spot_img
Home Blog Page 5597

୨୪ ଘଣ୍ଟାରେ କୋଭିଡ ମୃତ୍ୟୁ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: କୋଭିଡରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କର ୨୪ ଘଣ୍ଟାରେ ରିପୋର୍ଟ ପ୍ରସ୍ତୁତ ହେବ। ଏନେଇ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ , ମ୍ୟୁନିସିପାଲିଟି କମିଶନର, ସିଡିଏମଓ, ପିଏଚଓଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ କୋଭିଡ ମୃତ୍ୟୁ ନେଇ ଅନେକ ସନ୍ଦେହ ପ୍ରକାଶ ପାଉଥିବାରୁ ଏନେଇ ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଏନେଇ ପଦକ୍ଷେପ ନେଇଛି ସ୍ବାସ୍ଥ୍ୟ ବିଭାଗ । ରିପୋର୍ଟ ପ୍ରସ୍ତୁତ ହେଲେ ୨୪ ଘଣ୍ଟାରେ ଜଣାପଡିବ କେଉଁ ଜିଲ୍ଲାରେ କୋଭିଡରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ।

 

 

 

ବରିଷ୍ଠ ସାମ୍ୱାଦିକ ବସନ୍ତ ଦାସଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଓ ମାନସ ମଙ୍ଗରାଜଙ୍କ ଶୋକ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗ । ୮୧ ବର୍ଷ ବୟସରେ ତାଙ୍କର ପରେଲାକ ଘଟିଛି । କୋଭିଡରେ ଆକ୍ରାନ୍ତ ହୋଇ ହୋମ୍ ଆଇେସୋଲେସନରେ ଥିଲେ  । ୩ଦିନ ତଳେ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଓଡିଶା ସମ୍ବାଦିକତା କ୍ଷେତ୍ରରେ ୫ ଦଶନ୍ଧୀ ଧରି ସକ୍ରିୟ ଭାବେ କାର୍ଯ୍ୟ କରିଆସୁଥିଲେ ସାମ୍ବାଦିକଙ୍କ ମହଲରେ ପରିଚିତ ବସନ୍ତ ଭାଇ। ଓଡିଶା ରାଜନୀତି ଓ ସମ୍ବାଦିକତାକୁ ନେଇ ଅନେକ ବହି ମଧ୍ୟ ଲେଖିଛନ୍ତି ସେ । ‘ଜେ ଦେଶ ଯାଇ ସେ ଫଲ୍ ଖାଏ’ ପୁସ୍ତକ ତାଙ୍କରି ଅବଦାନ । ଏଥିପାଇଁ ସେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ । ଅମ୍ରିତ ବଜାର ପତ୍ରିକାର ବ୍ୟୁରୋ ମୁଖ୍ୟ ଭାବେ କାର୍ଯ୍ୟ କରି ୧୯୯୬ରେ ଅବସର ନେଇଥିଲେ । ୧୯୬୫ରୁ ସାମ୍ବାଦିକତା ବୃତ୍ତି ଆରମ୍ଭ କରିଥିଲେ ସ୍ବର୍ଗତ ବସନ୍ତ ଦାସ । ତାଙ୍କ ବିୟୋଗରେ ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ରାଜନୈତିକ ଦଳର ନେତା ବସନ୍ତଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ।

ଅପରପକ୍ଷରେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ । ତାଙ୍କ ଶୋକବାର୍ତାରେ  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଵର୍ଗତ ଦାସ ଜଣେ ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଳେଷକ ଭାବରେ ସୁନାମ କରିଥିଲେ । ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ଧରି ସେ ସାମ୍ବାଦିକତା ବୃତ୍ତି ରେ  ସକ୍ରିୟ ରହିଥିଲେ। ।ସାହିତ୍ୟ ଓ ସାମ୍ବାଦିକତା ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ  ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ  ପରଲୋକଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି।

ଏଥିସହିତ ରାଜ୍ୟର ଏହି ବରିଷ୍ଠ ସାମ୍ୱାଦିକଙ୍କ ଦେହାନ୍ତରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ଓ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି ।

ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ମଧ୍ୟ ତାଙ୍କ ଦେହାନ୍ତରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି,ସେ ଏକା ଧାରରେ ଜଣେ ସାମ୍ବାଦିକ, ସ୍ତମ୍ବକାର ଓ ସାହିତ୍ୟିକ ଥିଲେ । ଓଡ଼ିଶା ରାଜନୀତିର ଗୋପନକଥା, ଯେ ଦେଶେ ଯାଇ ସେ ଫଳ ଖାଇ, ଅଶୀରେ ବସନ୍ତ, ଜାତୀୟ କବି ବୀରକିଶୋର,ଦେଶପ୍ରେମୀ ନିତ୍ୟାନନ୍ଦ କାନୁନଗୋ ଓ କଟକ ନଗର ଧବଳ ଟଗର, ତାଙ୍କ ଦ୍ୱାରା ରଚିତ କାଳଯାୟୀ କୃତି ପାଠକୀୟ ଶ୍ରଦ୍ଧା ଓ ସ୍ୱୀକୃତି ହାସଲ କରିଛି । ଓଡ଼ିଶା ସାହିତ୍ୟ ଏକାଡେମୀ ,ରାଜ୍ୟ ଜନଶିକ୍ଷା ସାଧନା କେନ୍ଦ୍ର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର ଓ ଶ୍ରେଷ୍ଠ ସାମ୍ବାଦିକ ସମ୍ନାନ ତାଙ୍କ ପଦଚିହ୍ନକୁ ସ୍ୱୀକୃତି ପ୍ରଦାନ କରିଛି । ଦୀର୍ଘ ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ବ ସମୟ ତାଙ୍କର ସମଗ୍ର ଜୀବନ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ସାମ୍ବାଦିକତା ପାଇଁ ସମର୍ପିତ ଥିଲା । ଏହି ଦୁଃଖଦ ସମୟରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ସ୍ୱର୍ଗତ ବସନ୍ତ ଦାସଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ଡାକରା

କୋଲକତା: ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ୍ ବନ୍ଦୋପାଧ୍ୟାୟଙ୍କୁ ଆସିଲା ଦିଲ୍ଲୀ ଡାକରା । ଅଲପନଙ୍କୁ ମେ ୩୧ ସୋମବାର ସକାଳ ୧୦ ଟା ପୂର୍ବରୁ ରିପୋର୍ଟ କରିବାକୁ କେନ୍ଦ୍ର କହିଛି । ମୁଖ୍ୟ ଶାସନ ସଚିବ ଭାବେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଯାଉଥିଲେ ବେଳେ ଚାରି ଦିନ ପୂର୍ବରୁ ମମତା ସରକାର ତାଙ୍କ କାର୍ଯ୍ୟକାଳକୁ ତିନି ମାସ ବୃଦ୍ଧି କରିଛନ୍ତି। କିନ୍ତୁ ଏବେ ଶୁକ୍ରବାର ଦିନ କେନ୍ଦ୍ର ସରକାର ଆଲପନ୍ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ଡାକରା ଆଉ ଏକ ଦିଗକୁ ଇଙ୍ଗିତ କରୁଛି ।
ତେବେ ଅଲପନ୍ ବନ୍ଦୋପାଧ୍ୟାୟ ମମତା ବାନାର୍ଜୀଙ୍କ ଅତି ନିକଟତର ବୋଲି କୁହାଯାଏ । ଏଭଳି ସ୍ଥିତିରେ ଅଲପାନଙ୍କୁ କେନ୍ଦ୍ର ସରକାରଙ୍କ ଡକରା ଆଉ କିଛି କହୁଛି । କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଅଲପନ୍ ବାନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରରେ ଏକ ନୂତନ ଦାୟିତ୍ୱ ଦିଆଯିବା ନେଇ ସୂଚନା ମିଳିଛି। ତେଣୁ ତାଙ୍କୁ ଯଥାଶୀଘ୍ର ଦାୟିତ୍ୱରୁ ମୁକ୍ତ କରିବାକୁ କେନ୍ଦ୍ର ସରକାର ବଙ୍ଗଳା ସରକାରଙ୍କୁ ଅନୁରୋଧ କରିଛନ୍ତି ।


ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ପଶ୍ଚିମବଙ୍ଗରେ ତୃତୀୟ ଥର ପାଇଁ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୨୪ମେ ରେ ଅଲପନଙ୍କ କାର୍ଯ୍ୟକାଳକୁ ଆଉ ୩ମାସ ବଢାଇବାକୁ ନିର୍ଦ୍ଦେଶ ଦେଇଥିଲେ ମମତା । ଯଦିଓ ଅଲପାନଙ୍କ ମୁଖ୍ୟସଚିବ ଭାବେ କାର୍ଯ୍ୟକାଳ ଏହି ମାସ ଶେଷ ସୁଧା ହିଁ ଶେଷ ହେଉଥିଲା ।
ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ଡାକରା ଏଭଳି ସମୟରେ ଆସିଛି ଯେତେବେଳେ ମମତା ବାନାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଥିଲା । ଆଉ ଏହି ପରିସ୍ଥିତି କିଛି ଘଣ୍ଟା ପୂର୍ବରୁ ସାମୁଦ୍ରିକ ଝଡ଼ ୟାସରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା ବୈଠକରେ ଦେଖିବାକୁ ମିଳିଥିଲା। ଏହି ବୈଠକରେ ମମତା ବାନାର୍ଜୀ ଅଧ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। କେବଳ ସେତିକି ନୁହେଁ ତାଙ୍କ ସହ ଅଲପନ୍ ବନ୍ଦୋପାଧ୍ୟାୟ ମଧ୍ୟ ବିଳମ୍ବରେ ହିଁ ପହଞ୍ଚି ଥିଲେ।
ଆଉ ଏଭଳି ପରିସ୍ଥିତିରେ ଅଲପନଙ୍କୁ କେନ୍ଦ୍ର ସରକାରଙ୍କ ଡକରା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଶକ୍ତ ଝଟକା ଦେଇଥିବା ନିଶ୍ଚୟ । ଅଲପନ ବନ୍ଦୋପାଧ୍ୟାୟ ମମତା ବାନାର୍ଜୀଙ୍କ ଜଣେ ଘନିଷ୍ଠ ଅଧିକାରୀ ଭାବରେ ବିବେଚନା କରାଯାଏ। ବନ୍ଦୋପାଧ୍ୟାୟ ୧୯୮୭ ବ୍ୟାଚର IAS ଅଧିକାରୀ । ସେ ହାୱାଡ଼ା ସମେତ ଅନେକ ଜିଲ୍ଲାର ଡିଏମ୍ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଗତ ବର୍ଷ ସେପ୍ଟେମ୍ବରରେ ରାଜୀବ ସିହ୍ନା ଅବସର ନେବା ପରେ ତାଙ୍କୁ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା।

ରାଜ୍ୟରେ କମୁଛି କରୋନା ସଂକ୍ରମଣ: ଆଉ ୭ହଜାର ୧୮୮ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଦିନକରେ ଆଉ ୭ହଜାର ୧୮୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୫ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍ । ୨୪ ଘଣ୍ଟାରେ ୧୧ହଜାର ୯୫୪ସଂକ୍ରମିତ ସୁସ୍ଥ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୪ହଜାର ୨୬, ଲୋକାଲ କେସ୍ ୩ହଜାର ୧୬୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୧୩୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୯୦, ଅନୁଗୁଳ ୫୧୫, ପୁରୀରୁ ୪୫୭, ଯାଜପୁରରୁ ୪୦୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ୪୭ହଜାର ୧୪୩ ଥିବା ବେଳେ୍ ମୋଟ୍ ସୁସ୍ଥ ହେଲେଣି ୬ଲକ୍ଷ ୪୭ହଜାର ୧୩୩ ।

ଅନୁଗୁଳ ୫୧୫, ବାଲେଶ୍ୱର ୧୦୩, ବରଗଡ଼ ୨୭୧, ଭଦ୍ରକ ୮୯, ବଲାଙ୍ଗୀର ୯୩, କଟକ ୬୯୦, ଦେବଗଡ଼ ୬୧,ବୌଦ୍ଧ ୨୫୭, ଦେବଗଡ଼ ୬୧, ଢେଙ୍କାନାଳ ୨୫୫, ଗଜପତି ୧୦୬, ଗଞ୍ଜାମ ୧୬୩, ଜଗତସିଂହପୁର ୧୫୪, ଯାଜପୁର ୪୦୬, ଝାରସୁଗୁଡ଼ା ୧୧୪, କଳାହାଣ୍ଡି ୫୪, କଳାହାଣ୍ଡି ୧୭୭, କଳାହାଣ୍ଡି ୧୭୭, କେନ୍ଦ୍ରାପଡ଼ା ୭୫, କେନ୍ଦୁଝର ୫୭, ଖୋର୍ଦ୍ଧା ୧୧୩୪, କୋରାପୁଟ ୨୦୨, ମୟୂରଭଞ୍ଜ ୩୨୦, ନବରଙ୍ଗପୁର ୨୧୬, ନୟାଗଡ଼ା ୨୪୨, ମାଲକାନଗିରି ୯୨, ନୂଆପଡ଼ା ୬୨, ପୁରୀ ୪୫୭, ରାୟଗଡ଼ା ୧୬୫, ସମ୍ୱଲପୁର ୧୨୦, ସୋନପୁର ୧୨୯, ସୁନ୍ଦରଗଡ଼ ୧୭୨ ଓ ଷ୍ଟେଟ୍ ପୁଲ୍‌ରୁ ୨୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଫେସ୍‌ବୁକ୍‌ରେ ଭାଇରାଲ୍ ହେଉଛି ରତ୍ନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଭାଇରାଲ । ଫେସବୁକରେ ଭାଇରାଲ ହେଉଛି ରତ୍ନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ । କୋଲକାତାର ଅରଜିତ ଚନ୍ଦ୍ରା ନାମକ ଜଣେ ବ୍ୟକ୍ତି ନିଜ ଫେସବୁକ ଆକାଉଣ୍ଟରେ ଶ୍ରୀଜିଉଙ୍କ ରତ୍ନ ସିଂହାସନର ଫଟୋ ପୋଷ୍ଟ କରିଛନ୍ତି | ଗତ ନୃସିଂହ ଚତୁର୍ଦ୍ଦଶୀରେ ଏହି ଫଟୋ ଅପଲୋଡ଼ ହୋଇଥିବା ଜଣାପଡିଛି | ଯାହା ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଚି | ଏ ଘଟଣା ନଜରକୁ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି | ଶ୍ରୀମନ୍ଦିର ଉପରେ ଆତଙ୍କବାଦୀଙ୍କ ଆକ୍ରମଣର ଭୟ ରହିଥିବା ଯୋଗୁଁ ବାରମ୍ବାର ଶ୍ରୀମନ୍ଦିର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରାଯାଉଛି । କିନ୍ତୁ ବାରମ୍ବାର ଏହିଭଳି ଘଟଣା ଶ୍ରୀମନ୍ଦିର ଭିତର ଫଟୋ ଭାଇରଲ ହେବା କଥା ଏବେ ବଡ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି  । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏବେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ମନା । ଗତ ନୃସିଂହ ଚତୁର୍ଦ୍ଦଶୀ ବେଳକୁ ରାଜ୍ୟରେ ଲକଡାଉନ ଜାରି ରହିଛି । ଏଭଳି ପରିସ୍ଥିତିରେ କିଭଳି ଶ୍ରୀମନ୍ଦିର ଭିତରକୁ କିଏ ପ୍ରବେଶ କଲା ଏବଂ ଫଟୋ ଉଠାଗଲା ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।

ଏଥିସହିତ ପଢ଼ନ୍ତୁ: ନିଜ ସମ୍ବଳରେ ବାତ୍ୟା ‘ୟାସ୍’ ପରବର୍ତ୍ତୀ ସ୍ଥିତିର ମୁକାବିଲା କରିବୁ କହି ଟ୍ୱିଟରରେ ଟ୍ରେଣ୍ଡ୍ ହେଲେ ନବୀନ

ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ନେଇ ଭୁବନେଶ୍ୱରରେ ଅନୁଷ୍ଠିତ ବୈଠକକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହୋଇଥିବା ସମୀକ୍ଷା ବୈଠକକୁ ସଫଳ ବୋଲି  କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ମୁକାବିଲାକୁ ଭିତ୍ତିଭୂମିକୁ  ସୁଦୃଢ଼ କରିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାର୍ଯ୍ୟ ଜାରି ରଖିବା ଏବଂ ଏ ଦିଗରେ ଓଡ଼ିଶା ସରକାର ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଗତକାଲିର ବୈଠକ ପରେ ଦିଲ୍ଲୀ ଫେରି ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ୫ଶହ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ୍ ଯୋଗେ ଧନ୍ୟବାଦ ଜଣାଇଥିଲେ । ଯାହାକୁ ରିଟ୍ୱିଟ୍ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସୂଚନା ଯୋଗ୍ୟ ଯେ, ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଓ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ସମୀକ୍ଷା ବୈଠକରେ ହୋଇଥିବା ଆଲୋଚନା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏସ୍‌ଆରସି ପ୍ରଦୀପ କୁମାର ଜେନା କହିଛନ୍ତି ଯେ, କ୍ଷତିକ୍ଷତି ନେଇ ଆକଳନ ଚାଲିଛି ଏବେ କ୍ଷୟକ୍ଷତି ବାବଦରେ ଅର୍ଥରାଶି ଆମେ କେନ୍ଦ୍ରକୁ ମାଗିନାହୁଁ । ୭ ଦିନ ପରେ କ୍ଷୟକ୍ଷତି କେତେ ହୋଇଛି ଆମେ ଜଣାଇବୁ  । ବାତ୍ୟାରେ କ’ଣ ହୋଇଛି ସେ ନେଇ ୮ ମିନିଟର ଏକ ଭିଡିଓ କ୍ଳିପ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ବାତ୍ୟା ଅଞ୍ଚଳର ସ୍ଥିତି ନେଇ ମଧ୍ୟ ପାଓ୍ୱାର ପଏଣ୍ଟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ତେବେ ଅନୁଷ୍ଠିତ ବୈଠକରେ ରାଜ୍ୟ ପକ୍ଷରୁ ବାତ୍ୟା ନିରୋଧୀ ଭିତ୍ତିଭୂମି ଓ ବେଳାଭୂମିର ସୁରକ୍ଷା ପାଇଁ ଅନୁରୋଧ କରାଯାଇଥିବା ଶ୍ରୀ ଜେନା ସୂଚନା ଦେଇଥିଲେ । ତେବେ ବାତ୍ୟା କ୍ଷୟକ୍ଷତିର ଭରଣା ରାଜ୍ୟ ନିଜେ କରିବ ବୋଲି ଶ୍ରୀ ଜେନା କହିଥିଲେ ।

ଏଥିସହିତ ପଢ଼ନ୍ତୁ: ନିଜ ସମ୍ବଳରେ ବାତ୍ୟା ‘ୟାସ୍’ ପରବର୍ତ୍ତୀ ସ୍ଥିତିର ମୁକାବିଲା କରିବୁ କହି ଟ୍ୱିଟରରେ ଟ୍ରେଣ୍ଡ୍ ହେଲେ ନବୀନ

BCCIର ଗୁରୁତ୍ୱପୂର୍ଣ୍ଣ ବୈଠକ: ଆଇପିଏଲ୍‌ରେ ବିଦେଶୀ ଖେଳାଳିଙ୍କୁ ସାମିଲ ନେଇ ହେବ ଆଲୋଚନା

ମୁମ୍ୱାଇ: ଆଜି ବିସିସିଆଇର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଆଇପିଏଲ ଓ ଟି-୨୦ ଉପରେ ଆଲୋଚନା କରାଯିବ । ଟି-୨୦ ବିଶ୍ୱକପ୍ ଲାଗି ଭେନ୍ୟୁ ସ୍ଥିର କରିବା ଲାଗି ଆଇସିସି ସହ ଜୁନ୍‌-୧ରେ ବୈଠକ ବସିବ । ବର୍ତ୍ତମାନ ସ୍ଥିତିରେ ଟି-୨୦ର ଆୟୋଜନ କରିବା ସମ୍ଭବ ନୁହେଁ  । ତଥାପି କିଛି ସମୟ ଦେବାକୁ ବିସିସିଆଇ ଅନୁରୋଧ କରିପାରେ ବୋଲି ଆଶା କରାଯାଉଛି   । ଭାରତରେ ଏହାର ଆୟୋଜନ କରାଯାଇ ନପାରିଲେ ୟୁଏଇରେ କରାଯିବାକୁ ପୂର୍ବରୁ ବିସିସିଆଇ ଓ ଆଇସିସି ସ୍ଥିର କରିଛି । ସେହିପରି ସେପ୍ଟେମ୍ବରରେ୧୫ରୁ ଅକ୍ଟୋବର ୧୫ ଯାଏ ହେବାକୁ ଥିବା ଆଇପିଏଲ-୧୪ରୁ ଅବଶିଷ୍ଟ  ୟୁଏଇରେ କରାଯିବାକୁ ନେଇ ବିସିସିଆଇ ସ୍ଥିର କରିଛି । ଏହି ଆଇପିଏଲ ମ୍ୟାଚ୍‌ରେ କିପରି ବିଦେଶୀ ଖେଳାଳି ଅଂଶଗ୍ରହଣ କରିବେ ଓ ଏହା କିପରି ସଠିକ ଭାବେ କାର୍ଯ୍ୟକାରୀ ହେବ ତାହା ଆଲୋଚନା କରାଯିବ ।

ଏଥିସହିତ ପଢ଼ନ୍ତୁ: ହତ୍ୟା ଅଭିଯୁକ୍ତ ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାର ମାଡ଼ ମାରୁଥିବା ଫଟୋ ଭାଇରାଲ୍‌

୫ମ ପାଳିକୁ ଆଜି ପୂରିଲା ୨ ବର୍ଷ: ମନ୍ତ୍ରୀ ପରିଷଦ ବୈଠକ ଡକାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାଜ୍ୟ ମନ୍ତ୍ରିପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସଂଧ୍ୟା ୫ଟା ୩୦ ମିନିଟରରେ ବସିବ ଏହି ବୈଠକ । ୨୦୧୯ ମେ ୨୯ ତାରିଖରେ ନବୀନ ପଟ୍ଟନାୟକ ଲଗାତାର ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଏଣୁ ୫ମ ପାଳିର ୨ୟ ବର୍ଷ ପୂର୍ତ୍ତି ଅବସରରେ ବସିବାକୁ ଯାଉଛି ଏହି ବୈଠକ । କରୋନା ମୁକାବିଲା ରାଜ୍ୟ କରୁଥିବା ବେଳେ ବର୍ତ୍ତମାନ ରାଜ୍ୟ ବାତ୍ୟା ‘ୟାସ’ର ସାମ୍ନା କରିଛି । ଏକା ସଙ୍ଗେ ରାଜ୍ୟ ୨ଟି ମୁକାବିଲାକୁ ସାମ୍ନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ନେଇ କିଛି ବାର୍ତ୍ତା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଗତ ବର୍ଷ ୫ମ ବର୍ଷର ପୂର୍ତ୍ତି ଉପଲକ୍ଷେ ରାଜ୍ୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା । ସେଥିରେ ମୁଖ୍ୟମନ୍ତ୍ରୀ ପ୍ରାୟ ୧୭ହଜାର କୋଟିର ପ୍ୟାକେଜ ଘୋଷଣା କରିଥିଲେ ।

ଏଥିସହିତ ପଢ଼ନ୍ତୁ: ଜୁନ ପହିଲାରୁ ଖୋଲିବ କଲେଜ ଓ ବିଶ୍ୱ ବିଦ୍ୟାଳୟ, କୋଭିଡ କଟକଣାରେ ପାଠପଢା

ଜୁନ ପହିଲାରୁ ଖୋଲିବ କଲେଜ ଓ ବିଶ୍ୱ ବିଦ୍ୟାଳୟ, କୋଭିଡ କଟକଣାରେ ପାଠପଢା

ଭୁବନେଶ୍ୱର: ଖରାଛୁଟି ପରେ ଖୋଲିବ କଲେଜ ଓ ବିଶ୍ୱ ବିଦ୍ୟାଳୟ । କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଆସନ୍ତା ଜୁନ୍ ପହିଲାରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଏନେଇ ବିଶ୍ବବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ପ୍ରିନ୍ସିପାଲମାନଙ୍କୁ ଚଠି ଲେଖି ଅବଗତ କରାଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ସରକାର ଚଳିତ ମାସ ପ୍ରଥମ ସପ୍ତାହରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦେଇଥିଲେ ।

ଗ୍ରୀଷ୍ମ ଛୁଟି ସରିବା ପରେ ଜୁନ୍ ପହିଲାରୁ ପାଠପଢ଼ା ଆରମ୍ଭ ହେବ । ୨୦୨୧ ଏପ୍ରିଲ ୧୬ତାରିଖରେ ବିଭାଗ ପକ୍ଷରୁ ଜାରି କୋଭିଡ୍ ଗାଇଡଲାଇନ୍ ଅନୁସାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ହେବ । ସେଥିପାଇଁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ମାମଲା ଏବେବି ବୃଦ୍ଧି ପାଉଥିବା ବେଳେ ଜୁନ୍ ପହିଲା ପର୍ଯ୍ୟନ୍ତ ଲକଡାଉନ୍ ଥିବାବେଳେ ସାପ୍ତାହିକ ସଟଡାଉନ୍ ମଧ୍ୟ ବଳବତ୍ତର ରହିଛି ।

ଅସହାୟ କୁଲିଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ସାରା ଦେଶ କୋଭିଡ ମହାମାରୀର ଦ୍ୱିତୀୟ ପ୍ରବାହ ସହିତ ଲଢ଼େଇ କରୁଛି । ଓଡିଶା ମଧ୍ୟ ଏହା ଦ୍ୱାରା ବହୁଳଭାବରେ ପ୍ରଭାବିତ ହୋଇଛି । ଏହି ଭୂତାଣୁକୁ ରୋକିବା ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ସମ୍ବଳ ସଂଗ୍ରହ କରୁଥିବା ବେଳେ ସେଲିବ୍ରିଟିଙ୍କ ସମେତ ସାଧାରଣ ନାଗରିକମାନେ ମଧ୍ୟ ସାହାଯ୍ୟର ହାତ ବଢ଼ାଇଛନ୍ତି।
ଏହି ଅବସରରେ ଓଲିଉଡ ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀ ସହାୟତା କରିବା ଲାଗି ଆଗେଇ ଆସିଛନ୍ତି ।

କୋଭିଡ ଗାଇଡ଼ଲାଇନ ପାଳନ କରିବା ସହ ଅସହାୟ ଲୋକମାନଙ୍କୁ ସହାୟତା କରିବା ପାଇଁ ପଛଘୁଞ୍ଚା ଦେଉନାହାଁନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ଅଭିନେତ୍ରୀ ଜଣକ ରେଲଓ୍ୱେ ଷ୍ଟେସନ୍ ନିକଟରେ ପହଞ୍ଚି ସେଠାରେ ଥିବା କୁଲି ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ବର୍ଷା ପ୍ରିୟଦର୍ଶିନୀ ସାମାଜିକ ଦୂରତା ରକ୍ଷା ତଥା କୋଭିଡ୍ ନିୟମ ମାନି ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି।