spot_img
Home Blog Page 5627

ଭ୍ୟାକ୍ସିନ୍ ଟୁରିଜିମ୍: ଋଷ ବୁଲାବୁଲି ସହ ନେଇପାରିବେ ସ୍ପୁଟନିକ୍ ଟିକା, ପ୍ୟାକେଜର ଦାମ୍ କେତେ ଜାଣନ୍ତୁ…

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ଟ୍ରାଭେଲ୍ ଏଜେନ୍ସି ପକ୍ଷରୁ ବିଭିନ୍ନ ଟୁରିଜିମ୍ ପ୍ୟାକେଜ୍ ଘୋଷଣା କରାଯାଉଛି । ଏଭଳି ସମୟରେ ଦିଲ୍ଲୀରେ ଏକ ଟ୍ରାଭେଲ୍ ଏଜେନ୍ସି । ଏହି ଏଜେନ୍ସି ପର୍ଯ୍ୟଟକ ମାନଙ୍କୁ ୨୪ ଦିନର ଋଷ ପ୍ୟାକେଜ୍ ଘୋଷଣା କରିଛି । ଯେଉଁଥିପାଇଁ ଲୋକଙ୍କୁ ଦେବାକୁ ପଡିବ ଜଣେକା ୧.୩୦ ଲକ୍ଷ ଟଙ୍କା।

ଆଉ ମସ୍କୋରେ ସ୍ପୁଟନିକ୍ ଭିର ଦୁଇଟି ଡୋଜ୍ ନେଇପାରିବେ। ଏହି ଟୁରିଜିମ୍ ପ୍ୟାକେଜ୍ ଅନୁଯାୟୀ ସ୍ପୁଟନିକ୍ ଭି ଟିକା ନେବାକୁ ଆଗ୍ରହୀ ଥିବା ବ୍ୟକ୍ତି ମାନେ ବୁକିଂ କରିପାରିବେ। ଏହାର ଦୁଇଟି ଡୋଜ୍ ମଧ୍ୟରେ ୨୧ ଦିନର ବ୍ୟବଧାନ ରହିଛି ଏବଂ ଏହି ସମୟରେ ପର୍ଯ୍ୟଟକ ମାନେ ଋଷିଆର ବିଭିନ୍ନ ଲୋକପ୍ରିୟ ସ୍ଥାନରେ ବୁଲାବୁଲି କରିପାରିବେ । ଭ୍ୟାକ୍ସିନ ଟୁରିଜିମ୍ ନେଇ ସ୍ପୁଟନିକ୍ ଭି ମଧ୍ୟ ଟ୍ୱିଟ୍ କରିଛି ।

ଟ୍ରାଭେଲ୍ ଏଜେନ୍ସି ମୁତାବକ, ପର୍ଯ୍ୟଟକ ମାନେ ମସ୍କାେରେ ପହଞ୍ଚିବାର ଗୋଟିଏ ଦିନ ପରେ ଟିକା ଦିଆଯିବ । ବିଦେଶୀ ମାନେ ଋଷରେ ଅତି କମରେ ୭ ଦିନ ରହିଲେ ଟିକା ନେଇପାରିବେ । ହେଲେ ଏଥିପାଇଁ ସେମାନଙ୍କୁ ପୂର୍ବରୁ ରେଜିଷ୍ଟ୍ରେସନ୍ କରାଇବାକୁ ପଡିବ, ଯାହା ଏହି ଟ୍ରାଭେଲ୍ ଏଜେନ୍ସି କରାଉଛି ।

ଗତ ଏପ୍ରିଲ୍ ୧ରେ ସ୍ପୁଟନିକ୍ ଭି ଭ୍ୟାକ୍ସିନ୍ ଟୁରିଜିମ୍ ଉପରେ ଏକ ଟିଜର୍ ଟ୍ୱିଟ୍ କରିଥିଲା । ଆଉ ଲେଖିଥିଲେ, ସେମାନଙ୍କ ପ୍ରୋଗ୍ରାମ୍ ଆରମ୍ଭ ହେବା କ୍ଷଣି ଲୋକମାନେ ଋଷ ଯାଇକି ସ୍ପୁଟନିକ ଭି ଭ୍ୟାକ୍ସିନ୍ ଲଗାଇପାରିବେ ।

ତେବେ ଦିଲ୍ଲୀର ଏହି ଟ୍ରାଭେଲ୍ ଏଜେନ୍ସି ଅନୁସାରେ ଭ୍ୟାକ୍ସିନ୍ ଟୁରିଜିମ୍ ପ୍ୟାକେଜ୍ ଅଧିନରେ ଗତ ମେ ୧୫ରେ ପ୍ରଥମ ବ୍ୟାଚରେ ପ୍ରାୟ ୩୦ ଜଣ ମସ୍କୋ ଅଭିମୁଖେ ଯାଇଛନ୍ତି । ଦ୍ୱିତୀୟ ବ୍ୟାଚ୍ ମେ ୨୯ ତାରିଖରେ ଗସ୍ତ କରିବ । ଏହାର ବୁକିଂ ଫୁଲ୍ ହୋଇଯାଇଥିବା ବେଳେ ଏଥିରେ ଅଧିକାଂଶ ଦିଲ୍ଲୀର ଡାକ୍ତର ରହିଛନ୍ତି ।

 

ମିସ୍ ୟୁ ପୁଚକି ଲେଖି ଯୁବକ ଟ୍ୱିଟରେ ଗର୍ଲଫ୍ରେଣ୍ଡକୁ ହରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଦାୟୀ.

ପ୍ରେମର ଅସଲ ଶତ୍ରୁ ଏ ଦୁନିଆ ନୁହଁ । ବରଂ ସରକାରୀ ଚାକିରି । ଏହା ମୁଁ ନୁହେଁ ବରଂ ଜଣେ ପେମ୍ରିକଙ୍କର ମନର କଥା । ନିଜ ପ୍ରେମକୁ ହରାଇବା ଦୁଃଖ ଯେ କେତେ କଷ୍ଟ ତାହା ଆପଣ ଆଜିର ଏହି ଘଟଣା ଜାଣିଲେ ନିଶ୍ଚୟ ବୁଝିପାରିବେ । ବିହାର ମୁଖ୍ୟମନ୍ତ୍ରୀଙ୍କୁ ଜଣେ ପ୍ରେମିକର ନିବେଦନ । ଅସଲ ଘଟଣା ହେଉଛି ୧୩ ମେରେ ବିହାରର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଲକ୍ଡାଉନ୍-୨ କୁ ବୃଦ୍ଧି କରି ୧୬ ମେରୁ ୨୫ମେ ପର୍ଯ୍ୟନ୍ତ ଧାର୍ଯ୍ୟ କରିଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣା ପରେ ତାଙ୍କ ଟୁଇଟରେ ଆସିଲା ଜଣେ ପ୍ରେମିକଙ୍କର କମେଣ୍ଟ । ବିହାରର ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ କମେଣ୍ଟରେ କହିଲେ-କି ବାହାଘର ଉପରେ ଯଦି ରୋକ ଲଗାଇଦିଅନ୍ତେ ତେବେ ୧୯ମେ ରେ ମୋ ପ୍ରେମିକାର ବାହାଘର ଅଟକି ଯାଆନ୍ତା । ଆଉ ଏଥିପାଇଁ ମୁଁ ସାରା ଜୀବନ ଆପଣଙ୍କର ଋଣି ହୋଇ ରହିବି । ଏହି ଟ୍ୱିଟ୍ ପରେ ଯୁବକ ଜଣକ ଭାଇରାଲ ହୋଇଥିଲେ । ଅବଶ୍ୟ ମୁଖ୍ୟମନ୍ତ୍ରୀ ତାଙ୍କୁ ଖୁସୀ କରିବା ଭଳି କିଛି ମଧ୍ୟ କରିନଥିଲେ । ତେବେ ସେଇ ଭାଇରାଲ ଯୁବକ ପୁଣିଥରେ ଖବରକୁ ଫେରିଛନ୍ତି । ଏଥର ମଧ୍ୟ ଟ୍ୱିଟ୍ କରି । ଏଥର ଟ୍ୱିଟ୍ ପ୍ରଥମ ଟ୍ୱିଟ୍ ଅପେକ୍ଷା ଅଧିକ ଦୁଃଖଦ । ଏହି ଟ୍ୱିଟରେ ଯୁବକ ଜଣକ ପ୍ରେମର ଶତ୍ରୁ କିଏ ତାହା କହିଛନ୍ତି । ତାଙ୍କ ପ୍ରେମର ଶତ୍ରୁ ନୀତିଶ ସରକାର ବୋଲି ସେ ସିଧାସଳଖ କହିଛନ୍ତି ।


୧୯ମେରେ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରି ସେ ଲଖିଛନ୍ତି ଯେ, -ପ୍ରେମର ଶତ୍ରୁ କେବଳ ଏହି ଦୁନିଆ ନୁହେଁ । ବରଂ ପ୍ରେମର ଅସଲି ଶତ୍ରୁ ତ ସରକାରୀ ଚାକିରି । ଆଜି ମୋ ପାଖରେ ସରକାରୀ ଚାକିରି ଥିଲେ ମୋ ପ୍ରେମିକା ମୋ ସହ ଥାଆନ୍ତା । ବେରୋଜଗାରୀ ପାଇଁ ଆଜି ମୋ ପ୍ରେମିକା ମୋ ଠୁ ଦୂରେଇ ଯାଇଛି । ମୋ ଗାର୍ଲଫ୍ରେଣ୍ଡ ବାହା ହେଇ ଚାଲିଗଲା । ଏତିକି ମେସେଜ୍ ଲେଖିବା ସହ ହ୍ୟାସଟ୍ୟାଗ ମିସ୍ ୟୁ ପୁଚକୀ ଓ ନିଜର ଧ୍ୟାନ ରଖିବୁ ବୋଲି ଲେଖିଛନ୍ତି ପ୍ରେମିକ ଜଣଙ୍କ । ଯୁବକଙ୍କର ନାଁ ହେଉଛି ପଙ୍କଜ କୁମାର ଗୁପ୍ତା । ସେ ନିଜ ପ୍ରେମକୁ ହରାଇବାକୁ ଚାହୁଁନଥିଲେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ ମାଧ୍ୟମରେ କରିଥିଲେ ଅପିଲ୍ ।

ତେବେ ପ୍ରଥମ ଟୁଇଟରେ ମୁଖ୍ୟମନ୍ତ୍ରୀଙ୍କୁ କମେଣ୍ଟ ମାଧ୍ୟମରେ ଜଣାଇଥିଲେ ନିଜ ମନର ଦୁଃଖ । ସେ କହିଥିଲେ – ମୁଁ ଗ୍ରାଜୁଏଟ୍ ହୋଇ ବି ବେରୋଜଗାର,ମୋ ପ୍ରେମିକାର ବାପାଙ୍କୁ ଦରକାର ସରକାରୀ ଚାକିରି ବାଲା ପୁଅ,ସେଥିପାଇଁ ଚାକିରି ନଥିବାରୁ ମୋତେ ରିଜେକ୍ଟ କରିଦେଲେ । ଆଉ କାହା ସହ ୧୯ ମେରେ ମୋ ପ୍ରେମିକାର ବାହାଘର । ସାରା ଦୟାକରି ଏମିତି କିଛି କରନ୍ତୁ ଯାହା ଫଳରେ କେହି ବି ଯୁବକ ବେରୋଜଗାର ରହିବେନି କି ସେମାନଙ୍କର ପ୍ରେମିକା ତାଙ୍କ ଠାରୁ ଦୂରେଇ ଯିବେନି ।

ପଙ୍କଜଙ୍କର ଏହି ଟୁଇଟ ବର୍ତମାନ ଖୁବ୍ ଭାଇରାଲ ହେଉଛି । ଆଉ ତାଙ୍କର ଏହି ଟୁଇଟର ରିପ୍ଲାଏଗୁଡିକ ବି ଖୁବ୍ ମଜେଦାର ଥିଲା । ଜଣେ ୟୁଜରସ୍ ତାଙ୍କୁ ରିପ୍ଲାଏ ଦେଇ ଲେଖିଛନ୍ତି – କି ଭାଇ ମୁଁ କହିଥିଲି ନା ତୁମେ ଚାକିରି ପାଇଁ ଆଉ କେଉଁ ରାଜ୍ୟକୁ ପଳାଅ । ନିତିଶ କୁମାର ଚାକିରି ଦେବାକୁ ଚାହୁଁନାହାନ୍ତି । ଆଉ ବିଜେପୀ ବାଲା ପ୍ରେମୀ ଜୁଗଳଙ୍କୁ କେବେ ବି ଏକାଠି ହେବାକୁ ଦେବେନି । ଆମର ଅଭିଶାପ ଲାଗିବ ନିତିଶ କୁମାରଙ୍କୁ । ଏହି ଖବର ବର୍ତମାନ ଟୁଇଟରେ ଖୁବ ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ଏହାର ମଜା ନେଉଛନ୍ତି ଅନେକ ୟୁଜରସ୍ ।

ବାଲିମେଳା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ୩ ଜଣ ନିଖୋଜ

ଚିତ୍ରକୋଣ୍ଡା: ମାଲକାନଗିରି ବାଲିମେଳା ଜଳ ଭଣ୍ଡାରରେ ଅଘଟଣା । ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବାକୁଳି ଓ ଓରାପଦର ଡଙ୍ଗା ଘାଟରେ ମାଛ ଡଙ୍ଗା ବୁଡ଼ି ଯିବାରୁ ୩ ଜଣ ନିଖୋଜ ହୋଇ ଯାଇଛନ୍ତି । ନିଖୋଜଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ବର୍ଷକର ଶିଶୁ ଥିବା ସୂଚନା ରହିଛି ।

Fishing Boat Capsized In Balimela Reservoir Malkangiri

ସକାଳେ ଏକ ମାଛଧରା ଡଙ୍ଗାରେ କିଛି ଲୋକ ଦାମୋଦରବେଡ଼ାରୁ ଓରାପଦର ଫେରୁଥିଲେ । ଦିନ ୧୦ଟା ବେଳେ ମଝି ନଈରେ ଡଙ୍ଗାଟି ବୁଡ଼ି ଯାଇଥିଲା । ଡଙ୍ଗାରେ ମୋଟ ୧୧ ଜଣ ଥିଲେ । ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ କରୁଛି ।

୨୫ରୁ ଉପକୂଳ ଓଡ଼ିଶାରେ ବଢ଼ିବ ବର୍ଷା, ୨୩ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ଆଗୁଆ ଆସିବ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ୨୧ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଦକ୍ଷିଣପଶ୍ଚିମ ମୌସୁମୀ ଆସିପାରେ । ଅନ୍ୟପଟେ ଉତ୍ତର ଆଣ୍ଡାମାନ ସାଗର ଓ ତତସଂଲଗ୍ନ ଉତ୍ତରକେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି  । ଏହା ପରବର୍ତ୍ତୀ ୭୨ ଘଣ୍ଟାରେ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୬ ତାରିଖ ସନ୍ଧ୍ୟାରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ ।

ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ୨୫ ତାରିଖ ସନ୍ଧ୍ୟାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ୨୩ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିପାରେ । ୨୪ରୁ ୨୬ ତାରିଖ ଯାଏଁ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ରହିବ ।

ଆଣ୍ଡାମାନ ସାଗର ଓ ତତସଂଲଗ୍ନ ବଙ୍ଗୋପସାଗର ୨୩ ତାରିଖରୁ ଅଶାନ୍ତ ରହିବ । ଫଳରେ ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଯେଉଁମାନେ ଗଭୀର ସମୁଦ୍ରକୁ ଯାଇଛନ୍ତି ୨୩ ତାରିଖ ସୁଦ୍ଧା ଫେରି ଆସିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବାତ୍ୟା ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବା ନେଇ ଅନୁମାନ କରାଯାଉଛି ।

କ’ଣ ପାଇଁ ଇସ୍ରାଏଲ ମହିଳା ସୈନିକ କହିଲେ ସମସ୍ତଙ୍କୁ ମାରି କୁଆଡେ ପଳାଇବି କି ?

ମଧ୍ୟପ୍ରାଚ୍ୟରେ ଚାଲିଛି ଯୁଦ୍ଧ । ହମାସର ଗୋଟିଏ ରକେଟ୍ ଯବାବରେ ଇସ୍ରାଏଲ ଛାଡୁଛି ଏକରୁ ଅଧିକ । ଆତଙ୍କ ଏମିତି ଯେ, ଆତଙ୍କବାଦୀ ସଂଗଠନ ହମାସ ଚାହୁଁଛି ଶାନ୍ତି । ସନ୍ଧି । ତେବେ ଯୁଦ୍ଧ ଖାଲି ଆକାଶରେ କି ଭୂମିରେ ଲଢା ଯାଉନି । ଯୁଦ୍ଧ ମଧ୍ୟ ସୋସିଆଲ ମିଡିଆରେ ଚାଲିଛି । ଆଇଡିଏଫ୍ ବା ଇସ୍ରାଏଲ ଡିଫେନ୍ସ ଫୋର୍ସର ଜଣେ ମହିଳା ସୈନିକ ଏବେ ଭାଇରାଲ । ଭାଇରାଲ ହେବାର କାରଣ ହେଉଛି ଗୋଟିଏ ଭିଡିଓ ।
ସୈନିକଙ୍କ ନାଁ ହେଉଛି ୟେଲ ଡେରୀ । ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରହୁଥିବା ୟେଲ୍ ଅନେକ ପୋଷ୍ଟ ଓ ଭିଡିଓ କରନ୍ତି । ଏମିତିକି ସେ ଟିକ୍ଟିକ୍ରେ ମଧ୍ୟ ଡାଇଲଗ୍ ଓ ଗୀତର ଲିପସିଙ୍ଗ କରି ଭିଡିଓ ବନାନ୍ତି । ହେଲେ ଏବେ ଇସ୍ରାଇଲ ଓ ପାଲେଷ୍ଟାଇନର ଯୁଦ୍ଧର ଏହି ଗମ୍ଭୀର ପରିସ୍ଥିତିରେ ୟେଲ ଡେରୀଙ୍କର ଭିଡିଓ ହେଉଛି ଭାଇରାଲ । ଏହି ଭିଡିଓରେ ସେ ଏକ ଡାଇଲଗ୍ କହୁଛନ୍ତି ଯେ- ମୁଁ ସମସ୍ତଙ୍କୁ ମାରି ଦେଇ କୁଆଡେ ପଳେଇଯିବି କି ?

ଭିଡିଓରେ ଡେରୀ ୨୦୧୬ରେ ଆସିଥିବା ସୁସାଇଡ୍ ସ୍କ୍ୟୁାଡ ଚଳଚିତ୍ରର ଏକ ଡାଇଲଗକୁ ଲିପ୍ ସିଙ୍କ୍ କରୁଛନ୍ତି । ଏହି ଭିଡିଓକୁ ଦେଖି କିଛି ଲୋକ ୟେଲଙ୍କର ଅସମ୍ବେଦନଶୀଳତା କୁ ନେଇ ପ୍ରଶ୍ନ ଉଠାଇଛନ୍ତି ତ’ କେହି କେହି ୟେଲଙ୍କ ଉପରେ ରାଗି ପାଚି ଲାଲ । ୟେଲଙ୍କର ଭିଡିଓ ଭାଇରାଲ୍ ହେବା କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ପାଲେଷ୍ଟାଇନର ଜାତୀୟ ସଂଗୀତରେ ନାଚି ଚର୍ଚ୍ଚାକୁ ଆସିଥିଲେ ୟେଲ୍ । ନିଜ ଶତ୍ରୁ ଦେଶର ଜାତୀୟ. ସଂଗୀତରେ କିଭଳି ନାଚି ହସିପାରୁଛନ୍ତି ବୋଲି କହି ଲୋକେ ତାଙ୍କୁ ଟ୍ରୋଲ କରିଥିଲେ । ହେଲେ ୟେଲଙ୍କ ବିଷୟରେ ତାଙ୍କ ନିଜ ଡିଫେନ୍ସ ଫୋର୍ସ ବହୁତ ପ୍ରଶଂସା କରନ୍ତି । ସେ ଜଣେ ଦକ୍ଷ ସୈନିକ ବୋଲି ସେମାନଙ୍କ ଅଫିସିଆଲ ଆକାଉଣ୍ଟରେ ବି ଲେଖିଛନ୍ତି ।

ତେବେ ଦେଖିବାକୁ ଗଲେ ଇସ୍ରାଇଲ ଡିଜିଟାଲ ଦୁନିଆରେ ଖୁବ୍ ଆକ୍ଟିଭ୍ । ଆଉ ଖାସ୍ ସେଥିପାଇଁ ତ କିଛିଦିନ ତଳେ ମଡେଲ ବେଲା ହଦୀଦଙ୍କୁ ଟୁଇଟ ମାଧ୍ୟରେ ଇସ୍ରାଇଲ କଡା ପ୍ରତିଉତ୍ତର ଦେଇଥିଲା ।

ଏହି ଟୁଇଟରେ ମଡେଲ ବେଲା ହଦୀଦ ଇସ୍ରାଇଲର ବିନାଶ ଚାହାନ୍ତି ବୋଲି ଲେଖାହୋଇଥିଲା । ତେବେ ବର୍ତମାନର ସ୍ଥିତିକୁ ଦେଖି ଉଭୟ ଦେଶ ପରସ୍ପର ଉପରକୁ ଆଙ୍ଗୁଳି ଉଠାଇବାରେ ବ୍ୟସ୍ତ । କେବଳ ୟେଲଙ୍କ ପୋଷ୍ଟ ନୁହେଁ ବରଂ ଏହିସମୟରେ ସୋସିଆଲ ମିଡିଆରେ ଏମିତି ଅନେକ ପୋଷ୍ଟ ହେଉଛି ଯାହା ଇସ୍ରାଇଲ ଓ ପାଲେଷ୍ଟାଇନ ସହ ଜଡିତ ଫେକ୍ ନ୍ୟୁଜ କିମ୍ବା ଚର୍ଚ୍ଚାର ବିଷୟବସ୍ତୁ ପାଲଟୁଛି । ଏହିସବୁ ପୋଷ୍ଟ ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ଭିତରେ ଆକ୍ରୋଶଭାବକୁ ଜାଗ୍ରତ କରାଯାଉଛି ।

ଭଙ୍ଗା ହାତର ଯନ୍ତ୍ରଣା ସତ୍ତ୍ୱେ ଭାଙ୍ଗିନି ମନୋବଳ: କରୋନା ଯୋଦ୍ଧା ଭାବେ ଜାରି ରଖିଛନ୍ତି ଲଢ଼େଇ

ଭଦ୍ରକ: ଭଙ୍ଗା ହାତର ଯନ୍ତ୍ରଣା ସତ୍ତ୍ୱେ ହାର ମାନିନି ମନୋବଳ । ମହାମାରୀର ମହାସଂଗ୍ରାମରେ କରୋନା ଯୋଦ୍ଧା ଭାବେ ଜାରି ରଖିଛନ୍ତି ଲଢ଼େଇ । ଭଙ୍ଗା ହାତର ଯନ୍ତ୍ରଣା ସତ୍ତ୍ୱେ ଲୋକଙ୍କ ସୁରକ୍ଷା ପାଇଁ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ପୋଲିସ କର୍ମଚାରୀ । ବର୍ତ୍ତମାନ କରୋନା ମହାମାରୀ ପାଇଁ ଚାରିଆଡେ ଜାରି ରହିଛି ଲକ ଡାଉନ ଓ ସଟଡାଉନ କଟକଣା । ଆଉ କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରବା ସହ ଲୋକଙ୍କ ସଚେତନ କରିବାରେ ଲାଗି ପଡ଼ିଛନ୍ତି ପୋଲିସ କର୍ମଚାରୀ ।

ଏହି ସମୟରେ ସମସ୍ତେ ନିଜର ସୁରକ୍ଷା ପାଇଁ ଘରେ ରହିଥିବା ବେଳେ, ପୋଲିସ ଲୋକଙ୍କ ସୁରକ୍ଷା ପାଇଁ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛି । ନିଜର ହାତ ଭାଙ୍ଗି ଯାଇ ଅସ୍ତ୍ରୋପ୍ରଚାର ହୋଇଥିଲେ ମଧ୍ଯ, ଯନ୍ତ୍ରଣା ସମୟରେ ନିଜର କର୍ତ୍ତବ୍ୟ କରୁଛନ୍ତି ଭଦ୍ରକର ଜଣେ ପୋଲିସ କର୍ମଚାରୀ । ପୁରୁଣାବଜାର ଥାନାରେ ଏଏସଆଇ ଭାବେ କାର୍ଯ୍ୟକରୁଛନ୍ତି ପ୍ରଶାନ୍ତ କୁମାର  ବଳ । କରୋନା ସମୟରେ ଭଦ୍ରକ ପୋଲିସ ପକ୍ଷରୁ ଦିଆଯାଇଥିବା ଦାୟିତ୍ୱର ସହ  ବିଭିନ୍ନ ଛକ ଛକ ମାନଙ୍କରେ ଡ୍ୟୁଟି କରୁଛନ୍ତି ପ୍ରଶାନ୍ତ । କିଛି ମାସ ତଳେ ନିଜ ବାଇକରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ, ହାତଟି ଭାଙ୍ଗି ଯାଇଥିଲା  । ଡାକ୍ତରଙ୍କ ନିକଟରେ ହାତ ଦେଖାଇ ଅସ୍ତ୍ରୋପ୍ରଚାର କରିଥିଲେ । ପରେ ସଂକ୍ରମଣ ବଢ଼ିଯିବାରୁ ଯନ୍ତ୍ରଣା ପାଇଥିଲେ । ପରେ ପୁଣି ଡାକ୍ତରଙ୍କୁ ଦେଖାଇ ମେଡିସିନ୍ ଖାଉଛନ୍ତି ।

ଦୀର୍ଘ ମାସ ଧରି ଛୁଟିରେ ଥିଲେ ପ୍ରଶାନ୍ତ । କିନ୍ତୁ ଏଯାଏଁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇନାହାନ୍ତି । ତଥାପି କୋଭିଡ ସମୟରେ ଡ୍ୟୁଟି କରୁଥିବା ନଜରକୁ ଆସିଛି । ନିଜ ଭଙ୍ଗା ହାତଟି ଯନ୍ତ୍ରଣା ହେଉଥିଲେ ମଧ୍ଯ ନିଜ କର୍ତ୍ତବ୍ୟରେ ସେ ଅବହେଳା କରିନାହାନ୍ତି । ହାତ ଭାଙ୍ଗି କଷ୍ଟ ତ ଲାଗୁଛି, କିନ୍ତୁ ଏହି ମହାମାରୀ ସମୟରେ ଲୋକଙ୍କ ସୁରକ୍ଷା ପାଇଁ କଷ୍ଟକୁ ଭୂକ୍ଷେପ ନ କରି ଡ୍ୟୁଟି କରିଚାଲିଛନ୍ତି । ଆଜି ଖୋଦ ଏସପି ପାଟ୍ରୋଲିଂ କରୁଥିବା ସମୟରେ ପ୍ରଶାନ୍ତ ସହ କଥା ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ବିଶ୍ରାମ କଥା ବୁଝିଥିଲେ ।

ସଟ୍‌ଡାଉନ୍‌ରେ ବନ୍ଧୁକ ଦେଖାଇ ଚମ୍ପଟ ମାରୁଥିଲେ ଦୁର୍ବୃତ୍ତ: କାବୁ କଲା ସ୍ପେଶାଲ ଟିମ୍

ଭୁବନେଶ୍ୱର: ରାଜଧାନୀରେ ନାଇଟ କର୍ଫ୍ୟୁରେ ଚେକିଂ ବେଳେ ବନ୍ଧୁକ ଜବତ । ୩ ଜଣଙ୍କୁ ଗିରଫ କଲା ସ୍ପେଶାଲ ଟିମ୍ । ଚେକିଂ ବେଳେ ୨ଟି ରିଭଲବର ସହ ବାଇକ ଜବତ ହୋଇଛି । ୩ ଅଭିଯୁକ୍ତ ଶିଖରଚଣ୍ଡି ବସ୍ତି ଅଞ୍ଚଳର ବୋଲି ଜଣାପଡିଛି । ନିଶାସକ୍ତ ଅବସ୍ଥାରେ ପୋଲିସକୁ ବନ୍ଧୁକ ଦେଖାଇ ଖସି ଯିବା ବେଳେ ଧରିଲା ପୋଲିସ । ପୂର୍ବରୁ ମଧ୍ୟ ଲକ୍‌ଡାଉନ୍ ଓ ସଟ୍‌ଡାଉନରେ ଅସାମାଜିକ ବ୍ୟକ୍ତି ଲୁଟ୍ ତରାଜ ଚଳାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଛୋଟପିଲାଙ୍କୁ କରୋନା ହେଲେ ଜାଣିବେ କେମିତି ?

୩୧ ଜୁଲାଏ ଯାଏଁ ଟୋଲ୍ ଟିକସ୍ ଛାଡ଼ କଲେ ରାଜ୍ୟ ସରକାର: ଜାଣନ୍ତୁ କେଉଁ ଯାନ ବାହାନ ପାଇଁ ନିୟମ ଲାଗୁ

ଭୁବନେଶ୍ୱର: ଟୋଲ୍ ଟ୍ୟାକ୍ସ ଛାଡ଼ କଲେ ରାଜ୍ୟ ସରକାର । କରୋନା ମହାମାରୀ ବେଳେ ଟୋଲ ଟିକସ ଛାଡ଼ କରିଛନ୍ତି ସରକାର । ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ମେଡିକାଲ ଅକ୍ସିଜେନ ଟ୍ୟାଙ୍କର, ସିଲିଣ୍ଡର ପରିବହନ ଗାଡିକୁ ରାଜ୍ୟରେ ଥିବା କୌଣସି ଟୋଲ୍ ଗେଟ୍‌ରେ ଟ୍ୟାକ୍ସ ଦେବାକୁ ପଡ଼ିବନାହିଁ । ସୁବିଧାରେ ଏହି ସବୁ ସାମଗ୍ରୀ ନେବା ଆଣିବା ନେଇ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ଲେବର ଡିପାର୍ଟମେଣ୍ଟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଜୁଲାଇ ୩୧ ପର୍ଯ୍ୟନ୍ତ ଏହି ଫି  ଛାଡ କରାଯିବ । ଏନେଇ ଲେବର ଡିପାର୍ଟମେଣ୍ଟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜରିଆରେ ସୂଚିତ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଛୋଟପିଲାଙ୍କୁ କରୋନା ହେଲେ ଜାଣିବେ କେମିତି ?

କରୋନା ଆତଙ୍କ: ୟୁପିରେ ୩ ବିଜେପି ନେତାଙ୍କ ସମେତ ୫ ବିଧାୟକ ମୃତ

ଲକ୍ଷ୍ନୌ: କରୋନାର ଦ୍ୱିତୀୟ ପ୍ରବାହ ଉତ୍ତରପ୍ରଦେଶରେ ଆତଙ୍କ ଖେଳାଇଛି । ଦିନକୁ ଦିନ ଘାତକ ହେଉଥିବା ଏହି ମହାମାରୀରେ ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରୀ ଓ ବିଧାୟକ ମାନେ ପ୍ରାଣ ହରାଇଛନ୍ତି । ମଙ୍ଗଳ ବାର ଦିନ ମଧ୍ୟ ଜଣେ ମନ୍ତ୍ରୀ ବିଜୟ କଶ୍ୟପଙ୍କର କରୋନାରେ ମୃତ୍ୟୁ ହୋଇଥିଲା । ଯିଏକି ୟୁପି ସରକାରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ରାଜ୍ୟ ମନ୍ତ୍ରୀ ଥିଲେ । ଏଯାବତ୍ ବିଜେପିର ୫ ଜଣ ବିଧାୟକଙ୍କ ନିଧନ ହୋଇସାରିଛି ।

ସୂଚନା ଅନୁଯାୟୀ, କରୋନା ମହାମାରୀର ପ୍ରଥମ ପ୍ରବାହରେ ଗତ ବର୍ଷ ଯୋଗୀ ସରକାରଙ୍କ ଦୁଇ ମନ୍ତ୍ରୀ ମୃତ୍ୟୁ ବରଣ କରିଥିଲେ। ସେମାନଙ୍କ ମଧ୍ୟରେ ଚେତନ ଚୌହାନ ଏବଂ କମଲ ରାନୀ ବରୁଣ ଥିଲେ। ଏହାପୂର୍ବରୁ ଅରୁଆରୁ ବିଧାୟକ ରମେଶ ଦିୱାକର, ବରେଲିର କେସର ସିଂ, ପଶ୍ଚିମ ଲକ୍ଷ୍ନୌର ବିଧାୟକ ସୁରେଶ ଶ୍ରୀବାସ୍ତବଙ୍କର କରୋନାରେ ମୃତ୍ୟୁ ଘଟିଥିଲା । ଏହା ବ୍ୟତୀତ ରାଏବରେଲିର ସଲୋନ୍ ଦଲ୍ ବାହାଦୂର କୋରୀ ଆଉ ଏବେ ମୁଜାଫରନଗରର ଚରଥାବଲରୁ ବିଧାୟକ ବିଜୟ କାଶ୍ୟପଙ୍କର କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି ।

ଗତ ଏକ ମାସ ମଧ୍ୟରେ ୫ ଜଣ ବିଧାୟକଙ୍କ ମୃତ୍ୟୁ ହୋଇଛି-

ଗତ ଏକ ମାସ ମଧ୍ୟରେ କରୋନା ସଂକ୍ରମଣରେ ପାଞ୍ଚ ଜଣ ବିଧାୟକଙ୍କ ଦେହାନ୍ତ ହୋଇଛି। ବର୍ତ୍ତମାନ ସମୟରେ ୟୁପିରେ ସଂକ୍ରମଣ ମାମଲା ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୭୩୭ଟି ନୂଆ ମାମଲା ସାମ୍ନାକୁ ଆସିଛି। ଆଉ ଏବେ ସୁସ୍ଥତା ହାର ୯୦.୬ ପ୍ରତିଶତରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ଅଗ୍ରାଧିକାର ଭିତ୍ତିରେ କରୋନା ଟିକା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଟିକାଦାନରେ ଦିଆଯାଉଛି ପ୍ରାଥମିକତା । ସେହି ଭିତ୍ତିରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ମିଳିବ ଟିକା । ଟିକାଦାନ ବ୍ୟବସ୍ଥା କରିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସିଏସ୍ ପ୍ରଦୀପ୍ତ କୁମାର ମହାପାତ୍ର । ମ୍ୟୁନିସିପାଲ କମିଶନର ଓ ସିଡିଏମଓମାନଙ୍କୁ ମଧ୍ୟ ଚିଠି ହୋଇଛି । ଏଯାଏଁ ୯୫ପ୍ରତିଶତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଟିକା ଦିଆସରିଲାଣି । ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଅଗ୍ରାଧିକାର ଭିତ୍ତିରେ ସ୍ୱାସ୍ଥ୍ୟକର୍ମଚାରୀଙ୍କୁ ପ୍ରଥମେ କରୋନା ଟିକା ଦିଆଯାଇଥିଲା । ପରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ଏହା ପରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ଏବଂ ବର୍ତ୍ତମାନ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ କରୋନା ଟିକା ଦିଆଯାଉଛି । ଏଥିସହିତ ରାଜ୍ୟରେ ସାମ୍ୱାଦିକଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହ ସେମାନଙ୍କୁ ମଧ୍ୟ ଅଗ୍ରାଧିକାର ଭିତ୍ତିରେ କରୋନା ଟିକା ଦିଆଯାଉଛି । ରାଜ୍ୟରେ ଟିକା ଅଭାବ ଦୂର କରିବା ନେଇ ରାଜ୍ୟ ସରକାର ଟିକା ନେଇ ଗ୍ଳୋବାଲ୍ ଟେଣ୍ଡର ମଧ୍ୟ ଆହ୍ୱାନ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: କୋଭିଡ୍ ଟିକା ସହ ଅନ୍ୟ ଉପକରଣ ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି