spot_img
Home Blog Page 5586

ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ହେଲେ ରାଜ୍ୟ ପୋଲିସର ୪ ଡିଏସପି

ଭୁବନେଶ୍ୱର: ରାଜ୍ୟ ପୋଲିସର ଚାରି ଜଣ ଡିଏସପିଙ୍କୁ ସୋମବାର ଦିନ ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନା ଅନୁଯାୟୀ ଅର୍ଥନୈତିକ ଅପରାଧିକ ଶାଖାର ଡିଏସପି ଦିଲ୍ଲୀପ କୁମାର ତ୍ରିପାଠୀ ପଦୋନ୍ନତି ପାଇ ଅତିରିକ୍ତ ଏସପି, ସିଏଡବ୍ଲ୍ୟ ଏବଂ ସିଡବ୍ଲ୍ୟୁ ହୋଇଛନ୍ତି । ସେହିପରି ବାଲେଶ୍ୱର ସଦର ଏସଡିପିଓ ଶ୍ରୀହର୍ଷ ମିଶ୍ରଙ୍କୁ ଅତିରିକ୍ତ ଏସପି ଗୁଇନ୍ଦା ନିଯୁକ୍ତି ମିଳିଛି ।

ଅପରପକ୍ଷେ ଆଇୟୁସିଏଡବ୍ଲ୍ୟୁର ଡିଏସପି ଉମେଶ କୁମାର ପଣ୍ଡା ଆଇୟୁସିଏଡବ୍ଲ୍ୟୁ ଜଗତସିଂହପୁରର ଅତିରିକ୍ତ ଏସପି ହୋଇଛନ୍ତି । ସେହିପରି କେନ୍ଦୁଝର ହେଡକ୍ୱାର୍ଟର ଡିଏସପି ସୁବୋଧ କୁମାର ମଲ୍ଲିକଙ୍କୁ ଏସଓଜି ଅତିରିକ୍ତ ଏସପି ଭାବେ ନିଯୁକ୍ତି ଦିଆଯାଇଛି।

ସିବିଡିଟି ଅଧ୍ୟକ୍ଷ ହେବେ ଓଡ଼ିଆ ପୁଅ ଜଗନ୍ନାଥ ବିଦ୍ୟାଧର ମହାପାତ୍ର

ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ନୂତନ ଭାର ନେବାକୁ ଯାଉଛନ୍ତି ଓଡିଆ ପୁଅ । ବର୍ତ୍ତମାନର ଅଧ୍ୟକ୍ଷ ଥିବା ପ୍ରତାପ ଚନ୍ଦ୍ର ମୋଦିଙ୍କ କାର୍ଯ୍ୟାକାଳ ଆଜି ଶେଷ ହେଉଥିବାବେଳେ ନୂତନ କରି ଅଧ୍ୟକ୍ଷ ହେବାକୁ ଯାଉଛନ୍ତି ଜଗନ୍ନାଥ ବିଦ୍ୟାଧର ମହାପାତ୍ର ।

ପୂର୍ବରୁ ସିବିଡିଟିରେ କାର୍ଯ୍ୟକରିଥିବା ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱ ଓ ପରିଚାଳନାରେ ଦକ୍ଷତା ରହିଛି । ଯେଉଁଥିପାଇଁ ଏହି ଅଧିକାରୀଙ୍କୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବାକୁ ଯାଉଛନ୍ତି ।

ରାଜଧାନୀରେ ୭ ପର୍ଯ୍ୟନ୍ତ ଟିକା ସମସ୍ୟା, ଯୁବାବର୍ଗଙ୍କୁ ମିଳିନପାରେ..

ଭୁବନେଶ୍ୱର: କୋଭିସିଲଡ଼ ଟିକାର ଅଭାବ ପରେ ଏବେ ପୁଣି କୋଭାକ୍ସିନ ଟିକାର ଦେଖିବାକୁ ମିଳିଛି କୁତ୍ରିମ ଅଭାବ । ଯାହାକୁ ନେଇ ବିଏମସି ପକ୍ଷରୁ ଭୁବନେଶ୍ୱରର 15ଟି ମୋବିଲାଇଜେସନ କେନ୍ଦ୍ରକୁ ବନ୍ଦ ରଖାଯାଇଛି । 45 ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଯଥେଷ୍ଟ ଟିକା ଥିବା ସ୍ଥଳେ ଅଧିକାଂଶ ଲୋକ ଟିକା ନେଇସାରିଛନ୍ତି । ତେବେ ସେହି ବର୍ଗଙ୍କ ପାଇଁ କେନ୍ଦ୍ରରୁ ଆସିଥିବା ଟିକାକୁ 18ରୁ 45 ବର୍ଷ ବର୍ଗଙ୍କ ପାଇଁ ବିନିଯୋଗ କରାଯାଇ ପାରୁନାହିଁ । ଯାହାଏବେ ବଡ଼ ତଥା ଜଟିଳ ପରିସ୍ଥିତି ସୃଷ୍ଟି କରିଛି ।

ଟିକାର ଅଭାବ ଦୃଷ୍ଟିରୁ ଏହି ବର୍ଗର ଦ୍ୱିତୀୟ ଡୋଜକୁ ପ୍ରାଥମିକତା ଦିଆଯାଇ ପ୍ରଥମ ଡୋଜ ନେବାକୁ ଥିବା ପ୍ରାୟ 3ଲକ୍ଷ ବ୍ୟକ୍ତିଙ୍କ ସ୍ଲଟ ବୁକିଂକୁ ସାମୟିକ ବନ୍ଦ ରଖିବାକୁ ବିଏମସି ବାଧ୍ୟ ହୋଇଛି । ବର୍ତ୍ତମାନ ମହଜୁଦ ଥିବା ଟିକା 2ତାରିଖ ସୁଦ୍ଧା ଶେଷ ହେବାକୁ ଥିବା ବେଳେ ଆସନ୍ତା 6ତାରିଖରେ 40ହଜାର କୋଭାକ୍ସିନ ଟିକା ଆସୁଥିବା ସୂଚନା ମିଳିଛି ।

ଫଳରେ ଭୁବନେଶ୍ୱରରେ ଆସନ୍ତା 2ତାରିଖ ଠାରୁ ଅନ୍ୟୁନ 7ତାରିଖ ପର୍ଯ୍ୟନ୍ତ 18ରୁ 44ବର୍ଷ ବ୍ୟକ୍ତିଙ୍କ ଟିକାକରଣରେ ସମସ୍ୟା ସୃଷ୍ଟି ହେବା ଏକରକମର ସ୍ପଷ୍ଟ ହୋଇଛି । ସେପଟେ ସମସ୍ୟାର ତୁରନ୍ତ ସମାଧାନ ପାଇଁ ବୁଦ୍ଧିଜୀବୀଙ୍କ ମହଲରେ ଦାବି ହୋଇଛି । ସେପଟେ ଏଥିପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଛନ୍ତି ବିଏମସି କମିଶନର ।

ଅମରିନ୍ଦର ସିଂଙ୍କ ବିରୋଧରେ ପ୍ରସ୍ତୁତି ! ଦିଲ୍ଲୀରେ ପହଞ୍ଚିଲେ ପଞ୍ଜାବ କଂଗ୍ରେସର ୨୬ ବିଧାୟକ

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସରେ ଫାଟ ଦେଖାଦେଇଛି । ଆଉ ଏହି କଂଗ୍ରେସର ବିଭାଜନକୁ ରୋକିବାକୁ ଦିଲ୍ଲୀରେ ବିଧାୟକ ଏବଂ ନେତାଙ୍କ ଏକ ତିନିଜଣିଆ ପ୍ୟାନେଲ ଗଠନ କରାଯାଇଛି । ଏବଂ ଏହି ପରିସ୍ଥିତିକୁ କିଭଳି ମୁକାବିଲା କରିହେବ ସେନେଇ ମାନସ ମନ୍ଥନ ଆରମ୍ଭ ହୋଇଯାଇଛି । ପଞ୍ଜାବ କଂଗ୍ରେସର ପ୍ରାୟ ୨୬ ଜଣ ବିଧାୟକ ଦିଲ୍ଲୀରେ ପହଞ୍ଚିଛନ୍ତି । ତେବେ ଏହି ବୈଠକ ତିନି ଦିନ ଧରି ଚାଲିବ ଯେଉଁଥିରେ ପଞ୍ଜାବ କଂଗ୍ରେସର ବିଦ୍ରୋହୀ ନେତା ନବଜୋତ ସିଂ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

ଏହି ବୈଠକ କେବଳ ଜଣଙ୍କ ପାଇଁ ନୁହେଁ ବରଂ ପୂରା ପଞ୍ଜାବ ପାଇଁ ବସିଛି

କଂଗ୍ରେସର ୨୬ ଜଣ ବିଧାୟକ ଦିଲ୍ଲୀରେ ପହଞ୍ଚିଛନ୍ତି ଯେଉଁଥିରେ ରାଜ୍ୟ ସଭାପତି ସୁନୀଲ ଝାଖଡ, ମନ୍ତ୍ରୀ ଚରଣଜିତ୍ ଚନ୍ନି, ସୁଖଜିନ୍ଦର ସିଂ ରାଣ୍ଡୱା ମଧ୍ୟ ସାମିଲ ଅଛନ୍ତି । ବୈଠକ ପରେ ସୁନୀଲ ଝାଖଡ଼ କହିଛନ୍ତି, ‘ଏହି ବୈଠକ ପରିସ୍ଥିତିର ମୁକାବିଲା ପାଇଁ ଚାଲିଛି । ଏହା କୌଣସି ବ୍ୟକ୍ତିଙ୍କ ପାଇଁ ନୁହେଁ ବରଂ ପଞ୍ଜାବ ଏବଂ କଂଗ୍ରେସ ପାଇଁ ରଖାଯାଇଛି। ଏହି ବୈଠକ ଅତି କମରେ ତିନି ଦିନ ଧରି ଚାଲିବ। ବିଧାୟକ, ସାଂସଦ ଏବଂ ବରିଷ୍ଠ ନେତାମାନେ ସାମିଲ ହେବେ ଏବଂ ଦେଖିବେ ପରିସ୍ଥିତିକୁ କିଭଳି ନିୟନ୍ତ୍ରଣରେ ଆଣାଯାଇପାରିବ ।

ସୋନିଆ ଗାନ୍ଧୀ ଏକ ତିନି ଜଣିଆ କମିଟି ଗଠନ କରିଥିଲେ

କଂଗ୍ରେସ ଦଳର ନେତାଙ୍କ ଏକ ଦଳ ୨୦୧୫ରେ ଫରିଦକୋଟର କୋଟକପୁରାରେ ହୋଇଥିବା ଅପମାନଜନକ ମାମଲା ପରେ ହୋଇଥିବା ଗୁଳି ବିନିମୟ ଘଟଣାରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହା ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦଳର ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲେ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ପକ୍ଷରୁ ଗତ ମାସରେ କୋଟକପୁରା ଗୁଳି ବିନିମୟ ଘଟଣାର ତଦନ୍ତ ବାତିଲ କରାଯିବା ପରେ ସିଦ୍ଧୁ ଏହି ପ୍ରସଙ୍ଗରେ କ୍ରମାଗତଭାବେ ସ୍ୱର ଉଠାଇଛନ୍ତି ।
ସିଦ୍ଧୁ ମଙ୍ଗଳବାର ଦିନ ନିଜ ପକ୍ଷ ରଖିବେ

ସିଦ୍ଧୁ ଏହି ମାମଲାର ମୁକାବିଲା କରିବାରେ ବିଫଳ ହୋଇଥିବା ଅଭିଯୋଗ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ଆଲୋଚନା ଭିତରକୁ ଟାଣିଛନ୍ତି । ସୂତ୍ରରୁ ପ୍ରକାଶ ଯେ ପଞ୍ଜାବ ମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧୱା ଏବଂ ତୃପ୍ତ ରାଜୀନ୍ଦର ସିଂ ବାଜୱାଙ୍କ ସମେତ ୨୬ ଜଣ ବିଧାୟକ ସୋମବାର ଦିନ ଦିଲ୍ଲୀରେ ଏହି କମିଟିକୁ ଭେଟିବେ। ସେ କହିଛନ୍ତି ଯେ ପୂର୍ବ ଅମୃତସର ବିଧାୟକ ନବଜୋତ ସିଂ ସିଦ୍ଧୁ ପଞ୍ଜାବର ଅନ୍ୟ ଦଳର ନେତାଙ୍କ ସହ ଯୋଗଦେବେ ଯେଉଁମାନେ ମଙ୍ଗଳବାର ଦିନ ଏହି କମିଟିକୁ ଭେଟିବେ। ସୂତ୍ରରୁ ପ୍ରକାଶ ଯେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଗୁରୁବାର କିମ୍ବା ଶୁକ୍ରବାର ଦିନ କମିଟିକୁ ଭେଟିପାରନ୍ତି।

ଜୁନ୍ ୧ରୁ ହେବ ଏହି ୬ଟି ପରିବର୍ତ୍ତନ, ଜାଣନ୍ତୁ…

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧ ତାରିଖରୁ ଅନେକ ନୂଆ ପରିବର୍ତ୍ତନ ହେବାକୁ ଯାଉଛି । ଆଉ କିଛିଟା ପରିବର୍ତ୍ତନ ସିଧା ଜନତାଙ୍କ ପକେଟ୍ ଉପରେ ପଡିପାରେ। ଏବେ ଜାଣି ରଖନ୍ତୁ, ଜୁନ୍ ପହିଲାରୁ ହେବାକୁ ଥିବା ୬ଟି ବଡ଼ ପରିବର୍ତ୍ତନ ବିଷୟରେ…

ପିଏଫ୍ ଆକାଉଣ୍ଟ-ଆଧାର ଲିଙ୍କ୍ ଜରୁରୀ

EPFOର ନୂଆ ନିୟମ ଅନୁସାରେ ସମସ୍ତ ଆକାଉଣ୍ଟଧାରୀଙ୍କ ନିଜ PF ଆକାଉଣ୍ଟ ସହ ଆଧାର କାର୍ଡ ଲିଙ୍କ କରିବା ଅତ୍ୟନ୍ତ ଜରୁରୀ । ଯଦି କେହି ଖାତାଧାରୀ କିମ୍ବା କର୍ମଚାରୀ ଜୁନ୍ ୧ ମଧ୍ୟରେ ଏଭଳି ନକରନ୍ତି ତାହେଲେ ତାଙ୍କୁ କିଛି କ୍ଷତି ଭରଣା ମଧ୍ୟ କରିବାକୁ ପଡିପାରେ । ଏପରିକି ଖାତାକୁ ଆସୁଥିବା ସୁବିଧାକୁ ମଧ୍ୟ ଅଟକାଇ ଦିଆଯାଇପାରେ । ଏନେଇ EPFO ପକ୍ଷରୁ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି ।

BOB ରେ ବଦଳିବ ପେମେଣ୍ଟ ବ୍ୟବସ୍ଥା

ଜୁନ୍ ୧ରୁ ବ୍ୟାଙ୍କିଂ ସେବାରେ ପରିବର୍ତ୍ତନ ହେବାକୁ ଯାଉଛି । ବ୍ୟାଙ୍କ ଅଫ୍ ବରୋଦାର ଗ୍ରାହକଙ୍କ ପାଇଁ ଏହି ତାରିଖରୁ ପେମେଣ୍ଟ ବ୍ୟବସ୍ଥା ବଦଳିବାକୁ ଯାଉଛି । ଅଧିକାରୀଙ୍କ କହିବାନୁଯାୟୀ, ଗ୍ରାହକଙ୍କ ପାଇଁ ପଜିଟିଭ ପେ ସିଷ୍ଟମ୍ ଅଧିନରେ ଚେକ୍ ଡିଟେଲ୍ସକୁ ସେତେବେଳେ ରିକନଫର୍ମ କରାଯିବ ଯେତେବେଳେ ୨ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଚେକ୍ ଜାରି କରାଯିବ । ଏହି ସୂଚନା SMS, ମୋବାଇଲ୍ ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଂ କିମ୍ବା ATM ଜରିଆାରେ ଦିଆଯିବ ।

ଫ୍ରିରେ ଗୁଗୁଲ୍ ଫଟୋ ବ୍ୟବହାର କରିପାରିବେ ନାହିଁ-

ଭିଡ଼ଓ ଓ ଫଟୋ ବ୍ୟାକଅପ୍ ଲାଗି ଏବେ ମାଗଣାରେ ଗୁଗୁଲର ଫଟୋସ୍ ବ୍ୟବହାର କରିପାରିବେ ନାହିଁ । ଜୁନ୍ ୧ରୁ ଫଟୋ ଓ ଭିଡିଓ ଅପଲୋଡ୍ କରିବା ଲାଗି ପଇସା ଦେବାକୁ ପଡିବ ।

ଏଥିପାଇଁ ମାସିକ କିମ୍ବା ବାର୍ଷିକ ପ୍ଲାନ୍ ମଧ୍ୟ ଆସିବାକୁ ଯାଉଛି । ଯେଉଁଥିରେ ୧୦୦ GB ପାଇଁ ୧୪୯ ଟଙ୍କା ମାସିକ ଏବଂ ବାର୍ଷିକ ୧୪୯୯ ଟଙ୍କା ଦେବାକୁ ପଡିବ । ସେହିପରି ୨୦୦ GB ପାଇଁ ୨୧୯ ଟଙ୍କା ମାସିକ ଏବଂ ବାର୍ଷିକ ୨୧୯୯ ଟଙ୍କା ଦେବାକୁ ପଡିବ । ଏହାବ୍ୟତୀତ ୨TB ପାଇଁ ୭୪୯ ଟଙ୍କା ମାସିକ ଏବଂ ବାର୍ଷିକ ୭୫୦୦ ଟଙ୍କା ଦେବାକୁ ପଡିବ ।

ଏଲପିଜି ସିଲିଣ୍ଡରର ଦାମରେ ହୋଇପାରେ ପରିବର୍ତ୍ତନ-

ସରକାରୀ ତୈଳ କମ୍ପାନୀ ଗୁଡିକ ପ୍ରତି ମାସ ପହିଲାରେ ଏଲପିଜି ଗ୍ୟାସର ମୂଲ୍ୟ ସମୀକ୍ଷା କରିଥାନ୍ତି । ତେଣୁ କରି ଏଥିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

ଇନକମ୍ ଟ୍ୟାକ୍ସ ୱେବସାଇଟ୍ ବନ୍ଦ ରହିବ-

ଜୁନ୍ ୧ରୁ ୬ ତାରିଖ ଯାଏଁ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟର ଇ-ଫାଇଲିଂ ପୋର୍ଟାଲ୍ କାମ କରିବ ନାହିଁ । କାରଣ ବିଭାଗ ପକ୍ଷରୁ ଟ୍ୟାକ୍ସ ପେୟର୍ସଙ୍କ ପାଇଁ ଇନକମ୍ ଟ୍ୟାକ୍ସ ଇ-ଫାଇଲିଂର ନୂଆ ପୋର୍ଟାଲ୍ ଲଞ୍ଚ ହେବାକୁ ଯାଉଛି । ଯାହାର ନାମ http://INCOMETAX.GOV.IN ରହିବ ।

ୟୁଟ୍ୟୁବ୍ ଇନକମ୍ ଉପରେ ଟ୍ୟାକ୍ସ-

ୟୁଜର୍ସଙ୍କୁ ୟୁଟ୍ୟୁବରୁ ହେଉଥିବା ଇନକମ୍ ଉପରେ ଜୁନ୍ ୧ ତାରିଖରୁ ଟ୍ୟାକ୍ସ ଲାଗିବାକୁ ଯାଉଛି । ହେଲେ ଆପଣଙ୍କୁ ସେହି ଭ୍ୟୁଜ୍ ଉପରେ ଟ୍ୟାକ୍ସ ଦେବାକୁ ପଡିବ ଯାହା ଆମେରିକା ଭ୍ୟୁଅର୍ସଙ୍କ ସହ ମିଶିଛି ।

ଜୁହି ଚାୱଲାଙ୍କର ସରକାରଙ୍କୁ ପ୍ରଶ୍ନ: ଭାରତକୁ ୫ଜି ଆଣିବା ପୂର୍ବରୁ ପ୍ରମାଣ କରନ୍ତୁ ଏହାର ଅପକାରିତା ଓ ଉପକାରିତା

ଅନେକ ସମୟରେ ବିବାଦିତ ଘଟଣା ପାଇଁ ହିଁ ବଲିଉଡର କଥା ଚର୍ଚ୍ଚାକୁ ଆସେ । କେତେବେଳେ ହିରୋ ହିରୋଇନଙ୍କୁ ନେଇ ବିବାଦ ତ ପୁଣି କେତେବେଳେ ଚଳଚିତ୍ରକୁ ନେଇ ବିବାଦ । ହେଲେ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏକି ଏସବୁ ବିବାଦ ଠାରୁ ଖୁବ୍ ଦୂରରେ । କିନ୍ତୁ ସେ ଭବିଷ୍ୟତକୁ ନେଇ ଖୁବ୍ ଚିନ୍ତାରେ । ବଲିଉଡର ଜଣେ ଜଣାଶୁଣା ଓ ଖୁବ ପ୍ରତିଷ୍ଠିତ ଅଭିନେତ୍ରୀ ହେଉଛନ୍ତି ଜୁହି ଚାୱଲା । ସେ କିଛି ବର୍ଷ ହେବ ମୋବାଇଲ ଫୋନର ୫ଜି ଟେକନିକ୍ କୁ ନେଇ ଚିନ୍ତା ପ୍ରକାଶ କରିଆସୁଛନ୍ତି ।

ତାଙ୍କ କହିବା ଅନୁସାରେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ରେଡିଓ ଫ୍ରିକ୍ୱେନ୍ସିର ସମ୍ବାବ୍ୟ କ୍ଷତିକାରକ ପ୍ରଭାବକୁ ବିଶ୍ଳେଷଣ ନ କରି ଏହାକୁ କାର୍ଯ୍ୟକାରୀ କରାଯିବା ଉଚିତ୍ ନୁହେଁ । ଏହି ମାମଲାକୁ ଆଗକୁ ନେଇ ବର୍ତମାନ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଜୁହି । ଭାରତରେ ୫ଜି ଟେକ୍ନୋଲୋଜୀର ଲାଗୁ ବିରୋଧରେ ବମ୍ବେ ହାଇକୋର୍ଟରେ ଏକ ଆବେଦନ ପତ୍ର ଦାଖଲ କରିଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜୁହି ଚାୱଲା ଭାରତସରକାରଙ୍କ ଟେଲିକମ୍ ମନ୍ତ୍ରଣାଳୟକୁ ଏହି ପତ୍ର ମାଧ୍ୟମରେ ଆବେଦନ କରିଛନ୍ତି ଯେ- ସାଧାରଣ ଲୋକ,ସମସ୍ତ ଜୀବ ଜନ୍ତୁ,ପ୍ରାଣୀ,ଉଦ୍ଭିଦ,ଜଙ୍ଗଲ ଓ ପରିବେଶ ଉପରେ ୫ଜିର ପ୍ରଭାବକୁ ଅତି ନିକଟରୁ ଅନୁଧ୍ୟାନ କରି ସମସ୍ତ ରିପୋର୍ଟର ଭଲଭାବରେ ଯାଂଚ କରି ୫ଜି ଟେକ୍ନୋଲୋଜୀର ପ୍ରୟୋଗ ଭାରତରେ କରିବା ଦରକାର ।

ଜୁହି ଚାୱଲା ରେଡିଏସନ୍ ପ୍ରତି ସଚେତନ କରିବା କାମ ଅନେକ ଦିନରୁ କରିଆସୁଛନ୍ତି । କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆର ଲକ୍ଷ୍ୟକୁ ହାସଲ କରିବା ପାଇଁ ୫ଜି ଲାଗୁ କରିବାକୁ ଚାହୁଁଛନ୍ତି । ସେଥିପାଇଁ ଜୁହି ସରକାରଙ୍କୁ ପ୍ରଶ୍ନ କରିଛନ୍ତି କି କଣ ଏହି ଟେକନିକର ଭଲଭାବରେ ତର୍ଜମା କରାଯାଇଛି । ଆଉ ଯଦି ଏହା ହୋଇଛି ତେବେ ଏହି ଟେକନିକ ସହ ଜଡିତ ସମସ୍ତ ପରୀକ୍ଷା ନିରିକ୍ଷାର ପ୍ରମାଣପତ୍ର ସାର୍ବଜନୀନ କରାଯାଉ । କାହିଁକି ନା ସମସ୍ତେ ଜାଣିବା ଆବଶ୍ୟକ କି ଏହା ବର୍ତମାନର ପିଢି ଓ ଆଗାମୀ ପିଢି ପାଇଁ ଅସୁବିଧାର କାରଣ ନା ଉନ୍ନତିର ସଫଳ ମାର୍ଗ । ଜୁହିଙ୍କର ଦାବି ଯେ ଆମ ପରିବେଶକୁ ଆମେ ସୁରକ୍ଷିତ ରଖିବା ପାଇଁ ଏହି ରେଡିୟସନ ଠାରୁ ଦୂରରେ ରହିବା ଜରୁରୀ । ସେଥିପାଇଁ ଯେଉଁ ଟେକ୍ନୋଲୋଜୀ ମଣିଷଙ୍କ ହିତ ପାଇଁ କାମରେ ଆସିବା କଥା । ତାହା ହିଁ ଏବେ ମଣିଷର ଅନ୍ତର କାରଣ ପାଲଟିଛି ।

ଦିଦି ଶୁଣିଲେନି କେନ୍ଦ୍ର କଥା; ଅଲପନଙ୍କୁ ପଠାଇଲେନି, ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ଦେଲେ..

କୋଲକାତା: ଦିଦି ଶୁଣିଲେନି ମୋଦିଙ୍କ କଥା । ହଁ ଟିକେ କଥାଟା ଶୁଣିବାକୁ ଖଟକା ଲାଗୁଥିବ ନିଶ୍ଚେ । କିନ୍ତୁ ପ୍ରସଙ୍ଗଟି ଠିକ ସେହିପରି । ଅର୍ଥାତ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଥିବା ଅଲପନ ବନ୍ଦୋପାଧ୍ୟାୟ ଏବେ ଅବସର ଗ୍ରହଣ କରିଛନ୍ତି । କିଛି ଦିନ ପୂର୍ବେ ତାଙ୍କ କାର୍ଯ୍ୟକାଳ ସରୁଥିବାବେଳେ କେନ୍ଦ୍ରକୁ ଚିଠି ଲେଖି ତାଙ୍କ କାର୍ଯ୍ୟକାଳ ସମୟ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । କୋଭିଡ ସମୟରେ ପଶ୍ଚିମବଙ୍ଗ କଥା ବୁଝୁଥିବା ଏଭଳି ଜଣେ ଅଫିସରକ ଅବସର ଠିକ ନୁହେଁ ବୋଲି ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

କିନ୍ତୁ ବାତ୍ୟା ୟାସ ପରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ବିଳମ୍ବ ଉପସ୍ଥିତି ରାଜନୀତିକୁ ତେଜି ଥିଲା । ପରେ କେନ୍ଦ୍ର ସରକାର ଅଲପନ ବନ୍ଦୋପାଧ୍ୟାଙ୍କୁ କେନ୍ଦ୍ରକୁ ଡକରା ଦେଇଥିଲେ । ଏପଟେ ଅଲପନକୁ ନିଜ ରାଜ୍ୟରୁ ନଛାଡିବାକୁ ଦୃଢ ବିରୋଧ ଜାରି ରଖିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କିନ୍ତୁ ଏହାରି ଭିତରେ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ଥିବା ଅଧିକାରୀ ନିଜେ ସ୍ବେଚ୍ଛାକୃତ ଭାବେ ଅବସର ଗ୍ରହଣ କରିଛନ୍ତି ।

ଏବଂ ଅବସର ଗ୍ରହଣ କରିବା ପରେ ମମତା ବାନାର୍ଜୀ ତାଙ୍କୁ ନିଜ ବ୍ୟକ୍ତିଗତ ପରାମର୍ଶଦାତା ଭାବେ ନିଯୁକ୍ତ କରିଥିବା ଜଣାପଡିଛି  । ମୋଦି ଦିଦିଙ୍କ ଲଢେଇ ଭିତରେ ଆଇଏଏସ ଅଫିସର ଅଲପାନ ବନ୍ଦୋପାଧ୍ୟାୟ ଏବେ ନୂଆ ଟ୍ୱିଷ୍ଟ ଯୋଡିଛନ୍ତି  ।  ସେପଟେ ମମତା ବାନାର୍ଜୀ କେନ୍ଦ୍ରକୁ ଚିଠି ଲେଖି ଜଣାଇଛନ୍ତି ଯେ,  ଏହି ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ସରକାର ରାଜ୍ୟ ସହିତ ପରାମର୍ଶ କରି ନାହାନ୍ତି। ଏହା ଏକ ସମ୍ପୂର୍ଣ୍ଣ ଏକପାଖିଆ ଏବଂ ଅପ୍ରତ୍ୟାଶିତ ନିଷ୍ପତ୍ତି। ଗୋଟିଏ ପଟେ କରୋନା ସଙ୍କଟ ଏବଂ ଅନ୍ୟ ପଟେ ୟାସ ଘୂର୍ଣ୍ଣିବଳୟ ଯୋଗୁଁ ପଶ୍ଚିମବଙ୍ଗ ପାଇଁ ଏହା ଏକ କଷ୍ଟକର ସମୟ। ତେଣୁ ଏଭଳି ସ୍ଥିତିରେ କେନ୍ଦ୍ରକୁ ଡାକିବା ନିହାତି ପକ୍ଷେ ରାଜନୀତି ପ୍ରଣୋଦିତ ବୋଲି ଅଭିଯୋଗ ଆଣିଥିଲେ ମମତା  ।

ସମୟରେ ଭ୍ୟାକ୍ସିନର ୨ୟ ଡୋଜ୍ ନ ମିଳିଲେ କି କ୍ଷତି ହେବ? ଜାଣନ୍ତୁ…

ନୂଆଦିଲ୍ଲୀ: କରୋନା ଭାଇରସରୁ ବର୍ତ୍ତିବା ପାଇଁ ସାରା ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ଏମିତିକି ଦେଶରେ କରୋନା ଟିକାର ୨୧ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।

ସୂଚନା ଅନୁଯାୟୀ ଟୀକାକରଣ ଜାରି ରହିଥିବା ବେଳେ ଟିକା ସଙ୍କଟ ମଧ୍ୟ ଦେଖାଦେଇଛି । ଏଭଳି ସମୟରେ ଯଦି କେହି ବ୍ୟକ୍ତି କରୋନାର ପ୍ରଥମ ଡୋଜ୍ ନେଇସାରିଛନ୍ତି କିନ୍ତୁ ତାଙ୍କୁ ସଠିକ୍ ସମୟରେ ୨ୟ ଡୋଜ୍ ମିଳୁନି, ତାହେଲେ କ’ଣ କ୍ଷତି ହେବ? ଦେଶରେ ଟିକା ସଙ୍କଟ ବେଳେ ଅନେକଙ୍କ ମନରେ କିଛି କିଛି ପ୍ରଶ୍ନ ଉଙ୍କି ମାରିଛି… ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଉତ୍ତର…

କାହିଁକି ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନ ବଢିଲା?

ବିଶେଷଜ୍ଞଙ୍କ ମତରେ ବିଶ୍ୱର ଅନେକ ସ୍ୱାସ୍ଥ୍ୟ ସଙ୍ଗଠନ କରାେନାର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନ ରଖିବା ପରାମର୍ଶ ଦେଇଥାନ୍ତି । ପ୍ରଥମ ଡୋଜ୍ ମଧ୍ୟରେ ୪-୬ ସପ୍ତାହ ବ୍ୟବଧାନ ରହିଥିଲା । ପରବର୍ତ୍ତୀ ସମୟରେ ୬-୮ ସପ୍ତାହ ଏବଂ ତା’ପରେ ବ୍ୟବଧାନ ୧୨-୧୪ ସପ୍ତାହ ବୃଦ୍ଧି କରାଯାଇଥିଲା । ଦୁଇ ଡୋଜ୍ ମଧ୍ୟରେ ଯେତେ ବ୍ୟବଧାନ ରହିବ ଭ୍ୟାକ୍ସିନ୍ ସେତେ ପ୍ରଭାବଶାଳୀ ହେବ ବୋଲି ଦାବି କରାଯାଇଛି ।

ନିର୍ଦ୍ଧାରିତ ସମୟ ମଧ୍ୟରେ ଭ୍ୟାକ୍ସିନ୍ ନ ମିଳିଲେ କ’ଣ ହେବ?

ବିଶେଷଜ୍ଞଙ୍କ ମତରେ ଯଦି କେହି ବ୍ୟକ୍ତିଙ୍କୁ ସମୟସୀମା ମଧ୍ୟରେ ଦ୍ୱିତୀୟ ଡାେଜ୍ ନମିଳେ ତେବେ ତାଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ହେଲେ ଧ୍ୟାନ ରଖନ୍ତୁ ଯେପରି ଅଧିକ ବିଳମ୍ବ ନହୁଏ । ଯଦି ଏମିତି ହେଉଛି ତାହେଲେ ଶରୀରରେ ସୃଷ୍ଟି ହୋଇଥିବା ଇମ୍ୟୁନିଟି ପାୱାର କମି ଯାଇଥାଏ । ଏଥିସହ ଆଣ୍ଟିବଡିକୁ ଅଧିକ ବୁଷ୍ଟ ମିଳିପାରି ନଥାଏ ।

କେତେ ବିଳମ୍ବ ହୋଇପାରେ ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ?

ବିଶେଷଜ୍ଞଙ୍କ ମତରେ ଦୁଇ ଡୋଜ୍ ମଧ୍ୟରେ ସର୍ବାଧିକ ୧୬ ସପ୍ତାହରୁ ଅଧିକ ବ୍ୟବଧାନ ରହିବା ଉଚିତ୍ ନୁହେଁ । କାରଣ ଭ୍ୟାକ୍ସିନର ଦ୍ୱିତୀୟ ଡୋଜକୁ ବୁଷ୍ଟର ଡୋଜ୍ କୁହାଯାଇଥାଏ । ଏଭଳି ସ୍ଥଳେ ୨ ଡୋଜ୍ ଲଗାଇବା ବହୁ ଜରୁରୀ । ଏହା ଦ୍ୱାରା ପୂର୍ବରୁ ଶରୀରରେ ସୃଷ୍ଟି ହୋଇଥିବା ଆଣ୍ଟିବଡି ଅଧିକ ମଜଭୁତ ହୋଇଥାଏ ।

ଦୁଇଟି ଭିନ୍ନ ଭିନ୍ନ ଭ୍ୟାକ୍ସିନ ଡୋଜ୍ ନେଇପାରିବା କି?

ଭାରତରେ ବର୍ତ୍ତମାନ ସମୟରେ କୋଭାକ୍ସିନ୍ ଓ କୋଭିସିଲ୍ଡ ଭଳି ଦୁଇଟି ଟିକା ଦିଆଯାଉଛି । ଏ ଦୁଇଟିର କାର୍ଯ୍ୟପ୍ରଣାଳୀ ଭିନ୍ନ ହୋଇଥିବା ବେଳେ ଏହାର ପ୍ରଭାବ ମଧ୍ୟ ଭିନ୍ନ । ଯାହା ଫଳରେ ଦୁଇଟି ଟିକା ଅଲଗା ହେଲେ ସମ୍ପୃକ୍ତ ବ୍ୟକ୍ତିକୁ ବୁଷ୍ଟର ଡୋଜ୍ ମିଳି ପାରିବ ନାହିଁ ।

 

 

ଅବିଶ୍ୱାସୀ ପ୍ରେମିକ; ପ୍ରେମିକା ସହ କଥାହେବାରୁ ସାଙ୍ଗକୁ ହତ୍ୟାକରି ପୋତି ଦେଲା…

ବଲାଙ୍ଗୀର: ପ୍ରେମ ପାଇଁ ତୁଚ୍ଛ ହୋଇଗଲା ବନ୍ଧୁତ୍ୱ । ପ୍ରେମିକାକୁ ପାଇବା ପାଇଁ ସାଙ୍ଗ ନେଲା ସାଙ୍ଗର ଜୀବନ । ରାୟଗଡା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଅତ୍ୟଧିକ ମଦ ପିଆଇବା ପରେ ତଣ୍ଟିଚିପି ବନ୍ଧୁକୁ ହତ୍ୟା କରି ଏକ ନାଳରେ ପୋତି ଦେଇଛି ବନ୍ଧୁ । ମୃତକ ହେଲେ ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ଦେବଲପଡା ଗାଁର ଉମାକାନ୍ତ କାଣ୍ଡ । ତେବେ ଟିଟିଲାଗଡ଼ର ସିରଭଟ୍ଟାପଡାର ରୁମାନ ବର୍ଗତ୍ତି ତାଙ୍କୁ ହତ୍ୟାକରି ନାଳରେ ପୋତି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଅନୁଯାୟୀ ଉମାକାନ୍ତ ଏବଂ ରୁମାନ ଦୁହେଁ ବହୁ ପୁରୁଣା ବନ୍ଧୁ ।

ତେବେ ରୁମାନ ଏକ ଝିଅକୁ ବହୁଦିନରୁ ଭଲପାଇ ଆସୁଥିଲେ । ହେଲେ ଦିନେ ସେହି ଝିଅ ଉମାକାନ୍ତ ସହ କଥା ହେବାର ଦେଖି ରୁମାନ୍ ପ୍ରତିଶୋଧ ପରାୟଣ ହୋଇଥିଲା । ସମ୍ପୃକ୍ତ ଝିଅକୁ ମାରପିଟ କରିବା ସହ ଉମାକାନ୍ତକୁ ବାଟରୁ ହଟାଇବା ପାଇଁ ପ୍ଲାନ ପ୍ରସ୍ତୁତ କରିଥିଲା । ଗତ ମେ’ ମାସ ୨ତାରିଖରେ ରାୟଗଡା ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଆସି ମର୍ଡର ପ୍ଲଟ ପ୍ରସ୍ତୁତ କରିଥିଲା ରୁମାନ । ଏନେଇ ବଡମାର ପୁଅ ପ୍ରଶାନ୍ତ ବର୍ଗତ୍ତି ଓ ଅନ୍ୟ ସାଙ୍ଗ ବିକାଶ ଭଟ୍ଟକୁ ସାହାଯ୍ୟ କରିବାକୁ କହିଥିଲା । ତେବେ ବୁଲାବୁଲି କରିବା ପାଇଁ ଉମାକାନ୍ତକୁ ଗତ ୩ ତାରିଖରେ ରାୟଗଡା ଡାକିଥିଲା ଉମାକାନ୍ତ ।

ଏଥିରେ ବିଶ୍ୱାସ କରି ଗତ ୪ ତାରିଖରେ ରାୟଗଡାରେ ପହଞ୍ଚିଥିଲା ଉମାକାନ୍ତ । ସେଠାରେ ଏକ ଭୋଜିର ଆୟୋଜନ କରିଥିଲେ ସମସ୍ତ ସାଙ୍ଗ । ଭୋଜିରେ ଉମାକାନ୍ତକୁ ଅତ୍ୟଧିକ ମଦ ପିଆଇବା ପରେ ତଣ୍ଟିଚିପି ରୁମାନ ଓ ଦୁଇ ସହଯୋଗୀ ହତ୍ୟା କରିଥିଲେ । ପରେ କଲ୍ୟାଣସିଂହପୁର ବ୍ଲକ ପୋଙ୍ଗଲି ଗାଁ ନିକଟ ଘୋଡା ନାଳରେ ପୋତି ଦେଇଥିବା ସୂଚନା ରହିଛି । ହତ୍ୟା କାଣ୍ଡ ପରେ ରୁମାନ୍ ଘଟଣାସ୍ଥଳ ଛାଡି ନିଜ ଗାଁକୁ ଚାଲି ଆସିଥିଲା । ତେବ ଉମାକାନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ୧୧ ତାରିଖରେ ଟିଟିଲାଗଡ଼ ଥାନାରେ ଏତଲା ଦେଇଥିଲେ । ପୋଲିସ ଉମାକାନ୍ତଙ୍କ ମୋବାଇଲ୍ ଟ୍ରାକ୍ କରିବା ପରେ ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିଥିଲା । ଘଟଣାରେ ପୋଲିସ ରୁମାନ ଏବଂ ଦୁଇ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଆଗ ଟିକା ତ’ ଦିଅ.. ତା’ପରେ ନିୟମ …

ମହାମାରୀ ଆସିଲା ଲୋକଙ୍କ ଉପରେ ଦାଉ ସାଧିଲା । ବର୍ତମାନ ସେହି ମହାମାରୀ ସହ ଲଢିବା ପାଇଁ ସବୁଆଡେ ଚାଲିଛି ଟିକାକରଣ ଅଭିଯାନ । ଟିକା ନେବା ହିଁ ମହାମାରୀକୁ ହରାଇବାର ପ୍ରମୁଖ ଅସ୍ତ୍ର । କିନ୍ତୁ ବର୍ତମାନ ଗୋଟିଏ ପଟେ ଭ୍ୟାକସିନ୍ର ଅଭାବ ତ ଅନ୍ୟପଟେ ଲୋକଙ୍କର ନାହିଁ ନଥିବା ଅସୁବିଧା । କେଉଁଠି ଟିକା ନ ନେଲେ ଲୋକଙ୍କୁ ଦରମା ମିଳିବନି ବୋଲି କୁହାଯାଉଥିବା ବେଳେ ଆଉ କେଉଁଠି ମଦ ପାଇଁ ଟିକାକରଣର ପ୍ରମାଣ ପତ୍ର ଜମା କରିବା ଦରକାର ପଡୁଛି । ଯେଉଁଥିପାଇଁ ସାଧାରଣ ଲୋକଙ୍କର ବଢିଲାଣି ଚିନ୍ତା ଏମିତିରେ ଲୋକ ପଚାରିବାକୁ ଆରମ୍ଭ କଲେଣି ଆଗ ଟିକା ତ’ ଦିଅ.. ତା’ପରେ ନିୟମ …

ଦେଶର ଟିକାକରଣ ସ୍ଥିତିକୁ ଯଦି ଦେଖିବା ତାହାଲେ ରାଜ୍ୟସରକାରଙ୍କ ପାଖରେ ଭ୍ୟାକସିନ ସରିଆସିଲାଣି । ଆଉ ଏନେଇ ରାଜ୍ୟସରକାରମାନେ କେନ୍ଦ୍ରସରକାରଙ୍କୁ ଅବଗତ ମଧ୍ୟ କରାଉଛନ୍ତି । ହେଲେ କିଛି ବି ଫଳ ମିଳୁନି । ଯେତେ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣରେ ଭ୍ୟାକସିନ୍ ମିଳିବନାହିଁ ,ସେତେ ପର୍ଯ୍ୟନ୍ତ ଟିକାକରଣ ଅଭିଯାନ କିପରି ବା ଆଗକୁ ବଢିପାରିବ? ଟିକା କେନ୍ଦ୍ର ଆଗରେ ଲମ୍ବା ଲାଇନ୍ ଦେବା ପରେ ମଧ୍ୟ ଟିକା ମିଳୁନି । କିନ୍ତୁ ସବୁ ଜାଣି ମଧ୍ୟ ନଜାଣିଲା ଭଳି କିଛି ଅଧିକାରୀ ଟିକାକରଣକୁ ନେଇ ଯେଉଁଭଳି ଆଦେଶ ଜାରି କରୁଛନ୍ତି ତାହା ଅନେକଙ୍କ ଚିନ୍ତା ବଢାଇ ଦେଇଛି ।

ମଧ୍ୟପ୍ରଦେଶର ଉଜ୍ଜେନର ନିଗମ କମିଶନର କ୍ଷିତିଶ ସିଙ୍ଘଲ ନୂଆ ନିୟମ ଲାଗୁ କରିଛନ୍ତି । ଟିକାକରଣକୁ ନେଇ ସେ ନିଜ କର୍ମଚାରୀଙ୍କ ଅବହେଳାକୁ ଦେଖି ଦରମା କାଟିବାର ନିଷ୍ପତ୍ତି ନେଇଛନ୍ତି । ତାଙ୍କ କହିବା ଅନୁସାରେ ଯେଉଁ କର୍ମଚାରୀମାନେ ଭ୍ୟାକସିନ ନେଇନାହାନ୍ତି କିମ୍ବା ନେବାକୁ ଚାହୁଁନାହାନ୍ତି ସେମାନଙ୍କୁ ଦରମା ଦିଆଯିବ ନାହିଁ । ତାସହ ଯେଉଁମାନେ ଭ୍ୟାକସିନର ପ୍ରଥମ ଡୋଜ୍ ନେଇସାରିଛନ୍ତି । ସେମାନଙ୍କୁ ତାଙ୍କ ଦରମା ମିଳିଯିବ । ନିଗମ କମିଶନରଙ୍କ କହିବା ଅନୁସାରେ ଉଭୟ କେନ୍ଦ୍ରସରକାର ଓ ରାଜ୍ୟସରକାର ନିଗମର କର୍ମଚାରୀମାନଙ୍କୁ ସମ୍ମୁଖ ଯୋଦ୍ଦା ମାନି ଟିକାକରଣ କରିବାକୁ ଆଦେଶ ଦେଲେ । କିନ୍ତୁ ଉଜ୍ଜୟନୀର ନଗରନିଗମର ୧୬୦୦ କର୍ମଚାରୀଙ୍କ ଭିତରୁ ଏଯାବତ୍ ୭୦ ପ୍ରତିଶତଙ୍କୁ ହିଁ ଭ୍ୟାକସିନ୍ ଦିଆଯାଇଛି । ଆଉ ଅନ୍ୟମାନେ ଅବହେଳା କରୁଥିବାରୁ ସେମାନଙ୍କର ମେ ମାସର ଦରମା ଅଟକ ରଖିବାକୁ କମିଶନର ନିଷ୍ପତ୍ତି ନେଇଛନ୍ତି । ଲୋକଙ୍କ ଭିଡ ଭିତରେ ଦିନସାରା କାମ କରୁଥିବା ଏହି କର୍ମଚାରୀ ମାନଙ୍କୁ ଭ୍ୟାକସିନ ନିଶ୍ଚିତ ରୂପେ ଜରୁରୀ । ସମ୍ମୁଖ ଯୋଦ୍ଧାଙ୍କ ସମେତ ସାଧାରଣ ଲୋକଙ୍କୁ ବି ଭ୍ୟାକସିନ ଦିଆଯାଉଛି । ହେଲେ କିଛି ଲୋକ ଏହାର ମୂଲ୍ୟ ନ ବୁଝି ଅବହେଳା କରୁଛନ୍ତି ।

କରୋନା ଟିକା ଲଗାଇବା ଯଦି ବାଧ୍ୟତାମୂଳକ ହୋଇଥାନ୍ତା ତାହାଲେ ହୁଏତ ଏସବୁ ଅସୁବିଧା ଦେଖିବାକୁ ମିଳିନଥାନ୍ତା । କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତ କହିଛନ୍ତି କି ଟିକା ନେବା କିମ୍ବା ନ ନେବା ଏହା ସେହି ବ୍ୟକ୍ତିଙ୍କର ନିଜସ୍ୱ ଇଚ୍ଚା । ଏଥିପାଇଁ କେହି ତାଙ୍କୁ ବାଧ୍ୟ କରିପାରିବେନି । କେବଳ ଉଜ୍ଜୟନୀରେ ନୁହେଁ ବରଂ ୟୁପିିର ଫିରୋଜାବାଦରେ ବି ଦରମା କାଟିବାର ନିୟମ ଲାଗୁ ହେଲାଣି । ୩ ଦିନ ଭିତରେ ଟିକା ନେଇନଥିବା କର୍ମଚାରୀ ତୁରନ୍ତ ଟିକା ନେଇ ପ୍ରମାଣପତ୍ର ଦାଖଲ କରନ୍ତୁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ଅନ୍ୟାନ୍ୟ ରାଜ୍ୟରେ ବି ଲୋକଙ୍କୁ ଟିକା ନେବା ପାଇଁ ଅଲଗା ଅଲଗା ଉପାୟ ଆପଣାଇ ବୁଝାଯାଉଛି । ହେଲେ ଲୋକଙ୍କର ଅଭିଯୋଗ ଯେ ସରକାରଙ୍କ ପାଖରେ ତ ଟିକା ନାହିଁ । ତେବେ ସେମାନେ ଟିକା ଲଗାଇବେ ବା କେମିତି?ହେଲେ ଏହିଭଳି ନିୟମକାନୁନ ଲାଗୁ ହେଲେ ସେମାନେ କରିବେ ତ କରିବେ କଣ? ଟିକାକରଣ କେନ୍ଦ୍ରକୁ ଗଲେ ଟିକା ମିଳୁନି ଏପଟେ ସରକାରଙ୍କୁ ପ୍ରଶ୍ନ କଲେ ଉତ୍ତର ମିଳୁନି । ମିଳୁଛି ତ କେବଳ ନିୟମ । ୟୁପିର ସେଫଇ ଠାରେ ଥିବା ଏସଡିଏମଓ ହେମ୍ କୁମାର ସିଂ ନିଜ ଅଂଚଳର ମଦ ଦୋକାନ ଉପରେ ବି ନୂଆ ନିୟମ ଲାଗୁ କରିଦେଇଛନ୍ତି । ସବୁ ଦୋକାନ ଆଗରେ ଅଫିସିଆଲ ପୋଷ୍ଟର ମଧ୍ୟ ଲଗାଯାଇଛି । ଏଣିକି ମଦ କିଣିବାକୁ ଗଲେ ବି ଲୋକଙ୍କୁ ଭ୍ୟାକସିନେସନର ପ୍ରମାଣ ପତ୍ର ଦେଖାଇବାକୁ ପଡିବ । ନହେଲେ ମଦ ମିଳିବନାହିଁ । ଏହି ପୋଷ୍ଟରରେ ଲୋକଙ୍କୁ ସଚେତନ କରାଯାଇଛି କି-ପ୍ରଥମେ ଭ୍ୟାକସିନ ନିଅନ୍ତୁ ତାପରେ ମଦ କିଣିବାକୁ ଆସନ୍ତୁ ।

 ବିହାରରେ ବି କଥା ସମାନ । ବିହାରର ସାରଣରେ ଜିଲ୍ଲାଧିକାରୀ ଡ. ନିଳେଶ ରାମଚନ୍ଦ୍ର ଦେବ ବି ସରକାରୀ କର୍ମଚାରୀଙ୍କୁ ତାଗିଦ କରିଛନ୍ତି । ସେମାନେ ଭ୍ୟାକସିନ ନନେଲେ ତାଙ୍କୁ ବି ଦରମା ମିଳବନାହିଁ । ହେଲେ ଏସବୁ ନିୟମକୁ ଦେଖି ବର୍ତମାନ କର୍ମଚାରୀମାନେ ଚିନ୍ତାରେ । ୧୮ରୁ ୪୫ବର୍ଷୀୟ କର୍ମଚାରୀ ମାନଙ୍କ ପାଇଁ ସ୍ଲୋଟ୍ ବୁକିଙ୍ଗ ହିଁ ହେଇପାରୁନାହିଁ । ଏହାରି ଭିତରେ ସେମାନେ ଟିକା ନେବାକୁ ଚାହିଁଲେ ବି ସେମାନେ ଟିକା ନେବେ କେମିତି । ଏଭଳି ଓଲଟାପାଲଟା ଆଦେଶ ଜାରି କରୁଥିବା ଅଧିକାରୀଙ୍କ ପାଖରେ କ’ଣ ଟିକାର ଷ୍ଟକକୁ ନେଇ କୌଣସୀ ସୂଚନା ନାହିଁକି ? ସମ୍ଭବତଃ ନାହିଁ । ଯଦି ଥାନ୍ତା ତେବେ ସେମାନେ ଏଭଳି ଆଦେଶ ଜାରି କରୁନଥାନ୍ତେ ।