ନନ୍ଦିଘୋଷ ବ୍ୟୁରୋ :ରାକ୍ଷୀ ପୂର୍ଣ୍ଣିମାରେ ରାଜଧାନୀର ବିଭିନ୍ନ ମିଠା ଦୋକାନରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ। ଚଢ଼ାଉ ସମୟରେ ସୂର୍ଯ୍ୟନଗର ଅଞ୍ଚଳର ହୋଟେଲ ଭେନସ୍ ଇନ୍ ଏବଂ ଜାଗମରା ଅଞ୍ଚଳର ଏକ ମିଠା ଦୋକାନରେ ବ୍ୟାପକ ଯାଞ୍ଚ କରାଯାଇଛି। ମିଠା ତିଆରି ପାଇଁ ବ୍ୟବହୃତ ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ ସହ ମିଠା ପ୍ରସ୍ତୁତ ସ୍ଥାନ ଓ ସଂରକ୍ଷଣ ପାଇଁ ବ୍ୟବହୃତ ଫ୍ରିଜ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଯାଞ୍ଚ କରାଯାଇଛି। ଏହା ସହ ଖାଦ୍ୟ ନିରାପତ୍ତା ନିୟମ ଅବମାନନା କରୁଥିବା ଦୋକାନୀମାନଙ୍କ ଉପରେ ଜୋରିମାନା ଲାଗୁ କରିଛି ଖାଦ୍ୟ ନିରାପତ୍ତା ବିଭାଗ।
ରାୟଗଡ଼ାରେ ବଲାଙ୍ଗୀର ପୋଲିସର ଚଢ଼ାଉ, ୫ କିଲୋରୁ ଅଧିକ ସୁନା-ରୁପା ଜବତ
ନନ୍ଦିଘୋଷ ବ୍ୟୁରୋ : ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ ଖରଯୋଡ଼ା ଗାଁରେ ବଲାଙ୍ଗୀର ପୋଲିସର ବଡ଼ ଚଢ଼ାଉ। ବିଭିନ୍ନ ଜିଲ୍ଲାରେ ଘଟିଥିବା ଚୋରି ଘଟଣାର ତଦନ୍ତ ବେଳେ ପୋଲିସ ବିପୁଳ ପରିମାଣର ସୁନା ଓ ରୁପା ସାମଗ୍ରୀ ଜବତ କରିଛି। ଘଟଣାରେ ୨ ଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଅନେକ ସନ୍ଦିଗ୍ଧ ଫେରାର ଥିବା ସୂଚନା ମିଳିଛି। ବଲାଙ୍ଗୀର ଜିଲ୍ଲାରେ ଗତ କିଛି ମାସ ଧରି ଘଟିଥିବା ଏକାଧିକ ଚୋରି ମାମଲାର ତଦନ୍ତ କରୁଥିବା ବଲାଙ୍ଗୀର ପୋଲିସ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ପହଞ୍ଚି ଚଢ଼ାଉ କରିଛି। କାଶୀପୁର ବ୍ଲକ ଫଣସଗୁଡ଼ା ଗାଁ ସମେତ କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ଖରଯୋଡ଼ା ଗାଁରେ ପୋଲିସ ଚଢ଼ାଉ କରିଥିଲା।
ଚଢ଼ାଉ ସମୟରେ ପୁଳା ପୁଳା ସୁନା ଓ ରୁପା ସାମଗ୍ରୀ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି। ପ୍ରାଥମିକ ସୂଚନା ଅନୁସାରେ, ଜବତ ସାମଗ୍ରୀର ଓଜନ ୫ କିଲୋରୁ ଅଧିକ ହୋଇଥିବା ଅନୁମାନ କରାଯାଉଛି।
ଓସେନ ୱିନରର ଆଉ ୨ କ୍ରିଉ ସଦସ୍ୟ ଉଦ୍ଧାର, ୨୦ ଏବେ ବି ନିଖୋଜ
ନନ୍ଦିଘୋଷ ବ୍ୟୁରୋ :ସମୁଦ୍ରରେ ବୁଡ଼ି ଯାଇଥିବା ଜାହାଜର ଦୁଇ କର୍ମଚାରୀ ଉଦ୍ଧାର। ପାରାଦ୍ୱୀପରେ ପହଞ୍ଚିଲେ ଉଦ୍ଧାର ହୋଇଥିବା ଦୁଇ କ୍ରିଉ ସଦସ୍ୟ। କୋଷ୍ଟଗାର୍ଡ ଜାହାଜ ‘ଭରଦ’ରେ ଆସିଲେ ପାରାଦ୍ୱୀପ। ଇମିଗ୍ରେସନ ବିଭାଗର ଯାଞ୍ଚ ପରେ ସେମାନଙ୍କୁ ଜାହାଜ ଏଜେଣ୍ଟଙ୍କୁ ହସ୍ତାନ୍ତର କରାଯିବ। ଉଭୟ ସଦସ୍ୟ ସୁସ୍ଥ ଥିବା ସୂଚନା ମିଳିଛି।
ଏବେ ବି ୨୦ ଜଣ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟରେ ଚାଇନାର ଦୁଇଟି ଜାହାଜ, ନ୍ୟାଭିର ଦୁଇଟି ଏୟାରକ୍ରାଫ୍ଟ ସହିତ କୋଷ୍ଟଗାର୍ଡର ଗୋଟିଏ ଜାହାଜ ନିୟୋଜିତ ଅଛି। ୨୧ ତାରିଖ ରାତିରେ ଲୁହାପଥର ବୋଝେଇ ‘ଓସେନ ୱିନର’ ବୁଡ଼ି ଯାଇଥିଲା। ୨୪ ଜଣଙ୍କ ମଧ୍ୟରୁ ୨ ଜଣ ପୂର୍ବରୁ ଉଦ୍ଧାର ହୋଇଥିଲେ। ଏବେ ଆଉ ୨ ଜଣ ମିଳିଛନ୍ତି। ତଥାପି ୨୦ ଜଣଙ୍କ ପତ୍ତା ନାହିଁ।
ଖଡ଼ଗ ନଦୀରେ ଡଙ୍ଗା ବୁଡ଼ିଲା, ଶଶୁର-ବୋହୂ ନିଖୋଜ
ନନ୍ଦିଘୋଷ ବ୍ୟୁରୋ : ଖଡ଼ଗ ନଦୀରେ ଡଙ୍ଗା ବୁଡ଼ିଲା, ଶଶୁର ଓ ବୋହୂ ନିଖୋଜ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଡାକା ଗାଁରେ ଘଟିଛି ଅଭାବନୀୟ ଘଟଣା। ନିଖୋଜ ଦୁଇ ଜଣ ହେଲେ ସୁଡ୍ରା ଅଞ୍ଚଳର ଶଶୁର ଗୁନ୍ଦନା ମଲ୍ଲିକ ଓ ବୋହୂ ରାଇଙ୍ଗି ମଲ୍ଲିକ।
ସୂଚନା ଅନୁଯାୟୀ, ରାଇଙ୍ଗି ନିଜ ବାପଘର ଡାଟା ଗ୍ରାମକୁ ସୁଦ୍ଧାକ୍ରିୟାରେ ଯୋଗଦେବା ପାଇଁ ଶ୍ୱଶୁର ଗୁନ୍ଦନା ମଲ୍ଲିକଙ୍କ ସହ ଯାଇଥିଲେ। ପରେ ନଦୀ ଆରପାରିରେ ଥିବା ନିଜ ମାମୁଁ ଘରକୁ ଡଙ୍ଗାରେ ଖଡ଼ଗ ନଦୀ ପାର ହୋଇ ଶଶୁରଙ୍କ ସହ ଯାଇଥିଲେ। ଗତକାଲି ଫେରିବା ବେଳେ ଡଙ୍ଗା ଭାରସାମ୍ୟ ହରାଇ ନଦୀ ମଝିରେ ଓଲଟି ପଡ଼ିଥିଲା।
ଡଙ୍ଗାରେ ଥିବା ୧୦ ଜଣଙ୍କ ମଧ୍ୟରୁ ୮ ଜଣ ଉଦ୍ଧାର ହୋଇଥିବା ବେଳେ ଗୁନ୍ଦନା ମଲ୍ଲିକ ଓ ରାଇଙ୍ଗି ମଲ୍ଲିକ ନିଖୋଜ ହୋଇଯାଇଥିଲେ। ଆଜି ଘଟଣାସ୍ଥଳରେ ବାଲିଗୁଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଦୁଇଜଣଙ୍କୁ ଉଦ୍ଧାର ପାଇଁ ନଦୀରେ ସର୍ଚ୍ଚ ଅଭିଯାନ ଜାରି ରଖିଛନ୍ତି। ସେପଟେ ସମ୍ପର୍କୀୟ ଓ ପରିବାର ଲୋକେ ମଧ୍ୟ ଖୋଜାଖୋଜି ଜାରି ରଖିଛନ୍ତି।
ନେପାଳରେ ଫ୍ଲାସ୍ ଫ୍ଲଡ୍ ତାଣ୍ଡବ: ମୃତ୍ୟୁସଂଖ୍ୟା ୧୬୦ ଟପିଲା, ୪ ଶହରୁ ଅଧିକ ନିଖୋଜ
ନନ୍ଦିଘୋଷ ବ୍ୟୁରୋ : ନେପାଳ ଫ୍ଲାସ୍ ଫ୍ଲଡ୍ରେ ମୃତ୍ୟୁସଂଖ୍ୟା ୧୬୦ ଟପିଛି। ଏବେ ବି ୪ ଶହରୁ ଅଧିକ ଲୋକ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୩୦ରୁ ଅଧିକ ଭାରତୀୟ ଅଛନ୍ତି। ଜୋରସୋରରେ ଚାଲିଛି ରିଲିଫ୍ ଓ ଉଦ୍ଧାର କାମ। ଗତକାଲି ହୋଇଥିଲା ଏହି ପ୍ରଳୟଙ୍କରୀ ବନ୍ୟା। ପାହାଡ଼ ଉପରୁ ହଠାତ୍ ମାଡ଼ି ଆସିଥିଲା ମାଟି କାଦୁଅ ମିଶା ପାଣି। ଚାହୁଁ ଚାହୁଁ ବହୁ ଗାଁ ଏଥିରେ ଭାସି ଯାଇଥିଲା। ଉତ୍ତର ନେପାଳର ରସୁୱା ଜିଲ୍ଲାର ତିମୁର ଓ ସ୍ୟାଫ୍ରୁବେସି ଅଞ୍ଚଳରେ ଏହି ପ୍ରକୃତିର ତାଣ୍ଡବ ହୋଇଛି। ପ୍ରବଳ ସ୍ରୋତରେ ଘରଦ୍ୱାର, ଦୋକାନ ବଜାର, ଗାଡ଼ିମଟର ଭାସି ଯାଇଛି। ବଡ଼ ବଡ଼ ରାସ୍ତା ଓ ସେତୁ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି ଫ୍ଲାସ୍ ଫ୍ଲଡ୍ର ଭୟାବହତା ଏତେ ଅଧିକ ଥିଲା ଯେ ତିମୁର ଅଞ୍ଚଳର ହେଲିପ୍ୟାଡ୍ ମଧ୍ୟ ଭାସିଯାଇଛି। ଫଳରେ ଉଦ୍ଧାର ପାଇଁ ପଠାଯାଇଥିବା ହେଲିକପ୍ଟରକୁ ଅବତରଣ ପାଇଁ ସୁରକ୍ଷିତ ସ୍ଥାନ ମିଳିନାହିଁ। ନେପାଳ-ଚୀନ୍ ସୀମା ନିକଟରେ ନିୟୋଜିତ ସୁରକ୍ଷା ବାହିନୀର ଅନେକ କର୍ମଚାରୀଙ୍କ ସହ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଭାରତୀୟ ନାଗରିକଙ୍କ ସହାୟତା ପାଇଁ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ଜାରି କରିଛି ହେଲ୍ପଲାଇନ୍ ନମ୍ବର। ଭାରତ ସରକାର ମଧ୍ୟ ନେପାଳକୁ ରିଲିଫ୍ ସାମଗ୍ରୀ ପଠାଇଛନ୍ତି। ଜାରି କରାଯାଇଥିବା ହେଲ୍ପଲାଇନ୍ ନମ୍ବର ହେଉଛି ୯୭୭ ୯୮୫ ୧୩୧ ୬୮୦୭ ଓ ୯୭୭ ୯୭୦ ୯୧୦ ୭୫୦୦। ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ ଶାହ ଜରୁରୀ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି। ନିଖୋଜଙ୍କ ମଧ୍ୟରେ ଈଶା ଫାଉଣ୍ଡେସନ୍ର ଅନେକ ସଦସ୍ୟ ଅଛନ୍ତି। ସେମାନେ ମାନସରୋବର ଯାତ୍ରାରେ ଯାଇଥିଲେ।
ବାଉଁଶ କରଡ଼ି ଦେଉଛି ରୋଜଗାର, ବର୍ଷାରେ ଆଦିବାସୀଙ୍କ ଜୀବନଜୀବିକା
ନନ୍ଦିଘୋଷ ବ୍ୟୁରୋ : ରୋଜଗାର ଦେଉଛି ବାଉଁଶ କରଡ଼ି। ବର୍ଷା ଦିନେ ଆଦିବାସୀଙ୍କ ପାଲଟିଛି ଜୀବନଜୀବିକା। ବଜାରରେ କରଡ଼ିର ରହିଛି ଢେର ଚାହିଦା। ବାଉଁଶ ମୂଳରୁ କଅଁଳ ଗଜା ଭାବେ ବାହାରେ ‘କରଡ଼ି’। ଏହାର ସ୍ୱାଦ ବେଶ ନିଆରା। ଜଙ୍ଗଲଜାତ ଏହି ଦ୍ରବ୍ୟର ଚାହିଦା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବେଶ ଅଧିକ। ହେଲେ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବଜାରରେ ବାଉଁଶ କରଡ଼ିର ବେଶ ଚାହିଦା ରହିଛି। ଘଞ୍ଚ ଜଙ୍ଗଲରୁ କରଡ଼ିକୁ ଆଣି ଛୋଟ ଛୋଟ ଖଣ୍ଡ କରି ବଜାରରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ଆଦିବାସୀ ପରିବାର। କରଡ଼ି ପଶ୍ଚିମ ଓଡ଼ିଶା ସଂସ୍କୃତି ଓ ପରମ୍ପରାର ଅବିଚ୍ଛେଦ୍ୟ ଅଙ୍ଗ। କରଡ଼ି ସ୍ୱାସ୍ଥ୍ୟ ପାଇଁ ବେଶ ହିତକର। ମଧୁମେହ ଓ ହୃଦରୋଗୀଙ୍କ ପାଇଁ ବହୁ ଉପକାରୀ। କରଡ଼ିରୁ ମୁଖ୍ୟତଃ ବେସର ତରକାରୀ, ଆମ୍ବିଳ, ଭଜା, ଚିପ୍ସ ସହ ଆଚାର ଓ ଚଟଣୀ ଭଳି ୪୦ରୁ ଊର୍ଦ୍ଧ୍ୱ ପ୍ରକାରର ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ବର୍ଷର କେବଳ ୩ ମାସ ଏହା ମିଳୁଥିବା ଯୋଗୁଁ ଲୋକେ କରଡ଼ି କିଣିବାକୁ ଆଗ୍ରହର ସହିତ ଅପେକ୍ଷା କରିଥାନ୍ତି।
ଜରାଜୀର୍ଣ୍ଣ ବ୍ରିଟିଶ ଜେଲ, ଅବହେଳାରେ ହଜୁଛି ସ୍ୱାଧୀନତା ସଂଗ୍ରାମର ସ୍ମୃତି
ନନ୍ଦିଘୋଷ ବ୍ୟୁରୋ :ଜରାଜୀର୍ଣ୍ଣ ଅବସ୍ଥାରେ ବ୍ରିଟିଶ ଜେଲ। ରକ୍ଷଣାବେକ୍ଷଣ ଅଭାବରୁ ହରାଇଲାଣି ସତ୍ତା। ଜଙ୍ଗଲ ପାଲଟିଗଲାଣି ଜେଲ ପରିସର। ମାଟିରେ ମିଶିବାକୁ ବସିଲାଣି ନବରଙ୍ଗପୁର ଜିଲ୍ଲା ସଦର ତହସିଲ କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ଜେଲ। କାନ୍ଥ ସବୁ ଭାଙ୍ଗିରୁଜି ଗଲାଣି। କେତେବେଳେ ଯେ ଭୁଶୁଡ଼ି ପଡ଼ିବ, କହିବା ମୁସ୍କିଲ। ୧୯୩୨ ମସିହାରେ ତିଆରି ହୋଇଥିବା ଏହି ଜେଲ ପରିସର ପ୍ରତିଦିନ ସଂଗ୍ରାମୀଙ୍କ ରକ୍ତରେ ରଞ୍ଜିତ ହେଉଥିଲା। ୧୪ଟି କୋଠରୀରେ ଅଢ଼େଇ ଶହରୁ ଊର୍ଦ୍ଧ୍ୱ ସଂଗ୍ରାମୀ କାଳ କାଟୁଥିଲେ। ଭୋକ ଉପାସରେ ଜେଲ ପରିସରରେ ୮ ଜଣ ସଂଗ୍ରାମୀ ସହିଦ ମଧ୍ୟ ହୋଇଛନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱର ଇତିହାସ ବହନ କରୁଥିବା ଏହି ଜେଲର ମରାମତି କରି ସଂଗ୍ରହାଳୟରେ ପରିଣତ କରିବାକୁ ଦାବି ହୋଇଛି। ସହିଦମାନଙ୍କ ସ୍ମୃତି ଓ ସମ୍ମାନ ପାଇଁ ଜେଲର ରକ୍ଷଣାବେକ୍ଷଣ କରିବାକୁ ମଧ୍ୟ ଦାବି ହୋଇଛି। ୨୦୨୪ ମସିହା କ୍ରାନ୍ତି ଦିବସରେ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦମାନେ ଭିକ ମାଗି ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ଫଳ ଶୂନ। ଅନ୍ୟପଟେ, ପ୍ରଶାସନ ପକ୍ଷରୁ ପୁନରୁଦ୍ଧାର କରିବାକୁ ଚେଷ୍ଟା କରାଯାଉଛି ବୋଲି ଉପଜିଲ୍ଲାପାଳ କହିଛନ୍ତି।
ରାଉରକେଲା ରାସ୍ତା ପାଲଟିଛି ମରଣଯନ୍ତା
ନନ୍ଦିଘୋଷ ବ୍ୟୁରୋ : ମରଣଯନ୍ତା ପାଲଟିଛି ରାଉରକେଲା ରାସ୍ତା। ଖାଲଖମା ସହ ଆବର୍ଜନାରେ ଭରପୂର। ଅସ୍ବାସ୍ଥ୍ୟକର ପରିବେଶ ସାଙ୍ଗକୁ ଦୁର୍ଘଟଣା ଭୟ। ଟିକିଏ ନଜର ପକାନ୍ତୁ। ରାସ୍ତାକଡ଼ ସତେଯେପରି ଡମ୍ପିଂୟାର୍ଡ। ଗଦା ହୋଇ ରହିଛି ଆବର୍ଜନା। ବର୍ଷା ପାଣିରେ ଆବର୍ଜନା ଭାସି ଦୁର୍ଗନ୍ଧ ସୃଷ୍ଟି କରୁଛି। ରାସ୍ତାକୁ ଟିକିଏ ନଜର ପକାନ୍ତୁ। ସତେଯେପରି ରାସ୍ତା ମଝିରେ ଜଗିଛି ଯମ। ଖାଲଖମା ସାଙ୍ଗକୁ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି। ରାଉରକେଲା ଇସ୍ପାତ ସହରାଞ୍ଚଳ ଓ ରାଉରକେଲା ମହାନଗର ନିଗମ ଅଧୀନରେ ଥିବା ରାସ୍ତାର ଏବେ ଏପରି ଦୁର୍ଦ୍ଦଶା। କୋଟି କୋଟି ଟଙ୍କା ବ୍ୟୟ ହେଉଛି। ହେଲେ ରକ୍ଷଣାବେକ୍ଷଣ ଓ ଆବର୍ଜନା ଯୋଗୁଁ ସଂକ୍ରମଣ ବ୍ୟାପିବା ସହ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ରାସ୍ତା ଓ ଗୃହନିର୍ମାଣ ବିଭାଗ, ସ୍ମାର୍ଟ ସିଟି ଲିମିଟେଡ୍ ଓ ଆରଏମସି ପକ୍ଷରୁ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଡ୍ରେନ୍ ସଫା କରାଯାଉନଥିବାବେଳେ ଖାଲ ରାସ୍ତାରେ ବର୍ଷାଜଳ ଜମି ରହୁଥିବାରୁ ସୃଷ୍ଟି ହେଉଛି ଅସ୍ବାସ୍ଥ୍ୟକର ପରିବେଶ। ତେବେ ମରାମତି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି କାରଖାନା ନିର୍ବାହୀ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ଭାଇ ହାତରେ ସ୍ନେହର ଡୋରୀ, ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା
ନନ୍ଦିଘୋଷ ବ୍ୟୁରୋ : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ-ଭଉଣୀର ସ୍ନେହ, ପ୍ରେମ ଓ ଭରସାର ପ୍ରତୀକ ଏହି ପର୍ବକୁ ନେଇ ସବୁଠି ଉତ୍ସାହ। ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ସ୍ନେହ ଓ ଭଲପାଇବା ପ୍ରକାଶ କରୁଥିବା ବେଳେ, ଭାଇ ଜୀବନସାରା ଭଉଣୀର ସୁରକ୍ଷା କରିବାକୁ ପ୍ରତିଜ୍ଞା କରିଥାଏ। ଏହି ଅବସରରେ ଉଭୟ ପରସ୍ପରକୁ ଉପହାର ଦେଇ ଖୁସି ମନାନ୍ତି। ଭାଇ ହାତରେ ବନ୍ଧା ଏକ ସାଧାରଣ ସୂତା ଭଉଣୀ ପାଇଁ ସ୍ନେହ ଓ ସୁରକ୍ଷାର ରକ୍ଷାକବଚ ପାଲଟିଯାଏ। ଏହି ପବିତ୍ର ପରମ୍ପରା ପ୍ରାଚୀନ କାଳରୁ ଚଳିଆସୁଛି।
ନେପାଳ ଫ୍ଲାସ୍ ଫ୍ଲଡ୍ ପରେ ଭାରତରେ ସତର୍କତା, ବିହାର-ୟୁପିରେ NDRF ମୁତୟନ
ନନ୍ଦିଘୋଷ ବ୍ୟୁରୋ : ନେପାଳରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ଭାରତରେ ମଧ୍ୟ ସତର୍କତା ବଢ଼ାଯାଇଛି। ତିବ୍ବତ-ନେପାଳ ସୀମାରେ ଗ୍ଲେସିଆଲ୍ ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍ ବା GLOF ଯୋଗୁଁ ଭୋଟେକୋଶି ନଦୀରେ ହଠାତ୍ ବନ୍ୟା ଆସିଥିବା ବେଳେ, ଏହାର ପ୍ରଭାବ ଗଣ୍ଡକ ନଦୀ ବେସିନ୍ରେ ପଡ଼ିବା ଆଶଙ୍କା ରହିଛି। ବିହାରର ପଶ୍ଚିମ ଚମ୍ପାରଣ ଓ ମୁଜାଫରପୁର ସମେତ ଉତ୍ତରପ୍ରଦେଶର କୁଶୀନଗର ଅଞ୍ଚଳକୁ ନଜରରେ ରଖାଯାଇଛି। ବିହାରରେ ୯ଟି ଏବଂ ଉତ୍ତରପ୍ରଦେଶରେ ୧୧ଟି NDRF ଟିମ୍ ମୁତୟନ ରହିଛି। ଦେବଦହ ଓ ବାଲ୍ମୀକି ବ୍ୟାରେଜ୍ର ଜଳସ୍ତର ନିରନ୍ତର ମନିଟରିଂ କରାଯାଉଛି। ଏପଟେ ନେପାଳରେ ଫସିଥିବା ଭାରତୀୟଙ୍କ ସହାୟତା ପାଇଁ ଭାରତୀୟ ବାୟୁସେନା C-17, C-130J ଓ C-295 ବିମାନକୁ ପ୍ରସ୍ତୁତ ରଖିଛି। ସୂତ୍ର ଅନୁସାରେ, C-130J ବିମାନ ରିଲିଫ୍ ସାମଗ୍ରୀ ନେଇ ନେପାଳ ଯାଇପାରେ। ଉତ୍ତରପ୍ରଦେଶ ସରକାର ମଧ୍ୟ ନେପାଳରେ ଫସିଥିବା ରାଜ୍ୟର ନାଗରିକଙ୍କ ପରିବାରକୁ ୧୦୭୦ ହେଲ୍ପଲାଇନ୍ରେ ଯୋଗାଯୋଗ କରିବାକୁ କହିଛନ୍ତି।

