ବିକାଶର ନୂଆ ଅଧ୍ୟାୟ ଲେଖିବ କଟକ ବଡ଼ ମେଡିକାଲ: ଭିତ୍ତିଭୂମିର ସମୀକ୍ଷା କଲେ ୫-ଟି ସଚିବ

1 min read

କଟକ: ବଡ଼ ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ଲାନ ଅନୁସାରେ ଦ୍ରୁତଗତିରେ କାମ ଚାଲିଛି  । ଆଠ ମାସ ପରେ ସରିଛି ବ୍ଲୁ-ପ୍ରିଣ୍ଟର ପ୍ରଥମ ପର୍ଯ୍ୟାୟ କାମ । ଯାହାକୁ ଆଜି ପାହାନ୍ତି ପହରରୁ ଯାଇ 5-ଟି ସଚିବ ଭି କେ ପାଣ୍ଡିଆନ ସମୀକ୍ଷା କରିଛନ୍ତି  । ତାଳଦଣ୍ଡା କେନାଲର ଉଭୟ ପଟ ରାସ୍ତାର ପ୍ରଶସ୍ତୀକରଣ ସମ୍ପୂର୍ଣ୍ଣ ହୋଇଥିବାବେଳେ ଏହାକୁ ଜାତୀୟ ରାଜପଥ ସହ ଯୋଡିବାକୁ ନୂଆ ପ୍ଲାନ କରାଯାଇଛି  । ଆସନ୍ତାକାଲି ସନ୍ଧ୍ୟାରେ ନୂଆରାସ୍ତା ଉଦ୍‌ଘାଟନ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

ବାସ୍ତବରୂପ ପାଉଛି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ  । କଟକକୁ ନେଇ ନବୀନ ଆଙ୍କିଥିବା ନୂଆ ଚିତ୍ରରେ ଚାଲିଛି ରଙ୍ଗଭରା କାମ  । ଜାନୁଆରୀ ୨୩ ତାରିଖରେ ମହାନଦୀ ପଠାରୁ ନବୀନଙ୍କ ଘୋଷଣା ଅନୁସାରେ ଆଗେଇ ଚାଲିଛି ଭିତ୍ତିଭୂମି ନିର୍ମାଣ କାମ  । ଆଠ ମାସ ପରେ ବ୍ଲୁ-ପ୍ରିଣ୍ଟର ପ୍ରଥମ ପର୍ଯ୍ୟାୟ କାମ ସରିଛି  । ମେଡିକାଲକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲର ଉଭୟ ପଟ ରାସ୍ତା ପ୍ରଶସ୍ତିକରଣ କାମ ସମ୍ପୂର୍ଣ୍ଣ ହୋଇଛି । ଯାହାର ଆଜି ଭୋରରୁ କଟକ ଯାଇ ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ ଭି କେ ପାଣ୍ଡିଆନ  । କଟକରେ ପହଞ୍ଚି ନୂତନ ରାସ୍ତାର ସବିଶେଷ ବିବରଣୀ ନେବା ସହିତ ରାସ୍ତାକୁ ମାତୃଭବନ ପର୍ଯ୍ୟନ୍ତି ନେଇ ଜାତୀୟ ରାଜପଥ ସହିତ ଯୋଡିବା ପାଇଁ ଯୋଜନା କରିଛନ୍ତି । ଏଥିପାଇଁ ସେ ଆଜି ଛତ୍ର ବଜାର ମଧ୍ୟ ବୁଲିଦେଖିଛନ୍ତି ।

ଏହାସହ 5-ଟି ସଚିବ ମେଡିକାଲ ସମ୍ପ୍ରସାରଣ ନେଇ ଚାଲିଥିବା ଉଚ୍ଛେଦ କାମର ମଧ୍ୟ ସମୀକ୍ଷା କରିଛନ୍ତି । ତେବେ ଶନିବାର ସନ୍ଧ୍ୟାରେ ତାଳଦଣ୍ଡା କେନାଲ ନୂତନ ରାସ୍ତା ଉଦ୍‌ଘାଟନ ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ଏହି 3 ଲେନ ବିଶିଷ୍ଟ ଦେଢ଼ କିଲୋମିଟର ଦୀର୍ଘ ରାସ୍ତାରେ 5-ଟି ସ୍ଥାନରେ ସୁଦୃଶ୍ୟ ପାର୍କିଙ୍ଗ ବ୍ୟବସ୍ଥା କରାଯିବା ସହିତ ରାସ୍ତା କଡରେ ଜେଟିଙ୍ଗ ପାନଟ୍ରି ଲଗାଯାଇଛି । ଏହି ରାସ୍ତାକୁ ଏକ ମଡେଲ ରାସ୍ତା ଭାବରେ ଗ୍ରହଣ କରାଯାଉଛି । ପୂର୍ବରୁ ଏସସିବିକୁ ଆସୁଥିବା ରୋଗୀ ଏହି ରାସ୍ତାରେ ସମସ୍ୟା ଯୋଗୁଁ ଅସୁବିଧା ଭୋଗୁଥିଲେ । ଏବେ ନୂତନ ରାସ୍ତାକୁ ନେଇ ସେମାନେ ବେଶ ଖୁସି । ରାସ୍ତା ଚଉଡ଼ା ପାଇଁ ପ୍ରାୟ ୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି  । ଏସସିବିକୁ ବିଶ୍ୱସ୍ତରୀୟ କରିବା ପାଇଁ ଗତ ଜାନୁଆରୀରେ ନବୀନ ଘୋଷଣା କରିଥିଲେ ମାଷ୍ଟର ପ୍ଲାନ  । ଯେଉଁଥିରେ ରହିଛି ମହାନଦୀ କୂଳେ କୂଳେ ଛଅ ଥାକିଆ ରିଂ ରୋଡ୍‌, ମହାନଦୀ ରିଭର୍‌ ଫ୍ରଣ୍ଟର ବିକାଶ, ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସ୍ମାର୍ଟ ପ୍ଲାନ  ।

 

Leave a Reply