୨୦୦୫ରେ ଏମିତି ଧ୍ୱଂସ ହୋଇଥିଲା ଯାଦବ ରାଜାଙ୍କ ଦୁର୍ଗ, ୧୦ ବର୍ଷର ଯୁଦ୍ଧ ପରେ ହୋଇଥିଲା ନୀତିଶଙ୍କ ରାଜ୍ୟାଭିଷେକ

1 min read

(ବିହାର ଭାରତୀୟ ରାଜନୀତିର ଲାବ୍ରୋଟୋରୀ । ବିହାର ସୋସିଆଲ ଇଂଜିନିୟରିଂର ଏନ୍ତୁଡିଶାଳ । ଗଲା ୩୦ ବର୍ଷର ବିହାର ରାଜନୀତି ଲାଲୁ ଓ ନୀତିଶଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା, ମହତ୍ୱାକାଂକ୍ଷାକୁ ବାଦ ଦେଇ ଚିନ୍ତା କରାଯାଇ ପାରେନା । ଆଳୁ, ସମୋସା ଯୁଗରୁ ବିହାର ଏବେ କଥିତ ଭାବେ ବିକାଶ ଯୁଗରେ ପହଂଚିଛି, ନୀତିଶଙ୍କ ଅମଳରେ । କିନ୍ତୁ ଲାଲୁଙ୍କୁ କ୍ଷମତାରୁ ବେଦଖଲ କରିବାକୁ ନୀତିଶଙ୍କୁ କ’ଣ ସବୁ କରିବାକୁ ପଡ଼ିଥିଲା ? ଆଉ ନୀତିଶଙ୍କୁ ରୋକିବା ପାଇଁ ଲାଲୁ କେମିତି ଚାଲ୍ ଚଲାଇଥିଲେ ? ଏହାକୁ ନେଇ ନନ୍ଦିଘୋଷର ସ୍ୱତନ୍ତ୍ର ସିରିଜ୍… ବିହାର.. ଚତୁର୍ଥ ଅଧ୍ୟାୟରେ ପଢନ୍ତୁ.. ଲାଲୁଙ୍କ ବ୍ରହ୍ମାସ୍ତ୍ର ଓ ନୀତିଶଙ୍କ ଚତୁର୍ଥ ମୃତ୍ୟୁ… କେମିତି ଲାଲୁଙ୍କ ସବୁ ଉଦ୍ୟମ ସତ୍ୱେ ନୀତିଶ କ୍ଷମତାକୁ ଆସିଲେ… କେମିତି ୧୫ ବର୍ଷ ପର୍ଯ୍ୟନ୍ତ ଲାଲୁ ବିହାର ରାଜନୀତିର ନୈପଥ୍ୟରେ ରହିବାକୁ ବାଧ୍ୟ ହେଲେ… ପଢନ୍ତୁ ବିହାର ରାଜନୀତିର ୩୦ ବର୍ଷର କାହାଣୀ ୪ କିସ୍ତିରେ...)

ଲାଲୁ ୧୯୯୫ ନିର୍ବାଚନ ପରେ ନିଜ ଚ୍ୟାଲେଂଜରଙ୍କୁ ଖୋଜୁଥିଲେ । ନୀତିଶ ପାଟନା ଦିଲ୍ଲୀ ଅପଡାଉନ୍ ହେଉଥିଲେ । ତାହାରି ଭିତରେ ଗୋଖାଦ୍ୟ ଦୁର୍ନୀତିର ବୋମା ଫୁଟିଥିଲା । ଲାଲୁଙ୍କୁ ଗିରଫ କରିବାକୁ ସେନାକୁ ପାଟନା ରାଜରାସ୍ତା ଉପରକୁ ଓହ୍ଲାଇବାକୁ ପଡିଥିଲା । ସାମାଜିକ ନ୍ୟାୟ, ପରିବାରବାଦ ବିରୋଧରେ ନାରା ଦେଉଥିବା ଲାଲୁ କ୍ଷମତାରୁ ହଟିବା ପକାଥିଲା । କିନ୍ତୁ କ୍ଷମତା ପରିବାର ଭିତରେ ରହିବା ବି ଜରୁରୀ ଥିଲା । ତେଣୁ କିଚେନରୁ ରାବ୍ରୀ ଆସି ବିହାର ମଙ୍ଗ ଧରିଲେ ଲାଲୁ ଜେଲ ଗଲେ । ଇଏ ଥିଲା ୧୯୯୭ର କଥା । ଏହା ପରେ ଗଙ୍ଗାରେ ବହୁତ ପାଣି ବୋହିଗଲା । ୨୦୦୦ର ନିର୍ବାଚନ ବି ଆସିଥିଲା । କିନ୍ତୁ ଲାଲୁଙ୍କଠାରୁ ପୁଣି ନୀତିଶ ପରାଜିତ ହୋଇଥିଲେ । ସାମ୍ନାରେ ଥିବା ରାବ୍ରୀ, ପଛରେ ଥିବା ଲାଲୁଙ୍କଠାରୁ ହାରିବାର ଗ୍ଲାନି, ଦୁଃଖକୁ ନେଇ ନୀତିଶ ଦିଲ୍ଲୀରେ ରେଳ ମନ୍ତ୍ରୀ ବନିଗଲେ । ଏମିତିରେ ୫ ବର୍ଷ ହେଲା ତାଙ୍କର ଦିଲ୍ଲୀ –ପାଟନା ଯିବା ଆସିବା ଚାଲିଥିଲା । ନୀତିଶ ଲାଲୁ ପରିବାରକୁ କ୍ଷମତାରୁ ବେଦଖଲ କରିବାକୁ ସବୁକିଛି କରିଥିଲେ । ଏମିତିକି ୧୯୯୯ ମସିହାର ଜାହନାବାଦ ଦଳିତ ହତ୍ୟା ପରେ ବାଜପାୟୀ ସରକାର ଉପରେ ଚାପ ପକାଇ ସେ ଓ ଜର୍ଜ ବିହାରରେ ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ । କିନ୍ତୁ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ନଥିବାରୁ ଏକ ମାସ ଭିତରେ ରାବ୍ରୀ ପୁଣି ମୁଖ୍ୟମନ୍ତ୍ରୀ ପଦରେ ଥିଲେ । ୨୦୦୦ର ନିର୍ବାଚନ ଫଳାଫଳ ନୀତିଶଙ୍କ ପାଇଁ ତୃତୀୟ ଝଟକା ଥିଲା । ତେବେ ଝଟକା ଏତିକିରେ ବନ୍ଦ ହେବାର ନଥିଲା । ଲାଲୁ ନୀତିଶଙ୍କୁ ପୁଣିଥରେ ୨୦୦୫ରେ ଚକମା ଦେବାକୁ ଯାଉଥିଲେ ।

 How Nitish Toppled Lalu Family From Power In 2005 Bihar

୨୦୦୦ର ପରାଜୟର ଦୁଃଖରେ ନୀତିଶ ଦିଲ୍ଲୀ ଉଡିଯାଇଥିଲେ । ବାଜପେୟୀ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଥିଲେ ନୀତିଶ । ନୀତିଶ ରେଳମନ୍ତ୍ରୀ ଥିବା ବେଳେ ହିଁ ୨୦୦୨ର ଗୋଧ୍ରା କାଣ୍ଡ ହୋଇଥିଲା । କିନ୍ତୁ ନୀତିଶଙ୍କ ନଜର ଗୋଧ୍ରା ଉପରେ ନୁହେଁ ବିହାର ଉପରେ ଥିଲା । ରାମବିଳାଶ ପାଶୱାନ୍ ଧର୍ମନିରପେକ୍ଷତାର ଦ୍ୱାହି ଦେଇ ଏନଡିଏ ଛାଡିଦେଲେ । କିନ୍ତୁ ନୀତିଶ ସେମିତି କିଛି କରିନଥିଲେ । ତାଙ୍କର ସାଇନିଂ ଇଣ୍ଡିଆ ଉପରେ ଭରସା ଥିଲା । ବାରମ୍ବାର ଲାଲୁଙ୍କଠାରୁ ମିଳୁଥିବା ହାର ନୀତିଶଙ୍କୁ ଅସ୍ତବ୍ୟସ୍ତ କରୁଥିଲା । ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା- ବିହାର ମୁଖ୍ୟମନ୍ତ୍ରୀ ପଦ । ନିର୍ବାଚନ ଯୁଦ୍ଧ ହାରିବା ପରେ ନୀତିଶ ମହାଭାରତକୁ ଭଲକରି ପଢିଥିଲେ । ତାହାରି ଭିତରେ ସେ ମନୁଶର୍ମାଙ୍କର ‘କୃଷ୍ଣଙ୍କ ଆତ୍ମକଥା’ ମଧ୍ୟ ସାରିଦେଇଥିଲେ । ଏହାପରେ ଅର୍ଜୁନଙ୍କ ଭଳି ତାଙ୍କର ଆଖି କେବଳ ଲକ୍ଷ୍ୟ ଉପରେ ଥିଲା । ଗାନ୍ଧୀ, ଗୋଧ୍ରା ଓ ଗୁଜୁରାଟ୍ ନୀତିଶଙ୍କ ପାଇଁ ନୈପଥ୍ୟରେ ଥିଲେ  ।

ଏଥିସହ ପଢ଼ନ୍ତୁ ୧୯୯୫ର ନିର୍ବାଚନ ନୀତିଶଙ୍କୁ ଦେଇଥିଲା ତଗଡା ଝଟ୍‌କା, ଲାଲୁଙ୍କଠାରୁ ମାତ୍ ଖାଇ ବିକାଶ କୁମାର ଦିଲ୍ଲୀ ଉଡ଼ିଗଲେ…

 How Nitish Toppled Lalu Family From Power In 2005 Bihar

ବିଜେପି ଓ ଜେଡିୟୁ ୨୦୦୫ ନିର୍ବାଚନ ପାଇଁ ଜବରଦସ୍ତ ପ୍ରସ୍ତୁତି କରିଥିଲେ । ବିହାରଠାରୁ ଆଗରୁ ଝାଡଖଣ୍ଡ ଅଲଗା ହୋଇ ସାରିଥିଲା । ଏବେ ବିହାର ବିଧାନସଭାରେ ଆସନ ଥିଲା ୨୪୩ । ଅଲଗା ରାଜ୍ୟର କ୍ରେଡିଟ୍ ବାଜପାୟୀ ସରକାର ନେଉଥିଲେ । ଏଣେ ଲାଲୁ ରାଜ୍ୟ ବିଭାଜନ ପାଇଁ ଜେଡିୟୁ ଓ ବିଜେପିକୁ ଦାୟୀ କରୁଥିଲେ । ଲାଲୁ ଆଗରୁ କହିଥିଲେ- ଝାଡଖଣ୍ଡ ମୋ ଲାସ ଉପରେ ତିଆରି ହେବ । ସେ ଆହୁରି ମଧ୍ୟ କହିଥିଲେ ୭୦ ପ୍ରତିଶତ ରାଜସ୍ୱ ପଳାଇଲା,ବିଜେପି-ନୀତିଶ କିଛି ଛାଡି ନାହାନ୍ତି । ଝାଡଖଣ୍ଡ ଅଲଗା ହେଲା ପରେ ବିହାର ଟ୍ରେଜେରି ଖାଲି ପଡିଥିଲା । ସରକାରୀ ଚାକିରିଆଙ୍କୁ ଦରମା ଦେବାକୁ ରାବ୍ରୀ ଦେବୀଙ୍କ ପାଖରେ ପାଣ୍ଠି ନଥିଲା । ଗୋଖାଦ୍ୟ ଦୁର୍ନୀତିକୁ ନେଇ ଅଧିକ ଖୁଲାସା ହେଉଥିଲା । ନୀତିଶ ଏହାକୁ ପ୍ରସଙ୍ଗ କରିବା ଆରମ୍ଭ କଲେ । ରେଜଲ୍ଟ ଥିଲା…ଖଣ୍ଡିତ ଜନାଦେଶ । ୨୦୦୪ରେ ବାଜପାୟୀଙ୍କ ସାଇନିଂ ଇଣ୍ଡିଆ ଫେଲ ମାରିଥିଲା । ଆଶ୍ଚର୍ଯ୍ୟଜନକ ଭାବେ କଂଗ୍ରେସ କ୍ଷମତାକୁ ଫେରିଥିଲା । ଲାଲୁ କେନ୍ଦ୍ରରେ ରେଳ ମନ୍ତ୍ରୀ ହେଲେ । ଯାହା ଆଗରୁ ନୀତିଶଙ୍କ ପାଖରେ ଥିଲା । କିନ୍ତୁ ଲାଲୁଙ୍କ ହାତରୁ ୨୦୦୫ ଫେବ୍ରୁଆରୀ ମାସରେ ଶେଷକୁ ବିହାର ଖସିଯାଇଥିଲା । ତେବେ ୨୦୦୫ ନିର୍ବାଚନରେ ନା ଲାଲୁ ଜିତିଥିଲେ ନା ନୀତିଶ । ଲାଲୁ ୨୪୩ରୁ ୭୫ ସିଟ୍ ପାଇଥିଲେ । ବିଜେପି-ଜେଡିୟୁ ଖାତାକୁ ୯୨ ଆସନ ଯାଇଥିଲା । ନୀତିଶ ମୁଖ୍ୟମନ୍ତ୍ରୀ ହେବାକୁ ଆଉ ୩୦ ବିଧାୟକ ଆବଶ୍ୟକ କରୁଥିଲେ । କିନ୍ତୁ ସମସ୍ୟା ହେଲା କେନ୍ଦ୍ରରେ ଏନଡିଏ ସରକାର ନଥିଲା । କେନ୍ଦ୍ରରେ ନିଜ ସରକାର ଥିଲେ ଏପଟ ସେପଟ କରି ସରକାର ଗଠନ କରିହୋଇଥାନ୍ତା । କିନ୍ତୁ ନୀତିଶଙ୍କ ଦୁର୍ଭାଗ୍ୟକୁ କେନ୍ଦ୍ରେରେ ଲାଲୁଙ୍କୁ ସମର୍ଥନ କରୁଥିବା ୟୁପିଏ ସରକାର ଥିଲା ।

 How Nitish Toppled Lalu Family From Power In 2005 Bihar

ଆଗରୁ ଅପରାଧୀଙ୍କ ସମର୍ଥନ ନେଇ ସରକାର ଗଠନ କରିବାକୁ ଚେଷ୍ଟା କରିଥିବା ନୀତିଶ ଏଥର ନୂଆ ବାଜି ଖେଳିଥିଲେ । ବିହାର ବିଧାନସଭାରେ ରାମବିଳାଶ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି ପାଖରେ ୨୯ ବିଧାୟକ ଥିଲେ । ପାଶୱାନ ଘୋଷଣା ମଧ୍ୟ କରିଥିଲେ କ୍ଷମତା ଚାବି ମୋ ହାତରେ ଅଛି । ଏବେ ନୀତିଶଙ୍କ ନଜର ସେହି ଚାବି ଉପରେ ଥିଲା ।

ଏଥିସହ ପଢ଼ନ୍ତୁ ସେହି ରାଲିର କାହାଣୀ ଯେଉଁଠୁ ନୀତିଶ, ଲାଲୁଙ୍କ ବିରୋଧରେ ଫୁଙ୍କିଥିଲେ ବିଦ୍ରୋହର ବିଗୁଲ…

ଦି ବ୍ରଦର୍ସ ବିହାରୀ ପୁସ୍ତକ ଅନୁସାରେ ପାଶୱାନ୍ ଘୋଷଣା କରିଥିଲେ ଯେ ମୁଁ ବଜାରର ବିକ୍ରି ପାଇଁ ଉପଲବ୍ଧ ଅଛି । ଭଲ ଦାମ ମିଳିଲେ ବିକ୍ରି ହେବା ପାଇଁ ପ୍ରସ୍ତୁତ । ତଥାପି ନୀତିଶ ଦ୍ୱିବିଧାରେ ଥିଲେ ।  ୨୦୦୦ର ନିରାଶା ନୀତିଶଙ୍କ ପିଛା ଛାଡୁନଥିଲା । ନିଷ୍ପତ୍ତି ପୁଣିଥରେ ଲାଲୁ ଓ ରାବ୍ରୀଙ୍କ ବିରୋଧରେ ଯାଇଥିଲା । କିନ୍ତୁ ପୂରାପୂରି ଭାବେ ନୁହେଁ । ଏହାରି ଭିତରେ ଏଣ୍ଟ୍ରି ମାରିଥିଲେ ଅରୁଣ ଜେଟଲି । ଅରୁଣ କହିଲେ ଆଉ ଗୋଟିଏ ଚେଷ୍ଟା କରିବାରେ କିଛି କ୍ଷତି ହେବାର ନାହିଁ । ଜେଟଲି ମଧ୍ୟ ଜାଣିଥିଲେ ଏବେ ନା ଲାଲୁ ନା ନୀତିଶ କେହି ନିର୍ବାଚନ ପକ୍ଷରେ ନାହାନ୍ତି ।

 How Nitish Toppled Lalu Family From Power In 2005 Bihar

ଏହା ପରେ ଆରମ୍ଭ ହୋଇଥିଲା ଘୋଡା ବେପାର ପର୍ବ । ପାଶୱାନଙ୍କ ଦଳରେ ଏମିତି ୧୬ ବିଧାୟକ ଥିଲେ ଯେଉଁମାନେ ପୁଣି ନିର୍ବାଚନ ଲଢିବା ଅପେକ୍ଷା ଭଲ ରେଟରେ ବିକ୍ରି ହେବାକୁ ସଜବାଜ ହୋଇ ବସିଥିଲେ । ନୀତିଶଙ୍କ ପାଇଁ ବହୁମତ ଯୋଗାଡ କରିବା ଦାୟିତ୍ୱ ଅରୁଣ ଜେଟଲି ନିଜ ଉପରକୁ ନେଇଥିଲେ । ସେ ସରଯୁ ରାୟ ଓ ସଂଜୟ ଝାଙ୍କୁ ଏହି କାମ ଦେଇଥିଲେ । ଜେଟଲିଙ୍କ ଏହି ଦୁଇ ସେନାପତି ସ୍ୱାଧୀନ ବିଧାୟକଙ୍କ ସମେତ ମୋଟ ୩୧ ଜଣ ଏମଏଲଏଙ୍କୁ ଧରି ଗାଏବ ହୋଇଗଲେ । ଖେଳ ଆରମ୍ଭ ହୋଇ ସାରିଥିଲା । ୩୧ ବିଧାୟକ ଝାଡଖଣ୍ଡରେ ବସିଥିବା ବେଳେ ନୀତିଶ ଓ ଜେଟଲି ସରକାର ଗଠନ ପ୍ରକ୍ରିୟାକୁ ଆଗକୁ ବଢାଇଲେ ।

ଏଥିସହ ପଢ଼ନ୍ତୁ ସଫେଦ୍‌ କମିଜ୍‌ରେ ଦାଗ ଓ ସେଇ ୭ ଦିନ: ନୀତିଶ ଯେତେବେଳ କ୍ଷମତା ପାଇଁ ମାଫିଆ ସହ କଲେ ସନ୍ଧି..

୩୧ ବିଧାୟକଙ୍କ ମଧ୍ୟରୁ ଗୋଟିଏ ଦଳରେ ୧୫ ଜଣ ଥିଲେ । ଏହି ୧୫ ଜଣ ଜମସେଦପୁର ପାଖରେ ଏକ ଜଙ୍ଗଲରେ ଥିବା ଦୁଇଟି ଗେଷ୍ଟ ହାଉସରେ ରହୁଥିଲେ । କିନ୍ତୁ ମିଡିଆ ପାଖରେ ଖବର ପହଂଚିଯାଇଥିଲା । ଫଳରେ ସେମାନଙ୍କୁ ଜଙ୍ଗଲ ଭିତରେ ଥିବା ଆଉ ଗୋଟିଏ ଗେଷ୍ଟ ହାଉସକୁ ଟ୍ରାନସଫର କରିବାକୁ ପଡିଲା । ଏଣେ ଏଲଜେପିର ଦୁଇ ଜଣ ମହିଳା ବିଧାୟକଙ୍କୁ ପାଶୱାନ ଏକ ସ୍ୱତନ୍ତ୍ର ପ୍ଲେନରେ ଦିଲ୍ଲୀ ପଠାଇ ଦେଲେ । ତେବେ ଦୁଇ ଜଣ ଜେଡିୟୁ ନେତା ମଧ୍ୟ ତାଙ୍କୁ ପିଛା କରି ଦିଲ୍ଲୀରେ ପହଂଚିଗଲେ । ଜେଟଲି ନିଜର ଜଣେ ବିଶ୍ୱସ୍ତଙ୍କୁ ମହିଳା ବିଧାୟକ ଯେମିତି ହୋଟେଲ ନଛାଡନ୍ତି ତାହା ଦେଖିବା ଦାୟିତ୍ୱ ଦେଇଥିଲେ । ଜେଟଲିଙ୍କ ଯୋଜନା ଥିଲା ଏହି ଦୁଇ ବିଧାୟକଙ୍କୁ ଯେକୌଣସି ମତେ ପାଟନା ଫେରାଇ ନେବା ।

 How Nitish Toppled Lalu Family From Power In 2005 Bihar

ନାଟକ ଆରମ୍ଭ ହୋଇ ସାରିଥିଲା । ସବୁ ଅଭିନେତା ଅନେକ ଆଶା ସହ ଉଚତ ସମୟ ଅପେକ୍ଷାରେ ଥିଲେ । ତେବେ ବିହାରର ପୁରୁଣା ଖେଳାଳିଙ୍କୁ ତାଙ୍କରି ଘରେ ମାତ୍ ଦେବା ସହଜ ନଥିଲା । ସେ ଆଗରୁ ଅନେକ ଥର ନୀତିଶଙ୍କ ନିଜ ରାଜନୈତିକ ଅସ୍ତ୍ରରେ ନିସ୍ତେଜ କରି ସାରିଥିଲେ । ଏବେ ସେ ଚତୁର୍ଥ ଥର ପାଇଁ ନୀତିଶଙ୍କୁ ମାତ୍ ଦେବାକୁ ଯାଉଥିଲେ । ଲାଲୁଙ୍କ ବ୍ରହ୍ମାସ୍ତ୍ରରେ ନୀତିଶଙ୍କ ଚତୁର୍ଥ ରାଜନୈତିକ ମୃତ୍ୟୁ କିଛି ସମୟ ପାଇଁ ହେବାକୁ ଯାଉଥିଲା । ଲାଲୁ ନିଜ କାର୍ଡ ଖେଳିଲେ । ବିହାର ରାଜ୍ୟପାଳ ବୁଟା ସିଂହଙ୍କୁ ବିଧାନସଭା ଭଙ୍ଗ ପାଇଁ ରାଜି କରାଇନେଲେ । ଲାଲୁ ମାଷ୍ଟରଷ୍ଟ୍ରୋକ୍ ଖେଳିଥିଲେ । ବ୍ରହ୍ମାସ୍ତ୍ର ମାରିଥିଲେ । ଏନଡିଏ ରାଜ୍ୟପାଳଙ୍କ ନିଷ୍ପତି ବିରୋଧରେ ସୁପ୍ରିମକୋର୍ଟରେ ପହଂଚିଲା । ନୀତିଶ ୧୨୬ ବିଧାୟକଙ୍କ ସହ ରାଷ୍ଟ୍ରପତି ଭବନ । ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ସାମ୍ନାରେ ୧୨୬ ବିଧାୟକଙ୍କ ପ୍ୟାରେଡ୍ କରାଇଲେ । କିନ୍ତୁ ବ୍ୟକ୍ତିଗତ ଭାବେ ଜେଟଲି ଓ ଏନଡିଏ ନେତୃତ୍ୱକୁ କହି ଦେଇଥିଲେ ଯେ, ସୁପ୍ରିମକୋର୍ଟଙ୍କ ରାୟ ସପକ୍ଷରେ ଆସିଲେ ମଧ୍ୟ ସେ ସରକାର ଗଠନ ପାଇଁ ଦାବି ରଖିବେ ନାହିଁ । ଏବଂ ସେ ଏହା ମଧ୍ୟ କରିଥିଲେ ।

 How Nitish Toppled Lalu Family From Power In 2005 Bihar

ଏହା ଭିତରେ ବିଜେପି ଓ ଜେଡିୟୁ ପୁଣିଥରେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିଲେ । ନୀତିଶଙ୍କୁ ମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରାଗଲା । ଆଉ ପଂଚମଥର ଯୁଦ୍ଧରେ ଲାଲୁଙ୍କ ଦୁର୍ଗକୁ ନୀତିଶ ଧ୍ୱଂସ କରିଥିଲେ । ୨୦୦୫ ଅକ୍ଟୋବର ମାସରେ ନୀତିଶ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ୧୯୯୪ର ସେଇ ଶୀତୁଆ ସଂଧ୍ୟା ବିଦ୍ରୋହର ୧୦ ବର୍ଷ ପରେ ଚକ୍ର ପୂରା ହୋଇଥିଲା । ନୀତିଶ ଲାଲୁଙ୍କୁ ମାତ୍ ଦେଇଥିଲେ । ଲାଲୁ ଇତିହାସର ଫର୍ଦ୍ଧ ଭିତରୁ ଯାଇ ସାରିଥିଲେ । ୨୦୦୫ରେ ମୁଖ୍ୟମନ୍ତ୍ରୀ ହେବା ପରେ ନୀତିଶଙ୍କ ପଚରା ଯାଇଥିଲା ଆପଣ କେମିତି କାମ କରିବେ.. ନୀତିଶଙ୍କ ଉତ୍ତର ଥିଲା… ଡିକ୍ଟେଟର ଭଳି କାମ କରିବି । ଏବେ ୨୦୨୦ରେ  ନୀତିଶ ଅଛନ୍ତି କିନ୍ତୁ ଜେଟଲି ନାହାନ୍ତି । ଲାଲୁ ଅଛନ୍ତି କିନ୍ତୁ ଜେଲରେ । ଏବେ ପାଶୱାନ୍ ନାହାନ୍ତି । ଏବେ ନୀତିଶଙ୍କ ବିରୋଧରେ ଲାଲୁ ଓ ପାଶୱାନଙ୍କ ପୁଅ ମୋର୍ଚ୍ଚା ସମ୍ଭାଳୁଛନ୍ତି । ଆଉ ନୀତିଶ କହି ସାରିଛନ୍ତି … ଏହା ମୋ ଶେଷ ନିର୍ବାଚନ । ହୁଏତ ଶେଷ ନିର୍ବାଚନର ଡାଇଲଗ୍ ରାଜନୈତିକ ଚାଲ୍ ହୋଇପାରେ… କିମ୍ବା ନୀତିଶ ସତରେ ୩୦ ବର୍ଷ ପରେ ହାଲିଆ ହୋଇଯାଇଥାଇ ପାରନ୍ତି…

Leave a Reply