spot_img
Home Blog Page 54

ପ୍ରକାଶ ପାଶୱାନଙ୍କୁ ରିମାଣ୍ଡରେ ନେବ ପୋଲିସ !

ନନ୍ଦିଘୋଷ ବ୍ୟୁରୋ : ରାଉରକେଲାର ଯୁବ ନେତା ପ୍ରକାଶ ପାସୱାନଙ୍କୁ ରିମାଣ୍ଡରେ ନେଇପାରେ ପୋଲିସ । ଆଜି କୋର୍ଟରେ ରଘୁନାଥ ପଲ୍ଲୀ ଥାନା ପୋଲିସ ଆବେଦନ କରିବ ବୋଲି ଜଣାପଡ଼ିଛି। ରିମାଣ୍ଡରେ ନେଲେ ଚୋରା ବନ୍ଧୁକ କାରବାର ନେଇ ଅଧିକ ତନାଘନା କରିବ। ପ୍ରକାଶଙ୍କ ଦୁଇ ସହଯୋଗୀଙ୍କୁ ମଧ୍ୟ ପୋଲିସ ପଚରା ଉଚରା କରୁଛି। ବିହାର ସମସ୍ତିପୁରରୁ ପ୍ରକାଶଙ୍କୁ ଗିରଫ କରିଥିଲା ପୋଲିସ ।

ଗତ ରାତିରେ କୋର୍ଟରେ ହାଜିରା ପରେ ହାଜତକୁ ପଠାଯାଇଥିଲା। ରାଉରକେଲା ପାନପୋଷ ସର୍କିଟ ହାଉସରେ ଚୋରା ବନ୍ଧୁକ ସହିତ ଅପରାଧୀ ଧରାପଡ଼ିଥିଲେ। ୯ ଜଣଙ୍କୁ ଗିରଫ କରାଯାଇଥିଲା। ଜବତ ହୋଇଥିଲା ୪ଟି ବନ୍ଧୁକ ଓ ୧୧ଟି ଗୁଳି। ସାମ୍ନାକୁ ଆସିଥିଲା ସେଥିରେ ରହିଛି ପ୍ରକାଶ ପାସୱାନଙ୍କ ଲିଙ୍କ୍। ସେ କିନ୍ତୁ ବିହାରକୁ ଖସି ଯାଇଥିଲେ। ତାଙ୍କୁ ସମସ୍ତିପୁରରୁ ଗିରଫ କରାଯାଇ ଓଡ଼ିଶାକୁ ଅଣାଯାଇଥିଲା। ରାଉରକେଲା ଟିମ୍ଵର କଲୋନୀ ନିକଟ ସଂରକ୍ଷିତ ଜଙ୍ଗଲ ଜମିରେ ପ୍ରକାଶ ପାଶଓ୍ବାନ ବେଆଇନ ଭାବେ ଅଫିସ କରିଥିବାର ବି ଅଭିଯୋଗ ଅଛି। ବନ ବିଭାଗ ଏହାର ତଦନ୍ତ କରୁଛି। ଆଜି ପାନପୋଷ ରେଞ୍ଜ ଅଫିସର ତଦନ୍ତ ରିପୋର୍ଟ ଦେବା ପରେ ଆକ୍ସନ ନିଆଯିବ ବୋଲି ଡିଏଫଓ କହିଛନ୍ତି।

କଟକ ରେଭେନ୍ସା ୟୁନିଭରସିଟିର ଶିକ୍ଷକ ସଂଘର ଧାରଣା

ନନ୍ଦିଘୋଷ ବ୍ୟୁରୋ : ସମୂହ ଛୁଟିରେ କଟକ ରେଭେନ୍ସା ୟୁନିଭରସିଟିର ଶିକ୍ଷକ ସଂଘ। ସମସ୍ତ ଅଧ୍ଯାପକ ଅଧ୍ୟାପିକା ଆଜି ଗୋଟିଏ ଦିନ ସମୂହ ଛୁଟିରେ ଯାଇଛନ୍ତି। ଆଜି ସେମାନେ କୁଳପତିଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। ପୂର୍ବ ବିବାଦର ସମାଧାନ ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେଇ ନ ଥିବାରୁ ଆଜି କଳାବ୍ଯାଚ ପିନ୍ଧି ପ୍ରତିବାଦ କରୁଛନ୍ତି ରୁଟାର ସଦସ୍ଯ

ହଷ୍ଟେଲ ବିବାଦର ସମାଧାନ ବେଳେ କଟକ ସଦର ବିଧାୟକ ଜଣେ ପ୍ରଫେସରଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରିଥିଲେ। ଏହା ପରେ ରୁଟା ଆନ୍ଦୋଳନକୁ ଓହ୍ଲାଇଥିବା ଦେଳେ ସଂପୃକ୍ତ ଚିଫ୍ ୱାଡେନ ଙ୍କ ନାଁରେ ବିଧାୟକ ବାଚସ୍ପତିଙ୍କୁ ଏକ ଚିଠି ଲେଖିଥିଲେ। ଅନେକ ବୈଠକ ହୋଇ ଥିଲେ ସୁଦ୍ଧା ବିବାଦ ର ସମାଧାନ ହୋଇ ପାରି ନାହିଁ। ସେତେବେଳେ ସମସ୍ତ ୱାଡେନ ଇସ୍ତଫା ଦେଇଥିଲେ। ପରେ ଇସ୍ତଫା ଗ୍ରହଣ କରି ସମସ୍ତ ୱାଡେନଙ୍କୁ ବଦଳାଇଥିଲେ କର୍ତ୍ତୃପକ୍ଷ।

SCB ଆର୍ଥିକ ହେରଫେର, ଜଣେ ଗିରଫ

ନନ୍ଦିଘୋଷ ବ୍ୟୁରୋ : କଟକ SCB ମେଡିକାଲ କଲେଜ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଜଣେ ଡିଇଓ ଗିରଫ । ଦୀନେଶ ରାଉତଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ । ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିବା ଦୀନେଶ ବଡ଼ ଧରଣର ଆର୍ଥିକ ହେରଫେରରେ ସଂପୃକ୍ତ ଥିବା ଜଣା ପଡିବା ପରେ ତାଙ୍କୁ ଗିରଫ କରାଯାଇଛି । ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିଭିନ୍ନ ଦେୟକୁ ସେ ବିଭିନ୍ନ ସମୟରେ ହଡପ କରି ନେଇଥିଲେ । ଏନେଇ ଅଭିଯୋଗ ହେବା ପରେ ଧରପଗଡ଼ ଆରମ୍ଭ ହୋଇଥିଲା ।

ଦେବୀ ନଦୀକୁ ଡେଇଁ ପଡ଼ିଲେ ଯୁବକ କାରଣ ଅସ୍ପଷ୍ଟ

ନନ୍ଦିଘୋଷ ବ୍ୟୁରୋ : ଦେବୀ ନଦୀକୁ ଡେଇଁ ପଡ଼ିଲେ ଯୁବକ । ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଶିଖର ହାଟ ପୋଲ ଉପରେ ସ୍କୁଟି ଥୋଇ ଯୁବକ ନଦୀକୁ ଡେଇଁ ପଡିଛନ୍ତି । ଯୁବକ ଜଣକ ତିହୁଡ଼ା ଗାଁର ୨୦ ବର୍ଷୀୟ ଶୈଳେଶ ପାଢ଼ୀ ବୋଲି ଜଣାପଡ଼ିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି । ତେବେ ଯୁବକ ଜଣଙ୍କ କାହିଁକି ନଦୀକୁ ଡେଇଁପଡ଼ିଲେ ? କାରଣ ଅସ୍ପଷ୍ଟ ରହିଛି ।  ଘଟଣା ସ୍ଥଳରେ ନାଉଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଖୋଲିବ ପାରାଦୀପ ଜାହାଜ ବୁଡ଼ି ଘଟଣାର ରହସ୍ୟ

ନନ୍ଦିଘୋଷ ବ୍ୟୁରୋ : ଲୁହା ପଥର ଜାହାଜ ଓସେନ ୱିନର ବୁଡ଼ିବା ଘଟଣାର ଚାଲିଛି ତଦନ୍ତ। ଉଦ୍ଧାର ହୋଇଥିବା ଦୁଇ କର୍ମଚାରୀଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଉଛି। କିନ୍ତୁ ତାଙ୍କ ଭାଷା ବୁଝି ହେଉନଥିବାରୁ ଦୁଇ ଜଣ ଅନୁବାଦକ ଆସିଛନ୍ତି। ସେମାନେ ପାରାଦୀପରେ ଆସି ପହଞ୍ଚିଛନ୍ତି।

ଉଦ୍ଧାର ଦୁଇ କର୍ମଚାରୀଙ୍କଠାରୁ ତଥ୍ୟ ହାସଲ କରିବାରେ ଏମାନେ ସାହାଯ୍ୟ କରିବେ। ଓସେନ ୱିନରରେ ମୋଟ ୨୪ ଜଣ କର୍ମଚାରୀ ଥିଲେ। ଦୁଇ ଜଣଙ୍କୁ ଅଗଷ୍ଟ ୨୨ ତାରିଖରେ ଉଦ୍ଧାର କରାଯାଇଥିଲା। ଗତକାଲି ସେମାନେ ପାରାଦୀପରେ ପହଞ୍ଚିଥିଲେ। ପଚରା ଉଚରା କରି ତଥ୍ୟ ସଂଗ୍ରହ ପରେ ସେହି ଦୁଇ କର୍ମଚାରୀଙ୍କୁ ଚୀନ ପଠାଯିବ।

୨୧ ତାରିଖରେ ପାରାଦୀପରୁ ପ୍ରାୟ ୨୩୦ ନଟିକାଲ ମାଇଲ ଦୂରରେ ବୁଡ଼ି ଯାଇଥିଲା ଓସେନ ୱିନର। ଜାହାଜର ମୋଟ ୨୪ କର୍ମଚାରୀଙ୍କ ମଧ୍ୟରୁ ୨୦ ଜଣ ଚୀନର, ୩ ଜଣ ମିଆଁମାରର ଓ ଜଣେ ବାଂଲାଦେଶୀ।

ଆଜି ଠାରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା

ନନ୍ଦିଘୋଷ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ୨୯ ତାରିଖରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ଆଜି ଠାରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା । ୨ ଜିଲ୍ଲାକୁ ଅରେଞ୍ଜ ଓ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି l

ଏହି ଜିଲ୍ଲାରେ ଘଡ଼ଘଡ଼ି ଓ ବିଜୁଳି ସହ ୪୦ ରୁ ୫୦ କିଲୋମିଟର ବେଗରେ ବପନ ବହିବାର ସମ୍ଭାବନା ରହିଛି । ସେହିପରି ପ୍ରବଳ ବର୍ଷା ନେଇ ୧୯ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କଟକ , ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି  । ଅନ୍ୟ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ସେପ୍ଟେମ୍ବର ୩ ତାରିଖ ଯାଏ ଲାଗି ରହିବ ବର୍ଷା ।

ସେପଟେ ଆସନ୍ତା ୩୦ ଓ ୩୧ ତାରିଖରେ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ଗତ ୨୪ ଘଣ୍ଟାରେ କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୮୫ ମିଲି ମିଟର ବର୍ଷା ରେକର୍ଡ ହୋଇଛି ।

କାନପୁର ନିକଟରେ ଟ୍ରେନି ବିମାନ ଦୁର୍ଘଟଣା କ୍ଷେତରେ ଖସିପଡ଼ିଲା ବିମାନ

ନନ୍ଦିଘୋଷ ବ୍ୟୁରୋ : ଉତ୍ତରପ୍ରଦେଶର କାନପୁରରେ ଟ୍ରେନିଂ ବିମାନ ଦୁର୍ଘଟଣା। ଗଙ୍ଗା ନଦୀ କୂଳ ନିକଟ ଏକ କ୍ଷେତରେ ଦୁଇ ଇଞ୍ଜିନ୍ ବିଶିଷ୍ଟ ଚାରି ସିଟ୍‌ର ଟ୍ରେନିଂ ବିମାନ  ଖସି ପଡ଼ିଛି। ଏଥିରେ ଉଭୟ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଜଣେ ଟ୍ରେନି ପାଇଲଟ୍ ଥିବା ବେଳେ ଅନ୍ୟଜଣ ଇନ୍‌ଷ୍ଟ୍ରକ୍ଟର ଥିଲେ। ପୁଲିସ ସୂଚନା ଅନୁସାରେ, ଗୁଜରାଟର ସଚିନ ଭାଟିଆ ଏବଂ କର୍ଣ୍ଣାଟକର ଅଭିଷେକ ପୂଜାରୀ ଗୁରୁବାର ସକାଳ ପ୍ରାୟ ୧୧ଟା ୩୦ରେ କାନପୁର Garg Aviation Training Centreରୁ ବିମାନ ନେଇ ଉଡ଼ାଣ ଭରିଥିଲେ।

ପ୍ରାୟ ୨୦ ମିନିଟ୍ ପରେ ଟ୍ରେନିଂ ସେଣ୍ଟରକୁ ଫେରୁଥିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର ଇନ୍‌ଷ୍ଟ୍ରକ୍ଟରଙ୍କର ପ୍ରାୟ ୩,୦୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଥିଲା। ଘଟଣା ସମ୍ପର୍କରେ DGCAକୁ ଅବଗତ କରାଯାଇଛି। DGCAର ଏକ ଟିମ୍ ଦୁର୍ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରିବ। ଘଟଣାସ୍ଥଳକୁ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ରଖିଛି।

ଦୁର୍ଘଟଣାର ଖବର ପାଇବା ପରେ ତୁରନ୍ତ ଜରୁରୀକାଳୀନ ସେବା ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାସ୍ଥଳର ଚିତ୍ରରେ ବିମାନଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି।ତେବେ ବିମାନଟି କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା, ତାହାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଉଡ଼ାଣ ସମୟରେ ବିମାନଟି ନିୟନ୍ତ୍ରଣ ହରାଇବା ପରେ ଦୁର୍ଘଟଣା ଘଟିଥିବା ଅଧିକାରୀମାନେ କହିଛନ୍ତି। ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ। ଏହି ଟ୍ରେନିଂ ବିମାନଟି ୨୦୨୩ ମସିହାରେ ଟ୍ରେନିଂ ସେଣ୍ଟରକୁ ଅଣାଯାଇଥିଲା ।

ଦାଦାବଟି ନଦେବାରୁ ଖଣ୍ଡାରେ ଆକ୍ରମଣ, ଯୁବକ ଓ ମାମୁଁ ଆହତ

ନନ୍ଦିଘୋଷ ବ୍ୟୁରୋ : ଦାଦାବଟି ମାଗିଲେ, ନଦେବାରୁ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଭରତପୁର ଅଞ୍ଚଳରେ ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ। ଗଣେଶ ପୂଜା ପୂର୍ବରୁ ରାଜଧାନୀରେ ଅପରାଧୀଙ୍କ ହଲ୍ଲାବୋଲ। ଖଣ୍ଡାରେ ହାଣି ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଲହୁଲୁହାଣ କରିଦେଇଛନ୍ତି। ଅଟକାଇବାରୁ ତାଙ୍କ ମାମୁଁଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି। ଆହତ ଯୁବକ ଜଣକ ହେଲେ ଅଂଶୁମାନ ପଟ୍ଟନାୟକ। ତାଙ୍କର ଏକ ସେଲ୍ଫ ଡ୍ରାଇଭ୍ କାର୍ ସୋରୁମ୍ ରହିଛି।

ଗତକାଲି ରାତି ପ୍ରାୟ ୯ଟା ସମୟରେ ଅଂଶୁମାନ ଭରତପୁରସ୍ଥିତ ଆୟୁର୍ବେଦିକ୍ ହସ୍ପିଟାଲ ନିକଟରେ ଛିଡ଼ା ହୋଇଥିବା ବେଳେ କିଛି ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଅଂଶୁମାନଙ୍କ ମାମୁଁ ମଧ୍ୟ ଖଣ୍ଡା ଚୋଟର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେପଟେ, ଏନେଇ ଆହତ ଦୁଇଜଣ ଆଜି ଭରତପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନେ ରାଜନେତାଙ୍କ ଛତ୍ରଛାୟାରେ ରହି ବାରମ୍ବାର ଏଭଳି କାଣ୍ଡ ଭିଆଉଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ : ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ରାସ୍ତା କଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର। ପୁରୀ ଜିଲ୍ଲା କାକଟପୁର-ନିମାପଡ଼ା ମୁଖ୍ୟ ରାସ୍ତା ଚାରିଛକରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଚାରିଛକ ପୋଲିସ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ର ଜିମା ଦେଇଥିଲା। ସେଠାରେ ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ, ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଶିଶୁଟିର ଯତ୍ନ ଓ ସୁରକ୍ଷା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଶିଶୁ ମଙ୍ଗଳ ସମିତିକୁ ଅବଗତ କରାଯାଇଛି। କେଉଁ ପରିସ୍ଥିତିରେ ଏବଂ କାହା ଦ୍ୱାରା ନବଜାତ ଶିଶୁଟିକୁ ରାସ୍ତା କଡ଼ରେ ଫିଙ୍ଗି ଦିଆଗଲା, ସେ ନେଇ ପୋଲିସ ସ୍ଥାନୀୟ ଅଞ୍ଚଳରେ ତଦନ୍ତ ଆରମ୍ଭ କରିଛି।

ସେପ୍ଟେମ୍ବର ୧ ରୁ ଦେଶରେ ଏହି ୫ଟି ମୁଖ୍ୟ ପରିବର୍ତ୍ତନ ହେବ

ଏହି ୫ଟି ପ୍ରମୁଖ ପରିବର୍ତ୍ତନ ସେପ୍ଟେମ୍ବର ୧ ରୁ ଦେଶର ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ପକେଟକୁ ପ୍ରଭାବିତ କରିବ। ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ, ନୂତନ ସେପ୍ଟେମ୍ବର ମାସ ଅନେକ ବଡ଼ ପରିବର୍ତ୍ତନ ସହିତ ଆରମ୍ଭ ହେବ। ଏହି ପରିବର୍ତ୍ତନଗୁଡ଼ିକ ଆପଣଙ୍କ ରୋଷେଇ ଘର ବଜେଟ୍ ଠାରୁ ଆରମ୍ଭ କରି ବିଦେଶ ଯାତ୍ରା ପର୍ଯ୍ୟନ୍ତ ସବୁକିଛି ସହିତ ଜଡିତ, ତେଣୁ ଆପଣଙ୍କ ପାଇଁ ସେଗୁଡ଼ିକ ବିଷୟରେ ସଚେତନ ରହିବା ଗୁରୁତ୍ୱପୂର୍ଣ୍ଣ। ତୈଳ ବିପଣନ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡର ମୂଲ୍ୟ ସଂଶୋଧନ କରିବା ସହିତ ନୂତନ ମୂଲ୍ୟ ଜାରି କରିବେ, କିନ୍ତୁ ବିମାନ ଟର୍ବାଇନ୍ ଇନ୍ଧନ ମୂଲ୍ୟ ରେ ସଂଶୋଧନ ବିମାନ ଯାତ୍ରା ଖର୍ଚ୍ଚରେ ପରିବର୍ତ୍ତନ ଆଣିପାରେ।

ପ୍ରଥମ ପରିବର୍ତ୍ତନ: ଏଲପିଜି ସିଲିଣ୍ଡର ମୂଲ୍ୟ: ପ୍ରତି ମାସର ପ୍ରଥମ ତାରିଖରେ ଅନେକ ବଡ଼ ପରିବର୍ତ୍ତନ ଦେଖାଯାଏ ଏବଂ ଏଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ଏଲପିଜି ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ। ନୂତନ ଏଲପିଜି ସିଲିଣ୍ଡର ମୂଲ୍ୟ ମଧ୍ୟ ସେପ୍ଟେମ୍ବର୧ ରେ ପ୍ରକାଶିତ ହେବ, ଯାହା ରୋଷେଇ ଘର ବଜେଟ୍ ଉପରେ ସିଧାସଳଖ ପ୍ରଭାବ ପକାଇବ। ଅଗଷ୍ଟ ୧ ତାରିଖରେ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସର ମୂଲ୍ୟ ୨୦୨ ଟଙ୍କା ହ୍ରାସ କରିଥିଲେ, କିନ୍ତୁ ୧୪.୨ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସ୍ଥିର ରଖାଯାଇଥିଲା।

ଦ୍ୱିତୀୟ ପରିବର୍ତ୍ତନ: ଏଲପିଜି ଇ-କେଓ୍ବାସି ନିୟମ ଯଦି ଆପଣ ଘରୋଇ ଏଲପିଜି ସିଲିଣ୍ଡର ପାଇବା ଜାରି ରଖିବାକୁ ଚାହାଁନ୍ତି, ତାହା ମଧ୍ୟ ସମାନ ମୂଲ୍ୟରେ, ତେବେ ଆପଣଙ୍କ ପାଖରେ ଏଲପିଜି ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ କାମ କରିବା ପାଇଁ ଅଗଷ୍ଟ୩୧ ପର୍ଯ୍ୟନ୍ତ ଚାରି ଦିନ ସମୟ ଅଛି। ଆଇଓସିଏଲ, ବିପିସିଏଲ, ଏଚପିସିଏଲ ସମ୍ପ୍ରତି ଏଲପିଜି e-KYC ପ୍ରକ୍ରିୟା ସମାପ୍ତ କରିବାର ଶେଷ ତାରିଖ ଅଗଷ୍ଟ ୨୩ ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଯଦି ଆପଣ ଏପରି ନକରନ୍ତି, ତେବେ ଆପଣଙ୍କୁ ସେପ୍ଟେମ୍ବର ୧ ରୁ ମହଙ୍ଗା ଏଲପିଜି କିଣିବାକୁ ପଡ଼ିପାରେ କିମ୍ବା ଆପଣଙ୍କୁ ସିଲିଣ୍ଡର ପାଇବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ତୃତୀୟ ପରିବର୍ତ୍ତନ: ବିମାନ ଇନ୍ଧନ, ସିଏନଜି, ଏବଂ ପିଏନଜି ମୂଲ୍ୟ ତେଲ ମାର୍କେଟିଂ କମ୍ପାନୀଗୁଡ଼ିକ ମାସର ପ୍ରଥମ ଦିନ ସକାଳେ କେବଳ ନୂତନ ଏଲପିଜି ମୂଲ୍ୟ ପ୍ରକାଶ କରନ୍ତି ନାହିଁ, ବରଂ ବିମାନ ଇନ୍ଧନ ମୂଲ୍ୟ ମଧ୍ୟ ସଂଶୋଧନ କରନ୍ତି। ଏହା ବିମାନ ଯାତ୍ରୀଙ୍କ ପକେଟ ଖର୍ଚ୍ଚ ଉପରେ ସିଧାସଳଖ ପ୍ରଭାବ ପକାଏ। ସେପ୍ଟେମ୍ବରରେ ନୂତନ ବିମାନ ଇନ୍ଧନ ମୂଲ୍ୟ ମଧ୍ୟ ପ୍ରକାଶିତ ହୋଇପାରେ। ଏହା ସହିତ, ସିଏନଜି ଏବଂ ପିଏନଜି ମୂଲ୍ୟରେ ପରିବର୍ତ୍ତନ ମଧ୍ୟ ପରିଲକ୍ଷିତ ହୋଇପାରେ।

ଚତୁର୍ଥ ପରିବର୍ତ୍ତନ: ଏହି କାରଗୁଡ଼ିକ ମହଙ୍ଗା ହେବ। ସେପ୍ଟେମ୍ବର ମାସର ଆରମ୍ଭ କାର ପ୍ରେମୀଙ୍କ ପାଇଁ ଏକ ବଡ଼ ଝଟକା ହେବ। ପ୍ରକୃତରେ, ଟାଟା ମୋଟର୍ସ ପାସେଞ୍ଜର ଭେଇକିଲ୍ସ ଲିମିଟେଡ୍ ସେପ୍ଟେମ୍ବର ୧, ୨୦୨୬ ରୁ ଏହାର ସମସ୍ତ କାର ଏବଂ ଏସୟୁଭି ର ମୂଲ୍ୟ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯାଉଛି। କମ୍ପାନୀ ଅନୁଯାୟୀ, ଏହି ମୂଲ୍ୟ ବୃଦ୍ଧି ଆଇସିଇ ଏବଂ ଇଲେକ୍ଟ୍ରିକ୍ ଯାନ ଉଭୟ ପାଇଁ ପ୍ରଯୁଜ୍ୟ ହେବ। ତଥାପି, ଏହା ମଡେଲ୍ ଏବଂ ପ୍ରକାର ଅନୁସାରେ ଭିନ୍ନ ହେବ  । ଟାଟା ବ୍ୟତୀତ, ହୁଣ୍ଡାଇ ମୋଟର ଇଣ୍ଡିଆ ମଧ୍ୟ ଚଳିତ ବର୍ଷ ଏହାର କାରର ମୂଲ୍ୟରେ ତୃତୀୟ ବୃଦ୍ଧି ଘୋଷଣା କରିଛି  ।

ପଞ୍ଚମ ପରିବର୍ତ୍ତନ: ବିମାନବନ୍ଦର ସହ ଜଡିତ ପରିବର୍ତ୍ତନ। ୧ ସେପ୍ଟେମ୍ବରରୁ ନିୟମ ପରିବର୍ତ୍ତନରେ ଆପଣଙ୍କ ବିଦେଶ ଯାତ୍ରା ସହ ଜଡିତ ଏକ ବଡ଼ ପରିବର୍ତ୍ତନ ମଧ୍ୟ ଅନ୍ତର୍ଭୁକ୍ତ। ଭାରତରୁ ବିଦେଶ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଆଉ ଇମିଗ୍ରେସନ୍ କାଉଣ୍ଟରରେ ସେମାନଙ୍କର ବୋର୍ଡିଂ ପାସ୍ ଷ୍ଟାମ୍ପ କରିବାକୁ ପଡିବ ନାହିଁ। ଏହା ବଦଳରେ, ଯାତ୍ରୀମାନେ ସେମାନଙ୍କ ମୋବାଇଲରେ ଇଲେକ୍ଟ୍ରୋନିକ୍ ବୋର୍ଡିଂ ପାସ୍ କିମ୍ବା ଏହାର ପ୍ରିଣ୍ଟେଡ୍ କପି ଦେଖାଇ ଇମିଗ୍ରେସନ୍ ପ୍ରକ୍ରିୟା ସମାପ୍ତ କରିପାରିବେ। ଏହି ନିୟମ ପରିବର୍ତ୍ତନ ବିମାନ ଯାତ୍ରୀମାନଙ୍କୁ ବହୁତ ଆଶ୍ୱସ୍ତି ପ୍ରଦାନ କରିବ।