spot_img
Home Blog Page 5328

ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ ସରିଲା ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ସୀମାର ୨ ଦିନ ପୂର୍ବରୁ ସରିଲା ସଂସଦର ମୌସୁମୀ ଅଧିବେଶନ। ତେବେ ଚଳିତ ଥର ପେଗାସସ ଓ କୃଷି ଆଇନ ପ୍ରସଙ୍ଗରେ ଗୃହ ଆରମ୍ଭରୁ ରହିଥିଲା ଅଚଳ। ଏହି ଦୁଇ ଘଟଣାରେ ସରକାରଙ୍କୁ ଘେରିଥିଲେ ପ୍ରାୟ ସମସ୍ତ ବିରୋଧୀ ଦଳ । ଜୁଲାଇ ୧୯ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ସ୍ବଳ୍ପ ସମୟ ଲାଗି ଚାଲିଥିଲା ।

ସୂଚନା ଅନୁଯାୟୀ,  ଲୋକସଭା ନିର୍ଦ୍ଧାରିତ ୯୬ ଘଣ୍ଟା ବଦଳରେ ଚାଲିଥିଲା ମାତ୍ର ୨୧ ଘଣ୍ଟା ୧୪ ମିନଟ । ଏହି ସମୟରେ ୧୩ଟି ବିଲ୍ ଆଗତ ହୋଇଥିଲା ଏବଂ ୨୦ଟି ବିଲ୍ ଗୃହୀତ ହୋଇଥିଲା । ଏଥିରେ ଗୁରୁତ୍ବପୂର୍ଣ୍ଣ ବିଲ ଥିଲା ସମ୍ବିଧାନର ୧୨୭ତମ ସଂଶୋଧନ ବିଲ ଯାହାକି ଓବିସି ବିଲ୍ ଲାଗି ଉଦ୍ଦିଷ୍ଟ ଥିଲା । ଏହାସହ ସାଧାରଣ ବୀମା ବ୍ୟବସାୟ ଜାତୀୟକରଣ ସଂଶୋଧନ ବିଲ୍ ବି ଗୃହୀତ ହୋଇଥିଲା ।

ସେହିପରି ରାଜ୍ୟସଭା ନିର୍ଦ୍ଧାରିତ ୯୭ଘଣ୍ଟା ବଦଳରେ ଚାଲିଥିଲା ମାତ୍ର ୨୮ ଘଣ୍ଟା ୨୧ ମିନିଟ । ନଷ୍ଟ ହୋଇଥିଲା ୭୬ ଘଣ୍ଟା ଓ ୨୬ ମିନିଟ । ରାଜ୍ୟସଭାରେ ମୋଟ ୧୯ଟି ବିଲ୍ ଗୃହୀତ ହୋଇଥିଲା ଏବଂ ୪ଟି ବିଲ୍ ଆଗତ ହୋଇଥିଲା । ଗତ ଦୁଇ ଦଶନ୍ଧି ମଧ୍ୟରେ ଏହି ଅଧିବେଶନ ଥିଲା ସବୁଠାରୁ କମ ସମୟ ଲାଗି ଚାଲିଥିବା କ୍ଷେତ୍ରରେ ଚତୁର୍ଥ ଅଧିବେଶନ । ଏହି ଅଧିବେଶନରେ ରାଜ୍ୟସଭାର କାର୍ଯ୍ୟକାରିତା ହାର ରହିଥିଲା ୨୧ ପ୍ରତିଶତ ଓ ଲୋକସଭାର କାର୍ଯ୍ୟକାରିତା ହାର ରହିଥିଲା ୨୮ ପ୍ରତିଶତ । ୨୦ ବର୍ଷ ମଧ୍ୟରେ ୨୦୧୦ରେ ହୋଇଥିଲା ସବୁଠାରୁ କମ୍ ସମୟ ଲାଗି ଅଧିବେଶନ ।

ରାଜ୍ୟସଭା ଲାଗି କାର୍ଯ୍ୟକାରିତା ହାର ରହିଥିଲା ୨ ପ୍ରତିଶତ ଏବଂ ଲୋକସଭା ଲାଗି ରହିଥିଲା ୬ ପ୍ରତିଶତ । 2ଜି ସ୍ପେକ୍ଟ୍ରମ ଦୁର୍ନୀତିକୁ ନେଇ ଗୃହ କାର୍ଯ୍ୟ ରହିଥିଲା ଅଚଳ । ୨୦୧୩ରେ ସ୍ବତନ୍ତ୍ର ତେଲଙ୍ଗାନା ରାଜ୍ୟକୁ ନେଇ ଗୃହ କାର୍ଯ୍ୟ ଅଚଳ ରହିଥିବା ବେଳେ ୨୦୧୩ ଓ ୨୦୧୬ରେ ଲୋକସଭାର କାର୍ଯ୍ୟକାରିତା ହାର ରହିଥିଲା ୧୫ ପ୍ରତିଶତ । ୨୦୧୮ରେ ଲୋକସଭାର କାର୍ଯ୍ୟକାରିତା ହାର ଥିଲା ୨୧ ପ୍ରତିଶତ । ୨୦୧୯ର ବଜେଟ ଅଧିବେଶନର ଅବସ୍ଥା ବି ତଦ୍ରୁପ ଥିଲା । ନିର୍ଦ୍ଧାରିତ ୧୩ ଦିନର ଅଧିବେଶନ କାଳରେ ରାଫେଲ ଦୁର୍ନୀତି ପ୍ରସଙ୍ଗରେ ଉଭୟ ଗୃହ ଆଦୌ ଚାଲିପାରି ନଥିଲା । ଏହି କାଳରେ ଲୋକସଭାର କାର୍ଯ୍ୟକାରିତା ହାର ଥିଲା ନଗଣ୍ୟ ୭ ପ୍ରତିଶତ । ୨୦୧୫ରେ ବ୍ୟାପମ ଦୁର୍ନୀତି ଓ ଲଳିତ ମୋଦି ପ୍ରସଙ୍ଗରେ ଗୃହକାର୍ଯ୍ୟ ବ୍ୟାଘାତ ହୋଇଥିଲା ଏବଂ ରାଜ୍ୟସଭାର କାର୍ଯ୍ୟକାରିତା ହାର ଥିଲା ମାତ୍ର ୯ ପ୍ରତିଶତ ।

କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିରୋଧରେ  ମୋର୍ଚ୍ଚା ଖୋଲିଲେ ତମାମ ବିରୋଧୀ ଦଳ। ସଂସଦରୁ ବିଜୟ ଚୌକ ପର୍ଯ୍ୟନ୍ତ ସଂସଦ ମାର୍ଚ୍ଚ କରିଛନ୍ତି ବିରୋଧୀ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏହି ସଂସଦ ମାର୍ଚ୍ଚରେ ସାମିଲ ହୋଇଥିଲେ। କଂଗ୍ରେସ ସହ DMK, NCP, RJD, CPM, ସମାଜବାଦି ପାର୍ଟି ସହ ତମାମ ବିରୋଧୀ ଦଳ ସଂସଦ ମାର୍ଚ୍ଚରେ ସାମିଲ ହୋଇଥିଲେ।

ରାହୁଲ ଗାନ୍ଧି  ଅଭିଯୋଗ କରିଛନ୍ତି ଯେ ସରକାର ଜାଣିଶୁଣି ଦେଶବାସୀଙ୍କ ସମୟ ନଷ୍ଟ କରିଛନ୍ତି। ବିରୋଧୀଙ୍କ ଦାବି ସତ୍ତ୍ୱେ ପେଗାସସ ପ୍ରସଙ୍ଗରେ ସରକାର ଆଲୋଚନା କଲେ ନି, କି ଯାଞ୍ଚ ପାଇଁ ନିର୍ଦ୍ଦେଶ ବି ଦେଲେନି। ବିରୋଧୀଙ୍କୁ ସଂସଦରେ କହିବା ପାଇଁ ସୁଯୋଗ ବି ଦିଆଗଲାନି।

ନୂଆ କୃଷି ଆଇନ୍, ଦରଦାମ ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିରୋଧୀ ଆଲୋଚନା କରିବା ପାଇଁ ଚାହୁଁଥିଲେ ମଧ୍ୟ ସରକାର ଏଥିରେ ରାଜି ହୋଇନଥିଲେ। ମହିଳା ସାଂସଦଙ୍କ ସହ ସଂସଦରେ ଦୁର୍ବବ୍ୟହାର ହୋଇଥିବା କହିଛି ସମାଜବାଦି ପାର୍ଟି। ସଂସଦରେ ଯେଭଳି ଘଟଣା ଘଟିଲା ତାହା କେବେ ବି ପୂର୍ବରୁ ଘଟନିଥିବା କହିଛି ଏନସିପି। ବିନା କୌଣସି ଚର୍ଚ୍ଚାରେ ଅନେକ ବିଲ୍ ପାସ୍ କରାଯାଇଛି, ଯାହା ଗଣତନ୍ତ୍ର ପ୍ରତି ଅପମାନ ଅଟେ ବୋଲି କହିଛି ଆରଜେଡି। ସରକାର ଅଂହଙ୍କାର ଭାବେ କାମ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

ତେବେ ଚଳିତ ଥର ସମୟ ପୂର୍ବରୁ ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଛି। ଯାହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରୁଛନ୍ତି। ସେପଟେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆସନ୍ତା ୨୦ତାରିଖରେ ଡିନର ପାର୍ଟି ରଖିଛନ୍ତି। ଯେଉଁଥିରେ ତମାମ ବିରୋଧୀ ଦଳର ବରିଷ୍ଠ ନେତା ସାମିଲ ହେବେ।

୨୪ ଘଣ୍ଟାରେ ୬୭ ମୃତ୍ୟୁ, ୧୧୦୭ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୬୭ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୧୦୭ ପଜିଟିଭ୍ । କ୍ବାରେଣ୍ଟାଇନରୁ ୬୪୬ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୪୬୧ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୯୭ ଜଣ ଥିବା ବେଳେ କଟକରୁ ୧୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଷ୍ଟେଟ ପୁଲରୁ ୮୨ ଜଣ ଥିବା ବେଳେ, ବାଲେଶ୍ବରରୁ ୬୬, ଜଗତସିଂହପୁରରୁ ୫୩, ଯାଜପୁରରୁ ୫୨, କେନ୍ଦ୍ରାପଡ଼ାରୁ ୪୨, ମୟୂରଭଞ୍ଜରୁ ୪୦, ଭଦ୍ରକରୁ ୩୬, ନୟାଗଡ଼ରୁ ୨୯, ପୁରୀରୁ ୨୮, ଅନୁଗୁଳରୁ ୨୪ ଜଣ ସଂକ୍ରମିତ ଅଛନ୍ତି । ସମ୍ବଲପୁରରୁ ୨୦ ଜଣ ଥିବା ବେଳେ, କେନ୍ଦୁଝରରୁ ୧୮, ସୁନ୍ଦରଗଡ଼ରୁ ୧୭, ଢେଙ୍କାନାଳରୁ ୧୨, ମାଲକାନଗିରିରୁ ୧୦, ଝାରସୁଗୁଡ଼ାରୁ ୯, କଳାହାଣ୍ଡି ଓ କନ୍ଧମାଳରୁ ୭ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି  ।

ବରଗଡ଼ ଓ ରାୟଗଡ଼ାରୁ ୫ ଜଣ ଲେଖାଏଁ, ଗଞ୍ଜାମ, ସୋନପୁରରୁ ୪ ଜଣ ଲେଖାଏଁ, ଦେବଗଡ଼ ଓ ବଲାଙ୍ଗୀରରୁ ୩ ଜଣ ଲେଖାଏଁ, ଗଜପତି, ନୂଆପଡ଼ା, ନବରଙ୍ଗପୁର ଓ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଜି ବୌଦ୍ଧରୁ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୮୬୯ ଜଣ ଆକ୍ରାନ୍ତ ।

କେରଳରେ ଚିନ୍ତା ବଢ଼ାଉଛି କରୋନା, ଦିନକରେ ଦେଶରେ ୪୧ ହଜାର କେରଳରେ ୨୩,୫୦୦ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଦୈନିକ କରୋନା ସଂକ୍ରମଣ ୪୦ ହଜାର ଉପରେ ରହୁଛି। ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ୧୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗୋଟିଏ ଦିନରେ ୪୯୦ ଜଣକ ମୃତ୍ୟୁ ହୋଇଥିବାବେଳେ ୩୯ ହଜାର ୬୯ ଜଣ କରୋନାରେ ସୁସ୍ଥ ହୋଇଛନ୍ତି।

ସୂଚନା ମୁତାବକ କେରଳରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ୨୪ ଘଣ୍ଟାରେ କେରଳରେ ୨୩ ହଜାର ୫୦୦ ନୂଆ ମାମଲା ସାମ୍ନାକୁ ଆସିଛି। ଯାହାକି ଚିନ୍ତାର କାରଣ ପାଲଟିଛି। ଦେଶରେ କରୋନାରେ ମୃତ୍ୟୁ ହାର ୧.୩୪ ପ୍ରତିଶତ ଥିବାବେଳେ ଆରୋଗ୍ୟ ହାର ୯୭. ୪୫ ପ୍ରତିଶତ ରହିଛି। ସେହିଭଳି ଆକଟିଭ୍ କେସ୍ ରହିଛି ୧.୨୧ ପ୍ରତିଶତ। ଦେଶରେ ୫୨ କୋଟିରୁ ଅଧିକ ଲୋକେ ଟିକାକରଣ ଅଭିଯାନରେ ସାମିଲ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଫେଲ ମାରିଲା ଜିସାଟ୍‌-୧, ଅଧାରେ ଅଟକିଲା ମିଶନ ଆଇ ଇନ୍ ସ୍କାଏ

ଥିରୁଅନନ୍ତପୁରମ୍: ବିଫଳ ହେଲା ଇସ୍ରୋର ମିଶନ । ଫେଲ ମାରିଲା ଜିସାଟ୍‌-୧ । ଯାହାଫଳରେ ଅଧାରେ ଅଟକିଲା ମିଶନ ଆଇ ଇନ୍ ସ୍କାଏ । କ୍ରାୟୋଜନିକ ଇଞ୍ଜିନରେ ତ୍ରୁଟି ଯୋଗୁଁ ମିଶନ ଫେଲ୍ ହୋଇଥିବା ଇସ୍ରୋ ଅଧ୍ୟକ୍ଷ କି ଶିବନ ସୂଚନା ଦେଇଛନ୍ତି ।ଆଜି ଭୋର ୫ଟା ୪୩ ମିନଟରେ ଆନ୍ଧ୍ରର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ହୋଇଥିଲା ଜିସାଟ୍‌-୧ ।

ହେଲେ ମିଶନର ମାତ୍ର ୧୦ ସେକେଣ୍ଡ ପୂର୍ବରୁ କ୍ରାୟୋଜନିକ ଇଞ୍ଜିନରେ ତ୍ରୁଟି ସାମ୍ନାକୁ ଆସିଥିଲା । ଯାହାଫଳରେ ବୈଜ୍ଞାନିକମାନେ କୌଣସି ତଥ୍ୟ ପାଇପାରିନଥିଲେ । ଜିସାଟ-୧ ଆର୍ଥ ଅବଜର୍ଭେସନ ସାଟେଲାଇଟ ବା ଇଓଏସର ଲଞ୍ଚ ସଫଳ ହୋଇଥିଲେ ଭାରତୀୟ ମହାକାଶ ବିଜ୍ଞାନ ଲାଗି ଏକ ମାଇଲଖୁଣ୍ଟି ସାବ୍ୟସ୍ତ ହୋଇଥାଆନ୍ତା । ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟାନ୍ୟ ଘଟଣାଗୁଡିକ ସମ୍ପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ପାଇ ପାରିଥାଆନ୍ତା ଇସ୍ରୋ ।

ପାଗଳ ପ୍ରେମିକର ଉନ୍ମତ୍ତ କାଣ୍ଡ, ପ୍ରେମିକାକୁ ଏସିଡ ମାଡ଼

ଭୁବନେଶ୍ୱର: ପ୍ରେମ କରୁଥିଲେ  । ଆଜି ପାଗଳ ପରି ହେଉଛନ୍ତି  । ଅର୍ଥାତ ପ୍ରେମିକ ଘଟାଇଛି ଉନ୍ମତ୍ତ କାଣ୍ଡ । ଯାହାଙ୍କୁ ଭଲ ଫାଉଥିଲେ, ତାଙ୍କୁ ମାରି ଦେବାର ପ୍ରୟାସ  । ପ୍ରେମରେ ବିଫଳ ହେବା ପରେ ଯୁବତୀଙ୍କୁ କରିଛନ୍ତି ଏସିଡ ମାଡ଼ । ଭୁବନେଶ୍ୱର  ଧଉଳି ଥାନା ବାଲିଆପଡା ଗାଁରେ ଘଟିଛି ଏମିତି କିଛି ଘଟଣା ।

ମିଳିଥିବା ସୂଚନା  ମୁତବାକ ଜଣେ ଯୁବତୀଙ୍କୁ ବାଲିଆପଡା ଗାଁର ଯୁବକ ଜଣଙ୍କ ପ୍ରେମ କରୁଥିଲେ  । କିନ୍ତୁ ପ୍ରେମରେ ବଫଳ ହେବାରୁ ଜୀବନରୁ ମାରି ଦେବାର ଯୋଜନା ପ୍ରସ୍ତୁତ କରିଥିଲେ ଉକ୍ତ ଯୁବକ ଜଣଙ୍କ  । ପୂର୍ବ ଯୋଜନା ମୁତାବକ ଛକି ରହିଥିବା ଯୁବକ ଜଣଙ୍କ ଯୁବତୀଙ୍କ ଦେହରେ ଏସିଡ ମାଡ଼ କରିଥିଲେ  ।

ସେପଟେ ଏସିଡ ଆକ୍ରମଣ ଫଳରେ ଯୁବତୀ ଜଣଙ୍କର କିଛି ଅଂଶ ପୋଡି ଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏସିଡ ଫିଙ୍ଗିବା ପରେ ଯୁବକ ଜଣକ ଫେରାର ହୋଇଯାଇଛି । ଧଉଳି ପୋଲିସ ଘଟଣାର ତଦନ୍ତ କରୁଛି ।

ଅଲଗା ହେବେ IAS ଟପ୍ପର ଯୋଡ଼ି,ଏବେ ବିବାହ ବିଚ୍ଛେଦକୁ ବାଜିଛି ଆଇନର ମୋହର..

ଗୋଟିଏ ଚର୍ଚ୍ଚିତ ପ୍ରେମ ସଂମ୍ପର୍କରେ ଏବେ ପଡିବାକୁ ଯାଉଛି ପୂଣ୍ଣଛେଦ । ଯେଉଁ ଭଲପାଇବା ପାଇଁ ସେମାନେ ସାରା ଦୁନିଆ ସହ ଲଢିଥିଲେ, ଏବେ ସେହି ଭଲ ପାଇବା ହୋଇଯାଇଛି ଅତୀତର କଥା । ସମ୍ପର୍କ ତକେବେଠାରୁ ମରି ଯାଇଥିଲା ବାସ୍ । ଏବେ ତାଉପରେ ବାଜିଛି ଆଇନର ମୋହର । ଆମେ ସେହି ପ୍ରସିଦ୍ଧ ଆଇଏଏସ୍ ଯୋଡିଙ୍କ କଥା କହୁଛୁ ଯାହାଙ୍କ ପ୍ରେମ କାହାଣୀ ଦିନେ ସୋସିଆଲ ମିଡିଆରୁ ମେନଷ୍ଟ୍ରିମ ମିଡିଆ ପର୍ଯ୍ୟନ୍ତ ଚହଳ ସୃଷ୍ଟି କରିଥିଲା । ସେଇ ଚର୍ଚ୍ଚିତ ପ୍ରେମ କାହାଣୀର ଦୁଇ ଚରିତ୍ର ହେଉଛନ୍ତି ଆଇଏଏସ୍ ଟିନା ଡାବି ଓ ତାଙ୍କ ସ୍ବାମୀ ଆଇଏଏସ ଅତହର ଆମିର ଖାନ୍ । ସେମାନଙ୍କ ପ୍ରେମ ଓ ବିବାହ ଯେତିକି ଖବର ସାଉଁଟି ଥିଲା ସଂପର୍କରେ କଟୁତା ମଧ୍ୟ ସେତିକି ଚର୍ଚ୍ଚା ସାଉଁଟିଛି । ଏବେ ଉଭୟଙ୍କ ବିବାହ ବିଚ୍ଛେଦକୁ ଅଦାଲତଙ୍କର ମଂଜୁରୀ ମିଳିଛି..ଦୁହେଁ ପରସ୍ପରର ସହମତିରେ ୯ ମାସ ପୂର୍ବରୁ ଜୟପୁରର ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ଯାହା ମଙ୍ଗଳବାର ଦିନ କୋର୍ଟ ତରଫରୁ ଅନୁମତି ମିଳିଛି । କଣ ଥିଲା ଏମାନଙ୍କ ପ୍ରେମ କାହାଣୀ ଓ କାହିଁକି ଏହି ଯୋଡି ହେବାକୁ ଚାହୁଁଛନ୍ତି ଅଲଗା ସେ ବିଷୟରେ ।

ମଶୁରୀରୁ ଆରମ୍ଭ । ଜୟପୁରରେ ଅନ୍ତ । ଟିନା ଓ ଅତହର ଅମିରଙ୍କ ପ୍ରେମକାହାଣୀକୁ ଏହି ଦୁଇ ଧାଡିରେ କୁହାଯାଇ ପାରିବ । ୨୦୧୫ରେ ୟୁପିଏସି ଟପ୍ କରିଥିବା ଆଇଏଏସ ଟିନା ଡାବି ଓ ଆଇଏଏସ ଅତହର ଆମିର ଖାନଙ୍କ ବିଷୟରେ ତ ସମସ୍ତେ ଜାଣିଛନ୍ତି । ଏମାନେ ଏହିଭଳି ଏକ ଯୋଡି ଥିଲେ ଯିଏକି ଅମର ପ୍ରେମ କାହାଣୀର ସଂଜ୍ଞା ସାରା ଦୁନିଆକୁ ଦେଇଥିଲେ । ଜାତି ଧର୍ମ ଏସବୁ ପ୍ରକୃତ ଭଲପାଇବା ଆଗରେ କିଛି ମାନେ ରଖେନା ଏହା ପ୍ରମାଣ କରି ଦେଖାଇଥିଲେ.ଅତହରଙ୍କ ଘର କାଶ୍ମୀରରେ ଓ ଟିନାଙ୍କ ଜନ୍ମ ମଧ୍ୟପ୍ରଦେଶର ଭୋପାଳରେ  ହୋଇଥିଲା । ହେଲେ ଟିନାଙ୍କ ପୁରା ପରିବାର ଜୟପୁରରେ ହିଁ ରହୁଥିଲେ ।

ଟିନା ଯେତେବେଳେ ୟୁପିଏସିରେ ଟପ୍ପର ହୋଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସେତେବେଳେ ଅତହର ଦ୍ବିତୀୟ ସ୍ଥାନରେ ରହିଥିଲେ । ଏହି ଦୁଇ ଆଇଏଏସ  ମଶୁରୀରେ ଟ୍ରେନିଙ୍ଗ ସମୟରେ  ପରସ୍ପରର ନିକଟତର ହୋଇଥିଲେ । ସେବେଠାରୁ ଦୁହିଁଙ୍କ ଭିତରେ ପ୍ରେମ ସଂମ୍ପର୍କ ଗଢିଉଠିଥିଲା ଓ ସେମାନେ ସାତଜନମର ସାଥୀ ହେବାକୁ ନିଷ୍ପତ୍ତି ନେଲେ । ଏବଂ ୨୦୧୮ ମାର୍ଚ୍ଚ ୨୦ରେ  ଜୟପୁରରେ ଦୁହିଁଙ୍କର ବାହାଘର ହୋଇଥିଲା । ୨ଜଣ ଯାକ ରାଜସ୍ଥାନ କ୍ୟାଡରର ଅଫିସର ଥିଲେ । କିନ୍ତୁ ଏବେ ଟିନା ଜୟପୁରର ଫାଇନାନ୍ସ ଡିପାର୍ଟମେଣ୍ଟର ଜଏଣ୍ଟ ସେକ୍ରେଟେରୀ ପଦରେ ନିୟୋଜିତ ଅଛନ୍ତି । ଆଉ ଅତହର୍ ଡେପ୍ୟୁଟେସନରେ ଜମ୍ମୁ କାଶ୍ମୀରରେ ନିୟୋଜିତ ଅଛନ୍ତି । ଦୁହିଁଙ୍କ ବିବାହ ପରେ ପ୍ରଥମେ ପ୍ରଥମେ ସବୁକିଛି ଠିକ ଚାଲିଥିଲା,ଏମିତିକି ଟିନା ନିଜର ସରନେମ୍ ବଦଳାଇ ଖାନ୍ କରିଦେଇଥିଲେ । କେବଳ ସେତିକି ନୁହେଁ ନିଜ ଇନଷ୍ଟାଗ୍ରାମରେ କଶ୍ମୀର ବୋହୁର ଟ୍ୟାଗ ମଧ୍ୟ ଲଗାଇଥିଲେ ଟିନା । ଦୁନିଆ କଣ ଭାବୁଛି କିମ୍ବା କଣ କହୁଛି ସେସବୁର ଖାତିର୍ କରୁଥିଲେ ଏହି ଦୁଇ ପ୍ରେମପକ୍ଷୀ ।

କିନ୍ତୁ ସଂମ୍ପର୍କରେ ତିକ୍ତତା ବଢିବା କାରଣରୁ ଗତ ବର୍ଷ ଟିନା ନିଜ ନାଁରୁ ଅତହରଙ୍କ ସରନେମକୁ ହଟାଇଦେଇଥିଲେ । ଏହା ଦେଖି ଅତହର ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ଟିନାଙ୍କୁ ଅନଫଲୋ କରିଦେଇଥିଲେ । ଯାହା ଫଳରେ ସାରା ଦେଶ ଏହି ଦୁଇ ଆଇଏଏସଙ୍କ ପ୍ରେମ ବିବାହ ଭିତରେ ଚାଲିଥିବା ମତଭେଦ ବିଷୟରେ ଜାଣିପାରିଥିଲା । ଲୋକେ କହିବାକୁ ଲାଗିଲେ କଣ ଅଲଗା ଧର୍ମ ଓ ଜାତି ପାଇଁ ଏମାନଙ୍କ ଭିତରେ ମତଭେଦ ଆରମ୍ଭ ହୋଇଛି । ଏମିତି ଖବର ଧିରେ ଧିରେ ସତକଥାରେ ପରିଣତ ହୋଇଗଲା । ଏବଂ ଦୁହେଁ ଜୟପୁରର ଫ୍ୟାମିଲ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କଲେ । 

ଛାତ୍ରପତ୍ର ଆବେଦନର ଦୁଇ ବର୍ଷ ପରେ ଏବେ ଦୁହିଁଙ୍କୁ ଅଲଗା ହେବାକୁ ଅନୁମତି ଦେଇଛନ୍ତି ଅଦାଲତ । ଅର୍ଥାତ ଯେଉଁ ସମ୍ପର୍କ ଦୁଇଟି ମନର ମିଳନରେ ଆରମ୍ଭ ହୋଇଥିଲା ତାହା ଅଦାଲତର ମୋହରରେ ଛିନ୍ନ ହୋଇଛି । ପ୍ରେମ ଓ ବିବାହ ନିଶ୍ଚିତ ଭାବେ ବ୍ୟକ୍ତିଗତ ମାମଲା । ଟିନା ଓ ଅତହର କଣ ପାଇଁ ଅଲଗା ହେଲେ ତାହା ସେମାନଙ୍କ ବ୍ୟକ୍ତିଗତ ବ୍ୟପାର କିନ୍ତୁ ଏହା ବି ସତଯେ, ସେଲିବ୍ରିଟି ବିବାହ ଯଦି ଖବର ତେବେ ବିଛେଦ ବି ଖବର ।

କରିନା କପୁରଙ୍କ ସପୋର୍ଟରେ ବାହାରିଲେ ସ୍ୱରା, ଟ୍ରୋଲ୍ସଙ୍କୁ କହିଲେ ‘ତୁମେ ସବୁଠୁ ବଡ଼’…

ମୁମ୍ବାଇ: ଅଭିନେତ୍ରୀ କରିନା କପୁର ଖାନଙ୍କ ଦ୍ୱିତୀୟ ପୁଅର ନାମ ‘ଜେ’ ବୋଲି ସୂଚନା ମିଳିଥିଲା । ହେଲେ Kareena Kapoor Khan’s Pregnancy Bibleରେ ଅଭିନେତ୍ରୀ ପୁଅର ନାମ ଜାହାଙ୍ଗିର ବୋଲି ଉଲ୍ଲେଖ କରିଛନ୍ତି । ଯାହା ଏବେ ସବୁଠି ଚର୍ଚ୍ଚାର ବିର୍ଷୟ ପାଲଟିଛି । କିଛି ଲୋକ ଏହି ନାମକୁ ନେଇ ଟ୍ରୋଲ କରୁଥିବାବେଳେ କିଛି ଲୋକ ଏହାକୁ ସମର୍ଥନ କରୁଛନ୍ତି | ସେହି ତାଲିକାରେ ଜଣେ ହେଉଛନ୍ତି ଅଭିନେତ୍ରୀ ସ୍ୱରା ଭାସ୍କର।

ନିକଟରେ ସ୍ୱରା ଭାସ୍କର ସୋସିଆଲ ମିଡିଆରେ ସୈଫ-କରୀନାଙ୍କ ଦ୍ୱିତୀୟ ପୁଅର ନାମ ଉପରେ ଏକ ପୋଷ୍ଟ କରିଛନ୍ତି। ସ୍ୱରା ଟୁଇଟ୍ କରି ଲେଖିଛନ୍ତି, ‘ଜଣେ ଦମ୍ପତି ସେମାନଙ୍କ ପିଲାମାନଙ୍କର ନାମ ରଖିଛନ୍ତି, କିନ୍ତୁ ଆପଣମାନେ ସେହି ଦମ୍ପତି ନୁହଁନ୍ତି, ହେଲେ ଆପଣମାନେ ସେହି ନାମକରଣ ଉପରେ ପ୍ରଶ୍ନ ଉଠାଉଛନ୍ତି । ଯଦି ଏଭଳି ନାମ କିମ୍ବା କଥା ଆପଣଙ୍କ ଭାବନାକୁ ଆଘାତ କରୁଛି, ତେବେ ଆପଣ ମାନେ ଏହି ଦୁନିଆର ସବୁଠୁ ବଡ ଗଧ |

ସୂଚନାଯୋଗ୍ୟ, କରୀନା-ସୖେଫଙ୍କ ପ୍ରଥମ ପୁଅ ତୖେମୁର ଅଲି ଖାନଙ୍କ ନାମକୁ ନେଇ ମଧ୍ୟ ସେ ସମୟରେ ଚର୍ଚ୍ଚା ହୋଇଥିଲା । ତୖେମୁର ପରି ଲୋକମାନେ ଜାହାଙ୍ଗୀରଙ୍କ ନାମକୁ ମଧ୍ୟ ପସନ୍ଦ କରୁନାହାଁନ୍ତି। ଏପରିକି ତାଙ୍କ ଦ୍ୱିତୀୟ ପୁଅର ନାମ ମଧ୍ୟଟ୍ୱିଟରରେ ଟ୍ରେଣ୍ଡ କରୁଛି । ଜାହାଙ୍ଗୀରଙ୍କ ନାମକୁ ନାପସନ୍ଦ କରୁଥିବା ୟୁଜର୍ସ ମାନେ ଆହୁରି ମଧ୍ୟ କହିଛନ୍ତି ଯେ, ସୈଫ ଓ କରିନା ସେମାନଙ୍କ ଆଗାମୀ ସନ୍ତାନର ନାମ ଔରଙ୍ଗଜେବ କିମ୍ବା ବାବର ରଖନ୍ତୁ ବୋଲି । କାରଣ ଉଭୟ ଶାସକ ଇତିହାସରେ ଜଣେ ଜଣେ ନିଷ୍ଠୁର ଶାସକ ଭାବରେ ପରିଚିତ |

 

ବିଶ୍ୱାସୀ ହାତୀ, ଅବିଶ୍ୱାସୀ ମଣିଷ: ବନ୍ଧୁ ଆଜି ବଇରି….

ନନ୍ଦିଘୋଷ ବ୍ୟୁରୋ: ହାତୀ ମେରା ସାଥୀ  । ନିଶ୍ଚେ ଏହି ହିନ୍ଦୀ ଚଳଚିତ୍ର ଟି ଆପଣ ଦେଖିଥିବେ  । ୧୯୭୧ ମସିହାରେ ପ୍ରଥମ ଫିଲ୍ମ ଆସେ  । ଏବେ ତ ଅନେକ ଫିଲ୍ମ ରିଲିଜ ହେଲାଣି   ହାତୀକୁ ନେଇ । କିପରି ଜଣେ ବନ୍ଧୁ ପାଇଁ ଜୀବନ ଦେବାକୁ ମଧ୍ୟ ଏହି ବିଶାଳ ଜୀବଟି ପଛାଏ ନାହିଁ, ତାହାର ଦୃଷ୍ଟାନ୍ତ ଏହି ଚଳଚିତ୍ର ଗୁଡ଼ିକରେ ନିହାତି ଲିପିବଦ୍ଧ  । ଆମେ ଯଦି ଜୁରାସିକ ଯୁଗକୁ ଯିବା ତେବେ ଡାଇନୋସର ହିଁ ପୃଥିବୀର ବଡ଼ ଜୀବ ବୋଲି ଉଲ୍ଲେଖ ରହିଛି  ।  ଏବେ ମଧ୍ୟ ଅନେକ ସ୍ଥାନରେ ଡାଇନୋସର ଜୀବାଶ୍ମ ମିଳୁଥିବା ବିଶେଷଜ୍ଞ ମାନେ ମତ ପ୍ରକାଶ କରୁଛନ୍ତି  । ଅର୍ଥାତ ଆମକୁ ମାନିବାକୁ ପଡିବ ଯେ, ଏଇ ଦୁନିଆରେ ନିହାତି ବିଶାଳ ଜୀବ ବାସ କରୁଥିଲେ  । ଯେଉଁମାନେ ୧୦-୧୫ଟି ହାତୀର ବଳ ଏବଂ ଆୟତରେ ବଡ଼  । କିନ୍ତୁ ଏବେ ତ ଆମ ପାଇଁ ଏହା କାହାଣୀ  । ଆଉ ଏହି କାହାଣୀ ପଛର ଖଳନାୟକ କିଏ, କେବେ ଅନୁସୀଳନ କରିଛନ୍ତି । ଯଦି କରିନାହାଁନ୍ତି ତେବେ….

ବେଶି ଦୂରକୁ ଯିବାନି  । ଏଇ ନିକଟରେ ଏକ ଘଟଣା   । ଅନ୍ୟ କେଉଁ ଦେଶରେ ବି ନୁହେଁ  । ଚିତ୍ରଟି କେରଳରୁ ଆସେ  । ସେହି ଚିତ୍ରଟି ମାନବିକତାକୁ ଜାବୁଡ଼ି ଧରି ବଞ୍ଚୁଥିବା ପ୍ରତିଟି ମଣିଷକୁ ସେଦିନ ପ୍ରଶ୍ନ ପଚାରେ  । ବାରମ୍ବାର ଧିକାର ବୋଧ କରେ  ।  ମାତ୍ର ଗୋଟିଏ ଚିତ୍ର ସଭିଙ୍କୁ ଆନ୍ଦୋଳିତ କରେ  । ଶେଷରେ ଅନେକଙ୍କ ଆଖିରୁ ଦୁଇ ଧାର ଅଶ୍ରୁ ବୋହିବାକୁ ବାଧ୍ୟ କରେ   ।  କିଭଳି ଅସହିଂଷ୍ଣୁ ମଣିଷର ଶିକାର ହୁଏ ଗୋଟେ ବିଶାଳ ଶରୀରଧାରୀ ବିଶ୍ୱାସୀ ଜୀବ  । ପେଟରେ ସନ୍ତାନ, ଆଉ ଖାଦ୍ୟରେ ବିଷ  ।  ଆହାର ନାଁରେ ସରଳ ଜୀବଟିକୁ ବିସ୍ଫୋରକ ଭର୍ତ୍ତି ପଦାର୍ଥ ଦେଇଦିଏ ମଣିଷ  । ଜୀବନ ମୃତ୍ୟୁର ଦୋଛକିରେ ବିଶ୍ୱାସ କରି ଭୁଲ କରିଥିବା ହାତୀ ବି ନିଜକୁ ପ୍ରଶ୍ନ କରିବାକୁ ସମୟ ପାଇପାରିଲା ନାହିଁ  । କାରଣ ସେ କରିଥିବା ନିଛକ ବିଶ୍ୱାସ ଯେ,  ଗର୍ଭରେ ରହି ଦୁନିଆ ଦେଖିନଥିବା ଗୋଟେ ନିଷ୍ପାପ ସନ୍ତାନ ଭୋଗିବ  । ତାହା ତ ସେଦିନ ସେ ଗର୍ଭିଣୀ ହାତୀର କଳ୍ପନାର ବହୁ ଦୂରେ ଥିଲା  । ବଞ୍ଚିବାର ବାହାନା ଖୋଜି ପାଣି ଭିତରେ ସିନା ଅସହ୍ୟ କଷ୍ଟକୁ ଉପସମ ଦେଉଥାଏ  । କିନ୍ତୁ ସେ ଜାଣିସାରିଥାଏ, ତା ବିଶ୍ୱାସର ପରିଣାମ କେବଳ ମୃତ୍ୟୁ ବୋଲି  ।

ଜୀବଜଗତ ଅଛି କିନ୍ତୁ ଜଗତରୁ ଜୀବ ଲୀନ ହେବାରେ ଲାଗିଛନ୍ତି  । ଆଜି ପୃଥିବୀର ବିଶାଳକାୟ ଜୀବ ଆମେ ହାତୀକୁ ହିଁ କହିବା  । କାରଣ ହାତୀ ଠାରୁ ଆୟତ୍ତ ଏବଂ ଗଠନରେ ଅନ୍ୟ କୌଣସି ଜୀବ ଅଦ୍ୟ ଏ ପୃଥିବୀରେ ନାହାଁନ୍ତି  । ହାତୀ କୈଣସି ମତେ ହିଂସ୍ର ପ୍ରାଣୀ ନୁହେଁ  । ବଂର ଏକଥା ମଧ୍ୟ ଆମେ ରାଜ ରାଜୁଡ଼ା ଅମଳରୁ ଦେଖିଛେ, କିପରି ନିଜର ପରିବହନ ଏବଂ ପତିଆରା ପାଇଁ ରାଜା ମହାରାଜା ମାନେ ହାତୀକୁ ନିଜ ଦରବାରରେ ରଖିଥାଆନ୍ତି  । ଯେଉଁ ରାଜାଙ୍କର ଯେତେ ହାତୀ ଅଛି, ସେ ନିଶ୍ଚିତ ବଳଶାଳୀ ବୋଲି ଗଣନା କରାଯାଏ  ।

ସେତେବେଳେ ମଣିଷ ହାତୀ ଏକାଠି ରୁହନ୍ତି  । ଶତ୍ରୁ ନୁହେଁ ବଂର ବନ୍ଧୁ ହୋଇ  । ସେମାନଙ୍କର ଚଳଣୀ ଏବଂ ରହଣୀରେ ବାଧା ସୃଷ୍ଟି କରାଯାଏନା   । ଆଜି ବି ଅନେକ ଗାଁ ଜଙ୍ଗଲ ଭିତରେ ରହିଛି  । ଯେଉଁମାନେ ହାତୀ ଭଳି ଜୀବର ସୁରକ୍ଷା ପାଇଁ ଅତି ସାଧାରଣ ଭାବେ ଚଳି ଆସନ୍ତି   । କିନ୍ତୁ ଆଜିର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ହୋଇଛି  । ଜଙ୍ଗଲ ଆଜି କଂକ୍ରିଟରେ ଭର୍ତ୍ତି ହୋଇଛି  । ସବୁଜ ବଳୟ ଭିତରେ ପ୍ରବେଶ କରିଛି ରାକ୍ଷସ ରୂପୀ ବୃହତ କୋଠା  । ଯେଉଁଥିପାଇଁ ଏହି ବିଶାଳକାୟ ନିରୀହ ପ୍ରାଣୀ ଆଜି ସାଜିଛି ରକ୍ତ ମୁଖା  ।

ଆଜି ହେଉଛି ବିଶ୍ୱ ହସ୍ତୀ ଦିବସ । ହାତୀଙ୍କ ପାଇଁ ଆଜିର ଦିନଟିଏ । ଯେଉଁଭଳି ପିତୃ ମାତୃ ଦିବସ ଦିନଟିଏ ପାଇଁ ପାଳନ ହୁଏ  । ଠିକ ସେମିତି ଢଙ୍ଗରେ ଏ ମାନବ ସମାଜ ହାତୀଙ୍କ ପାଇଁ ମଧ୍ୟ ଦିନଟିଏ ପାଳନ କରୁଛି  । ସାଧାରଣରେ ଜନସଚେତନତା ସୃଷ୍ଟି କରିବା ପାଇଁ ହସ୍ତୀଦିବସ ପାଳନ ହୋଇଥାଏ । ଏଣୁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱହସ୍ତୀ ଦିବସ ପାଳନ କରାଯାଉଛି । ପ୍ରଥମ ବିଶ୍ୱ ହସ୍ତୀଦିବସ ୨୦୧୨ ମସିହା ଅଗଷ୍ଟ୧୨ରେ ଆରମ୍ଭ ହୋଇଥିଲା । କିନ୍ତୁ ପ୍ରଶ୍ନ ଆସିବା ସ୍ୱଭାବିକ ଯେ, ହସ୍ତୀ ଦିବସ ପାଳନ କରିବାରେ କେଉଁଠି ଆବଶ୍ୟକତା ରହିଲା ?

ଜଙ୍ଗଲରେ ଭର୍ତ୍ତି ଏ ବିଶ୍ୱ ଏବେ ଜଙ୍ଗଲ ଦେଖିବା ପାଇଁ ମଧ୍ୟ ଭ୍ରମଣରେ ଯାଉଛି  । ଆଉ ଦିନେ ଜଙ୍ଗଲରେ ସାଥି ହୋଇ ଚଳୁଥିବା  ମଣିଷ-ହାତୀ ଏବେ ମୁହାଁମୁହିଁ ହୋଇଛନ୍ତି  । ଏହି ଲଢ଼େଇରେ କେତେବେଳେ ମଣିଷର ଜୀବନ ଯାଉଛି ତ କେବେ ହାତୀର..। ପ୍ରକୃତିର ଅବକ୍ଷୟ ବି ହାତୀକୁ ମରଣ ମୁହଁକୁ ଠେଲିଦେଇଛି। ମଣିଷ ତାହାର ଜୀବନ ଶୈଳୀକୁ ଭିନ୍ନ ଢଙ୍ଗରେ ଉପଭୋଗ କରିବା ପାଇଁ ଏହି ବିଶାଳକାୟ ଜୀବକୁ ମୃତ୍ୟୁ ମୁଖକୁ ଠେଲି ଦେଇଛି  । ବଞ୍ଚିବାର ରାସ୍ତା ଖୋଜି ଖୋଜି କେତେବେଳେ ଏହି ନିରୀହ ଜୀବ ଗାଁ ଏବଂ ସହରରେ ପ୍ରବେଶ କରିବାକୁ ବାଧ୍ୟ ହେଉଛି  ।

 

କେବଳ ଯଦି  ୧୧ ବର୍ଷକୁ ଅନୁଶୀଳନ କରିବା ତେବେ ଏହି ପରିଧି ଭିତରେ କେବଳ ଓଡ଼ିଶାରେ ୮୬୨ ହାତୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଏ । ସେଥିମଧ୍ୟରୁ ଟ୍ରେନ୍ ଦୁର୍ଘଟଣାରେ ୩୧ଟି, ସଡ଼କ ଦୁର୍ଘଟଣାରେ ୬ଟି, ବିଦ୍ୟୁତ୍ ଆଘାତରେ ୧୩୫ଟି ହାତୀଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ୮୬ଟି ହାତୀଙ୍କୁ ଶିକାର କରାଯାଇଥିବା ବେଳେ ୩୭ଟି ବିଷକ୍ରିୟା ଦ୍ବାରା ମୃତ୍ୟୁମୁଖରେ ପଡ଼ିଛନ୍ତି। ଗତ ୨୦ ଦିନ ମଧ୍ୟରେ ରାଜ୍ୟରେ ୫ଟି ହାତୀଙ୍କ ମୃତ୍ୟୁ ଆହୁରି ଚିନ୍ତା ବଢ଼ାଇ ଦେଇଛି। ସେହିପରି ଯଦି ଅନ୍ୟ ଏକ ଦିଗରୁ ଦେଖିବା ତେବେ ୧୯୭୯ରେ ଓଡ଼ିଶାରେ ୨୦୪୪ଟି ହାତୀ ରହିଥିଲେ  । କିନ୍ତୁ ଏହାର ୪ ଦଶନ୍ଧି ପରେ ବି ସଂଖ୍ୟା ବଢ଼ିପାରିନି। ୨୦୧୭ ଗଣନା ବେଳେ ରାଜ୍ୟର ୨୬ଟି ଜିଲ୍ଲାରେ କେବଳ ୧୯୭୬ଟି ହାତୀ ଚିହ୍ନଟ ହୋଇଥିବା ଜଣାଯାଏ । ତେବେ ଏହି ହାତୀ ଦିବସକୁ କେବଳ ପୋଷ୍ଟରରେ ନୁହେଁ, ପ୍ରକୃତରେ ବୁଝିବାର ଆବଶ୍ୟକତା ରହିଛି  । ନଚେତ୍ ଦିନ ଆସିବ ଠିକ ଆମ ପରି ଆମର ପର ପିଢୀ ମଧ୍ୟ ଡାଇନସୋର ଭଳି ହାତୀର କାହାଣୀ କେବଳ ପଢିବେ…..