spot_img
Home Blog Page 5626

ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ବୈଠକ, ଉପକୂଳବର୍ତ୍ତୀ ୧୦ ଜିଲ୍ଲା ସହ ଆଲୋଚନା

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ଆସନ୍ତା ୨୨ ତାରିଖରେ ସୃଷ୍ଟି ହେବାର ଆଶଙ୍କା ରହିଛି । ପରବର୍ତ୍ତୀ ୭୨ ଘଣ୍ଟାରେ ଅର୍ଥାତ୍ ୨୫ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏଯାଏ ଏହାର ସ୍ଥିତି, ରୂପ, ବାତ୍ୟା ହେବ କି ନାହିଁ ସେନେଇ କୌଣସି ଅନୁମାନ କରାଯାଇ ନାହିଁ । ପ୍ରାକ୍ ଆକଳନ ଅନୁସାରେ, ଲଘୁଚାପ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେଲେ ଏହା ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ମେ ୨୬ ସନ୍ଧ୍ୟା ସମୟରେ ପହଞ୍ଚିପାରେ ।

ସମ୍ଭାବ୍ୟ ବାତ୍ୟା ଆଶଙ୍କା କରି ଏସଆରସି ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପାଣିପାଗ ବିଭାଗ, ଏନଡିଆରଏଫ୍, ଓଡ୍ରାଫ, ଅଗ୍ନିଶମ ବାହିନୀ ସହ ଏସଆରସି ଆଲୋଚନା କରିଛନ୍ତି । ଉପକୂଳବର୍ତ୍ତୀ ୧୦ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ଏସଆରସି ପ୍ରଦୀପ ଜେନା କଥା ହୋଇ ପଦକ୍ଷେପ ନେବାକୁ କହିଛନ୍ତି ।

SRC Review Meeting Over Probable Cyclone In Bay Of Bengal

ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀ ୨୩ ତାରିଖ ସକାଳ ପୂର୍ବରୁ କୂଳକୁ ଫେରି ଆସିବାକୁ ଏସଆରସି ଆହ୍ୱାନ ଦେଇଛନ୍ତି । ବାତ୍ୟା ନେଇ ବିବ୍ରତ ନହେବାକୁ ଏସଆରସି ଜନସାଧାରଣଙ୍କୁ କହିଛନ୍ତି । ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଜିଲ୍ଲା ସ୍ତରରେ ସମସ୍ତ ପ୍ରସ୍ତୁତି ହୋଇଥିବା ସୂଚନା ଦେଇଛନ୍ତି ଏସଆରସି ।

କରୋନା ମୁକାବିଲା ପାଇଁ ଆଶାକର୍ମୀଙ୍କୁ ସହାୟତା

ଭୁବନେଶ୍ୱର: ଆଶା କର୍ମୀଙ୍କୁ ମିଳିବ ସହାୟତା । ପ୍ରଭାବୀ କରୋନା ପରିଚାଳନା ଏବଂ ଅଣ-କୋଭିଡ୍ ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ଆଶାକର୍ମୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ । ଗ୍ରାମାଞ୍ଚଳ ସହ ସହରାଞ୍ଚଳର ବସ୍ତିରେ ସେବା ଯୋଗାଉ ଥିବା ଆଶାକର୍ମୀ ଏହି ସହାୟତା ପାଇବେ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁସାରେ, ପ୍ରତ୍ୟେକ ଆଶାକର୍ମୀଙ୍କୁ ଗୋଟିଏ ଥର ପାଇଁ ୧୦ ହଜାର ଟଙ୍କା ‘ସ୍ୱାସ୍ଥ୍ୟ ସହାୟ’ (ରାଜ୍ୟ ବଜେଟ୍)ରୁ ମିଳିବ । ଏହାଦ୍ୱାରା ଉତ୍ତମ କରୋନା ପରିଚାଳନା ସହ ଅଣ-କୋଭିଡ୍ ଚିକିତ୍ସା ସେବା ଭଲ ଭାବେ ଯୋଗାଯାଇ ପାରିବ । ଆଶାକର୍ମୀ ଏହି ଅର୍ଥକୁ ନିମ୍ନଲିଖିତ ଭାବେ ଖର୍ଚ୍ଚ କରି ପାରିବେ ।

ବାଇ-ସାଇକେଲ୍ କିଣିବା

ଛତା, ଟର୍ଚ୍ଚ, ଚପଲ, ପାଣି ବୋତଲ, ବ୍ୟାଗ

ମାସ୍କ, ସାନିଟାଇଜର, ସାବୁନ୍, ଗ୍ଲୋଭସ୍, ଫେସ୍ ସିଲ୍ଡ, ଥର୍ମାଲ୍ ସ୍କାନର, ହେଲମେଟ୍

କ୍ଷୁଦ୍ର ବ୍ୟାଟେରୀ ଚାଳିତ ମାଇକ୍

ଯାତାୟତ ଖର୍ଚ୍ଚ

ଏହି ସହାୟତା ସମସ୍ତ ଆଶାକର୍ମୀଙ୍କୁ ମିଳିବ । ଅନ୍ୟପଟେ ମେ ୨୪ରୁ ଅଗଷ୍ଟ ୨୩ ଯାଏଁ ୩ ମାସ ଧରି ରାଜ୍ୟରେ ଘରକୁ ଘର ବୁଲି ସର୍ଭେ କରିବେ ଆଶାକର୍ମୀ ଓ ଅଙ୍ଗନୱାଡ଼ି କର୍ମୀ । କୋଭିଡ୍ ଲକ୍ଷଣ ସହ ଗମ୍ଭୀର ରୋଗରେ ଆକ୍ରାନ୍ତ ନେଇ ତଥ୍ୟ ସଂଗ୍ରହ କରାଯିବ । ଆଶାକର୍ମୀ  ପ୍ରତିଦିନ ୨୦ଟି ଘର ବୁଲିବେ । ମାସକରେ ଅତିକମରେ ପ୍ରତି ପରିବାରକୁ ଦୁଇଥର ଯିବେ । ଏଥିପାଇଁ ଆଶାକର୍ମୀଙ୍କୁ ମାସିକ ୧ ହଜାର ଟଙ୍କା ଅତିରିକ୍ତ ମିଳିବ । ଏନସିଡି ସ୍କ୍ରିନିଂ ପାଇଁ ୫ ଶହ ଟଙ୍କା, ସକ୍ରିୟ ଯକ୍ଷ୍ମା ମାମଲା ଚିହ୍ନଟ ପାଇଁ ଶହେ ଟଙ୍କା, ମାଲେରିଆ ରୋଗ ଚିହ୍ନଟ ଓ ଚିକିତ୍ସା ପାଇଁ ପ୍ରଥମ ୧୦ଟି ମାମଲା ପାଇଁ ମାସିକ ୧୫୦ ଟଙ୍କା ଓ ୧୦ରୁ ଅଧିକ ମାମଲା ପାଇଁ ୭୫ ଟଙ୍କା ମିଳିବ ।

‘ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଗାମୀ ୭ରୁ ୧୦ ଦିନ’

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ପିକ୍‌ ଆଡ଼କୁ ମୁହାଁଉଛି । ଆଗାମୀ ୭ରୁ ୧୦ ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟରେ ବର୍ତ୍ତମାନ ଲକଡାଉନ୍ ସ୍ଥିତି ରହିଛି ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ଆଗାମୀ ୭ରୁ ୧୦ ଦିନ ପରେ କୋଭିଡ୍ ପରିସଂଖ୍ୟାନ ଶୀର୍ଷକୁ ଛୁଇଁ କ୍ରମାନ୍ଵୟରେ ହ୍ରାସ ପାଇବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ଜୁନ ମାସ ପ୍ରଥମ ସପ୍ତାହ ବେଳକୁ ରାଜ୍ୟରେ ସଂକ୍ରମଣ ହାର କମି ଯାଇଥିବ ।

ବର୍ତ୍ତମାନ ଆମ ପାଇଁ ବଡ଼ ଉପଲବ୍ଧି ଆମର ସଂକ୍ରମଣ ହାର ୨୦ ପ୍ରତିଶତ ତଳକୁ ଆସିଛି । ପ୍ରଥମ ଲକଡାଉନ ପାଇଁ ରାଜ୍ୟରେ ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ଅଛି ନଚେତ ଏହା ୨୦ରୁ ୨୫ ହଜାରରେ ରହିଥାନ୍ତା । ଭୁବନେଶ୍ୱରରେ ପଜିଟିଭ ହାର ପାଖାପାଖି ୩୫ ପ୍ରତିଶତ ରହୁଛି । ବର୍ତ୍ତମାନ ସ୍ଥିତିରେ ଆମକୁ ଆଇସିୟୁ ବେଡ୍ ବଢ଼ାଇବାର ଆବଶ୍ୟକତା ରହିଛି । ଅତିକମରେ ୧୫ ଦିନ ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ପଡ଼ିବ ।

ବର୍ତ୍ତମାନ ଗ୍ରାମାଞ୍ଚଳକୁ ଫୋକସ୍ କରିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ବହୁତ ଭଲ ପଦକ୍ଷେପ ନେଇଛନ୍ତି । ମାକ୍ସ ବାଣ୍ଟିବା ଦ୍ୱାରା ଲୋକେ ସଚେତନ ହେବେ ସଂକ୍ରମଣଠୁ ଦୂରେଇ ରହିବେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।

ରାଜ୍ୟରେ କରୋନାକୁ ମାତ୍ ଦେଲେ ଆଉ ୧୦ ହଜାର ୩୬ ଜଣ

ଭୁବନେଶ୍ୱର: କରୋନା ସହ ଲଢ଼ୁଛି ଓଡ଼ିଶା । ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦ ହଜାର ୩୬ ଜଣ କରୋନାକୁ ହରାଇଛନ୍ତି । ଏଥିସହଲ ରାଜ୍ୟରେ ମୋଟ ସୁସ୍ଥତା ୫ ଲକ୍ଷ ୪୬ ହଜାର ୬୩୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଖୋର୍ଦ୍ଧାରୁ ସର୍ବାଧିକ ୧୪୭୧ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୧୪, କଟକରୁ ୭୧୮, ଅନୁଗୁଳରୁ ୫୧୦, ବରଗଡ଼ରୁ ୪୫୫, କଳାହାଣ୍ଡିରୁ ୪୩୭, ଯାଜପୁରରୁ ୪୦୭, ଗଞ୍ଜାମରୁ ୩୬୬, ନବରଙ୍ଗପୁରରୁ ୩୫୬, ପୁରୀରୁ ୩୫୧, ବଲାଙ୍ଗିରରୁ ୩୪୨, ଝାରସୁଗୁ଼ଡ଼ାରୁ ୩୩୪, ସମ୍ବଲପୁରରୁ ୩୦୦, ଭଦ୍ରକରୁ ୨୫୦, ନୟାଗଡ଼ରୁ ୨୪୫, ଢେଙ୍କାନାଳରୁ ୨୩୬ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ବାଲେଶ୍ୱରରୁ ୨୩୦, ବୌଦ୍ଧରୁ ୨୧୮, ନୂଆପଡ଼ାରୁ ୨୦୨, ରାୟଗଡ଼ାରୁ ୧୯୯, କେନ୍ଦୁଝରରୁ ୧୮୬, ମୟୂରଭଞ୍ଜରୁ ୧୬୫, ଜଗତସିଂହପୁରରୁ ୧୫୫, ସୋନପୁରରୁ ୧୪୮, କେନ୍ଦ୍ରାପଡ଼ାରୁ ୧୪୧, ଦେବଗଡ଼ରୁ ୧୩୮, କୋରାପୁଟରୁ ୧୧୧, ଗଜପତିରୁ ୧୦୨, କନ୍ଧମାଳରୁ ୯୫, ମାଲକାନଗିରିରୁ ୮୩ ଓ ଷ୍ଟେଟ ପୁଲରୁ ୨୭୧ ଜଣ ସୁସ୍ଥ ହୋଇଛନ୍ତି ।

ଡ୍ରାଇଭ-ଇନ୍ ଓ ଡୋର-ଷ୍ଟେପ ଟିକାକରଣ ମନା

ଭୁବନେଶ୍ୱର: ବନ୍ଦ ହେବ ଡ୍ରାଇଭ୍-ଇନ୍ ଡୋର୍-ଷ୍ଟେପ ଟିକାକରଣ । ବିଏମସି, ସିଏମସି ସହ ଅନ୍ୟ କିଛି ଜିଲ୍ଲା ବରିଷ୍ଠ ନାଗରିକଙ୍କ ପାଇଁ ଏଭଳି ପଦକ୍ଷେପ ନେଇଥିବା ବେଳେ ଏଥିରେ ରୋକ୍ ଲଗାଇଛି ସ୍ୱାସ୍ଥ୍ୟ ବିଭାଗ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ, ଡ୍ରାଇଭ-ଇନ୍ ଓ ଡୋର-ଷ୍ଟେପ୍ ଟିକାକରଣକୁ ଅନୁମତି ନାହିଁ । ଗାଇଡଲାଇନ୍ ସ୍ପଷ୍ଟ ଭାବେ କହୁଛି, ଟିକାକରଣ ସ୍ଥାନରେ ପ୍ରତୀକ୍ଷା ସ୍ଥଳ ସହ ଟିକାକରଣ କକ୍ଷ, ପର୍ଯ୍ୟବେକ୍ଷଣ କକ୍ଷ ଥିବ । ଏଥିସହ ଟିକା ନେବା ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲେ ଚିକିତ୍ସା ହୋଇପାରିବ । ଟିକାକରଣ ପରେ ୩୦ ମିନିଟ୍ ଅବଜରଭେସନରେ ରଖାଯାଇ ଥାଏ ।

ତେବେ ଡ୍ରାଇଭ-ଇନ୍ ଓ ଡୋର-ଷ୍ଟେପ୍ ଟିକାକରଣ ଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲେ ସମ୍ଭାଳିବା କଷ୍ଟକର । ଏପରିକି ଟିକା ମଧ୍ୟ ନଷ୍ଟ ହେବ । ଏସବୁ ଦୃଷ୍ଟିରୁ ଡ୍ରାଇଭ-ଇନ୍ ଓ ଡୋର-ଷ୍ଟେପ୍ ଟିକାକରଣରୁ ନିବୃତ୍ତ ରହିବା ଲାଗି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

କୋଭିଡ୍ ଟିକା ନେଇପାରିବେ ଛୁଆଙ୍କୁ ସ୍ତନ୍ୟପାନ କରାଉଥିବା ମହିଳା

ନୂଆଦିଲ୍ଲୀ: NEGVACର ସୁପାରିସକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । ବିଶ୍ୱରେ କରୋନା ସ୍ଥିତି, ଟିକାକରଣ ଆଦିରେ ହୋଇଥିବା ଅଧ୍ୟୟନ ଓ ଅଭିଜ୍ଞତା ଭିତ୍ତି କରି NEGVAC ସରକାରଙ୍କୁ କିଛି ସୁପାରିସ୍ କରିଥିଲା । ଯାହାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗ୍ରହଣ କରିଛି ।

ନୂଆ ନିୟମ ଅନୁଯାୟୀ, କୋଭିଡରୁ ସୁସ୍ଥ ହେବାର ୩ ମାସ ପରେ କୋଭିଡ୍ ଟିକା ନେଇ ପାରିବେ । ଯେଉଁମାନେ କୋଭିଡ୍ ଚିକିତ୍ସା ବେଳେ ପ୍ଲାଜମା ନେଇଥିବା ସେମାନେ ମଧ୍ୟ ହସ୍ପିଟାଲରୁ ଡିସଚାର୍ଜ ହେବାର ୩ ମାସ ପରେ ଟିକା ନେବେ । ପ୍ରଥମ ଡୋଜ୍ ଟିକା ନେବା ପରେ କୋଭିଡ୍ ସଂକ୍ରମିତ ହୋଇଥିଲେ ନିର୍ଦ୍ଧାରିତ ସମୟରେ ଦ୍ୱିତୀୟ ଡୋଜ୍ ଟିକା ନେବେ ନାହିଁ । କୋଭିଡରୁ ସୁସ୍ଥ ହେବାର ୩ ମାସ ପରେ ଟିକା ନେଇପାରିବେ ।

କେହି ବ୍ୟକ୍ତି କୌଣସି ଗମ୍ଭୀର ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲ କିମ୍ବା ଆଇସିୟୁରେ ଭର୍ତ୍ତି ହୋଇଥିଲେ । ୪ରୁ ୮ ସପ୍ତାହ ପରେ କୋଭିଡ୍ ଟିକା ନେବେ । ଜଣେ ବ୍ୟକ୍ତି ଟିକା ନେବାର ୧୪ ଦିନ ପରେ ରକ୍ତଦାନ କରିପାରିବେ । ଛୁଆଙ୍କୁ ସ୍ତନ୍ୟପାନ କରାଉଥିବା ସମସ୍ତ ମହିଳା କୋଭିଡ୍ ଟିକା ନେଇପାରିବେ । କୋଭିଡ୍ ଟିକା ନେବା ପୂର୍ବରୁ ଆଣ୍ଟିଜେନ୍ ଟେଷ୍ଟର ଆବଶ୍ୟକତା ନାହିଁ । ତେବେ ଗର୍ଭବତୀ ମହିଳା ଟିକା ନେବେ କି ନାହିଁ ସେନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

କେଉଁମାନଙ୍କୁ ବ୍ଲାକ୍ ଫଙ୍ଗସ୍ ହେବାର ସମ୍ଭାବନା ଅଧିକ

ଭୁବନେଶ୍ୱର: ବାୟୁ ମଣ୍ଡଳରେ ରହିଛି ବ୍ଲାକ୍ ଫଙ୍ଗସ୍ । ପୂର୍ବରୁ ମଧ୍ୟ ଲୋକେ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେଉଥିଲେ । ଦୀର୍ଘ ଦିନ ଧରି କୌଣସି ଏକ ଗୁରୁତର ରୋଗରେ ସଂକ୍ରମିତ ହୋଇ ଷ୍ଟେରଏଡ୍ କିମ୍ବା ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେଲେ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇଥାନ୍ତି । ଏନେଇ ଏସସିବି ମେଡିକାଲ କଲେଜ ଭେଷଜ ବିଭାଗ ମୁଖ୍ୟ ପ୍ରଫେସର ଜୟନ୍ତ ପଣ୍ଡା ପ୍ରେସମିଟରେ ସୂଚନା ଦେଇଛନ୍ତି ।

ମୁଣ୍ଡ ବନ୍ଧା ହେବା, ଆଖି ଲାଲ ହେବା, ଆଖିରେ ଦୁଇଟି ଦେଖାଯିବା, ରକ୍ତ ବାନ୍ତି ହେବା, ଛାତି ବ୍ୟଥା ହେବା, ଧଇଁସଇଁ ହେବା ଭଳି ଲକ୍ଷଣ ଦେଖା ଯାଏ । ମଧୁମେହ ରୋଗରେ ପୀଡ଼ିତ ହୋଇଥିଲେ ଏହି ଫଙ୍ଗସରେ ଆକ୍ରାନ୍ତ ହୋଇଥାନ୍ତି । କୋଭିଡ୍ ଚିକିତ୍ସା ସମୟରେ ମଧ୍ୟ ଲୋକଙ୍କ କ୍ଷେତ୍ରରେ ରକ୍ତ ସର୍କରା ବୃଦ୍ଧି ପାଇଥାଏ । ପୂର୍ବରୁ ରକ୍ତ ସର୍କରା ନଥାଇ ପ୍ରଥମେ ବେଶି ରକ୍ତ ସର୍କରା ହୋଇଥିଲେ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ । କୋଭିଡ ସଂକ୍ରମିତ ହୋଇ ନଥିବା ବ୍ୟକ୍ତି ପୂର୍ବରୁ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏପରିକି ଅର୍ଗାନ ଟ୍ରାନସପ୍ଲାଣ୍ଟ ଏବଂ କ୍ୟାନସର ଚିକିତ୍ସାଧିନ ଲୋକେ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥାନ୍ତି ।

Dr Jayant Panda On Black Fungus Symptoms

କୋଭିଡ ରୋଗୀଙ୍କ ଠାରେ ରକ୍ତ ସର୍କରା ନିୟନ୍ତ୍ରିତ ନହେବା କିମ୍ବା ଦୀର୍ଘ ଦିନ ଧରି ଷ୍ଟେରଏଡ ଥେରାପି ନେଉଥିଲେ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ । କିଛି ବ୍ୟକ୍ତି ବିନା ଡାକ୍ତରୀ ପରାମର୍ଶରେ ଷ୍ଟେରଏଡ ଥେରାପି ନେଉଛନ୍ତି । ତେଣୁ କୋଭିଡ୍ ରୋଗୀ ହୋମ୍ ଆଇସୋଲେସନରେ ଥିବା ସମୟରେ ୧୦୪ ସହ ସମ୍ପର୍କରେ ରହି ଔଷଧ ଖାଇବା ଉଚିତ ବୋଲି ସେ କହିଛନ୍ତି । ତେଣୁ କୋଭିଡ ଚିକିତ୍ସା ସମୟରେ ରକ୍ତ ସର୍କରାକୁ ନିୟନ୍ତ୍ରଣ କରାଯିବା ସହ ସୁସ୍ଥ ହେବା ପରେ ଷ୍ଟେରଏଡର ପ୍ରଭାବକୁ ହ୍ରାସ କରାଯାଇଥାଏ ।

ବ୍ଲାକ ଫଙ୍ଗସର ଚିକିତ୍ସା ପାଇଁ ୪ରୁ ୬ ସପ୍ତାହ ଲାଗିଥାଏ । ଚିକିତ୍ସା ପରେ ସୁସ୍ଥ ହେବା ପରେ ମଧ୍ୟ ଘରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ । ଚିକିତ୍ସା ଉଚିତ୍ ସମୟରେ ଆରମ୍ଭ ହେଲେ ରୋଗମୁକ୍ତ ହୋଇପାରିବେ । ବଗିଚାରେ କାମ କରୁଥିବା, ଶିଉଳି ସଫା କରୁଥିବା, ନିର୍ମାଣ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି କିମ୍ବା ସାର କାମ କରୁଥିବା ବ୍ୟକ୍ତି ସୁରକ୍ଷିତ ମାସ୍କ ପିନ୍ଧିବା ଉଚିତ୍ ବୋଲି ସେ କହିଛନ୍ତି । ଆବଶ୍ୟକ ପଡିଲେ ଦୁଇଟି ମାସ୍କ ପିନ୍ଧିବା ସହ ଦେହକୁ ସମ୍ପୂର୍ଣ୍ଣ ଘୋଡେଇ ରଖନ୍ତୁ । ମାସ୍କ ସହ, ଗ୍ଲୋଭସ, ଫେସ ସିଲ୍ଡ, ଜୋତା ଆଦି ପିନ୍ଧିଲେ ହିଁ ବ୍ଲାକ ଫଙ୍ଗସ ସଂକ୍ରମଣକୁ ଏଡ଼ାଇ ଦିଆଯାଇପାରିବ ।

ଏଯାଏଁ କୌଣସି ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇନି ବୋଲି କହିଲେ ସିଙ୍ଗାପୁର ଦୂତାବାସ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ସିଙ୍ଗାପୁରର।  ସିଙ୍ଗାପୁରରେ କୌଣସି ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇନାହିଁ । ଏଭଳି ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ଟ୍ୱିଟ ମାଧ୍ୟମରେ କହିଛି ସିଙ୍ଗାପୁର ଦୂତାବାସ ।

କିଛି ଲୋକଙ୍କ ସ୍ୱାବ ଟେଷ୍ଟିଂରୁ ଜଣାପଡିଛି ଯେ ସିଙ୍ଗାପୁରରେ କରୋନାର B.1.617.2 ଭ୍ୟାରିଏଣ୍ଟ ରହିଛି । ତେଣୁ କୌଣସି ନୂଆ ଭ୍ୟାରିଏଣ୍ଟର ମାମଲା ସାମ୍ନାକୁ ଆସିନଥିବା କହିଛନ୍ତି ସିଙ୍ଗାପୁର ସରକାର। ସିଙ୍ଗାପୁର ଭ୍ୟାରିଏଣ୍ଟରୁ ଭାରତକୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅରବିନ୍ଦ କେଜ୍ରିୱାଲ କରିଥିବା ଅପିଲକୁ ନିନ୍ଦା କରିଛି ସିଙ୍ଗାପୁର ପ୍ରଶାସନ। ଏନେଇ ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ପ୍ରତିକ୍ରିୟା ରଖିଛି। କହିଛି ରାଜନେତାମାନେ ତଥ୍ୟ ଅନୁସାରେ ଦାବି ଉପସ୍ଥାପିତ କରିବା କଥା । କିନ୍ତୁ ଦିଲ୍ଲୀ ସରକାରଙ୍କ ନିକଟରେ କୌଣସି ତଥ୍ୟ ନଥାଇ ଏଭଳି କହିବା ଉଚିତ ନୁହେଁ ।

ସେପଟେ ଏଭଳି ତଥ୍ୟ ବିହୀନ ପ୍ରତିକ୍ରିୟା ଦୁଇ ଦେଶରେ ସୁସମ୍ପର୍କ ଉପରେ ପ୍ରଭାବ ପକାଇବ । ଏଭଳି ବୟାନବାଜି ଉପରେ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ୱିଟ କରାଯାଇଛି । ସେପଟେ ଭାରତ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖାଯାଇଛି । କେଜ୍ରିୱାଲ ଭାରତର ପ୍ରତିନଧିତ୍ୱ କରନ୍ତି ନାହିଁ ବୋଲି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି। ସିଙ୍ଗାପୁର ଷ୍ଟ୍ରେନକୁ ନେଇ ଦିଲ୍ଲୀ ସରକାର ଦେଇଥିବା ମତ ନିଜସ୍ୱ। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାରତ ସରକାରଙ୍କ କଥା କୁହନ୍ତି ନାହିଁ ବୋଲି ଜୟଶଙ୍କର ଟ୍ୱିଟ କରିଛନ୍ତି।

ଅନ୍ୟପଟେ କିନ୍ତୁ ଦିଲ୍ଲୀ ସରକାରଙ୍କ ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯାଇ କୁହାଯାଇଛି ଯେ ଭାରତକୁ ତୃତୀୟ ଲହରରୁ ବଞ୍ଚାଇବା ପାଇଁ ଭାରତ ସରକାର ସମସ୍ତ ପଦକ୍ଷେପ ଆପଣାଇବା ଆବଶ୍ୟକ। ବାହାର ଦେଶରୁ ଆସୁଥିବା ସମସ୍ତ ଫ୍ଲାଇଟ୍ ରଦ୍ଦ କରିବାକୁ ଅନୁରୋଧ କରିଛି ଦିଲ୍ଲୀ ସରକାର।

ଘଡ଼ଘଡ଼ି ବର୍ଷା ନେଇ ୧୧ ଜିଲ୍ଲାକୁ ୩ ଘଣ୍ଟା ଯାଏଁ ସତର୍କତା

ଭୁବନେଶ୍ୱର: ସାମାନ୍ୟରୁ ମଧ୍ୟମ ଧରଣର କାଳବୈଶାଖୀ ନେଇ ପାଣିପାଗ ବିଭାଗ ଜାରି କଲା ୟେଲୋ ୱାର୍ଣ୍ଣିଂ । ଏନେଇ ପାଣିପାଗ ବିଭାଗ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ନୂଆପଡ଼ା, କୋରାପୁଟ, ସୋନପୁର, ବୌଦ୍ଧ, କନ୍ଧମାଳ, ଢେଙ୍କାନାଳ, କଟକ ଏବଂ ଯାଜପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ।

ଏଥିସହ ପଢ଼ନ୍ତୁ- ୨୫ରୁ ଉପକୂଳ ଓଡ଼ିଶାରେ ବଢ଼ିବ ବର୍ଷା, ୨୩ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଆଗାମୀ ୩ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି । ପାଗକୁ ଦେଖି ସୁରକ୍ଷିତ ସ୍ଥାନକୁ ଚାଲିଯିବା ଲାଗି ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ମାନୁନାହାଁନ୍ତି ଅମାନିଆ, ପରିବା କିଣିବାକୁ ଆସିଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ବାଇକ୍ ଜବତ

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ ହୋଇଛି । ଜୁନ୍ ୧ ସକାଳ ୫ଟା ଯାଏ କଟକଣା ବଳବତ୍ତର ରହିବ । ଏହି ସମୟରେ ସକାଳ ୭ଟାରୁ ଦିନ ୧୧ଟା ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଦୋକାନ ବଜାର ଖୋଲା ରହିବ । ଚାଲି ଚାଲି ପରିବା ଓ ଗ୍ରସରୀ କିଣିବାକୁ ପ୍ରଶାସନ ନିୟମ କରିଛି । ହେଲେ ଅଧିକାଂଶ ଲୋକ ବାଇକ୍ ଧରି ପରିବା କିଣିବାକୁ ଆସି ଘୁରି ବୁଲୁଛନ୍ତି ।

Commissionerate Police Seized 100 Bike For Lockdown Rules Violation

ଏସବୁକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯାଇଛି । ବାଇକ୍ ନେଇ ପରିବା କିଣିବା ପାଇଁ ଆସିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ୍ ପୋଲିସ । ଆଜି ଗୋଟିଏ ଦିନରେ ଶହେରୁ ଅଧିକ ବାଇକ୍ ଜବତ ହୋଇଛି । କେବଳ ମେଡିକାଲ କାମ କିମ୍ବା ସରକାର ଅନୁମତି ଦେଇଥିବା କମ୍ପାନୀର କର୍ମଚାରୀ ଡକ୍ୟୁମେଣ୍ଟ ଓ ପରିଚୟ ପତ୍ର ପୋଲିସକୁ ଦେଖାଇ ଯାଇପାରିବେ ।

Commissionerate Police Seized 100 Bike For Lockdown Rules Violation

ସେହିଭଳି ଆଇଟି ଓ କଲ୍ ସେଣ୍ଟର କର୍ମଚାରୀଙ୍କ ପାଇଁ ଇ-ପରମିଶନ ବ୍ୟବସ୍ଥା କମିଶନରେଟ ପୋଲିସ ପକ୍ଷରୁ କରାଯାଇଛି । ୱେବ ସାଇଟ୍ ଜରିଆରେ ୨୦ ପ୍ରତିଶତ କର୍ମଚାରୀଙ୍କୁ ଅନଲାଇନ୍ ପାସ୍ ମିଳିବ । ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ ବାହାଘରରେ ସର୍ବାଧିକ ୨୫ ଜଣ ସାମିଲ୍ ହୋଇ ପାରିବେ । ବାହାଘର ଓ ଶୁଦ୍ଧିକ୍ରିୟା ପାଇଁ ୩ ଦିନ ଆଗରୁ ଅନଲାଇନରେ ପାସ୍ ପାଇଁ ଆବେଦନ କରି ପାରିବେ ।

Commissionerate Police Seized 100 Bike For Lockdown Rules Violation

ବାହାଘରରେ ସାମିଲ୍ ହେଉଥିବା ୨୫ ଜଣଙ୍କ ତଥ୍ୟ ପୋଲିସକୁ ଦେବାକୁ ପଡ଼ିବ । ସାମିଲ୍ ହେବାକୁ ଥିବା ଲୋକଙ୍କୁ ପୋଲିସ ମେସେଜ ପଠାଇବ । ପୋଲିସ ଚେକିଂ ବେଳେ ମେସେଜ ଦେଖାଇଲେ ବାହାଘର ସ୍ଥାନକୁ ଯାଇପାରିବେ । ନିୟମ ପାଳନ ସହ ପୋଲିସକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।