spot_img
Home Blog Page 6023

ଟିକା ସ୍କାମ୍ : ପରିବାର,ବନ୍ଧୁଙ୍କୁ ସ୍ୱାସ୍ଥ୍ୟକର୍ମୀ କହି ଟିକା ଦେଉଛନ୍ତି ଡାକ୍ତର

ମୁମ୍ୱାଇ: କରୋନା ଟିକାକରଣରେ ଅନିୟମିତତା । ଦେଶରେ କରୋନା ଟିକାକରଣ ଜାରି ରହିଥିବା ବେଳେ ଏଥିରେ କିଛି ଅନିୟମିତତା ହୋଇଥିବା ଖବର ବାହାରକୁ ଆସିଛି । ଖବରଅନୁଯାୟୀ, କିଛି ଘରୋଇ ହସ୍ପିଟାଲ ଦେଶରେ ଚାଲିଥିବା ଏହି ମାଗଣା ଟିକାକରଣର ଫାଇଦା ଉଠାଉଛନ୍ତି । ସେମାନେ ନିଜ ପରିବାର ଏବଂ ବନ୍ଧୁଙ୍କ ମାନ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକାରେ ପକାଉଛନ୍ତି । ଏବଂ ତାଙ୍କୁ ଟିକା ଦେଉଛନ୍ତି । ସରକାର ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଲୋକଙ୍କୁ କରୋନା ଟିକା ଦେବା ନେଇ ଯୋଜନା କରିଛନ୍ତି  ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ଅବମରାବତିର ଅଚଲପୁର ଜିଲ୍ଲା ହସ୍ପିଟାଲ ତଦନ୍ତ ପରିସରକୁ ଆସିସାରିଛି । ଏହି ହସ୍ପିଟାଲ ନିଜ ପରିବାରର ସଦସ୍ୟ ଏବଂ ବନ୍ଧୁଙ୍କୁ ଭ୍ୟାକ୍ସିନ୍ ଦେଇଛି । ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ କେବଳ ପବ୍ଲିକ୍ ଏବଂ ପ୍ରାଇଭେଟ ସେକ୍ଟର ସ୍ୱାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟଲାଇନ୍ ଓ୍ୱାର୍କସଙ୍କୁ ମାଗଣା ଟିକା ନେବାକୁ ଅନୁମତି ଦିଆଯାଇଛି  । ଏଭଳି ମାମଲା ଗୋଆ ଏବଂ ଚେନ୍ନାଇରେ ମଧ୍ୟ ଦେଖିବାକୁ ମିଳିଛି ।

ଅଚଲପୁର ସ୍ଥିତ ଭଂସଲି ସୁପର ସ୍ପେଶାଲିଷ୍ଟର ଡାକ୍ତର ଆଶିଷ ଭଂସାଲି ସ୍ୱାସ୍ଥ୍ୟକର୍ମୀ ଦର୍ଶାଇ ପରିବାରର ୧୯ ସଦସ୍ୟ ଏବଂ ୨ ବନ୍ଧୁଙ୍କ ନାମ ସାମିଲ କରିଛନ୍ତି । ଏ ସମସ୍ତଙ୍କୁ କରୋନା ଭ୍ୟାକ୍ସିନ୍‌ର ପ୍ରଥମ ଡୋଜ୍ ମିଳିସାରିଛି । ତେବେ ଏ ନେଇ ସଫେଇ ଦେଇ ଡାକ୍ତର କହିଛନ୍ତି ଯେ, ତାଲିକାରେ ସ୍ୱାସ୍ଥ୍ୟକର୍ମୀଙ୍କ ନିକଟ ସମ୍ପର୍କୀୟଙ୍କ ନାମ ତାଲିକାରେ ସାମିଲ ହୋଇପାରିବ ଏଣୁ ସେମାନଙ୍କୁ ଟିକାକରଣ ତାଲିକାରେ ସାମିଲ କରିଥିବା ଡାକ୍ତର ଜଣଙ୍କ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ରେପୋ ରେଟକୁ ଅପରିବର୍ତ୍ତିତ ରଖିଲା ଆରବିଆଇ

ବିଜେଡିର ମହାମିଶ୍ରଣ ପର୍ବ, ମିଶିଲେ ଅନ୍ୟଦଳର ଶତାଧିକ କର୍ମୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବଢ଼ୁଛି ବିଜେଡିର ସଂଗଠନ । ଜିଲ୍ଲାର ମୋରୋଡ଼ା ନିର୍ବାଚନ ମଣ୍ଡଳୀର ରାସଗୋବିନ୍ଦପୁର ବ୍ଲକରେ ବିଜେଡିର ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେଡିର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରୋଡ଼ା ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଜନ୍ମଜୟ ଲେଙ୍କା, ମୋରୋଡ଼ା ବିଧାୟକ ରାଜକିଶୋର ଦାସଙ୍କ ଉପସ୍ଥିତିରେ ଏହି ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।

BJP, JMM, Congress Supporters Join BJD At Morada

ମହାମିଶ୍ରଣ ପର୍ବରେ ବିଜେପି, ଜେଏମ୍ଏମ୍ ଓ କଂଗ୍ରେସ ଦଳର ହଜାରେରୁ ଅଧିକ ସକ୍ରିୟ କର୍ମୀ ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ସୁଦାମ ମାରାଣ୍ଡି ପ୍ରେରଣା ଦେଇଥିଲେ । ଓଡ଼ିଶାର ଏକ ମାତ୍ର ଆଞ୍ଚଳିକ ଦଳ ଭାବେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତିରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ସମ୍ପର୍କରେ ଅବଗତ କରାଇଥିଲେ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ଦାସ ।

BJP, JMM, Congress Supporters Join BJD At Morada

ଅନୁଷ୍ଠିତ ବିଜେଡିର ମହାମିଶ୍ରଣ ପର୍ବକୁ ଜିଲ୍ଲା ଉପସଭାପତି ଡ. ଆଦିତ୍ୟ ପଣ୍ଡା ପରିଚାଳନା କରିଥିବା ବେଳେ ଦେବାଶିଷ ମାରାଣ୍ଡି, ପ୍ରକାଶ ମହାନ୍ତି, ସୁବ୍ରତ ଛାଟୋଇଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

୧୦ ଦିନ, ୧୪ ଘଣ୍ଟା ଓ ୩ଟି ଭିଡିଓ ପରେ ବି ପୋଲିସ ହାତ ଖାଲି

0

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଲାଲାକିଲ୍ଲାରେ ହୋଇଥିବା ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଅଭିନେତା ଦୀପ ସିଦ୍ଧୁ ଘଟଣାର ୧୦ ଦିନ ୧୪ ଘଣ୍ଟା ଏବଂ ୩ ଭିଡିଓ ପରେ ବି ଧରାପଡ଼ିନାହାନ୍ତି । ଦିଲ୍ଲୀ ପୋଲିସ ପକ୍ଷରୁ ଆଉଟଲୁକ୍ ନୋଟିସ ଜାରି କରାଯିବା ସହ ତାଙ୍କ ନାଁରେ ପୁରସ୍କାର ଘୋଷଣା କରିଛନ୍ତି । ଏହା ସତ୍ତ୍ୱେ ଦୀପ ସିଦ୍ଧୁର ପତ୍ତା ମିଳୁନାହିଁ । ସଂସଦରୁ ନେଇ ବିଭିନ୍ନ ଧାରଣା ସ୍ଥଳରେ ସିଦ୍ଧୁକୁ ଗିରଫ କରିବା ନେଇ ଦାବି ହେଉଛି । ରାଜ୍ୟସଭାରେ ଶିବସେନା ସାଂସଦ ସଞ୍ଜୟ ରାଉତ ଦୀପ ସିଦ୍ଧୁକୁ ଏଯାଏଁ ଗିରଫ କରାନଯିବାକୁ ନେଇ ପ୍ରଶ୍ନ କରିଛନ୍ତି । ରାଉତ ପଚାରିଛନ୍ତି ଯେ, ଦୀପ ସିଦ୍ଧୁ କିଏ ଏବଂ ଏଯାଏଁ ତାକୁ କାହିଁକି ଗିରଫ କରାଯାଇନାହିଁ ।

ସୋସିଆଲ ମିଡିଆରେ ଆକ୍ଟିଭ ଅଛନ୍ତି ଦୀପ ସିଦ୍ଧୁ

ପୋଲିସ ପହଞ୍ଚରୁ ବାହାରେ ଥିବା ଦୀପ ସିଦ୍ଧୁ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି । ସିଦ୍ଧୁ ସୋସିଆଲ ମିଡିଆ ପ୍ରଥମେ ଭିଡିଓ ଜାରି କରିବା ସହ ସେ ନିର୍ଦ୍ଦୋଶ ବୋଲି ସଫେଇ ଦେଇଥିଲେ । ଦୀପ ସିଦ୍ଧୁ ନିଜ ଭିଡିଓରେ କହିଥିଲେ ମୁଁ ପଞ୍ଜାବ ଏବଂ ଏଠାକାର ଲୋକଙ୍କ କଥା ଉଠାଇଥିଲି କିନ୍ତୁ ମୋତେ ଦ୍ରୋହୀ ଭାବେ ଅବତାରଣା କରାଯାଉଛି । ଏହା ସିଦ୍ଧୁ ୨ ଫେବ୍ରୁଆରୀରେ ମଧ୍ୟ ଭିଡିଓ ଜାରି କରିଥିଲେ । ଦୀପ ସିଦ୍ଧୁ ୩ ତାରିଖରେ ଜାରି ଭିଡିଓରେ କହିଥିଲେ ଆମେ ମିଛ ଆଧାରରେ ଲଢ଼େଇ କରିବୁନାହିଁ । ସତ୍ୟକୁ ଗ୍ରହଣ କରିବା ଆରମ୍ଭ କରିଦିଅ ବୋଲି କହିଥିଲେ  ଦୀପୁ ।

ଚକା ଜାମରୁ ଓହରିଲେ ଟିକାୟତ, ଦିଲ୍ଲୀ ନଆସିବାକୁ ଚାଷୀଙ୍କୁ ଦେଲେ ଆହ୍ୱାନ

ନୂଆଦିଲ୍ଲୀ: ୭୦ ଦିନରେ ଆନ୍ଦୋଳନ । ଅନେକ ବାଦ-ବିବାଦ ଏବଂ ବୈଠକ ପରେ ମଧ୍ୟ ସମାଧାନରେ ସମାପ୍ତି ଘଟିନାହିଁ । ସରକାରଙ୍କୁ କର୍ଣ୍ଣପାତ କରିବାକୁ ଅନେକ ପ୍ରଥା ଆପଣାଇବାରେ ଲାଗିଛନ୍ତି ଆନ୍ଦୋଳନରତ ଚାଷୀ । ନୂତନ କୃଷି ଆଇନ ପ୍ରତିବାଦରେ ଆସନ୍ତା କାଲି ଅର୍ଥାତ ଫେବୃଆରୀ ୬ରେ ରାଜଧାନୀ ଦିଲ୍ଲୀରେ ଚକା ଜାମର ଡାକରା ଦେଇଥିଲେ ଆନ୍ଦୋଳନରତ ଚାଷୀ ସଂଗଠନ । କିନ୍ତୁ ଏହି ନିଷ୍ପତିରୁ ହଠାତ ଓହରିଯାଇଛନ୍ତି ଭାରତୀୟ କିଷାନ ଯୁନିୟନ ସଂଗଠନର ରାଷ୍ଟ୍ରୀୟ ପ୍ରବକ୍ତା ତଥା ଚାଷୀ ନେତା ରାକେଶ ଟିକାୟତ ।

ଦିଲ୍ଲୀରେ ହେବାକୁ ଥିବା ଚକା ଜାମ ନିଷ୍ପତିରେ ପରିବର୍ତ୍ତନ କରିଛନ୍ତି ରାକେଶ ଟିକାୟତ । ଅନ୍ୟରାଜ୍ୟରୁ ଆସିବାକୁ ଥିବା ଚାଷୀ ଦିଲ୍ଲୀ ନଆସି, ନିଜ ନିଜ ରାଜ୍ୟରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ ଆହ୍ୱାନ କରିଛନ୍ତି ଚାଷୀ ନେତା ଟିକାୟତ । ଶନିବାର ସାରା ଦେଶରେ ଚକାଜାମ୍ କରିବା ପାଇଁ ଚାଷୀ ନିଷ୍ପତ୍ତି ନେଇଛନ୍ତି ସଙ୍ଗଠନ । ଅପରାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଏହି ଚକାଜାମ୍ ପ୍ରତିବାଦ କରିବାକୁ ନିର୍ଣ୍ଣୟ କରିଛନ୍ତି ଆନ୍ଦୋଳନରତ ସଂଗଠନ ।

ସେପଟେ ଶାନ୍ତିପୂର୍ଣ୍ଣ ଭାବେ ଚକାଜାମ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଙ୍ଗଠନ । ତେବେ ଦିଲ୍ଲୀରେ ଚକାଜାମ୍ ହେବ ନାହିଁ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଅନ୍ୟ ରାଜ୍ୟରୁ ଯେପରି କୌଣସି ଚାଷୀ ଆନ୍ଦୋଳନସ୍ଥଳକୁ ଆସି ନ ପାରିବେ ସେଥି ପାଇଁ ସୀମାରେ ସମରସଜ୍ଜା କରିଛି ଦିଲ୍ଲୀ ପୋଲିସ । ୧୨ ଥାକିଆ ବ୍ୟାରିକେଡ୍ ବ୍ୟବସ୍ଥା କରିବା ସହ ଇଣ୍ଟରନେଟ୍ ସେବା ବନ୍ଦ କରିଛି ପ୍ରଶାସନ । ଅନ୍ୟପଟେ ବିରାଟ ଆନ୍ଦୋଳନର ଡାକରା ଦେଇଥିବା ରାକେଶ ଟିକାୟତ, ଦିଲ୍ଲୀ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଭାବରେ କରିବା ସହ ଅନ୍ୟ ରାଜ୍ୟର ଚାଷୀଙ୍କୁ ଦିଲ୍ଲୀ ନଆସିବାକୁ ଆହ୍ୱାନ କରିଛନ୍ତି ।

ପାଳଗଦାରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟ ? ବଢ଼ୁଛି ସନ୍ଦେହ..

ନୂଆପଡ଼ା: ପାଳଗଦାରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ । ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ କାଣ୍ଡେତରା ଗାଁର ବିନ୍ଧାଣିପଡାରେ ପାଳଗଦାରୁ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହଟି ସେହି ଗାଁର ନକୁଳ ଭୋଇଙ୍କର ବୋଲି ଜଣାପଡ଼ିଛି । ଗାଁରେ ଥିବା ପାଳଗଦା ପୋଡ଼ୁଥିବା ଜାଣିବା ପରେ ସ୍ଥାନୀୟ ଲୋକ ସେଠାକୁ ଯାଇଥିଲେ। ସେଠାରେ ଅର୍ଦ୍ଧଦଗ୍ଧ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଏହା ହତ୍ୟା, ଆତ୍ମହତ୍ୟା ନା ଅପମୃତ୍ୟୁ, ସେନେଇ ତଦନ୍ତ କରୁଛି ପୋଲିସ । ମୃତଦେହକୁ ଉଦ୍ଧାର କରାଯିବା ପରେ ବ୍ୟବଚ୍ଛେଦ ପାଇ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରେ ।

ସେହିଭଳି ଗୁରୁବାର ରାୟଗଡା କାଶୀପୁର ବ୍ଲକ ଲାକରିସ ଗ୍ରାମରେ ପାଳଗଦାରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ଦୁଇ ଶିଶୁ । ଦୁଇ ଜଣ ଶିଶୁ ହେଲେ ପାଞ୍ଚ ବର୍ଷର କୁମାରୀ ମାଝୀ ଓ ତିନି ବର୍ଷର ବିଦ୍ୟା ମାଝୀ । ନିଆଁର ଭୟବହତା ଏତେ ପରିମାଣର ଥିଲା ଯେ, ଘଟଣାସ୍ଥଳରେ ହିଁ ଉଭୟ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ସୂଚନା ମୁତାବକ ମଧ୍ୟାହ୍ନ ସମୟରେ ଦୂର୍ଯ୍ୟୋଧନ ମାଝୀଙ୍କ ଦୁଇ ଝିଅ ପରିବା କ୍ଷେତରେ ଥିବା ପାଳଗଦା ନିକଟରେ ନିଆଁ ଲଗାଉ ଥିଲେ । ଏବଂ ସେହି ପାଖରେ ହିଁ ଦୁଇ ଭଉଣୀ ବସିଥିଲେ । ହଠାତ ପାଳଗଦାକୁ ନିଆଁ ଧରି ଦେଇଥିଲା । ଫଳରେ ସେମାନେ ନିଆଁରେ ପୋଡ଼ି ହୋଇ ଯାଇଥିଲେ । ନିଆଁର ପ୍ରକୋପ ଅଧିକ ଥିବାରୁ ଶିଶୁମାନେ ବାହାରକୁ ଆସିପାରିନଥିଲେ । ଫଳରେ ଦୁହେଁ ସେହି ନିଆଁରେ ପୋଡି ହୋଇଯାଇଥିଲେ ।

ସେହିଭଳି ଭଦ୍ରକ କଲେଇ ପଞ୍ଚାୟତ ବଳାଜିତପଡା ଗାଁରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୪ଟି ପରିବାରର ୧୦ରୁ ଅଧିକ ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତିରେ ଘଟିଛି ଏହି ଅଗ୍ନିକାଣ୍ଡ । ନିଆଁ ଲାଗି ଘରର ଆସଵାଵ ପତ୍ର ସମେତ ଧାନ, ଚାଉଳ, ଘର କରଣା ଜିନିଷ ପୋଡ଼ିପାଉଁଶ ହୋଇଯାଇଛି । ଗାଁର ଲକ୍ଷ୍ମୀଧର ସ୍ବାଇଁ, ସୁରେନ୍ଦ୍ର ସ୍ବାଇଁ, ଦେଵେନ୍ଦ୍ର ସ୍ବାଇଁ, ବବିଲତା ସ୍ବାଇଁ ଓ ଅନିଲ ସ୍ଵାଇଁଙ୍କ ଘର ପୋଡ଼ି ଯାଇଛି । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ।

ଏଣିକି ଦ୍ରୁତଗତିରେ ଗାଡ଼ି ଚଳାଇଲେ ପଡ଼ିବ ମହଙ୍ଗା, ଚିହ୍ନଟ ପାଇଁ ଇନ୍‌ଷ୍ଟଲ ହେବ ସ୍ୱତନ୍ତ୍ର ସଫ୍ଟଓ୍ୱେୟାର

ଭୁବନେଶ୍ୱର: ଏଣିକି ଦ୍ରୁତଗତିରେ ଗାଡ଼ି ଚଳାଇଲେ ମହଙ୍ଗା ପଡ଼ିବ । ଦ୍ରୁତଗତିରେ ଯାଉଥିବା ଯାନବାହାନକୁ ଚିହ୍ନଟ କରିବା ପାଇଁ ଆସିବ ନୂଆ ସଫ୍ଟୱେୟାର । ଏହାକୁ ବିକଶିତ କରିବା ପାଇଁ ଆଇଆଇଟି ଭୁବନେଶ୍ୱରକୁ ଦିଆଯାଇଛି ଦାୟିତ୍ୱ ।

ରାଜ୍ୟ ସଡ଼କ ଓ ପରିବହନ ବିଭାଗ ଭୁବନେଶ୍ୱର ଆଇଆଇଟିକୁ ଦେଇଛି ଏହି ପ୍ରସ୍ତାବ । ପିଆଇବି ଭୁବନେଶ୍ୱର ପକ୍ଷରୁ ଏସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଆଇଆଇଟି ଭୁବନେଶ୍ୱର ଏଦିଗରେ ସଫଳତା ପାଇଛି । ସରକାର ମଧ୍ୟ ଏ ସମ୍ପର୍କରେ ଏକ ପ୍ରୋଜେକ୍ଟ ରିପୋର୍ଟ ଦାଖଲ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି ।

ଏହି ବାବଦକୁ ୧୬ ଲକ୍ଷ ୧୦ ହଜାର ଟଙ୍କାର ବ୍ୟୟବରାଦ ହେବ ବୋଲି ପ୍ରସ୍ତାବରେ କୁହାଯାଇଛି । ଆଇଆଇଟି ଭୁବନେଶ୍ୱରର ସ୍କୁଲ ଅଫ୍ ଇଲେକ୍ଟ୍ରୋନିକ୍ସ ସାଇନ୍ସ ଏହା ଉପରେ ଅଧିକ କାର୍ଯ୍ୟ କରୁଛି । ସଫ୍ଟୱେୟାର ବିକଶିତ କରିବାକୁ ରାଡାର ଟେକ୍ନୋଲଜିର ବି ବ୍ୟବହାର କରାଯାଉଛି । ରାଜ୍ୟରେ ଦୈନନ୍ଦିନ ଘଟୁଥିବା ଦୁର୍ଘଟଣା ମଧ୍ୟରେ ଦ୍ରୁତ ଗତିରେ ଗାଡ଼ି ଚାଳଣା ଯୋଗୁଁ ସର୍ବାଧିକ ଦୁର୍ଘଟଣା ଘଟୁଛି । କେବଳ ୨୦୧୯ ରେ ୫ ହଜାର ୩ ଶହ ୩୩ଟି ସଡ଼କ ଦୁର୍ଘଟଣା, ଗାଡ଼ିର ଦ୍ରୁତ ଗତି ପାଇଁ ଘଟିଛି । ୬୯ ପ୍ରତିଶତ ମୃତ୍ୟୁ କେବଳ ସଡ଼କ ଦୁର୍ଘଟଣା କାରଣରୁ ହେଉଥିବା ରିପୋର୍ଟ କହିଛି ।

ସାରା ଦେଶରେ ଚାଷୀଙ୍କ ଚକା ଜାମ୍‌ ଡାକରା

ନୂଆଦିଲ୍ଲୀ: ଶନିବାର ସାରା ଦେଶରେ ହେବ ଚକା ଜାମ୍‌ । ବିଭିନ୍ନ ଚାଷୀ ସଂଗଠନ ଦେଇଛନ୍ତି ଚକା ଜାମ୍‌ ଡାକରା । ଶୁକବାରଠାରୁ ଆରମ୍ଭ ହୋଇସାରିଛି ରଣନୀତି । ସାରାଦେଶରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଚକା ଜାମ୍ କରାଯିବ । ସେହିଭଳି ଓଡ଼ିଶାରେ ମଧ୍ୟ କୃଷି ଆଇନକୁ ତେଜୁଛି ବିରୋଧ । ଶନିବାର ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାଜ୍ୟର ୨୨ରୁ ୨୩ଟି ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବ ନବ ନିର୍ମାଣ କୃଷକ ସଂଗଠନ । ରାସ୍ତାରେ ବିକ୍ଷୋଭ କରିବା ସହ କେନ୍ଦ୍ର ସରକାର କୃଷକ ମାନଙ୍କ ଉପରେ କରୁଥିବା ଅତ୍ୟାଚାର ସଂପର୍କରେ ଲୋକଙ୍କୁ ବୁଝାଇବେ ସଂଗଠନର କର୍ମକର୍ତ୍ତା ।

ସେପଟେ ସ୍ୱିଡେନ୍‌ର ପରିବେଶ କର୍ମୀ ଗ୍ରେଟା ଥନବର୍ଗ ଚାଷୀ ଆନ୍ଦୋଳନ ନେଇ ରଖିଥିବା ପ୍ରତିକ୍ରିୟା ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ଗ୍ରେଟାଙ୍କ ନାମରେ ଥାନାରେ ମାମଲା ରୁଜୁ ସହ ଅନେକ ସଙ୍ଗୀନ ଦଫା ଲାଗିଛି । ଗ୍ରେଟାଙ୍କ ଏହି ବୟାନ ପଛରେ ଭାରତ ବିରୋଧୀ ଷଡ଼ଯନ୍ତ୍ର ରହିଛି ବୋଲି କହିଛି ଦିଲ୍ଲୀ ପୋଲିସ । ତେବେ ଗ୍ରେଟା ଓ ପପ୍‌ଷ୍ଟାର ରିହାନା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ମନ୍ତବ୍ୟ ରଖିବା ପରେ ଭାଜପା ନେତା ଓ ବହୁ ଭାରତୀୟ ସେଲିବ୍ରିଟିମାନେ ଏହାକୁ ନିନ୍ଦା କରିଛନ୍ତି । ସେପଟେ ଦିଲ୍ଲୀ ପୋଲିସ ଗ୍ରେଟାଙ୍କ ନାଁରେ ମାମଲା ରୁଜୁ କରିବା ପରେ କିଛି ଭୟ ନାହିଁ ବୋଲି କହିଛନ୍ତି ପରିବେଶ କର୍ମୀ ଗ୍ରେଟା ଥନବର୍ଗ ।

ଅନ୍ୟପଟେ ବିଦେଶୀ ସେଲିବ୍ରିଟିଙ୍କ ସମର୍ଥନ ନେଇ ମୁହଁ ଖେଲିଛନ୍ତି ଚାଷୀ ନେତା ରାକେଶ ଟିକାୟତ । କହିଛନ୍ତି, ଏହି ସେଲିବ୍ରିଟିମାନେ କିଏ ମୁଁ ଜାଣେନି । ହେଲେ ଚାଷୀଙ୍କୁ ସେମାନଙ୍କ ସମର୍ଥନ କୌଣସି ଦୃଷ୍ଟିରୁ ଭୁଲ୍‌ ନୁହେଁ । ସେହିଭଳି ଚାଷୀ ଆନ୍ଦୋନଳକୁ ନେଇ ଆମେରିକାର ପ୍ରତିକ୍ରିୟା ପରେ ଜବାବ ରଖିଛି ବର୍ହିବ୍ୟାପାର ମନ୍ତ୍ରଣାଳୟ । କହିଛି, ଆମେରିକା ଓ ଭାରତ ଉଭୟ ଗଣତାନ୍ତ୍ରୀକ ରାଷ୍ଟ୍ର । ଜାନୁୟାରୀ ୨୬ରେ ଲାଲ୍‌ କିଲ୍ଲାରେ ଘଟିଥିବା ହିଂସା ଆମେରିକାର କ୍ୟାପିଟୋଲ ହିଲ୍‌ ହିଂସା ଘଟଣା ଉଭୟ ଦେଶରେ ସମାନ ଭାବନା ଏବଂ ପ୍ରତିକ୍ରିୟା ସୃଷ୍ଟି କରିଛି । ଅଯଥା ଆକ୍ଷେପ କରିବା ଉଚିତ୍‌ ନୁହେଁ ।

କୋଟିଆରେ ବିକାଶର ବର୍ଷା, ନବୀନ ଶୁଭାରମ୍ଭ କଲେ ୧୮ କୋଟିର ବିଭିନ୍ନ ପ୍ରକଳ୍ପ

ଭୁବନେଶ୍ବର: କୋଟିଆରେ ଗଡୁଛି ରାଜ୍ୟ ସରକରାଙ୍କ ବିକାଶ ଗାଡ଼ି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେସନ୍‌ସିଂ ମାଧ୍ୟମରେ ଆଜି କରିଛନ୍ତି ଶୁଭାରମ୍ଭ । କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତ ପାଇଁ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଲ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିମଧ୍ୟରୁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ହୋଇଥିବା ବେଳେ ୫ କୋଟି ଟଙ୍କାର ଗୋଟିଏ ଉଚ୍ଚ କ୍ଷମତା ସମ୍ପନ ସେତୁ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ରଖାଯାଇଛି ।

ସେପଟେ ବର୍ତ୍ତମାନ ସୁଦ୍ଧା କୋଟିଆରେ ସମୁଦାୟ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ୨୦୧୮ରେ କୁଟିଆ ପଞ୍ଚାୟତର ବିକାଶ ପାଇଁ ୧୫୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ। ଆଜି ଭିସି ଯୋଗେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅନ୍ନତିମୂଳକ କାର୍ଯ୍ୟର ଉଦଘାଟନ କରିବା ଅବସରରେ କହିଛନ୍ତି, ସେ ଖୁବ୍‌ଶୀଘ୍ର କୋଟିଆ ଅଞ୍ଚଳକୁ ଗସ୍ତ କରି ଲୋକମାନଙ୍କୁ ଭେଟିବେ । କୋଟିଆ ଅଞ୍ଚଳକୁ ଏକ ଆଦର୍ଶ ପଞ୍ଚାୟତ ଭାବରେ ଗଠନ କରାଯିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଟିଆ ପଞ୍ଚାୟତରେ ଶିକ୍ଷା, ସ୍ବାସ୍ଥ୍ୟ, ଯୋଗାଯୋଗ, ପିଇବା ପାଣି, ବିଜୁଳି ଆଦି ସବୁ ସୁବିଧାର ବିକାଶ କରାଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ନିରାପତ୍ତା ସବୁ କୋଟିଆରେ ଯୋଗାଇ ଦିଆଯାଉଛି। ଜୀବନଜୀବିକା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ମାଲକାନଗିରିରୁ ମୟୁରଭଞ୍ଜ, କୋରାପୁଟରୁ କଟକ ସବୁ ଅଞ୍ଚଳର ବିକାଶ ପାଇଁ ସେ କାମ କରୁଛନ୍ତି । ବିକାଶର ସୁଫଳ ପ୍ରତି ପରିବାର ପାଖରେ ପହଞ୍ଚାଇବା ପାଇଁ, ରାଜ୍ୟର ସବୁ କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ କାମ କରୁଛୁ ବୋଲି କହିଛନ୍ତି ନବୀନ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଶା ଆମର ମା । ଓଡିଆ ଆମର ଭାଷା । ମହାପ୍ରଭୁ ଜଗନ୍ନାଥ ଆମର ବଡ ଠାକୁର । ଜଗନ୍ନାଥ ସଂସ୍କୃତି ଆମର ସଂସ୍କୃତି। କୋରାପୁଟକୁ ଆମେ ଦ୍ବିତୀୟ ଶ୍ରୀକ୍ଷେତ୍ର ବୋଲି କହିଥାଉ । ସ୍ବାଧୀନତା ସଂଗ୍ରାମରେ ମଧ୍ୟ କୋରାପୁଟ ବଡ ଭୂମିକା ନିଭାଇଛି । ଏହି ଅବସରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ।

କୋଟିଆର ଅନେକ ବିକାଶ ମୂଳକ କାର୍ଯ୍ୟର ଶୁଭାରମ୍ଭ କାର୍ଯ୍ୟକ୍ରମରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ଓ ପଟାଙ୍ଗିର ବିଧାୟକ, କୋଟିଆ ପଞ୍ଚାୟତର ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ମଧ୍ୟ ଏହି ଅବସରରେ ଯୋଗଦାନ କରିଥଲେ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ସଂଯୋଜନା କରିଥିଲେ।

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପୁଣି ଏମପିସି ବୈଠକରେ ସୁଧ ଦରରେ କୌଣସି ପରିବର୍ତ୍ତନ ନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଲଗାତାର ଚତୁର୍ଥ ଥର ପାଇଁ ସୁଧ ଦରରେ ଆରବିଆଇ କୌଣସି ପରିବର୍ତ୍ତନ ନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି  । ବର୍ତ୍ତମାନ ରେପୋ ରେଟ୍ ୪ ପ୍ରତିଶତ ଏବଂ ରିଜର୍ଭ ରେପୋ ରେଟ୍ ୩.୩୫ ପ୍ରତିଶତ ରହିଛି । ଆରବିଆଇର ବୈଠକ ପୂର୍ବରୁ ହିଁ ଅନୁମାନ କରାଯାଉଥିଲା ଯେ, ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯିବନାହିଁ ।

ଏମସିଏଲଆର ସହ ଲିଙ୍କ ହେଲା ଲୋନ୍

ବ୍ୟାଙ୍କମାନଙ୍କ ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡ ବେସଡ୍ ଲେଣ୍ଡିଂ ରେଟ୍ ((MCLR)) କଷ୍ଟ ଅଫ୍ ଫଣ୍ଡସ୍ ଭଳି ଇଣ୍ଟରନାଲ ଫ୍ୟାକ୍ୱର ଏବଂ ରେପୋ ରେଟ୍ ଭଳି ଏକ୍ସର୍ଟନାଲ ଫ୍ୟାକ୍ଟର ଦ୍ୱାରା ପ୍ରଭାବିତ । ସାଧାରଣତଃ ଏମସି(MCLR) ସହ ଲିଙ୍କ୍ କରାଯାଇଥିବା ହୋମ୍ ଲୋନର ରିସେଟ୍ ଅବଧି ୬ ମାସରୁ ୧ ବର୍ଷ ଯାଏଁ ହୋଇଥାଏ । ଏଭଳି ସମୟରେ ଆପଣଙ୍କ ବ୍ୟାଙ୍କ ଆସିବା ସମୟରେ ଏମସିଏଲ୍‌ଆର ରିଭାଇଜ୍ କରିପାରନ୍ତି । ଫଳରେ ଆପଣଙ୍କ ଇଏମ୍‌ଆଇ ମଧ୍ୟ କମିପାରେ । ସେପ୍ଟମ୍ୱର ୨୦୨୦ରେ ଆରବିଆଇ ନିଜ ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ସୂଚିତ କରିଥିଲା ଯେ, ଏମସିଏଲ୍ଆରର ରିସେଟ୍ ପରିୟଡକୁ ୧ ବର୍ଷରୁ ହ୍ରାସ କରି ୬ ମାସ କରାଯାଇଛି । ଏହାର ଅର୍ଥ ପଲିସିରେ କୌଣସି ଭି ପ୍ରକାର ପରିବର୍ତ୍ତନର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବନାହିଁ ।

ଏଥିସହିତ ପଢ଼ନ୍ତୁ: ପୁଣି ପାକିସ୍ତାନରେ ହେଲା ସର୍ଜିକାଲ ଷ୍ଟ୍ରାଇକ୍…

ଗଛରେ ପିଟି ହେଲା ଇନୋଭା, ‘ସକାଳ’ ଖବରକାଗଜର ସାମ୍ବାଦିକଙ୍କ ସମେତ ୩ ମୃତ

ବଲାଙ୍ଗୀର: ବଲାଙ୍ଗୀର ଦେଓଗାଁ ସାଗରପାଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମେଡିକାଲକୁ ସ୍ଥାନାନ୍ତର ବେଳେ ମୃତ୍ୟୁ ବରଣ କରିଛନ୍ତି । ତେବେ ମୃତକଙ୍କ ମଧ୍ୟରେ ଜଣେ ଷ୍ଟେଟ୍‌ ବ୍ୟାଙ୍କ ମ୍ୟାନେଜର ଓ ଆଉ ଜଣେ ‘ସକାଳ’ ଦୈନିକ ଖବରକାଗଜର ଡାବୁଗାଁ ପ୍ରତିନିଧି ରହିଛନ୍ତି । ଏହାସହ ଦୁର୍ଘଟଣାସ୍ଥଳରୁ ମେଡିକାଲକୁ ସ୍ଥାନାନ୍ତର ବେଳେ ସାମ୍ବାଦିକଙ୍କ ବାପାଙ୍କ ମୃତ୍ୟୁ ମଧ୍ୟ ହୋଇଛି ।

ମୃତ ଷ୍ଟେଟ୍‌ ବ୍ୟାଙ୍କ ମ୍ୟାନେଜର ହେଉଛନ୍ତି ରାକେଶ ହେମ୍ବ୍ରମ । ସକାଳ ଖବରକାଗଜ ସାମ୍ବାଦିକ ହେଉଛନ୍ତି ସତ୍ୟଜିତ ମାଦଳା । ସାମ୍ବାଦିକଙ୍କ ବାପା ହେଉଛନ୍ତି ଘସିରାମ ମାଦଳା । ତେବେ ଗାଡି ଡ୍ରାଇଭର ଭୀମ ହରିଜନକୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାସ୍ତରିତ କରାଯାଇଛି । ୪ ଜଣ ଗୋଟିଏ ଇନୋଭା କାର୍‌ରେ ନବରଙ୍ଗପୁର ଡ଼ାବୁଗାଁରୁ ଭୁବନେଶ୍ୱର ଯାଉଥିଲେ । ଭୋର ୪ଟା ସମୟରେ ସାଗରପାଲି ଛକ ନିକଟରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଇନୋଭାଟି ରାସ୍ତା କଡ଼ରେ ଥିବା ଗୋଟିଏ ଗଛରେ ପିଟି ହୋଇ ଯାଇଥିଲା ।

ସେହିଭଳି ରାୟଗଡାଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଡମ୍ବସରା ନିକଟରେ ବୋଲେରୋ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ଘଟଣାରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଗୁଣୁପୁର ଦମକଳ ବାହିନୀ ଘଟଣାସ୍ଥଳରୁ ଗୁରୁତରଙ୍କ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି ।

ଏହି ଘଟଣାପରେ କ୍ଷତି ପୁରଣ ଦାବି ନେଇ ସ୍ଥାନୀୟ ଲୋକେ ଗୁଣୁପୁର ପଦ୍ମପୁର ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି । ଖବରପାଇ ଗୁଣୁପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲେ ।