୧୯ରୁ ଉଚ୍ଚଶିକ୍ଷା ବିଭାଗର ଅଫଲାଇନ୍ କ୍ଲାସ୍ ବନ୍ଦ, ସମସ୍ତ ପ୍ରକାର ସଭା ଓ ସମିତି ଉପରେ ପ୍ରତିବନ୍ଧକ

1 min read
Restriction On Social, Political And Religious Programmes

ଭୁବନେଶ୍ୱର: ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ରାତି ୯ଟାରୁ ସକାଳ ୫ଟା ଯାଏ ରହିବ ନାଇଟ୍ କର୍ଫ୍ୟୁ । ଏଥିସହ ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ଉଚ୍ଚଶିକ୍ଷା ବିଭାଗର ସମସ୍ତ ଅଫଲାଇନ୍ କ୍ଲାସ୍  ଆସନ୍ତା ୧୯ ତାରିଖରୁ ବନ୍ଦ କରାଯିବ ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । କୋଚିଂ ସେଣ୍ଟର ଗୁଡ଼ିକ ମଧ୍ୟ ଅଫଲାଇନ୍ କ୍ଲାସ୍ କରିପାରିବେ ନାହିଁ । ଅଫଲାଇନ୍ ପରିବର୍ତ୍ତେ ଅନଲାଇନ୍ କ୍ଲାସ୍ ନେବାକୁ କୁହାଯାଇଛି । ବୈଷୟିକ ଶିକ୍ଷା, ମେଡିକାଲ ଶିକ୍ଷା ପାଠପଢ଼ା ନେଇ ସରକାର ନୂଆ ମାର୍ଗଦର୍ଶିକା ଜାରି କରିବେ ।

ସେହିଭଳି ବିଭିନ୍ନ କାର୍ଯ୍ୟକ୍ରମ ଯଥା ବିବାହରେ ସର୍ବାଧିକ ୫୦ ଜଣ, ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣ ସାମିଲ୍ ହୋଇପାରିବେ । ଧାର୍ମିକ, ସାମାଜିକ, ରାଜନୀତିକ ସମାବେଶ ଓ ସଭା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । କୌଣସି ସ୍ଥାନରେ ସଭା, ସମିତି ଆୟୋଜନ କରାଯାଇ ପାରିବ ନାହିଁ । ବିଭିନ୍ନ ଧର୍ମାନୁଷ୍ଠାନରେ କେବଳ ପୂଜକ ରୀତିନୀତି କରିବେ । ଶ୍ରଦ୍ଧାଳୁ ସାମିଲ୍ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ । ପ୍ରତି ହାଟ ଗୁଡ଼ିକରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷାକୁ କଡ଼ାକଡ଼ି କରାଯିବ । କରୋନା ଭାଇରସର ଦ୍ୱିତୀୟ ଲହରରେ ଯୁବବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି । ୩୫ରୁ ୪୦ ବର୍ଷ ବୟସ୍କ ଅଧିକ ସଂକ୍ରମିତ ହେଉଛନ୍ତି ।

Restriction On Social, Political And Religious Programmes

ବାର୍, ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡ଼ିକରେ କ୍ଷମତାର ୫୦ ପ୍ରତିଶତ ବସିକରି ଖାଇବେ । ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଯାଉଥିବା ଆନ୍ତଃରାଜ୍ୟ ବସ୍ ସେବାକୁ ଆସନ୍ତା ସୋମବାର ଠାରୁ ବନ୍ଦ କରାଯିବ । ରାଜ୍ୟ ଭିତରେ ପୂର୍ବ ଭଳି ବସ୍ ଚଳାଚଳ ଜାରି ରହିବ । ବସରେ କେହି ଛିଡ଼ା ହୋଇ ଯାଇପାରିବେ ନାହିଁ । ଅଟୋ, ଟ୍ୟାକ୍ସିରେ ଡ୍ରାଇଭର୍ ସହ ୨ ଜଣ ଯାଇପାରିବେ । କ୍ଷମତାର ୫୦ ପ୍ରତିଶତ ସିଟକୁ ନେଇ ଚାଲିବ ସିନେମା ହଲ୍ । ଖୋଲାସ୍ଥାନରେ ଥିବା ମୀନା ବଜାର ଓ ପାର୍କରେ ସର୍ବାଧିକ ୨୦୦ ଜଣ, ଥିଏଟର ଓ ଯାତ୍ରାରେ ସର୍ବାଧିକ ୧ ହଜାର ଲୋକ ସାମିଲ୍ ହୋଇପାରିବେ ।

ସରକାରୀ ଅଫିସ୍ ସବୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ଘରୋଇ ସଂସ୍ଥା, ବ୍ୟାଙ୍କ ଏବଂ ଅନ୍ୟ କାର୍ଯ୍ୟାଳୟ ଯଥାସମ୍ଭବ କମ୍ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ଅଫିସରେ ସାନିଟାଇଜର ବ୍ୟବସ୍ଥା ସହ ମାସ୍କ ପିନ୍ଧିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ନିୟମିତ ବ୍ୟବଧାନରେ କର୍ମକ୍ଷେତ୍ରକୁ ସାନିଟାଇଜ୍ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ।

ଏଥିସହ ପଢ଼ନ୍ତୁ- ରାଜ୍ୟର ସବୁ ସହରାଞ୍ଚଳରେ କାଲିଠୁ ରାତ୍ରୀକାଳୀନ କର୍ଫ୍ୟୁ, ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍

Leave a Reply