spot_img
Home Blog Page 5910

ଜମୁଛି ବେଙ୍ଗଲ ପ୍ରଚାର: କୋଲକାତାରେ ପ୍ରଧାନମନ୍ତ୍ରୀ, ସିଲିଗୁଡ଼ିରେ ମମତାଙ୍କ ରଣହୁଙ୍କାର

କୋଲକାତା: ଜମୁଛି ପ୍ରଚାର, ଚାଲିଛି ଆରୋପ ପ୍ରତ୍ୟାରୋପ  । ବିଧାନସଭା ନିର୍ବାଚନ ପାଇଁ ଆଜି ପଶ୍ଚିମବଙ୍ଗରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଭାଷଣ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ସେ ବର୍ଷିଥିଲେ  । ରାଜ୍ୟବାସୀଙ୍କ ସହ ଦିଦି ବିଶ୍ବାସଘାତକତା କରିଛନ୍ତି ବୋଲି ମୋଦି କହିଛନ୍ତି  । ସେପଟେ ସିଲିଗୁଡିରେ ମହିଳାଙ୍କ ସହ ଦିଦି ପଦଯାତ୍ରା କରିଥିଲେ । ଏଥର ଓ୍ବାନ ଟୁ ଓ୍ବାନ ଫାଇଟ ପାଇଁ ପ୍ରସ୍ତୁତ ବୋଲି ଦିଦି ଚ୍ୟାଲେଞ୍ଜ କରିଛନ୍ତି  । ସେପଟେ ବିଜେପିରେ ସାମିଲ ହୋଇଛନ୍ତି ମିଥୁନ ଚକ୍ରବର୍ତ୍ତୀ  ।

ବ୍ରିଗେଡ ଗ୍ରାଉଣ୍ଡରୁ ପ୍ରଧାନମନ୍ତ୍ରୀଙ୍କ ରଣହୁଙ୍କାର । ନନ୍ଦିଗ୍ରାମରେ ଦିଦିଙ୍କ ପରାଜୟ ସୁନିଶ୍ଚିତ ବୋଲି କହିଲେ ମୋଦି । କୋଲକାତାର ବ୍ରିଗେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ବିଶାଳ ରାଲି କରିଛନ୍ତି  । ଏଥିରେ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା ଯୋଗଦେଇଥିଲେ । ଏହି ଅବସରରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ସାମିଲ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ରାଲିରୁ ରାଜ୍ୟରେ ନିର୍ବାଚନୀ ପ୍ରଚାର ଜୋରଦାର ହୋଇଛି  । ପ୍ରଗତିଶୀଳ ବେଙ୍ଗଲ ପାଇଁ ମୋଦି ଆହ୍ବାନ ଦେଇଛନ୍ତି  । ଦିଦି ପୁଣି ଥରେ  ମୁଖ୍ୟମନ୍ତ୍ରୀ ହେଲେ ପଶ୍ଚିମବଙ୍ଗ ପାଇଁ ବିକାଶ ସ୍ବପ୍ନ ହୋଇଯିବ । ରାଜ୍ୟବାସୀଙ୍କ ସହ ମମତା ବିଶ୍ବାସଘାତ କରିଥିବା ମୋଦି କହିଛନ୍ତି ।

 ସେପଟେ ସିଲିଗୁଡିରେ ମମତା ବାନାର୍ଜୀ ପ୍ରଚାର ଜୋରଦାର କରିଛନ୍ତି  । ମହିଳା ଦିବସ ପୂର୍ବରୁ ମହିଳାଙ୍କ ସହ ପଦଯାତ୍ରା କରିଛନ୍ତି ଦିଦି  । ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି  । ରାଜ୍ୟରେ ବିଜେପି ପରିବର୍ତ୍ତନ ନାରାକୁ ଟାର୍ଗେଟ କରି ମମତା କହିଛନ୍ତି, କେନ୍ଦ୍ରରେ ପରିବର୍ତ୍ତନ ଆବଶ୍ୟକ । ଆଜିର ପଦଯାତ୍ରାରେ ହଜାର ହଜାର ମହିଳା ଯୋଗଦେଇଥିଲେ  । ମହିଳାଙ୍କ ଭୋଟ ହାତେଇବାକୁ ଏହା ଏକ ଯୋଜନା ବୋଲି ବିରୋଧୀ କହିଛନ୍ତି  ।

ସେପଟେ ତାମିଲନାଡୁରେ ଜୋରଦାର ପ୍ରଚାର କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା  । ରାଜ୍ୟରେ ଏଆଇଏଡିଏମକେ ଓ ବିଜେପି ମେଣ୍ଟରେ ସରକାର ଗଠନ ହେବ ବୋଲି ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଜି ପ୍ରଥମେ କନ୍ୟାକୁମାରୀରେ ପହଞ୍ଚି ମା ସୁଚିନ୍ଦ୍ରମଙ୍କ ଆଶୀର୍ବାଦ ନେଇଥିଲେ ଶାହା  । ଏହା ପରେ କନ୍ୟାକୁମାରୀରେ କରିଥିଲେ ଡୋର୍‌ ଟୁ ଡୋର କ୍ୟାମ୍ପେନ  । ଘର ଘର ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ ଶାହା । ଏଥି ସହ ବିଶାଳ ରୋଡ୍‌ ଶୋ’ ମଧ୍ୟ କରିଥିଲେ  । ଏପଟେ DMK ଓ କଂଗ୍ରେସ ମଧ୍ୟରେ ଆସନ ବଣ୍ଟନ ନେଇ ଆଲୋଚନା ସରିଛି  । ୨୩୪ଟି ଆସନରୁ କଂଗ୍ରେସ ମାତ୍ର ୨୫ଟି ଆସନରେ ନିର୍ବାଚନ ଲଢ଼ିବ । ଏଥିସହ କନ୍ୟାକୁମାରୀ ଲୋକସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି  ।

ଜାଣନ୍ତୁ, ଦୃଷ୍ଟିହୀନ ହୋଇ ମଧ୍ୟ କରୁଛନ୍ତି ଦୁଇ ଦୁଇଟି ବ୍ୟବସାୟ ! ନିଜେ ନିଜକୁ କରୁଛନ୍ତି ସ୍ୱାବଲମ୍ବି

ଗଞ୍ଜାମ: ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦୃଷ୍ଟି ବାଧକତା । ଭିନ୍ନକ୍ଷମତାକୁ ପରାସ୍ତ କରି ସ୍ୱାବଲମ୍ବୀ ହୋଇଛନ୍ତି ଦିବ୍ୟାଙ୍ଗ । ଆଖିକୁ ଦିଶୁନଥିଲେ ମଧ୍ୟ ନିଜ ଆତ୍ମବିଶ୍ୱାସ ବଳରେ ରୋଜଗାରକ୍ଷମ ହୋଇଛନ୍ତି କଂଗ୍ରେସ ବେହେରା । ଆଉ ଦୁଇଟି ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷ କରିବା ସହ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ।

ସେ ଜଣେ ଭିନ୍ନକ୍ଷମ କିନ୍ତୁ ସକ୍ଷମ । ତାଙ୍କ ଆଗରେ ହାରମାନିଛି ଦୃଷ୍ଟି ବାଧକତା । ପରାସ୍ତ ହୋଇଛି ସଂସାରର ସବୁ ବାଧାବିଘ୍ନ । ଆତ୍ମବିଶ୍ୱାସକୁ ପୁଞ୍ଜି କରି ଦୁନିଆ ଆଗରେ ସୃଷ୍ଟି କରିଛନ୍ତି ନୂଆ ଦିଗଦର୍ଶନ । ଗଞ୍ଜାମ ଜିଲ୍ଲା ପୁରୁଷତ୍ତୋମପୁର ବ୍ଲକ୍ ପ୍ରତାପପୁରର କଂଗ୍ରେସ ବେହେରା । ଆଖିକୁ ଦିଶୁନଥିଲେ ମଧ୍ୟ ଅତ୍ମବିଶ୍ୱାସ ବଳରେ ଜୀବନ ଜିଉଁଛନ୍ତି । ଅନ୍ୟ ଉପରେ ସାହାରା ନହୋଇ ଟେଣ୍ଟ ହାଉସ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇଛନ୍ତି । ଖାଲି ସେତିକି ନୁହେଁ, ଦୃଷ୍ଟିବାଧକ ହୋଇ ମଧ୍ୟ ବାହାଘର, ବ୍ରତଘରରେ ସାଜସଜା କରୁଛନ୍ତି କଂଗ୍ରେସ ।

ସେହିପରି ଗାଁରେ ସିମେଣ୍ଟ ନନ୍ଦ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ମାପ ଚୁପ ଠାରୁ ଆରମ୍ଭ କରି ସମସ୍ତ କାମ କରୁଛନ୍ତି । କଂଗ୍ରେସଙ୍କ ଏଭଳି ଆତ୍ମନିର୍ଭରଶୀଳତାକୁ ନେଇ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରୁଛନ୍ତି । ଜୀବନ ଜିଇଁବାର ନୂଆ ଦିଗଦର୍ଶନ ଦେଇଛନ୍ତି କଂଗ୍ରେସ । ଆଉ ଭିନ୍ନକ୍ଷମତାକୁ ପରାସ୍ତ କରି ସୃଷ୍ଟି କରିଛନ୍ତି ନୂଆ ଉଦାହରଣ ।

ମହିଳା ବି କମ୍ ନୁହଁନ୍ତି, ନିଜେ ମାନୁଫାକଚରିଂ ୟୁନିଟ୍‌ କରି ହେଉଛନ୍ତି ସ୍ୱାବଲମ୍ବି

ବାଲେଶ୍ୱର: ମହିଳା ବି ପୁରୁଷଙ୍କ ଠାରୁ କିଛି କମ୍ ନୁହେଁ । ପରିବାର ପ୍ରତିପୋଷଣ ପାଇଁ ଆଗେଇ ଆସିଛନ୍ତି ମହିଳା । ନିଜ ଗୋଡରେ ନିଜେ ଠିଆ ହେବା ପାଇଁ ଆରମ୍ଭ କରିଛନ୍ତି ସଂଘର୍ଷ । ସ୍ୱୟଂ ସହାୟକ ଗୋଷ୍ଠୀ କରି ହୋଇଛନ୍ତି ସ୍ୱାବଲମ୍ବୀ । ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ହେଉଛନ୍ତି ଲାଭବାନ ।

ମିଶନ ଶକ୍ତି ମାଧ୍ୟମରେ ସ୍ୱାବଲମ୍ବୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ଧନ୍ୟବାଦ । ‘ଆମେ କାମ କରିବୁ, ନିଜ ଗୋଡ଼ରେ ନିଜେ ଛିଡା ହେବୁ, ପରିବାରର ଆବଶ୍ୟକତା ପୂରଣ କରିବୁ’ । ଏଭଳି କିଛି ଆହ୍ୱାନ ନେଇ ଆଗକୁ ବଢୁଛନ୍ତି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତ ମାଟିଆଳପଦା ଗାଁର ୪୦ରୁ ଉର୍ଦ୍ଧ୍ୱ ମହିଳା । ଆଉ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ଏବଂ ରୋଜଗରକ୍ଷମ ହେଉଛନ୍ତି । ଏଥିରୁ ସେମାନେ ବେଶ ଦୁଇ ପାଇସା ଲାଭ ପାଉଛନ୍ତି ।

ଏହି ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ମାହିଳାମାନେ ବଡି, ସାନିଟାଇଜର, ନାପକିନ୍‌, ମାସ୍କ ଆଦି ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଆଉ ଏହାକୁ ମିଶନ ଶକ୍ତି ମାଧ୍ୟମରେ ବିକ୍ରି କରି ଭଲ ଦିପଇସା ଲାଭ କରୁଛନ୍ତି । ତେବେ ପ୍ରତିକୂଳ ପରିସ୍ଥିତିରେ ମହିଳାମାନେ ନିଜ ପରିବାର ଆବଶ୍ୟକତା ପୂରଣ କରି ପାରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ମହିଳା ଗୋଷ୍ଠୀ ଏବେ ଅନ୍ୟ ମହିଳାଙ୍କ ପାଇଁ ଏକ ପ୍ରକାର ପ୍ରେରଣାଦାୟୀ ।

ସୋମବାର ଠାରୁ ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ

ନୂଆଦିଲ୍ଲୀ: ସୋମବାର ଆରମ୍ଭ ହେବ ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ । ସମସ୍ତ କୋଭିଡ୍‌-୧୯ କଟକଣା ସହ ସଂସଦର ବଜେଟ୍‌ ଅଧିବେଶନର ଦ୍ୱିତୀୟ ଭାଗ ଆରମ୍ଭ ହେବ । ଏ ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୂଚିତ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟସଭା ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଅପରାହ୍ଣ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲୋକସଭା ଚାଲିବ। ଏପ୍ରିଲ୍‌ ୮ ତାରିଖ ଦିନ ଏହି ଅଧିବେଶନର ଦ୍ୱିତୀୟ ଭାଗ ଶେଷ ହେବ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହ ଜାନୁଆରି ୨୯ରେ ଆରମ୍ଭ ହୋଇଥିବା ସଂସଦର ବଜେଟ୍‌ ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ ତାରିଖ ଦିନ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିଥିଲେ। ଦୁଇ ଭାଗ କରାଯାଇଥିବା ସଂସଦର ଏହି ବଜେଟ୍‌ ଅଧିବେଶନର ପ୍ରଥମ ଭାଗ ୯୯.୫% ଫଳପ୍ରଦ ହୋଇଥିବା କଥା ବାଚସ୍ପତି ବିର୍ଲା ସୂଚନା ଦେଇଛନ୍ତି। ୫୦ ଘଣ୍ଟା ଧାର୍ଯ୍ୟ କରାଯାଇଥିବା ୨୦୨୧ ବଜେଟ୍‌ ଅଧିବେଶନରେ ଲୋକସଭା ୪୯ ଘଣ୍ଟା ୧୭ ମିନିଟ୍‌ ଚାଲିଥିଲା ବୋଲି ସେ କହିଛନ୍ତି।

ଶିଖରଚଣ୍ଡୀ ଜଙ୍ଗଲରେ ନିଆଁ, ହୁତୁହୁତୁ ହୋଇ ଜଳିଗଲା ୫ ଏକର

ଭୁବନେଶ୍ୱର: ଶିଖରଚଣ୍ଡୀ ଜଙ୍ଗଲରେ ନିଆଁ । ହୁତୁ ହୁତୁ ହୋଇ ଜଳୁଛି ଶିଖରଚଣ୍ଡୀ ପାହାଡ଼ର ଅଧିକାଂଶ ଅଞ୍ଚଳ । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି । ପାହାଡର ଉପର ପାର୍ଶ୍ୱରେ ନିଆଁ ଲାଗିଥିବା ଦେଖାଯାଇଛି । ତେବେ ଏହି ନିଆଁକୁ କେହି ଦୁର୍ବୃତ୍ତ ଜାଣିଶୁଣି ଲଗାଇଥିବା ଅନୁମାନ କରାଯାଉଛି । ନିଆଁରେ ପ୍ରାୟ ୫ ଏକର ଜଙ୍ଗଲ ନଷ୍ଟ ହୋଇଯାଇଛି । ୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଅକ୍ଲାନ୍ତ ପରିଶ୍ରମ କରି ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଚନ୍ତି ଅଗ୍ନିଶମ କର୍ମଚାରୀ । ତେବେ ସନ୍ଧ୍ୟାସୁଦ୍ଧା ନିଆଁ ଆୟତ୍ତ ହୋଇନଥିବା ସୂଚନା ମିଳିଛି ।

ସେହିଭଳି ନିକଟ ଅତୀତରେ ଅନ୍ୟ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଥିବା ଦେଖାଯାଇଛି । ତେବେ ଏହି ନିଆଁ କିଏ ଲଗାଉଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ଜଣାପଡ଼ି ନାହିଁ । କିନ୍ତୁ କିଛି ଜଙ୍ଗଲରେ ଆପେ ଆପେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ଖରାର ପ୍ରକୋପ ନବଢ଼ୁଣୁ ଯଦି ଜଙ୍ଗଲରେ ଏଭଳି ନିଆଁ ଲାଗିବ ତେବେ ଆଗକୁ କ’ଣ ହେବ ସେନେଇ ପରିବେଶବିତ୍‌ ଚିନ୍ତାରେ ପଡ଼ିଯାଇଛନ୍ତି ।

ଅନ୍ୟପଟେ ହୁତୁହୁତୁ ହୋଇ ଜଳୁଛି ନୀଳଗିରି କୁଳଡିହା ଜଙ୍ଗଲ । ଜଙ୍ଗଲରେ ନିଆଁ ଲାଗିବାର କାରଣ ଅନୁଧ୍ୟାନ କରିଛନ୍ତି ବାଲେଶ୍ୱର ଡିଏଫ୍ଓ ବିଶ୍ଵରାଜ ପଣ୍ଡା । ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ ଅଛନ୍ତି ୯୦ରୁ ଅଧିକ କର୍ମଚାରୀ, ଅଗ୍ନିଶମ ବାହିନୀ ଓ କିଛି ସ୍ଥାନୀୟ ଅଞ୍ଚଳବାସୀ । ଜଙ୍ଗଲ ସୁରକ୍ଷା ଦିଗରେ ଅଗ୍ନିଶମ ବିଭାଗ ଓ ବନକର୍ମଚାରୀ ମଧ୍ୟରେ ସମନ୍ୱୟ ବୈଠକ ହୋଇଛି । ନଣ୍ଡାରି ପର୍ବତର ଶିଖରଠୁ ଆରମ୍ଭ କରି ନିଆଁ ବହୁ ଅଞ୍ଚଳରେ ଧିରେ ଧିରେ ବ୍ୟାପି ଯାଇଛି । ବହୁ ମୂଲ୍ୟବାନ ଗଛ ସବୁ ନଷ୍ଟହେଲାଣି ଆଉ କିଛି ନଷ୍ଟ ହେବାକୁ ବସିଲାଣି । ଜଙ୍ଗଲରେ ରହୁଥିବା ଜୀବଜନ୍ତୁଙ୍କ ଜୀବନ ବିପଦରେ । ଜଙ୍ଗଲରେ ନିଆଁ ଲାଗିବାରୁ ଆଖପାଖ ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ ।

ପ୍ଲାଷ୍ଟିକ ଚାଉଳ, ଅଣ୍ଡା ପରେ ଏବେ ବଜାରରେ ପ୍ଲାଷ୍ଟିକ କୋବି !

କେନ୍ଦ୍ରାପଡ଼ା: ପ୍ଲାଷ୍ଟିକ ଚାଉଳ, ଅଣ୍ଡା ପରେ ଏବେ ବଜାରରେ ପ୍ଲାଷ୍ଟିକ କୋବି ନେଇ ଅଭିଯୋଗ । କଟକ, ଭବୁନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର ପରେ ଏବେ କେନ୍ଦ୍ରାପଡ଼ାରେ ବି ନକଲି ଖାଦ୍ୟ ସାମଗ୍ରୀ କଥା ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି ।

ରାମନଗର ବଜାରରୁ ସ୍ଥାନୀୟ ବାସିନ୍ଦା ବିକ୍ରମ ନାୟକ ଏକ ବନ୍ଧା କୋବି କିଣିଥିଲେ । ଘରେ ରୋଷେଇ କରିବା ପାଇଁ କୋବିକୁ କାଟିଥିଲେ । ପରେ ସେ ଦୀର୍ଘ ୧ ଘଣ୍ଟା ଧରି କୋବିକୁ ସିଝାଇଥିଲେ ମଧ୍ୟ ତାହା ସିଝି ନଥିଲା । ଏହାପରେ ତାଙ୍କର ସନ୍ଦେହ ଆରମ୍ଭ ହୋଇଥିଲା । କୋବିକୁ ଯେତେବେଳେ ସେ ନିଜେ ପରଖିବାକୁ ଚେଷ୍ଟା କଲେ ସେତେବେଳେ ତହା ଲାଳୁଆ ହୋଇଯାଇଥିଲା । ଖାଲି ସେତିକି ନୁହେଁ ପରେ ସେ କୋବି ପତ୍ରକୁ ନିଆଁରେ ଦେଖାଇଥିଲେ । ଫଳରେ ତାହା ରବର ଇଲାଷ୍ଟିକ୍‌ ଭଳି ହୋଇଯାଇଥିଲା । କୋବିକୁ ଟାଣିଲେ ତାହା ଲମ୍ବା ହେଉଥିଲା ।

ତେବେ ଏନେଇ ଅଭିଯୋଗ ହେବା ପରେ ବଜାର କମିଟିର ସଭାପତି ମଧ୍ୟ ଏହାକୁ ସତ ମାନିଥିବା ଜଣାପଡ଼ିଛି । କିଛି ଅସାଧୁ ବ୍ୟବସାୟୀ ପରିବାକୁ ଅଧିକ ଦିନ ସତେଜ ରଖିବା ପାଇଁ ଏଭଳି ରାସାୟନିକ ପଦାର୍ଥ ମିଶ୍ରଣ କରୁଥିବାରୁ ଏଭଳି ସ୍ଥିତି ଉପୁଜିଥିବା ସେ କହିଛନ୍ତି ।

ଅନ୍ୟପଟେ ଏଭଳି ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଛି । ଏହାପରେ ପରେ, ଏପରି ପରିବା ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର ରୋଗ ସହିତ ଦେହ କୁଣ୍ଡେଇ ହେଉଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏନେଇ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଲୋକମାନେ ଦାବି କରିଛନ୍ତି ।

ତାଗିଦ୍ କରିବାରୁ ଶିକ୍ଷକଙ୍କୁ ଗୁଳି କଲା ଛାତ୍ର

ଗାଜିଆବାଦ: ଶିକ୍ଷକଙ୍କୁ ଗୁଳି କଲେ ଛାତ୍ର । ଶିକ୍ଷକ ଜଣଙ୍କ କ୍ଳାସ୍‌ରେ ଛାତ୍ରଙ୍କୁ ଗାଳି ଦେବାକୁ ଏଥିରେ ଉତ୍‌କ୍ଷୀପ୍ତ ହୋଇ ତାଙ୍କୁ ଗୁଳି କରିଛି ଛାତ୍ର ।   ଉତ୍ତରପ୍ରଦେଶ ଗାଜିଆବାଦରୁ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ତେବେ ସୌଭାଗ୍ୟବସତଃ ଶିକ୍ଷକଙ୍କ ଜୀବନ ବଞ୍ଚିଯାଇଛି। ସେ ଆହତ ଅଛନ୍ତି। ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଆହତ ଶିକ୍ଷକଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜ୍ଜୁ କରି ତନାଘନା ଆରମ୍ଭ କରିଦେଇଛି ।

ଘଟଣାନୁଯାୟୀ, ସରସ୍ବତୀ ବିହାର କଲୋନୀ ସ୍ଥିତ କୃଷ୍ଣ ବିଦ୍ୟା ନିକଟ ସ୍କୁଲରେ ବାଣିଜ୍ୟ ଶିକ୍ଷକ ସଚିନ ତ୍ୟାଗୀ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କୁ ଗାଳି ଦେଇଥିଲେ । ଛାତ୍ର ଜଣକ ନିଜର ଅନ୍ୟ ସହପାଠୀଙ୍କ ସହ ଖରାପ ଆଚରଣ କରୁଥିବା ସେ ତାକୁ ଗାଳି ଦେଇଥିଲେ । ଏଥିରେ ଛାତ୍ର ଜଣଙ୍କ ରାଗିଯାଇଥିଲା । ଶନିବାର ଅପରାହ୍ନରେ ସ୍କୁଲ ଛୁଟି ହେବାପରେ ଶିକ୍ଷକ ଜଣଙ୍କ ବାଇକରେ ନିଜ ଘରକୁ ଯାଉଥିବା। ସ୍କୁଲରୁ ବାହାରି କିଛି ଦୂର ଯିବାପରେ ଏକ ସ୍କୁଟିରେ ୪ ଯୁବକ ଆସିଲେ ଓ ତ୍ୟାଗୀଙ୍କ ଉପରକୁ ଗୁଳି କରିଥିଲେ। ଗୁଳି ଶବ୍ଦ ଶୁଣି ସେଠାରେ ଥିବା ଲୋକେ ଭୟରେ ଏପଟେ ସେପଟେ ଦୌଡିବାକୁ ଲାଗିଲେ। ତେବେ ଗୁଳିକାଣ୍ଡର ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଥିଲା । ଏଥିରୁ ଆକ୍ରମଣୀକାରୀ ଛାତ୍ର ବୋଲି ସ୍ପଷ୍ଟ ହୋଇଛି । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି ।

ଏଥିସହିତ ପଢ଼ନ୍ତୁ: କଂଗ୍ରେସ-ଡିଏମ୍‌କେ ମେଣ୍ଟ: ମାତ୍ର ୨୫ଟି ଆସନରେ ଲଢ଼ିବ କଂଗ୍ରେସ

କଂଗ୍ରେସ-ଡିଏମ୍‌କେ ମେଣ୍ଟ: ମାତ୍ର ୨୫ଟି ଆସନରେ ଲଢ଼ିବ କଂଗ୍ରେସ

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ BJP ଓ AIADMK ମଧ୍ୟରେ ଆସନ ବୁଝାମଣା ହୋଇସାରିଥିବାବେଳେ DMK ଓ କଂଗ୍ରେସ ମଧ୍ୟରେ ମଧ୍ୟ ସିଟ୍ ସେୟାର ନେଇ ଆଲୋଚନା ଶେଷ ହୋଇଛି  । ୨୩୪ଟି ଆସନରୁ କଂଗ୍ରେସ ମାତ୍ର ୨୫ଟି ଆସନରେ ନିର୍ବାଚନ ଲଢିବ ବୋଲି ଜଣାପଡିଛି  । ଏନେଇ ସୂଚନା ଦେଇଛନ୍ତି ତାମଲନାଡୁ କଂଗ୍ରେସ ମୁଖ୍ୟ କେ.ଏସ୍‌ ଆଲାଗିରି  । ଏଥିସହ କନ୍ୟାକୁମାରୀ ଲୋକସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି  । ଆସନ ବୁଝାମଣା ନେଇ DMK ଓ କଂଗ୍ରେସ ମଧ୍ୟରେ ଦ୍ବନ୍ଦ୍ବ ଲାଗି ରହିଥିବାବେଳେ ଏବେ କଂଗ୍ରେସ ୨୫ଟି ଆସନରେ ନିର୍ବାଚନ ଲଢିବ ବୋଲି ଜଣାପଡିଛି  । ଏପ୍ରିଲ ୬ ତାରିଖରେ ଗୋଟିଏ ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ  । ଏ ନେଇ ଜୋର ଧରିଛି ରାଜନୀତି  । BJP ଓ AIADMK ମେଣ୍ଟକୁ ମାତ ଦେଇ ଏଥର  DMK ଓ କଂଗ୍ରେସ ସରକାର ଗଢିବ ବୋଲି କଂଗ୍ରେସ ନେତାଏ କହିଛନ୍ତି  ।

ଏଥିସହିତ ପଢ଼ନ୍ତୁ: ଏଥର ବି ବିନା ଦର୍ଶକରେ ଖେଳାଯାଇପାରେ IPL

ଜିଲ୍ଲାରେ ଚାଲିଥିବା ସମସ୍ତ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ମୁଖ୍ୟ ଶାସନ ସଚିବ

ଯାଜପୁର: ଯାଜପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରବିବାର ସକାଳୁ ପ୍ରଥମେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କୁ ଦର୍ଶନ କରିବା ପରେ ମନ୍ଦିରରେ ଚାଲିଥିବା ଉନ୍ନୟନ କାମ ତଦାରଖ କରିଥିଲେ । ଆସନ୍ତା ୬-୭ ମାସ ମଧ୍ୟରେ ମନ୍ଦିରର ଉନ୍ନୟନ କାମ ଶେଷ ହେବ ବୋଲି କହିଛନ୍ତି ସଚିବ ।

ଏଥି ସହିତ ଯାଜପୁର ଜିଲ୍ଲାରେ ଚାଲିଥିବା ସମସ୍ତ ଉନ୍ନୟନ କାର୍ଯ୍ୟ, ମେଡିକାଲ କଲେଜ, ପ୍ରଶାସନିକ ଭବନ, ବରାହ ପ୍ରକଳ୍ପ ଆଦିର ତଦାରଖ କରିଥିଲେ । କୁସୁମା ପ୍ରକଳ୍ପ ଓ ଯାଜପୁର ଜିଲ୍ଲା ସ୍କୁଲକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଯାଇ ପାଠପଢ଼ା କେମିତି ଚାଲିଛି, ତାହା ମଧ୍ୟ ଅନୁଧ୍ୟାନ କରିଛନ୍ତି । ଯାଜପୁର ଜିଲ୍ଲାର ଅନ୍ୟ ମେଗା- ପ୍ରକଳ୍ପ ସଂପର୍କରେ ପ୍ରଶାସନ ସହିତ ମୁଖ୍ୟ ଶାସନ ସଚିବ ଆଲୋଚନା କକରିଛନ୍ତି ।

ଅପ୍ରେଲ ୯ରୁ ଆରମ୍ଭ ହେବ ଚଳିତ ବର୍ଷର ଆଇପିଏଲ୍‌ ସଂସ୍କରଣ

ମୁମ୍ୱାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍‌ (ଆଇପିଏଲ୍)ର ଚଳିତ ବର୍ଷର ସଂସ୍କାରଣ ଆସନ୍ତା ଅପ୍ରେଲ ୯ ତାରିଖରୁ ଆରମ୍ଭ ହେବ । ଚଳିତ ସିଜିନର ପ୍ରଥମ ମ୍ୟାଚ୍‌ ଚେନ୍ନାଇରେ ଖେଳାଯିବାକୁ ଥିବା ବେଳେ ମୁମ୍ୱାଇ ଇଣ୍ଡିଆନ୍ସ-ରୟାଲ ଚାଲେଞ୍ଜରସ୍ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ତେବେ ନିକଟରେ ଉଦ୍‌ଘାଟିତ ହୋଇଥିବା ଅହମ୍ମଦାବାର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ପ୍ଳେ-ଅଫ୍ ଓ ଫାଇନାଲ୍ ମ୍ୟାଚ୍‌ ଖେଳାଯିବ ।

ପାଖାପାଖି ୨ ବର୍ଷ ପରେ ଭାରତକୁ ଆଇପିଏଲ୍ ରୋମାଞ୍ଚ ଫେରୁଥିବା ବେଳେ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିିଲ୍ଲୀ, ମୁମ୍ୱାଇ ଏବଂ କୋଲକାତାରେ ମ୍ୟାଚ୍‌ ଖେଳାଯିବ । ଅପ୍ରେଲ ୯ରେ ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ୩୦ ମେ’ରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଲିଗ୍‌ ପର୍ଯ୍ୟାୟରେ ମୋଟ ୫୬ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ‌ ଚେନ୍ନାଇ, ମୁମ୍ୱାଇ, କୋଲକାତା ଏବଂ ବେଙ୍ଗାଲୁରୁରେ ୪୦ଟି ମ୍ୟାଚ୍‌ ଖେଳାଯିବ । ଏହି ୪ଟି ଷ୍ଟାଡିୟମ୍‌ରେ ୧ ୦ଟି ଲେଖାଏଁ ମ୍ୟାଚ୍‌ ଖେଳାଯିବକୁ ଥିବା ବେଳେ ଅନ୍ୟ ୨ଟି ଷ୍ଟାଡିୟମ୍ ଦିଲ୍ଲୀ ଏବଂ ଅହମ୍ମଦାବାଦରେ ୮ଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ । ତେବେ ସବୁଠାରୁ ରୋଚକା କଥା ହେଉଛି କୌଣସି ଦଳ ସେମାନଙ୍କ ହୋମ୍ ଗ୍ରାଉଣ୍ଡରେ ଖେଳିବା ନେଇ ଲିଗ୍ ପର୍ଯ୍ୟାୟରେ ସୁଯୋଗ ପାଇବେ ନାହିଁ ।

ଚଳିତ ସିଜିନ୍‌ରେ ମୋଟ ୧୧ଟି ଡବଲ ହେଡର ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ୬ଟିମ୍ ୩ଟି ଅପରାହ୍ଣ ମ୍ୟାଚ୍‌ ଖେଳିବାକୁ ଥିବା ବେଳେ ୨ଟି ଟିମ୍ ଅପରାହ୍ଣ ମ୍ୟାଚ୍‌ ଖେଳିବେ । ଅପରାହ୍ଣ ମ୍ୟାଚ୍ ୩.୩୦ରୁ ଆରମ୍ଭ ହେବା ଓ ସନ୍ଧ୍ୟା ମ୍ୟାଚ୍‌ ଗୁଡ଼ିକ ୭.୩୦ ମିନିଟରେ ଆରମ୍ଭ ହେବ । ଗତବର୍ଷ କରୋନା କଟକଣା ମଧ୍ୟରେ ସଫଳତାର ସହ ଆଇପିଏଲ୍  ଆୟୋଜନ ପରେ ଚଳିତ ବର୍ଷ ଭାରତରେ କଡ଼ା ସ୍ୱାସ୍ଥ୍ୟ ସୁରକ୍ଷା ମଧ୍ୟରେ ଆଇପିଏଲ୍ ଆୟୋଜନ ନେଇ ଆଶାବଦୀ ବିସିସିଆଇ ।

ତେବେ ଚଳିତ ସିଜିନରେ ସଂକ୍ରମଣର ଆଶଙ୍କା ଏଡ଼ାଇବାକୁ ଆଇପିଏଲ୍ ପକ୍ଷରୁ ଯଥେଷ୍ଟ ବିଶେଷ ପଦକ୍ଷେପ ନିଆଯାଇଛି । ଲିଗ୍ ପର୍ଯ୍ୟାୟରେ ଦଳ ମାତ୍ର ୩ ଥର ପାଇଁ ବିମାନ ଯାତ୍ରା କରିବାକୁ ପଡ଼ିବ । ଫଳରେ ସଂକ୍ରମଣର ଆଶଙ୍କାକୁ କମ୍ କରାଯାଇପାରିବ ।