ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ୱଶୁର ଏବଂ ବୋହୁଙ୍କ ମୃତ୍ୟୁ

ରାୟଗଡା: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ୱଶୁର ଏବଂ ବୋହୁଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଠଙ୍ଗପଡା ଗ୍ରାମରେ । ଘଟଣାସ୍ଥଳରେ ହିଁ ଶ୍ୱଶୁର ଡାହାଣୀ ମାଣ୍ଡିକା ଓ ବୋହୁ ସୁମିତ୍ରା ମାଣ୍ଡିକାଙ୍କ ମୃତ୍ୟୁ ଘଟିଛି । ଆଜି ସକାଳେ ସୁମିତ୍ରା ମାଣ୍ଡିକା ପାଣି ହାଣ୍ଡି ଧରି ଘରକୁ ପ୍ରବେଶ କରୁଥିବା ବେଳେ ଘରର ବାରିପଟେ ବିଦ୍ୟୁତ୍ ତାର ଛିଣ୍ଡି ଗ୍ରୀଲ୍ କୁ ଲାଗିଥିଲା । ତେବେ ଗ୍ରୀଲ୍ କୁ ଧରିବା ସମୟରେ ସୁମିତ୍ରା ହଠାତ୍ ତଳେ ପଡ଼ିଯାଇଥିଲା ।

ତେବେ ଶ୍ୱଶୁର ଡାହାଣୀ ମାଣ୍ଡିକା ବୋହୁକୁ ଉଦ୍ଧାର କରିବାକୁ ଯାଇ ,ସେ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ତେବେ ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଆମ୍ବୁଲାନ୍ସ ଯୋଗେ ବିଷମକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ ସୁମିତ୍ରା ମାଣ୍ଡିକା ଗର୍ଭବତୀ ଥିବା ଜଣାପଡିଛି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply