spot_img
Home Blog Page 63

ଆଜିଠାରୁ ବିଶ୍ୱ କଣ୍ଟିନେଣ୍ଟାଲ୍ ଟୁର୍ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ

0

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ବିଶ୍ୱ କଣ୍ଟିନେଣ୍ଟାଲ୍ ଟୁର୍ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହେଉଛି। ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ମହାଦେଶୀୟ ଆଥଲେଟିକ୍ସ ପ୍ରତିଯୋଗିତା ଚାଲିବ, ଯେଉଁଥିରେ ୨୩ଟି ଦେଶରୁ ମୋଟ ୧୮୭ ଜଣ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି। ପୁରୁଷ ଓ ମହିଳା ବର୍ଗରେ ୯ଟି ଲେଖାଏଁ ମୋଟ ୧୮ଟି ପ୍ରତିଯୋଗିତା ଅନୁଷ୍ଠିତ ହେବ।ଏହି ପ୍ରତିଯୋଗିତାରେ ଭାରତରୁ ୮୮ ଜଣ ଆଥଲେଟ୍ ଭାଗ ନେଉଛନ୍ତି। ଓଡ଼ିଶାରୁ ୬ ଜଣ ଆଥଲେଟ୍ ଶ୍ରାବଣୀ ନନ୍ଦ, କିଶୋର ଜେନା, ଅନିମେଷ କୁଜୁର, ବାପି ହାଁସଦା, ସ୍ୱାଧୀନ ମାଝୀ ଏବଂ ପ୍ରଜ୍ଞାପ୍ରଶାନ୍ତି ସାହୁ ଅଂଶଗ୍ରହଣ କରୁଛନ୍ତି। ଏହି ସ୍ଥାନୀୟ ଖେଳାଳିଙ୍କ ଉପରେ ସମସ୍ତ କ୍ରୀଡ଼ାପ୍ରେମୀଙ୍କ ନଜର ରହିଛି।

ମହାନଦୀ ଜଳ ବିବାଦ: ବୈଷୟିକ କମିଟି ଗଠନ କଲା CWC, ସେପ୍ଟେମ୍ବର ୧୭ରେ ପରବର୍ତ୍ତୀ ଶୁଣାଣି

ନନ୍ଦିଘୋଷ ବ୍ୟୁରୋ : ମହାନଦୀ ଜଳ ବଣ୍ଟନ ବିବାଦର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ରୀୟ ଜଳ ଆୟୋଗ (CWC) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ିଶା ଏବଂ ଛତିଶଗଡ଼ ଦ୍ୱାରା ଦାଖଲ କରାଯାଇଥିବା ତଥ୍ୟଗୁଡ଼ିକର ଅନୁଧ୍ୟାନ ଓ ବିଶ୍ଳେଷଣ ପାଇଁ CWC ଏକ ବିଶେଷ ବୈଷୟିକ କମିଟି ଗଠନ କରିଛି।

 ଓଡ଼ିଶା ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟଙ୍କ ସୂଚନା ଅନୁସାରେ, ଉଭୟ ରାଜ୍ୟନନ୍ଦିଘୋଷ ବ୍ୟୁରୋ ନିଜ ନିଜର ଜଳ ଆବଶ୍ୟକତା ଓ ଦାବି ସମ୍ପର୍କିତ ବିସ୍ତୃତ ତଥ୍ୟ CWC କୁ ପ୍ରଦାନ କରିଛନ୍ତି। ଏହି କମିଟି ସେହି ତଥ୍ୟଗୁଡ଼ିକର ନିରପେକ୍ଷ ବୈଷୟିକ ଯାଞ୍ଚ କରୁଛି।

ସେପ୍ଟେମ୍ବର ୧୭ ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ହେବାକୁ ଯାଉଛି। ଏହା ପୂର୍ବରୁ ବୈଷୟିକ କମିଟିର ଏହି ପଦକ୍ଷେପକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି।

 ଉଭୟ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଆଭିମୁଖ୍ୟ, ସାରଗର୍ଭକ ଆଲୋଚନା ଏବଂ ପାରସ୍ପରିକ ବୁଝାମଣା ମାଧ୍ୟମରେ ଏହି ବହୁଦିନର ବିବାଦର ସୁଫଳ ସମାଧାନ ବାହାରିପାରିବ ବୋଲି ଶ୍ରୀ ଆଚାର୍ଯ୍ୟ ଆଶା ପ୍ରକାଶ କରିଛନ୍ତି।

ସର୍କିଟ ହାଉସରେ ଅପରାଧୀଙ୍କୁ ଆଶ୍ରୟ ଅଭିଯୋଗ, ପ୍ରକାଶ ପାଶଓ୍ଵାନଙ୍କୁ ଧରିବାକୁ ଚଢ଼ାଉ ଜାରି

ନନ୍ଦିଘୋଷ ବ୍ୟୁରୋ : ରାଉରକେଲା ସର୍କିଟ ହାଉସରୁ ବନ୍ଧୁକ ସହ ଅପରାଧୀ ଗିରଫ ଘଟଣାରେ ତଦନ୍ତ ଜୋରଦାର ହୋଇଛି। ଅପରାଧୀଙ୍କୁ ସର୍କିଟ ହାଉସରେ ରହିବା ପାଇଁ ସହଯୋଗ କରିଥିବା ଅଭିଯୋଗରେ ନିଲମ୍ବିତ ବିଜେପି ଯୁବନେତା ପ୍ରକାଶ ପାଶଓ୍ଵାନଙ୍କୁ ଗିରଫ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ପ୍ରକାଶ ପାଶଓ୍ଵାନ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ରାଜ୍ୟ ଭିତରେ ବିଭିନ୍ନ ସ୍ଥାନ ସମେତ ରାଜ୍ୟ ବାହାରେ ମଧ୍ୟ ୩ଟି ସ୍ୱତନ୍ତ୍ର ଟିମ୍ ଚଢ଼ାଉ ଜାରି ରଖିଛି। ଏପଟେ ପ୍ରକାଶ ପାଶଓ୍ଵାନଙ୍କ ଘରେ ପୋଲିସ ନୋଟିସ ଜାରି କରିଛି। ସୋମବାର ସୁଦ୍ଧା ଥାନାରେ ହାଜର ହେବାକୁ ନୋଟିସରେ କୁହାଯାଇଛି। ଯଦି ସେ ହାଜର ନହୁଅନ୍ତି, ତେବେ ତାଙ୍କ ବିରୋଧରେ NBW ଜାରି ପାଇଁ ପୋଲିସ କୋର୍ଟରେ ଆବେଦନ କରିପାରେ ବୋଲି ସୂଚନା ମିଳିଛି।

ଅନ୍ୟପଟେ, ଘଟଣାରେ ୪ଟି ବନ୍ଧୁକ ଓ ୧୧ଟି ଗୁଳି ଜବତ କରିବା ସହ ୭ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସମସ୍ତ ୭ ଜଣ ବର୍ତ୍ତମାନ ଜେଲ୍ ହାଜତରେ ଅଛନ୍ତି। ଆଉ ଦୁଇଜଣ ଅଭିଯୁକ୍ତ ଆଦର୍ଶ ସାହୁ ଓ ସୁରଜ ଗୁପ୍ତାଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି। ପଚରାଉଚରା ପରେ ଆଇନ ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଗିରଫ ୭ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ପୋଲିସ ପଚରାଉଚରା କରିଥିଲା। ଏହି ପଚରାଉଚରାରୁ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ରହିଛି। ଏହାସହ ପ୍ରକାଶ ପାଶଓ୍ଵାନ ବ୍ୟବହାର କରୁଥିବା କାରକୁ ମଧ୍ୟ ପୋଲିସ ଜବତ କରିଛି। ଗିରଫ ଅପରାଧୀଙ୍କ ସହ ପ୍ରକାଶ ପାଶଓ୍ଵାନଙ୍କ ସମ୍ପର୍କ ଥିବା ଏବଂ ସେମାନଙ୍କୁ ସର୍କିଟ ହାଉସରେ ରହିବା ପାଇଁ ସହଯୋଗ କରିଥିବା ନେଇ ଅଭିଯୋଗ ହୋଇଛି। ଏବେ ପ୍ରକାଶ ପାଶଓ୍ଵାନଙ୍କ ଗିରଫକୁ ନେଇ ପୋଲିସର ତଦନ୍ତ ଓ ଚଢ଼ାଉ ଜାରି ରହିଛି।

ମହିଳା ହକି ବିଶ୍ୱକପ: ନେଦରଲାଣ୍ଡସଠାରୁ ୦-୨ରେ ହାରିଲା ଭାରତ, ସେମିଫାଇନାଲ ଆଶା ଅଷ୍ଟ୍ରେଲିଆ ମ୍ୟାଚ୍‌ ଉପରେ

ନନ୍ଦିଘୋଷ ବ୍ୟୁରୋ : ମହିଳା ହକି ବିଶ୍ୱକପର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତକୁ ୦-୨ ଗୋଲରେ ପରାସ୍ତ କରିଛି ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିଅନ୍‌ ନେଦରଲାଣ୍ଡସ। ଆରମ୍ଭରୁ ଡଚ୍‌ ଦଳ ଖେଳର ଗତି ଉପରେ ନିଜର ନିୟନ୍ତ୍ରଣ ରଖିଥିଲା। ଉଭୟ ହାଫରେ ଗୋଟିଏ ଲେଖାଏଁ ପେନାଲ୍ଟି କର୍ଣ୍ଣରରୁ ଗୋଲ୍‌ କରି ନେଦରଲାଣ୍ଡସ ବିଜୟ ହାସଲ କରିଥିଲା।

ତେବେ ପରାଜୟ ସତ୍ତ୍ୱେ ବିଶ୍ୱର ନମ୍ବର-୧ ଦଳ ବିପକ୍ଷରେ ଭାରତୀୟ ଦଳର ପ୍ରତିରକ୍ଷା ବେଶ୍‌ ଶୃଙ୍ଖଳିତ ଓ ଦୃଢ଼ ରହିଥିଲା। ଭାରତୀୟ ଖେଳାଳିମାନେ ନେଦରଲାଣ୍ଡସର ଆକ୍ରମଣକୁ ରୋକିବା ପାଇଁ ସାହସିକ ପ୍ରୟାସ କରିଥିଲେ। ଏହି ପରାଜୟ ପରେ ଭାରତର ସେମିଫାଇନାଲ ଆଶା ଏବେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଉପରେ ନିର୍ଭର କରୁଛି। ସେମିଫାଇନାଲ ଆଶାକୁ ଜୀବନ୍ତ ରଖିବା ପାଇଁ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଭାରତକୁ ନିଶ୍ଚିତ ଭାବେ ବିଜୟ ହାସଲ କରିବାକୁ ପଡ଼ିବ।

ସ୍ତ୍ରୀକୁ ଫେରାଇବାକୁ ନରବଳି! ତନ୍ତ୍ର ପୂଜା ପରେ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ନନ୍ଦିଘୋଷ ବ୍ୟୁରୋ :  ବଲାଙ୍ଗୀର ନରବଳି ଘଟଣାର ପର୍ଦ୍ଦାଫାସ କରିଛି ବଲାଙ୍ଗୀର ପୋଲିସ। ସାମ୍ବାଦିକ ସମ୍ମିଳନୀରେ ଘଟଣାର ସବିଶେଷ ତଥ୍ୟ ଦେଇଛନ୍ତି ବଲାଙ୍ଗୀର ଏସ୍‌ପି ଅବିଳାଷ ଜୀ। ସ୍ତ୍ରୀଙ୍କୁ ବାପଘରୁ ଫେରାଇ ଆଣିବା ଆଶାରେ ଅଭିଯୁକ୍ତ ଶତ୍ରୁଘ୍ନ ସାହୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସନ୍ତୋଷ ଖର୍ସେଲଙ୍କୁ ନରବଳି ଦେଇଥିବା ପୋଲିସ ସ୍ପଷ୍ଟ କରିଛି। ଦେଓଗାଁ ଥାନା ଅନ୍ତର୍ଗତ ବଗଡ଼ା ଗାଁରେ ଘଟିଥିବା ଏହି ନାରକୀୟ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଶତ୍ରୁଘ୍ନ ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ମୃତ ସନ୍ତୋଷ ଜଣେ ମାନସିକ ଅନଗ୍ରସର ଯୁବକ ଥିଲେ।

ପୋଲିସର ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୧୮ ତାରିଖରେ ଶତ୍ରୁଘ୍ନ ଭୋଜି କରିବାର ଲୋଭ ଦେଖାଇ ସନ୍ତୋଷଙ୍କୁ ନିଜ ଗାଁକୁ ନେଇଥିଲେ। ପ୍ରଥମେ ତାଙ୍କୁ ଗାଁର ମଶାଣିକୁ ନେଇ ସେଠାରେ ପ୍ରେତ ପୂଜା କରିଥିଲେ। ପରେ ରାତିରେ ସନ୍ତୋଷଙ୍କୁ ନିଜ ଘରକୁ ନେଇଯାଇଥିଲେ।

ବିଳମ୍ବିତ ରାତିରେ ତନ୍ତ୍ର ପୂଜା ପରେ ଶତ୍ରୁଘ୍ନ କଟୁରୀରେ ସନ୍ତୋଷଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ମୁଣ୍ଡବିହୀନ ମୃତଦେହକୁ ଗାଁ ନିକଟ ଏକ ଗାଡ଼ିଆରେ ଫୋପାଡ଼ି ଦେଇଥିଲେ। ଏହାପରେ କଟାମୁଣ୍ଡକୁ ନିଜ ପୂଜାଘରେ ମାଟି ଖୋଳି ପୋତି ଦେଇଥିଲେ। ତା’ ଉପରେ ସିନ୍ଦୂର, ଫୁଲ ଓ ବେଲପତ୍ର ଦେଇ ପୂଜା କରିଥିବା ତଦନ୍ତରୁ ଜଣାପଡ଼ିଛି।

ପ୍ରାୟ ୧୦ ବର୍ଷ ପୂର୍ବରୁ ଶତ୍ରୁଘ୍ନଙ୍କ ଆଚରଣ ଓ ପାଗଳାମି ଯୋଗୁଁ ତାଙ୍କ ସ୍ତ୍ରୀ ବାପଘରକୁ ଚାଲିଯାଇଥିଲେ। ନରବଳି ଦେଲେ ସ୍ତ୍ରୀ ପୁଣି ତାଙ୍କ ପାଖକୁ ଫେରିଆସିବେ ବୋଲି ଶତ୍ରୁଘ୍ନ ବିଶ୍ୱାସ କରୁଥିବା ପୋଲିସ କହିଛି। ଘଟଣାର ତଦନ୍ତ ବେଳେ ପୋଲିସ ଅଭିଯୁକ୍ତଙ୍କ ପୂଜାଘରୁ ହତ୍ୟାରେ ବ୍ୟବହୃତ କଟୁରୀ ଜବତ କରିଛି। ଘଟଣା ସମ୍ପର୍କରେ ପୋଲିସର ତଦନ୍ତ ଜାରି ରହିଛି।

ଲତା-ଆଶାଙ୍କ ଅମର ସଙ୍ଗୀତକୁ ଶ୍ରଦ୍ଧାଞ୍ଜଳି, ଜୟଦେବ ଭବନରେ ‘ଦ ମିରର୍’ ସଙ୍ଗୀତ ସନ୍ଧ୍ୟା

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ୱରର ଜୟଦେବ ଭବନରେ ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର ସଙ୍ଗୀତ କାର୍ଯ୍ୟକ୍ରମ ‘ଦ ମିରର୍’। ମୂର୍ଚ୍ଛନା ମ୍ୟୁଜିକାଲ୍ ଗ୍ରୁପ୍ ପକ୍ଷରୁ ଆୟୋଜିତ ଏହି ସଙ୍ଗୀତ ସନ୍ଧ୍ୟା ଭାରତୀୟ ସଙ୍ଗୀତ ଜଗତର ଦୁଇ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକର ଓ ଆଶା ଭୋସଲେଙ୍କ ଅମର ସଙ୍ଗୀତକୁ ଉତ୍ସର୍ଗ କରାଯାଇଥିଲା।

ଲତା ଓ ଆଶାଙ୍କ ଅଗଣିତ ଲୋକପ୍ରିୟ ଗୀତକୁ ନେଇ ଆୟୋଜିତ ଏହି ସଙ୍ଗୀତ ସନ୍ଧ୍ୟା ଦର୍ଶକଙ୍କୁ ଏକ ଭାବପୂର୍ଣ୍ଣ ଓ ସ୍ମରଣୀୟ ସଙ୍ଗୀତ ଯାତ୍ରାର ଅନୁଭୂତି ଦେଇଥିଲା। କଣ୍ଠଶିଳ୍ପୀମାନେ ନିଜ ନିଜ ସୁମଧୁର କଣ୍ଠରେ ଦୁଇ ମହାନ ଗାୟିକାଙ୍କ ଅମର ସ୍ୱରର ସ୍ମୃତିକୁ ଜୀବନ୍ତ କରିଥିଲେ। କାର୍ଯ୍ୟକ୍ରମରେ ଲତା ମଙ୍ଗେଶକର ଓ ଆଶା ଭୋସଲେଙ୍କ ସଙ୍ଗୀତ ଜୀବନ ଏବଂ ସେମାନଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା। ସଙ୍ଗୀତ ପ୍ରେମୀ ଦର୍ଶକମାନେ ଏହି ମନୋରମ ସଙ୍ଗୀତ ସନ୍ଧ୍ୟାକୁ ଭରପୂର ଉପଭୋଗ କରିଥିଲେ।

ୟୁନିଟ୍‌-୧ ହାଟରେ ପୁଣି ଅଗ୍ନିକାଣ୍ଡ, ଜଳିଗଲା ଖଲି ଦୋକାନ; ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ନନ୍ଦିଘୋଷ ବ୍ୟୁରୋ : ପୁଣି ରାଜଧାନୀର ୟୁନିଟ୍‌-୧ ହାଟରେ ଅଗ୍ନିକାଣ୍ଡ। ହାଟ ଭିତରେ ଥିବା ଏକ ଗ୍ରୋସରୀ ଦୋକାନ ଓ ଖଲି ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ିଯାଇଛି। ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି।

ଆଜି ସକାଳ ପ୍ରାୟ ୬ଟା ୩୦ରୁ ୭ଟା ମଧ୍ୟରେ ହାଟରେ ନିଆଁ ଲାଗିଥିବା ସୂଚନା ମିଳିଛି। ଖବର ପାଇ କଳ୍ପନା ଓ ସେକ୍ରେଟାରିଏଟ୍‌ ଅଗ୍ନିଶମ କେନ୍ଦ୍ରର ଦୁଇଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଖଲି ଦୋକାନଟି ସମ୍ପୂର୍ଣ୍ଣ ଭାବେ ପୋଡ଼ିଯାଇଥିବା ବେଳେ ଗ୍ରୋସରୀ ଦୋକାନ ଓ ଏକ ପୂଜା ସାମଗ୍ରୀ ଦୋକାନରେ ଆଂଶିକ କ୍ଷୟକ୍ଷତି ହୋଇଛି। ନିଆଁରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡ଼ିଛି।

ମନ୍ଦିରରେ ସିନ୍ଦୂର ଦେଇ ମିଛ ବିବାହ, ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ; ଗିରଫ କଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ :  ମଥାରେ ସିନ୍ଦୂର ଦେଇ ମନ୍ଦିରରେ ମିଛ ବିବାହ। ଏହାପରେ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଜଣେ ମହିଳା। ଅଭିଯୋଗ ଆଧାରରେ ଅଭିଯୁକ୍ତ ଆକାଶ କହଁରଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ। ଆକାଶଙ୍କ ଘର ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ରତନପୁର ଅଞ୍ଚଳରେ। ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ବିବାହ ବିଚ୍ଛେଦ ପରେ ୨୦୨୧ ମସିହାରେ ସୋସିଆଲ ମିଡିଆ ଜରିଆରେ ଆକାଶଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା। ଅଭିଯୋଗ ଅନୁସାରେ, ଆକାଶ ମହିଳାଙ୍କୁ ପୁରୀ ନେଇ ସେଠାରେ ତାଙ୍କ ସହ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ।

ଏନେଇ ମହିଳା ଥାନାରେ ଅଭିଯୋଗ କରିବାକୁ ଯିବା ପରେ ଅଭିଯୁକ୍ତ ଆକାଶ ମନ୍ଦିରରେ ମଥାରେ ସିନ୍ଦୂର ଦେଇ ଫିଲ୍ମ ଷ୍ଟାଇଲରେ ବିବାହ କରିଥିବା ଅଭିଯୋଗ ହୋଇଛି। ହେଲେ ବିବାହ ପରେ ଆକାଶ ଆଉ ମହିଳାଙ୍କ ଧରାଛୁଆଁ ଦେଇନଥିବା ଅଭିଯୋଗ ହୋଇଛି। ଏନେଇ ବୌଦ୍ଧରେ ଜିରୋ ଏଫ୍‌ଆଇଆର୍‌ ହେବା ପରେ ଭରତପୁର ଥାନା ପୋଲିସ ବୌଦ୍ଧରୁ ଅଭିଯୁକ୍ତ ଆକାଶ କହଁରଙ୍କୁ ଗିରଫ କରିଛି।

iPhone ପାଇଁ ଗୋଟିଏ ପରିବାରର ୩ ଜୀବନ ଗଲା, ପୁଅକୁ ବଞ୍ଚାଇବାକୁ ଯାଇ ବାପା-ମା’ ମୃତ

ନନ୍ଦିଘୋଷ ବ୍ୟୁରୋ : ଆଇଫୋନ୍‌ ପାଇଁ ଜିଦ୍‌କୁ କେନ୍ଦ୍ର କରି ଚାଲିଗଲା ଗୋଟିଏ ପରିବାରର ୩ ଜୀବନ। ପୁଅକୁ ବଞ୍ଚାଇବାକୁ ଯାଇ ବାପା-ମା’ ମଧ୍ୟ ଆରପାରିକୁ ଚାଲିଗଲେ। ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜୀନଗର ଜିଲ୍ଲାର ତିସାଗାଁ ଅଞ୍ଚଳର ଖାବଦ୍ୟା ପର୍ବତରେ ଘଟିଛି ଏହି ଅଭାବନୀୟ ଘଟଣା। ଜଲତା ଫତା ଅଞ୍ଚଳର ୧୮ ବର୍ଷୀୟ କୁନାଲ ଚାନ୍ଦଗୁଡେ ଆଇଫୋନ୍‌ କିଣିବା ପାଇଁ ଜିଦ୍‌ ଧରିଥିଲେ। ହେଲେ ଆର୍ଥିକ ସମସ୍ୟା ଯୋଗୁଁ ତାଙ୍କ ବାପା ମୁରଲିଧର ଓ ମା’ ସଂଗୀତା ପୁଅର ଦାବି ପୂରଣ କରିପାରିନଥିଲେ। ମୁରଲିଧର ପେସାରେ ଜଣେ ଡ୍ରାଇଭର ହୋଇଥିବାରୁ ଦାମୀ ଆଇଫୋନ୍‌ କିଣିବା ତାଙ୍କ ପାଇଁ ସମ୍ଭବ ହୋଇନଥିଲା।

ଏହାକୁ ନେଇ କୁନାଲ ରାଗିଯାଇ ଗତକାଲି ସକାଳ ପ୍ରାୟ ୧୦ଟାରେ ସ୍ଥାନୀୟ ଏକ ପର୍ବତ ଉପରକୁ ଚଢ଼ି ଯାଇଥିଲେ। ସେଠାରୁ ଡେଇଁପଡ଼ିବାକୁ ଧମକ ଦେଇଥିଲେ। ପୁଅକୁ ବୁଝାଇବା ସହ ତାଙ୍କୁ ଏଭଳି ପଦକ୍ଷେପ ନନେବାକୁ ବାପା-ମା’ ନେହୁରା ହୋଇଥିଲେ। ହେଲେ କୁନାଲ କାହାରି କଥା ଶୁଣିନଥିଲେ।

ଖବର ପାଇ ସ୍ଥାନୀୟ ଗ୍ରାମବାସୀ, ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ କୁନାଲଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ପାହାଡ଼ ଉପରେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ତାଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇଥିଲା। ଦୀର୍ଘ ସମୟ ଧରି ଉଦ୍ଧାର ଉଦ୍ୟମ ଚାଲିଥିଲେ ମଧ୍ୟ ସଫଳତା ମିଳିନଥିଲା। ଶେଷରେ ପୁଅ ନିକଟରେ ପହଞ୍ଚିବା ମାତ୍ରେ କୁନାଲ ତଳକୁ ଡେଇଁପଡ଼ିଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ବାପା ମୁରଲିଧର ମଧ୍ୟ ଉଦ୍ୟମ କରିଥିଲେ। ହେଲେ ଉଭୟେ ତଳକୁ ଖସିପଡ଼ି ପ୍ରାଣ ହରାଇଥିଲେ। ଆଖି ଆଗରେ ପୁଅ ଓ ସ୍ୱାମୀଙ୍କୁ ହରାଇ ସଂଗୀତା ମଧ୍ୟ ଧୈର୍ଯ୍ୟ ହରାଇ ତଳକୁ ଡେଇଁପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତିନିଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଘଟଣାର ତଦନ୍ତ କରୁଛି ପୋଲିସ।

ମିଠା ପ୍ରିୟ ଲୋକେ ସାବଧାନ! ନାମୀଦାମୀ ମିଠା ଦୋକାନରେ ଚଢ଼ାଉ, ନଷ୍ଟ ହେଲା ଲକ୍ଷ ଲକ୍ଷ ଟଙ୍କାର ଖାଦ୍ୟ

ନନ୍ଦିଘୋଷ ବ୍ୟୁରୋ :  କଳିଙ୍ଗ ଷ୍ଟାଡିୟମ ନିକଟରେ ଥିବା ଏକ ନାମୀଦାମୀ ମିଠା ଦୋକାନରେ ସକାଳୁ ଚଢ଼ାଉ କରାଯାଇଛି। ବାସି ଖାଦ୍ୟ ଓ ଅପମିଶ୍ରିତ ଖାଦ୍ୟ ବିକ୍ରି ନେଇ ଅଭିଯୋଗ ପରେ ଏହି ଯାଞ୍ଚ କରାଯାଇଛି। ମିଠା ବିକ୍ରି ସ୍ଥାନଠାରୁ ଆରମ୍ଭ କରି ରୋଷେଇ ଘର ପର୍ଯ୍ୟନ୍ତ ସବୁଠି ଯାଞ୍ଚ କରିଛନ୍ତି ଅଧିକାରୀ। ଚଢ଼ାଉ ସମୟରେ ମିଠା ପ୍ରସ୍ତୁତ ହେଉଥିବା ସ୍ଥାନର ଫ୍ଲୋରିଂ ଖରାପ ଥିବାରୁ ଦୋକାନୀଙ୍କୁ ୫ ହଜାର ଟଙ୍କା ଜରିମାନା କରାଯାଇଛି।

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରେଡ୍

କେବଳ କଳିଙ୍ଗ ଷ୍ଟାଡିୟମ ନିକଟରେ ନୁହେଁ, ରସୁଲଗଡ଼, ହଂସପାଳ, ପାତ୍ରପଡ଼ା, ୟୁନିଟ୍-୪ ଓ କଳିଙ୍ଗ ନଗର ସମେତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମିଠା ଦୋକାନ ଓ ଛେନା ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରାଯାଇଛି।

ଛେନା ଓ ପନିରରେ ଅପମିଶ୍ରଣ ଅଭିଯୋଗ

ଭୁବନେଶ୍ୱରର ବିଭିନ୍ନ ମିଠା ଦୋକାନକୁ ପିପିଲି, ନିଆଳି ଓ ଅଡ଼ଶପୁର ଅଞ୍ଚଳରୁ ଛେନା ଓ ପନିର ଆସୁଥିବା ବେଳେ ଏଥିରେ ପାରଦ ମିଶାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହାପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ଓ ଚଢ଼ାଉକୁ ଜୋରଦାର କରାଯାଇଛି। ଗୁରୁବାର ସନ୍ଧ୍ୟାରେ ମଧ୍ୟ ରବୀନ୍ଦ୍ର ମଣ୍ଡପ ନିକଟରେ ଥିବା ଏକ ଛେନା ଦୋକାନରେ ରେଡ୍ କରାଯାଇଥିଲା। ସେଠାରୁ ପାଖାପାଖି ୭୦ କେଜି ଖାଦ୍ୟ ନଷ୍ଟ କରାଯାଇଥିଲା।

୭ ବ୍ୟବସାୟୀଙ୍କୁ ନୋଟିସ୍, ୧୦ ସ୍ଥାନରୁ ନମୁନା

ଏପର୍ଯ୍ୟନ୍ତ ୭ ଜଣ ବ୍ୟବସାୟୀଙ୍କୁ ନୋଟିସ୍ ଦିଆଯାଇଥିବା ବେଳେ ୧୦ଟି ସ୍ଥାନରୁ ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯାଇଛି।

କଟକରେ ବି ଚଢ଼ାଉ, ନଷ୍ଟ ହେଲା ୧୭ ଲକ୍ଷର ପନିର

କେବଳ ଭୁବନେଶ୍ୱର ନୁହେଁ, କଟକରେ ମଧ୍ୟ ସମାନ ଭାବେ ଚଢ଼ାଉ ଚାଲିଛି। ମାତ୍ର ୨ ଦିନ ମଧ୍ୟରେ ଚଢ଼ାଉ କରାଯାଇ ୧୭ ଲକ୍ଷରୁ ଅଧିକ ଟଙ୍କାର ପନିର ନଷ୍ଟ କରାଯାଇଛି। ସଂଗ୍ରହ କରାଯାଇଥିବା ନମୁନାର ପରୀକ୍ଷଣ ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ ଦୋଷୀ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।