spot_img
Home Blog Page 5735

ବର୍ଦ୍ଧିତ ସଂକ୍ରମଣକୁ ଦେଖି ୟୁଜିସି-ନେଟ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ପୁଣି ସ୍ଥଗିତ ହେଲା ୟୁଜିସି ନେଟ୍ ପରୀକ୍ଷା । ୨୦୨୦ ଡିସେମ୍ବରରେ ହେବାକୁ ଥିବା ୟୁଜିସି ନେଟ୍ କରୋନା ପାଇଁ ଗତବର୍ଷ ସ୍ଥଗତି ରହିଥିଲା । ଚଳିତ ମେ’ ୨ରୁ ୧୭ ମଧ୍ୟରେ ୟୁଜିସି ପରୀକ୍ଷା ହୋଇଥାନ୍ତା । ତେବେ କରୋନାର ଦ୍ୱିତୀୟ ପ୍ରବାହ ପରେ ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ପୁଣି ଥରେ ୟୁଜିସି ନେଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

ୟୁଜିସି ନେଟ୍ ପରୀକ୍ଷା କେବେ ହେବ ସେନେଇ ପରୀକ୍ଷାର ୧୫ ଦିନ ପୂର୍ବରୁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ସୂଚନା ଦେବ । ଏହାଛଡ଼ା ପରୀକ୍ଷା ତାରିଖ ଓ ଅନ୍ୟ ସୂଚନା ଲାଗି ଏନଟିଏ ୱେବସାଇଟ୍ ଭିଜିଟ୍ କରିବାକୁ କୁହାଯାଇଛି ।

ଏହା ପୂର୍ବରୁ ସିବିଏସଇ ଓ ଆଇସିଏସଇ (ICSE) ଦଶମ ପରୀକ୍ଷାକୁ ବାତିଲ୍ କରି ଦେଇଥିବା ବେଳେ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । NEET-PG ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି ।

ଏଥିସହ ପଢ଼ନ୍ତୁ- NEET-PG ୨୦୨୧ ପରୀକ୍ଷା ସ୍ଥଗିତ

କରୋନାରୁ ବଞ୍ଚିବା ପାଇଁ ଟିପ୍ସ ଦେଲେ ରାମାୟଣର ସୀତା

ନୂଆଦିଲ୍ଲୀ: ରାମାୟଣର ସୀତା ଅର୍ଥାତ୍‌ଦୀପିକା ଚିଖଲିୟା କରୋନା ଭୂତାଣୁ ସହିତ ଲଢି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାରେ ସଂକ୍ରମିତ ହେବାପରେ ନିଜର କିଛି ଅଭିଜ୍ଞତା ଶେୟାର କରିଛନ୍ତି ରାମାୟଣର ସୀତା । ଦୀପିକା ସୋସିଅଲ ମିଡିଆରେ କରୋନାରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପାୟ ଶେୟାର କରିଛନ୍ତି । କେବଳ ସେତକି ନୁହେଁ ବରଂ ମାସ୍କ ପିନ୍ଧିବା ସହିତ ନିଜର ଧ୍ୟାନ ରଖିବା ପାଇଁ ମଧ୍ୟ ସେ ଇଂଷ୍ଟାଗ୍ରାମ ଏବଂ ଟ୍ୱିଟର ମାଧ୍ୟମରେ ପରାମର୍ଶ ଦେଇଛନ୍ତି ।

 

ମଜାଦାର କଥା ହେଉଛି ଦୀପିକାଙ୍କ ହେଲ୍ଥ ଟିପ୍ସ ପଢିବା ପରେ ତାଙ୍କ ଫ୍ୟାନ୍ସ କମେଣ୍ଟ ତ କରିଛନ୍ତି, କିନ୍ତୁ ଦୀପିକା ଭାବରେ ନୁହେଁ ବରଂ ମା ସୀତାଙ୍କ ନାମରେ । କିଏ ଲେଖିଛି ଏହି ମହିଳାଙ୍କ ନିକଟରେ ଯାଦୁ ଅଛି ତ କିଏ ଲେଖିଛି ସକରାତ୍ମକରେ ପରିପୂର୍ଣ୍ଣ ଆତ୍ମା । ଆଉ ଜଣେ ଲେଖିଛନ୍ତି ମା ସୀତା ମୋତେ କରୋନା ହୋଇଥିବା ସମୟରେ ମୋ ସହିତ ଥିବାରୁ ଆପଣଙ୍କୁ ଧନ୍ୟବାଦ । ଏହିଭଳି ଏକାଧିକ ପ୍ରତିକ୍ରିୟା ଦୀପିକାଙ୍କ ପୋଷ୍ଟରେ ନଜର ଆସିଛି ।

 

ସୂଚନା ବୁତାବକ ଦୀପିକା ଚିଖଲିୟା ଷ୍ଟାରର ରାମାୟଣ ଗତବର୍ଷ ଲୋକଙ୍କ ଅନୁରୋଧ କ୍ରମେ ଟିଭିରେ ଟେଲିକାଷ୍ଟ ହୋଇଥିଲା । ଏବେ ଯେମିତି କରୋନା ସଂକ୍ରମଣ ବଢିଲାଣି ଏବଂ ସଟଡାଉନ ଓ ଲକଡାଉନ ଆରମ୍ଭ ହେଲାଣି, ହୁଏତ ଚଳିତ ବର୍ଷ ମଧ୍ୟ ପ୍ରଯୋଜକ ରାମାୟଣ ପୁଣିଥରେ ଟେଲିକାଷ୍ଟ କରିପାରନ୍ତି ।

ହାଇଦର ଫେରାର୍ ମାମଲା, ଡ୍ୟୁଟିରେ ଥିବା କନେଷ୍ଟବଳ ସହ ଆଉ ଜଣେ ଗିରଫ

କଟକ: କଟକ ଏସସିବିରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ । ହାଇଦର ଫେରାର୍ ଦିନ ଡ୍ୟୁଟିରେ ଥିବା କନେଷ୍ଟବଳ ମହମ୍ମଦ ମୌସିମ୍ ସମେତ ପୋଲିସ ଅନ୍ୟ ଜଣେ କର୍ମଚାରୀଙ୍କୁ ଗିରଫ କରିଛି ।

Gangster Hyder Escape Case Police Arrested Two Including Constable On Duty

ହାଇଦରକୁ ଫେରାର କରାଇବାରେ ଦୁହିଁଙ୍କ ଭୂମିକା ଥିବା ପୋଲିସ କହିଛନ୍ତି । କନେଷ୍ଟବଳ ମହମ୍ମଦ ମୌସିମ୍ ସହ ଜେଲ୍ ୱାର୍ଡର ଶିବ ନାରାୟଣ ନନ୍ଦଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ହାଇଦର ଫେରାର୍ ମାମଲାରେ ପୋଲିସ ଏବେ ସୁଦ୍ଧା ୭ ଜଣଙ୍କୁ ଗିରଫ କଲାଣି । ଏପ୍ରିଲ୍ ୧୦ ତାରିଖରେ ଗ୍ୟାଙ୍ଗଷ୍ଟର ହାଇଦର କଟକ ଏସସିବିର ସର୍ଜରୀ ୱାର୍ଡ କ୍ୟାବିନରୁ ଫେରାର୍ ହୋଇଯାଇଥିଲା ।

ଫେରାର୍ ପରେ କଟକ କମିଶନରେଟ୍ ପୋଲିସ ପକ୍ଷରୁ ୬ ଗୋଟି ଟିମ୍ ବିଭିନ୍ନ ରାଜ୍ୟରେ ରେଡ୍ କରିଥିଲା । ଶେଷରେ ୧୫ ତାରିଖ ରାତିରେ ବାଇକରେ ଯାଉଥିବା ବେଳେ ତେଲଙ୍ଗାନାରେ ହାଇଦରକୁ ମାଡ଼ି ବସିଥିଲା ପୋଲିସ । ୧୬ରେ ବିମାନ ଯୋଗେ ଭୁବନେଶ୍ୱର ଆଣିବା ପରେ କୋର୍ଟର ହାଜର କରାଯାଇଥିଲା । ହାଇଦରକୁ ୭ ଦିନ ଲାଗି ରିମାଣ୍ଡରେ ନେବାକୁ ପୋଲିସକୁ କୋର୍ଟ ଅନୁମତି ଦେଇଥିଲେ । ତେବେ ୧୭ ତାରିଖରେ ରିମାଣ୍ଡ ଆରମ୍ଭ ପୂର୍ବରୁ ହାଇଦରର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା ।

 Gangster Hyder Escape Case Police Arrested Two Including Constable On Duty

ଏହି ମାମଲାରେ ପୋଲିସ ପୂର୍ବରୁ ହାଇଦରର ଧରମ ପୁଅ ସହ ଅନ୍ୟ ଜଣଙ୍କୁ ଗିରଫ କରିଥିଲା । ପରେ ୧୭ ତାରିଖରେ ଜଣେ ଯୁବତୀ ଯିଏକି ହାଇଦରର ଗର୍ଲଫ୍ରେଣ୍ଡ ବୋଲି କୁହାଯାଉଛି ତା’ସହ ଆଉ ୨ ଜଣଙ୍କୁ ଗିରଫ କରାଯାଇଥିଲା । ଏବେ ପୋଲିସ ଜଣେ କନେଷ୍ଟବଳ ସହ ଜେଲ ୱାର୍ଡରଙ୍କୁ ଗିରଫ କରିବା ପରେ ଗିରଫଦାରୀ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

ଦିଲ୍ଲୀ ପରେ ଝାଡ଼ଖଣ୍ଡରେ ଲାଗୁ ହେଲା ଲକଡାଉନ୍

ରାଞ୍ଚି: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ପରେ ଲକଡାଉନ୍ ନିଷ୍ପତ୍ତି ନେଇଛନ୍ତି ଝାଡ଼ଖଣ୍ଡ ସରକାର । କରୋନା ସଂକ୍ରମଣ ରୋକିବା ପାଇଁ ଝାଡ଼ଖଣ୍ଡ ୨୨ରୁ ୨୯ ଏପ୍ରିଲ୍ ଯାଏ ଲକଡାଉନ୍ କଟକଣା ବଳବତ୍ତର ରହିବ । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଝାଡ଼ଖଣ୍ଡ ‘ସ୍ୱାସ୍ଥ୍ୟ ସୁରକ୍ଷା ସପ୍ତାହ’ ନାମରେ ୨୨ ଏପ୍ରିଲରୁ ଗୋଟିଏ ସପ୍ତାହ ପାଇଁ ଲକଡାଉନ୍ ଲାଗୁ ହେବ ।

ଲକଡାଉନ୍ ସମୟରେ ସମସ୍ତ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ । ଏଥିସହ ଧାର୍ମିକ ସ୍ଥଳ ଖୋଲା ରଖିବାକୁ ଅନୁମତି ଦିଆଯାଇଥିବା ବେଳେ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । ଖଣି, ଚାଷ ଓ ନିର୍ମାଣାଧୀନ କାମ ଲକଡାଉନ୍ ସମୟରେ ଜାରି ରହିବ ।

ବିଗତ ୨୪ ଘଣ୍ଟାରେ କରୋନା ଭାଇରସ୍ ସଂକ୍ରମଣରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ହଜାର ୯୯୨ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ।

ଆସନ୍ତା ୨୨ରୁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ବାତିଲ୍

ଭୁବନେଶ୍ୱର: ଆରଟିଓକୁ କରୋନା ଭୟ । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ଆରଟିଓରେ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟକୁ ବାତିଲ୍ କରି ଦିଆଯାଇଛି । ଆସନ୍ତା ୨୨ ତାରିଖରୁ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ ହେବ ନାହିଁ ।

https://twitter.com/STAOdisha/status/1384423199639699462

ଏଥିସହ ପୂର୍ବରୁ ବୁକିଂ ହୋଇଥିବା ସମସ୍ତ ସ୍ଲଟ୍ସକୁ ବାତିଲ୍ କରାଯାଇଛି । ଏନେଇ ସମ୍ପୃକ୍ତ ଆରଟିଓ ଜନସାଧାରଣଙ୍କ ଅବଗତି ନିମନ୍ତେ ଫେସବୁକ ଓ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ।

କୋଭିଡ୍ ସଂକ୍ରମଣକୁ ଦେଖି ଗତ ୧୫ ତାରିଖରେ ସରକାରୀ ଅଫିସ୍ ଲାଗି ସାଧାରଣ ପ୍ରଶାସନ ବିଭାଗ ଗାଇଡଲାଇନ୍ ଜାରି କରିଥିଲା । ଯେଉଁଥିରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିବ ବୋଲି କୁହାଯାଇଥିଲା ।

କୋଭିଡ ନିୟମ ମାନିଲେନି, ଦ୍ୱିତୀୟ ଥର ଧରାପଡ଼ି ଗଣିଲେ ୧୦ ହଜାର

ଦେଓରିଆ: ଲଗାତାର ବଢି ଚାଲିଛି କରୋନା ସଂକ୍ରମଣ । ଉତ୍ତରପ୍ରଦେଶରେ ପ୍ରତିଦିନ ହଜାର ହଜାର କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଏକାଧିକ ଲୋକଙ୍କ ଜୀବନ ଯାଉଛି । ମାସ୍କ ପିନ୍ଧିବା ସହିତ ସାନିଟାଇଜର ବ୍ୟବହାର କରିବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ସରକାର ବାରମ୍ବାର ଅନୁରୋଧ କରୁଛନ୍ତି । କିନ୍ତୁ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ କଥା ତ ଭାବିବା ଦୂରର କଥା ବରଂ ଅନ୍ୟ ମାନଙ୍କୁ ସମସ୍ୟାରେ ପକାଇବାକୁ ପଛଘୁଞ୍ଚା ଦେଉ ନାହାଁନ୍ତି । ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ୨୪ ଘଣ୍ଟାରେ ବିନା ମାସ୍କରେ ଦୁଇ ଦୁଇଥର ପୋଲିସ ହାତରେ ଧରାପଡ଼ି ୧୦ ହଜାର ଟଙ୍କା ଜୋରିମନା ଗଣିଛନ୍ତି ।

ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ଯଦି ଜଣେ ବ୍ୟକ୍ତି ପ୍ରଥମ ଥର ବିନା ମାସ୍କରେ ଧରା ପଡ଼ୁଛନ୍ତି ତେବେ ଏକ ହଜାର ଟଙ୍କା ଫାଇନ ଦେବେ ଏବଂ ଉକ୍ତ ବ୍ୟକ୍ତି ଯଦି ପୁନର୍ବାର ଧରା ପଡ଼ୁଛନ୍ତି ତେବେ ୧୦ ହଜାର ଟଙ୍କାର ଚାଲଣ କଟାଯିବ । ଏଥିପାଇଁ ନିୟମ କଡ଼ାକଡ଼ା ହୋଇଛି ଜୋରଶୋରରେ ଚେକିଂ ଚାଲିଛି ।

ଚେକିଂ ସମୟରେ ପୋଲିସ ଅମରଜିତ ଯାଦବ ନାମକ ଜଣେ ବ୍ୟକ୍ତିକୁ ମାସ୍କ ନପିନ୍ଧିଥିବାରୁ ଅଟକାଇଥିଲା । କିନ୍ତୁ ଗତକାଲି ମାସ୍କ ନ ପିନ୍ଧି ୧ ହଜାର ଟଙ୍କା ଗଣିଥିବା କହିଲେ ଅମରଜିତ । ଯାହାପରେ କୋଭିଡ ନିୟମକୁ ଦ୍ୱିତୀୟ ଥର ପାଇଁ ମାନିନଥିବାରୁ ପୋଲିସ ବାବୁ ୧୦ ହଜାର ଟଙ୍କାର ଚାଲଣ କାଟି ହାତରେ ରସିଦ୍‌ଧରାଇଦେଲେ । ଯାହାର ସୂଚନା ଦେଇଛନ୍ତି ଆରକ୍ଷୀ ଅଧୀକ୍ଷକ ଶ୍ରୀପତି ମିଶ୍ରା । ତେବେ ଏହି ୧୦ ହଜାର ଟଙ୍କାର ଜୋରିମନା ଅମରଜିତ ଦେଇ ଦେଇଥିବା କହିଛନ୍ତି ଆରକ୍ଷୀ ଅଧୀକ୍ଷକ ।

ରାହୁଲ ଗାନ୍ଧୀଙ୍କୁ କରୋନା,ଟ୍ୱିଟ୍ କରି ଦେଲେ ସୂଚନା

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କରୋନା । ରାହୁଲ ଗାନ୍ଧୀ କୋଭିଡ୍ ସଂକ୍ରମିତ ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଅଳ୍ପ ଲକ୍ଷଣ ଦେଖାଦେବା ପରେ ରାହୁଲ ଗାନ୍ଧୀ କୋଭିଡ୍ ଟେଷ୍ଟ କରାଇଥିଲେ । ତାଙ୍କର ରିପୋର୍ଟ କରୋନା ପଜିଟିଭ୍ ଆସିଥିବା ସେ ସୂଚନା ଦେଇଛନ୍ତି । ଏଥିସହ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ସତର୍କ ରହିବା ଲାଗି ରାହୁଲ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ନିକଟରେ ରାହୁଲ କରୋନା ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମକୁ ବାତିଲ୍ କରି ଦେଇଥିଲେ । ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କୋଭିଡ୍ ସଂକ୍ରମିତ ହେବା ପରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ । ୮୮ ବର୍ଷିଅ ମନମୋହନ ଦ୍ୱିତୀୟ ଡୋଜ୍ ଟିକା ନେବା କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାହୁଲ କରୋନା ସଂକ୍ରମିତ ହେବା ଜାଣିବା ପରେ ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଟ୍ୱିଟ୍ କରି ରାହୁଲଙ୍କ ଆରୋଗ୍ୟ କାମନା କରିଛନ୍ତି । ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ବଢ଼ି ଚାଲିଛି । ବିଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୩ ହଜାର ୬୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪୦ ଜଣଙ୍କ ମୃତ୍ୟୁ ହୋଇଛି ।

ରାସ୍ତାରେ ପଡ଼ିଛି ପିପିଇ କିଟ୍, ଲୋକ ଭୟଭୀତ

ବଲାଙ୍ଗିର: ମହାମାରୀ କରୋନାର ଦ୍ୱିତୀୟ ପ୍ରବାହ ଲାଗି ରହିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ବଲାଙ୍ଗିରରେ ମଧ୍ୟ ପ୍ରତିଦିନ ଶହ ଶହ ଲୋକ ସଂକ୍ରମିତ ହେଉଛନ୍ତି ଯାହା ଚିନ୍ତାର ବିଷୟ ପାଲଟିଛି । ସଂକ୍ରମଣ ବ୍ୟାପୁଥିବା ବେଳେ ରାସ୍ତାରେ ପିପିଇ କିଟ୍ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଛି । ସହରର ଲାଲଟିକ୍ରା ଗ୍ରୀଡ୍ ନିକଟରେ ରାସ୍ତା ଉପରେ ପଡ଼ିଛି ପିପିଇ କିଟ୍ । ପିପିଇ କିଟ୍ ପଡ଼ଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି ।

PPE Kit In Bolangir Main Road

ଏହି ମୁଖ୍ୟରାସ୍ତା ଦେଇ ପାଟଣାଗଡ଼, କଣ୍ଟାବାଞ୍ଜି ସମେତ ଅନ୍ୟ ସ୍ଥାନକୁ ଲୋକେ ଯିବା ଆସିବା କରନ୍ତି । ତେବେ କରୋନା ରୋଗୀକୁ ନେବା ଆଣିବା କରୁଥିବା କୌଣସି ଏକ ଆମ୍ବୁଲାନ୍ସ କର୍ମଚାରୀ ବା ଅନ୍ୟ କେହି ଫିଙ୍ଗି ଦେଇଥିବା ଅନୂମାନ କରାଯାଉଛି । କିଟ୍ ପଡ଼ିଥିବା ରାସ୍ତାରେ ହଜାର ହଜାର ଲୋକ ଯିବା ଆସିବା କରୁଥିବାରୁ ସଂକ୍ରମଣ ଆଶଙ୍କା ରହିଛି ।

କରୋନାର ଦ୍ବିତୀୟ ପର୍ଯ୍ୟାୟ ଆକ୍ରମଣ, ଏହି ସବୁ ଲକ୍ଷଣ ଆପଣଙ୍କ ଠାରେ ଦେଖାଯାଉଛି କି ?

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ପ୍ରବାହ ଜାରି ରହିଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ହେଲେ ପୂର୍ବ ଠାରୁ ଦ୍ୱିତୀୟ ଲହର କରୋନାର ଲକ୍ଷଣ ଅନେକାଂଶରେ ଭିନ୍ନ ରହିଛି ।

ବିଶେଷତଃ ଦ୍ୱିତୀୟ ପ୍ରବାହରେ ଲୋକଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଉଥିଲେ ମଧ୍ୟ ସେମାନଙ୍କର RT-PCR ଟେଷ୍ଟ ରିପୋର୍ଟ ନେଗେଟିଭ ବାହାରୁଛି । ଯାହା ଫଳରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ  ମାନଙ୍କ ପାଇଁ ଏହା ଆଉ ଏକ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅର୍ଥାତ୍ ବର୍ତ୍ତମାନ ସମୟରେ କରୋନା ସଂକ୍ରମଣକୁ ଟେଷ୍ଟ ଯୋଗେ ସଂପୂର୍ଣ୍ଣ ରୂପେ ଚିହ୍ନଟ କରାଯାଇପାରୁନାହିଁ । ଡବଲ୍ ମ୍ୟୁଟାଣ୍ଟ ଭୂତାଣୁର କିଛି ଅସାମାନ୍ୟ ଲକ୍ଷଣ ଅଛି ।

ଆସନ୍ତୁ ଜାଣିବା, କରୋନା ଭୂତାଣୁର କେଉଁସବୁ ନୂଆ ଲକ୍ଷଣ ରହିଛି…

ଗଳା ଯନ୍ତ୍ରଣା – ଯଦି ଆପଣଙ୍କ ଗଳା କୁଣ୍ଡେଇ ହେବା, ଗଳା ଫୁଲିଯିବା କିମ୍ବା ଯନ୍ତ୍ରଣା ଅନୁଭବ କରୁଛନ୍ତି । ତେବେ ଏହା କୋଭିଡର ଅନ୍ୟ ଏକ ଲକ୍ଷଣ ମଧ୍ୟ ହୋଇପାରେ | ସମଗ୍ର ବିଶ୍ୱରେ ପ୍ରାୟ ୫୨ ପ୍ରତିଶତ କରୋନା ରୋଗରେ ଗଳା ଯନ୍ତ୍ରଣା ପରି ଲକ୍ଷଣ ଦେଖାଯାଉଛି।

କ୍ଲାନ୍ତି ଲାଗିବା- ବ୍ରିଟେନର ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା ହେଲେ ଅନେକ ରୋଗୀଙ୍କ ଠାରେ ଦୁର୍ବଳତା ତଥା କ୍ଲାନ୍ତି ଭଳି ସମସ୍ୟା ଦେଖାଯାଏ।

ଶରୀରରେ ଯନ୍ତ୍ରଣା- ଡାକ୍ତରଙ୍କ ଅନୁଯାୟୀ, କରୋନା ପଜିଟିଭ ଚିହ୍ନଟ ହୋଇଥିବା ଅନେକ ରୋଗୀଙ୍କ  ଶରୀରରେ ଯନ୍ତ୍ରଣା, ଗଣ୍ଠି ଯନ୍ତ୍ରଣା ଏବଂ ମାଂସପେଶୀ ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଉଛି । ଏହାର ଏକମାତ୍ର କାରଣ ହେଉଛି କରୋନା ଭୂତାଣୁ ମାଂସପେଶୀରେ ଥିବା ତନ୍ତୁ ଏବଂ ଟିସୁ ସ୍ତର ଉପରେ ମଧ୍ୟ ଆଟାକ୍ କରିଥାଏ । ଯାହା ଫଳରେ ଶରୀରରେ ଯନ୍ତ୍ରଣା ସୃଷ୍ଟି ହୋଇଥାଏ ।

ବାନ୍ତି ଲାଗିବା-  କୋଭିଡ ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ବାନ୍ତି ଭଳି ଏକ ଲକ୍ଷଣ ଦେଖାଯାଉଛି ।

ମୁଣ୍ଡ ବୁଲାଇବା- କୋଭିଡ ସଂକ୍ରମଣ ହେତୁ ମୁଣ୍ଡ ବୁଲାଇବା, ଥକାପଣ, ପାଟିରୁ ଲାଳ ନବାହାରିବା ଏବଂ ବାନ୍ତି ଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅନେକ ଲୋକ ପ୍ରକାଶ କରିଛନ୍ତି ।

ଏହା ବ୍ୟତୀତ ଚର୍ମରେ ଦାଗ, ଜିଭରେ ଦାଗ, ପାଟିରେ ଘା’ କିମ୍ବା ମୁଣ୍ଡବିନ୍ଧିବା ଭଳି ସମସ୍ୟା ମଧ୍ୟ କୋଭିଡ-୧୯ର ଅନ୍ୟତମ ଲକ୍ଷଣ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଯଦି ଆପଣ ମାନେ ମଧ୍ୟ ଶରୀରରେ ଏହିସବୁ ଲକ୍ଷଣ ଗୁଡ଼ିକ ଦେଖୁଛନ୍ତି ତେବେ ଭୟଭୀତ ହୁଅନ୍ତୁ ନାହିଁ । ସଙ୍ଗେସଙ୍ଗେ ଯାଇ କରୋନା ଟେଷ୍ଟ କରାଇ ନିଅନ୍ତୁ ।

ମାଟ୍ରିକ୍ ପରୀକ୍ଷା ବାତିଲ ପାଇଁ ଦାବି; ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ସରକାର ବିଭିନ୍ନ ବାେର୍ଡ ପରୀକ୍ଷା ବାତିଲ ଓ ସ୍ଥଗିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆୟୋଜିତ ନେଇ ସରକାର ସ୍ପଷ୍ଟୀକରଣ ରଖିବା ପାଇଁ ଦାବି ଉଠିଛି । ଯାହାକୁ ନେଇ ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଛନ୍ତି । ଏପରିକି ସରକାରୀ ଓ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ମାନେ ମାଟ୍ରିକ ପରୀକ୍ଷା ବାତିଲ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଦେଇଛନ୍ତି।

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଜୁନ୍ ପ୍ରଥମ ସପ୍ତାହରେ ଏସମ୍ପର୍କରେ ନିଷ୍ପତ୍ତି ନେବେ।  ସେ ଆହୁରି କହିଛନ୍ତି ଯେ ‘‘ଆମ ପ୍ରମୁଖ ସଚିବ ଆଇସୋଲେସନରେ ଅଛନ୍ତି। ମୋତେ ବି ପିଲାମାନେ ଭେଟିଛନ୍ତି। ବିଭିନ୍ନ ଦୃଷ୍ଟିରୁ ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯିବ’’।

 

ତେବେ ପରୀକ୍ଷା ବାତିଲ ହେବ କି ନାହିଁ, ସେ ସବୁ ଦିଗ ଉପରେ ତର୍ଜମା କରାଯାଉଛି। ବାତିଲ ହେଲେ କେମିତି ମାର୍କ ଦିଆଯିବ, ସେ ସବୁ ଦିଗକୁ ଧ୍ୟାନରେ ରଖି ସମୀକ୍ଷା କରାଯାଉଛି। ଏନେଇ ସରକାର ଖୁବ ଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମନ୍ତ୍ରୀ।