ସାରୁଅ ଜମି କେଳେଙ୍କାରୀରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ, ପୁରୁଣା କର୍ମଚାରୀଙ୍କ ଦସ୍ତଖତ ଚୋରି ଅଭିଯୋଗ

OTV Sarua land scam

ଖୋର୍ଦ୍ଧା: ଆପଣ ଓଟିଭି ନେଟୱର୍କ କି ଅରଟେଲରେ ଚାକିରୀ କରୁଥିଲେ କି ? ଆପଣଙ୍କ ଘର ଖୋର୍ଦ୍ଧା ସାରୁଅ ଅଂଚଳରେ କି ? ସାବଧାନ । ଆପଣଙ୍କ ଜମି ବି ହୋଇ ପାରେ ହଡ଼ପ୍ । କାରଣ ଚାକିରି ଦେଇ ଚଂଚକତା କରି ଜଣେ କର୍ମଚାରୀଙ୍କ ଜମି ଶାଗମାଛ ଦରରେ ଛଡ଼ାଇ ନେଇଛନ୍ତି ଏମ୍‌ଡି ଜଗି ମଙ୍ଗତ ପଣ୍ଡା । ଏଭଳି କଥା ସାମ୍ନାକୁ ଆସିଛି, ଯେତେବେଳେ ସ୍ଥାନୀୟ ଅନୁସୂଚିତ ଜାତିର ହାଲୁରୀ ପାହଡ଼ ସିଂ ଓ ରବୀନ୍ଦ୍ର ସେଠୀ ପ୍ରଶାସନ ପାଖରେ ଫେରାଦ୍ ହୋଇଛନ୍ତି ।

ସାରୁଅ ସ୍କାମ୍ ପଦାକୁ ଆସିବା ପରେ ଖୋଲୁଛି ଷଡ଼ଯନ୍ତ୍ରର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ । ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଓଟିଭି ନିର୍ମାଣ କରିଛି ନିଜର ସାମ୍ରାଜ୍ୟ । ନୀରିହ ଚାଷୀଙ୍କ ଜମି ହଡପ କରି ଓଟିଭି ଗଢିଛି ଷ୍ଟୁଡିଓ । ଏତିକିରେ ଅରମାନ୍‌ ମେଣ୍ଟିଲାନି ଯେ, ଆହୁରି ଜମି ହାତେଇବା ପାଇଁ ଓଟିଭି ସବୁ ସୀମା ଟପିଯାଇଛି । ଓଟିଭି କର୍ତ୍ତୃପକ୍ଷ ଚକ୍ରାନ୍ତ କରି ସ୍ଥାନୀୟ ଲୋକଙ୍କ ଜମି ହଡପ କରିଥିବା ଅନେକ ଅଭିଯୋଗ ହୋଇଛି । ଏବେ ଆଉ ଏକ ନୂଆ ଚକ୍ରାନ୍ତର ପର୍ଦ୍ଦାଫାସ ହୋଇଛି ।

ଅନୁସୂଚିତ ଜାତିର ଚାଷୀଙ୍କ ଜମିକୁ କଳେବଳେ କୌଶଳେ କରିଛନ୍ତି ଅକ୍ତିଆର । ଚଞ୍ଚକତା କରି ନିଜ ଅନସୂଚିତ ଜାତି କର୍ମଚାରୀଙ୍କ ଦ୍ୱାରା ଜମି କିଣାଇ ସେ ଜମିକୁ ବି ମାରି ନେଲେ ଜଗି ମଙ୍ଗତ ପଣ୍ଡା । ଜମି ହଡପ ନେଇ ଅଭିଯୋଗ କରିଥିବା ରବୀନ୍ଦ୍ର କୁମାର ସେଠୀ ସ୍କାଏଭିୟୁରେ ଡ୍ରାଇଭର ଭାବେ ନିୟୋଜିତ ଥିଲେ । ସ୍କାଏଭିୟୁ, ଓରଟେଲରେ ପରିବର୍ତ୍ତନ ହେଲାବେଳେ ବିଭୁ ପ୍ରସାଦ ରଥଙ୍କର ଗାଡି ଚଳାଉଥିଲେ ରବୀନ୍ଦ୍ର । ସେହି ସମୟରେ ପୁନଃ ନିଯୁକ୍ତି ପତ୍ରରେ ଦସ୍ତଖତ କଲାବେଳେ କର୍ମଚାରୀଙ୍କ ଅଜାଣତରେ ଜମି ବିକ୍ରି ପାଇଁ ଦସ୍ତଖତ ନେଇଗଲେ ଓରଟେଲ କର୍ତ୍ତୃପକ୍ଷ । ଏବେ ଜମି ହରାଇ ହତାଶ ହୋଇ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇ ଦୁଃଖ ଜଣାଇଛନ୍ତି ରବୀନ୍ଦ୍ର । ରବୀନ୍ଦ୍ରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଓଟିଭି ଭୟରେ ଆଗକୁ ଆସିବା ପାଇଁ ରାଜି ହୋଇନଥିଲେ ।

ସରକାରୀ ନିୟମ ଅନୁଯାୟୀ ଅନୁସୂଚିତ ଜନଜାତି ଓ ଆଦିବାସୀଙ୍କ ଜମିକୁ ଉଚ୍ଚ ବର୍ଗର ଲୋକ କିଣିପାରିବେ ନାହିଁ । କିନ୍ତୁ ସାରୁଅରେ ସବୁ ନିୟମକୁ ଦଳି ମକଚି ଓଟିଭି କର୍ତ୍ତୃପକ୍ଷ ହାତେଇଛି ଅନେକ ଜମି । ସ୍ଥାନୀୟ ଅଞ୍ଚଳର ହାଲୁରୀ ପାହାଡସିଂହଙ୍କ ପୈତୃକ ଜମିକୁ ହାତେଇବା ପାଇଁ ଓଟିଭି ତାଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି କରିଥିଲା । ହେଲେ ହାଲୁରୀ ରାଜି ହୋଇନଥିଲେ । ତେଣୁ ରବୀନ୍ଦ୍ର ସେଠୀ ନାମକ ଅନୁସୂଚିତ ଜାତି ବ୍ୟକ୍ତିଙ୍କ ଜରିଆରେ ଏହି ଜମିକୁ କିଣି ନେଇଥିଲା ଓଟିଭି ।

ରବୀନ୍ଦ୍ର ଯିଏ ଦିନେ ଅରଟେଲ ଡ୍ରାଇଭର ନିଯୁକ୍ତ ଥିଲେ । ରବୀନ୍ଦ୍ରଙ୍କ ନାଁରେ ଜମି କିଣାଯାଇ ଓଟିଭିକୁ ବିକ୍ରି ହୋଇଥିବା ହାଲୁରୀ ପାହାଡ଼ସିଂ ଅଭିଯୋଗ ଆଣିଛନ୍ତି । ଏବେ ନିଜ ଜମି ଓଟିଭି ହାତକୁ ଚାଲିଗଲା ପରେ ବୁଦ୍ଧି ବଣା ହୋଇଯାଇଛି । ଚକ୍ରାନ୍ତ ହେଲା, ଜମିବି ଗଲା ଏମିତିକି ଜମିର ଅସଲ ମୂଲ୍ୟ ବି ମିଳିଲାନି । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି ହାଲୁରୀ ପାହାଡସିଂହ ।

Leave a Reply