ହସ୍ତତନ୍ତ କାରିଗର ଓ ବୁଣାକାରଙ୍କୁ ଆର୍ଥିକ ସହାୟତା ପାଇଁ ରାଜ୍ୟ ସଭା ଏମପି ଅମର ପଟ୍ଟନାୟକଙ୍କ ଚିଠି

1 min read

ଭୁବନେଶ୍ୱର: କରୋନା କେବଳ ଦେଶର କୃଷି ଏବଂ ଶିଳ୍ପ ଅର୍ଥନୀତିକୁ ପ୍ରଭାବିତ କରିନାହିଁ । ହସ୍ତତନ୍ତ ଉପରେ ମଧ୍ୟ ଏହାର କୁ ପ୍ରଭାବ ପଡିଛି । ନିକଟରେ ଚତୁର୍ଥ ସର୍ବଭାରତୀୟ ହସ୍ତତନ୍ତ ଜନଗଣନା(୨୦୧୯-୨୦) ଅନୁଯାୟୀ ୩୧.୪୫ ଲକ୍ଷ ପରିବାର ଏହି ହସ୍ତତନ୍ତ ଉପରେ ନିର୍ଭରଶୀଳ । କୃଷି ପରେ ସର୍ବାଧିକ ଏହି କ୍ଷେତ୍ରରେ ଲୋକ ରୋଜଗାର ଉପାର୍ଜନ କରିଥାଆନ୍ତି । ମାତ୍ର ଚିନ୍ତା ଜନକ ବିଷୟ ଏହି କି ଯେ, ଏହି ହସ୍ତତନ୍ତରୁ ମାସିକ ପ୍ରାୟ ୫୦୦୦ରୁ କମ୍ ଟଙ୍କା ରୋଜଗାର ହେଉଛି । କରୋନା ମାଡ ଏହାକୁ ଆହୁରି ପ୍ରଭାବିତ କରିଛି ।

ସାରା ଦେଶର ବିଶେଷ କରି ଓଡ଼ିଶାରେ ହସ୍ତତନ୍ତ କାରିଗରଙ୍କ ଅର୍ଥନୈତିକ ଜୀବନକୁ ଦୃଷ୍ଟିରେ ରଖି ବିଜେଡି ରାଜ୍ୟ ସଭା ଏମପି ଅମର ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ହସ୍ତତନ୍ତ ମନ୍ତ୍ରୀ ସ୍ମୃତି ଇରାନୀ ଦୃଷ୍ଟି ଆକର୍ଷଣ କରିବା ସହ କାରିଗରଙ୍କୁ ସହାୟତା ପାଇଁ ଅମର ଉଲ୍ଲେଖ କରିଛନ୍ତି । ନିକଟରେ ୟୁଏନଡିପି ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ପ୍ରାୟ ୭୧,୦୬୦ ହସ୍ତତନ୍ତ କାରିଗର ଏବଂ ୪୭,୨୦୮ ବୁଣାକାର ଫନୀ ଦ୍ୱାରା ବହୁଳ ପ୍ରଭାବିତ ହୋଇଛନ୍ତି ।

କୃଷକମାନଙ୍କ ସହାୟତା ପାଇଁ ଯେପରି ରାଜ୍ୟ ସରକାର କାଳିଆ ଯୋଜନା ଏବଂ କେନ୍ଦ୍ର ସରକାର ପିଏମ କିଷାନ ଯୋଜନାର ଆରମ୍ଭ କରାଯାଇଛି । ଅନୁରୂପ ଭାବେ ହସ୍ତତନ୍ତ କାରିଗର ଏବଂ ବୁଣାକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ କିଛି ଯୋଜନା କରାଯାଉ ବୋଲି ଅମର ପଟ୍ଟନାୟକ ଦାବି କରିଛନ୍ତି । ସେହିପରି ଅନ୍ୟ ଏକ ଚିଠି ମାଧ୍ୟମରେ ଅମର ପଟ୍ଟନାୟକ ଓଡ଼ିଶାର ଅନୁନ୍ନତ ଅଞ୍ଚଳରେ ଅଧିକ ସଂଖ୍ୟକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ ଅମର କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରୀୱାଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

Leave a Reply