ରାଜଧାନୀ ରାଜରାସ୍ତାରେ ବିକ୍ରି ହେଉଛି ବିଷ, ଫଳକୁ ପଚାଇବାକୁ ବ୍ୟବହାର ହେଉଛି ବିଷାକ୍ତ କେମିକାଲ

ଭୁବନେଶ୍ୱର: ରାସ୍ତା ଉପରେ ଖୋଲାଖୋଲି ବିକ୍ରି ହେଉଛି ବିଷ । ଖାଦ୍ୟରେ ମିଶାଯାଉଛି ରସାୟନିକ ବିଷ । ଆମ୍ବ, କଦଳୀ, ସପୁରୀ ସବୁଥିରେ ହେଉଛି ବ୍ୟବହାର । ପୂର୍ବରୁ ଚାଇନା ଆଉ ଏବେ ଖାଦ୍ୟରେ ବୋଳା ହେଉଛି ଜାପାନ ରସାୟନ । ରାଜଧାନୀର ରାଜରାସ୍ତାରେ ଟ୍ରକରୁ ଓହ୍ଲାଯାଉଛି ସପୁରୀ । ସବୁ କଞ୍ଚା । ଆଗକୁ ରଜ ଓ ସାବିତ୍ରୀ । ପୂଜା ପୂର୍ବରୁ କିନ୍ତୁ ସବୁ ପାଚିବାକୁ ହେବ ଆଉ ଶେଷ ବି ହେବାକୁ ପଡିବ । ଏଥିପାଇଁ ଗ୍ରାହକଙ୍କ ଆଖିରେ ଆଙ୍ଗୁଠି ମାରି ବ୍ୟବସାୟୀ କେବଳ ଠକୁ ନାହାନ୍ତି ବରଂ ବିଶ୍ୱାସରେ ବିଷ ଦେଉଛନ୍ତି ।

ସପୁରୀ ଗଦା ପାଖରେ ଅଛି ଏଥେଫୋନ ନାମକ ଏକ ରସାୟନିକ ତରଳ ପଦାର୍ଥ । ଯାହାକୁ ପାଣିରେ ମିଶାଇ ସପୁରୀରେ ସିଞ୍ଚନ କରାଯାଉଛି । ଏବଂ ପରେ ପାଳ ଓ ଅଖାରେ ଘୋଡାଇ ରଖିଲେ ଦିନେ କିମ୍ବା ଦୁଇଦିନ ସପୁରୀର ରଙ୍ଗ ବଦଳି ଯାଉଛି । କେବଳ ସପୁରୀ ନୁହଁ ଆମ୍ବ, କଦଳୀ ଭଳି ସବୁ ଫଳକୁ ପଚାଇବାକୁ ଏହି ପ୍ରଣାଳୀ ଅପଣାଉଛନ୍ତି ବ୍ୟବସାୟୀ । ପୂର୍ବରୁ କାର୍ବୋରାଇଡ଼ ଓ ପରେ ଚାଇନାରୁ ଆସୁଥିବା ପାଉଚ । ସେଗୁଡିକ କଟକଣା ଯୋଗୁଁ ଉପଲବ୍ଧ ହେଉନଥିବାରୁ ବଜାରରେ ମିଳୁଥିବା ଜାପାନ ପ୍ରସ୍ତୁତ ଏହି ଏଥେଫୋନକୁ ବ୍ୟବହାର କରୁଥିବା ସ୍ୱୀକାର କରିଛନ୍ତି ବ୍ୟବସାୟୀ । ସେପଟେ ସବୁ ଜାଣି ଗ୍ରାହକ ଏସବୁ କିଣିବାକୁ ବାଧ୍ୟ ହେଉଥିବା କହିଛନ୍ତି ।

ଅଧିକ ଦାମରେ ବିକ୍ରି କରି ମୁନାଫା କମାଇବା ସହ ଲୋକଙ୍କୁ ଠକୁଛନ୍ତି ବ୍ୟବସାୟୀ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗୃହିଣୀ । ସେପଟେ ବଜାରରେ ଏଭଳି କାରବାରକୁ ତୁରନ୍ତ ରୋକିବା ଆବଶ୍ୟକ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ । ପାଚିଲା ଫଳକୁ ଆମେ ସିଧା ଗ୍ରହଣ କରୁଥିବା ବେଳେ ସେଥିରେ କେତେ ପରିମାଣର ରାସାୟନିକ ପଦାର୍ଥ ମିଶିଛି ଓ ଆମ ଶରୀରକୁ କେତେ କ୍ଷତିକାରକ ତାହା ଜାଣିବା କଷ୍ଟ । ତେବେ ଏହାଦ୍ୱାରା ମନୁଷ୍ୟର ଦୃଷ୍ଟିଶକ୍ତି, କିଡନୀ ଓ ସ୍ନାୟୁ ଉପରେ ପ୍ରତିକୂଳ ପ୍ରଭାବ ପଡିବ ବୋଲି ସେ କହିଛନ୍ତି ।  କେବଳ ରାଜଧାନୀରେ ନୁହେଁ ବରଂ ସବୁ ସହରରେ ସବୁ ବଜାରରେ ଦେଖିବାକୁ ମିଳୁଛି ଏଭଳି ଦୃଶ୍ୟ । ବର୍ତ୍ତମାନ କରୋନା ପରିସ୍ଥିତିରେ ମଣିଷ ଫଳ ଜରିଆରେ ବିଷ ଚିନ୍ତା ବଢାଇଦେଇଛି ।

Leave a Reply