spot_img
Home Blog Page 5782

ନିର୍ବାଚନୀ ପ୍ରଚାରରେ ମାସ୍କ କାହିଁକି ବାଧ୍ୟତାମୁଳକ ନୁହେଁ ? ପଚାରିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସମେତ ତାମିଲନାଡୁ,କେରଳ ଓ ଆସାମରେ ହାଇଭୋଲଟାଜ୍ ନିର୍ବାଚନୀ ଡ୍ରାମା ଚାଲିଛି । ସବୁ ଦଳର ବଡ଼ବ଼ଡ଼ ନେତା ପ୍ରଚାର ମୈଦାନରେ ଅଛନ୍ତି । କିନ୍ତୁ ପ୍ରଚାର କାଳରେ ଗୋଟିଏ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ନା ନେତା ପିନ୍ଧୁଛନ୍ତି ମାସ୍କ ନା କର୍ମୀ । କରୋନା ଗାଇଡ୍ ଲାଇନ୍ ମାନିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ନିବେଦନ କରୁଛନ୍ତି । ଦଣ୍ଡ ଓ ତଣ୍ଡ କଥା କହି ଡରାଉଛନ୍ତି କିନ୍ତୁ ପ୍ରଚାର କଥା ଆସିବା ବେଳକୁ ଖୋଦ ନେତା ଏହାକୁ ଭୁଲି ଯାଉଛନ୍ତି । ନେତାଙ୍କଠାରୁ ବଳକା କର୍ମୀ । ନା ରହୁଛି ସାମାଜିକ ଦୂରତା ନା ପିନ୍ଧୁଛନ୍ତି ମାସ୍କ । ଏମିତିରେ ଅନେକ ଲୋକ ପ୍ରଶ୍ନ କରୁଛନ୍ତି ଯେ, ଭୋଟ୍ ପ୍ରଚାର ବେଳେ କ’ଣ କରୋନା ସଂକ୍ରମଣ ହେଉନାହିଁ ? ନିର୍ବାଚନ ପ୍ରଚାର ବେଳେ ମାସ୍କ ପିନ୍ଧିବାକୁ ବାଧ୍ୟତାମୁଳକ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଦାଏର ଏକ ଆବେଦନ ଉପରେ ଶୁଣାଣି କରି ଗୁରୁବାର ଦିନ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଏହା ସହ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ କ’ଣ ତାହା ଜାଣିବାକୁ ହାଇକୋର୍ଟ ଚାହିଁଛନ୍ତି ।

ସୂଚନାଯୋଗ୍ୟ ଯେ, ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଦିଲ୍ଲୀ ହାଇକୋର୍ଟ ବୁଧବାର ଦିନ ଉଦବେଗ ପ୍ରକାଶ କରିଥିଲେ । ବୁଧବାର ଏକା ରାୟ ଦେଇ ହାଇକୋର୍ଟ କହିଥିଲେ ଯେ ,କାରରେ ଡ୍ରାଇଭର ଏକାକୀ ଥିଲେ ମଧ୍ୟ ତାଙ୍କ ପାଇଁ ମାସ୍କ ବାଧ୍ୟତାମୁଳକ ହେବ । ହାଇକୋର୍ଟଙ୍କ ଏହି ରାୟ ପରଠାରୁ ନିର୍ବାଚନୀ ରାଲିରେ ମାସ୍କ ଅନିବାର୍ଯ୍ୟ କରିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଥିଲା । ଅନେକ ପ୍ରଶ୍ନ କରୁଥିଲେ ଯେ, ନିର୍ବାଚନୀ ରାଲି ଗୁଡିକରେ ନେତାଙ୍କଠାରୁ କର୍ମୀ କ’ଣ ପାଇଁ ମାସ୍କ ପିନ୍ଧୁ ନାହାନ୍ତି କିମ୍ବା ସୋସିଆଲ ଡିଷ୍ଟାନ୍ସିଂ ନିୟମକୁ ମାନୁ ନାହାନ୍ତି ।

ନିର୍ବାଚନୀ ରାଲିରେ ମାସ୍କ୍ ପିନ୍ଧିବାକୁ ଅନିବାର୍ଯ୍ୟ କରିବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ଜନହିତ ମାମଲା ଦାଏର ହୋଇଥିଲା । ପିଟିସନରେ ଆବେଦନକାରୀ ନିର୍ବାଚନୀ ସଭାରେ ମାସ୍କକୁ ବାଧ୍ୟତାମୁଳକ କରିବାକୁ ନିବେଦନ କରିଥିଲେ । ଏହା ଉପରେ ଶୁଣାଣି କରି ହାଇକୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି । ନିର୍ବାଚନୀ ରାଲିରେ କରୋନା ସଂକ୍ରମଣର କେତେ ଆଶଙ୍କା ରହିଛି ଓ ଏହି ସବୁ ରାଲିରେ ମାସ୍କକୁ ଅନିବାର୍ଯ୍ୟ କରାଯିବ କି ନାହିଁ ଏନେଇ ହାଇକୋର୍ଟ କେନ୍ଦ୍ର ଓ ନିର୍ବାଚନ କମିଶନଙ୍କୁ ପଚାରିଛନ୍ତି ।

IPL 2021: ବିମାନବନ୍ଦରରେ ପୃଥକ ଚେକ୍ ଇନ୍ କାଉଣ୍ଟର ପାଇଁ ସରକାରଙ୍କୁ ଅନୁରୋଧ କରିବ ବିସିସିଆଇ

0

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଜମିବ ଫଟାଫଟ୍ କ୍ରିକେଟ । ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ । ଏତିକି ବେଳେ କରୋନା କାୟାରେ ରହିଛି ପୁରା ଆଇପିଏଲ୍‌ । କିଛି ଖେଳାଳିଙ୍କ ସମେତ, ଫ୍ରାଞ୍ଚାଇଜ୍ କର୍ମଚାରୀ, ପ୍ରସାରଣକାରୀ ଏବଂ ଟୁର୍ଣ୍ଣାମେଣ୍ଟ ସହିତ ଜଡ଼ିତ ଅନ୍ୟ କେତେଜଣ ମଧ୍ୟ କରୋନାରେ ସଂକ୍ରମିତ ହୋଇସାରିଲେଣଇ । ଯାହାକି ଏବେ ବିସିସିଆଇକୁ ଚିନ୍ତାରେ ପକାଇଛି। କରୋନା ପାଇଁ ଏଥର ଟୁର୍ଣ୍ଣାମେଣ୍ଟ ଶେଷ ପର୍ଯ୍ୟନ୍ତ, ସବୁ ଆଇପିଏଲ୍ ଦଳ, ସହଯୋଗୀ ଷ୍ଟାଫ୍ ଏବଂ ଅନ୍ୟାନ୍ୟ ଶେଆର ହୋଲ୍ଡରମାନେ ବାୟୋ-ବବଲରେ ରହିବେ। ଏଥର ପଡ଼ିଆରେ ବି କୌଣସି ଦର୍ଶକ ରହିବେ ନାହିଁ। କିନ୍ତୁ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ କରୋନା ପରିସ୍ଥିତି ଜଟିଳ କରିଦେଲାଣି ।

କରୋନା ଭାଇରସ ସହ ମୁକାବିଲା କରିବା ପାଇଁ ବିସିସିଆଇର ବରିଷ୍ଠ ଅଧିକାରୀମାନେ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି । ତେବେ ଏହି ନୂଆ ପଦକ୍ଷେପଗୁଡ଼ିକ ମଧ୍ୟରେ ବିମାନବନ୍ଦରରେ ପୃଥକ ଚେକ୍ ଇନ୍ କାଉଣ୍ଟର ବ୍ୟତୀତ ଦୈନିକ କରୋନା ପରୀକ୍ଷା ଏବଂ ବାୟୋ-ବବୁଲ୍ ଇଣ୍ଟିଗ୍ରିଟି ପରିଚାଳକଙ୍କ ନିଯୁକ୍ତି ମଧ୍ୟ ସାମିଲ ରହିଛି। ଆଇପିଏଲ୍ 2021ର ମ୍ୟାଚ୍ ମୁମ୍ବାଇ, ଦିଲ୍ଲୀ, କୋଲକାତା, ଅହମ୍ମଦାବାଦ, ବେଙ୍ଗାଲୁରୁ ଏବଂ ଚେନ୍ନାଇର ୬ ଟି ସହରରେ ହେବ। ଖେଳାଳୀମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବିମାନ ଯାତ୍ରା କରିବାକୁ ପଡ଼ିବ। ପ୍ରତ୍ୟେକ ଦଳକୁ ୩ ଥର ଲେଖାଏଁ ଯାତ୍ରା କରିବାକୁ ପଡ଼ିବ । ତେବେ ବିମାନବନ୍ଦରରେ ଏମାନେ ଅନ୍ୟ ଲୋକମାନଙ୍କ ସଂସ୍ପର୍ଷରେ ଆସିଲେ କରୋନା ହେବାର ଭୟ ରହିଛି । ବିଶେଷ କରି ମୁମ୍ବାଇ ଓ ଦିଲ୍ଲୀ ଏୟାରପୋର୍ଟରେ ଏହାର ଅଧିକ ଭୟ ରହିଛି। ତେଣୁ ବିସିସିଆଇ ଭାରତ ସରକାରଙ୍କୁ ଏହି ୬ ସହରର ବିମାନବନ୍ଦରରେ ଆଇପିଏଲ୍ ପାଇଁ ପୃଥକ ଚେକ୍ ଇନ୍ କାଉଣ୍ଟରର ଅନୁମତି ଦେବାକୁ ଅନୁରୋଧ କରିବାକୁ ଯାଉଛି । ଯାହା ଦ୍ୱାରା ଦଳଗୁଡ଼ିକ ଏକ ସୁରକ୍ଷିତ ବାୟୋ-ବବଲ୍ ପାଇପାରିବେ।

ଏହା ବ୍ୟତୀତ ବାୟୋ-ବବଲକୁ ଅଧିକ ସୁରକ୍ଷିତ କରିବା ପାଇଁ ବିସିସିଆଇ ଅଧିକ କୋଭିଡ-19 ପରୀକ୍ଷା ଉପରେ ଗୁରୁତ୍ୱ ଦେଇଛି। ନିକଟରେ ଚେନ୍ନାଇକୁ ଉଡ଼ାଣ ପୂର୍ବରୁ କୋଭିଡ-19 ପରୀକ୍ଷଣରେ ଜଣେ ସଦସ୍ୟ କୋଭିଡ ରିପୋର୍ଟ ନେଗେଟିଭ୍ ବୋଲି ଜଣାପଡ଼ିଥିଲା କିନ୍ତୁ ୫ ଦିନ ପରେ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଲା। ଏଥିରୁ ଜଣାପଡ଼ୁଛି ଯେ ବିମାନଯାତ୍ରା ସମୟରେ କରୋନା ହେବାର ଅଧିକ ଆଶଙ୍କା ରହିଛି । ତେଣୁ, ବିସିସିଆଇ ପୃଥକ ଚେକ୍ ଇନ୍ କାଉଣ୍ଟର ଚାହୁଁଛି।

ସଂକ୍ରମଣ ବୃଦ୍ଧି ପରେ BMC ସଜାଗ: ସମ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୧୫୦ ରୁ ୨୫୦କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପରେ ସଜାଗ ରହିଛି ଭୁବନେଶ୍ୱର ମହାନଗର ନିଗମ- ବିଏମସି । ବିଏମସି ଏନଫୋର୍ସମେଣ୍ଟ ଟିମ୍ ଓ କମିଶନରେଟ ପୋଲିସ ମିଳିତ ଭାବେ ମହାମାରୀ ବିରୋଧରେ ଯୁଦ୍ଧ ଜାରି ରଖିଛନ୍ତି । ରାଜ୍ୟରେ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ବନ୍ଦ ପାଇଁ ସରକାରଙ୍କ ଘୋଷଣା ପରେ ଆବାସିକ ଶିକ୍ଷାଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦେଶ ଦିଆଯାଇଛି ।

ଅଧିକାଂଶ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଶେଷ ହୋଇଛି, ଏଣୁ ତୁରନ୍ତ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କୁହାଯାଇଛି । ସରକାରୀ ଶିକ୍ଷାନୁଷ୍ଠାନଗୁଡିକରେ ମଧ୍ୟ ନିର୍ଦେଶ ଅନୁପାଳନ କରିବାକୁ କୁହାଯାଇଛି । ସେପଟେ ସରକାରୀ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ ଲାଗିଛି କଟକଣା ଭୁବନେଶ୍ୱରରେ ଥିବା ଏକମାତ୍ର କୋଭିଡ ହସ୍ପିଟାଲ ସମ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୧୫୦ ରୁ ୨୫୦ କୁ ବୃଦ୍ଧି କରାଯାଇଛି।

ପୂର୍ବରୁ ଯେଉଁ ହସ୍ପିଟାଲଗୁଡିକ ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ସେମାନଙ୍କୁ ଆବଶ୍ୟକ ସ୍ଥଳେ ପୁଣିଥରେ ନିୟୋଜିତ କରାଯିବ । ବର୍ତ୍ତମାନ ଲାକଡାଉନ ଓ ସଟଡାଉନ କଥା ଚିନ୍ତା ନକରି ଏନଫୋର୍ସମେଣ୍ଟ, ମାଇକ୍ରୋ କଣ୍ଟେନମେଣ୍ଟ ଜନ୍‌ ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଥିବା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

ଲକଡାଉନର ପଦଧ୍ୱନୀ: ଦିଲ୍ଲୀରୁ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣ ଆରମ୍ଭ ହୋଇ ସାରିଛି । ଗୁଜୁରାଟ, ମହାରାଷ୍ଟ୍ର ଓ ପଂଜାବରେ କରୋନା କରାଳ ରୂପ ନେଲାଣି । ଛତିଶଗଡ ରାଜଧାନୀ ରାୟପୁରରେ ୧୧ ଦିନିଆ ଲକଡାଉନ୍ ଆରମ୍ଭ ହୋଇସାରିଲାଣି । ଏହାରି ଭିତରେ ଦିଲ୍ଲୀ ଓ ମୁମ୍ବାଇ ଭଳି ସ୍ଥାନରେ କଡା କଟକଣା ଭିତରେ ପୁଣି ଥରେ ଲକଡାଉନର ସ୍ମୃତି ତାଜା ହୋଇଛି । ଗତବର୍ଷର ଲକଡାଉନ୍ ପୁଣି ପ୍ରବାସୀ ଶ୍ରମିକଙ୍କୁ ଡରାଇବାକୁ ଲାଗିଲାଣି ।
ଲକଡାଉନର ଡର ଏତେ ଯେ, ପ୍ରବାସୀ ଶ୍ରମିକ ନିଜ ଘରକୁ ଫେରିବା ଆରମ୍ଭ କଲେଣି । ଦିଲ୍ଲୀ ଓ ପୁଣେରେ କଟକଣା ବଢିବା ପ୍ରବାସୀ ଶ୍ରମିକଙ୍କୁ ଡରାଇ ଦେଇଛି । ସେମାନଙ୍କୁ ଲାଗୁଛି ଯେ, ସ୍ଥିତି ଅଧିକା ବିଗିଡିଲେ ଯେକୌଣସି ସମୟରେ ଲକଡାଉନ୍ ଲାଗିପାରେ । ଏମିତିରେ ଗତବର୍ଷର ଭୟଙ୍କର ଅନୂଭବ ସେମାନଙ୍କୁ ଆଗୁଆ ନିଜ ନିଜ ରାଜ୍ୟକୁ ଫେରିବାକୁ ବାଧ୍ୟ କରୁଛି ।

( ଆନନ୍ଦ ବିହାର ଟର୍ମିନାଲରେ ବିହାରୀ ଶ୍ରମିକ)

ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲରେ ଏବେ ବିହାରି ଶ୍ରମିକଙ୍କ ଭିଡ ଜମୁଛି । ଏହି ଶ୍ରମିକ ନିଜ ରାଜ୍ୟକୁ ଫେରିବାକୁ ଏଠାରେ ଏକାଠି ହେଉଛନ୍ତି । ସେମାନଙ୍କ କହିବା ହେଉଛି ଗତବର୍ଷର ଲକଡାଉନ୍ କାଳରେ ସେମାନେ ଦିଲ୍ଲୀରେ ଫସିଯାଇଥିଲେ । ତେଣୁ ଏଥର ଆଗୁଆ ସେମାନେ ବିହାର ଯାଉଛନ୍ତି । ଲକଡାଉନ୍ ଯଦି ହୁଏ ତେବେ ଗତ ବର୍ଷ ଭଳି ସେମାନଙ୍କୁ ଖାଦ୍ୟ ପାଇଁ ହଇରାଣ ହରକତ ହେବାକୁ ପଡିପାରେ । ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ କରୋନାକୁ ଦୃଷ୍ଟିରେ ରଖି ପୁଣି ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ଏହା ସହିତ ଅନ୍ୟାନ୍ୟ କଟକଣା ମଧ୍ୟ ଲାଗୁ ହୋଇଛି । ଏମିତିରେ ଶ୍ରମିକଙ୍କ ଆଶଙ୍କା ଯେ, ପୁଣି ଲକଡାଉନ୍ ଲାଗୁ ହୋଇପାରେ ।

ଦିଲ୍ଲୀ, ମହାରାଷ୍ଟ୍ର, ଛତିଶଗଡ,ପଂଜାବ ଭଳି ରାଜ୍ୟରେ ନାଇଟ୍ କର୍ଫ୍ୟୁ ପୁଣି ଆରମ୍ଭ ହୋଇଛି । ମହାରାଷ୍ଟ୍ରର ପୁଣା,ମୁମ୍ବାଇ ଭଳି ସହରରେ କଠୋର କଟକଣା ଲାଗୁ ହୋଇଛି । ମହାରାଷ୍ଟ୍ରର ଗୋଟିଏ ଦୁଇଟି ଜିଲ୍ଲାରେ ଲକଡାଉନ୍ ଲାଗୁ ହୋଇଥିବା ବେଳେ ଛତିଶଗଡର ରାଜଧାନୀ ରାୟପୁରରେ ୧୧ ଦିନିଆ ଲକଡାଉନ୍ ବୁଧବାରଠାରୁ ଆରମ୍ଭ ହୋଇଛି ।

ଗୁଜୁରାଟ ଭଳି ରାଜ୍ୟରେ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ହୋଟେଲକୁ ଭଡାରେ ନିଆଯାଇଛି । ଏମିତିରେ ଲକଡାଉନ୍ ଆଶଙ୍କ ବଢିଛି । ଗତବର୍ଷ ଯେଉଁଭଳି ଭାବେ ହଠାତ ଲକଡାଉନ୍ ଘୋଷଣା କରାଯାଇଥିଲା ତାହା ଦ୍ୱାରା ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରବାସୀ ଶ୍ରମିକ ପ୍ରଭାବିତ ହୋଇଥିଲେ । ତେଣୁ ଏବେ ଏହି ପ୍ରବାସୀ ଶ୍ରମିକ ମହାରାଷ୍ଟ୍ର ଓ ଦିଲ୍ଲୀ ଭଳି ରାଜ୍ୟରୁ ପଳାୟନ ଆରମ୍ଭ କଲେଣି ।

କେନ୍ଦ୍ର ଦେଉନି ଟିକା, ରାଜ୍ୟରେ ଟିକା ଅଭାବ କାରଣରୁ ଟିକାକରଣ ପ୍ରଭାବିତ

ଭୁବନେଶ୍ୱର: କେନ୍ଦ୍ର ଦେଉନି ଟିକା, ରାଜ୍ୟରେ ଟିକା ଅଭାବ ଯୋଗୁ ଟିକାକରଣ ପ୍ରଭାବିତ । ରାଜ୍ୟର ୭ଶହ ଟିକାକରଣ କେନ୍ଦ୍ର ବନ୍ଦ ହୋଇଥିବା ସୂଚନା ମିଳିଛି । କୋରାପୁଟ ଜିଲ୍ଲାରେ ପୂରା ବନ୍ଦ ହୋଇଯାଇଛି ଟିକାକରଣ । ଦୁଇଦିନ ଭିତରେ ଟିକା ନଆସିଲେ ରାଜ୍ୟରେ ଟିକାକରଣ ବନ୍ଦ ହୋଇଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ଏଯାଏ କେନ୍ଦ୍ର କେବେ ଟିକାଦେବ ତାହା ସ୍ପଷ୍ଟ କରିନାହିଁ  । ରାଜ୍ୟ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି । ୧୦ଦିନ ପାଇଁ ୨୫ ଲକ୍ଷ ଟିକା କେନ୍ଦ୍ରକୁ ମାଗିଛି ରାଜ୍ୟ । ଗତକାଲି ୪ଶହ ଟିକାକରଣ କେନ୍ଦ୍ର ବନ୍ଦ ହୋଇଥିଲା । ମୋଟ୍ ୧୫ଶହ ଟିକାକରଣ କେନ୍ଦ୍ର ଥିଲା । ଟିକା ଅଭାବରୁ ୭ଶହ ଟିକାକରଣ କେନ୍ଦ୍ର ବନ୍ଦ ହୋଇଛି ।

କେନ୍ଦ୍ରକୁ ୨୫ ଲକ୍ଷ କୋଭିଡ୍ ଟିକା ମାଗିଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ପରେ ପୁଣି ଥରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଆଗାମୀ ୧୦ ଦିନର ଟିକାକରଣ ପାଇଁ ଟିକା ଯୋଗାଇବାକୁ ଦାବି କରିଛନ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ।  ଏବେ ରାଜ୍ୟରେ ଦୈନିକ ଅଢେଇ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଉଛି । ଆଜି ସୁଦ୍ଧା ୫ ଲକ୍ଷ ୩୪ ହଜାର କୋଭିଡ୍ ଟିକା ଡୋଜ ରାଜ୍ୟ ପାଖରେ ଅଛି ।

ଉପଲବ୍ଧ ଥିବା ଷ୍ଟକରେ ମାତ୍ର ଦୁଇ ଦିନ ପର୍ଯ୍ୟନ୍ତ ଟିକାକରଣ କରାଯାଇପାରିବ । ୯ ତାରିଖ ସୁଦ୍ଧା ଅଧିକ ଟିକା ନପହଞ୍ଚିଲେ ରାଜ୍ୟରେ କୋଭିଡ୍ ଟିକାକରାଣ ବାଧାପ୍ରାପ୍ତ ହେବ । ଦ୍ୱିତୀୟ ଡୋଜ୍ ନେବାକୁ ଥିବା ହିତାଧିକାରୀଙ୍କ ଟିକାଦାନ ବିଳମ୍ବ ହେବ । ଟିକା ଅଭାବରୁ ୭୦୦ ଟିକାଦାନ କେନ୍ଦ୍ରକୁ ବନ୍ଦ କରିବାକୁ ବାଧ୍ୟ ହୋଇଛୁ ବୋଲି ମନ୍ତ୍ରୀ ନବ ଦାସ କହିଛନ୍ତି ।

ବେକାବୁ କରୋନା: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ଦେଶରେ ଚିନ୍ତା ବଢ଼ାଉଛି କରୋନା । ସଂକ୍ରମଣ ବଢୁଥିବା ବେଳେ ଅଣାୟତ ହେଉଛି ସ୍ଥିତି। ତେଣୁ ଅନେକ ରାଜ୍ୟରେ ନାଇଟ କର୍ଫ୍ୟୁ ମଧ୍ୟ ଜାରି କରାଯାଇଛି।  ତେବେ ଏହାରି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିତି ସମୀକ୍ଷା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ଆଲୋଚନା କରିବେ। ସବୁ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟଙ୍କ ସହ ମଧ୍ୟ ଆଲୋଚନା କରିବେ ମୋଦି।

ଆଜି ସନ୍ଧ୍ୟା ୬.୩୦ରେ ଆଲୋଚନା ନେଇ PMO ପକ୍ଷରୁ  ସୂଚନା ଦିଆଯାଇଛି। ଏହି ବୈଠକ ଭିଡିଓ କନଫରେନ୍ସିଂରେ ବସିବ । କୋଭିଡ୍ ସ୍ଥିତି, ମୁକାବିଲା ଓ ଟିକାକରଣ ସମ୍ପର୍କରେ ଆଲୋଚନା କରାଯିବା ସହ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। କରୋନା ମୁକାବିଲାରେ ଆଗକୁ ଦେଶର କ’ଣ ରହିବ ଣନୀତି ସେ ନେଇ ଆଲୋଚନା ହେବ।

ସୂଚନାଯୋଗ୍ୟ, ୨୪ ଘଣ୍ଟାରେ ଦେଶରେ ଲକ୍ଷେ ୨୬ହଜାର ୭୮୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୮୫ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଦିନକରେ ୫୯ହଜାର ୨୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କରୋନା ଆକ୍ଟିଭ କେସ୍ ୯ଲକ୍ଷ ୧୦ହଜାର ୩୧୯ଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ଲକ୍ଷେ ୬୬ହଜାର ୮୬୨ରେ ପହଞ୍ଚିଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ରୁଦ୍ରଙ୍କ ପାଇଁ ପ୍ରଚାର ମଙ୍ଗ ଧରିଲେ ଭଉଣୀ ପଲ୍ଲବୀ

ପିପିଲି: ପିପିଲି ଉପନିର୍ବାଚନକୁ ଯେତିକି ଯେତିକି ଦିନ ପାଖେଇ ଆସୁଛି, ସେତିକି ଜମୁଛି ନିର୍ବାଚନ ମାହୋଲ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ପୂରା ଦମ୍‌ରେ ଲୋକଙ୍କ ପାଖକୁ ଯାଉଛନ୍ତି ପ୍ରାର୍ଥୀ ଓ ନେତା ।  ଲୋକଙ୍କ ପାଖକୁ ଯାଇ ସରକାରଙ୍କ ସଫଳତା ବଖାଣି ଭୋଟ ମାଗୁଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ରୁଦ୍ରଙ୍କ ପାଇଁ ମଇଦାନରେ ଲଢେଇ କରୁଛନ୍ତି ବିଜେଡିର ବରିଷ୍ଠ ନେତା । ପିପିଲି ଗ୍ରାଉଣ୍ଡରେ ବଡ଼ ସ୍କୋର ଲକ୍ଷ୍ୟରେ ରହିଛି ବିଜେଡି ।

ଅନ୍ୟପଟେ ଆଜି ପିପିଲିରେ ନିର୍ବାଚନ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇଛନ୍ତି ରୁଦ୍ରଙ୍କ ଭଉଣୀ ପଲ୍ଲବୀ ଏବଂ ଭିଣୋଇ ଅର୍ଦ୍ଧେନ୍ଦୁ । ଘର ଘର ବୁଲି ଭାଇ ରୁନ୍ଦ୍ର ପାଇଁ ଭୋଟ ମାଗିଛନ୍ତି ଦୁହେଁ । ପିପିଲି ବାସୀଙ୍କ ସହ ସାକ୍ଷାତ କରି ତାଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି ପଲ୍ଲବୀ ମହାରଥୀ ।

ଉଗ୍ର ହେଉଛି କରୋନା: ୨୪ ଘଣ୍ଟାରେ ୨୬ ଲକ୍ଷ ଟପିଲା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଲାଣି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୨୬ହଜାର ୭୮୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୮୫ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଦିନକରେ ୫୯ହଜାର ୨୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କରୋନା ଆକ୍ଟିଭ କେସ୍ ୯ଲକ୍ଷ ୧୦ହଜାର ୩୧୯ଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ଲକ୍ଷେ ୬୬ହଜାର ୮୬୨ରେ ପହଞ୍ଚିଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ତେବେ କେବଳ ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦ ହଜାର ୯୦୭ ଟି ନୂଆ ମାମଲା ଆସିଥିବାବେଳେ ୩୨୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଦିଲ୍ଲୀରେ ସାଢ଼େ ପାଞ୍ଚ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହେବା ସହ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ୟୁପିରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬ ହଜାର କରୋନା ରୋଗୀ ଚିହ୍ନଟ ହେବା ସହ ୪୦ ଜଣଙ୍କର ମୃତ୍ୟୁ ହୋଇଛି। ତେବେ କରୋନାରେ ଦ୍ୱିତୀୟ ଲହରରେ ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ବି ଦିନକୁ ଦିନ ପରିସ୍ଥିତି ଅନିୟନ୍ତ୍ରିତ ହେବାରେ ଲାଗିଛି।

ଏପ୍ରିଲରେ ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ, ଦିନକରେ ଆଉ ୮୭୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏପ୍ରିଲ୍ ମାସର ପ୍ରତିଦିନ କରୋନା କରୁଛି ନୂଆ ନୂଆ ରେକର୍ଡ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୮୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୫୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୬୧ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୨୦ ଜଣ, ବାଲେଶ୍ୱରରୁ ୨୨ଜଣ, ବରଗଡ଼ରୁ ୫୩, ଭଦ୍ରକରୁ ୧୭ ଜଣ, ବଲାଙ୍ଗିରରୁ ୨୬ ଜଣ, କଟକରୁ ୫୦ ଜଣ, ଦେବଗଡ଼, ଗଜପତି ଏବଂ ବୌଦ୍ଧରୁ ଦଣେ ଲେଖାଏଁ, ଗଞ୍ଜାମରୁ ୩୧ଜଣ, ଜଗତସିଂହପୁରରୁ ୨ଜଣ, ଯାଜପୁରରୁ ୧୫ଜଣ, ଝାରସୁଗୁଡ଼ାରୁ ୨୩ଜଣ, କଳାହାଣ୍ଡିରୁ ୪୩ଜଣ, କନ୍ଧମାଳରୁ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଲି କେନ୍ଦୁଝରରୁ ୨୫ ଜଣ, କୋରାପୁଟରୁ ୫ ଜଣ, ମୟୂରଭଞ୍ଜରୁ ୨୯ଜଣ, ନବରଙ୍ଗପୁରରୁ ୧୯ ଜଣ, ନୟାଗଡ଼ରୁ ୬ ଜଣ, ନୂଆପଡ଼ାରୁ ୬୧ ଜଣ, ପୁରୀରୁ ୪୪ ଜଣ, ରାୟଗଡ଼ାରୁ ୧୩ ଜଣ, ସମ୍ବଲପୁରରୁ ୪୮ ଜଣ, ସୋନପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୧୩୧ ଜଣ ଓ ଷ୍ଟେଟ୍ ପୁଲରୁ ୩୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୫ ହଜାର ୫୨୬କୁ ବୃଦ୍ଧି ପାଇଛି । ୩ ଲକ୍ଷ ୩୮ ହଜାର ୬୬୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ କରୋନାର ୪୮୮୮ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ସଚିନ ୱାଜେଙ୍କ ଅଭିଯୋଗ: ଚାକିରି ପାଇଁ ୨ କୋଟି ମାଗିଥିଲେ ଅନିଲ ଦେଶମୁଖ

ମୁମ୍ବାଇ: ବଢ଼ିଲା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଅଡୁଆ । ଏନଆଇଏ ନିକଟକୁ ଚିଠି ଲେଖିଲେ ସଚିନ ୱାଜେ।  ୩ ଫର୍ଦ୍ଦର ଏହି ଚିଠିରେ ୱାଜେ ଦେଶମୁଖଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଦେଶମୁଖ ତାଙ୍କୁ ମୁମ୍ବାଇରେ ଚାକିରିରେ ବଜାୟ ରଖିବାକୁ ୨ କୋଟି ଟଙ୍କା ଲାଞ୍ଚ ମାଗିଥିଲେ। ଏଥିସହ ମହାରାଷ୍ଟ୍ରର ବିଭିନ୍ନ ହୋଟେଲ ଓ ବାର୍‌ରୁ ଚାନ୍ଦା ଆଦାୟ ଲାଗି ଦେଶମୁଖ ତାଙ୍କୁ ଦାୟିତ୍ୱ ଦେଇଥିଲେ ବୋଲି ୱାଜେ ଏନଆଇଏ ନିକଟକୁ ଚିଠି ଲେଖିଛନ୍ତି। ଦେଶମୁଖଙ୍କ ସହିତ ବର୍ତ୍ତମାନର ପରିବହନ ମନ୍ତ୍ରୀ ଅନିଲ ପରବଙ୍କୁ ମଧ୍ୟ ସେ ଚାନ୍ଦା ଆଦାୟ ମାମଲାରେ ସାମିଲ୍ କରିଛନ୍ତି ।

ଦେଶମୁଖ ମୁମ୍ବାଇର ବିଭିନ୍ନ ହୋଟେଲ ଓ ବାର୍‌ରୁ ମାସିକ ୧୦୦କୋଟି ଚାନ୍ଦା ଆଦାୟ କରି ବାକୁ ସଚିନ ବାଜେଙ୍କୁ ଦାୟିତ୍ୱ ଦେଇଥିବା ଅଭିଯୋଗ ହୋଇଛି । ଚାନ୍ଦା ଆଦାୟ ସମ୍ପର୍କରେ ବୁଝାମଣା ପାଇଁ ସେ ଦୁଇ ମନ୍ତ୍ରୀଙ୍କ ବିଭିନ୍ନ ସମୟରେ ଭେଟିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ସଚିନ ୱାଜେ। ସେ କହିଛନ୍ତି ଯେ ଅନିଲ ପରବ ତାଙ୍କୁ ବାର୍ ଓ ରେଷ୍ଟାରାଣ୍ଟ ଉପରେ ଯାଞ୍ଚ ବନ୍ଦ କରିବା ପାଇଁ ୫୦ କୋଟି ଟଙ୍କା ଆଦାୟ କରିବାକୁ କହିଥିଲେ। ଏହା ବ୍ୟତୀତ ପରବ ତାଙ୍କୁ ବିଏମସି ଠିକାଦାରଙ୍କ ଉପରେ ଯାଞ୍ଚ  କରିବାକୁ ଓ ପ୍ରତ୍ୟେକଙ୍କଠୁ ୨ କୋଟି ଟଙ୍କା ଆଦାୟ କରିବାକୁ କହିଥିବା ମଧ୍ୟ ଅଭିଯୋଗ କରିଛନ୍ତି ୱାଜେ। ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ ଘଟଣାରେ ମାର୍ଚ୍ଚ ୧୩ରେ ଏନଆଇଏ ସଚିନ ୱାଜେଙ୍କୁ ଗିରଫ କରିଥିଲା। ତେବେ ଏନଆଇଏର କଷ୍ଟଡିରେ ନିଜ ୋକିଲଙ୍କ ସହ ବସି ସେ ଏହି ଚିଠି ଲେଖିଛନ୍ତି।

ବାଜେ ଆଣିଥିବା ଅଭିଯୋଗକୁ ଅନିଲ ପରବ ଖଣ୍ଡନ କରିଛନ୍ତି। ଅନିଲ କହିଛନ୍ତି ଏହି ଅଭିଯୋଗର ତଦନ୍ତ ସହ ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ ଥିବା ଅନିଲ କହିଛନ୍ତି। ଅନ୍ୟପଟେ ବାଜେ ଲେଖିଥିବା ଏହି ଚିଠି ପଛରେ ବିଜେପିରେ ହାତ ରହିଥିବା ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନିନ୍ଦିତ କରିବାକୁ ଏହା ବିଜେପିର ଏକ ଷଡ଼ଯନ୍ତ୍ର ବୋଲି ଅନିଲ କହିଛନ୍ତି।