spot_img
Home Blog Page 61

ବ୍ଲୁ ଲେକ୍‌ରୁ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ : ୨୪ ଘଣ୍ଟାର ଅପରେସନ ପରେ ବ୍ଲୁ ଲେକ୍‌ରୁ ମିଳିଲା ୨ ଛାତ୍ରଙ୍କ ମୃତଦେହ। ନୀଳଗିରି ଥାନା ଅନ୍ତର୍ଗତ ମିତ୍ରପୁର ନିକଟସ୍ଥ ପରିତ୍ୟକ୍ତ ଖାଦାନ ବ୍ଲୁ ଲେକ୍‌ରେ ଘଟିଥିଲା ଅଭାବନୀୟ ଘଟଣା। ଦୀର୍ଘ ୨୪ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଗଭୀର ପାଣିରୁ ନିଖୋଜ ଦୁଇ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଗଛ ଉପରୁ ପ୍ରାୟ ୨୦୦ ଫୁଟ ଗଭୀର ପାଣିକୁ ଡେଇଁବା ପରେ ଦୁଇ ଛାତ୍ର ବୁଡ଼ି ପ୍ରାଣ ହରାଇଥିଲେ। ସେମାନଙ୍କ ସହ ଥିବା କେନ୍ଦୁଝର ଅଞ୍ଚଳର ରୋଶନ ନାୟକ ଅଳ୍ପକେ ବର୍ତ୍ତି ଯାଇଥିଲେ।

ମୃତକ ଦୁଇ ଛାତ୍ର ହେଲେ ଭଦ୍ରକ ଅଞ୍ଚଳର ଅପୂର୍ବ ରଞ୍ଜନ ପାତ୍ରଙ୍କ ପୁଅ ଅଂଶୁମାନ ପାତ୍ର ଏବଂ ବାରିପଦା ଅଞ୍ଚଳର ଅଜିତ କୁମାର ପାତ୍ରଙ୍କ ପୁଅ ଭବେଶ ପାତ୍ର। ଉଭୟ ବାଲେଶ୍ୱର ଫକୀର ମୋହନ କଲେଜର ଯୁକ୍ତ ଦୁଇ ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ଘଟଣା ପରେ ନୀଳଗିରି ଓ ରେମୁଣା ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଏବଂ ସ୍କୁବା ଡାଇଭରଙ୍କ ମିଳିତ ଟିମ୍‌ ଗଭୀର ପାଣିରେ ଦୀର୍ଘ ସମୟ ଧରି ସର୍ଚ୍ଚ ଅପରେସନ ଚଳାଇଥିଲେ। ଶେଷରେ ଉଭୟ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି।

ଘଟଣାସ୍ଥଳରେ ହଜାର ହଜାର ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ପରିତ୍ୟକ୍ତ ଖାଦାନ ଚାରିପାଖରେ ସୁରକ୍ଷା ବାଡ଼ କିମ୍ବା ସତର୍କତା ସୂଚନା ଫଳକ ନଥିବାରୁ ପ୍ରଶାସନିକ ଉଦାସୀନତାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ନୀଳଗିରି ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ପ୍ରତିରକ୍ଷା ମନ୍ତ୍ରାଳୟ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ସସପେନ୍ସ, ୩ ମାସର ଗର୍ଭବତୀ ଥିଲେ ନାଜିୟା

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀର ଦ୍ୱାରକାରେ ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଦେଖାଦେଇଛି। ମୃତ୍ୟୁ ବେଳକୁ ସେ ୩ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଗତ ଅଗଷ୍ଟ ୨୧ ତାରିଖରେ ଦ୍ୱାରକାରେ ପ୍ରତିରକ୍ଷା ମନ୍ତ୍ରାଳୟର ଆସିଷ୍ଟାଣ୍ଟ ସେକ୍ସନ ଅଫିସର ନାଜିୟା ଖନାମ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

୩୦ ବର୍ଷୀୟା ନାଜିୟା ଗତ ଏପ୍ରିଲ ୧୧ ତାରିଖରେ ଅଜିମ ଅଲି ଖାନଙ୍କୁ ବିବାହ କରିଥିଲେ। ତେବେ ବିବାହ ପରଠାରୁ ସେ ସ୍ୱାମୀ ଅଜିମ, ଶାଶୂ ସମିନ ନିଶା, ଶ୍ୱଶୁର ବାବର ଅଲ୍ଲୀ ଖାନ ଓ ଅନ୍ୟ ସମ୍ପର୍କୀୟଙ୍କ ନିର୍ଯାତନାର ଶିକାର ହେଉଥିବା ତାଙ୍କ ବାପା ତୋୱାବ ଖାନ ଅଭିଯୋଗ କରିଛନ୍ତି। ଅଶାଳୀନ ବ୍ୟବହାର ସହ ତାଙ୍କୁ ମାଡ଼ ମାରିବା ଓ ଗାଳିଗୁଲଜ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି।

ପରିବାର ପକ୍ଷରୁ କୁହାଯାଇଛି ଯେ, ନାଜିୟା ୩ ମାସର ଗର୍ଭବତୀ ଥିଲେ। ଅଗଷ୍ଟ ୨୧ ଭୋର ପ୍ରାୟ ୪ଟା ସମୟରେ ପରିବାର ଲୋକଙ୍କୁ ଫୋନ୍ କରି ନାଜିୟା ଆତ୍ମହତ୍ୟା କରିଥିବା ସୂଚନା ଦିଆଯାଇଥିଲା। ଏହାପରେ ମୃତଦେହକୁ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଛି। ନାଜିୟାଙ୍କ ମୃତ୍ୟୁକୁ ନେଇ ପରିବାର ଅନେକ ପ୍ରଶ୍ନ ଉଠାଇବା ସହ ସବିଶେଷ ପୋଷ୍ଟମର୍ଟମ କରିବାକୁ ଦାବି କରିଛି। ଅନ୍ୟପଟେ ଘଟଣାର ପ୍ରକୃତ କାରଣ ଓ ପରିସ୍ଥିତି ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

E20 ବିରୋଧୀ ଆନ୍ଦୋଳନ ପୂର୍ବରୁ ଗୃହବନ୍ଦୀ ସାମାଜିକ କର୍ମୀ ତେହସିନ ପୁନାୱାଲା

ନନ୍ଦିଘୋଷ ବ୍ୟୁରୋ ; E20 ପ୍ରସଙ୍ଗରେ ଆନ୍ଦୋଳନ ପୂର୍ବରୁ ଗୃହବନ୍ଦୀ ହୋଇଛନ୍ତି ସାମାଜିକ କର୍ମୀ ତେହସିନ ପୁନାୱାଲା। ଦିଲ୍ଲୀ ପୋଲିସ ତାଙ୍କୁ ଗୃହବନ୍ଦୀ କରିଥିବା ଅଭିଯୋଗ କରିଛନ୍ତି ତେହସିନ। କେନ୍ଦ୍ର ସରକାରଙ୍କ E20 ନୀତି ବିରୋଧରେ ଯନ୍ତର ମନ୍ତରରେ ଆନ୍ଦୋଳନ କରିବାକୁ ଯିବା ପୂର୍ବରୁ ତାଙ୍କୁ ଘରେ ଅଟକ ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି।

ତେହସିନଙ୍କ ଘରେ ପୋଲିସ ପହଞ୍ଚିବା ପରେ ସେ ପୋଲିସ କର୍ମଚାରୀଙ୍କୁ ଆଖୁ ରସ ଦେଇଥିବା ଜଣାପଡ଼ିଛି। E20 ପ୍ରସଙ୍ଗରେ ବ୍ୟାପକ ‘ସୁଗାର ସ୍କାମ୍’ ହୋଇଥିବା ତେହସିନ ଅଭିଯୋଗ କରିଛନ୍ତି। ଏନେଇ ଦିଲ୍ଲୀ ପୋଲିସ ତାଙ୍କ ଘରେ ପହଞ୍ଚିଥିବାର ଏକ ଭିଡିଓ ମଧ୍ୟ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଭିଡିଓରେ ପୋଲିସ ତାଙ୍କୁ ପଚରାଉଚରା କରୁଥିବା ଦୃଶ୍ୟ ରହିଛି।

ଅନ୍ୟପଟେ, ଯନ୍ତର ମନ୍ତରରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ତେହସିନଙ୍କୁ ସେଠାକୁ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପୋଲିସ କହିଛି। ଆନ୍ଦୋଳନରେ କିଛି ଅସାମାଜିକ କିମ୍ବା ଉଦ୍ଦେଶ୍ୟମୂଳକ ଲୋକ ସାମିଲ ହେବାର ଆଶଙ୍କା ଥିବାରୁ ତାଙ୍କୁ ଯନ୍ତର ମନ୍ତର ଯିବାକୁ ରୋକାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ପୁଣି ହର୍ମୁଜକୁ ନିଜର ବୋଲି ଦାବି କଲେ ଟ୍ରମ୍ପ, ନୂଆ ମ୍ୟାପ୍ ପୋଷ୍ଟ କରି ବଢ଼ାଇଲେ ବିବାଦ

ନନ୍ଦିଘୋଷ ବ୍ୟୁରୋ ; ପୁଣି ଥରେ ହର୍ମୁଜକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଦାବି। ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ଆମେରିକାର ଏକ ନୂଆ ମାନଚିତ୍ର ପୋଷ୍ଟ କରିଛନ୍ତି ଟ୍ରମ୍ପ। ଏହି ମାନଚିତ୍ରରେ ହର୍ମୁଜ ପ୍ରଣାଳୀକୁ ଆମେରିକାର ଅଂଶ ଭାବେ ଦର୍ଶାଯାଇଥିବା ଦେଖାଯାଇଛି।

ଏହା ପୂର୍ବରୁ ଗତ ଅଗଷ୍ଟ ୧୮ ତାରିଖରେ ମଧ୍ୟ ଟ୍ରମ୍ପ ଏହି ଧରଣର ଏକ ମାନଚିତ୍ର ପୋଷ୍ଟ କରିଥିଲେ। ଏବେ ପୁଣି ଥରେ ହର୍ମୁଜକୁ ନେଇ ଏଭଳି ଦାବି କରିବା ପରେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ତୀବ୍ର ହୋଇଛି। ଗତ ଅଗଷ୍ଟ ୧୪ରେ ଟ୍ରମ୍ପ ଖୁବ୍‌ଶୀଘ୍ର ହର୍ମୁଜକୁ ଆମେରିକାର ଏକ ଅଂଶ ଭାବେ ଘୋଷଣା କରିବେ ବୋଲି କହିଥିଲେ। ଟ୍ରମ୍ପଙ୍କ ଏହି ଦାବିକୁ ଇରାନ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ଇରାନ ସୁପ୍ରିମ୍ ନ୍ୟାସନାଲ୍ ସିକ୍ୟୁରିଟି କାଉନସିଲ୍‌ର ସଚିବ ମହସିନ୍ ରେଜାଇ କହିଛନ୍ତି, ପ୍ରାୟ ୭ ହଜାର ମାଇଲ୍ ଦୂରରେ ଥିବା ହର୍ମୁଜକୁ ଆମେରିକା ନିଜର ବୋଲି ଘୋଷଣା କରିବା ଅଶୋଭନୀୟ।

ସେପଟେ ଇରାନକୁ ନେଇ ଆମେରିକାର ଚାପ ଆହୁରି ବଢ଼ିବାର ସଙ୍କେତ ମିଳିଛି। ଖୁବ୍‌ଶୀଘ୍ର ଇରାନ ବିରୋଧରେ କଠୋର ଅର୍ଥନୈତିକ କଟକଣା ଜାରି କରାଯିବ ବୋଲି ଆମେରିକା ଟ୍ରେଜେରୀ ସେକ୍ରେଟାରୀ ସ୍କଟ୍ ବେସେଣ୍ଟ ସୂଚନା ଦେଇଛନ୍ତି। ପ୍ରସ୍ତାବିତ କଟକଣାକୁ ଇରାନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଇସମାଇଲ୍ ବାଘେଇ ସମାଲୋଚନା କରିଛନ୍ତି।

ଥାନାଠାରୁ ୧୦୦ ମିଟର ଦୂରରେ ବଡ଼ ଧରଣର ଡକାୟତି, ସୁନା ବ୍ୟବସାୟୀଙ୍କ ଘରୁ କୋଟିଏ ଟଙ୍କାର ଗହଣା ଲୁଟ

ନନ୍ଦିଘୋଷ ବ୍ୟୁରୋ ; ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ ଘଟିଛି ବଡ଼ ଧରଣର ଡକାୟତି। ଥାନାଠାରୁ ମାତ୍ର ୧୦୦ ମିଟର ଦୂର ମୁଖ୍ୟ ଛକରେ ଥିବା ସୁନା ବ୍ୟବସାୟୀ ଫୁଲଚନ୍ଦ ଜୈନଙ୍କ ଘରେ ପଶି ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ନୂଆ ବୋଲେରୋ ଗାଡ଼ିରେ ୬ ଜଣ ଡକାୟତ ମାରଣାସ୍ତ୍ର ଧରି ଆସିଥିବା ବେଳେ, ୪ ଜଣ ଘର ଭିତରକୁ ପଶିଥିଲେ ଏବଂ ୨ ଜଣ ବାହାରେ ଜଗି ରହିଥିଲେ।

ଫୁଲଚନ୍ଦଙ୍କ ପୁଅ ଓ ବୋହୂ ମେଡିକାଲ କାମରେ ବାହାରକୁ ଯାଉଥିବା ସମୟରେ ଘରେ ଫୁଲଚନ୍ଦ, ତାଙ୍କ ବୃଦ୍ଧା ସ୍ତ୍ରୀ ଓ ନାତୁଣୀ ଥିଲେ। ଏହି ସମୟରେ ଡକାୟତମାନେ ଘରେ ପଶି ଫୁଲଚନ୍ଦ ଓ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ଅସ୍ତ୍ରଶସ୍ତ୍ର ଦେଖାଇ ଲୁଟ୍ କରିଥିଲେ। ଲୁଟ୍ ପରେ ଘରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କ ମଧ୍ୟ ନେଇଯାଇଥିଲେ ଦୁର୍ବୃତ୍ତ। ପ୍ରାୟ କୋଟିଏ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଖବର ପାଇ ସିନ୍ଧେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡକାୟତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତନାଘନା ଜାରି ରହିଛି।

ଖରିଫ ଚାଷୀ ପଞ୍ଜୀକରଣରେ ଅବ୍ୟବସ୍ଥା, ଜଟିଳ ନିୟମ ଓ ସର୍ଭର ସମସ୍ୟାରେ ଚାଷୀ ହନ୍ତସନ୍ତ

ନନ୍ଦିଘୋଷ ବ୍ୟୁରୋ ; ଖରିଫ ଚାଷୀ ପଞ୍ଜୀକରଣକୁ ନେଇ ବଢ଼ିଚାଲିଛି ଚାଷୀ ଅସନ୍ତୋଷ। ମଣ୍ଡିରେ ସ୍ୱଚ୍ଛତା ଆଣିବା ସହ ଚାଷୀଙ୍କୁ ସିଧାସଳଖ ଟଙ୍କା ଦେବାକୁ ସରକାର କହୁଥିବା ବେଳେ, ଖରିଫ ପଞ୍ଜୀକରଣ ପ୍ରକ୍ରିୟାରେ ଜଟିଳ ନିୟମ ଚାଷୀଙ୍କ ସମସ୍ୟା ବଢ଼ାଇଦେଇଛି। ଚାଷ କାମ ଛାଡ଼ି ପ୍ୟାକ୍ସ ଆଗରେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡ଼ୁଛି ଚାଷୀଙ୍କୁ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଏବେ ହଜାର ହଜାର ଚାଷୀ ପଞ୍ଜୀକରଣକୁ ନେଇ ସମସ୍ୟାରେ ପଡ଼ିଛନ୍ତି। ଅସ୍ତରଙ୍ଗ ବ୍ଲକରେ ମୋଟ ୧୦ଟି ପ୍ୟାକ୍ସ ରହିଛି। ଗତ ଖରିଫ ଋତୁରେ ୩୨୦୪ ଜଣ ଚାଷୀ ପଞ୍ଜୀକରଣ କରିଥିଲେ। କିନ୍ତୁ ଚଳିତବର୍ଷ ଅଗଷ୍ଟ ୨୦ ସୁଦ୍ଧା ମାତ୍ର ୧୨୧୫ ଜଣ, ଅର୍ଥାତ୍ ପ୍ରାୟ ୩୮ ପ୍ରତିଶତ ଚାଷୀ ପଞ୍ଜୀକରଣ କରିଛନ୍ତି। ଏବେ ବି ୧୯୮୯ ଜଣ, ଅର୍ଥାତ୍ ୬୨ ପ୍ରତିଶତ ଚାଷୀ ପଞ୍ଜୀକରଣ କରିନାହାନ୍ତି। ପଞ୍ଜୀକରଣ ପାଇଁ ଆଉ ଅଳ୍ପ ଦିନ ଥିବାରୁ ଏହାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି। ନୂଆ ନିୟମ ଅନୁସାରେ ଗୋଟିଏ ପ୍ୟାକ୍ସ ପାଇଁ ଗୋଟିଏ ମାତ୍ର ଆଇଡି ରହିଛି। ଜଣେ ଚାଷୀଙ୍କ ଡାଟା ସବମିଟ୍ ହେବା ପରେ ହିଁ ପରବର୍ତ୍ତୀ ଚାଷୀଙ୍କ ଡାଟା ଏଣ୍ଟ୍ରି କରାଯାଇପାରୁଛି। ଏହା ସହ ଆଇ-ସ୍କାନ୍ ଓ ଫଟୋ ଅପଲୋଡ୍ ଭଳି ପ୍ରକ୍ରିୟା ମଧ୍ୟ ରହିଛି। ତା’ ଉପରେ ଘଣ୍ଟା ଘଣ୍ଟା ଧରି ସର୍ଭର ଡାଉନ୍ ରହୁଥିବାରୁ ପଞ୍ଜୀକରଣ ପ୍ରକ୍ରିୟା ଆହୁରି ଧିମା ହୋଇଯାଉଛି।

ଗୋଟିଏ ଗୋଟିଏ ପ୍ୟାକ୍ସରେ ୩୦୦ରୁ ୪୦୦ ଜଣ ଚାଷୀ ରହୁଥିବା ବେଳେ ଗୋଟିଏ ଆଇଡିରେ ଏତେ ସଂଖ୍ୟକ ଚାଷୀଙ୍କ ପଞ୍ଜୀକରଣ କିପରି ସମ୍ଭବ ହେବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏନେଇ ସମବାୟ ସମିତି ଉପନିବନ୍ଧକଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ, ପଞ୍ଜୀକରଣ ଅବଧି ବଢ଼ାଇବାକୁ ଚାଷୀମାନେ ଦାବି କରିଛନ୍ତି।

ପାର୍ବଣ ଆଗରୁ ମିଠା ବେପାରରେ ମହଙ୍ଗା ମାଡ, ଚିନି ଦର ବୃଦ୍ଧିରେ ଚିନ୍ତାରେ ବ୍ୟବସାୟୀ

ନନ୍ଦିଘୋଷ ବ୍ୟୁରୋ ; ମିଠା ବିନା ପାର୍ବଣ ଫିକା। ହେଲେ ଏଥର ପାର୍ବଣ ଆଗରୁ ମିଠା ବ୍ୟବସାୟ ଉପରେ ପଡ଼ିଛି ମହଙ୍ଗା ମାଡ଼। ସାମ୍ନାରେ ରାକ୍ଷୀ ପୂର୍ଣ୍ଣିମା, ଗଣେଶ ପୂଜା, କୁମାର ପୂର୍ଣ୍ଣିମା ସମେତ ଲମ୍ବା ପାର୍ବଣ ଋତୁ। ଏହି ସମୟରେ ମିଠା ବଜାର ଚଳଚଞ୍ଚଳ ହେବା କଥା। କିନ୍ତୁ ଚିନି ସମେତ ବିଭିନ୍ନ କଞ୍ଚାମାଲର ଦର ବୃଦ୍ଧି ଏବେ ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇଛି।

ପୁରୀ ଜିଲ୍ଲା କାକଟପୁରର ପ୍ରସିଦ୍ଧ ଆନନ୍ଦ ବଜାରରୁ ଏହି ସମୟରେ କୁଇଣ୍ଟାଲ କୁଇଣ୍ଟାଲ ରସଗୋଲା, ଛେନାପୋଡ଼ ଓ ଚମଚମ ବାହାର ବ୍ଲକ ଅଞ୍ଚଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇଥାଏ। ହେଲେ ଏବେ ସେଠାରେ ମିଠା ବେପାର ମାନ୍ଦା ପଡ଼ିବା ଆଶଙ୍କା ଦେଖାଦେଇଛି। ଗତ ସପ୍ତାହକ ମଧ୍ୟରେ ଚିନି ଦର ହଠାତ୍ ବଢ଼ି କିଲୋ ପିଛା ପ୍ରାୟ ୭୦ ଟଙ୍କାରେ ପହଞ୍ଚିଛି।

ଚିନି ପୂର୍ବରୁ କ୍ଷୀର, ଛେନା, ଖାଇବା ତେଲ, ଘିଅ ଓ ମଇଦା ଦର ମଧ୍ୟ ବଢ଼ିସାରିଛି। ଫଳରେ କାକଟପୁର, ଅସ୍ତରଙ୍ଗ ଓ କୋଣାର୍କ ଅଞ୍ଚଳର ଅନେକ ମିଠା ବ୍ୟବସାୟୀ ଚିନ୍ତାରେ ପଡ଼ିଛନ୍ତି। ବ୍ୟବସାୟୀଙ୍କ କହିବା ଅନୁସାରେ, ଗୋଟିଏ କିଲୋ ମିଠା ପ୍ରସ୍ତୁତ କରିବାରେ ଏବେ ପ୍ରାୟ ୧୫୦ ଟଙ୍କା ଅଧିକ ଖର୍ଚ୍ଚ ହେଉଛି। କଞ୍ଚାମାଲ ଦର ବଢ଼ୁଥିବାରୁ ମିଠା ଦର ବଢ଼ାଇବାକୁ ବ୍ୟବସାୟୀ ବାଧ୍ୟ ହେବେ। ହେଲେ ଦର ବଢ଼ିଲେ ଗ୍ରାହକଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବା ସହ ବେପାର ମାନ୍ଦା ହେବାର ଆଶଙ୍କା ରହିଛି। ପାର୍ବଣ ଋତୁ ପୂର୍ବରୁ ମିଠା ବ୍ୟବସାୟ ଉପରେ ଏଭଳି ମହଙ୍ଗା ମାଡ଼ ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇଛି।

ପାରାଦୀପରୁ ଚାଇନା ଯାଉଥିବା ଜାହାଜ ବୁଡ଼ିଲା, ଓଦା ଲୁହାପଥର ହୋଇପାରେ ଦୁର୍ଘଟଣାର କାରଣ

ନନ୍ଦିଘୋଷ ବ୍ୟୁରୋ ; ପାରାଦୀପ ବନ୍ଦରରୁ ଲୁହାପଥର ନେଇ ଚାଇନା ଯାଉଥିବା ପଣ୍ୟବାହୀ ଜାହାଜ ‘ଓସେନ୍ ୱିନର’ ମଝି ସମୁଦ୍ରରେ ବୁଡ଼ିଯାଇଛି। ଜାହାଜରେ ୨୦ ଜଣ ଚାଇନା ନାଗରିକ, ଜଣେ ବାଂଲାଦେଶୀ ଏବଂ ୩ ଜଣ ଇଣ୍ଡୋନେସିଆ ନାଗରିକ ଥିବା ଜଣାପଡ଼ିଛି। ଗତ ୨୦ ତାରିଖରେ ପାରାଦୀପ ବନ୍ଦର ଛାଡ଼ି ଜାହାଜଟି ଚାଇନା ଅଭିମୁଖେ ଯାଉଥିଲା। ତେବେ ପାରାଦୀପଠାରୁ ପ୍ରାୟ ୨୪୦ ନଟିକାଲ ମାଇଲ ବା ୩୮୪ କିଲୋମିଟର ଦୂରରେ ଭାରତୀୟ ଅନ୍ତର୍ଜାତୀୟ ଜଳସୀମା ନିକଟରେ ଏହା ବୁଡ଼ିଥିବା ସୂଚନା ମିଳିଛି।

ଗତ ୨୧ ତାରିଖରୁ ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହାପରେ ଜାହାଜର ସନ୍ଧାନ ଆରମ୍ଭ ହୋଇଥିଲା। ଏବେ ଜାହାଜର ଅବସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ଆଣ୍ଡାମାନର କୋଷ୍ଟଗାର୍ଡ ଓ ନୌସେନା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି। ପାରାଦୀପ କୋଷ୍ଟଗାର୍ଡ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି।

ପ୍ରାଥମିକ ଭାବେ ଓଦା ଲୁହାପଥରକୁ ଏହି ବଡ଼ ଅଘଟଣର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଗତ କିଛିଦିନ ଧରି ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ପାରାଦୀପକୁ ଆସୁଥିବା ଲୁହାପଥର ଯଥେଷ୍ଟ ସୁରକ୍ଷା ସହ ଗଚ୍ଛିତ ରଖାଯାଉନଥିବା ଅଭିଯୋଗ ରହିଛି। ବନ୍ଦର ଭିତରେ ଥିବା ଖୋଲା ପ୍ଲଟ୍‌ରେ ଲୁହାପଥର ଗଚ୍ଛିତ ରଖିବା ପରେ ତାହା ଜାହାଜରେ ଲୋଡ୍ କରାଯାଉଥିବା କୁହାଯାଉଛି। ବର୍ଷା ଯୋଗୁଁ ଲୁହାପଥର ଓଦା ହୋଇ କାଦୁଆ ଆକାର ଧାରଣ କରୁଥିବାରୁ ଏହାର ଓଜନ ବଢ଼ିଯାଉଛି। ଫଳରେ ନିର୍ଦ୍ଧାରିତ ଉଚ୍ଚତା ପର୍ଯ୍ୟନ୍ତ ଲୋଡ୍ କରାଯାଇଥିଲେ ମଧ୍ୟ ଜାହାଜରେ ଲୁହାପଥରର ଓଜନ ଏହାର ଧାରଣ କ୍ଷମତାଠାରୁ ଅଧିକ ହୋଇପାରେ। ଲୋଡିଂ ପରେ ଓଦା ଲୁହାପଥର ତଳକୁ ବସିଯିବାରୁ ଜାହାଜର ଭାରସାମ୍ୟ ମଧ୍ୟ ପ୍ରଭାବିତ ହୋଇଥାଇପାରେ। ତେବେ ଜାହାଜ ବୁଡ଼ିବାର ପ୍ରକୃତ କାରଣ ଉଦ୍ଧାର ଓ ତଦନ୍ତ ପରେ ସ୍ପଷ୍ଟ ହେବ।

 

ରାକ୍ଷୀ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ବଜାର, ଭାଇଙ୍କ ପାଇଁ ପସନ୍ଦର ରାକ୍ଷୀ ଖୋଜୁଛନ୍ତି ଭଉଣୀ

ନନ୍ଦିଘୋଷ ବ୍ୟୁରୋ ;  ବଜାରରେ ମେଲିଛି ରାକ୍ଷୀର ପସରା। ଜମିଲାଣି କିଣାବିକାର ଆସର। ଭାଇ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ । ଆଉ ଭାଇ ଦେବ ଜୀବନ ସାରା ରକ୍ଷା କରିବାର ପ୍ରତିଶ୍ରୁତି। ପୁରୀ ଜିଲ୍ଲା କୋଣାର୍କ, କାକଟପୁର, ଅସ୍ତରଙ୍ଗ, ନୟାହାଟ ବଜାରରେ ଏବେ ହଜାର ହଜାର ରାକ୍ଷୀ। ଚାଉଳରେ ତିଆରି ଇକୋ ଫ୍ରେଣ୍ଡଲି ରାକ୍ଷୀ, ରାତିରେ ଜଳୁଥିବା ଲାଇଟ୍ ରାକ୍ଷୀ, କୁନି ଭାଇ ପାଇଁ ଟେଡି ରାକ୍ଷୀ । ଏସବୁ ଏଥର ଜେନ-ଜି ପିଢିର ପ୍ରଥମ ପସନ୍ଦ। ତା ମଧ୍ୟରେ ଜେନ -ଜି ରାକ୍ଷୀ ଟ୍ରେଣ୍ଡରେ ରହିଛି। ଜଗନ୍ନାଥଙ୍କ ମଉଡମଣୀ ରାକ୍ଷୀ, ରୁଦ୍ରାକ୍ଷ, ତୁଳସୀ ରାକ୍ଷୀ ବି ବହୁ ମାତ୍ରାରେ ବିକ୍ରି ହେଉଛି। ୨ ଟଙ୍କାରୁ ୨ ହଜାର ଟଙ୍କା ଯାଏଁ ମିଳୁଛି ରାକ୍ଷୀ। ଭଉଣୀ ମାନେ ଦୋକାନ ବୁଲି ବୁଲି ନିଜ ଭାଇ ପାଇଁ ସବୁଠୁ ସୁନ୍ଦର ରାକ୍ଷୀ କିଣୁଛନ୍ତି। ରାକ୍ଷୀ ପୂର୍ଣ୍ଣିମା ପାଇଁ କଟକ ଜିଲ୍ଲା ବଡ଼ମ୍ବାରେ ଜମିଲାଣି ରାକ୍ଷୀ ବଜାର। ବିଭିନ୍ନ ରଙ୍ଗ ଓ ଡିଜାଇନ୍ର ରାକ୍ଷୀରେ ସଜା ହୋଇଛି ଦୋକାନ। ଷ୍ଟୋନ୍, ଫ୍ୟାନ୍ସି ଓ ବ୍ରେସଲେଟ୍ ରାକ୍ଷୀ ସାଙ୍ଗକୁ ଛୋଟ ପିଲାଙ୍କ ପାଇଁ ଆକର୍ଷଣୀୟ ଡିଜାଇନ୍। ଭାଇ ହାତରେ ସ୍ନେହର ସୂତା ବାନ୍ଧିବାକୁ ପସନ୍ଦର ରାକ୍ଷୀ ବାଛୁଛି ଭଉଣୀ। ଚଳିତ ବର୍ଷ ଭଲ ରାକ୍ଷୀ ବିକ୍ରି ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ।

ବୈତରଣୀର କରାଳ ରୂପ, କୂଳ ଖାଉଛି ନଦୀ; ନଦୀଗର୍ଭରେ ଲୀନ ହେବ କି ଗାଁ?

ନନ୍ଦିଘୋଷ ବ୍ୟୁରୋ ; କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଶାଳଦେଇ ଓଡ଼ପଡ଼ା ଗ୍ରାମବାସୀଙ୍କ ପାଇଁ ବୈତରଣୀ ଏବେ ଅଭିଶାପ ପାଲଟିଛି। ପ୍ରତିବର୍ଷ ବନ୍ୟା ଆସୁଥିବା ବେଳେ ଏବେ ତଳି ଅଞ୍ଚଳରେ ନଦୀ କୂଳ ଖାଇବା ଆରମ୍ଭ କରିଛି। ଫଳରେ ଗାଁ ନଦୀଗର୍ଭରେ ଲୀନ ହୋଇଯିବା ନେଇ ଆଶଙ୍କାରେ ଅଛନ୍ତି ଲୋକେ। ନଦୀ କୂଳରେ ଥିବା ବଡ଼ ବଡ଼ ଗଛ ଧୀରେ ଧୀରେ ନଦୀଗର୍ଭକୁ ଚାଲିଯାଉଛି। ଚଳିତ ବର୍ଷ ବୈତରଣୀରେ ତିନିଥର ବନ୍ୟା ଆସିବା ପରେ ନଦୀ ପଠାରେ ଥିବା ଶହ ଶହ ମୂଲ୍ୟବାନ ଗଛ ନଦୀରେ ଲୀନ ହୋଇସାରିଛି। ନଦୀ ଧୀରେ ଧୀରେ ଅତଡ଼ା ଖାଇବାରୁ ନଦୀବନ୍ଧର ସୁରକ୍ଷା ନେଇ ମଧ୍ୟ ଚିନ୍ତା ବଢ଼ିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ନଦୀର କାୟା ପୂର୍ବାପେକ୍ଷା ପ୍ରାୟ ୧୦ ଗୁଣ ବଢ଼ିଛି। ଗାଁ ଆଡ଼ିବନ୍ଧକୁ ମଜବୁତ କରିବା ସହ ନଦୀବନ୍ଧରେ ପଥର ପ୍ୟାଚିଂ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ଅଞ୍ଚଳବାସୀ। ଏଥିସହ ବେଆଇନ ବାଲି ଉତ୍ତୋଳନକୁ ମଧ୍ୟ ନଦୀକୂଳ କ୍ଷୟର ଏକ କାରଣ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଉପଜିଲ୍ଲାପାଳ ଚିନ୍ତା ପ୍ରକଟ କରିଛନ୍ତି। ତୁରନ୍ତ ଜଳସମ୍ପଦ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରି ନଦୀବନ୍ଧରେ ପଥର ପ୍ୟାକିଂ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।