spot_img
Home Blog Page 5115

EDରେ ହାଜର ଅଭୟ ପାଠକ, ଟଙ୍କା ଟ୍ରାଞ୍ଜାକ୍ସନ ନେଇ ଚାଲିଛି ପଚରା ଉଚରା

ଭୁବନେଶ୍ୱର: ଟାଟା ନାଁରେ ଫେକ୍ ନିଯୁକ୍ତି ମାମଲା । ଇଡିରେ ହାଜର ହେଲେ ପୂର୍ବତନ ଆଇଏଫଏସ ଅଭୟ ପାଠକ । ନିଯୁକ୍ତି, ଠକେଇ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭୟଙ୍କୁ ସମନ କରିଥିଲା ଇଡି । ସମନ ମୁତାବକ ଇଡି ଭୁବନେଶ୍ୱର ଅଫିସରେ ହାଜର ହୋଇଛନ୍ତି ଅଭୟ ପାଠକ । ହାଜର ହେବା ପରେ ତାଙ୍କୁ ପଚରାଉଚରା କରୁଛି ଇଡି । ବେଆଇନ ଆର୍ଥିକ କାରବାର ନେଇ ପଚରାଉଚରା କରାଯାଉଛି । ପୁଅ ଆକାଶ ପାଠକ ଆକାଉଣ୍ଟରୁ ବାପା ଅଭୟକାନ୍ତ ପାଠକଙ୍କ ଆକାଉଣ୍ଟକୁ ୮କୋଟି ଟଙ୍କା ଆସିଥିଲା ।

ତେବେ ଏ ଟଙ୍କା ଟ୍ରାନାଜାକ୍ସନ ସହ କେଉଁଠୁ ଆସିଥିଲା, ସେ ବାବଦରେ ପଚରାଉଚରା କରୁଛି ଇଡି । ପାଠକଙ୍କ ଟଙ୍କା ଆଉ କେଉଁଠି ବିନିଯୋଗ ହୋଇଛି ସେନେଇ ତନାଘନା କରୁଛି ଇଡି । ଫେକ ନିଯୁକ୍ତ ମାମଲାରେ ଇଡି ଏଯାଏଁ ୧୫ ଜଣଙ୍କୁ ଜେରା କରିଛି । ସେପେଟେ ଏ ଲିଙ୍କରେ ଗୋପାଳପୁରର ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅକୁ ଇଡି ସାମ୍ନା କରିଛି । କୌଣସି ସମସ୍ୟା କାରଣରୁ ହାଜର ହୋଇନାହନ୍ତି ବାପ ଓ ଝିଅ ।

ତେବେ ପୁଣିଥରେ ହାଜର ହେବା ପାଇଁ ଇଡି ସମନ କରିଛି । ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରୁ ଭାବି ଜ୍ବାଇଁ ଆକାଶ ପାଠକଙ୍କ ଆକାଣ୍ଟକୁ ଟଙ୍କା ଆସିଥିଲା ଏ ବାବଦରେ ପ୍ରଦୀପ ପାଣିଗ୍ରାହୀଙ୍କ ଠାରୁ ତଥ୍ୟ ଜାଣିବାକୁ ଚାହୁଁଛି ଇଡି । ଗତବର୍ଷ ନଭେମ୍ବର ୨୭ତାରିଖରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଭୟ ଓ ବାପ ପୁଅଙ୍କୁ ଗିରଫ କରାଯାଇଥିଲା । ଓଡ଼ିଶା ବିହାର ମୁମ୍ବାଇ ସମେତ ୧୨ଟି ଜାଗାରେ ଯାଞ୍ଚ କରାଯାଇଥିଲା ।

ଶକ୍ତିପୀଠରେ ମାଆଙ୍କ ଷୋଡଶ ଉପଚାର, ଆସନ୍ତାକାଲି ଖଡି ଲାଗି

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ପୂଜା । ଏହି କ୍ରମରେ କଟକର ଆରାଧ୍ୟଦେବୀ ମାଆ କଟକ ଚଣ୍ଡୀଙ୍କର ଆଜି ଜୟଦୁର୍ଗା ବେଶ ଅନୁଷ୍ଠିତ ହେବ । ମାଆଙ୍କ ବେଶ ଦେଖିବା ପାଇଁ ଭକ୍ତଙ୍କ ଭିଡକୁ ନଜରରେ ରଖି ମନ୍ଦିର ପ୍ରଶାସନ ଓ ପୋଲିସ ବ୍ୟାପକ ବ୍ୟବସ୍ଥା କକରାଯାଇଛି । ମନ୍ଦିର ପରିସରରେ ବିଭିନ୍ନ କଟକଣା ଜାରି କରାଯାଇଛି । କୋଭିଡ କଟକଣାରେ ମାଆଙ୍କୁ ଦର୍ଶନ କରିବାର ବ୍ୟବସ୍ଥା ହୋଇଛି । ଅନ୍ୟପଟେ ଆସନ୍ତାକାଲିଠୁ ନବରାତ୍ରୀ ପୂଜା ଆରମ୍ଭ ହେବ ।

ପାଖେଇଲାଣି ଦଶହରା । ଜୋରସୋରରେ ଚାଲିଛି ପୂଜା ପ୍ରସ୍ତୁତି । ଆସନ୍ତାକାଲି ମୂର୍ତ୍ତିରେ ଲାଗିବ ଖଡି । କଟକଣା ସହ ପାଳନ ହେବ ଦଶହରା । ଏଥିପାଇଁ ଜାରି ହୋଇଛି ଗାଇଡଲାଇନ୍‌ । କରୋନା ପାଇଁ ଚଲିତବର୍ଷ ମଧ୍ୟ ଫିକା ଲାଗିବ ଦଶହରା । ଭୁବନେଶ୍ୱରରେ ୧୮ଟି ମୁଖ୍ୟ ପୂଜା ମଣ୍ଡପ ସମେତ ଚଳିତ ବର୍ଷ ମୋଟ ୧୦୦ରୁ ଅଧିକ ପୂଜା ଆୟୋଜନ ହେଉଛି । ଆୟୋଜକଙ୍କୁ ନେଇ ପ୍ରଶାସନର ବୈଠକ ଶେଷ ହୋଇଛି । ଭକ୍ତଙ୍କ ପାଇଁ ଅନଲାଇନ୍‌ରେ ଦର୍ଶନ ସହିତ ପ୍ରସାଦ ଯୋଗାଇବା ବ୍ୟବସ୍ଥା କରାଯାଇଛି ।

ସାମାନ୍ୟ କଳହରୁ ସାଙ୍ଘାତିକ କାଣ୍ଡ: ଶ୍ୱଶୁର ଘରକୁ ଜ୍ୱାଇଁର ବୋମାମାଡ଼

କଟକ: ସ୍ୱାମୀ-ସ୍ତ୍ରୀ କଳହକୁ ନେଇ ଶ୍ବଶୂର ଘରେ ଜ୍ବାଇଁର ବୋମାମାଡ଼ । କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ନୂଖାପଡା ଗ୍ରାମର ଏ ଘଟଣା । ଗତକାଲି ରାତିରେ ଲେମ୍ବୋ ଗାଁର ସଞ୍ଜୟ ବେହେରା ଶ୍ବଶୂର ଘରେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି । ବୋମାମାଡ଼ରେ ଶ୍ୱଶୂର ବୈକୁଣ୍ଠ ବେହେରା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ, ସ୍ତ୍ରୀ ରାଣୀ ବେହେରା ସାମାନ୍ୟ ଆହତ ହୋଇଛନ୍ତି । ଖବର ଅନୁଯାୟୀ ୧୫ ବର୍ଷ ତଳେ ସଞ୍ଜୟଙ୍କ ସହ ବୈକୁଣ୍ଠଙ୍କ ଝିଅ ଯଶସ୍ୱୀନୀଙ୍କର ବିବାହ ହୋଇଥିଲା ।

ବିବାହର ୫ ବର୍ଷ ପରେ ମନୋମାଳିନ୍ୟ ଯୋଗୁଁ ବାପଘରେ ରହିଆସୁଥିଲେ ଯଶସ୍ୱନୀ । ବିବାହ ବିଚ୍ଛେଦ ମାମଲା କୋର୍ଟରେ ଚାଲିଥିବା ବେଳେ, ସ୍ତ୍ରୀକୁ ନେବାକୁ ଅଡି ବସିଥିଲେ ସଞ୍ଜୟ । ହେଲେ ସ୍ତ୍ରୀକୁ ଆଣିବାକୁ ଯାଇଥିବା ସଂଜୟ ଯଶସ୍ୱୀନୀକୁ ପାଇନଥିଲେ  । ପରେ ଉତକ୍ଷିପ୍ତ ହୋଇ ଜ୍ୱାଇଁ ଶ୍ୱଶୁର ଘର ଉପରକୁ ବୋମାମାଡ଼ କରିଥିବା ଜଣାପଡିଛି । ସେପଟେ ଏନେଇ ଥାନାରେ ଅଭିଯୋଗ ଆଣିଛନ୍ତି ଶ୍ୱଶୂର ଘର ଲୋକ ।

୬ ଘଣ୍ଟା ଅକାମୀ ଫେସବୁକ୍, ଜୁକରବର୍ଗ ହରାଇଲେ ୭ ବିଲିୟନ ଡଲାର

ନନ୍ଦିଘୋଷ ବ୍ୟୁରୋ: ୬ ଘଣ୍ଟାର ସେବା ବନ୍ଦ ହୋଇଯିବା ଫଳରେ ଫେସବୁକ ହରାଇଛି ୭ ବିଲିୟନ ଡଲାର । ଏକ ବଡ଼ ଧରଣ ବ୍ଲାକଆଉଟ ପୂର୍ବରୁ କେବେ ଘଟି ନଥିଲା । ଗତକାଲି ଅପରାହ୍ନ ୪ଟାରୁ ସାଇଟ ଅକାମୀ ହୋଇଥିବା ପରିଲକ୍ଷିତ ହୋଇଥିଲା । ତେବେ ୫ଟା ୪୫ରୁ ଆଂଶିକ ଭାବେ ସେବା ପ୍ରଦାନ କରାଯାଇଥିଲା । ସେବା ଅଚଳ ନେଇ ପ୍ରାୟ ୨୦ ହଜାର ୟୁଜର ଅଭିଯୋଗ କରିଥିଲେ । ସେପଟେ ଏହି ବ୍ଲାକଆଉଟ ଲାଗି ଫେସବୁକ ଚିଫ୍ ଟେକ୍ନୋଲୋଜି ଅଫିସର ମାଇକ୍ ସ୍କ୍ରୋଇଫର ଦୁଃଖ ପ୍ରକାଶ କରିଛନ୍ତି । ୧୦୦ ପ୍ରତିଶତ ସେବା ଖୁବଶୀଘ୍ର ଯୋଗାଇଦିଆଯିବ ବୋଲି ସେ କହିଛନ୍ତି ।

ଫେସବୁକର ସେୟାର ମଧ୍ୟରୁ ୨୦୦ କୋଟି ଦୈନିକ ସକ୍ରିୟ ୟୁଜରଙ୍କ ସଂଖ୍ୟା ଗତକାଲି ୪.୯ ପ୍ରତିଶତ ହ୍ରାସ ପାଇଥିଲା । ଆଭ୍ୟନ୍ତରୀଣ ତ୍ରୁଟି ଯୋଗୁ ଏହି ବ୍ଲାକ ଆଉଟ ହୋଇଥିଲା ବୋଲି ନିରାପତ୍ତା ବିଶେଷଜ୍ଞମାନେ କହିଛନ୍ତି । ସେପଟେ ଏହି ଘଟଣାରେ ଫେସବୁକ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ମାର୍କ ଜୁକରବର୍ଗ କେଇ ଘଣ୍ଟାରେ ହରାଇଛନ୍ତି ୭ ବିଲିୟନ ଡଲାର । ଫେସବୁକର ଷ୍ଟକ ୪.୯ ପ୍ରତିଶତ ହ୍ରାସ ପାଇବା ଯୋଗୁ ଏହି ଘାଟା ସୃଷ୍ଟି ହୋଇଥିଲା । ଅସହିଷ୍ଣୁତା ମୂଳକ ତଥ୍ୟ ଓ ତ୍ରୁଟିଯୁକ୍ତ ସୂଚନା ପ୍ରସାରଣ ଅଭିଯୋଗ କରି କମ୍ପାନୀ ପକ୍ଷରୁ ଅଧିକରୁ ଅଧିକ ଆକାଉଣ୍ଟ ଉପରେ କଟକଣା ଜାରି କରି କମ୍ପାନୀ ଅଧିକ ଲାଭ ପାଉଛି ବୋଲି ଓ୍ବେବସାଇଟ ମନିଟରିଂ ଗ୍ରୁପ ଡାଉନ ଡିଟେକ୍ଟର ଅଭିଯୋଗ କରିଥିଲା ।

ପ୍ରାୟ ରାତି ୯ଟା ପରେ ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ବାଟସଆପ୍ ଅକାମୀ ହୋଇଯାଇଥିଲା । ଏହି ତିନୋଟି ସୋସିଆଲ ସାଇଟ କାମ ନକିରବା ଫଳରେ କୋଟି କୋଟି ୟୁଜର ପ୍ରଭାବିତ ହୋଇଥିଲେ  । ସେପଟେ ଯେଉଁ  ୬ ଘଣ୍ଟା ପାଇଁ ଫେସବୁକ ବନ୍ଧ ହୋଇଯାଇଥିଲା, ସେଥିଲାଗି ବିଲିୟନ ଡଲାର ହରାଇଛି କମ୍ପାନୀ  । ଏତେବଡ଼ କ୍ଷତି ଏବଂ ତ୍ରୁଟି ପୂର୍ବରୁ କେବେ ଘଟିନଥିଲା  । ଫେସବୁକ ଯୋଗାଇ ଆସୁଥିବା ନିରବିଛିନ୍ନ ସେବା ବ୍ୟାଘାତ ହେବା  ଆମ ପାଇଁ ଦୁଖଃଦ ଘଟଣା  । ଏଥିପାଇଁ ୟୁଜରଙ୍କ ନିଟରେ କ୍ଷମାପ୍ରାର୍ଥୀ ବୋଲି କହିଛନ୍ତି ମାର୍କ ଜୁକରବର୍ଗ  ।

 

 

ରାଜନୀତିରେ ଜଳୁଛି ଲକ୍ଷ୍ମୀପୁର: ପ୍ରିୟଙ୍କା କହିଲେ, ବିନା ଅଭିଯୋଗରେ ମୋତେ ୨୮ ଘଣ୍ଟା ଅଟକ କାହିଁକି ?

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ଚାଷୀ ମୃତ୍ୟୁ ଘଟଣାରେ ଦେଶବ୍ୟାପୀ ଜଳୁଛି ନିଆଁ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ମୃତ ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ସବୁ ସ୍ତରରେ ଦାବି ଜୋର ଧରିଛି । ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ରାଜରାସ୍ତାକୁ ଓହ୍ଲାଇବା ସହ ପ୍ରତିବାଦ କରିଛନ୍ତି । ଯୋଗୀ ସରକାର ଘଟଣାରେ ଉଚିତ୍ ତଦନ୍ତ କରିବା ପାଇଁ ଦାବି ହୋଇଛି । କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, ଆପ୍, ଟିଏମସି, ବାମଦଳ ସହ ତମାମ ବିରୋଧୀ ଦଳ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ନ୍ୟାୟ ଦାବି କରିଛନ୍ତି । ସେପଟେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ବିନା କୌଣସି ଅଭିଯୋଗରେ ପୋଲିସ ୨୮ ଘଣ୍ଟା ଧରି ଅଟକ ରଖିଛି   । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା  ।

ଟ୍ୱିଟର ଯୋଗେ ପ୍ରିୟଙ୍କା ଯୋଗୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷ ଓଗାଳିଛନ୍ତି  । ତାଙ୍କ ବିରୋଧରେ କୈଣସି ଅଭିଯୋଗ କିମ୍ବା କୈଣସି ନିର୍ଦ୍ଧିଷ୍ଟ ୱାରେଣ୍ଟ ନଥିବା ସ୍ୱତେ ଉତ୍ତରପ୍ରଦେଶ ପୋଲିସ ପ୍ରାୟ ୨୮ ଘଣ୍ଟା ପାଖାପାଖି ଅଟକ ରଖିଛି  । ଗତକାଲି ଭୋରରୁ ପ୍ରିୟଙ୍କା ଗାନ୍ଧୀ ଲକ୍ଷମୀପୁର ଆନ୍ଦୋଳନ ସ୍ଥଳକୁ ଯାଉଥିବାବେଳେ ପୋଲିସ ତାଙ୍କୁ ଅଧ ରାସ୍ତାରେ ଅଟକ ରଖିଥିଲା  । ପରେ ପ୍ରିୟଙ୍କା ଯେଉଁ ଗେଷ୍ଟ ହାଉସରେ ରହୁଥିଲେ, ତାକୁ ଝାଡ଼ୁ କରୁଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା  ।

ସେପଟେ ପରିସ୍ଥିତିକୁ ନଜରରେ ରଖି ଲକ୍ଷ୍ମୀପୁର ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରିବା ସହ ୧୪୪ ଧାରା ଲାଗୁ କରାଯାଇଛି । କୌଣସି ବିରୋଧୀ ଦଳ ନେତାଙ୍କୁ ଲକ୍ଷ୍ମୀପୁର ଆସିବା ପାଇଁ ଅନୁମତି ଦିଆଯାଉନାହିଁ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଡି ବସିଛନ୍ତି ଚାଷୀ ସଙ୍ଗଠନ । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଓ ତାଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ଚାଷୀ ନେତା ରାକେଶ ଟିକାୟତ । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କ ଗାଡି ଧକ୍କାରେ ୨ ଚାଷୀ ପ୍ରାଣ ହରାଇବା ସହ ହିଂସା ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିଲା ।

ମୁଁ ବାଜିଆ କହୁଛି: ସର୍ଦ୍ଦାର ଘାଟ ଜଗିବି, ଦରକାର ପଡିଲେ ଜୀବନ ଦେବି…

ନନ୍ଦିଘୋଷ ବ୍ୟୁରୋ: ବାଜିଆ  । ଆମ ବାଜି ରାଉତ  । ପିଲାଦିନୁ ବାପାକୁ ଦେଖିନି  । ବିଧବା ମାଆ ଟିର ଥିଲା ଆରିସା ବାଡ଼ି  ।  ପରିବାର ପାଇଁ ସେହିଁ ଥିଲା ସାହା  ।  କିନ୍ତୁ ପିଲାଟି ଦିନୁ ଅନ୍ୟାୟ, ଅତ୍ୟାଚାର, ଜମିଦାରୀ ପ୍ରଥା  ବିରୋଧର ବହ୍ନି ତା ଭିତରେ ଜଳି ଉଠୁଥିଲା  । ବାଜି ରାଉତର ନିର୍ଭୀକତା ,ଦେଶପ୍ରେମ ଆଉ ପୁରୁଷାର୍ଥର ଥିଲା ସମଗ୍ର ସମାଜ ପାଇଁ ଏକ ନୂଆ କାହାଣୀ ।  ଅନ୍ଧାରୀ ମୂଲକର ଅମୁହାଁ ଦେଉଳ ଭିତରେ ଲିଭିଯାଇଥିବା ଏକ ଦୀପ୍ତିବାନ ଦୀପଶିଖାର କାହାଣୀ ସେ। ଯେଉଁ କାହାଣୀ ଅନେକ ଭୀରୁଙ୍କୁ ବୀର ସଜେଇଛି । ଅନେକଙ୍କ ମୁଣ୍ଡରେ ବିପ୍ଳବର ଶିରିପା ବାନ୍ଧିଛି। ଏ ମାଟିର ଶୌର୍ଯ୍ୟର କାହାଣୀ । ଏ କାହାଣୀ ଜୀବନ ଜିଇଁବାର ମନ୍ତ୍ର ଶିଖାଏ, ଶୂନ୍ୟତାରୁ ପୂର୍ଣ୍ଣତା ପଥେ ଏ କାହାଣୀର ଲମ୍ବା ରାସ୍ତା । ଆଜିବି କାହାଣୀର ନାୟକ ସାମ୍ନାରେ ଇତିହାସ ମୁଣ୍ଡ ନୁଆଏଁ, ଗୁମୁରି ଗୁମୁରି କାନ୍ଦେ । ତା ସଲରେ ପ୍ରାଣ ଭରିବାକୁ ଚେଷ୍ଟା କରେ । କେମିତି ନକରିବ ଯେ । କର୍ମ ଆଉ ଧର୍ମର କୁରୁକ୍ଷେତ୍ରରେ ସେ ଅଭିମନ୍ୟୁ ସାଜିଛି । ଗୁଳି ଖାଇଛି, ନିଜର ଜଳାଞ୍ଜଳି ଦେଇଛି । ଆମ ବାଜିଆ ସେ। 12 ବର୍ଷର ବାଜି ରାଉତ । ବାରଶତ କୋଣାର୍କର ଧର୍ମପଦ, ବାରଶତ ନଚିକେତାଙ୍କ ସଂକଳ୍ପର ପ୍ରତୀକ ସେ ।

 

ସାବଧାନ । ଶୁଣ, ଶୁଣ, ଶୁଣ । ମହାରାଜ ଶଙ୍କର ପ୍ରତାପ ମହେନ୍ଦ୍ର ବାହାଦୂର,ଏ ଢେଙ୍କାନାଳ ମୂଳକର ବିଧାତା, ହୁକୁମ କରିଛନ୍ତି । ଆଜିଠାରୁ ଏ ରାଜ୍ୟରେ କେହି ନିଶ ରଖିପାରିବନି । ଜୋତା, ଛତାର ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ । ମଣୀମାଙ୍କ ଆଦେଶକୁ ସମସ୍ତେ ପାଳନ କରିବାକୁ ବାଧ୍ୟ । ଯାହାକୁ ଆଦେଶ ହେବ, ସେ ବେଠି, ବେଗାରି , ଗୋତି ଖଟିବ । ଆଜିଠୁ ରାଜ ଦରବାର “ବାଜେ କରର” ପ୍ରଚଳନ କରିଛି, ବିନା ପ୍ରଶ୍ନ ଓ ଅଭିଯୋଗରେ ସମସ୍ତେ କର ପୈଠ କରିବାକୁ ବାଧ୍ୟ। ଯଦି କେହି ପ୍ରତିବାଦ କରନ୍ତି, ତାହେଲେ ତାକୁ ରାଜଦ୍ରୋହୀ ରୂପେ ଗଣାଯିବ । ମହାରାଜଙ୍କ ନୂଆ ଆଦେଶ ଢେଙ୍କାନାଳବାସୀଙ୍କ ପାଇଁ ଧୀରେ ଧୀରେ ଅସହ୍ୟ ହୋଇପଡୁଥିଲା । ପରାଧୀନ ଭାରତବର୍ଷରେ ଇଂରେଜମାନେ ଅତ୍ୟାଚାରର ନୂଆ କାହାଣୀ ଲେଖୁଥିଲାବେଳେ ଗଡଜାତ ରାଜ୍ୟର ଶାସକମାନେ ମଧ୍ୟ କିଛି କମ ନଥିଲେ । ଆଉ ଢେଙ୍କାନାଳ ରାଜା ଶଙ୍କର ପ୍ରତାପ ତ ସେତେବେଳେ ଅନ୍ୟାୟ ଅତ୍ୟାଚାର କରିବାର ସବୁ ସୀମା ଟପୁଥିଲେ । ପ୍ରଜାମାନଙ୍କର ଧର୍ଯ୍ୟର ବନ୍ଧ ଭାଙ୍ଗୁଥିଲା, ମନେ ତଳେ ଜଳୁଥିଲା ପ୍ରତିବାଦର କୋହ ।ସେ କୋହ ଶଙ୍କର ବହାଦୁରଙ୍କ ଦୁର୍ଗକୁ ଜାଳି ପୋଡ଼ିଦେବା ପାଇଁ ଯଥେଷ୍ଟ ଥିଲା । ହେଲେ ଏଥିପାଇଁ ଏକ ଦୃଢ଼ ନେତୃତ୍ବର ଆବଶ୍ୟକ ଥିଲା । ନେତୃତ୍ୱ ନେଲେ ବୈଷ୍ଣବ ଚରଣ ପଟ୍ଟନାୟକ ।

 

ଢେଙ୍କାନାଳର ବିଭିନ୍ନ ସ୍ଥାନରେ ପ୍ରଜାମେଳି ବସିଲା । ସମସ୍ତେ ଶପଥ କରିଲେ, ଆଉ ଅତ୍ୟାଚାର, ଦମାନଲୀଳା ସହ୍ୟ କରାଯିବ ନାହିଁ । ପ୍ରାଣ ପଛେ ଯାଉ, ଆଉ ସ୍ୱାଭିମାନର ବଳି ପଡ଼ିବ ନାହିଁ । ସର୍ବସମ୍ମତି କ୍ରମେ ରାଜାଙ୍କ ମୁକାବିଲା ଲାଗି ଗଠନ ହେଲା ପ୍ରଜାମଣ୍ଡଳ । ଉଠିଲା ପ୍ରତିବାଦର ସ୍ବର, ତେଜିଲା ଦୁର୍ବାର ଆନ୍ଦୋଳନ । ହେଲେ ସେ ସ୍ୱର ରାଜା ଶଙ୍କର ବାହାଦୂର ଆଉ ଇଂରେଜଙ୍କ ଦମନଲୀଳା ଆଗରେ ଅସହାୟ ମନେ ହେଉଥିଲା । ଠିକ ସେତିକିବେଳେ ଏ ଆନ୍ଦୋଳନରୂପୀ ଯଜ୍ଞରେ ପୂର୍ଣ୍ଣାହୁତି ସାଜିଲା ବାଜିଆ । ବ୍ରାହ୍ମଣୀର ଉଛୁଳା ନଈ ଆଉ ବାଜିଆ । ସତେ ଯେମିତି ନିବିଡ଼ ଆବେଗତାର ଚନ୍ଦ୍ରବନ୍ଧନୀ ଟିଏ । ନଈ ପାଣିରେ ଆହୁଲା ମାରି ଡଙ୍ଗା ବାହିଲା ବେଳେ ବାଜିଆ ମନ ଖୁସିରେ ଗୀତ ଗାଏ । ଉଛୁଳା ସ୍ରୋତ ସଙ୍ଗେ ସତେ ଯେମିତି ତାର ଜନ୍ମ ଜନ୍ମର ସମ୍ପର୍କ । ୧୯୨୮ ମସିହା ଅକ୍ଟୋବର ୫ ତାରିଖରେ ଢେଙ୍କାନାଳ ନିଳକଣ୍ଠପୁରର ଏକ ଗରିବ ଖଣ୍ଡାୟତ ଘରେ ତାର ଜନ୍ମ । ମା ତାର ପର ଘରେ ପାଇଟି କରି, ଧାନ କୁଟି ଗୁଜୁରାଣ ମେଣ୍ଟାଏ । ଏପଟେ ବାଜିଆ ବ୍ରାହ୍ମଣୀ କୂଳରେ ଜୀବନର ଆଦ୍ୟ ପର୍ବକୁ ଭରପୂର ଉପଭୋଗ କରେ  ।

ଦିନେ ଗାଁରେ  ସଭା ଚାଲିଛି । ହଠାତ ସର୍ଦ୍ଦାର କହିଲେ । ଭାଇମାନେ ଜାଣିଛ, ଆଜି ଗୋରା ବାହିନୀ ଭୁବନ ବଜାରରେ ତାଣ୍ଡବ ରଚିଛି । ଆନ୍ଦୋଳନ ଚାଲୁଥିବା ବେଳେ ଆମ ପ୍ରଜାମଣ୍ଡଳର ଭାଇମାନଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଛି । ଏ ବର୍ବରୋଚିତ କାଣ୍ଡର ଆମକୁ ଜବାବ ଦେବାକୁ ପଡ଼ିବ । ରାଜାଙ୍କ ଅତ୍ୟାଚାରରୁ ଢେଙ୍କାନାଳ ଭୂଖଣ୍ଡର ରକ୍ଷା ପାଇଁ, ଆମକୁ ଦରକାର ପଡ଼ିଲେ ପ୍ରାଣବଳି ଦେବାକୁ ପଡିବ । ତୁମେସବୁ ପାରିବ ତ ? କେହି କିଛି କହିବା ଆଗରୁ ବାଜିଆ ଚିତ୍କାର କରି ଉଠିଲା, ମୁଁ ପାରିବି ସର୍ଦ୍ଦାର । ମୋ ଜନ୍ମଭୂମିର ସୁରକ୍ଷା ପାଇଁ ଦରକାର ପଡ଼ିଲେ ମୁଁ ପ୍ରାଣବଳୀ ଦେବୀ । ସଭାସ୍ଥଳ ସ୍ତବ୍ଧ ହୋଇଗଲା । କିଏ ଏ ବାଳକ । ହସିବା ଖେଳିବା ବୟସରେ ଜୀବନ ହାରିବା କଥା କହୁଛି, ପାଗଳ ହେଇଯାଇନି ତ । ସର୍ଦ୍ଦାର ପିଲାଟିର ସ୍ୱାଭିମାନ, ଦେଶପ୍ରୀତି ଏବଂ ନିର୍ଭୀକତାକୁ ବେଶ ପ୍ରଶଂସା କଲେ । ତାକୁ ଘରକୁ ଚାଲିଯିବା ପାଇଁ କହିଲେ । ବାଜିଆ କିନ୍ତୁ ନଛୋଡବନ୍ଧା । ଶେଷରେ ବାଜିଆର ଦୃଢ଼ତା ଆଗରେ ପୁରା ସଭା ହାରିଗଲା । ବାଜିଆ ପାଲଟିଲା ପ୍ରଜାମଣ୍ଡଳର ସକ୍ରିୟ ସଦସ୍ୟ ।

ସର୍ଦାର କହିଲେ, ଗୋରା ବାହିନୀ ଆଜି ରାତିରେ ଘାଟ ପାରିହେବାକୁ ନଈ କୂଳକୁ ଆସିପାରନ୍ତି, ଗୁପ୍ତ ସୂଚନା ମିଳିଛି । ସାବଧାନ, ଯେ କୌଣସି ବି ପରିସ୍ଥିତିରେ ଆମେ ତାଙ୍କୁ ଘାଟପାରି କରେଇଦେବା ନାହିଁ । ତାହେଲେ ଘାଟର ପ୍ରହରୀ ଦାଇତ୍ଵରେ କିଏ ରହିବ କୁହ । ବାଜିଆ ସଂଗେ ସଂଗେ ଉତ୍ତର ଦେଲା, ସର୍ଦାର , ମୁଁ ଘାଟ ଜଗିବି । ଏଠି, ବଜ୍ର ଶପଥ ନଉଛି, ପ୍ରାଣ ଚାଲିଯିବ ପଛେ, କିନ୍ତୁ ବ୍ରାହ୍ମଣୀ ଘାଟରୁ ଡଙ୍ଗା ଚଳିବ ନାହିଁ । ପ୍ରଜାମଣ୍ଡଳର ଦାଇତ୍ୱକୁ ଦୃଢତାର ସହ ପୁରା କରିବି । ଶେଷରେ ଘାଟ ଜଗିବାର ଗୁରୁ ଦାଇତ୍ୱ ମିଳିଲା ବାଜିଆକୁ । ଅନ୍ଧାର ରାତି । ନଈକୂଳରେ ସୁଲୁସୁଳିଆ ପବନ । ବାଜିଆ ଆଖିରେ ଟିକେ ନିଦ ଲାଗିଯାଇଛି । ହଟାତ ଗଳାପଠା ଚିତ୍କାର ଶୁଭିଲା, ଏ ଟୋକା ଜଲଦି ଡଙ୍ଗା ଚଲା । ଆମକୁ ଶୀଘ୍ର ନଈ ପ୍ରଥମ ପାରି କରେଇଦେ । ପ୍ରକୃତିସ୍ଥ ହେଲା ବାଜିଆ । ସାମ୍ନାରେ ଗୋରା ବାହିନୀ । ବାରବର୍ଷର ବାଜିଆ ଭିତରେ ଯେପରି ସଂଚରିତ ହେଲା ବାରସତ ସିଂହର ବଳ । ବାରସତ ସୂର୍ଯ୍ୟର ଶୌର୍ଯ୍ୟ । ପ୍ରଜାମଣ୍ଡଳର ହୁକୁମ , ତମକୁ ନଦୀ ପାରିକରେଇଦେବି ନାହିଁ । ରାଗିଗଲେ ଗୋରବହିନୀ ।

ଧମକ ପରେ ଧମକ ଦେଇ ଚାଲିଲେ । କିନ୍ତୁ ବାଜିଆ ନିଜ ଜିଦରେ ଅଟଳ । ପାହାଡ଼ ସମ ଧୈର୍ଯ୍ୟ ଆଉ ସାହାସ ପ୍ରଦର୍ଶନ ପୂର୍ବକ ସେମିତି ଖୁଣ୍ଟ ପରି ଛିଡା ହୋଇଥାଏ ସେ। ଗୁଳିର ଶବ୍ଦ । ବାଜିଆର ମୁଣ୍ଡରେ ବାଜିଲା ଗୁଳି । କଅଁଳିଆ କପାଳଟା ତାର ଦୁଇଫାଳ ହୋଇଗଲା । ଟଳିପଡ଼ିଲା ବାଜିଆ । ହେଲେ ସାହାସ ହାରିନଥିଲା । ଚିତ୍କାର କରି ଉଠିଲା ସେ, ପ୍ରଜାମଣ୍ଡଳର ଭାଇମାନେ କିଏ କୋଉଠି ଅଛ । ଶୀଘ୍ର ଆସ । ଗୋରବାହିନୀ ନଦୀ ପାର ହେବାକୁ ବସିଛି । ପ୍ରଜାମଣ୍ଡଳର ଅନ୍ୟ ସଦସ୍ୟମାନେ ନଇ କୂଳକୁ ଦୌଡ଼ି ଆସିଲେ । ପୁଲିସ ଯେମିତି ନଦୀ ପାର ନହୁଏ ସେଥିପାଇଁ ସମସ୍ତେ ଡଙ୍ଗାର ଦୌଡିକୁ ଭିଡି ଧରିଲେ । ହେଲେ ପୋଲିସ ଶଙ୍କି ମୁନରେ ଦୌଡ଼ିକୁ କାଟି ନଈ ମଝିକୁ ନେଇଗଲା । ଆଉ ନଇଁ ମଝିରୁ ଆରମ୍ଭ କରିଦେଲା ଆଖିବୁଜା ଗୁଳିବର୍ଷା । ସେଇଠି ଟଳିପଡିଲେ ନିଳକଣ୍ଠପୁର ଗାଁର ରଘୁ, ଗୁର, ନଟ, ହୁରୁଷି, ଫଗୁ ଆଉ ଲକ୍ଷ୍ମଣ । ସବୁ ଶେଷ । ସାନ ବଡ଼ କରି 7 ଜଣ ଦେଶମାତୃକା ପାଇଁ ଜୀବନ ହାରିଦେଲେ । ଗଡ଼ଜାତ ଆନ୍ଦୋଳନର ପ୍ରଥମ ଏବଂ ଦେଶର ସର୍ବକନିଷ୍ଠ ସହିଦ ଭାବେ ବାଜିଆ ଇତିହାସରେ ନାଁ ଲେଖିଦେଲା । ପରଦିନ ଅର୍ଥାତ ୧୯୩୮ ମସିହା ଅକ୍ଟୋବର ୧୨ ତାରିଖ ଦିନ ସମସ୍ତଙ୍କ ଶବକୁ ଏକ ଭେଳା ସାହାଯ୍ୟରେ ବ୍ରାହ୍ମଣୀ ନଦୀ ଦେଇ ଚଉଷଠିପଡା ଘାଟକୁ ଅଣାଯାଇଥିଲା । କାରଣ ଇଂରେଜଙ୍କ ସହ ରାଜାଙ୍କର ସନ୍ଧି ଥିବାରୁ ନିଳକଣ୍ଠପୁର ଗ୍ରାମରେ ଶବ ସଂସ୍କାର ସମ୍ଭବ ନଥିଲା । ଚଉଷଠିପଡା ଘାଟରୁ କଟକର ଖାନନଗର ସ୍ମଶାନ । ରୁଣ୍ଡିଭୁତ ଜନତା, ଶୋକାକୁଳ ପରିବେଶ । ସବୁକିଛି ମିଳେଇଯାଉଥିଲା ମହାଶୂନ୍ୟରେ, ଶୁଭୁଥିଲା ବଜ୍ର ସପଥର ନିନାଦ । କବି ସଚ୍ଚି ରାଉତରାୟ ସେଦିନ ଚିତାଗ୍ନିକୁ ଲକ୍ଷ୍ୟ କରି ଲେଖିଥିଲେ,

ନୁହେଁ ବନ୍ଧୁ, ନୁହେଁ ଏହା ଚିତା

ଏ ଦେଶ ତିମିର ତଳେ,

ଏ ଅଲିଭା ମୁକତି ସଳିତା ।

ନୁହେଁ ଏହା ଜଳିଯିବା ପାଇଁ

ଏହାର ଜନମ ଏଠି ଜାଳିପୋଡ଼ି ଦେବାକୁ ଧସେଇ ।

 ଢେଙ୍କାନାଳର ସାତପାହାଡ଼ ବାଜିଆ ସ୍ମୃତିରେ ଆଜିବି ଗୀତ ଗାଏ । ବ୍ରାହ୍ମଣୀ ଆଜିବି ଗର୍ବରେ ଛାତି ଫୁଲାଏ । ଆଜି ବି ଏ ପୁରୁଷାର୍ଥର କାହାଣୀ ଶୁଣିଲେ ମନ ଅଥୟ ହୁଏ । ଆଖି କୋଣରେ ଲୁହ ଜକେଇ ଆସେ । ଝରିପଡ଼େ ଟୋପା ଟୋପା ଆନନ୍ଦାଶ୍ରୁ । ଉତ୍ତପ୍ତ ପାଣି ଦୁଇ ବୁନ୍ଦାକୁ ହାତ ପାପୁଲିରେ ସାଇତି ରଖିବାକୁ ଇଚ୍ଛା ହୁଏ । କିନ୍ତୁ ସେ ମିଳେଇ ଯାଏ ଆଉ କହେ – “ମିଳେଇ ଯାଇ ମଧ୍ୟ ମୁଁ ହଜି ଯାଇନି, ପୁଣି ବହୁଥାଏ ।“ ମନେପଡେ ପୁଣି ତା’ର ଗୌରବୋଜ୍ଜ୍ଵଳ ମୁହଁ । ସେ ବାଜିଆ ଆଜି ବି ପ୍ରତିଟି ଯୁବକର ଉତ୍ସାହ , ସାହାସ ଓ ଶକ୍ତି  । ତାର ବୀରତ୍ୱ ଯୁବ ସମାଜରେ ଆହ୍ନାନରେ ବୀଜ ବୁଣେ  । ଆଉ କୁହେ, ଶୋଇ ରୁହ ନାହିଁ  । ଉଠ, ଏ ମାଟି ମାଆ ତୁମଜକୁ ଅପେକ୍ଷା କରିଛି…..

 

ସ୍ୱାଭାବିକ ହେଲା ସର୍ଭର, ୬ ଘଣ୍ଟା ପରେ କାମ କଲା ସୋସିଆଲ ମିଡି଼ଆ

ନନ୍ଦିଘୋଷ ବ୍ୟୁରୋ: ପ୍ରାୟ ୬ ଘଣ୍ଟା ପରେ ସ୍ୱାଭାବିକ ହେଲା ସର୍ଭର । ପୁଣି ସଚଳ ହେଲା ସୋସିଆଲ ମିଡିଆ  । ସାମାଜିକ ଗଣମାଧ୍ୟମ ଉପରେ ନିର୍ଭରଶୀଳ ସମସ୍ତ କାର୍ଯ୍ୟ ପୁଣି ଥରେ କାର୍ଯ୍ୟ କରିବା ଆରମ୍ଭ କରିଥିଲା । ରାତି ୯ ଟା ପରେ ହଠାତ ସୋସିଆଲ ମିଡିଆ ସର୍ଭର ଡାଉନ ହୋଇଯାଇଥିଲା  । ଫେସବୁକ୍‌, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ସର୍ଭର ଡାଉନ ହୋଇଯାଇଥିବାବେଳେ ୟୁଜର ମାନେ ମଧ୍ୟ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଥିଲେ  ।

ସେପଟେ ଦୀର୍ଘ ୬ ଘଣ୍ଟା ଧରି ସୋସିଆଲ ମିଡିଆ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାବେଳେ ଫେସବୁକ୍‌, ହ୍ୱାଟସଆପ ଓ ଇନଷ୍ଟାଗ୍ରାମର ସର୍ଭର ପୁଣି ଥରେ ସ୍ୱାଭାବିକ ହୋଇଛି । ସାମାଜିକ ଗଣମାଧ୍ୟମରେ ସମସ୍ତ ବାର୍ତ୍ତା ଆଦାନ ପ୍ରଦାନ ଠପ୍ ହୋଇଯାଇଥିଲା ।  ଯାହା ଫଳରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ୟୁଜର୍ସ । ତେବେ ଏଭଳି ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଫେସବୁକ ସିଇଓ ମାର୍କ ଜୁକର ବର୍ଗ । କେବଳ ଭାରତ ନୁହେଁ ସାରା ବିଶ୍ୱରେ ଠପ ହୋଇଯାଇଥିଲା ସୋସିଆଲ ମିଡିଆ ସେବା । ସୋସିଆଲ ମିଡିଆ ସର୍ଭର ଡାଉନ୍ ହେବା ପରେ ଫେସବୁକର ସେୟାର ହ୍ରାସ ପାଇଥିଲା ।

ୟୁଜର୍ସଙ୍କ ସାରା ବିଶ୍ୱରେ ବାଧାପ୍ରାପ୍ତ ହୋଇଛି  । ତେଣୁ ଫେସବୁକର ଏଭଳି ତ୍ରୁଟି ପାଇଁ ଦୁଃଖ ପ୍ରକାଶ କରିଛନ୍ତି ସିଇଓ ଫେସବୁକ  । ନିର୍ଭରଶୀଳତା ବଜାୟ ରଖିଥିବା ଫେସବୁକ ଗତକାଲି ଟେକନିକାଲି  କାର୍ଯ୍ୟରେ ବାଧା ଉପୁଜି ଥିଲା  । ଏଥିପାଇଁ ସମସ୍ତ ୟୁଜରଙ୍କ ନିକଟରେ ମୁଁ କ୍ଷମାପ୍ରାର୍ଥୀ ବୋଲି କହିଥିଲେ ଜୁକର ବର୍ଗ  । ସେପଟେ କାହିଁକି ଓ କେଉଁ କାରଣ ଯୋଗୁଁ ଏତେ ସମୟ ଧରି ସମସ୍ତ ସୋସିଆଲ ମିଡିଆ ସାଇଟ ଅକାମୀ ହୋଇଯାଇଥିଲା, ତାହାର ସଠିକ ସନ୍ଧାନ ଜଣାପଡିନାହିଁ  ।

ମହାନଦୀ ସୁଅରେ ଭାସିଗଲା ଜୀବନ, ଉଦ୍ଧାର ବାପା-ପୁଅଙ୍କୁ ମୃତ ଘୋଷଣା

ସମ୍ବଲପୁର: ମହାନଦୀ ସୁଅରେ ଭାସିଗଲା ଜୀବନ । ସମ୍ବଲପୁର ମହାନଦୀରେ ବାପା, ପୁଅ ଓ ଝିଅ ଭାସିଯିବା ଘଟଣା । ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର ବାପା-ପୁଅଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ସେପଟେ ଏଯାଏ ମିଳିନି ନିଖୋଜ ଝିଅର ପତ୍ତା । ଗତକାଲି ବହୁ ଖୋଜାଖୋଜି ପରେ ମଧ୍ୟ ଝିଅର ସନ୍ଧାନ ମିଳିପାରିନଥିଲା । ରାତି ହେବା ସହିତ ମହାନଦୀର ପ୍ରଖର ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା  ।

ସେପଟେ ବିଳମ୍ବିତ ରାତିରେ ସର୍ଚ୍ଚ ଅପରେସନ୍ ବନ୍ଦ କରିଥିଲେ ଉଦ୍ଧାରକାରୀ ଦଳ । ଆଜି ସକାଳୁ ପୁଣି ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ୍ । ଗତକାଲି ପେନସନପଡ଼ାର ଏମଡି ଅଲତାଫ ନିଜ ପୁଅ ଅଫତାବ ଓ ଝିଅ ରୁକସାନା ସହ ଦଳେଇପଡ଼ା ଘାଟରେ ଗୋଧୋଉଥିବା ବେଳେ ସମସ୍ତେ ଭାସିଯାଇଥିଲେ । ଦୀର୍ଘ ସମୟ ଖୋଜାଖୋଜି ପରେ ଚେତାଶୂନ୍ୟ ଅବସ୍ଥାରେ ବାପା-ପୁଅକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଅଗ୍ନିଶମ ବାହୀନି ପକ୍ଷରୁ ପାୱାର ବୋଟ ମାଧ୍ୟମରେ ଖୋଜାଖୋଜି ଜାରି ରହିଛି ।

ସର୍ଭର ଡାଉନ୍: କାମ କରୁନି ହ୍ୱାଟସ୍ ଆପ୍, ଫେସବୁକ୍ ଓ ଇନ୍‌ଷ୍ଟାଗ୍ରାମ୍: ଟ୍ୱିଟରରେ ଜୋରଦାର ଟ୍ରୋଲିଂ

ନୂଆଦିଲ୍ଲୀ: ସାରା ବିଶ୍ୱରେ କାମ କରୁନି ସାମାଜିକ ଗଣମାଧ୍ୟମ । ଫେସବୁକ ମାଲିକାନାରେ ଥିବା ଫେସ୍‌ବୁକ୍, ଇନଷ୍ଟା ଓ ହ୍ୱାଟ୍ସଆପ୍‌ ଡାଉନ୍ ହୋଇଛି। ସାରା ଦେଶରେ ଏହି ଲୋକପ୍ରିୟ ସୋସିଆଲ୍ ମିଡିଆଗୁଡ଼ିକ ବନ୍ଦ ହୋଇଯିବା ପରେ ଲୋକମାନେ ନାନା ହଇରାଣ ହରକତ ହେଉଥିବା ଦେଖିବାକୁ ମିଳୁଛି। ଫେସୁବୁକ୍‌ ବ୍ରାଉଜିଂ କଲା ବେଳକୁ ‘ସରି ସମ୍‌ଥିଙ୍ଗ ୱେଣ୍ଟ ରଙ୍ଗ’ ଲେଖାଯାଉଥିବା ବେଳେ ହ୍ୱାଟ୍ସଆପ୍‌ରେ ହଁ ୱିଆର୍ ହ୍ୟାବିଂ ଟ୍ରବଲ ଫାଇଣ୍ଡି ଦ୍ୟାଟ୍ ସାଇଟ୍‌ ବୋଲି ଲେଖୁଛି । ତେବେ ଟ୍ୱିଟର ସ୍ୱାଭାବିକ ଭାବେ କାମ କରୁଛି ।  ଟ୍ୱିଟର କାମ କରିବା ସତ୍ତ୍ୱେ ଏହି ୩ ସାମାଜିକ ଗଣମାଧ୍ୟମ କାମ କରୁନଥିବାରୁ ଏହାକୁ ନେଇ ଟ୍ୱିଟରରେ ଜୋରଦାର ଟ୍ରୋଲିଂ ଦେଖିବାକୁ ମିଳିଛି ।

Image

ଅପରପକ୍ଷରେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ହ୍ଟାଟସ୍‌ଆପ୍ । ଘଟଣାକୁ ନେଇ ଅବଗତ ଥିବା ସଂସ୍ଥା ପକ୍ଷରୁ କୁହାଯାଇଛି । ପୂର୍ବାବସ୍ଥା ଫେରାଇ ଆଣିବାକୁ ଯଥାସମ୍ଭବ ଚେଷ୍ଟା ଚାଲିଥିବା କୁହାଯାଇଛି ।

 

ନବୀନ ନିବାସରେ ନବ ନିର୍ବାଚିତ ପିପିଲି ବିଧାୟକ ରୁଦ୍ର ମହାରଥୀ; ସପରିବାର ଆସି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର: ନବୀନ ନିବାସରେ ନବ ନିର୍ବାଚିତ ପିପିଲି ବିଧାୟକ ରୁଦ୍ର ମହାରଥୀ । ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି  । ରୁଦ୍ରଙ୍କ ସହ ତାଙ୍କ ପତ୍ନୀ, ଭଉଣୀ ଏବଂ ମାଆ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ କୃତଜ୍ଞତା ଜଣାଇଛନ୍ତି । ସେମାନଙ୍କ ସହ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଏବଂ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ମଧ୍ୟ ଉପସ୍ଥିତ ଥିଲେ ।

ସୂଚନା ଯୋଗ୍ୟ, ସଦ୍ୟ ସମାପ୍ତ ପିପିଲି ଉପ-ନିର୍ବାଚନରେ ବିଜେଡିରୁ ପ୍ରର୍ଥୀ ହୋଇଥିବା ରୁଦ୍ର ମହାରଥୀ ବିପୁଳ ବିଜୟ ହାସଲ କରିଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି ରୁଦ୍ର ।

ଏଥିସହିତ ପଢ଼ନ୍ତୁ: ପିପିଲି ଉପ-ନିର୍ବାଚନ: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ବିଜୟୀ, ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ