ଓଡ଼ିଶା ଦେଖିବ ଚାଷୀ ଶୋ’, ଚଣ୍ଡିଖୋଲରେ କାଲି କୃଷକଙ୍କ ମହାପଞ୍ଚାୟତ

Rakesh Tikayat To Join In Krushak Mahapanchayat In Chandikhol Of Odisha Tomorrow 

ଚଣ୍ଡିଖୋଲ: ଦିଲ୍ଲୀ ଡେଇଁଥିବା ଚାଷୀ ଆନ୍ଦୋଳନ ଏବେ ଓଡ଼ିଶାରେ । ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ ଭଳି ଚାଷୀ ବହୁଳ ରାଜ୍ୟ ସହ ନିର୍ବାଚନ ହେଉଥିବା ପଶ୍ଚିମବଙ୍ଗ ପରେ ଏବେ ଓଡ଼ିଶାରେ ହେବ ଚାଷୀଙ୍କ ମହାପଞ୍ଚାୟତ । କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ମହାପଞ୍ଚାୟତର ଆୟୋଜନ କରିଛି ନବ ନିର୍ମାଣ କୃଷକ ସଂଗଠନ ।

ଶୁକ୍ରବାର ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ ସୁଙ୍ଗୁଡ଼ା ଖେଳ ପଡ଼ିଆରେ କୃଷକଙ୍କ ମହାପଞ୍ଚାୟତ ଅନୁଷ୍ଠିତ ହେବ । ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନକୁ ୧୦୦ ଦିନରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା କୈାଣସି ସମାଧାନର ବାଟ ବାହାରିନି । କେନ୍ଦ୍ର କୃଷି ବିଲ୍ ପ୍ରତ୍ୟାହାର ଜରୁରୀ ବୋଲି କହିଛି ନବ ନିର୍ମାଣ କୃଷକ ସଙ୍ଗଠନ । ଶୁକ୍ରବାର ହେବାକୁ ଥିବା ମହାପଞ୍ଚାୟତରେ କୃଷକ ନେତା ରାକେଶ ଟିକାୟତଙ୍କ ସମେତ ବହୁ ଚାଷୀ ନେତା ସାମିଲ ହେବେ ।

ରାକେଶ ଟିକାୟତ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏକ ବିଶାଳ ରାଲିରେ ଯାଇ ଚଣ୍ଡିଖୋଲ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସମାବେଶରେ ୨୦ ହଜାରରୁ ଅଧିକ ଚାଷୀ ସାମିଲ ହେବେ ବୋଲି କହିଛନ୍ତି ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ଅଧକ୍ଷ ଅକ୍ଷୟ କୁମାର ।

Leave a Reply