୧୯୯୫ର ନିର୍ବାଚନ ନୀତିଶଙ୍କୁ ଦେଇଥିଲା ତଗଡା ଝଟ୍‌କା, ଲାଲୁଙ୍କଠାରୁ ମାତ୍ ଖାଇ ବିକାଶ କୁମାର ଦିଲ୍ଲୀ ଉଡ଼ିଗଲେ…

1 min read

(ବିହାର ଭାରତୀୟ ରାଜନୀତିର  ଲାବ୍ରୋଟରି । ବିହାର ସୋସିଆଲ ଇଂଜିନିୟରିଂର ଅନ୍ତୁଡିଶାଳ । ଗଲା ୩୦ ବର୍ଷର ବିହାର ରାଜନୀତି ଲାଲୁ ଓ ନୀତିଶଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା,ମହତ୍ୱାକାଂକ୍ଷାକୁ ବାଦ ଦେଇ ଚିନ୍ତା କରାଯାଇ ପାରେନା । ଆଳୁ,ସମୋସା ଯୁଗରୁ ବିହାର ଏବେ କଥିତ ଭାବେ ବିକାଶ ଯୁଗରେ ପହଂଚିଛି,ନୀତିଶଙ୍କ ଅମଳରେ । କିନ୍ତୁ ଲାଲୁଙ୍କୁ କ୍ଷମତାରୁ ବେଦଖଲ କରିବାକୁ ନୀତିଶଙ୍କୁ କ’ଣ ସବୁ କରିବାକୁ ପଡିଥିଲା ? ଆଉ ନୀତିଶଙ୍କୁ ରୋକିବା ପାଇଁ ଲାଲୁ କେମିତି ଚାଲ୍ ଚଲାଇଥିଲେ ? ଏହାକୁ ନେଇ ନନ୍ଦିଘୋଷର ସ୍ୱତନ୍ତ୍ର ସିରିଜ୍… ବିହାର.. ଦ୍ୱିତୀୟ ଅଧ୍ୟାୟରେ ପଢନ୍ତୁ.. କେମିତି ଅତି ଆତ୍ମବିଶ୍ୱାସ ନୀତିଶଙ୍କୁ ୧୯୯୫ ନିର୍ବାଚନରେ ପରାଜୟ ମୁହଁ ଦେଖାଇଥିଲା.. ଆଉ ଲାଲୁ କାହାକୁ ଦେଖାଇ କହୁଥିଲେ.. କୁଆଡେ ଗଲା ମୋ ଚ୍ୟାଲେଂଜର …)

୧୯୯୪ର ସେଇ ଶିତୁଆ ସଂଧ୍ୟାର ବିଦ୍ରୋହକୁ ୮ ମାସ ବିତିଯାଇଥିଲା । ସମତା ପାର୍ଟି ଜନ୍ମ ନେଇ ସାରିଥିଲା । ତଥାପି ଲାଲୁଙ୍କ ଗଡ ଅଭେଦ୍ୟ ଥିଲା । ଖାଲି ଏଇମିତି ଲାଲୁ ମନକୁ ମନ କହୁନଥିଲେ,ଜବତକ୍ ସମୋସେ ମୈଁ ଆଲୁ ତବ ତକ୍ ବିହାର ମୈଁ ଲାଲୁ । ଲାଲକୃଷ୍ଣ ଆଡଭାନୀଙ୍କ ରଥକୁ ରାସ୍ତାରେ ଅଟକାଇ,ହିନ୍ଦୁତ୍ୱର ପୋଷ୍ଟର ବୟଙ୍କୁ ଗିରଫ କରି ଲାଲୁ ମୁସଲିମ୍-ଯାଦବ-ଓବସି ମେଣ୍ଟର ସେଇ ଚଟ୍ଟାଣ ଉପରେ ଛିଡା ହୋଇଥିଲେ ଯାହାକୁ ଭାଙ୍ଗିବା ଦୁରର କଥା ଦୋହଲାଇବା ବି ସହଜ ନଥିଲା । ଲାଲୁଙ୍କ MY-OBC ସମୀକରଣ ଆଗରେ ନୀତିଶଙ୍କ ଲବ-କୁଶ ସମୀକରଣ କିଛି ବି ନଥିଲା । ଲବ-କୁଶଙ୍କ ଭୋଟ ସେୟାର ବିହାର ରାଜନୀତିରେ ୧୦ ପ୍ରତିଶତ, ତଥାପି ଯାଦବ ବୀର ଚୌକି ଉପରେ ନିଦା ବିଷ୍ଣୁ ଭଳି ବସିଥିଲେ । ଆବଶ୍ୟ  ଏହା ସତ ଯେ, ଯଦୁବଂଶୀ ସମ୍ରାଟଙ୍କୁ ଚ୍ୟାଲେଂଜ୍ ମିଳିସାରିଥିଲା । ଏହାରି ଭିତରେ ଅବଦୁଲ ଗଫୁର,ବଶିଷ୍ଠ ନାରାୟଣ ସିଂହ,ଶକୁନୀ ଚୌଧୁରୀଙ୍କ ଭଳି ନେତା ନୀତିଶଙ୍କ ସହ ହାତ ମିଳାଇ ସାରିଥିଲେ । ମାନେ ଲାଲୁଙ୍କ ଦୁର୍ଗରେ ଫାଟ ସୃଷ୍ଟି ହୋଇସାରିଥିଲା । ଯେଉଁଠି ୮ ମାସ ତଳେ ନୀତିଶ ବିଦ୍ରୋହର ବିଗୁଲ ଫୁଙ୍କିଥିଲେ ସେଇଠି ସେ ୧୯୯୪ ନଭେମ୍ବର ମାସରେ ବିହାର ବଂଚାଅ ରାଲି ପ୍ଲାନ୍ କଲେ ।

ଲାଲୁ ଓ ନୀତିଶ । କେବେ ଏକାଠି ଥିଲେ । ଏବେ ରାସ୍ତା ଅଲଗା । ଉଭୟ ଜୟପ୍ରକାଶଙ୍କୁ ନିଜ ଆଦର୍ଶ କହୁଥିଲେ । କିନ୍ତୁ ସତ ଥିଲା ଲାଲୁ କେବେଠାରୁ ସତ୍ତା ପାଇଁ ଜେପିଙ୍କୁ ଭୁଲି ସାରିଥିଲେ ଓ ନୀତିଶଙ୍କ ପାଇଁ ଲାଲୁ ବିରୋଧକୁ ବୈଚାରିକ ଜାମା ପିନ୍ଧାଇବା ଲାଗି ଜେପି ଜରୁରୀ ଥିଲେ। ସତ ଥିଲା ସେଦିନର ସେଇ ରାଲିରେ ପହଂଚିଥିବା ସମର୍ଥକ ଓ ଆୟୋଜକ ସମସ୍ତଙ୍କୁ ଲାଲୁ ବିରୋଧ ହିଁ ଏକାଠି କରିଥିଲା,ଜେପି ନୁହନ୍ତି । ଦ ବ୍ରଦର୍ସ ବିହାରୀ ପୁସ୍ତକରେ ଏହି ରାଲି କଥା କୁହାଯାଇଛି । ରାଲିରେ ଭିଡ ଅଧିକ ଥିଲା । ମଂଚରେ ନେତା ବି ଅଧିକ ଥିଲେ । ନୀତିଶଙ୍କଠାରୁ ଜର୍ଜ ଫର୍ଣ୍ଣାଡିସ,ସବୁ ଲାଲୁ ବିରୋଧୀ ଚେହେରାଙ୍କୁ ମଂଚରେ ଦେଖିବାକୁ ମିଳିଥିଲା । ନୀତିଶ ଗର୍ଜନ କରିଥିଲେ, ଏହା ବିଶ୍ୱାସଘାତକ ସରକାର,ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ସହ ଏହ ସରକାର ଧୋକା କରିଛନ୍ତି । ବିହାରରେ ଗଣତନ୍ତ୍ର ନାହିଁ । ଏଠି ଜଣେ ବ୍ୟକ୍ତିର ଶାସନ ଚାଲିଛି । ଏହି ସରକାରକୁ ବିଦା କରିବାକୁ ପଡିବ । ବିହାରକୁ ସେମାନଙ୍କ ହାତରେ ଅର୍ପଣ କରିବାକୁ ପଡିବ ଯେଉଁମାନେ କର୍ପୁରୀ ଠାକୁର,ଜେପିଙ୍କ ନୀତିରେ ବିଶ୍ୱାସ କରନ୍ତି ।

ନୀତିଶଙ୍କ ଭାଷଣରେ ଜବରଦସ୍ତ ତାଳି ପଡିଲା । ଆତ୍ମ ପ୍ରସନ୍ନ ନୀତିଶ କିଛି ବର୍ଷ ପଛକୁ ଫେରିଗଲେ । ଯେତେବେଳେ ଲାଲୁ ତାଙ୍କୁ ଗୋଟିଏ ରାଲିକୁ ନିମନ୍ତ୍ରଣ ମଧ୍ୟ କରିନଥିଲେ । ନୀତିଶଙ୍କୁ ସେତେବେଳ ତମାସା ଦେଖିବା ପାଇଁ ଲୁଚିଲୁଚି ରାଲିରେ ସାମିଲ ହେବାକୁ ପଡିଥିଲା । ନୀତିଶଙ୍କର ଏହି ରାଲି ଥିଲା ଲାଲୁଙ୍କ ଉପରେ ପ୍ରତିଶୋଧ । ଭିଡର ହୁଙ୍କାର ନୀତିଶଙ୍କୁ ଆଶ୍ୱାସନା ଦେଲା । ଦୁଇ ମାସ ପରେ ହେବାକୁ ଥିବା ନିର୍ବାଚନରେ ଲାଲୁଙ୍କ ଅହଂକାରକୁ ଚୁରମାର କରାଯାଇ ପାରିବ ବୋଲି ନୀତିଶ ଭାବିନେଲେ । ଘରୋଇ ସର୍ବେକ୍ଷଣ ମଧ୍ୟ କହୁଥିଲା ନୀତିଶଙ୍କ ନେତୃତ୍ୱରେ ସମତା ପାର୍ଟିକୁ ୧୩୫ ସିଟ୍ ମିଳିବ । ନୀତିଶ ଆତ୍ମମୁଗ୍ଧ ଥିଲେ । ଆତ୍ମପ୍ରସନ୍ନ ଥିଲେ । ଭବିଷ୍ୟତ ତାଙ୍କୁ ଉଜ୍ୱଳ ଲାଗୁଥିଲା । ଭାବୁଥିଲେ ତାଙ୍କ ପାଳି ଆସୁଛି । କିନ୍ତୁ ଏହା ତାଙ୍କ ମୁର୍ଖାମୀ ଥିଲା । ସୋସିଆଲ ଇଂଜିନିୟରିଂର ପ୍ରଥମ ଆର୍କିଟେକ୍ଟ ଲାଲୁଙ୍କ ଗେମ୍ ଆଗରେ ଇଂଜିନିୟର ନୀତିଶ ତିଷ୍ଟିବାର ହିଁ ନଥିଲେ ।

nitish

ନୀତିଶ ଭ୍ରମରେ ଥିଲେ । ବିକାଶ କୁମାରଙ୍କ ଟ୍ରାଜେଡି ଇତିହାସର ବାକି ଦଳର ସେହି ନେତାଙ୍କ ଭଳି ଥିଲା,ଯେଉଁମାନେ ମୁଳ ଦଳରୁ ଅଲଗା ହୋଇ ନୂଆ ଦଳ ତିଆରି କରିଥିଲେ ଓ ଭାବି ନେଇଥିଲେ ଏଥର ଆମର. ପାଳି.. କିନ୍ତୁ କାମରାଜ ହୁଅନ୍ତୁ କି ମୋରାରଜୀ ଦେଶାଇ କେହି ମଧ୍ୟ ମୁଳ ଦଳର ଆଧିପତ୍ୟକୁ କେବେବି ଚ୍ୟାଲେଂଜ୍ କରି ପାରିନଥିଲେ । ନୀତିଶଙ୍କ ସମତା ପାର୍ଟି ପାଖରେ ପ୍ରଚାର ଅଭିଯାନ ପାଇଁ ପର୍ଯ୍ୟାପ୍ତ ଧନ ନଥିଲା,ସାଧନ ନଥିଲା । ନୀତିଶଙ୍କ ପାଖରେ ଗୋଟିଏ ମାରୁତି ୮୦୦ ଥିଲା । ତା’ ପୁଣି ଜଣେ ବନ୍ଧୁଙ୍କଠାରୁ ଉଧାରରେ ଆସିଥିଲା । ଏମିତିରେ ଲାଲୁଙ୍କ ମନି,ମଶଲ ପାୱାର ଆଗରେ ନୀତିଶ କେଉଁଠି ବି ତିଷ୍ଟୁନଥିଲେ ।

ଲାଲୁଙ୍କ ପକ୍ଷରେ ଜାତୀୟ ସମୀକରଣ ଥିଲା । ସେ ଛିଡା ହୋଇଥିଲେ ଏମୱାଇ ସୀମକରଣ ଉପରେ । କିନ୍ତୁ ନୀତିଶ ଭାବୁଥିଲେ ଯାଦବଙ୍କ ଉତ୍ପାତରେ ଅତିଷ୍ଠ ଉଚ୍ଚ ଜାତି ଓ  ଅନ୍ୟ ଓବିସି ତାଙ୍କୁ ଭୋଟ କରିବେ । ତେବେ ସେ ଏଇ ହିସାବ କରିବାକୁ ଭୁଲି ଯାଇଥିଲେ ଯେ,ଯେଉଁ ଜାତିର ଲୋକ କିଛି ବର୍ଷ ପୂର୍ବରୁ ଭୋଟ କରିବାକୁ ଡରୁଥିଲେ,ସେମାନଙ୍କୁ ଲାଲୁ ଆୱାଜ ଦେଇଥିଲେ । ଆଉ ସେହି ଜାତିର ଲୋକ ଏତେ ଶୀଘ୍ର ନିଜ ମସିହାକୁ ଭୁଲିବା ସମ୍ଭବ ନଥିଲା । ଲାଲୁଙ୍କ ପାଇଁ ଟି ଏନ୍ ଶେସାନ ବି ବରଦାନ ସାବ୍ୟସ୍ତ ହୋଇଥିଲେ । ଶେଶାନ ବିହାରରେ ହିଂସା ରହିତ ନିର୍ବାଚନ କରିବାକୁ ଚାହୁଁଥିଲେ । ବ୍ୟବସ୍ଥା ବି ପ୍ରବଳ କରିଥିଲେ । ସିଆରପିଏଫର ୬୫୦ ଦଳ ନିୟୋଜିତ କରିଥିଲେ । ୧୯୯୪ର ନିର୍ବାଚନ ଥିଲା ଅଦ୍ଭୁତପୂର୍ବ । ଡିସେମ୍ବରରୁ ୯୪ରୁ ଆରମ୍ଭ ହୋଇଥିବା ପ୍ରକ୍ରିୟା ସରିଥିଲା ୯୫ ମାର୍ଚ୍ଚରେ । ଲାଲୁ ନିଜେ ରାଗିକି କହୁଥିଲେ ପାଗଳ ଶେସାନ ଇଲେକ୍ସନ କରାଉଛି କି କୁମ୍ଭ ? ସେ ଏହା ମଧ୍ୟ କହିଥିଲେ ….ସେଶାନ ପାଗଳ ଶଣ୍ଢ କିନ୍ତୁ ସେ ଜାଣିନି ମୁଁ ତାକୁ ରସିରେ ବାନ୍ଧି ଗୁହାଳରେ ରଖିପାରିବି । କିନ୍ତୁ ଶେସାନଙ୍କ ଠେଙ୍ଗା ଲାଲୁଙ୍କ ପାଇଁ ବରଦାନ ହୋଇଥିଲା । ନିର୍ବାଚନ ପ୍ରକ୍ରିୟା ଲମ୍ବା ହେବା ନୀତିଶଙ୍କ ଅଳପ ଧନ ପାର୍ଟି ପାଇଁ ହାହାକରୀ ସାବ୍ୟସ୍ତ ହୋଇଥିଲା ।

ଏହା ସହ ପଢ଼ନ୍ତୁ… ସେହି ରାଲିର କାହାଣୀ ଯେଉଁଠୁ ନୀତିଶ, ଲାଲୁଙ୍କ ବିରୋଧରେ ଫୁଙ୍କିଥିଲେ ବିଦ୍ରୋହର ବିଗୁଲ

ଶେଷରେ ଆସିଲା ଭୋଟ ଗଣତିର ଦିନ । ଫଳାଫଳର ଦିନ । ମତପେଟିରୁ ବାହାରିଲା ଲାଲୁଙ୍କ ଜିନ୍ । ନୀତିଶଙ୍କ ୧୩୫ ସ୍ୱପ୍ନକୁ ଧୂଳିସାତ୍ କରି ଲାଲୁ ଆଣିଲେ ୧୬୪ ।ପୂର୍ବ ନିର୍ବାଚନଠାରୁ ବି ଅଧିକା ।  ଫଳାଫଳର ଝଟକାରେ ବିକାଶ କୁମାର ତାଟକା ହୋଇଯାଇଥିଲେ । ଲାଲୁଙ୍କ ଘଟିଆ ଶାସନକୁ ଏମୱାଇ ସମୀକରଣ କ୍ଷମଦାନ ଦେଇ ଆଉ ଗୋଟିଏ ଜୀବନ ଦାନ ଦେଇଥିଲା । ଆଉ ଲାଲୁ ନୀତିଶଙ୍କୁ ଦେଖାଇ କହିଥିଲେ….କୁଆଡେ ଗଲା ଲାଲୁର ସେ ଚ୍ୟାଲେଂଜର ? ବିହାର ବିଧାନସଭାର ୩୨୪ ଆସନରୁ ସମତା ପାର୍ଟିକୁ ମିଳିଥିଲା ୭ । ଏହାର ୩୧୦ ପ୍ରାର୍ଥୀଙ୍କ ମଧ୍ୟରୁ ୨୭୧ ଜଣ ଅମାନତ ହରାଇଥିଲେ ।

ଲାଲୁ ଯେତେବେଳେ ପଚାରୁଥିଲେ କୁଆଡେ ଗଲା ମୋ ଚ୍ୟେଲେଂଜର ସେତେବେଳେ ନୀତିଶ ଟିଭି ବନ୍ଦ କରିଦେଇଥିଲେ । ନିଜ ଇଂଜିନିୟର ବନ୍ଧୁ ଅରୁଣ କୁମାରଙ୍କ ଘର ଛାଡି ମାରୁତି ୮୦୦ ଗାଡିର ମାଲିକ ଜ୍ଞାନୁଙ୍କ ଘରକୁ ଚାଲିଗଲେ । ଜ୍ଞାନୁଙ୍କ ଘରେ ପହଂଚିବା ବେଳକୁ ସେଠାରେ ଟିଭି ଚାଲୁଥିଲା । ନୀତିଶ ଚୁପ କରି କହିଲେ ଚାଲିଥିଲି ସରକାର ଗଢିବାକୁ  ,ଆଉ ଭୋଟର କ’ଣ କରିଦେଲେ । ଏହାପରେ ସେ ଜ୍ଞାନୁଙ୍କୁ ଟିଭି ବନ୍ଦ କରିବାକୁ କହିଥିଲେ । କାରଣ ସେ ପର୍ଯ୍ୟନ୍ତ ଟିଭି ଲାଲୁଙ୍କ ବିଜୟ ଖବର ପ୍ରଚାର କରୁଥାଏ । ଯାହାକୁ ହଜମ କରିବା ନୀତିଶଙ୍କ ପାଇଁ ସହଜ ନଥିଲା ।

ଇଏ ଥିଲା ନୀତିଶ-ଲାଲୁ ଯୁଦ୍ଧର ପ୍ରଥମ କାହାଣୀ.. ନୀତିଶ ହାରିଥିଲେ.. ଲାଲୁଙ୍କ ଦୁର୍ଗ ଅଭେଦ୍ୟ ଥିଲା.. ଲାଲୁଙ୍କୁ ଗାଦିଚ୍ୟୁତ କରିବାକୁ ନୀତିଶଙ୍କୁ ଆହୁରି ୧୦ ବର୍ଷ ଅପେକ୍ଷା କରିବାକୁ ପଡିଥିଲା । ସେହି ୧୦ ବର୍ଷ ଭିତରେ ନୀତିଶ ବାରମ୍ବାର ଦିଲ୍ଲୀ ଦୌଡୁଥିଲେ.. କେବେ ବିହାର କେବେ ଦିଲ୍ଲୀ..

Leave a Reply