ରାତି ବଢ଼ିବା ସାଙ୍ଗକୁ ବଢ଼ିଥିଲା ପବନର ତାଣ୍ଡପ ଲୀଳା, ୨ ବର୍ଷରେ ତିତିଲି ମହାବାତ୍ୟା

ଭୁବନେଶ୍ୱର: ତିତିଲି ମହାବାତ୍ୟା । ଘୁଘୁ ହୋଇ ମାଡ଼ି ଆସିଥିଲା ପ୍ରଳୟଙ୍କାରୀ ପବନ । ଦେଖାଇଥିଲା ତାର କରାଳ ରୂପ । ଉତ୍ପାତ ମଚାଇଥିଲା ଆଉ ଉଜାଡ଼ି ଦେଇଥିଲା ଅନେକ ଧନ ଜୀବନ । ସେହି କାଳରାତ୍ରୀକୁ ପୁରିଛି ଦୁଇ ବର୍ଷ । ଏବେ ବି ସେହି କରାଳ ରୂପକୁ ସ୍ମରଣ କଲେ ଦେହ ଶିତେଇ ଉଠେ । ମନ ଭିତରେ ସୃଷ୍ଟି ହୁଏ ଝଡ଼ ତୋଫାନର ଏକ ଅଜଣା ଭୟ । ତୁହାକୁ ତୁହା ବର୍ଷା ସାଙ୍ଗକୁ ମାଡ଼ି ଆସିଥିଲା ପବନ । ରାତି ବଢିବା କ୍ଷଣି ବଢିଚାଲିଥିଲା ଭୟ ।

ଗଜପତି ରାୟଗଡ଼ ବ୍ଲକରେ ତିତିଲି ରଚିଥିଲା ତାଣ୍ଡବ । ସ୍ଥିତି ଏଭଳି ହୋଇଥିଲା ପଥର ଗୁମ୍ଫା ସହ ଧସିଥିଲା ପାହାଡ଼ । ତେବେ ଦୁଇ ବର୍ଷ ପରେ କିଭଳି ରହିଛି ସ୍ଥିତି, ତାହା ପରଖିଛି ନନ୍ଦିଘୋଷ ଟିଭି । ତିତଲିରେ ପ୍ରଭାବିତ ଅନେକ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ପାଇଁ ନିଷ୍ପତ୍ତି ନେଇଥିଲେ ସରକାର । ୧୨ ଟି ସ୍ଥାନରେ ୬୦୦ ପରିବାରକୁ ଥଇଥାନ ପାଇଁ ଆରମ୍ଭ ହେଲା ଗୃହ ନିର୍ମାଣ କାର୍ଯ୍ୟ ।

ଅନେକାଂଶ ପରିବାର ସ୍ଥାନାନ୍ତର ହୋଇଥିବା ବେଳେ କିଛି ଆନୁସାଙ୍ଗିକ ବ୍ୟବସ୍ଥା ଏବେବି ବାକି ରହିଛି । ସମସ୍ତ ଗୃହ ନିର୍ମାଣ ଶେଷ ହେବାକୁ ଯାଉଛି, ଓଏଲଏମ ମାଧ୍ୟମରେ ଜିବିକା ଯୋଗାଇ ଦେବା ସହ ଜନବସତି ଆରମ୍ଭ ହେଲେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଧୀରେ ଧୀରେ ସମସ୍ତ ମୌଳିକ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

Leave a Reply