spot_img
Home Blog Page 5630

ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ରୋଗୀଙ୍କ ସମ୍ପର୍କୀୟଙ୍କୁ ସଠିକ୍ ସୂଚନା ଦେବାକୁ ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟରେ କୋଭିଡ ସ୍ଥିତ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରିଥିବା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ସହିତ ରୋଗୀଙ୍କ ଅବସ୍ଥା ସଂପର୍କରେ ସମ୍ପର୍କୀୟଙ୍କୁ ସଠିକ ସୂଚନା ଦେବା ଏବଂ ଟିକାକରଣ କେନ୍ଦ୍ରମାନଙ୍କରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

   ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ କୋଭିଡ ସ୍ଥିତି  ଏବେ ନିୟନ୍ତ୍ରଣାଧୀନ ଅଛି ।  ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କ ଠାରୁ ଅଧିକ ରହୁଛି । ଗତ ସପ୍ତାହରୁ  କେତେକ ଜିଲ୍ଲାରେ ସଂକ୍ରମଣ କମିବା ମଧ୍ୟ ଆରମ୍ଭ କରିଛି । ରାଜ୍ୟରେ ସଂକ୍ରମିତଙ୍କ ହାର ମଧ୍ୟ କମିଛି । ଏ ସବୁ ପାଇଁ ଲକ୍‌ଡାଉନ ଓ ଲୋକଙ୍କ ମଧ୍ୟରେ ସଚେତନତାକୁ ମୁଖ୍ୟମନ୍ତ୍ରୀ ଶ୍ରେୟ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂକ୍ରମଣ ହାରକୁ ସମ୍ପୂର୍ଣ୍ଣ କମାଇବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ ଅବଧିକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିଛନ୍ତି । ଲୋକଙ୍କ ସହଯୋଗ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,  ଆମେ ଯଦି ସମସ୍ତେ କୋଭିଡ ନିୟମ ମାନି ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲିବା ବନ୍ଦ କରିଦେବା, ତେବେ ଆମେ ନିଶ୍ଚୟ ଏହି ଲଢେଇ ଜିତିପାରିବା ।

            ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୋଭିଡ ଯୋଗୁ ଅନେକ ପରିବାର ଛାରଖାର ହୋଇଯାଇଛି। ତେଣୁ କୋଭିଡ ମୃତକଙ୍କ ବିଧବା ଏବଂ ବାପା-ମା’ଙ୍କୁ ହରାଇଥିବା ପିଲାମାନେ ଯେପରି ତୁରନ୍ତ ସହାୟତା ପାଇପାରିବେ, ସେଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ  ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

 ସେହିପରି ସଂକ୍ରମଣ ରୋକିବାକୁ ମଇ ୨୪ରୁ ଆରମ୍ଭ ହେବାକୁ ଥିବା ସର୍ଭେ ଯେପରି ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ହେବ, ତାକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ପଞ୍ଚାୟତ ଓ ଗାଁ କଲ୍ୟାଣ ସମିତି ମାନଙ୍କୁ ସକ୍ରିୟ ଭାବେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

            କୋଭିଡରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସମ୍ପର୍କୀୟ ମାନେ ରୋଗୀଙ୍କ ଅବସ୍ଥା ସମ୍ପର୍କରେ ଯେପରି ସଠିକ ସୂଚନା ପାଇପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେଥିପାଇଁ ହେଲ୍ପ ଡେସ୍କ ବ୍ୟବସ୍ଥାରେ ଉନ୍ନତି ଆଣିବା ସହିତ ନିୟୋଜିତ କର୍ମଚାରୀମାନଙ୍କୁ ମାନବିକ ଦୃଷ୍ଟିଭଙ୍ଗୀ ନେଇ କାର୍ଯ୍ୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

 ଟିକାକରଣ କୋଭିଡ ନିୟନ୍ତ୍ରଣ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଟିକାକରଣ କେନ୍ଦ୍ର ମାନଙ୍କରେ ସାମାଜିକ ଦୂରତା ସୁନିଶ୍ଚିତ  କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଲୋକମାନେ ଯେପରି ସୁବିଧାରେ ଟିକାକରଣ କେନ୍ଦ୍ରରେ ପହଞ୍ଚି ଟିକା ନେଇପାରିବେ, ସେଥିପାଇଁ ସେମାନଙ୍କୁ ଟିକାକରଣ କେନ୍ଦ୍ରର ସ୍ଥାନ ଓ ସମୟ ସଂପର୍କରେ ପୂର୍ବରୁ ସୂଚନା ଦେବା ପାଇଁ ପରାମର୍ଶ ଦେଇଥିଲେ ।

ଏବେ ୨-୧୮ ବର୍ଷ ପିଲାଙ୍କ ଟିକା ପାଇଁ ପ୍ରସ୍ତୁତି, କୋଭାକ୍ସିନ ଟ୍ରାଏଲକୁ ଅନୁମତି

ନୂଆଦିଲ୍ଲୀ: ଛୋଟ ପିଲା ନେବେ ଟିକା । ଯେଉଁଥିପାଇଁ ଭାରତରେ ଆରମ୍ଭ ହୋଇଛି ପ୍ରସ୍ତୁତି । ୨ ବର୍ଷରୁ ୧୮ ବର୍ଷ ବୟସ ପିଲାଙ୍କୁ ଟିକା ଦେବା ନେଇ ପ୍ରସ୍ତୁତି ଆରମ୍ଭ କରିଛି କୋଭାକ୍ସିନ । ଏନେଇ ସରକାରଙ୍କ ପକ୍ଷରୁ ଗ୍ରୀନ ସିଗନାଲ ଦିଆଯାଇଛି ।

ସୂଚନା ଅନୁଯୟୀ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ସରକାର ଅନୁମତି ଦେଇଥିବା ବେଳେ ଏହା ୧୦ରୁ ୧୨ ଦିନ ଭିତରେ ଆରମ୍ଭ ହେବ। ୫୨୫ ସୁସ୍ଥ ଥିବା ପିଲାଙ୍କ ଉପରେ ଏହି ଟ୍ରାଏଲ କରିବ କୋଭାକ୍ସିନ । ୨୮ ଦିନ ବ୍ୟବଧାନରେ ଏହି ଟ୍ରାଏଲ କରିବ କୋଭାକ୍ସିନ୍ । ଆମେରିକାରେ ଛୋଟ ପିଲାଙ୍କ ଉପରେ ଟିକା ପରୀକ୍ଷା ଚାଲିଥିବା ବେଳେ ଏବେ ଭାରତରେ ମଧ୍ୟ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବାକୁ ଯାଉଛି ବୋଲି କହିଛନ୍ତି ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡ. ଭିକେ ପଲ୍।

ଉଲ୍ଲେଖଯୋଗ୍ୟ, ନିକଟରେ  ଭାରତ ବାୟୋଟେକ କୋଭାକ୍ସିନ ଟିକାର କ୍ଲିନିକାଲ ଟ୍ରାଏଲ କରିବାକୁ ସବଜେକ୍ଟ ଏକ୍ସପର୍ଟ ପ୍ୟାନେଲ୍ ସୁପାରିଶ କରିଥିଲା । କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସଇଓ)ର ବିଶେଷଜ୍ଞ କମିଟି ଗତ ମଙ୍ଗଳବାର ଦିନ ଭାରତ ବାୟୋଟେକ୍ ତରଫରୁ  ୨ ରୁ ୧୮ ବର୍ଷ ବୟସର ବ୍ୟକ୍ତିଙ୍କ ମଧ୍ୟରେ ନିରାପତ୍ତା, ପ୍ରଭାବ ଓ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସମ୍ପର୍କରେ କରାଯାଇଥିବା ଆବେଦନ ଉପରେ ବିଚାର ବିମର୍ଶ କରିଥିଲେ। ଏହାବ୍ୟତୀତ ଅନ୍ୟାନ୍ୟ ଜିନିଷଗୁଡିକର ମୂଲ୍ୟାଙ୍କନ ପାଇଁ ପରୀକ୍ଷଣର ଦ୍ୱିତୀୟ/ତୃତୀୟ ପର୍ଯ୍ୟାୟକୁ ଅନୁମତି ଦେବାକୁ ମଧ୍ୟ ବିଶେଷଜ୍ଞ ଟିମ୍ ପାଖରେ ଅନୁରୋଧ କରାଯାଇଥିଲା।

Triple Mutant Coronavirus B1618 Reported In India

ଆଇସିଏମଆର ଏବଂ ଭାରତ ବୟୋଟେକ୍ ମିଳିତ ଭାବେ ପ୍ରସ୍ତୁତ କରିଥିବା କୋଭାକ୍ସିନ୍ ଟିକାକୁ ନେଇ ଏହି ପରୀକ୍ଷଣ କରାଯିବ । ପରୀକ୍ଷଣ ସମୟରେ ସୁରକ୍ଷା ଏବଂ ପ୍ରଭାବକୁ ଗୁରୁତ୍ବ ଦିଆଯିବ । ପୂର୍ବରୁ ଫେବ୍ରୁଆରୀ ମାସରେ ପିଲାଙ୍କ ଉପରେ ଏହି ଟ୍ରାଏଲ୍ ନେଇ ପ୍ରସ୍ତାବ ରହିଥିଲା । ଫେବ୍ରୁଆରୀ ୨୪ରେ ବିସ୍ତୃତ କ୍ଲିନିକାଲ ଟ୍ରାଏଲ ପ୍ରୋଟକଲ ଉପସ୍ଥାପନ ପାଇଁ କୁହାଯାଇଥିଲା ।

ସେପଟେ ଆମେରିକାରେ ୧୨ରୁ ୧୫ ବର୍ଷର ପିଲାଙ୍କ ଉପରେ ଫାଇଜର ଟିକା ଟ୍ରାଏଲ କରାଯିବ । ଏନେଇ ଆମେରିକା ସରକାର ଅନୁମତି ପ୍ରଦାନ କରିଛନ୍ତି । ଗତ ଏପ୍ରିଲ ମାସରେ ବିଶ୍ବବ୍ୟାପୀ ୨୪ ପ୍ରତିଶତ ପିଲା କରୋନାରେ ସଂକ୍ରମିତ ହେବାପରେ ଏଭଳି ପଦକ୍ଷେପ ନିଆଯାଇଥିଲା ।

ସ୍ୱାମୀ ଚେତନାନନ୍ଦ ସରସ୍ୱତୀଙ୍କ ପରଲୋକ

ବ୍ରହ୍ମପୁର: ସ୍ୱାମୀ ଚେତନାନନ୍ଦ ସରସ୍ୱତୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ୧୯୯୫ରେ ସନ୍ୟାସ ଗ୍ରହଣ ପୂର୍ବରୁ ସେ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି) ଭୁବନେଶ୍ୱରରେ (Soil Physcs) ବିଭାଗର ପ୍ରଫେସର ଥିଲେ ।

ସ୍ୱାମୀ ଚେତନାନନ୍ଦ ସରସ୍ୱତୀ (ପ୍ରଫେସର ଡ. ଚକ୍ରପାଣି ମିଶ୍ର) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଏକ ଗରିବ ବ୍ରାହ୍ମଣ ପରିବାରରେ ମାର୍ଚ୍ଚ ୨୭, ୧୯୩୩ରେ ଜନ୍ମ ଗ୍ରହଣ କରିଥିଲେ । ଶ୍ରୀମଦ୍ ସ୍ୱାମୀ ନିଗମାନନ୍ଦ ପରମହଂସଙ୍କ ଶିକ୍ଷା ତାଙ୍କୁ ଏକ ବାଳକ ଭାବରେ ଗଭୀର ଭାବରେ ପ୍ରଭାବିତ କରିଥିଲେ । ଶ୍ରୀମଦ୍ ସ୍ୱାମୀ ବିଶ୍ୱୁଦ୍ଧାନନ୍ଦ ସରସ୍ୱତୀ (ଯିଏ ନିଗମାନନ୍ଦ ପରମହଂସଙ୍କ ଦ୍ୱାରା ସନ୍ୟାସ ଦୀକ୍ଷା ନେଇ ଗୁରୁ ବାବା ଭାବରେ ପରିଚିତ ହୋଇଥିଲେ) ତାଙ୍କୁ ୧୯୯୫ ମସିହାରେ ସନ୍ୟାସ ଦୀକ୍ଷା ଦେଇଥିଲେ ।

ସେ ଜଣେ କୃତୀ ଛାତ୍ର ଭାବରେ ବିଜ୍ଞାନ ଶିକ୍ଷା ଲାଭ କରିଥିଲେ ଏବଂ ଆମେରିକାର ଡେଭିସ୍ ସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବୈଜ୍ଞାନିକ ପ୍ରଫେସର ଡୋନାଲ୍ଡ ଆର ନିଲସେନ୍ ନେତୃତ୍ୱରେ ସେ ପିଏଚଡି କରିଥିଲେ । ପରବର୍ତ୍ତୀ ସମୟରେ ସେ ଓଡିଶା କୃଷି ବୈଜ୍ଞାନିକ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଓ  ଗବେଷଣା କରି ୧୯୯୫ ମସିହାରେ ଅବସର ଗ୍ରହଣ କରିଥିଲେ । ଆଧୁନିକ ପାଶ୍ଚାତ୍ୟ ବିଜ୍ଞାନ ଶିକ୍ଷା, ବହୁ ପିଲାଙ୍କ ସହ ଏକ ବଡ଼ ପରିବାରର ଦାୟିତ୍ୱ, ପିଏଚଡି ଛାତ୍ରମାନଙ୍କର ଅନୁସନ୍ଧାନ ଏବଂ ମାର୍ଗଦର୍ଶନ ସମେତ ଏକାଡେମିକ୍ସରେ ଏକ କଠିନ ବୃତ୍ତି ପ୍ରତି ତାଙ୍କର କର୍ତ୍ତବ୍ୟ, ଆଧ୍ୟାତ୍ମିକ ଜ୍ଞାନ ପାଇଁ ଏକ ଗଭୀର ଆବେଗ ପ୍ରତି ତାଙ୍କର ପ୍ରତିବଦ୍ଧତାର ଏକ ଅଂଶ । ତାଙ୍କର କାର୍ଯ୍ୟ ଗୁରୁ ବାବାଙ୍କ ନିର୍ଦ୍ଦେଶିତ ତଥା ଇଚ୍ଛା ଅନୁଯାୟୀ ବଙ୍ଗଳା, ଓଡିଶା ଏବଂ ଆନ୍ଧ୍ରପ୍ରଦେଶରେ ଆଧ୍ୟାତ୍ମିକ ତଥା ଶିକ୍ଷାନୁଷ୍ଠାନଗୁଡ଼ିକର ରକ୍ଷଣାବେକ୍ଷଣ ତଥା ବିସ୍ତାର କରିବାରେ ସମ୍ପୃକ୍ତ ଥିଲେ । ବର୍ତ୍ତମାନ ବିଏନ୍ ଟ୍ରଷ୍ଟର ସର୍ବଧିଶ ଭାବରେ ଶ୍ରୀ ଶ୍ରୀ ନିଗମାନନ୍ଦ ଆଶ୍ରମ, ଭୁବନେଶ୍ୱର, ଚେତନାନନ୍ଦ ସରସ୍ୱତୀ ସମଗ୍ର ଭାରତ ତଥା ବିଦେଶରେ, ଉଭୟ ସନ୍ୟାସାଶ୍ରମ ଏବଂ ଗୃହସ୍ଥାଶ୍ରମରେ ଅନେକ ଆଧ୍ୟାତ୍ମିକ ସନ୍ଧାନକାରୀଙ୍କୁ ମାର୍ଗଦର୍ଶନ କରି ଆସୁଥିଲେ । ତାଙ୍କ ପୂର୍ବାଶ୍ରମର ପରିବାରରେ ପାଞ୍ଚ ପୁଅ ଓ ଦୁଇ ଝିଅ ସମାଜରେ ସୁପ୍ରତିଷ୍ଠିତ । ସେମାନଙ୍କ ମଧ୍ୟରେ ଜ୍ୟେଷ୍ଠ ପୁତ୍ର ଡ଼. ଗଦାଧର ମିଶ୍ର ଭଟ୍ଟନଗର ପୁରସ୍କାର ପ୍ରାପ୍ତ ଗଣିତଜ୍ଞ ଓ ଦ୍ଵିତୀୟ ପୁତ୍ର ଡ଼ ବରଦା କାନ୍ତ ମିଶ୍ର ଗୋଆ ସ୍ଥିତ ଆଇଆଇଟି ର ନିର୍ଦେଶକ ଭାବରେ କାର୍ଯ୍ୟରତ । ତୃତୀୟ ପୁତ୍ର ଅନ୍ନଦା କାନ୍ତ ମିଶ୍ର ଭାରତୀୟ ବାୟୁ ସେନାର ଅବସରପ୍ରାପ୍ତ ଅଧିକାରୀ, ଚତୁର୍ଥ ପୁତ୍ର ବେଙ୍ଗାଲୁରୁ ଠାରେ ଇଣ୍ଟେଲ କମ୍ପାନୀ ରେ ଉଚ୍ଚ ପଦବୀ ରେ ଅବସ୍ଥିତ ଓ ପଞ୍ଚମ ପୁତ୍ର ଧନଦା କାନ୍ତ ମିଶ୍ର ହଂକଂ ଠାରେ କାର୍ଯ୍ୟ ରତ । ବଡ ଝିଅ ନର୍ମଦା ଭିଲାଇ ଠାରେ ଶିକ୍ଷକତା କରୁଥିବା ବେଳେ ଓ ସାନ ଝିଅ ଶର୍ମଦା କଲିକତା ଠାରେ ଅବସ୍ଥାପିତ । ମଙ୍ଗଳବାର ବୈଶାଖ ଶୁକ୍ଳ ଷଷ୍ଠୀ ଶଙ୍କରାଚାର୍ଯ୍ୟ ଜୟନ୍ତୀ ଅବ୍ୟବହିତରେ ପ୍ରାତଃ ବ୍ରାହ୍ମମୁହୂର୍ତ୍ତରେ ସେ ଦେହତ୍ୟାଗ କରିଛନ୍ତି ।

ଆଲିଆ ଓ ବିରାଟଙ୍କ ଉପରେ ବର୍ଷିଲେ ବଲିଉଡ୍ ଆକ୍ଟର, କହିଲେ ଦାନ ପାଇଁ ଲୋକଙ୍କୁ ଭିକ ମାଗନି…

ନୂଆଦିଲ୍ଲୀ: ସାରା ଦେଶରେ କାୟା ମେଲାଇଛି କରୋନା । ଯଦିଓ ପୂର୍ବ ଅପେକ୍ଷା ମାମଲା କମ୍ ରହିଛି ତଥାପି ସ୍ଥିତି ବଦଳିନି । ଏଭଳି ସମୟରେ ବିଭିନ୍ନ ମହଲରୁ ସାହାଯ୍ୟ ପାଇଁ ସହାୟତାର ହାତ ବଢୁଛି । ଏଥିରୁ ବାଦ୍ ପଡିନି ବଲିଉଡ୍ । ଗୋଟିଏ ପଟେ କରୋନା ମହାମାରୀ ସମୟରେ ବଲିଉଡ଼୍ ଅଭିନେତା ସୋନୁ ସୁଦ୍ ଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୁମାର  ଯାଏଁ ସମସ୍ତେ ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରୁଛନ୍ତି ।

ଏଥିସହିତ ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ବିରାଟ କୋହଲି ଓ ଅଭିନେତା ଅନଷ୍କା ଶର୍ମା ମଧ୍ୟ ଦେଶବାସୀଙ୍କୁ ସାହାଯ୍ୟ ପାଇଁ ଅଭିଯାନ ଚଲାଇଛନ୍ତି ।  ନିକଟରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା କରୋନା ସହାୟତା ପାଇଁ ୧୧ କୋଟି ଟଙ୍କା ଜମା କରିଥିବା ଜଣାଯାଇଛି।

ଆଲିଆ ଭଟ୍ଟ ମଧ୍ୟ ସୋସିଆଲ ମିଡିଆରେ ନିରନ୍ତର କାର୍ଯ୍ୟ କରୁଛନ୍ତି | ଏଭଳି ସମୟରେ ଅଭିନେତା କମଲ ରସିଦ ଖାନ ଏକ ଟ୍ୱିଟ୍ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ସେ ଲେଖିଛନ୍ତି, ‘ଅମିତାଭ ବଚ୍ଚନ ସାର୍ ଆପଣ ଶତପ୍ରତିଶତ ଠିକ୍ କହିଛନ୍ତି। ଯଦି ଦାନ କରିବାକୁ ଆପଣଙ୍କ ୱକାତ୍ ଅଛି, ତେବେ ତାହା କରନ୍ତୁ! ନହେଲେ ଚୁପଚାପ୍ ବସ । ଦାନ କରିବାକୁ ଲୋକଙ୍କୁ ଭିକ କାହିଁ ମାଗୁଛନ୍ତି? ଆଲିଆ ଭଟ୍ଟ ଏବଂ ବିରାଟ କୋହଲି କିଛି ବୁଝିପାରିଲେ । ହେଲେ ତାଙ୍କର ଏଭଳି ଟ୍ୱିଟକୁ ଲୋକମାନେ ଆଦୌ ପସନ୍ଦ କରିନାହାଁନ୍ତି ।

କମଲଙ୍କ ଏହି ଟ୍ୱିଟରେ ଲୋକମାନେ କମେଣ୍ଟ କରିବା ସହ ଏହାକୁ ଭୁଲ୍ ବୋଲି କହିଛନ୍ତି ।

 

ମଙ୍ଗଳ ଗ୍ରହରେ ସ୍ଥାପନ ହେବ ଜନବସତି

ମା କୋଳରୁ ଆ ଜହ୍ନମାମୁ ଶରଗ ଶଶୀ ଗୀତ ଶୁଣିଥିବା ମଣିଷ ଆଜି ସତରେ ଜହ୍ନ ରାଇଜରେ ଜାଗା କିଣିଛି । ପୃଥିବୀରେ ଥାଇ ଆକାଶକୁ ଚାହିଁ ଚାହିଁ ମହାକାଶ ଭ୍ରମଣର ସ୍ୱପ୍ନ ବି ସତ ହୋଇଛି । ପୃଥିବୀ ବାହାରେ ସେ ଦେଖିଛି ଆଉ ଏକ ପୃଥିବୀ ଗଢିବାର ସ୍ବପ୍ନ । ତେବେ ସେ ସ୍ୱପ୍ନ ଆଉ ବେଶୀ ଦୂର ନୁହେଁ । କାରଣ ବର୍ତ୍ତମାନ ପୃଥିବୀ ବାହାରେ ଜୀବନ ସତ୍ତା ଖୋଜୁଛନ୍ତି ବୈଜ୍ଞାନିକ । ଏହି ସମୟରେ ଲାଲ ଗ୍ରହରେ ମଣିଷ ବସତି ସ୍ଥାପନ କରିବାର ଆଶା ସଞ୍ଚାର ହୋଇଛି । ସତରେ କଣ ପୃଥିବୀରୁ ମଙ୍ଗଳ ଗ୍ରହର ସ୍ୱପ୍ନ ସତ ହେବ ? କେମିତି ମହାକାଶ ଦେଇ ମଙ୍ଗଳରେ ପହଞ୍ଚିବ ମଣିଷ? ଆସନ୍ତୁ ଜାଣିବା

ଦୁନିଆର ଅନେକ ଶକ୍ତିଶାଳୀ ରାଷ୍ଟ୍ର ରେଡ୍ ପ୍ଲାନେଟରେ ଜୀବନ ସନ୍ଧାନରେ ଥିବା ବେଳେ ABIBOOS STUDIOS ଓ SONet ନାମକ ୨ଟି ବୈଜ୍ଞାନିକ ସଂସ୍ଥା ଏନେଇ ଆଉ ୨ପାଦ ଆଗକୁ ବଢିଛି । ମଙ୍ଗଳରେ ଜନବସତି ଓ ସ୍ଥାୟୀ ସହରସ୍ଥାପନ କରିବା ନେଇ ଏହି ସଂସ୍ଥାର ମୁଖ୍ୟ ଗିଲେମ ଅଙ୍ଗଲାଡା ସ୍ପଷ୍ଟ କରିଛନ୍ତି । ମଙ୍ଗଳ ଗ୍ରହରେ ପୃଥିବୀ ପରି ସହର ବା ମେଗାସିଟି ନିର୍ମାଣ ହେବ । ଯାହାର ନାଁ ନ୍ୟୁଆ (NUWA) ରହିବ ବୋଲି ଗିଲେମ କହିଛନ୍ତି । ABIBOOS ସଂସ୍ଥାର ସଂସ୍ଥାପକ ଓ ମୁଖ୍ୟ ଆର୍କିଟେକ୍ ଆଲଫ୍ରେଡୋ ମୁନୋଜ ଓ ତାଙ୍କ ଟିମ ଏହି ସହରର ଡିଜାଇନ ତିଆରି କରିଛନ୍ତି । ଯେଉଁଥିରେ ଆଉ ଏକ ପୃଥିବୀର ଭ୍ରମ ସୃଷ୍ଟି ହୋଇଛି । ଏହି ଡିଜାଇନ ନକ୍ସାରେ ହାଇଡ୍ରୋପୋନିକ ବଗିଚା ସହ ପାର୍କ ମଧ୍ୟ ପରିକଳ୍ପନା କରାଯାଇଛି । ନ୍ୟୁୱାର ଆଖପାଖରେ ୫ଟି ସହର ବସାଇବାର ଯୋଜନା କରାଯାଇଛି । ଉତ୍ତରରେ ଆବୋଲାସ ଯାହା ନର୍ଥ ପୋଲ୍ରୁ ବରଫ କାଢି ସେଥିରୁ ପାଣି ଓ ଅନ୍ୟ ନିର୍ମାଣ କାର୍ଯ୍ୟ କରିବାରେ ସାହାଯ୍ୟ କରିବ । ସେହିପରି ମ୍ୟାରିନେରିସ ସିଟି ସବୁଠୁ ବଡ ଭ୍ୟାଲିରେ ତିଆରି ହେବ । ଏହି ସହରଗୁଡିକର ରାଜଧାନୀ ନ୍ୟୁୱା ରହିବ ।
ସତରେ କଣ ମଙ୍ଗଳ ଗ୍ରହରେ ବସତି ସ୍ଥାପନ ହୋଇପାରବ? କେମିତି ସେଠାରେ ପୃଥିବୀ ପରି ପରିବେଶ ସୃଷ୍ଟି କରିହେବ ଆସନ୍ତୁ ଜାଣିବା ।
ମଣିଷ ବଞ୍ଚିବା ପାଇଁ ଏକ ତାକୁ ସୁହାଇଲା ଭଳି ପରିବେଶ ଆବଶ୍ୟକ । ତେବେ ମଙ୍ଗଳରେ ସେହି ପରିବେଶ ପ୍ରଥମେ ସୃଷ୍ଟି କରାଯିବ । ମଙ୍ଗଳରେ ସହର ନିର୍ମାଣ ପାଇଁ ଏମିତି କିଛି ସ୍ଥାନ ଚୟନ କରାଯିବ ଯେଉଁଠାରେ ଆବଶ୍ୟକ ଭିତ୍ତିଭୂମି ରହିଥିବ । ୨୦୫୪ ମସିହା ସୁଦ୍ଧା ରେଡ୍ ପ୍ଲାନେଟରେ ସହର ନିର୍ମାଣ କାମ ଆରମ୍ଭ ହେବ । ସହର ତିଆରି ପାଇଁ ଆବଶ୍ୟକୀୟ ସାମଗ୍ରୀ ମଙ୍ଗଳରୁ ହିଁ ଠାବ କରାଯିବ ବୋଲି ବୈଜ୍ଞାନିକ କହିଛନ୍ତି । ୨୧୦୦ମସିହା ସୁଦ୍ଧା ପ୍ରାୟ ଅଢେଇ ଲକ୍ଷ ଲୋକ ସେଠାରେ ବସତି ସ୍ଥାପନ କରିବେ । ଏହି ସହରରେ ଡିଜାଇନ ଦୁନିଆର ବିଶିଷ୍ଟ ବୈଜ୍ଞାନିକ ମିଶି ତିଆରି କରିଛନ୍ତି ।
ଆପଣ ଭାବୁଥିବେ ଏହି ସହରର ନାମକରଣ ନ୍ୟୁୱା ହେବା ପଛର କାରଣ କଣ?
ନ୍ୟୁୱା ନାଁଟି ଚୀନ ପୁରାଣରୁ ଆସିଛି । ନ୍ୟୁୱା ଚୀନ୍ ପୁରାଣର ସେହି ଚରିତ୍ର ବା ଭଗବାନ ଯାହାଙ୍କ ଦାୟିତ୍ୱ ହେଉଛି ବ୍ରହ୍ମାଣ୍ଡ ନିର୍ମାଣ ସହ ତାହାର ରକ୍ଷଣାବେକ୍ଷଣ । ଟିମ ଆଲୋଚନା କରିବା ବେଳେ ଏହା ଉପରେ ବେଶୀ ଧ୍ୟାନ ଦେଇଥିଲା । କାରଣ ପ୍ରତି ଦେଶରେ ବ୍ରହ୍ମାଣ୍ଡ ତିଆରି ପଛରେ ଦେବା ଦେବୀଙ୍କ ସଂଶ୍ଲିଷ୍ଟ ଥିବା ନଜିର ରହିଛି ।

ଖୋଜୁଥିଲେ ମାଛ ମିଳିଲା କୁମ୍ଭୀର: ଘୋଡ଼ାହାଡ଼ ଡ୍ୟାମ୍‌ରେ ଛାଡ଼ିଲେ ବନ କର୍ମଚାରୀ

ଦିଗପହଣ୍ଡି: ଦିଗପହଣ୍ଡି ରେଞ୍ଜରେ ଏକ କୁମ୍ଭୀର ଉଦ୍ଧାର ହୋଇଥିବା ଜଣାପଡ଼ିଛି  । ଶଙ୍କରଖାଲି ବନ୍ଧରେ ମାଛ ଧରୁଥିବା ସମୟରେ ଜାଲରେ ଏକ ବୃହତ କୁମ୍ଭୀର ପଡିଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଶଙ୍କରଖାଲି ବନ୍ଧରେ କିଛି ଯୁବକ ମାଛ ଧରିବାକୁ ବନ୍ଧକୁ ଯାଇଥିଲେ । ହେଲେ ମାଛ ମାରୁଥିବା ସମୟରେ ଏକ କୁମ୍ଭୀର ଜାଲରେ ପଡ଼ିଯାଇଥିଲା । ପରେ ଏହାକୁ ଉଦ୍ଧାର କରି କୁମ୍ଭୀରଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା  । ଯାଞ୍ଚ ପରେ ସୁରକ୍ଷିତ ଭାବେ ଏହାକୁ ଘୋଡ଼ାହାଡ଼ ଡ୍ୟାମରେ ବନ କର୍ମଚାରୀ ଛାଡ଼ିଥିବା ଜଣାପଡ଼ିଛି । ଏନେଇ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ସୂଚନା ଦେଇଛନ୍ତି  ।

ଏଥିସହିତ ପଢ଼ନ୍ତୁ: ନିର୍ଯାତନାର ଶିକାର ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କଲେ ସବ୍ୟସାଚୀ: ମାଡ଼ ମାରୁଥିବା ବ୍ୟକ୍ତି ହେଲେ ଗିରଫ

ପିମ୍ପୁଡ଼ି ଖାଉଥିବା ମୃତଦେହକୁ ରାସ୍ତାକଡ଼ରୁ ଉଦ୍ଧାର କଲା ସଂକଳ୍ପ ପରିବାର

ବରଗଡ଼: କରୋନା ବେଳର ଆଉ ଏକ କରୁଣ କାହାଣୀ । ବରଗଡ଼ ଜିଲ୍ଲା ଭଟଲି ଅଞ୍ଚଳରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଯାହା ଜାଣିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ । କରୋନା ଭୟରେ ଲୋକେ ନିଜ ସମ୍ପର୍କୀୟଙ୍କ ଶବ ଛୁଇଁବାକୁ କୁଣ୍ଠା ପ୍ରକାଶ କରୁଥିବା ବେଳେ ୨୦ ରୁ ୩୦ ଘଣ୍ଟା ପର୍ଯ୍ୟନ୍ତ ଶବ ପଡ଼ିରହିଥିବା ଦେଖିବାକୁ ମିଳିଛି । ଯାହା ଅମାନବିକତାର ଏକ ନିର୍ଦ୍ଦଶନ । ଆଜି ବରଗଡ଼ ଜିଲ୍ଲା ଭଟଲି ଅମ୍ବାଭନା ରାସ୍ତାକଡ଼ ଗୋଟିଏ ବୁଦା ମଧ୍ୟରେ ଏକ ମଧ୍ୟ ବୟସ୍କ ବ୍ୟକ୍ତିଙ୍କ ଶବ ପଡ଼ିରହିଥିବା ଦେଖିବାକୁ ମିଳିଥିଲା । କରୋନା ଭୟରେ ଲୋକେ ପାଖ ମାଡୁନଥିଲେ । ଶବଟି କାହାର, ଶବଟି କେଉଁଠୁ ଆସିଲା, ପ୍ରକୃତରେ ପଡ଼ିରହିଥିବା ଲୋକଟି ମୃତ ନା ଜୀବିତ ଏକଥା ଜାଣିବା ପାଇଁ ସୁଦ୍ଧା କେହି ଇଛା ପ୍ରକାଶ କରୁନଥିଲେ । ପରେ ଭଟଲି ପୋଲିସ ବିଭାଗଠୁ ଖବର ପାଇଁ ସଂକଳ୍ପ ପରିବାରର ସଦସ୍ୟ ନିଧାନ ଦନ୍ତା ଓ ଜି. ରମେଶ ଘଟଣାସ୍ଥଳକୁ ଯାଇ ଶବଟିକୁ ଉଦ୍ଧାର କରିଥିଲେ । ବର୍ତମାନ ମୃତ ବ୍ୟକ୍ତିଙ୍କ ଶବ ବରଗଡ଼ ଶବ ସଂରକ୍ଷଣ ଗୃହରେ ରଖାଯାଇଛି ।

ଏଥିସହିତ ପଢ଼ନ୍ତୁ: ପାଟପୁରିଆ ଗାଁରୁ ମାଆ-ଝିଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଦେଶର ସବୁଠୁ ଉଚ୍ଚ ଶିବ ମନ୍ଦିର, ପଥରକୁ ବାଡେଇଲେ ଡମ୍ବରୁ ଶବ୍ଦ ଶୁଣାଯାଏ..

ଭାରତରେ ରହସ୍ୟମୟ ଏବଂ ପ୍ରାଚୀନ ମନ୍ଦିରଗୁଡ଼ିକର କୌଣସି ଅଭାବ ନାହିଁ। ଦେଶର କୋଣ ଅନୁକୋଣରେ ପ୍ରସିଦ୍ଧ ମନ୍ଦିର ରହିଛି। ଆଉ ସବୁ ମନ୍ଦିରର କିଛି ନା କିଛି ରହସ୍ୟ ରହିଥାଏ। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବୁ, ଯାହା ଭିତରେ ଲୁଚି ରହିଛି ଅନେକ ରହସ୍ୟ। ଏମିତିକି ଏହି ମନ୍ଦିରର ପଥରେ ବି ଲୁଚି ରହିଛି ଏକ ରହସ୍ୟ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ପଥରଗୁଡ଼ିକୁ ବାଡେଇଲେ ସେଥିରୁ ମହାଦେବଙ୍କ ଡମ୍ବରୁର ଶବ୍ଦ ଶୁଣାଯାଏ। କୁହାଯାଏ ଯେ ମନ୍ଦିରର ପ୍ରତିଟି କୋଣ ଏଠି ମହାଦେବଙ୍କ ଉପସ୍ଥିତିର ଆଭାସ ଦେଇଥାଏ।

ଏହି ମନ୍ଦିର ଦେବଭୂମି ହିମାଚଳ ପ୍ରଦେଶର ସୋଲାନରେ ଅବସ୍ଥିତ, ଯାହା ଜାଟୋଲି ଶିବ ମନ୍ଦିର ଭାବରେ ଜଣାଶୁଣା। ଦ୍ରାବିଡ଼ ଶୈଳୀରେ ନିର୍ମିତ ଏହି ମନ୍ଦିରର ଉଚ୍ଚତା ପାଖାପାଖି ୧୧୧ ଫୁଟ। ଯାହାକୁ ଏସିଆର ସବୁଠାରୁ ଉଚ୍ଚ ଶିବ ମନ୍ଦିର ବୋଲି ମଧ୍ୟ କୁହାଯାଏ।

ପୂରାଣରେ ଏହି ମନ୍ଦିର ନେଇ ଅନେକ କଥା ପ୍ରଚଳନ ରହିଛି । କୁହାଯାଏ ଯେ ଭଗବାନ ଶିବଙ୍କର ପାଦ ଏହି ମନ୍ଦିରରେ ପଡ଼ିଥିଲା ଆଉ ସେ ଏଠି କିଛି ସମୟ ମଧ୍ୟ ବିତାଇଥିଲେ। ୧୯୫୦ ଦଶକରେ କୃଷ୍ଣାନନ୍ଦ ପରମହଂସ ନାମକ ଜଣେ ବାବା ଏଠାକୁ ଆସିଥିଲେ। ଯାହାଙ୍କ ମାର୍ଗଦର୍ଶନ ଏବଂ ନିର୍ଦ୍ଦେଶନାରେ ଜଟୋଲି ଶିବ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୯୭୪ ମସିହାରେ ସେ ଏହି ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧୯୮୩ ମସିହାରେ ତାଙ୍କ ଦେହାନ୍ତ ହେବା ପରେ ମଧ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇନଥିଲା । ମନ୍ଦିର ପରିଚାଳନା କମିଟି ଦ୍ୱାରା ଏହାର କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

ଜଟୋଲି ଶିବ ମନ୍ଦିରର କାର୍ଯ୍ୟ ସମ୍ପନ୍ନ ହେବା ପାଇଁ ପ୍ରାୟ ୩୯ ବର୍ଷ ସମୟ ଲାଗିଥିଲା। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମନ୍ଦିର ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଯେ, ଏହା ଦେଶ ତଥା ବିଦେଶର ଭକ୍ତଙ୍କ ଦ୍ୱାରା ଦାନ କରାଯାଇଥିବା ଟଙ୍କାରେ ନିର୍ମାଣ କରାଯାଇଛି। ସେଥିପାଇଁ ମନ୍ଦିର ନିର୍ମାଣ ହେବାକୁ ତିନି ଦଶନ୍ଧିରୁ ଅଧିକ ସମୟ ଲାଗିଥିଲା ।

ଏହି ମନ୍ଦିରର ବିଭିନ୍ନ ସ୍ଥାନରେ ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିବାବେଳେ ମନ୍ଦିର ଭିତରେ ଏକ ସ୍ଫଟିକ୍ ରତ୍ନ ଶିବଲିଙ୍ଗ ଲଗାଯାଇଛି। ଏହା ବ୍ୟତୀତ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ମୂର୍ତ୍ତି ମଧ୍ୟ ଏଠାରେ ସ୍ଥାପନ କରାଯାଇଛି। ଏଥି ସହିତ, ମନ୍ଦିରର ଉପର ମୁଣ୍ଡରେ ୧୧ ଫୁଟ ଉଚ୍ଚର ଏକ ବିରାଟ ସୁନା ପାତ୍ର ମଧ୍ୟ ସ୍ଥାପିତ ହୋଇଛି, ଯାହା ଏହାର ସୌନ୍ଦର୍ଯ୍ୟ ଓ ବିଶେଷତ୍ୱକୁ ଆହୁରି ବଢାଇଦିଏ ।

 

ଗଙ୍ଗା କୂଳରେ ଟାୟାର-ଡିଜେଲ୍ ପକାଇ ଜାଳିଦେଲେ ଶବ, ୫ ପୋଲିସ ବାବୁ ନିଲମ୍ବିତ

ଲକ୍ଷ୍ନୗେ: ଉତ୍ତରପ୍ରଦେଶର ବଲିଆ ଜନପଦରେ ପୋଲିସ କର୍ମୀ ମାନେ ଗଙ୍ଗା ଘାଟରେ କିଛି ମୃତଦେହର ଅନ୍ତିମ ସଂସ୍କାର କରୁଥିବା ଭିଡ଼ିଓ ଭାଇରାଲ୍ ହେଉଛି । ଯେଉଁ ଭିଡ଼ିଓରେ ମୃତଦେହ ସହ ଟାୟାର ଜଳୁଥିବାର ନଜର ଆସୁଛି । ଏଥିରେ ପେଟ୍ରାେଲ୍ ଓ ଡିଜେଲର ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି ।

ଦୁଇ ଦିନ ପୂର୍ବରୁ ପାଣିରେ ଭାସିଆସିଥିବା ଏହି ଶବ ଗୁଡିକୁ ପୋଲିସ ମାନେ ସ୍ଥାନୀୟ ଶବଦାହକଙ୍କ ସହଯୋଗରେ ଅନ୍ତିମ ସଂସ୍କାର କରିଥିଲେ । ଏଭଳି ଭିଡ଼ିଓ ସାମ୍ନାକୁ ଆସିବା ପରେ ପୋଲିସ ଅଧିକ୍ଷକ ବିପିନ୍ ତାଡା ସମ୍ପୃକ୍ତ ୫ ଜଣ ପୋଲିସ କର୍ମୀଙ୍କୁ ନିଲମ୍ବିତ କରିଛନ୍ତି । ତେବେ ଏହି ମାମଲାର ଯାଞ୍ଚ ଏଡିସନ୍ ଏସପି ଙ୍କ ଦ୍ୱାରା କରାଯାଉଥିବା ଜଣାପଡିଛି ।

ସୁତ୍ରରୁ ପ୍ରକାଶ ଯେ ଉକ୍ତ ମୃତଦେହ ଅଧିକ ଦିନର ହୋଇପଡିଥିବା ବେଳେ ସେଥିରୁ ଦୁର୍ଗନ୍ଧ ବାହାରୁଥିଲା । ଆଉ ସଂସ୍କାର ପାଇଁ କାଠ ମିଳିପାରିନଥିଲା । ଯେଉଁଥିପାଇଁ ପୋଲିସ କର୍ମୀ ମାନଙ୍କୁ ଏଭଳି କରିବାକୁ ପଡିଥିଲା ।

ତେବେ ସରକାରଙ୍କ ପକ୍ଷରୁ ମୃତଦେହର ଅନ୍ତିମ ସଂସ୍କାର ସମ୍ମାନ ଜନକ ଭାବେ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ମିଡିଆ ରିପୋର୍ଟ ମୁତାବକ ଗଙ୍ଗା ନଦୀର ଗୋଟିଏ ଗୋଟିଏ ଘାଟରେ ୪୦୦ରୁ ୫୦୦ ଶବ ପୋତା ଯିବାର ଖବର ଆସୁଛି ।

ଦେଶରେ ୮୫.୬%ରେ ପହଞ୍ଚିଲା ସୁସ୍ଥତା ହାର: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ପ୍ରବାହ ଧିରେ ଧିରେ କମୁଥିବାର ନଜର ଆସୁଛି । ଏମିତିକି ଦେଶରେ କୋଭିଡ ସୁସ୍ଥତା ହାର ବର୍ତ୍ତମାନ ୮୫.୬% ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଦିନ ସୂଚନା ଦିଆଯାଇଛି । ଯେଉଁ ହାର ମେ ୩ ବେଳକୁ ୮୧.୭ ପ୍ରତିଶତ ଥିଲା।

ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ ୪,୨୨,୪୩୬ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ଯାହା ଆଜି ପର୍ଯ୍ୟନ୍ତ ସବୁଠାରୁ ଅଧିକ ସୁସ୍ଥତା ମାମଲା ହାେଇଛି । ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ ଏହା ଏକ ପଜିଟିଭ୍ ଟ୍ରେଣ୍ଡ୍।

ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, କେବଳ ଏଭଳି ୮ଟି ରାଜ୍ୟ ଅଛନ୍ତି ଯେଉଁଠି ପ୍ରତିଦିନ ୧୦,୦୦୦ ରୁ ଅଧିକ ପଜିଟିଭ୍ ମାମଲା ଚିହ୍ନଟ ହେଉଛି । ଅପରପକ୍ଷେ ଏମିତି ୨୬ ରାଜ୍ୟ ଅଛନ୍ତି, ଯେଉଁଠି ପଜିଟିଭ ତୁଳନାରେ ଅଧିକ ସୁସ୍ଥ ହେଉଛନ୍ତି ।

ଦେଶର ସମୁଦାୟ ଜନସଂଖ୍ୟାର ୧.୮ ପ୍ରତିଶତ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସଂକ୍ରମିତ ହୋଇଛନ୍ତି। ଆମେ ଏପର୍ଯ୍ୟନ୍ତ ଜନସଂଖ୍ୟାର ୨ ପ୍ରତିଶତରୁ କମ୍ ସଂକ୍ରମଣ ରୋକିବାରେ ସଫଳ ହୋଇଛୁ। ଦେଶରେ ପଜିଟିଭିଟି ହାର ଖସିକି ୧୪.୧୦% ରେ ପହଞ୍ଚିଛି ।

ଆମେରିକାରେ ଏହି ସଂଖ୍ୟା ୧୦ ଦଶମିକ ୧ ପ୍ରତିଶତ, ବ୍ରାଜିଲରେ ୭ ଦଶମିକ ୩ ପ୍ରତିଶତ ଓ ଫ୍ରାନ୍ସରେ ୯ ଦଶମିକ ୦ ପ୍ରତିଶତ ରହିଛି । ଆଗକୁ ଟେଷ୍ଟିଂ ଜୋରଦାର ହେଲେ ଓ କଟକଣା ମାନିଲେ ଆହୁରି ସଂକ୍ରମଣ କମିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ।