜିକ ଦୂରତା ସହ ମତଦାନ କରିବାକୁ ଏଥର ବୁଥ୍ ସଂଖ୍ୟା ବଢାଯାଇଛି । ଏପରିକି ଘରେ ବସି ବି ପୋଷ୍ଟାଲ ବାଲଟ ଜରିଆରେ ନିର୍ବାଚନ ପୂର୍ବରୁ ଦେଇ ହେବ ଭୋଟ । ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦୁଇ ଦିନ ଭିତରେ ସମସ୍ତ ରାଜନୈତିକ ଦଳ ଚୂଡ଼ାନ୍ତ କରିବେ ପ୍ରାର୍ଥୀ ତାଲିକା ।

କୋଭିଡ ନିୟମ ଭିତରେ ପ୍ରଥମ ଥର ପାଇଁ ନିର୍ବାଚନ ପରିଚାଳନା ହେବାକୁ ଯାଉଛି । ସାମାଜିକ ଦୂରତର ରକ୍ଷା କରିବାକୁ ୪୦ରୁ ୫୦ ପ୍ରତିଶତ ବୁଥ୍ ସଂଖ୍ୟା ବୃଦ୍ଧି କରାଯାଇଛି। ଆଜିଠାରୁ ବୁଥ୍ ଲେବଲ ଓ୍ୱାର୍କର ପୋଷ୍ଟାଲ ବାଲଟ୍ ପାଇଁ ଘର ଘର ବୁଲିବେ ।  ଚିହ୍ନଟ ହୋଇଥିବା ୮୦ ବର୍ଷରୁ ଅଧିକ ଲୋକ ଭିନ୍ନକ୍ଷମ ଓ କୋଭିଡ୍ ରୋଗୀଙ୍କୁ ୧୨ଡି ଫର୍ମ ଦିଆଯିବ। ପୋଷ୍ଟାଲ ବାଲଟ ପାଇଁ ଇଛୁକମାନେ ସେହି ଫର୍ମ ଭରିବେ । ୧୪ ତାରିଖ ଭିତରେ ଏହି ପ୍ରକ୍ରିୟା ସରିବ। ୨୧ ତାରିଖ ପରେ ୮ ଦିନ ଯାଏ ଘର ଘର ବୁଲି ସ୍ୱତନ୍ତ୍ର ଟିମ୍ ପୋଷ୍ଟାଲ ବାଲଟ ଦ୍ୱାରା ଭୋଟିଂ କରାଇବେ। ଦୁଇଟି ଏନଭଲପରେ ଏହାକୁ ସିଲ୍ କରାଯିବ । ପୋଲିସ ଉପସ୍ଥିତିରେ ପୂରା ପ୍ରକ୍ରିୟାର ଭିଡ଼ିଓ ରେକର୍ଡିଂ କରାଯିବ । ଭୋଟ୍ ପୂର୍ବରୁ ପୋଷ୍ଟାଲ ବାଲଟରେ ଭୋଟିଂ ସରିବ ।

କୋଭିଡ ନିୟମରେ ମଧ୍ୟରେ କିଛି ଏଭଳି ହେବ ଉପନିର୍ବାଚନ

ନାମାଙ୍କନ ପାଇଁ ପ୍ରାର୍ଥୀଙ୍କ ସହ 2 ଜଣ ଓ ଦୁଇଟି ଗାଡ଼ି ଯିବ

 ଡୋର କ୍ୟାମ୍ପନିଂ ପ୍ରାର୍ଥୀ ସହ ୫ ଜଣ ଯିବେ, ସୁରକ୍ଷାକର୍ମୀ ଥିଲେ ୬ଜଣ ଯାଇ ପାରିବେ

 ଜିଲ୍ଲା ନିର୍ବାଚନ ଅଧିକାରୀ ସଭା ସ୍ଥଳ ଚିହ୍ନଟ କରିବେ

 ଦଳମତ ନିର୍ବିଶେଷରେ ରାଜନୈତିକ ଦଳ ଚିହ୍ନଟ ସ୍ଥାନରେ ସଭା କରିବେ

ଅପରପକ୍ଷରେ ଦୁଇ ଦିନ ଭିତରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ । ଚଳିତ ଥର ନୂତନ ଚେହେରାଙ୍କୁ ଦଳ ସୁଯୋଗ ଦେଇପାରେ । ସେହିପରି ବିଜେପି ମଧ୍ୟ ଦୁଇ ଦିନ ଭିତରେ ପ୍ରାର୍ଥୀ ଚୂଡ଼ାନ୍ତ କରିବ । ପ୍ରତି ନିର୍ବାଚନମଣ୍ଡଳୀରୁ ତିନୋଟି ପ୍ରାର୍ଥୀଙ୍କ ନାଁ ଯାଇଛି । ବିଜେଡି ମଧ୍ୟ ଦୁଇ ଦିନ ଭିତରେ ଚିତ୍ର ସ୍ପଷ୍ଟ କରିବ । ମତଦାନ କେନ୍ଦ୍ରରେ ପ୍ରାର୍ଥୀଙ୍କ ଥର୍ମାଲ ସ୍କାନିଂ କରାଯିବ । ତାପମାତ୍ରା ଅଧିକ ଥିବା ଭୋଟରଙ୍କୁ ଏକ ଟୋକନ ଦିଆଯାଇ ଶେଷ ଏକ ଘଣ୍ଟାରେ ଭୋଟିଂ ପାଇଁ ସୁଯୋଗ ମିଳିବ। ମତଦାନ କେନ୍ଦ୍ରରେ ପ୍ରାର୍ଥୀଙ୍କ ଥର୍ମାଲ ସ୍କାନିଂ କରାଯିବ । ତାପମାତ୍ରା ଅଧିକ ଥିବା ଭୋଟରଙ୍କୁ ଏକ ଟୋକନ ଦିଆଯାଇ ଶେଷ ଏକ ଘଣ୍ଟାରେ ଭୋଟିଂ ପାଇଁ ସୁଯୋଗ ମିଳିବ।

ସାରୁଅ ଜମି କେଳେଙ୍କାରୀରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ, ପୁରୁଣା କର୍ମଚାରୀଙ୍କ ଦସ୍ତଖତ ଚୋରି ଅଭିଯୋଗ

ଖୋର୍ଦ୍ଧା: ଆପଣ ଓଟିଭି ନେଟୱର୍କ କି ଅରଟେଲରେ ଚାକିରୀ କରୁଥିଲେ କି ? ଆପଣଙ୍କ ଘର ଖୋର୍ଦ୍ଧା ସାରୁଅ ଅଂଚଳରେ କି ? ସାବଧାନ । ଆପଣଙ୍କ ଜମି ବି ହୋଇ ପାରେ ହଡ଼ପ୍ । କାରଣ ଚାକିରି ଦେଇ ଚଂଚକତା କରି ଜଣେ କର୍ମଚାରୀଙ୍କ ଜମି ଶାଗମାଛ ଦରରେ ଛଡ଼ାଇ ନେଇଛନ୍ତି ଏମ୍‌ଡି ଜଗି ମଙ୍ଗତ ପଣ୍ଡା । ଏଭଳି କଥା ସାମ୍ନାକୁ ଆସିଛି, ଯେତେବେଳେ ସ୍ଥାନୀୟ ଅନୁସୂଚିତ ଜାତିର ହାଲୁରୀ ପାହଡ଼ ସିଂ ଓ ରବୀନ୍ଦ୍ର ସେଠୀ ପ୍ରଶାସନ ପାଖରେ ଫେରାଦ୍ ହୋଇଛନ୍ତି ।

ସାରୁଅ ସ୍କାମ୍ ପଦାକୁ ଆସିବା ପରେ ଖୋଲୁଛି ଷଡ଼ଯନ୍ତ୍ରର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ । ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଓଟିଭି ନିର୍ମାଣ କରିଛି ନିଜର ସାମ୍ରାଜ୍ୟ । ନୀରିହ ଚାଷୀଙ୍କ ଜମି ହଡପ କରି ଓଟିଭି ଗଢିଛି ଷ୍ଟୁଡିଓ । ଏତିକିରେ ଅରମାନ୍‌ ମେଣ୍ଟିଲାନି ଯେ, ଆହୁରି ଜମି ହାତେଇବା ପାଇଁ ଓଟିଭି ସବୁ ସୀମା ଟପିଯାଇଛି । ଓଟିଭି କର୍ତ୍ତୃପକ୍ଷ ଚକ୍ରାନ୍ତ କରି ସ୍ଥାନୀୟ ଲୋକଙ୍କ ଜମି ହଡପ କରିଥିବା ଅନେକ ଅଭିଯୋଗ ହୋଇଛି । ଏବେ ଆଉ ଏକ ନୂଆ ଚକ୍ରାନ୍ତର ପର୍ଦ୍ଦାଫାସ ହୋଇଛି ।

ଅନୁସୂଚିତ ଜାତିର ଚାଷୀଙ୍କ ଜମିକୁ କଳେବଳେ କୌଶଳେ କରିଛନ୍ତି ଅକ୍ତିଆର । ଚଞ୍ଚକତା କରି ନିଜ ଅନସୂଚିତ ଜାତି କର୍ମଚାରୀଙ୍କ ଦ୍ୱାରା ଜମି କିଣାଇ ସେ ଜମିକୁ ବି ମାରି ନେଲେ ଜଗି ମଙ୍ଗତ ପଣ୍ଡା । ଜମି ହଡପ ନେଇ ଅଭିଯୋଗ କରିଥିବା ରବୀନ୍ଦ୍ର କୁମାର ସେଠୀ ସ୍କାଏଭିୟୁରେ ଡ୍ରାଇଭର ଭାବେ ନିୟୋଜିତ ଥିଲେ । ସ୍କାଏଭିୟୁ, ଓରଟେଲରେ ପରିବର୍ତ୍ତନ ହେଲାବେଳେ ବିଭୁ ପ୍ରସାଦ ରଥଙ୍କର ଗାଡି ଚଳାଉଥିଲେ ରବୀନ୍ଦ୍ର । ସେହି ସମୟରେ ପୁନଃ ନିଯୁକ୍ତି ପତ୍ରରେ ଦସ୍ତଖତ କଲାବେଳେ କର୍ମଚାରୀଙ୍କ ଅଜାଣତରେ ଜମି ବିକ୍ରି ପାଇଁ ଦସ୍ତଖତ ନେଇଗଲେ ଓରଟେଲ କର୍ତ୍ତୃପକ୍ଷ । ଏବେ ଜମି ହରାଇ ହତାଶ ହୋଇ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇ ଦୁଃଖ ଜଣାଇଛନ୍ତି ରବୀନ୍ଦ୍ର । ରବୀନ୍ଦ୍ରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଓଟିଭି ଭୟରେ ଆଗକୁ ଆସିବା ପାଇଁ ରାଜି ହୋଇନଥିଲେ ।

ସରକାରୀ ନିୟମ ଅନୁଯାୟୀ ଅନୁସୂଚିତ ଜନଜାତି ଓ ଆଦିବାସୀଙ୍କ ଜମିକୁ ଉଚ୍ଚ ବର୍ଗର ଲୋକ କିଣିପାରିବେ ନାହିଁ । କିନ୍ତୁ ସାରୁଅରେ ସବୁ ନିୟମକୁ ଦଳି ମକଚି ଓଟିଭି କର୍ତ୍ତୃପକ୍ଷ ହାତେଇଛି ଅନେକ ଜମି । ସ୍ଥାନୀୟ ଅଞ୍ଚଳର ହାଲୁରୀ ପାହାଡସିଂହଙ୍କ ପୈତୃକ ଜମିକୁ ହାତେଇବା ପାଇଁ ଓଟିଭି ତାଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି କରିଥିଲା । ହେଲେ ହାଲୁରୀ ରାଜି ହୋଇନଥିଲେ । ତେଣୁ ରବୀନ୍ଦ୍ର ସେଠୀ ନାମକ ଅନୁସୂଚିତ ଜାତି ବ୍ୟକ୍ତିଙ୍କ ଜରିଆରେ ଏହି ଜମିକୁ କିଣି ନେଇଥିଲା ଓଟିଭି ।

ରବୀନ୍ଦ୍ର ଯିଏ ଦିନେ ଅରଟେଲ ଡ୍ରାଇଭର ନିଯୁକ୍ତ ଥିଲେ । ରବୀନ୍ଦ୍ରଙ୍କ ନାଁରେ ଜମି କିଣାଯାଇ ଓଟିଭିକୁ ବିକ୍ରି ହୋଇଥିବା ହାଲୁରୀ ପାହାଡ଼ସିଂ ଅଭିଯୋଗ ଆଣିଛନ୍ତି । ଏବେ ନିଜ ଜମି ଓଟିଭି ହାତକୁ ଚାଲିଗଲା ପରେ ବୁଦ୍ଧି ବଣା ହୋଇଯାଇଛି । ଚକ୍ରାନ୍ତ ହେଲା, ଜମିବି ଗଲା ଏମିତିକି ଜମିର ଅସଲ ମୂଲ୍ୟ ବି ମିଳିଲାନି । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି ହାଲୁରୀ ପାହାଡସିଂହ ।

ଶିଶୁ ଭବନ ଛକରୁ ଧଉଳି ଯାଏଁ ଗଡ଼ିଲା ସାଇକେଲ୍: ଏଣିକି ପ୍ରତି ଶୁକ୍ରବାର ରାଜଧାନୀରେ ହେବ ସାଇକେଲଗିରି

ଭୁବନେଶ୍ୱର: ରାଜଧାନୀରେ ସାଇକେଲଗିରି । ସାଇକେଲିଆଙ୍କୁ ସମ୍ମାନ ଦେବା ସହ ଫିଟ ରହିବା ପାଇଁ ଭୁବନେଶ୍ୱରରେ ଆରମ୍ଭ ହେଲା ସାଇକେଲ ଫର ଚେଞ୍ଜ ଚାଲେଞ୍ଜ ଅଭିଯାନ । ଶିଶୁ ଭବନ ଛକରୁ ଧଉଳୀ ଶାନ୍ତିସ୍ତୁପ ଯାଏଁ ଗଡିଲା ସାଇକେଲ  । ଏଣିକି ପ୍ରତି ଶୁକ୍ରବାର ରାଜଧାନୀରେ ହେବ ସାଇକେଲଗିରି ।

ସକାଳୁ ସକାଳୁ ଶୁଭିଲା ଟ୍ରିଂ ଟ୍ରିଂ  ।  ଗାଡି ମଟରର କେଁ କାଁ ଶବ୍ଦ ଠାରୁ ଭାରି ଅଲଗା ଥିଲା ଭୁବନେଶ୍ୱରରେ ସକାଳର ମାହୋଲ । ରାଜଧାନୀ ରାସ୍ତାରେ ଗଡିଲା ଶହ ଶହ ସାଇକେଲ । ସାଇକେଲିଆଙ୍କୁ ସମ୍ମାନ ଦେବା ପାଇଁ ଭୁବନେଶ୍ବରରେ ଆରମ୍ଭ ହେଲା  ସାଇକେଲଗିରି । ଶିଶୁ ଭବନ ଛକରୁ ଧଉଳୀ ଶାନ୍ତି ସ୍ତୁପ ଯାଏଁ ଗଡିଲା ସାଇକେଲ ।  କିଏ ଷ୍ଟାଇଲିଷ୍ଟ ସାଇକେଲ ଧରିଥାନ୍ତି ତ ଆଉ କିଏ ୨୨ ଇଞ୍ଚିଆ ସାଇକେଲ । ସାଇକେଲ ଚଲାଇ ପୁରୁଣା ଦିନକୁ ଫେରିଯାଇଥିଲେ ସହରିଆ ।

ରାଜଧାନୀବାସୀ ପୂର୍ବରୁ ପଥୋତ୍ସବ ବା ରାହାଗିରିର ମଜାନେଇଥିଲେ । କିନ୍ତୁ ସାଇକେଲଗିରିର ମଜା ଟିକେ ଅଲଗା ଥିଲା । ଦୈନନ୍ଦିନ ଜୀବନରେ ସାଇକେଲ ଚଲାଉଥିବା ଅନେକ ଲୋକ ନିଜର ପୁରୁଣା ସାଇକେଲ ନେଇ ବାହାରି ପଡିଥିଲେ । ଏଣିକି ପ୍ରତି ଶୁକ୍ରବାର ରାଜଧାନୀବାସୀ ସାଇକେଲଗିରିର ମଜା ଉଠାଇବେ । ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ସାଇକେଲ ଟ୍ରାକ କରାଯିବା ସହ ଏହାକୁ କେବଳ ସାଇକେଲ ଚଳାଚଳ ପାଇଁ ବ୍ୟବହାର କରାଯିବାକୁ ଟାର୍ଗେଟ ରଖିଛି ବିଏମସି  । ଫିଟ୍ ରହିବା ସହ ପ୍ରଦୂଷଣ ରୋକିବା ପାଇଁ ଶୁକ୍ରବାରକୁ ସାଇକେଲ ଡେ ଭାବେ ପାଳନ କରିବା ପାଇଁ ନିବେଦନ କରିଛନ୍ତି ବିଏମସି କମିଶନର  ।

ଢେଙ୍କାନାଳ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା: ୫ ବର୍ଷରେ ଗଲାଣି ୧୯୩୯ ଲୋକଙ୍କ ଜୀବନ

ଢେଙ୍କାନାଳ: ରାସ୍ତା ପାଲଟିଛି ମରଣଯନ୍ତା । ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା 3ଟି ଜାତୀୟ ରାଜପଥ କଥା । ବିଶେଷ କରି ଏନଏଚ୍ 55 କଟକ  ସମ୍ବଲପୁର ରାସ୍ତାରେ ବଢିବାରେ ଲାଗିଛି ଦୁର୍ଘଟଣା । ରାସ୍ତା ସମ୍ପ୍ରସାରଣ ଓ ନିର୍ମାଣରେ ନିର୍ଦ୍ଧାରିତ ସମୟ ଠାରୁ ଢେର ବିଳମ୍ବ ଯୋଗୁଁ ପ୍ରତିଦିନ ଯାଉଛି ନୀରିହ ଜୀବନ ।

ଡେଥ୍ ଜୋନ୍ ପାଲଟିଛି ଢେଙ୍କାନାଳ ଏନଏଚ୍ ୫୫ ନମ୍ୱର ଜାତୀୟ ରାଜପଥ । ଦିନକୁ ଦିନ ବଢୁଛି ଦୁର୍ଘଟଣା ହାର । 5 ବର୍ଷରେ ଗଲାଣି 1939 ଲୋକଙ୍କ ଜୀବନ । ରାସ୍ତା ନିର୍ମାଣ ଓ ସମ୍ପ୍ରସାରଣରେ ବିଳମ୍ବ ଯୋଗୁଁ ବଢୁଛି ଦୁର୍ଘଟଣା ହାର । ଢେଙ୍କାନାଳ ଜିଲ୍ଲା ଦେଇ ଯାଇଛି ୩ଟି ଜାତୀୟ ରାଜପଥ । ଏଥିମଧ୍ୟରୁ ଦୁର୍ଘଟଣା ପ୍ରବଣ ରାସ୍ତା ହେଉଛି ଏନଏଚ୍ 55 କଟକ ସମ୍ବଲପୁର ଜାତୀୟ ରାଜପଥ । ଦୈନିକ ଏହି ରାସ୍ତା ଦେଇ ଯାତାୟତ କରୁଛି 40 ହଜାରରୁ ଅଧିକ ଗାଡି । ଜାତୀୟ ରାଜପଥକୁ ଲାଗି ରହିଛି ଅନେକ ଛୋଟ ବଡ ଶିଳ୍ପ କାରଖାନା । ଏପରିକି ତାଳଚେରରୁ କୋଇଲା କାମାକ୍ଷନଗର ଭୂବନରୁ କ୍ରୋମାଇଟ୍ ଆଦି ଖଣିଜ ଦ୍ରବ୍ୟ ନିୟମିତ ଗାଡିରେ ପରିବହନ ହେଉଛି । ହେଲେ ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ଅନେକ ସମୟରେ ବହୁ ଦୁର୍ଘଟଣା ହେଉଛି ।

ଗତ 5 ବର୍ଷରେ ଦୁର୍ଘଟଣାରେ ଅନେକ ମୃତ୍ୟୁ ଓ ଆହତ ହୋଇଥିବା ନଜିର ରହିଛି. ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ସୂଚନା ଅୁଯାୟୀ 3 ବର୍ଷ ପୂର୍ବରୁ ବ୍ଲାକ୍ ସ୍ପଷ୍ଟ ଚିହ୍ନଟ ହୋଇଥିଲା. ତେବେ ଏଠାରେ ଜାରି ରହିଛି ଭାରିଯାନ ଚଳାଚଳ ଜାରି ରହିଛି. 5 ବର୍ଷରେ ସର୍ବମୋଟ ଦୁର୍ଘଟଣା ସଂଖ୍ୟା 1939 ହୋଇଥିବାବେଳ୍ 976 ଜଣଙ୍କ ମୃତ୍ୟୁ ହେବା ସହ 1558 ଜଣ ଆହତ ହୋଇଛନ୍ତି. ଆଗାମୀ ଦିନରେ ରାସ୍ତା ସମସ୍ୟା ଦୂର ନକଲେ ଆନ୍ଦୋଳନ ବ୍ୟାପକ କରିବାକୁ ଚେବନୀ ଦେଇଛନ୍ତି ଲୋକେ ।

୮ ବର୍ଷର ନାବାଳିକାଙ୍କ ବେଷ୍ଟ ଫ୍ରେଣ୍ଡ ହେଉଛି ୧୧ ଫୁଟର ଅଜଗର

ଜେରୁସେଲମ: ସାପକୁ କିଏ ଦେଖିଲେ ଡରେ ତ ଆଉ କିଏ ଖେଳଣା ସାପକୁ ଦେଖି ବି ଭୟରେ ଥରି ଉଠେ । ସାପ ପ୍ରତି ପ୍ରାୟ ଅଧିକାଂଶଙ୍କ ମନରେ ଥାଏ ଭୟ ଆଉ ଡର । ଆଉ ଅଜଗର ସାପ କଥା ଶୁଣିଲେ ଅନେକଙ୍କ ପିଳେହି ପାଣି ହୋଇଯାଏ । ଆଜି ଆମେ ଏମିତି ଏକ ଛୁଆ ବିଷୟରେ କହୁଛୁ ଯାହାର ସବୁଠୁ ଭଲ ସାଙ୍ଗ ହେଉଛି ଅଜଗର । ଅଜଗର ସାପଟି ସହ ଝିଅଟି ଖେଳେ, ବୁଲେ ଓ ପାଣିରେ ପହଁରେ ।

8 Year Old Israeli Girls Who Takes A 11 Foot Pet Python Swimming

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଇସ୍ରାଏଲର ୮ ବର୍ଷୀୟା ଇନବରର ବ୍ରେଷ୍ଟ ଫ୍ରେଣ୍ଡ ହେଉଛି ଅଜଗର । ଯେତେବେଳେ ସେ ଘର ପଛପଟ ସୁଇମିଂ ପୁଲକୁ ଗାଧୋଇବାକୁ ଯାଏ ତ ତା ସାଙ୍ଗରେ ଥାଏ ୧୧ ଫୁଟର ପାଳିତ ସାପ । ଅଜଗରକୁ ଘରେ ପାଳିଥିବା ବେଳେ ଲୋକେ ନାବାଳିକାଟି ସହ ସାପକୁ ଦେଖି ଡରି ଯାଆନ୍ତି । କାରଣ ଏମିତିରେ ବି ଛୁଆଙ୍କୁ ଏଣ୍ଡୁଅ ଦେଖିଲେ ଡର ଲାଗେ । କିନ୍ତୁ ଇନବର ଯିଏ ୧୧ ଫୁଟର ହଳିଦିଆ ରଙ୍ଗର ଅଜଗରକୁ ଦେଖିଲେ ବେଶ୍ ଖୁସି ହୋଇଯାଏ । ତାକୁ ଏହି ଅଜଗର ସହ ସମୟ ବିତାଇବାକୁ ବେଶ୍ ଭଲ ଲାଗେ ।

ଖବର ମୁତାବକ ୮ ବର୍ଷର ଇନବର ନିଜ ପରିବାର ସହ ଦକ୍ଷିଣ ଇସ୍ରାଏଲର ଏକ କୃଷି ସମୁଦାୟର ଆନିମଲ ସାଞ୍ଚୁରେ ରୁହେ । ସେ ପିଲାଟି ଦିନରୁ ହିଂସ୍ର ଜୀବଜନ୍ତୁଙ୍କ ସହ ବଢ଼ିଛି । ୧୧ ଫୁଟର ଅଜଗର ସାପ ତାଙ୍କ ପରିବାର ଦ୍ୱାରା ପାଳନ କରାଯାଇଥିବା ହିଂସ୍ର ଜୀବଜନ୍ତୁଙ୍କ ମଧ୍ୟରୁ ଗୋଟିଏ । କରୋନା ଭାଇରସ୍ ସଂକ୍ରମଣ ପରେ ଲକଡାଉନ୍ ଲାଗୁ ହୋଇ ଯାଇଥିଲା । ତା’ପରଠୁ ଇନବର ଏହି ଅଜଗର ସହ ବିତାଉଛି ବେଶୀ ସମୟ ।

ବିକାଶର ନୂଆ ଅଧ୍ୟାୟ ଲେଖିବ କଟକ ବଡ଼ ମେଡିକାଲ: ଭିତ୍ତିଭୂମିର ସମୀକ୍ଷା କଲେ ୫-ଟି ସଚିବ

କଟକ: ବଡ଼ ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ଲାନ ଅନୁସାରେ ଦ୍ରୁତଗତିରେ କାମ ଚାଲିଛି  । ଆଠ ମାସ ପରେ ସରିଛି ବ୍ଲୁ-ପ୍ରିଣ୍ଟର ପ୍ରଥମ ପର୍ଯ୍ୟାୟ କାମ । ଯାହାକୁ ଆଜି ପାହାନ୍ତି ପହରରୁ ଯାଇ 5-ଟି ସଚିବ ଭି କେ ପାଣ୍ଡିଆନ ସମୀକ୍ଷା କରିଛନ୍ତି  । ତାଳଦଣ୍ଡା କେନାଲର ଉଭୟ ପଟ ରାସ୍ତାର ପ୍ରଶସ୍ତୀକରଣ ସମ୍ପୂର୍ଣ୍ଣ ହୋଇଥିବାବେଳେ ଏହାକୁ ଜାତୀୟ ରାଜପଥ ସହ ଯୋଡିବାକୁ ନୂଆ ପ୍ଲାନ କରାଯାଇଛି  । ଆସନ୍ତାକାଲି ସନ୍ଧ୍ୟାରେ ନୂଆରାସ୍ତା ଉଦ୍‌ଘାଟନ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

ବାସ୍ତବରୂପ ପାଉଛି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ  । କଟକକୁ ନେଇ ନବୀନ ଆଙ୍କିଥିବା ନୂଆ ଚିତ୍ରରେ ଚାଲିଛି ରଙ୍ଗଭରା କାମ  । ଜାନୁଆରୀ ୨୩ ତାରିଖରେ ମହାନଦୀ ପଠାରୁ ନବୀନଙ୍କ ଘୋଷଣା ଅନୁସାରେ ଆଗେଇ ଚାଲିଛି ଭିତ୍ତିଭୂମି ନିର୍ମାଣ କାମ  । ଆଠ ମାସ ପରେ ବ୍ଲୁ-ପ୍ରିଣ୍ଟର ପ୍ରଥମ ପର୍ଯ୍ୟାୟ କାମ ସରିଛି  । ମେଡିକାଲକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲର ଉଭୟ ପଟ ରାସ୍ତା ପ୍ରଶସ୍ତିକରଣ କାମ ସମ୍ପୂର୍ଣ୍ଣ ହୋଇଛି । ଯାହାର ଆଜି ଭୋରରୁ କଟକ ଯାଇ ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ ଭି କେ ପାଣ୍ଡିଆନ  । କଟକରେ ପହଞ୍ଚି ନୂତନ ରାସ୍ତାର ସବିଶେଷ ବିବରଣୀ ନେବା ସହିତ ରାସ୍ତାକୁ ମାତୃଭବନ ପର୍ଯ୍ୟନ୍ତି ନେଇ ଜାତୀୟ ରାଜପଥ ସହିତ ଯୋଡିବା ପାଇଁ ଯୋଜନା କରିଛନ୍ତି । ଏଥିପାଇଁ ସେ ଆଜି ଛତ୍ର ବଜାର ମଧ୍ୟ ବୁଲିଦେଖିଛନ୍ତି ।

ଏହାସହ 5-ଟି ସଚିବ ମେଡିକାଲ ସମ୍ପ୍ରସାରଣ ନେଇ ଚାଲିଥିବା ଉଚ୍ଛେଦ କାମର ମଧ୍ୟ ସମୀକ୍ଷା କରିଛନ୍ତି । ତେବେ ଶନିବାର ସନ୍ଧ୍ୟାରେ ତାଳଦଣ୍ଡା କେନାଲ ନୂତନ ରାସ୍ତା ଉଦ୍‌ଘାଟନ ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ଏହି 3 ଲେନ ବିଶିଷ୍ଟ ଦେଢ଼ କିଲୋମିଟର ଦୀର୍ଘ ରାସ୍ତାରେ 5-ଟି ସ୍ଥାନରେ ସୁଦୃଶ୍ୟ ପାର୍କିଙ୍ଗ ବ୍ୟବସ୍ଥା କରାଯିବା ସହିତ ରାସ୍ତା କଡରେ ଜେଟିଙ୍ଗ ପାନଟ୍ରି ଲଗାଯାଇଛି । ଏହି ରାସ୍ତାକୁ ଏକ ମଡେଲ ରାସ୍ତା ଭାବରେ ଗ୍ରହଣ କରାଯାଉଛି । ପୂର୍ବରୁ ଏସସିବିକୁ ଆସୁଥିବା ରୋଗୀ ଏହି ରାସ୍ତାରେ ସମସ୍ୟା ଯୋଗୁଁ ଅସୁବିଧା ଭୋଗୁଥିଲେ । ଏବେ ନୂତନ ରାସ୍ତାକୁ ନେଇ ସେମାନେ ବେଶ ଖୁସି । ରାସ୍ତା ଚଉଡ଼ା ପାଇଁ ପ୍ରାୟ ୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି  । ଏସସିବିକୁ ବିଶ୍ୱସ୍ତରୀୟ କରିବା ପାଇଁ ଗତ ଜାନୁଆରୀରେ ନବୀନ ଘୋଷଣା କରିଥିଲେ ମାଷ୍ଟର ପ୍ଲାନ  । ଯେଉଁଥିରେ ରହିଛି ମହାନଦୀ କୂଳେ କୂଳେ ଛଅ ଥାକିଆ ରିଂ ରୋଡ୍‌, ମହାନଦୀ ରିଭର୍‌ ଫ୍ରଣ୍ଟର ବିକାଶ, ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସ୍ମାର୍ଟ ପ୍ଲାନ  ।

 

ଶ୍ରୀମନ୍ଦିର ଖୋଲିବା ନେଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା: ରାଜ୍ୟ ସରକାରଙ୍କୁ ଦିଆଯିବ ରିପୋର୍ଟ

ପୁରୀ: କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିର ଖୋଲିନପାରେ  । ଶ୍ରୀମନ୍ଦିରର କିଛି ସେବାୟତ ଏଭଳି ମତ ଦେଇଛନ୍ତି । ରାଜ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ପାଇଁ ମତ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିର ନେଇ ଏଭଳି ମତ ପ୍ରକାଶ ପାଇଛି । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଛି ନିଯୋଗ ସହିତ ଆଲୋଚନା କରିଥିଲେ। ସବୁ ନିଯୋଗ ସହ ଆଲୋଚନା ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ । ସେପଟେ କେନ୍ଦ୍ରାପଡ଼ାରେ ଶ୍ରୀବଳଦେବଜୀଉ ମନ୍ଦିର ଖୋଲିବା ଦାବିରେ ଶତାଧିକ ସେବାୟତ ଘଣ୍ଟ ପିଟି ଅଭିନବ ଶୈଳୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଶ୍ରୀମନ୍ଦିର ଖୋଲିବା ନେଇ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ବିଭିନ୍ନ ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା ଆରମ୍ଭ କରିଛନ୍ତି । ପ୍ରଥମ ଦିନ ସୁଆର ମହାସୁଆର, ପ୍ରତିହାରୀ, ପୂଜାପଣ୍ଡା, ଓ ଖୁଣ୍ଟିଆ ନିଯୋଗ କର୍ମକର୍ତ୍ତାଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ମତାମତ ସଂଗ୍ରହ କରାଯାଇଛି । କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିର ନଖୋଲିବା ପାଇଁ କିଛି ସେବାୟତ ମତ ଦେଇଛନ୍ତି ।

ସବୁ ନିଯୋଗ ଓ ଶ୍ରୀମନ୍ଦିର ସହ ଜଡିତ ସମସ୍ତ କର୍ମକର୍ତ୍ତାଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିବେ  । ସମସ୍ତଙ୍କ ମତାମତ ନେଇ ପରିଚାଳନା କମିଟିରେ ପ୍ରସ୍ତାବ ଗୃହୀତ ହେବା ରାଜ୍ୟ ସରକାରଙ୍କୁ ଦିଆଯିବ । ଯଦି ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ହୁଏ, ତେବେ ସଂକ୍ରମଣ ରୋକିବାକୁ ମନ୍ଦିର ପ୍ରବେଶ ନେଇ ଏସ୍‌ଓପି ପ୍ରସ୍ତୁତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି  ।

ସେପଟେ କେନ୍ଦ୍ରାପଡ଼ାରେ ମନ୍ଦିର ଖୋଲିବା ଦାବିରେ ଅଭିନବ ଶୈଳୀରେ ବିକ୍ଷୋଭ ପ୍ରଦର୍ଶନ । ଶ୍ରୀବଳଦେବଜୀଉ ମନ୍ଦିର ଖୋଲିବା ଦାବିରେ ମନ୍ଦିର ଆଗରେ ସେବାୟତମାନେ ଘଣ୍ଟ ବାଡ଼େଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  । ୭ ମାସ ହେଲା ମନ୍ଦିର ବନ୍ଦ ରହିବା ଫଳରେ ସେବାୟତ ଓ ମନ୍ଦିର ଉପରେ ନିର୍ଭର କରୁଥିବା ଅନ୍ୟମାନଙ୍କ ଆର୍ଥିକ ସମସ୍ୟା ଉତ୍କଟ ହୋଇଛି । ତେଣୁ ଶୀଘ୍ର ମନ୍ଦିର ଖୋଲିବାକୁ ସେମାନେ ଦାବି କରିଛନ୍ତି  । ରାଜ୍ୟରେ କରୋନା କଟକଣା ଭିତରେ ଧାର୍ମାନୁଷ୍ଠାନ ଖୋଲିବା ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ଧର୍ମାନୁଷ୍ଠାନକୁ ମୁଖ୍ୟ ଶାସନ ସଚିବ କହିଥିଲେ । ସେହିପରି ଧର୍ମାନୁଷ୍ଠାନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ୧୦ଦିନ ଭିତରେ ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ଆଲୋଚନା ଆରମ୍ଭ ହୋଇଛି  ।