ବାର୍ଦ୍ଧକ୍ୟ ଅବସ୍ଥାରେ ଦୁଃଖର କଳା ବାଦଲ: ପାଗଳ ପୁଅକୁ ଧରି ଗଛ ମୁଳେ ଆଶ୍ରୟ ନେଇଛି ମାଆ

ଭଦ୍ରକ: ଏଠି ଭାଗ୍ୟ ହଜିଯାଇଛି ଆଉ ଦୁଃଖ ସାଥି ସାଜିଛି । ମନ ମରିଯାଇଛି ହେଲେ ମମତା ବଞ୍ଚିଛି । ଭଦ୍ରକ ଜିଲ୍ଲା ରଣପଦା ଗାଁର ମାତାଜୀ ରାଉତ । ସେ କେଉଁ ଦୁଃଖ କଥା କହିବ ? ଅଭାବର ଅଭିଯୋଗ କରିବ ନାଁ ସନ୍ତାନର ସମସ୍ୟା ବଖାଣିବ ? ଦୁଃଖର ଦରିଆରେ କେମିତି ଖୋଜିବ ଆଶ୍ବସ୍ତିର ଆଶା ? ସ୍ବାମୀଙ୍କ ପରେ ପରେ ଗୋଟିଏ ପୁଅ ମଧ୍ୟ ଆରପାରିକୁ ପଳାଇଲା । ସାନ ପୁଅ ପାଗଳ ଆଉ ବଡ ଦୁଇ ମାଆଠୁ ଅଲଗା । ଆଉ ଇଏ ହେଉଛି ସେଇ ବାସ ଟିକ କ । ଦିନରେ ସୂର୍ଯ୍ୟ ଆଉ ରାତିରେ ତାରାର ଆଲୁଅରେ ବିତିଯାଉଛି ଦିନ ପରେ ଦିନ, ରାତି ପରେ ରାତି । କେତେବେଳେ ତାଳ ବରଡ଼ା ତଳେ ତ ଆଉ କେତେବେଳେ ବର ଗଛ ତଳେ ଆଶ୍ରୟ ନେଉଛନ୍ତି ମାଆ ପୁଅ ।

ବାର୍ଦ୍ଧକ୍ୟ ଅବସ୍ଥାରେ ଦୁଃଖର କଳା ବାଦଲ । ପାଗଳ ପୁଅକୁ ଧରି ଗଛ ମୁଳେ ଆଶ୍ରୟ ନେଉଛନ୍ତି ଭଦ୍ରକ ଜିଲ୍ଲା ରଣପଦା ଗାଁର ମାତାଜୀ ରାଉତ । ଅନ୍ୟ ଦୁଇ ପୁଅ ଥିଲେ ମଧ୍ୟ ମାଆ ଆଉ ମାନସିକ ରୋଗାଗ୍ରସ୍ତ ଭାଇକୁ ପାଳିବାକୁ ସମ୍ବଳ ନାହିଁ । ଫଳରେ ଭାଗ୍ୟକୁ ଆଦରି ଖୋଲା ଆକାଶ ତଳେ ବିତୁଛି ଉଭୟଙ୍କର ଜୀବନ ।

 

ମାତାଜୀଙ୍କ ଜୀବନର ସଞ୍ଜ ପାଖେଇଆସିଲାଣି । ବାର୍ଦ୍ଧକ୍ୟରେ ଆଖି ବି ଶୋଇ ଆସିଲାଣି । ମାଆ ଆଉ ମୁଣ୍ଡ ଖରାପ ଭାଇକୁ ଚଳାଇବାକୁ ଅନ୍ୟ ଦୁଇପୁଅ ମଧ୍ୟ ଆର୍ଥିକ ସ୍ବଚ୍ଛଳ ନୁହନ୍ତି । ଏଭଳି ପରିସ୍ଥିତିରେ ପାଗଳ ପୁଅର ପେଟକୁ ଦାନା ଗଣ୍ଡେ ଦେବାବି ସହଜ ହେଉନି । ଝଡ ତୋଫାନରେ ବଡ ପୁଅ ଦୁଆରେ ଆଶ୍ରୟ ନେଉଛି ମାଆ । ହେଲେ ମୁଣ୍ଡ ଠିକ୍ ନଥିବା ପୁଅକୁ କିଏ ପଚାରିବ ? ସରକାରଙ୍କ ତରଫରୁ ମିଳୁଥିବା ରାସନ ଓ ଭତ୍ତା ହେଉଛି ଉଭୟଙ୍କର ଏକମାତ୍ର ସମ୍ବଳ । ତେବେ ଅଭାବକୁ ଦେଖି ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଭଦ୍ରକ ବିଡିଓ । ଏଖବର ଜାଣିବାପରେ ଉଭୟଙ୍କୁ ଆବାସ ଯୋଜନାରେ ଘର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ । ପ୍ରଶାସନିକ ଅଧିକାରୀଙ୍କ ଆଶ୍ବସନା ପରେ ଆଶ୍ବସ୍ତିର ଆଶା ଉଇଁଛି । ତେବେ ସମୟ କହିବ କେତେ ଶୀଘ୍ର ସମାଧାନ ହେଉଛି ମାଆପୁଅଙ୍କ ସମସ୍ୟା ।

Leave a Reply