ଜୁନ୍ ୩ରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରଜ ପରେ ଓଡ଼ିଶାରେ ୧୦୬ ପ୍ରତିଶତରୁ ଅଧିକ ବର୍ଷା ସମ୍ଭାବନା

1 min read

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ସ୍ବାଭାବିକ କିମ୍ବା ଅଧିକ ବର୍ଷା ହେବ । କେନ୍ଦ୍ରୀୟ ଭାରତ ତଥା ଓଡ଼ିଶାରେ ଭଲ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ୩ ତାରିଖରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ହେଲେ ରଜ ପରେ ଓଡ଼ିଶାରେ ପ୍ରବେଶ କରିବ । ସେପଟେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଲାଗିରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।

ଜୁନ ୧ରୁ ସେପ୍ଟେମ୍ବର ୩୦ ଭିତରେ ୧୦୧ ପ୍ରତିଶତ ବର୍ଷିବ । ଓଡ଼ିଶାରେ ୧୦୬ ପ୍ରତିଶତରୁ ଅଧିକ ବର୍ଷା ସମ୍ଭାବନା । ଜୁନରୁ ସେପ୍ଟେମ୍ବର ମଧ୍ୟରେ ଓଡିଶାରେ ବର୍ଷିବ ୧୧୫୦ ମିଲିମିଟର । ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ବାଭାବିକ କିମ୍ବା ତାଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

ଏପଟେ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । କାଲି ସକାଳ ସାଢ଼େ ୮ଟା ମଧ୍ୟରେ କାଳବୈଶାଖୀ ବର୍ଷା ପାଇଁ ୨୦ଟି ଜିଲ୍ଲାକୁ ଦିଆଯାଇଛି ୟେଲୋ ଆଲର୍ଟ ।

ତେବେ ଦିନକ ପରେ କେରଳ ଛୁଇଁବ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ କେରଳ ଛୁଇଁବାରେ ଦିନେ ଦୁଇଦିନ ବିଳମ୍ବ ହୋଇଥିବାରୁ ଓଡିଶାରେ ମଧ୍ୟ ସେହି ଅନୁସାରେ ବିଳମ୍ବରେ ପହଞ୍ଚିବ ।

Leave a Reply