ନନ୍ଦିଘୋଷ ବ୍ୟୁରୋ ; ବଜାରରେ ମେଲିଛି ରାକ୍ଷୀର ପସରା। ଜମିଲାଣି କିଣାବିକାର ଆସର। ଭାଇ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ । ଆଉ ଭାଇ ଦେବ ଜୀବନ ସାରା ରକ୍ଷା କରିବାର ପ୍ରତିଶ୍ରୁତି। ପୁରୀ ଜିଲ୍ଲା କୋଣାର୍କ, କାକଟପୁର, ଅସ୍ତରଙ୍ଗ, ନୟାହାଟ ବଜାରରେ ଏବେ ହଜାର ହଜାର ରାକ୍ଷୀ। ଚାଉଳରେ ତିଆରି ଇକୋ ଫ୍ରେଣ୍ଡଲି ରାକ୍ଷୀ, ରାତିରେ ଜଳୁଥିବା ଲାଇଟ୍ ରାକ୍ଷୀ, କୁନି ଭାଇ ପାଇଁ ଟେଡି ରାକ୍ଷୀ । ଏସବୁ ଏଥର ଜେନ-ଜି ପିଢିର ପ୍ରଥମ ପସନ୍ଦ। ତା ମଧ୍ୟରେ ଜେନ -ଜି ରାକ୍ଷୀ ଟ୍ରେଣ୍ଡରେ ରହିଛି। ଜଗନ୍ନାଥଙ୍କ ମଉଡମଣୀ ରାକ୍ଷୀ, ରୁଦ୍ରାକ୍ଷ, ତୁଳସୀ ରାକ୍ଷୀ ବି ବହୁ ମାତ୍ରାରେ ବିକ୍ରି ହେଉଛି। ୨ ଟଙ୍କାରୁ ୨ ହଜାର ଟଙ୍କା ଯାଏଁ ମିଳୁଛି ରାକ୍ଷୀ। ଭଉଣୀ ମାନେ ଦୋକାନ ବୁଲି ବୁଲି ନିଜ ଭାଇ ପାଇଁ ସବୁଠୁ ସୁନ୍ଦର ରାକ୍ଷୀ କିଣୁଛନ୍ତି। ରାକ୍ଷୀ ପୂର୍ଣ୍ଣିମା ପାଇଁ କଟକ ଜିଲ୍ଲା ବଡ଼ମ୍ବାରେ ଜମିଲାଣି ରାକ୍ଷୀ ବଜାର। ବିଭିନ୍ନ ରଙ୍ଗ ଓ ଡିଜାଇନ୍ର ରାକ୍ଷୀରେ ସଜା ହୋଇଛି ଦୋକାନ। ଷ୍ଟୋନ୍, ଫ୍ୟାନ୍ସି ଓ ବ୍ରେସଲେଟ୍ ରାକ୍ଷୀ ସାଙ୍ଗକୁ ଛୋଟ ପିଲାଙ୍କ ପାଇଁ ଆକର୍ଷଣୀୟ ଡିଜାଇନ୍। ଭାଇ ହାତରେ ସ୍ନେହର ସୂତା ବାନ୍ଧିବାକୁ ପସନ୍ଦର ରାକ୍ଷୀ ବାଛୁଛି ଭଉଣୀ। ଚଳିତ ବର୍ଷ ଭଲ ରାକ୍ଷୀ ବିକ୍ରି ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ।
ବୈତରଣୀର କରାଳ ରୂପ, କୂଳ ଖାଉଛି ନଦୀ; ନଦୀଗର୍ଭରେ ଲୀନ ହେବ କି ଗାଁ?
ନନ୍ଦିଘୋଷ ବ୍ୟୁରୋ ; କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଶାଳଦେଇ ଓଡ଼ପଡ଼ା ଗ୍ରାମବାସୀଙ୍କ ପାଇଁ ବୈତରଣୀ ଏବେ ଅଭିଶାପ ପାଲଟିଛି। ପ୍ରତିବର୍ଷ ବନ୍ୟା ଆସୁଥିବା ବେଳେ ଏବେ ତଳି ଅଞ୍ଚଳରେ ନଦୀ କୂଳ ଖାଇବା ଆରମ୍ଭ କରିଛି। ଫଳରେ ଗାଁ ନଦୀଗର୍ଭରେ ଲୀନ ହୋଇଯିବା ନେଇ ଆଶଙ୍କାରେ ଅଛନ୍ତି ଲୋକେ। ନଦୀ କୂଳରେ ଥିବା ବଡ଼ ବଡ଼ ଗଛ ଧୀରେ ଧୀରେ ନଦୀଗର୍ଭକୁ ଚାଲିଯାଉଛି। ଚଳିତ ବର୍ଷ ବୈତରଣୀରେ ତିନିଥର ବନ୍ୟା ଆସିବା ପରେ ନଦୀ ପଠାରେ ଥିବା ଶହ ଶହ ମୂଲ୍ୟବାନ ଗଛ ନଦୀରେ ଲୀନ ହୋଇସାରିଛି। ନଦୀ ଧୀରେ ଧୀରେ ଅତଡ଼ା ଖାଇବାରୁ ନଦୀବନ୍ଧର ସୁରକ୍ଷା ନେଇ ମଧ୍ୟ ଚିନ୍ତା ବଢ଼ିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ନଦୀର କାୟା ପୂର୍ବାପେକ୍ଷା ପ୍ରାୟ ୧୦ ଗୁଣ ବଢ଼ିଛି। ଗାଁ ଆଡ଼ିବନ୍ଧକୁ ମଜବୁତ କରିବା ସହ ନଦୀବନ୍ଧରେ ପଥର ପ୍ୟାଚିଂ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ଅଞ୍ଚଳବାସୀ। ଏଥିସହ ବେଆଇନ ବାଲି ଉତ୍ତୋଳନକୁ ମଧ୍ୟ ନଦୀକୂଳ କ୍ଷୟର ଏକ କାରଣ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଉପଜିଲ୍ଲାପାଳ ଚିନ୍ତା ପ୍ରକଟ କରିଛନ୍ତି। ତୁରନ୍ତ ଜଳସମ୍ପଦ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରି ନଦୀବନ୍ଧରେ ପଥର ପ୍ୟାକିଂ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ବଂଶଧାରା ସେତୁରୁ ଗୁଡାରି ରାସ୍ତା ମରଣଯନ୍ତା, କାଦୁଅ ଓ ଡ୍ରେନ୍ ପାଣିରେ ନାକେଦମ ଲୋକେ
ନନ୍ଦିଘୋଷ ବ୍ୟୁରୋ ; ରାୟଗଡ଼ା ଜିଲ୍ଲା ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥ ପାଲଟିଛି ମରଣଯନ୍ତା। ବଂଶଧାରା ସେତୁରୁ ଗୁଡାରିକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବା ବେଳେ ବର୍ଷା ପାଣି ଜମି ତାହା କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି। ଏହା ସାଙ୍ଗକୁ ଡ୍ରେନେଜ୍ ବ୍ୟବସ୍ଥା ଠିକ୍ ଭାବେ କାମ କରୁନଥିବାରୁ ଡ୍ରେନ୍ ପାଣି ରାସ୍ତା ଉପରେ ଚାଲୁଛି।
ଫଳରେ ପଥଚାରୀ, ଛାତ୍ରଛାତ୍ରୀ ଓ ଗାଡ଼ି ଚାଳକ ପ୍ରତିଦିନ ଦୁର୍ଦ୍ଦଶା ଭୋଗୁଛନ୍ତି। ରାସ୍ତାରେ ଯାତାୟାତ କରିବା ବେଳେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। ଦୁଇ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ସମସ୍ୟା ଆହୁରି ଜଟିଳ ହୋଇଛି। ରାସ୍ତା ମରାମତି ଦାୟିତ୍ୱକୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଗୁଡାରି ଏନ୍ଏସି ମଧ୍ୟରେ ଠେଲାଠେଲି ଚାଲିଛି। ଦୁଇ ବିଭାଗର ଆରୋପ-ପ୍ରତ୍ୟାରୋପ ମଧ୍ୟରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ। ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କ ତାଗିଦ୍ ପରେ ଗୁଡାରି ଏନ୍ଏସି ପକ୍ଷରୁ ରାସ୍ତା ମରାମତି ପାଇଁ ୨ କୋଟି ୯୬ ଲକ୍ଷ ଟଙ୍କାର ଏକ ପ୍ରସ୍ତାବ ହାଉସିଂ ଓ ଅର୍ବାନ ଡେଭଲପମେଣ୍ଟ ବିଭାଗକୁ ପଠାଯାଇଛି। ପ୍ରସ୍ତାବ ଅନୁମୋଦନ ହେବା ପରେ ରାସ୍ତା ମରାମତି କାମ ଆରମ୍ଭ ହେବ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।
ଅଧାବାଟରେ ଫାଟିଲା ଆମ୍ବୁଲାନ୍ସ ଟାୟାର, ବାଇକ୍କୁ ଧକ୍କା
ନନ୍ଦିଘୋଷ ବ୍ୟୁରୋ ; ରାଜ୍ୟରେ ବିଗୁଡ଼ୁଛି ସ୍ୱାସ୍ଥ୍ୟସେବାର ଚିତ୍ର। ଗୁରୁତର ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବାର ମୁଖ୍ୟ ମାଧ୍ୟମ ଆମ୍ବୁଲାନ୍ସ ସେବା ଏବେ ଅବ୍ୟବସ୍ଥାରେ ଥିବା ଅଭିଯୋଗ ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆମ୍ବୁଲାନ୍ସ ଦୁର୍ଘଟଣା ଓ ଅଧାବାଟରେ ଖରାପ ହେବାର ଖବର ଆସୁଥିବା ବେଳେ ପାରାଦ୍ୱୀପରେ ଘଟିଥିବା ଘଟଣା ଚିନ୍ତା ବଢ଼ାଇଛି। ଅଠରବାଙ୍କିରୁ ଜଗତସିଂହପୁରକୁ ଜଣେ ପ୍ରସୂତୀଙ୍କୁ ନେଇ ଯାଉଥିବା ବେଳେ ପାରାଦ୍ୱୀପ-କଟକ ରାସ୍ତାର ଗଡ଼ ନିକଟରେ ହଠାତ୍ ଆମ୍ବୁଲାନ୍ସର ଟାୟାର ଫାଟି ଯାଇଥିଲା। ଫଳରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଏକ ବାଇକ୍କୁ ଧକ୍କା ଦେଇଥିଲା।
ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଭିତରେ ଥିବା ପ୍ରସୂତୀ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ବାଇକ୍ରେ ଥିବା ଜଣେ ମହିଳା ଓ ଜଣେ ଯୁବକ ଆହତ ହୋଇଥିଲେ। ଏଭଳି ସ୍ଥିତିରେ ପାରାଦ୍ୱୀପ ଲକ୍ ଥାନାର କିଛି କର୍ମଚାରୀ ତୁରନ୍ତ ଅନ୍ୟ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରି ପ୍ରସୂତୀଙ୍କୁ ଜଗତସିଂହପୁର ପଠାଇଥିଲେ। ସେହିପରି ଆହତ ଦୁଇ ଜଣଙ୍କୁ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଯାଇଥିଲା। ଏହି ଘଟଣା ରାଜ୍ୟର ଆମ୍ବୁଲାନ୍ସ ସେବା ଓ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରେ ଥିବା ଅବ୍ୟବସ୍ଥାକୁ ପୁଣିଥରେ ସାମ୍ନାକୁ ଆଣିଛି।
ମହାନଦୀକୁ ଡେଇଁଲେ ଦୁଇ ନାବାଳିକା, ମାଛ ମାରୁଥିବା ଲୋକେ କଲେ ଉଦ୍ଧାର
ନନ୍ଦିଘୋଷ ବ୍ୟୁରୋ ; ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ବ୍ରିଜ୍ ଉପରୁ ମହାନଦୀକୁ ଡେଇଁ ପଡ଼ିଲେ ଦୁଇ ନାବାଳିକା। ନଦୀରେ ମାଛ ଧରୁଥିବା ଲୋକେ ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ବିନିକା ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଉଦ୍ଧାର ହୋଇଥିବା ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣେ ବିନିକା ଅଞ୍ଚଳର ହୋଇଥିବା ବେଳେ ଅନ୍ୟଜଣେ ବୌଦ୍ଧ ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ କେଉଁ କାରଣରୁ ଏବଂ କେଉଁ ପରିସ୍ଥିତିରେ ଦୁଇ ନାବାଳିକା ମହାନଦୀକୁ ଡେଇଁଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ହର୍ମୁଜକୁ ନେଇ ଟ୍ରମ୍ପଙ୍କ ଦାଦାଗିରି
ନନ୍ଦିଘୋଷ ବ୍ୟୁରୋ ; ପୁଣି ହର୍ମୁଜକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଦାଦାଗିରି। କହିଛନ୍ତି- ହର୍ମୁଜ ହେଉଛି ଆମେରିକାର। ଯଦି ଇରାନ ଉପରେ ଆମେରିକା ଅଧିକ କାର୍ଯ୍ୟାନୁଷ୍ଠାନ ନିଏ ତେବେ ଏହାର ପରିଣାମ ଭୟଙ୍କର ହେବ ବୋଲି ତେହରାନ କହିବା ପରେ ଏହା କହିଛନ୍ତି ଟ୍ରମ୍ପ। ହର୍ମୁଜକୁ ନେଇ ଇରାନ ଉପରେ ଅଧିକ ଚାପ ପ୍ରୟୋଗ କରିବା ପ୍ରୟାସକୁ ସମାଲୋଚନା କରିଛି ତେହରାନ। ସେପଟେ ଆସନ୍ତା ସୋମବାର ଇରାନ ଉପରେ ସାନି କଟକଣା ଜାରି କରାଯିବ ବୋଲି କହିଛନ୍ତି ଆମେରିକା ଟ୍ରେଜେରୀ ସେକ୍ରେଟାରୀ ସ୍କଟ ବେସେଣ୍ଟ। ବେଳକୁ ବେଳ ଆମେରିକା-ଇରାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବାବେଳେ ବିବାଦ ଥମିବାର ନାଁ ନେଉନି। ସେପଟେ ଟ୍ରମ୍ପ କହିଛନ୍ତି- ଇରାନ କୌଣସି ପ୍ରକାର ବୁଝାମଣା ଲାଗି ପ୍ରସ୍ତୁତ ନୁହେଁ।
ହାଣ୍ଡିଆ ଦେଇ ଖୋଲୁଛନ୍ତି ମୁଲ୍ ଆକାଉଣ୍ଟ, ଠକଙ୍କ ଟଙ୍କା ଲେଣଦେଣ କରି ନେଉଛନ୍ତି ମୋଟା କମିଶନ
ନନ୍ଦିଘୋଷ ବ୍ୟୁରୋ ; ହାଣ୍ଡିଆ ଦେଇ ଖୋଲୁଥିଲେ ମୁଲ୍ ଆକାଉଣ୍ଟ, ଆଉ ସେହି ଆକାଉଣ୍ଟରେ ଆସୁଥିଲା ସାଇବର ଠକେଇ ଟଙ୍କା। ଠକେଇ ଟଙ୍କାର ଲେଣଦେଣରେ ସହଯୋଗ କରି ମୋଟା ଅଙ୍କର କମିଶନ ନେଉଥିଲେ ଠକଙ୍କ ସହଯୋଗୀ। ଏଭଳି ଏକ ବଡ଼ ସାଇବର ଠକେଇ ଚେନ୍ର ପର୍ଦ୍ଦାଫାସ କରୁଛି ସାଇବର ଥାନା ପୋଲିସ। ମୟୂରଭଞ୍ଜରୁ ମୁଲ୍ ଆକାଉଣ୍ଟ ଚଳାଉଥିବା ରାଜେନ୍ଦ୍ର ସିଂଙ୍କୁ ଗିରଫ କରିଛି ପୋଲିସ। ବାଲେଶ୍ୱର ଅଞ୍ଚଳରେ ମୁଲ୍ ଆକାଉଣ୍ଟ ଚଳାଇ ସାଇବର ଠକଙ୍କ ଠକେଇ ଟଙ୍କା ଲେଣଦେଣରେ ସହଯୋଗ କରୁଥିଲେ ଅଭିଯୁକ୍ତ। ୨୦୨୫ରେ ଖଣ୍ଡଗିରି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଫୋନ୍ କରି ସାଇବର ଠକମାନେ ଠକିଥିଲେ। ପରେ ହ୍ୱାଟ୍ସଆପ୍ରେ ଏକ ଆପ୍ ପଠାଇ ପ୍ରାୟ ୯ ଲକ୍ଷ ଟଙ୍କା ହଡ଼ପ କରିଥିଲେ। ଏହି ଠକେଇ ଟଙ୍କା ମୁଲ୍ ଆକାଉଣ୍ଟ ଜରିଆରେ ଟ୍ରାନ୍ସଫର କରାଯାଇଥିଲା।
ସାଇବର ଠକମାନେ ବିଶେଷ କରି ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଟାର୍ଗେଟ କରୁଥିଲେ। ଲୋଭନୀୟ ଅଫର ଓ ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକଙ୍କୁ ଫସାଇବା ପରେ ସେମାନଙ୍କ ଆକାଉଣ୍ଟ ଖାଲି କରିଦେଉଥିଲେ। ଏହି ଠକେଇ ଚେନ୍ର ଲିଙ୍କ୍ ଓଡ଼ିଶା ସମେତ ଗୁଜରାଟ, ଆସାମ ଓ କୋଲକାତା ପର୍ଯ୍ୟନ୍ତ ରହିଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଥିବା ବେଳେ ଏହି ବଡ଼ ନେଟୱର୍କର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ସାଇବର ପୋଲିସ। ରାଜେନ୍ଦ୍ର ସିଂଙ୍କ ଗିରଫ ପରେ ଏବେ ପୋଲିସର ଟାର୍ଗେଟରେ ଅନ୍ୟ ମୁଲ୍ ଆକାଉଣ୍ଟଧାରୀ ଓ ମାଷ୍ଟରମାଇଣ୍ଡ। ଏହି ସାଇବର ଠକେଇ ଚେନ୍ରେ ଆଉ କେତେ ଜଣ ସାମିଲ ଅଛନ୍ତି, ସେନେଇ ଖୋଳତାଡ଼ ଜାରି ରହିଛି।
ବାବା ରାମଦେବଙ୍କ ଉପରେ ବର୍ଷିଲେ ସାଂସଦ ବ୍ରିଜଭୂଷଣ ଶରଣ ସିଂହ !
ଯୋଗଗୁରୁ ବାବା ରାମଦେବଙ୍କ ଉପରେ ବର୍ଷିଲେ ପୂର୍ବତନ ବିଜେପି ସାଂସଦ ବ୍ରଜଭୂଷଣ ଶରଣ ସିଂହ । ସେ କହିଥିଲେ, “ସ୍ୱଦେଶୀ ନାମରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଏବେ ନକଲି ଉତ୍ପାଦ ଏବଂ ବିଦେଶୀ ସାମଗ୍ରୀକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିସ୍ତାରିତ ହୋଇଛି। ସେ ରାମଦେବଙ୍କୁ ପ୍ରତିବାଦ କରିବାକୁ ଚ୍ୟାଲେଞ୍ଜ କରି କହିଥିଲେ ଯେ ଯଦି ଯୋଗଗୁରୁ ଏକ ଆନ୍ଦୋଳନ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ଏଥର ନିର୍ଣ୍ଣାୟକ ଭାବରେ ଲଢ଼ିବା ଉଚିତ୍ ଏବଂ ଜଣେ ପୁରୁଷ ପରି ତାହା କରିବା ଉଚିତ୍।
ଜିଲ୍ଲା ମୁଖ୍ୟାଳୟର ଏକ କଲେଜରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାବା ରାମଦେବଙ୍କ ଆନ୍ଦୋଳନ ବିଷୟରେ ଏକ ପ୍ରଶ୍ନର ଉତ୍ତର ଦେଇ ବ୍ରଜଭୂଷଣ କହିଥିଲେ,…
ସେ ପୂର୍ବରୁ ଉତ୍ପାଦଗୁଡ଼ିକ ବିରୁଦ୍ଧରେ ବୟାନ ଦେଇଛନ୍ତି। ୨୪ ନଭେମ୍ବର, ୨୦୨୨ ରେ, ସାଂସଦ ଥିବା ସମୟରେ, ବ୍ରଜଭୂଷଣ ବାରବାଙ୍କିରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ସମାନ ବୟାନ ଦେଇଥିଲେ। ସେ ଉତ୍ତମ ସ୍ୱାସ୍ଥ୍ୟ, ପରିଷ୍କାର ପରିଚ୍ଛନ୍ନତା ଏବଂ ଶୁଦ୍ଧ କ୍ଷୀର ଏବଂ ଘିଅର ବ୍ୟବହାର ପାଇଁ ଓକିଲାତି କରିଥିଲେ। ସେ ରାମଦେବଙ୍କ ଉତ୍ପାଦଗୁଡ଼ିକୁ ମଧ୍ୟ ଟାର୍ଗେଟ କରିଥିଲେ। ସେ କହିଥିଲେ, “ଗାଈ କିମ୍ବା ମଇଁଷି ପାଳନ କରିବାରେ ଅକ୍ଷମତା ହେତୁ, ଲୋକମାନେ ‘ରାମଦେବଙ୍କ ନକଲି ଘିଅ’ ଖାଇବାକୁ ବାଧ୍ୟ ହେଉଛନ୍ତି।” ସେହି ସମୟରେ, ପୂର୍ବତନ ବିଜେପି ସାଂସଦ ରାମଦେବ ଏବଂ ପତଞ୍ଜଳିର ପରିଚାଳନା ନିର୍ଦ୍ଦେଶକ ବାଳକୃଷ୍ଣଙ୍କୁ ସେମାନଙ୍କ ବ୍ରାଣ୍ଡର “ନକଲି ଘିଅ” ପାଇଁ ଗିରଫ କରିବାକୁ ଦାବି କରିଥିଲେ।…
ପ୍ରେମ ପ୍ରତାରଣା ଅଭିଯୋଗରେ SI ଗିରଫ, ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଠକେଇ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ ; ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା। ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ପୋଲିସ ସବ୍ଇନ୍ସପେକ୍ଟର। ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନାରେ କାର୍ଯ୍ୟରତ SI ପ୍ରଭାତ କୁମାର ନାୟକଙ୍କୁ ଗିରଫ କରିଛି ବାରିପଦା ଟାଉନ ଥାନା ପୋଲିସ। ଅଭିଯୋଗ ଅନୁସାରେ, ପୁରୀର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ SI ପ୍ରଭାତ କୁମାର ନାୟକ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ପରେ ମନ୍ଦିରରେ ବିବାହ କରିଥିଲେ ମଧ୍ୟ ତାଙ୍କୁ ପ୍ରତାରଣା କରିଥିବା ଯୁବତୀ ଅଭିଯୋଗ କରିଛନ୍ତି।
ଏହାସହ ଲକ୍ଷାଧିକ ଟଙ୍କା ଠକେଇ ଏବଂ ସର୍ଭିସ୍ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିବା ନେଇ ମଧ୍ୟ ଯୁବତୀ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ଆଧାରରେ ବାରିପଦା ଟାଉନ ଥାନା ପୋଲିସ SI ପ୍ରଭାତ କୁମାର ନାୟକଙ୍କୁ ଗିରଫ କରିଛି। ତେବେ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ SI ପ୍ରଭାତ କୁମାର ନାୟକ ଖଣ୍ଡନ କରିଛନ୍ତି। ସେ ଯୁବତୀଙ୍କୁ ବିବାହ କରିଥିବା ଦାବି କରିଛନ୍ତି। ତେଣୁ ମାମଲାରେ ଉଭୟ ପକ୍ଷର ଭିନ୍ନ ଦାବି ସାମ୍ନାକୁ ଆସିଛି। ପୋଲିସର ତଦନ୍ତ ପରେ ଘଟଣାର ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ। ଏହି ଘଟଣାକୁ ନେଇ ବାରିପଦାରେ ଚର୍ଚ୍ଚା ଜୋର ଧରିଛି।
ଆଜିଠାରୁ ବିଶ୍ୱ କଣ୍ଟିନେଣ୍ଟାଲ୍ ଟୁର୍ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ
ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ବିଶ୍ୱ କଣ୍ଟିନେଣ୍ଟାଲ୍ ଟୁର୍ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହେଉଛି। ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ମହାଦେଶୀୟ ଆଥଲେଟିକ୍ସ ପ୍ରତିଯୋଗିତା ଚାଲିବ, ଯେଉଁଥିରେ ୨୩ଟି ଦେଶରୁ ମୋଟ ୧୮୭ ଜଣ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି। ପୁରୁଷ ଓ ମହିଳା ବର୍ଗରେ ୯ଟି ଲେଖାଏଁ ମୋଟ ୧୮ଟି ପ୍ରତିଯୋଗିତା ଅନୁଷ୍ଠିତ ହେବ।ଏହି ପ୍ରତିଯୋଗିତାରେ ଭାରତରୁ ୮୮ ଜଣ ଆଥଲେଟ୍ ଭାଗ ନେଉଛନ୍ତି। ଓଡ଼ିଶାରୁ ୬ ଜଣ ଆଥଲେଟ୍ ଶ୍ରାବଣୀ ନନ୍ଦ, କିଶୋର ଜେନା, ଅନିମେଷ କୁଜୁର, ବାପି ହାଁସଦା, ସ୍ୱାଧୀନ ମାଝୀ ଏବଂ ପ୍ରଜ୍ଞାପ୍ରଶାନ୍ତି ସାହୁ ଅଂଶଗ୍ରହଣ କରୁଛନ୍ତି। ଏହି ସ୍ଥାନୀୟ ଖେଳାଳିଙ୍କ ଉପରେ ସମସ୍ତ କ୍ରୀଡ଼ାପ୍ରେମୀଙ୍କ ନଜର ରହିଛି।

