spot_img
Home Blog Page 6317

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ୱଶୁର ଏବଂ ବୋହୁଙ୍କ ମୃତ୍ୟୁ

ରାୟଗଡା: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ୱଶୁର ଏବଂ ବୋହୁଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଠଙ୍ଗପଡା ଗ୍ରାମରେ । ଘଟଣାସ୍ଥଳରେ ହିଁ ଶ୍ୱଶୁର ଡାହାଣୀ ମାଣ୍ଡିକା ଓ ବୋହୁ ସୁମିତ୍ରା ମାଣ୍ଡିକାଙ୍କ ମୃତ୍ୟୁ ଘଟିଛି । ଆଜି ସକାଳେ ସୁମିତ୍ରା ମାଣ୍ଡିକା ପାଣି ହାଣ୍ଡି ଧରି ଘରକୁ ପ୍ରବେଶ କରୁଥିବା ବେଳେ ଘରର ବାରିପଟେ ବିଦ୍ୟୁତ୍ ତାର ଛିଣ୍ଡି ଗ୍ରୀଲ୍ କୁ ଲାଗିଥିଲା । ତେବେ ଗ୍ରୀଲ୍ କୁ ଧରିବା ସମୟରେ ସୁମିତ୍ରା ହଠାତ୍ ତଳେ ପଡ଼ିଯାଇଥିଲା ।

ତେବେ ଶ୍ୱଶୁର ଡାହାଣୀ ମାଣ୍ଡିକା ବୋହୁକୁ ଉଦ୍ଧାର କରିବାକୁ ଯାଇ ,ସେ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ତେବେ ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଆମ୍ବୁଲାନ୍ସ ଯୋଗେ ବିଷମକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ ସୁମିତ୍ରା ମାଣ୍ଡିକା ଗର୍ଭବତୀ ଥିବା ଜଣାପଡିଛି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

କରୋନା ସଂକ୍ରମଣ ବଢ଼ିବା କାରଣରୁ ବନ୍ଦ ହେବ ଭିସୁଟ

ବୁର୍ଲା: ବନ୍ଦ ହେବ ଭିସୁଟ। ଭିସୁଟରୁ ଏକାଧିକ କରୋନା ପୋଜେଟିଭ ଚିହ୍ନଟ ହେବ ପରେ ନିଷ୍ପତ୍ତି ନେଲେ ଭିସୁଟ କତ୍ତୃପକ୍ଷ । ଗତକାଲି ବୀର ସୁରେନ୍ଦ୍ର ସାଏ ବୈସେୟିକ ବିଶ୍ୱବିଦ୍ୟାଳୟରେ କରୋନା ସମ୍ପର୍କିତ ବୈଠକ ହୋଇଥିଲା । ଏହି ବୈଠକରେ ଆସନ୍ତା ସୋମବାର ଦିନ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ପ୍ରତ୍ୟକ ଶନିବାର ଭିସୁଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏଣୁ ଶନିବାର, ରବିବାର ଓ ସୋମବାର ତିନି ଦିନ ଧରି ଭିସୁଟ ବନ୍ଦ ରହିବ । ଏହି ତିନି ଦିନ ଭିସୁଟକୁ ସାନିଟାଇଜ କରାଯାଇ ବିଶୋଧନ କରାଯିବ । ଏହି ତିନିଦିନ କୌଣସି କର୍ମଚାରୀ ଭିସୁଟକୁ ନ ଆସିବା ପାଇଁ କୁଳପତି ଘୋଷଣା କରିଛନ୍ତି । ଏକ ପ୍ରେସ ବିଜ୍ଞପ୍ତି ଦ୍ୱାରା ଭିସୁଟ କୁଳପତି ଏ ନେଇ ଘୋଷଣା କରିଛନ୍ତି ।

ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଏକ ନମ୍ବରରେ ଦିଲ୍ଲୀ

0

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସିଜନରେ ଶୁକ୍ରବାର ଖେଳାଯାଇଛି ।  ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ରାଜସ୍ଥାନ ରୟାଲ୍ସ ଉପରେ ଏକପାଖିଆ ବିଜୟ ହାସଲ କରିଛି । ଦିଲ୍ଲୀ ରାଜସ୍ଥାନ ୨୦ ଓଭରରେ ୧୮୫ ରନ୍ କରି ରାଜସ୍ଥାନକୁ ଚ୍ୟାଲେଞ୍ଜ କରିଥିଲା, କିନ୍ତୁ ରାଜସ୍ଥାନ ଟିମ୍ ୧୯.୪ ଓଭରରେ ୧୩୮ ରନ୍ କରି ଅଲଆଉଟ ହୋଇଯାଇଥିଲା ।  ଦିଲ୍ଲୀ କ୍ୟାପିଟାଲ୍ ୪୬ ରନରେ ବିଜୟୀ ହୋଇଥିଲା ।

ଟୁର୍ଣ୍ଣାମେଣ୍ଟରେ ଏହା ରାଜସ୍ଥାନ ରୟାଲ୍ସର କ୍ରମାଗତ ଚତୁର୍ଥ ପରାଜୟ । ଏଥି ସହିତ ଦିଲ୍ଲୀ ଏପର୍ଯ୍ୟନ୍ତ ଖେଳାଯାଇଥିବା ୬ଟି ମ୍ୟାଚରେ ପଞ୍ଚମ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ।

ଦିଲ୍ଲୀ ପକ୍ଷରୁ ସିମରନ ହେତମେୟାର ସର୍ବାଧିକ ୪୫ ଓ ମାର୍କସ ଷ୍ଟୋନିସ୍ ୩୯ ରନ କରିଥିଲେ ।  ୧୮୫ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ରାଜସ୍ଥାନର ବ୍ୟାଟ୍ସମ୍ୟାନମାନଙ୍କ ପ୍ରଦର୍ଶନ ନୈରାଶଜନକ ଥିଲା । ଦଳ ପକ୍ଷରୁ ଷ୍ଟିଭେନ ସ୍ମିଥ ୨୪ ରନ୍, ଯସଶ୍ୱୀ ରାହୁଲ ତେୱତିଆ ୩୮ ରନ୍  ଓ ଜୟଶ୍ୱାଲ ୩୪ କରିଥିଲେ ମଧ୍ୟ ରାଜସ୍ଥାନ ୧୩୮ ରନ କରି ସମସ୍ତ ୱିକେଟ୍ ହରାଇଥିଲା । ଏହି  ବିଜୟ ସହ ଦିଲ୍ଲୀ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଛି ।

ରେଖାଙ୍କୁ ନିଜ ଝିଅ ବୋଲି ଅସ୍ୱୀକାର କରିଥିଲେ ବାପା, ଘର ଚଳେଇବାକୁ ଅଭିନୟ କରିବାକୁ ବାଧ୍ୟ ହୋଇଥିଲେ…

ମୁମ୍ବାଇ: ୬୬ ବର୍ଷରେ ପାଦ ଦେଲେ ବଲିଉଡର ଏଭର-ଗ୍ରୀନ୍ ଅଭିନେତ୍ରୀ ରେଖା । ୧୮୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଏହି ଅଭିନେତ୍ରୀଙ୍କ ଜୀବନ ଯାତ୍ରା ଏତେ ସହଜ ନଥିଲା । ରେଖା ୧୯୬୬ ମସିହାରେ ତେଲୁଗୁ ଚଳଚ୍ଚିତ୍ର ରଙ୍ଗୁଲା ରତ୍ନମରେ ଶିଶୁ ଅଭିନେତ୍ରୀ ଭାବରେ ଡେବ୍ୟୁ କରିଥିଲେ । ମୁଖ୍ୟ ଅଭିନେତ୍ରୀ ଭାବେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ସାୱାନ୍ ଭଦୋ (୧୯୭୦) । କ୍ୟାରିୟରର ପ୍ରଥମ କିଛି ବର୍ଷ ପାଇଁ ରେଖା ତାଙ୍କ ଲୁକ୍ ପାଇଁ ସମାଲୋଚିତ ହୋଇଥିଲେ ।

ଏକ ସାକ୍ଷାତକାର ସମୟରେ ରେଖା କହିଛନ୍ତି ଯେ, ତାଙ୍କ ଦେହର ରଙ୍ଗ ଏବଂ ଦକ୍ଷିଣ ଭାରତୀୟ ଅନ୍ଦାଜ ପାଇଁ ତାଙ୍କୁ ବଲିଉଡରେ ଅସୁନ୍ଦରୀ ଭାବେ ସମାଲୋଚନା କରାଯାଉଥିଲା । ଯଦିଓ, ସେ ନିଜ ବିଷୟରେ ଲୋକଙ୍କ ଧାରଣାକୁ ପରିବର୍ତ୍ତନ କରିବାରେ ସଫଳ ହୋଇଥିଲେ । ସେ ନିଜ ଅଭିନୟକୁ ଦୃଢ କରିବାକୁ ଯାଇ ଚଳଚ୍ଚିତ୍ରଗୁଡ଼ିକୁ ସାବଧାନତାର ସହିତ ବାଛିବା ଆରମ୍ଭ କରିଥିଲେ । ଦୋ ଅଞ୍ଜାନେ (୧୯୭୬) ତାଙ୍କର ପ୍ରଥମ ଷ୍ଟାଇଲିଷ୍ଟ ଚଳଚ୍ଚିତ୍ର ଥିଲା ଏବଂ ତାଙ୍କର ଏହି ନୂଆ ଅବତାରକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ ମଧ୍ୟ କରିଥିଲେ  ।

ରେଖା ତେଲୁଗୁ ଅଭିନେତ୍ରୀ ପୁଷ୍ପାବଲୀ ଏବଂ ତାମିଲ ଅଭିନେତା ଜେମିନୀ ଗଣେଶନଙ୍କ ଝିଅ। ତାଙ୍କ ବାପାମାଆ ବିବାହ ହୋଇ ନଥିଲା ଏବଂ ବାପା ମଧ୍ୟ ରେଖାଙ୍କୁ ପିଲାଦିନେ ତାଙ୍କ ସନ୍ତାନ ବୋଲି ଭାବି ନଥିଲେ। ରେଖା କିନ୍ତୁ କେବ ଅଭିନେତ୍ରୀ ହେବାର ସ୍ୱପ୍ନ ଦେଖି ନଥିଲେ । ତେବେ ପରିବାରର ଆର୍ଥିକ ଅବସ୍ଥା ହେତୁ ରେଖାଙ୍କୁ ସ୍କୁଲ ଛାଡି ଚଳଚ୍ଚିତ୍ରରେ କାମ କରିବାକୁ ପଡିଥିଲା।

ରେଖା ୧୯୭୮ ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରରେ ଏକ ଦୁଷ୍କର୍ମ ପୀଡ଼ିତାଙ୍କ ଚରିତ୍ରରେ ନଜର ଆସିଥିଲେ । ଯାହା ତାଙ୍କ କ୍ୟାରିୟରରେ ଏକ ଟର୍ଣ୍ଣିଂ ପଏଣ୍ଟ ଥିଲା । ଏହି ଚଳଚ୍ଚିତ୍ରରେ ଜଣେ ଦୁଷ୍କର୍ମ ପୀଡିତାଙ୍କ ସଂଘର୍ଷକୁ ଦେଖାଇଛନ୍ତି । ସେ ଏହି ଚଳଚ୍ଚିତ୍ର ପାଇଁ ତାଙ୍କର ପ୍ରଥମ ଫିଲ୍ମ ଫେୟାର ଶ୍ରେଷ୍ଠ ଅଭିନେତ୍ରୀ ପୁରଷ୍କାର ହାତେଇ ଥିଲେ । ରେଖା ଏବଂ ଅମିତାଭ ବଚ୍ଚନ ଅନେକ ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିଛନ୍ତି । ଉଭୟଙ୍କର ଅନସ୍କ୍ରିନ୍ କେମେଷ୍ଟ୍ରି ସବୁବେଳେ ଚର୍ଚ୍ଚା ସାଉଁଟିଛି । ଜଣେ ବିବାହିତ ପୁରୁଷଙ୍କ ସହ ସମ୍ପର୍କ ଥିବାରୁ ରେଖାଙ୍କୁ ଅନେକ ସମାଲୋଚନା ମଧ୍ୟ କରାଯାଇଥିଲା। ରେଖା ୧୯୭୮ରେ ଅମିତାଭ ବଚ୍ଚନଙ୍କ ସହ ମୁକଦ୍ଦର କା ସିକନ୍ଦର ଫିଲ୍ମରେ ପୁଣି ଥରେ ନଜର ଆସିଥିଲେ। ଚଳଚ୍ଚିତ୍ରଟି ସେହି ଦଶନ୍ଧିର ସବୁଠାରୁ ବଡ ହିଟ୍ ହୋଇଥିଲା ଏବଂ ସେ ଅଭିନେତ୍ରୀମାନଙ୍କ ମଧ୍ୟରେ ଏକ ନମ୍ବର ହୋଇଥିଲେ ।

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ନିଖୋଜ ସିମାଞ୍ଚଳ ପରିଡ଼ାଙ୍କ ହେଲା ପ୍ରତୀକାତ୍ମକ ଶବ ଦାହ

ଗଞ୍ଜାମ: ରାଜଧାନୀରେ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପୁରା ରାଜଧାନୀକୁ ସ୍ତବ୍ଦ କରିଦେଇଛି । ହଠାତ୍ ବିସ୍ଫୋରଣ ସବୁକିଛିକୁ ଅନ୍ଧାର କରିଦେଇଥିଲା । ଚାରିଆଡ଼େ ଶରୀରର ଖଣ୍ଡେ ଖଣ୍ଡେ ମାଂସ ବିଛାଡ଼ି ହୋଇ ପଡ଼ିଥାଏ । ଏ ଘଟଣା ୨୦୨୦ର କଳା ଫର୍ଦ୍ଦରେ ନିଜକୁ ସ୍ଥାନିତ କରିଛି । ଏ ଭିତରେ ରାଧାନୀର ବିସ୍ଫୋରଣ ଶବ୍ଦ ଗଞ୍ଜାମ ଜିଲ୍ଲାକୁ ଦୋହଲାଇ ଦେଇଛି । ରାଜଧାନୀରେ ହୋଇଥିବା ବିସ୍ଫୋରଣର ଆଉ ଏକ ହୃଦୟ ବିଦାରକ ଦୃଶ୍ୟ ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ ଗହଙ୍ଗୁ ଗାଁରେ ଦେଖିବାକୁ ମିଳିଛି  । ଏମିତି ଏକ ଦୃଶ୍ୟ ଯାହା ଆପଣଙ୍କୁ ମଧ୍ୟ ଆଖିରେ ଲୁହ ଆଣିବାକୁ ବାଧ୍ୟ କରିବ । କାରଣ ବିନା ଶବରେ ଚାଲିଛି ଶବ ଶୋଭାଯାତ୍ରା । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ । ବିନା ମୃତ୍ୟୁ ହେଉଛି ମୃତ୍ୟୁ ବେଳର ଶେଷ କର୍ମ । ପୁଅ ବିସ୍ଫୋରଣରେ ଚାଲିଯାଇଛି ବୋଲି ଭାବି ପୂରା ପରିବାର ଏବେ ଶୋକ ସନ୍ତପ୍ତ ହୋଇପଡ଼ିଛି । ୪ କାନ୍ଧ ଉପରେ ଥିଲା ସତର କୋକେଇ ଆଉ ସତ ଜୁଇ ଉପରେ କିନ୍ତୁ ଥିଲା ମିଛର ଶବ । ମାଲୁଆ ଭାଇଙ୍କ ମୁହଁରେ ଥିଲା ରାମ ନାମ ସତ୍ୟ ହେ । ପୁରା ନୀତିକାନ୍ତିରେ ହେଉଛି ଶବ ଦାହ ।

ପୁଅ ମିଳିଲାନି, ତା ବୋଲି କ’ଣ ଆମେ ତା’ ଶବ ଦାହ କରିପାରିବୁନି । କ’ଣ ଆମେ ତା ଆତ୍ମାର ଶାନ୍ତି ପାଇଁ ଅକର୍ମଣ୍ୟ ହୋଇଯିବୁ । ସେଥିପାଇଁ ଲୁହ ଭିଜା ଭାବନାର ପୁଟୁଳି କାନ୍ଧରେ କାନ୍ଧେଇ ଚାଲିଲେ ଶବ ଦାହ କରିବାକୁ । ଆଉ ପାଳରେ ତିଆରି କଲେ ପୁଅର ଭାବନାର ଶବକୁ । ବିସ୍ଫୋରଣରେ ନିଖୋଜ ଥିବା ସିମାଞ୍ଚଳ ପରିଡାଙ୍କ ପରିବାର ଲୋକେ କଲେ ପ୍ରତୀକ ଶବଦାହ । ଘଟଣାର ୨ଦିନ ପରେ ପରିବାରଲୋକେ ପୁଅ ଆଉ ଫେରିବନି କହି ପାଳ ନଡାରେ ପୁତ୍ତଳିକା ତିଆରି କରି ଅନ୍ତିମ ସଂସ୍କାର କରିଛନ୍ତି । ଏ ଦୃଶ୍ୟ କେବଳ ଯେ, ଜିଲ୍ଲା ତାନୁହେଁ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲିଟିଛି ।

ସୂଚନ ଅନୁଯାୟୀ, ଗଲା ବୁଧବାର ଅପରାହ୍ନରେ ପେଟ୍ରୋଲ ପମ୍ପରେ ହୋଇଥିଲା ବିସ୍ଫୋରଣ । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ନିଖୋଜ ସିମାଞ୍ଚଳଙ୍କ ପତ୍ତା ନମିଳିବାରୁ ପରିବାର ଲୋକେ ତାଙ୍କ ପୁଅର ପ୍ରତୀକାତ୍ମକ ଦାହ ସଂସ୍କାର କରିଛନ୍ତି ।

ରାତି ବଢ଼ିବା ସାଙ୍ଗକୁ ବଢ଼ିଥିଲା ପବନର ତାଣ୍ଡପ ଲୀଳା, ୨ ବର୍ଷରେ ତିତିଲି ମହାବାତ୍ୟା

ଭୁବନେଶ୍ୱର: ତିତିଲି ମହାବାତ୍ୟା । ଘୁଘୁ ହୋଇ ମାଡ଼ି ଆସିଥିଲା ପ୍ରଳୟଙ୍କାରୀ ପବନ । ଦେଖାଇଥିଲା ତାର କରାଳ ରୂପ । ଉତ୍ପାତ ମଚାଇଥିଲା ଆଉ ଉଜାଡ଼ି ଦେଇଥିଲା ଅନେକ ଧନ ଜୀବନ । ସେହି କାଳରାତ୍ରୀକୁ ପୁରିଛି ଦୁଇ ବର୍ଷ । ଏବେ ବି ସେହି କରାଳ ରୂପକୁ ସ୍ମରଣ କଲେ ଦେହ ଶିତେଇ ଉଠେ । ମନ ଭିତରେ ସୃଷ୍ଟି ହୁଏ ଝଡ଼ ତୋଫାନର ଏକ ଅଜଣା ଭୟ । ତୁହାକୁ ତୁହା ବର୍ଷା ସାଙ୍ଗକୁ ମାଡ଼ି ଆସିଥିଲା ପବନ । ରାତି ବଢିବା କ୍ଷଣି ବଢିଚାଲିଥିଲା ଭୟ ।

ଗଜପତି ରାୟଗଡ଼ ବ୍ଲକରେ ତିତିଲି ରଚିଥିଲା ତାଣ୍ଡବ । ସ୍ଥିତି ଏଭଳି ହୋଇଥିଲା ପଥର ଗୁମ୍ଫା ସହ ଧସିଥିଲା ପାହାଡ଼ । ତେବେ ଦୁଇ ବର୍ଷ ପରେ କିଭଳି ରହିଛି ସ୍ଥିତି, ତାହା ପରଖିଛି ନନ୍ଦିଘୋଷ ଟିଭି । ତିତଲିରେ ପ୍ରଭାବିତ ଅନେକ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ପାଇଁ ନିଷ୍ପତ୍ତି ନେଇଥିଲେ ସରକାର । ୧୨ ଟି ସ୍ଥାନରେ ୬୦୦ ପରିବାରକୁ ଥଇଥାନ ପାଇଁ ଆରମ୍ଭ ହେଲା ଗୃହ ନିର୍ମାଣ କାର୍ଯ୍ୟ ।

ଅନେକାଂଶ ପରିବାର ସ୍ଥାନାନ୍ତର ହୋଇଥିବା ବେଳେ କିଛି ଆନୁସାଙ୍ଗିକ ବ୍ୟବସ୍ଥା ଏବେବି ବାକି ରହିଛି । ସମସ୍ତ ଗୃହ ନିର୍ମାଣ ଶେଷ ହେବାକୁ ଯାଉଛି, ଓଏଲଏମ ମାଧ୍ୟମରେ ଜିବିକା ଯୋଗାଇ ଦେବା ସହ ଜନବସତି ଆରମ୍ଭ ହେଲେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଧୀରେ ଧୀରେ ସମସ୍ତ ମୌଳିକ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ମହିନ୍ଦ୍ରା କମ୍ପାନୀର ଏହି ଗାଡ଼ି କିଣିଲେ ମିଳିବ ଲକ୍ଷେ ଟଙ୍କାର ମାଗଣା କରୋନା ବୀମା

ମୁମ୍ବାଇ: ଲୋକପ୍ରିୟ ଗାଡି ନିର୍ମାଣ କରୁଥିବା କମ୍ପାନୀ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଶୁକ୍ରବାର ଦିନ ନିଜର ଅଫର ବିଷୟରେ ଘୋଷଣା କରିଛି । ସେ ତାର ଟପ ମଡ଼େଲ ବୋଲେରୋ ପିକ୍ ଅପ୍ ରେଞ୍ଜ ସହିତ ଏକ ମାଗଣା କରୋନାଭାଇରସ୍ ବୀମା ଯୋଜନା ଘୋଷଣା କରିଛି । ଏହି ବୀମା ଅନୁଯାଇ ଗାଡ଼ିର ମାଲିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ (ଦୁଇ ପିଲା ପର୍ଯ୍ୟନ୍ତ) ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।

ଏହି ଅଫର୍ ୧ ଅକ୍ଟୋବରରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ରହିଛି

କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଅକ୍ଟୋବର ୧ରୁ ନଭେମ୍ବର ୩୦ ବୋଲେରୋ ପିକ୍ ଅପ୍ ରେଞ୍ଜ କିଣି ଏହି ବୀମାର ଲାଭ ଉଠାଇ ପାରିବେ ଗ୍ରାହକ । ଏହି ସମାନ ଟଙ୍କାରେ ପିକଅପ୍ ମ୍ୟାକ୍ସି ଟ୍ରକ୍, ସିଟି ପିକଅପ୍ ଏବଂ କ୍ୟାମ୍ପର୍ ଯାନ ମଧ୍ୟ ଅନ୍ତର୍ଭୁକ୍ତ । ନୂଆ ଗାଡ଼ି କିଣିବା ପରେ ବୀମା ବୈଧତା ୯.୫ ମାସ ରହିବ ବୋଲି କମ୍ପାନୀ କହିଛି। କମ୍ପାନୀ କହିଛି ଯେ, ସେମାନେ ବୀମା ଯୋଜନା ପାଇଁ  ଓରିଏଣ୍ଟାଲ ଇନସୁରାନ୍ସ କମ୍ପାନୀ ସହିତ ଏକ ଚୁକ୍ତି କରିଛନ୍ତି ।

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ବରିଷ୍ଠ ଉପସଭାପତି ସତେନ୍ଦ୍ର ସିଂ ବାଜୱା କହିଛନ୍ତି ଯେ, ପିକଅପ୍ ଗ୍ରାହକଙ୍କୁ ନିରନ୍ତର ଯାତ୍ରା କରିବାକୁ ପଡିଥାଏ ଏବଂ ସେମାନେ ଆଖପାଖର ଲୋକଙ୍କ ସହ କଥାବାର୍ତ୍ତାକୁ ମଧ୍ୟ ଏଡ଼ାଇ ପାରିବେ ନାହିଁ। ସେଥିପାଇଁ ସେମାନଙ୍କୁ ବୀମା ସୁବିଧା ଦିଆଯାଉଛି ।

ଆସନ୍ତା ୧୮ ମାସରେ ମହିନ୍ଦ୍ରା କମ୍ପାନୀ ଦ୍ୱାରା ୯ଟି ନୂଆ ଗାଡ଼ି ଲଞ୍ଚ ହେବ

ଆପଣଙ୍କୁ କହିରଖୁଛୁ ଯେ, ମହିନ୍ଦ୍ରା ତାର ଗାଡ଼ି ପାଇଁ ଦେଶରେ ଦୀର୍ଘଦିନ ଧରି ଲୋକଙ୍କ ପ୍ରିୟ ହୋଇପାରିଛି ଏବଂ ଲୋକଙ୍କଠାରୁ ଭଲ ମତାମତ ମଧ୍ୟ ଗ୍ରହଣ କରୁଛନ୍ତି। ନିକଟରେ କମ୍ପାନୀ ଏସୟୁଭି ମହିନ୍ଦ୍ରା ଥାର 2020 ଲଞ୍ଚ କରିଛି, ଯାହାର ପ୍ରାରମ୍ଭିକ ମୂଲ୍ୟ ୯.୮ ଲକ୍ଷ ଏବଂ ଟପ୍ ମଡେଲ୍ ମୂଲ୍ୟ ୧୨.୯୫ ଲକ୍ଷ ଟଙ୍କା ରହିଛି। ଭବିଷ୍ୟତରେ କମ୍ପାନୀ କାର ସଂଖ୍ୟା ବୃଦ୍ଧି କରିବାକୁ ଯାଉଛି । Carwadi.com ଅନୁଯାୟୀ, କମ୍ପାନୀ ଆସନ୍ତା ୧୮ ମାସ ମଧ୍ୟରେ ବଜାରକୁ ପ୍ରାୟ ୯ ଟି ନୂଆ ଗାଡ଼ି ଆଣିପାରେ । ଏଥିରେ ମୁଖ୍ୟତ SU SUP (SUV) ରହିବ ।

୧. ନ୍ୟୁ ଜେନ ସ୍କର୍ପିଓ
୨. ନ୍ୟୁ ଜେନ XUV500
୩. BS6 TUV300 ଫେସୱିଫ୍ଟ
୪. BS6 TUV300 ପ୍ଲସ୍ ଫେସଲିଫ୍ଟ
୫. XUV300 ଇଲେକ୍ଟ୍ରିକ
୬. ଇ-KUV100
୭. 5-door ଥାର
୮. ନ୍ୟୁ ମାଇକ୍ରୋ -SUV
୯. ଫର୍ଡ-ମହିନ୍ଦ୍ରା କ୍ରେଟା ରିଭାଲିଂ SUV

ଅପହରଣ ପରେ ନାବାଳିକାକୁ ଦେଇଥାନ୍ତେ ବଳି…

ଆସିକା: ନାବାଳିକା କୁ ବଳିଦେବା ଏବଂ ଅପହରଣ ଘଟଣା ରେ ଗୁଣିଆକୁ ଗିରଫ କଲା ପୋଲିସ । ଗୁଣିଆ ରତ୍ନାକର ସେଠିକୁ ଗିରଫ କରାଯାଇଛି । ଗୁଣିଆ ଫେରାର ହୋଇଯାଇଥିବା ବେଳେ ପଶ୍ଚିମବଙ୍ଗ ନିକଟରୁ ପୋଲିସ ତାକୁ କାବୁ କରିଥିଲା । ଅଭିଯୁକ୍ତ ଗୁଣିଆ ଜଣକ ସେରଗଡ଼ ଅଞ୍ଚଳର ବରମୁଣ୍ଡଳୀ ଗାଁର ବୋଲି ଜଣାପଡ଼ିଛି । ତାଙ୍କ ଠାରୁ ଗୁଣି ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ । ଗତ ସେପ୍ଟେମ୍ବର ୬ ତାରିଖରେ ବଳି ଦେବା ଏବଂ ଅପହରଣ ଘଟଣା ଘଟିଥିଲା । ତେବେ ପୂର୍ବରୁ ଏଥିରେ ସମ୍ପୃକ୍ତ  ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେତେବେଳେ ଏମାନଙ୍କଠାରୁ ଗୋଟିଏ ବାଇକ ଓ ଦୁଇଟି ଖଣ୍ଡା ଜବତ କରିଥିଲା ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ମାନେ ସଂପୃକ୍ତ ନାବାଳିକା ଭାଇକୁ ୩୦ହଜାର ଟଙ୍କାରେ ନାବାଳିକାଙ୍କୁ କିଣି ନେବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ । ବିଫଳ ହେବା ପରେ ଧମକ ଚମକ ଦେଉଥିଲେ ଅଭିଯୁକ୍ତ ମାନେ । ଏନେଇ ପୋଲିସି ରେ ନାବାଳିକା ର ଭାଇ ସ୍ଵରାଜ୍ୟ ଗୌଡ଼ ଏକ ଅଭିଯୋଗ ରୁଜୁ କରିଥିଲେ । ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ ୪ ଗିରଫ ହେଲେ ଅନ୍ୟ ୫ ଫେରାର ହୋଇଯାଇଥିଲେ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବୟାନ ନାବାଳିକାକୁ ଅପହରଣ ପରେ  ହିଂଜିଳି ନିକଟରେ କେଉଁ ମନ୍ଦିରରେ ବଳି ଦେଇଥାନ୍ତେ । ବଳି ଦେଇଥିଲେ କୁଆଡେ ଟଙ୍କାର ବର୍ଷା ହୋଇଥାନ୍ତା ବୋଲି ଗିରଫଙ୍କ ବୟାନ କୁ ଆଧାର କରି ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି ।

୨୦୦୫ରେ ଏମିତି ଧ୍ୱଂସ ହୋଇଥିଲା ଯାଦବ ରାଜାଙ୍କ ଦୁର୍ଗ, ୧୦ ବର୍ଷର ଯୁଦ୍ଧ ପରେ ହୋଇଥିଲା ନୀତିଶଙ୍କ ରାଜ୍ୟାଭିଷେକ

(ବିହାର ଭାରତୀୟ ରାଜନୀତିର ଲାବ୍ରୋଟୋରୀ । ବିହାର ସୋସିଆଲ ଇଂଜିନିୟରିଂର ଏନ୍ତୁଡିଶାଳ । ଗଲା ୩୦ ବର୍ଷର ବିହାର ରାଜନୀତି ଲାଲୁ ଓ ନୀତିଶଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା, ମହତ୍ୱାକାଂକ୍ଷାକୁ ବାଦ ଦେଇ ଚିନ୍ତା କରାଯାଇ ପାରେନା । ଆଳୁ, ସମୋସା ଯୁଗରୁ ବିହାର ଏବେ କଥିତ ଭାବେ ବିକାଶ ଯୁଗରେ ପହଂଚିଛି, ନୀତିଶଙ୍କ ଅମଳରେ । କିନ୍ତୁ ଲାଲୁଙ୍କୁ କ୍ଷମତାରୁ ବେଦଖଲ କରିବାକୁ ନୀତିଶଙ୍କୁ କ’ଣ ସବୁ କରିବାକୁ ପଡ଼ିଥିଲା ? ଆଉ ନୀତିଶଙ୍କୁ ରୋକିବା ପାଇଁ ଲାଲୁ କେମିତି ଚାଲ୍ ଚଲାଇଥିଲେ ? ଏହାକୁ ନେଇ ନନ୍ଦିଘୋଷର ସ୍ୱତନ୍ତ୍ର ସିରିଜ୍… ବିହାର.. ଚତୁର୍ଥ ଅଧ୍ୟାୟରେ ପଢନ୍ତୁ.. ଲାଲୁଙ୍କ ବ୍ରହ୍ମାସ୍ତ୍ର ଓ ନୀତିଶଙ୍କ ଚତୁର୍ଥ ମୃତ୍ୟୁ… କେମିତି ଲାଲୁଙ୍କ ସବୁ ଉଦ୍ୟମ ସତ୍ୱେ ନୀତିଶ କ୍ଷମତାକୁ ଆସିଲେ… କେମିତି ୧୫ ବର୍ଷ ପର୍ଯ୍ୟନ୍ତ ଲାଲୁ ବିହାର ରାଜନୀତିର ନୈପଥ୍ୟରେ ରହିବାକୁ ବାଧ୍ୟ ହେଲେ… ପଢନ୍ତୁ ବିହାର ରାଜନୀତିର ୩୦ ବର୍ଷର କାହାଣୀ ୪ କିସ୍ତିରେ...)

ଲାଲୁ ୧୯୯୫ ନିର୍ବାଚନ ପରେ ନିଜ ଚ୍ୟାଲେଂଜରଙ୍କୁ ଖୋଜୁଥିଲେ । ନୀତିଶ ପାଟନା ଦିଲ୍ଲୀ ଅପଡାଉନ୍ ହେଉଥିଲେ । ତାହାରି ଭିତରେ ଗୋଖାଦ୍ୟ ଦୁର୍ନୀତିର ବୋମା ଫୁଟିଥିଲା । ଲାଲୁଙ୍କୁ ଗିରଫ କରିବାକୁ ସେନାକୁ ପାଟନା ରାଜରାସ୍ତା ଉପରକୁ ଓହ୍ଲାଇବାକୁ ପଡିଥିଲା । ସାମାଜିକ ନ୍ୟାୟ, ପରିବାରବାଦ ବିରୋଧରେ ନାରା ଦେଉଥିବା ଲାଲୁ କ୍ଷମତାରୁ ହଟିବା ପକାଥିଲା । କିନ୍ତୁ କ୍ଷମତା ପରିବାର ଭିତରେ ରହିବା ବି ଜରୁରୀ ଥିଲା । ତେଣୁ କିଚେନରୁ ରାବ୍ରୀ ଆସି ବିହାର ମଙ୍ଗ ଧରିଲେ ଲାଲୁ ଜେଲ ଗଲେ । ଇଏ ଥିଲା ୧୯୯୭ର କଥା । ଏହା ପରେ ଗଙ୍ଗାରେ ବହୁତ ପାଣି ବୋହିଗଲା । ୨୦୦୦ର ନିର୍ବାଚନ ବି ଆସିଥିଲା । କିନ୍ତୁ ଲାଲୁଙ୍କଠାରୁ ପୁଣି ନୀତିଶ ପରାଜିତ ହୋଇଥିଲେ । ସାମ୍ନାରେ ଥିବା ରାବ୍ରୀ, ପଛରେ ଥିବା ଲାଲୁଙ୍କଠାରୁ ହାରିବାର ଗ୍ଲାନି, ଦୁଃଖକୁ ନେଇ ନୀତିଶ ଦିଲ୍ଲୀରେ ରେଳ ମନ୍ତ୍ରୀ ବନିଗଲେ । ଏମିତିରେ ୫ ବର୍ଷ ହେଲା ତାଙ୍କର ଦିଲ୍ଲୀ –ପାଟନା ଯିବା ଆସିବା ଚାଲିଥିଲା । ନୀତିଶ ଲାଲୁ ପରିବାରକୁ କ୍ଷମତାରୁ ବେଦଖଲ କରିବାକୁ ସବୁକିଛି କରିଥିଲେ । ଏମିତିକି ୧୯୯୯ ମସିହାର ଜାହନାବାଦ ଦଳିତ ହତ୍ୟା ପରେ ବାଜପାୟୀ ସରକାର ଉପରେ ଚାପ ପକାଇ ସେ ଓ ଜର୍ଜ ବିହାରରେ ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ । କିନ୍ତୁ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ନଥିବାରୁ ଏକ ମାସ ଭିତରେ ରାବ୍ରୀ ପୁଣି ମୁଖ୍ୟମନ୍ତ୍ରୀ ପଦରେ ଥିଲେ । ୨୦୦୦ର ନିର୍ବାଚନ ଫଳାଫଳ ନୀତିଶଙ୍କ ପାଇଁ ତୃତୀୟ ଝଟକା ଥିଲା । ତେବେ ଝଟକା ଏତିକିରେ ବନ୍ଦ ହେବାର ନଥିଲା । ଲାଲୁ ନୀତିଶଙ୍କୁ ପୁଣିଥରେ ୨୦୦୫ରେ ଚକମା ଦେବାକୁ ଯାଉଥିଲେ ।

 How Nitish Toppled Lalu Family From Power In 2005 Bihar

୨୦୦୦ର ପରାଜୟର ଦୁଃଖରେ ନୀତିଶ ଦିଲ୍ଲୀ ଉଡିଯାଇଥିଲେ । ବାଜପେୟୀ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଥିଲେ ନୀତିଶ । ନୀତିଶ ରେଳମନ୍ତ୍ରୀ ଥିବା ବେଳେ ହିଁ ୨୦୦୨ର ଗୋଧ୍ରା କାଣ୍ଡ ହୋଇଥିଲା । କିନ୍ତୁ ନୀତିଶଙ୍କ ନଜର ଗୋଧ୍ରା ଉପରେ ନୁହେଁ ବିହାର ଉପରେ ଥିଲା । ରାମବିଳାଶ ପାଶୱାନ୍ ଧର୍ମନିରପେକ୍ଷତାର ଦ୍ୱାହି ଦେଇ ଏନଡିଏ ଛାଡିଦେଲେ । କିନ୍ତୁ ନୀତିଶ ସେମିତି କିଛି କରିନଥିଲେ । ତାଙ୍କର ସାଇନିଂ ଇଣ୍ଡିଆ ଉପରେ ଭରସା ଥିଲା । ବାରମ୍ବାର ଲାଲୁଙ୍କଠାରୁ ମିଳୁଥିବା ହାର ନୀତିଶଙ୍କୁ ଅସ୍ତବ୍ୟସ୍ତ କରୁଥିଲା । ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା- ବିହାର ମୁଖ୍ୟମନ୍ତ୍ରୀ ପଦ । ନିର୍ବାଚନ ଯୁଦ୍ଧ ହାରିବା ପରେ ନୀତିଶ ମହାଭାରତକୁ ଭଲକରି ପଢିଥିଲେ । ତାହାରି ଭିତରେ ସେ ମନୁଶର୍ମାଙ୍କର ‘କୃଷ୍ଣଙ୍କ ଆତ୍ମକଥା’ ମଧ୍ୟ ସାରିଦେଇଥିଲେ । ଏହାପରେ ଅର୍ଜୁନଙ୍କ ଭଳି ତାଙ୍କର ଆଖି କେବଳ ଲକ୍ଷ୍ୟ ଉପରେ ଥିଲା । ଗାନ୍ଧୀ, ଗୋଧ୍ରା ଓ ଗୁଜୁରାଟ୍ ନୀତିଶଙ୍କ ପାଇଁ ନୈପଥ୍ୟରେ ଥିଲେ  ।

ଏଥିସହ ପଢ଼ନ୍ତୁ ୧୯୯୫ର ନିର୍ବାଚନ ନୀତିଶଙ୍କୁ ଦେଇଥିଲା ତଗଡା ଝଟ୍‌କା, ଲାଲୁଙ୍କଠାରୁ ମାତ୍ ଖାଇ ବିକାଶ କୁମାର ଦିଲ୍ଲୀ ଉଡ଼ିଗଲେ…

 How Nitish Toppled Lalu Family From Power In 2005 Bihar

ବିଜେପି ଓ ଜେଡିୟୁ ୨୦୦୫ ନିର୍ବାଚନ ପାଇଁ ଜବରଦସ୍ତ ପ୍ରସ୍ତୁତି କରିଥିଲେ । ବିହାରଠାରୁ ଆଗରୁ ଝାଡଖଣ୍ଡ ଅଲଗା ହୋଇ ସାରିଥିଲା । ଏବେ ବିହାର ବିଧାନସଭାରେ ଆସନ ଥିଲା ୨୪୩ । ଅଲଗା ରାଜ୍ୟର କ୍ରେଡିଟ୍ ବାଜପାୟୀ ସରକାର ନେଉଥିଲେ । ଏଣେ ଲାଲୁ ରାଜ୍ୟ ବିଭାଜନ ପାଇଁ ଜେଡିୟୁ ଓ ବିଜେପିକୁ ଦାୟୀ କରୁଥିଲେ । ଲାଲୁ ଆଗରୁ କହିଥିଲେ- ଝାଡଖଣ୍ଡ ମୋ ଲାସ ଉପରେ ତିଆରି ହେବ । ସେ ଆହୁରି ମଧ୍ୟ କହିଥିଲେ ୭୦ ପ୍ରତିଶତ ରାଜସ୍ୱ ପଳାଇଲା,ବିଜେପି-ନୀତିଶ କିଛି ଛାଡି ନାହାନ୍ତି । ଝାଡଖଣ୍ଡ ଅଲଗା ହେଲା ପରେ ବିହାର ଟ୍ରେଜେରି ଖାଲି ପଡିଥିଲା । ସରକାରୀ ଚାକିରିଆଙ୍କୁ ଦରମା ଦେବାକୁ ରାବ୍ରୀ ଦେବୀଙ୍କ ପାଖରେ ପାଣ୍ଠି ନଥିଲା । ଗୋଖାଦ୍ୟ ଦୁର୍ନୀତିକୁ ନେଇ ଅଧିକ ଖୁଲାସା ହେଉଥିଲା । ନୀତିଶ ଏହାକୁ ପ୍ରସଙ୍ଗ କରିବା ଆରମ୍ଭ କଲେ । ରେଜଲ୍ଟ ଥିଲା…ଖଣ୍ଡିତ ଜନାଦେଶ । ୨୦୦୪ରେ ବାଜପାୟୀଙ୍କ ସାଇନିଂ ଇଣ୍ଡିଆ ଫେଲ ମାରିଥିଲା । ଆଶ୍ଚର୍ଯ୍ୟଜନକ ଭାବେ କଂଗ୍ରେସ କ୍ଷମତାକୁ ଫେରିଥିଲା । ଲାଲୁ କେନ୍ଦ୍ରରେ ରେଳ ମନ୍ତ୍ରୀ ହେଲେ । ଯାହା ଆଗରୁ ନୀତିଶଙ୍କ ପାଖରେ ଥିଲା । କିନ୍ତୁ ଲାଲୁଙ୍କ ହାତରୁ ୨୦୦୫ ଫେବ୍ରୁଆରୀ ମାସରେ ଶେଷକୁ ବିହାର ଖସିଯାଇଥିଲା । ତେବେ ୨୦୦୫ ନିର୍ବାଚନରେ ନା ଲାଲୁ ଜିତିଥିଲେ ନା ନୀତିଶ । ଲାଲୁ ୨୪୩ରୁ ୭୫ ସିଟ୍ ପାଇଥିଲେ । ବିଜେପି-ଜେଡିୟୁ ଖାତାକୁ ୯୨ ଆସନ ଯାଇଥିଲା । ନୀତିଶ ମୁଖ୍ୟମନ୍ତ୍ରୀ ହେବାକୁ ଆଉ ୩୦ ବିଧାୟକ ଆବଶ୍ୟକ କରୁଥିଲେ । କିନ୍ତୁ ସମସ୍ୟା ହେଲା କେନ୍ଦ୍ରରେ ଏନଡିଏ ସରକାର ନଥିଲା । କେନ୍ଦ୍ରରେ ନିଜ ସରକାର ଥିଲେ ଏପଟ ସେପଟ କରି ସରକାର ଗଠନ କରିହୋଇଥାନ୍ତା । କିନ୍ତୁ ନୀତିଶଙ୍କ ଦୁର୍ଭାଗ୍ୟକୁ କେନ୍ଦ୍ରେରେ ଲାଲୁଙ୍କୁ ସମର୍ଥନ କରୁଥିବା ୟୁପିଏ ସରକାର ଥିଲା ।

 How Nitish Toppled Lalu Family From Power In 2005 Bihar

ଆଗରୁ ଅପରାଧୀଙ୍କ ସମର୍ଥନ ନେଇ ସରକାର ଗଠନ କରିବାକୁ ଚେଷ୍ଟା କରିଥିବା ନୀତିଶ ଏଥର ନୂଆ ବାଜି ଖେଳିଥିଲେ । ବିହାର ବିଧାନସଭାରେ ରାମବିଳାଶ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି ପାଖରେ ୨୯ ବିଧାୟକ ଥିଲେ । ପାଶୱାନ ଘୋଷଣା ମଧ୍ୟ କରିଥିଲେ କ୍ଷମତା ଚାବି ମୋ ହାତରେ ଅଛି । ଏବେ ନୀତିଶଙ୍କ ନଜର ସେହି ଚାବି ଉପରେ ଥିଲା ।

ଏଥିସହ ପଢ଼ନ୍ତୁ ସେହି ରାଲିର କାହାଣୀ ଯେଉଁଠୁ ନୀତିଶ, ଲାଲୁଙ୍କ ବିରୋଧରେ ଫୁଙ୍କିଥିଲେ ବିଦ୍ରୋହର ବିଗୁଲ…

ଦି ବ୍ରଦର୍ସ ବିହାରୀ ପୁସ୍ତକ ଅନୁସାରେ ପାଶୱାନ୍ ଘୋଷଣା କରିଥିଲେ ଯେ ମୁଁ ବଜାରର ବିକ୍ରି ପାଇଁ ଉପଲବ୍ଧ ଅଛି । ଭଲ ଦାମ ମିଳିଲେ ବିକ୍ରି ହେବା ପାଇଁ ପ୍ରସ୍ତୁତ । ତଥାପି ନୀତିଶ ଦ୍ୱିବିଧାରେ ଥିଲେ ।  ୨୦୦୦ର ନିରାଶା ନୀତିଶଙ୍କ ପିଛା ଛାଡୁନଥିଲା । ନିଷ୍ପତ୍ତି ପୁଣିଥରେ ଲାଲୁ ଓ ରାବ୍ରୀଙ୍କ ବିରୋଧରେ ଯାଇଥିଲା । କିନ୍ତୁ ପୂରାପୂରି ଭାବେ ନୁହେଁ । ଏହାରି ଭିତରେ ଏଣ୍ଟ୍ରି ମାରିଥିଲେ ଅରୁଣ ଜେଟଲି । ଅରୁଣ କହିଲେ ଆଉ ଗୋଟିଏ ଚେଷ୍ଟା କରିବାରେ କିଛି କ୍ଷତି ହେବାର ନାହିଁ । ଜେଟଲି ମଧ୍ୟ ଜାଣିଥିଲେ ଏବେ ନା ଲାଲୁ ନା ନୀତିଶ କେହି ନିର୍ବାଚନ ପକ୍ଷରେ ନାହାନ୍ତି ।

 How Nitish Toppled Lalu Family From Power In 2005 Bihar

ଏହା ପରେ ଆରମ୍ଭ ହୋଇଥିଲା ଘୋଡା ବେପାର ପର୍ବ । ପାଶୱାନଙ୍କ ଦଳରେ ଏମିତି ୧୬ ବିଧାୟକ ଥିଲେ ଯେଉଁମାନେ ପୁଣି ନିର୍ବାଚନ ଲଢିବା ଅପେକ୍ଷା ଭଲ ରେଟରେ ବିକ୍ରି ହେବାକୁ ସଜବାଜ ହୋଇ ବସିଥିଲେ । ନୀତିଶଙ୍କ ପାଇଁ ବହୁମତ ଯୋଗାଡ କରିବା ଦାୟିତ୍ୱ ଅରୁଣ ଜେଟଲି ନିଜ ଉପରକୁ ନେଇଥିଲେ । ସେ ସରଯୁ ରାୟ ଓ ସଂଜୟ ଝାଙ୍କୁ ଏହି କାମ ଦେଇଥିଲେ । ଜେଟଲିଙ୍କ ଏହି ଦୁଇ ସେନାପତି ସ୍ୱାଧୀନ ବିଧାୟକଙ୍କ ସମେତ ମୋଟ ୩୧ ଜଣ ଏମଏଲଏଙ୍କୁ ଧରି ଗାଏବ ହୋଇଗଲେ । ଖେଳ ଆରମ୍ଭ ହୋଇ ସାରିଥିଲା । ୩୧ ବିଧାୟକ ଝାଡଖଣ୍ଡରେ ବସିଥିବା ବେଳେ ନୀତିଶ ଓ ଜେଟଲି ସରକାର ଗଠନ ପ୍ରକ୍ରିୟାକୁ ଆଗକୁ ବଢାଇଲେ ।

ଏଥିସହ ପଢ଼ନ୍ତୁ ସଫେଦ୍‌ କମିଜ୍‌ରେ ଦାଗ ଓ ସେଇ ୭ ଦିନ: ନୀତିଶ ଯେତେବେଳ କ୍ଷମତା ପାଇଁ ମାଫିଆ ସହ କଲେ ସନ୍ଧି..

୩୧ ବିଧାୟକଙ୍କ ମଧ୍ୟରୁ ଗୋଟିଏ ଦଳରେ ୧୫ ଜଣ ଥିଲେ । ଏହି ୧୫ ଜଣ ଜମସେଦପୁର ପାଖରେ ଏକ ଜଙ୍ଗଲରେ ଥିବା ଦୁଇଟି ଗେଷ୍ଟ ହାଉସରେ ରହୁଥିଲେ । କିନ୍ତୁ ମିଡିଆ ପାଖରେ ଖବର ପହଂଚିଯାଇଥିଲା । ଫଳରେ ସେମାନଙ୍କୁ ଜଙ୍ଗଲ ଭିତରେ ଥିବା ଆଉ ଗୋଟିଏ ଗେଷ୍ଟ ହାଉସକୁ ଟ୍ରାନସଫର କରିବାକୁ ପଡିଲା । ଏଣେ ଏଲଜେପିର ଦୁଇ ଜଣ ମହିଳା ବିଧାୟକଙ୍କୁ ପାଶୱାନ ଏକ ସ୍ୱତନ୍ତ୍ର ପ୍ଲେନରେ ଦିଲ୍ଲୀ ପଠାଇ ଦେଲେ । ତେବେ ଦୁଇ ଜଣ ଜେଡିୟୁ ନେତା ମଧ୍ୟ ତାଙ୍କୁ ପିଛା କରି ଦିଲ୍ଲୀରେ ପହଂଚିଗଲେ । ଜେଟଲି ନିଜର ଜଣେ ବିଶ୍ୱସ୍ତଙ୍କୁ ମହିଳା ବିଧାୟକ ଯେମିତି ହୋଟେଲ ନଛାଡନ୍ତି ତାହା ଦେଖିବା ଦାୟିତ୍ୱ ଦେଇଥିଲେ । ଜେଟଲିଙ୍କ ଯୋଜନା ଥିଲା ଏହି ଦୁଇ ବିଧାୟକଙ୍କୁ ଯେକୌଣସି ମତେ ପାଟନା ଫେରାଇ ନେବା ।

 How Nitish Toppled Lalu Family From Power In 2005 Bihar

ନାଟକ ଆରମ୍ଭ ହୋଇ ସାରିଥିଲା । ସବୁ ଅଭିନେତା ଅନେକ ଆଶା ସହ ଉଚତ ସମୟ ଅପେକ୍ଷାରେ ଥିଲେ । ତେବେ ବିହାରର ପୁରୁଣା ଖେଳାଳିଙ୍କୁ ତାଙ୍କରି ଘରେ ମାତ୍ ଦେବା ସହଜ ନଥିଲା । ସେ ଆଗରୁ ଅନେକ ଥର ନୀତିଶଙ୍କ ନିଜ ରାଜନୈତିକ ଅସ୍ତ୍ରରେ ନିସ୍ତେଜ କରି ସାରିଥିଲେ । ଏବେ ସେ ଚତୁର୍ଥ ଥର ପାଇଁ ନୀତିଶଙ୍କୁ ମାତ୍ ଦେବାକୁ ଯାଉଥିଲେ । ଲାଲୁଙ୍କ ବ୍ରହ୍ମାସ୍ତ୍ରରେ ନୀତିଶଙ୍କ ଚତୁର୍ଥ ରାଜନୈତିକ ମୃତ୍ୟୁ କିଛି ସମୟ ପାଇଁ ହେବାକୁ ଯାଉଥିଲା । ଲାଲୁ ନିଜ କାର୍ଡ ଖେଳିଲେ । ବିହାର ରାଜ୍ୟପାଳ ବୁଟା ସିଂହଙ୍କୁ ବିଧାନସଭା ଭଙ୍ଗ ପାଇଁ ରାଜି କରାଇନେଲେ । ଲାଲୁ ମାଷ୍ଟରଷ୍ଟ୍ରୋକ୍ ଖେଳିଥିଲେ । ବ୍ରହ୍ମାସ୍ତ୍ର ମାରିଥିଲେ । ଏନଡିଏ ରାଜ୍ୟପାଳଙ୍କ ନିଷ୍ପତି ବିରୋଧରେ ସୁପ୍ରିମକୋର୍ଟରେ ପହଂଚିଲା । ନୀତିଶ ୧୨୬ ବିଧାୟକଙ୍କ ସହ ରାଷ୍ଟ୍ରପତି ଭବନ । ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ସାମ୍ନାରେ ୧୨୬ ବିଧାୟକଙ୍କ ପ୍ୟାରେଡ୍ କରାଇଲେ । କିନ୍ତୁ ବ୍ୟକ୍ତିଗତ ଭାବେ ଜେଟଲି ଓ ଏନଡିଏ ନେତୃତ୍ୱକୁ କହି ଦେଇଥିଲେ ଯେ, ସୁପ୍ରିମକୋର୍ଟଙ୍କ ରାୟ ସପକ୍ଷରେ ଆସିଲେ ମଧ୍ୟ ସେ ସରକାର ଗଠନ ପାଇଁ ଦାବି ରଖିବେ ନାହିଁ । ଏବଂ ସେ ଏହା ମଧ୍ୟ କରିଥିଲେ ।

 How Nitish Toppled Lalu Family From Power In 2005 Bihar

ଏହା ଭିତରେ ବିଜେପି ଓ ଜେଡିୟୁ ପୁଣିଥରେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିଲେ । ନୀତିଶଙ୍କୁ ମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରାଗଲା । ଆଉ ପଂଚମଥର ଯୁଦ୍ଧରେ ଲାଲୁଙ୍କ ଦୁର୍ଗକୁ ନୀତିଶ ଧ୍ୱଂସ କରିଥିଲେ । ୨୦୦୫ ଅକ୍ଟୋବର ମାସରେ ନୀତିଶ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ୧୯୯୪ର ସେଇ ଶୀତୁଆ ସଂଧ୍ୟା ବିଦ୍ରୋହର ୧୦ ବର୍ଷ ପରେ ଚକ୍ର ପୂରା ହୋଇଥିଲା । ନୀତିଶ ଲାଲୁଙ୍କୁ ମାତ୍ ଦେଇଥିଲେ । ଲାଲୁ ଇତିହାସର ଫର୍ଦ୍ଧ ଭିତରୁ ଯାଇ ସାରିଥିଲେ । ୨୦୦୫ରେ ମୁଖ୍ୟମନ୍ତ୍ରୀ ହେବା ପରେ ନୀତିଶଙ୍କ ପଚରା ଯାଇଥିଲା ଆପଣ କେମିତି କାମ କରିବେ.. ନୀତିଶଙ୍କ ଉତ୍ତର ଥିଲା… ଡିକ୍ଟେଟର ଭଳି କାମ କରିବି । ଏବେ ୨୦୨୦ରେ  ନୀତିଶ ଅଛନ୍ତି କିନ୍ତୁ ଜେଟଲି ନାହାନ୍ତି । ଲାଲୁ ଅଛନ୍ତି କିନ୍ତୁ ଜେଲରେ । ଏବେ ପାଶୱାନ୍ ନାହାନ୍ତି । ଏବେ ନୀତିଶଙ୍କ ବିରୋଧରେ ଲାଲୁ ଓ ପାଶୱାନଙ୍କ ପୁଅ ମୋର୍ଚ୍ଚା ସମ୍ଭାଳୁଛନ୍ତି । ଆଉ ନୀତିଶ କହି ସାରିଛନ୍ତି … ଏହା ମୋ ଶେଷ ନିର୍ବାଚନ । ହୁଏତ ଶେଷ ନିର୍ବାଚନର ଡାଇଲଗ୍ ରାଜନୈତିକ ଚାଲ୍ ହୋଇପାରେ… କିମ୍ବା ନୀତିଶ ସତରେ ୩୦ ବର୍ଷ ପରେ ହାଲିଆ ହୋଇଯାଇଥାଇ ପାରନ୍ତି…

ଆଉ ଏକ ଲଘୁଚାପ ପ୍ରଭାବରେ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଆଜି ଏହା ଅବପାତରରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ  ୧୧ରୁ ୧୩ ତାରିଖ ମଧ୍ୟରେ ଓଡିଶାର ଅନେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ-ଉପକୂଳ ଅଞ୍ଚଳରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ଅବପାତରେ ପରିଣତ ହେବା ପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ପରେ ୧୨ ତାରିଖରେ ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ ।

ଆସନ୍ତାକାଲି ରାଜ୍ୟରେ କାଁ ଭାଁ ସ୍ଥାନରେ ସ୍ୱଳ୍ପବର୍ଷା ହୋଇପାରେ। କିନ୍ତୁ ଅବପାତର ପ୍ରଭାବରେ ୧୧ ତାରିଖ ଦିନ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ଗଜପତି, ଗଞ୍ଜାମ, ରାୟଗଡ଼ା ଓ ପୁରୀରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମାଲକାନଗିରି, କନ୍ଧମାଳ, ଜଗତସିଂହପୁର, ଖୋର୍ଧା ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଣୁ ଏହି ଜିଲ୍ଲାଗୁଡ଼ିକ ପାଇଁ ବି ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିସହ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଜଗତସିଂହପୁର. କେନ୍ଦ୍ରାପଡ଼ା, କଟକ, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳର ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମୟରେ ପବନର ବେଗ ୪୫ରୁ ୫୫କିମି ରହିବ ଓ ମଝିରେ ମଝିରେ ଏହା ୬୫କିମି ବେଗକୁ ମଧ୍ୟ ବଢ଼ିବାର ସମ୍ଭାବନା ଥିବା ଶ୍ରୀ ବିଶ୍ୱାସ କହିଛନ୍ତି ।