ଶିଶୁ ଭବନ ଛକରୁ ଧଉଳି ଯାଏଁ ଗଡ଼ିଲା ସାଇକେଲ୍: ଏଣିକି ପ୍ରତି ଶୁକ୍ରବାର ରାଜଧାନୀରେ ହେବ ସାଇକେଲଗିରି

ଭୁବନେଶ୍ୱର: ରାଜଧାନୀରେ ସାଇକେଲଗିରି । ସାଇକେଲିଆଙ୍କୁ ସମ୍ମାନ ଦେବା ସହ ଫିଟ ରହିବା ପାଇଁ ଭୁବନେଶ୍ୱରରେ ଆରମ୍ଭ ହେଲା ସାଇକେଲ ଫର ଚେଞ୍ଜ ଚାଲେଞ୍ଜ ଅଭିଯାନ । ଶିଶୁ ଭବନ ଛକରୁ ଧଉଳୀ ଶାନ୍ତିସ୍ତୁପ ଯାଏଁ ଗଡିଲା ସାଇକେଲ  । ଏଣିକି ପ୍ରତି ଶୁକ୍ରବାର ରାଜଧାନୀରେ ହେବ ସାଇକେଲଗିରି ।

ସକାଳୁ ସକାଳୁ ଶୁଭିଲା ଟ୍ରିଂ ଟ୍ରିଂ  ।  ଗାଡି ମଟରର କେଁ କାଁ ଶବ୍ଦ ଠାରୁ ଭାରି ଅଲଗା ଥିଲା ଭୁବନେଶ୍ୱରରେ ସକାଳର ମାହୋଲ । ରାଜଧାନୀ ରାସ୍ତାରେ ଗଡିଲା ଶହ ଶହ ସାଇକେଲ । ସାଇକେଲିଆଙ୍କୁ ସମ୍ମାନ ଦେବା ପାଇଁ ଭୁବନେଶ୍ବରରେ ଆରମ୍ଭ ହେଲା  ସାଇକେଲଗିରି । ଶିଶୁ ଭବନ ଛକରୁ ଧଉଳୀ ଶାନ୍ତି ସ୍ତୁପ ଯାଏଁ ଗଡିଲା ସାଇକେଲ ।  କିଏ ଷ୍ଟାଇଲିଷ୍ଟ ସାଇକେଲ ଧରିଥାନ୍ତି ତ ଆଉ କିଏ ୨୨ ଇଞ୍ଚିଆ ସାଇକେଲ । ସାଇକେଲ ଚଲାଇ ପୁରୁଣା ଦିନକୁ ଫେରିଯାଇଥିଲେ ସହରିଆ ।

ରାଜଧାନୀବାସୀ ପୂର୍ବରୁ ପଥୋତ୍ସବ ବା ରାହାଗିରିର ମଜାନେଇଥିଲେ । କିନ୍ତୁ ସାଇକେଲଗିରିର ମଜା ଟିକେ ଅଲଗା ଥିଲା । ଦୈନନ୍ଦିନ ଜୀବନରେ ସାଇକେଲ ଚଲାଉଥିବା ଅନେକ ଲୋକ ନିଜର ପୁରୁଣା ସାଇକେଲ ନେଇ ବାହାରି ପଡିଥିଲେ । ଏଣିକି ପ୍ରତି ଶୁକ୍ରବାର ରାଜଧାନୀବାସୀ ସାଇକେଲଗିରିର ମଜା ଉଠାଇବେ । ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ସାଇକେଲ ଟ୍ରାକ କରାଯିବା ସହ ଏହାକୁ କେବଳ ସାଇକେଲ ଚଳାଚଳ ପାଇଁ ବ୍ୟବହାର କରାଯିବାକୁ ଟାର୍ଗେଟ ରଖିଛି ବିଏମସି  । ଫିଟ୍ ରହିବା ସହ ପ୍ରଦୂଷଣ ରୋକିବା ପାଇଁ ଶୁକ୍ରବାରକୁ ସାଇକେଲ ଡେ ଭାବେ ପାଳନ କରିବା ପାଇଁ ନିବେଦନ କରିଛନ୍ତି ବିଏମସି କମିଶନର  ।

Leave a Reply