୧୯୬୨ ଭଳି ଆମେ ଶୋଇ ପାରିବୁ ନାହିଁ: କେନ୍ଦ୍ର ସରକାର

1 min read

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ପୁଣି ଥରେ ଉଠିଲା ୧୯୬୨ ଭାରତ-ଚୀନ ଯୁଦ୍ଧ କଥା । ଚାରିଧାମ ହାଇଓ୍ବେ ପ୍ରକଳ୍ପର ରାସ୍ତା ପ୍ରଶସ୍ତିକରଣ ସମ୍ବନ୍ଧୀୟ ଏକ ଆବେଦନ ଉପରେ ଶୁଣାଣି ବେଳେ ମଙ୍ଗଳବାର ସରକାର ଉତ୍ତରରେ କହିଛନ୍ତି କି ୧୯୬୨ ପରି ଆମେ ଶୋଇ ପାରିବୁ ନାହିଁ । ଏହା ଚାରିଧାମ ତୀର୍ଥଯାତ୍ରୀଙ୍କ ଅପେକ୍ଷା ସେନାଙ୍କର ଆବଶ୍ୟକତା ଅଧିକ ରହିଛି । ସୀମା ସେପଟେ ଚୀନ ସମଗ୍ର ଦେଶରେ ଭିତ୍ତିଭୂମି ସୃଦୁଢ଼ କରିସାରିଛି । ତେଣୁ ୧୯୬୨ ଭଳି ଯୁଦ୍ଧକୁ ଅଟକାଇବା ପାଇଁ ଭାରତୀୟ ସେନାଙ୍କ ପାଇଁ ଭଲ ସଡକ ଆବଶ୍ୟକ ।

ସରକାର କୋର୍ଟଙ୍କୁ କହିଛନ୍ତି କି ଋଷିକେଶରୁ ଗଙ୍ଗୋତ୍ରୀ, ଋଷିକେଶରୁ ମାନା ଓ ତନକପୁରରୁ ପିଥୋରାଗଡ଼  ପର୍ଯ୍ୟନ୍ତ ରାସ୍ତା ଡେରାଡୁନ ଓ ମେରଠ ସେନା ଶିବିରକୁ ଚୀନ ସୀମା ସହିତ ସଂଯୋଗ କରୁଛି । ଏହି ସେନା ଶିବିରରେ ମିସାଇଲ ଲଞ୍ଚର ଓ ଭାରୀ ଅସ୍ତ୍ରଶସ୍ତ୍ର ରହିଛି । କେନ୍ଦ୍ର ସରକାର କହିଛନ୍ତି କି ଆମେ ଯେକୌଣସି ଆପତ୍ତିଜନକ ପରିସ୍ଥିତିର ମୁକାବିଲା ପାଇଁ ସଦା ସର୍ବଦା ତୟାର ରହବା ଦରକାର । ଆମେ ୧୯୬୨ ଭଳି ଶୋଇପାରିବୁ ନାହିଁ । ଜଷ୍ଟିସ ଡି ଚନ୍ଦ୍ରଚୁଡ, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ବିକ୍ରମ ନାଥଙ୍କ ବେଞ୍ଚରେ କେନ୍ଦରୁ ହାଜର ହୋଇଥିବା ଆଟର୍ଣ୍ଣି ଜେନରାଲ କେକେ ଭେନୁଗୋପାଳ କହିଛନ୍ତି ଯେ ଭାରତ-ଚୀନ୍ ସୀମାରେ ଘଟିଥିବା ଘଟଣାକୁ ଦୃଷ୍ଟିରେ ରଖି ସେନାକୁ ଉନ୍ନତ ରାସ୍ତା ଦରକାର । ସେ କୋର୍ଟଙ୍କୁ କହିଛନ୍ତି କି ସୀମାର ସେପଟେ ଚୀନ ଭିତ୍ତିଭୂମି ନିର୍ମାଣ କରୁଛି । ଚୀନ ସେଠାରେ ଲଗାତର ଭାବରେ ଏୟାରଷ୍ଟ୍ରିପ୍, ହେଲିପ୍ୟାଡ, ରୋଡ ଓ ରେଳ ଲାଇନ ନିର୍ମାଣ କରୁଛି । ସଡକ ଓ ପରିବହନ ମନ୍ତ୍ରଣାଳୟ ୯୦୦ କିଲୋମିଟର ଲମ୍ବା ରାସ୍ତା ନିର୍ମାଣ କରୁଛି । ଯାହା ଚାରିଧାମ ଯମୁନେତ୍ରୀ, ଗଙ୍ଗୋତ୍ରୀ,କେଦାରନାଥ ଓ ବଦ୍ରିନାଥକୁ ସଂଯୋଗ କରୁଛି ।

କେକେ ଭେନୁଗୋପାଳ କହିଛନ୍ତି କି ଆର୍ମି ଟ୍ରୁପ୍ସ, ଟ୍ୟାଙ୍କ୍ସ, ଭାରୀ ଆର୍ଟିଲାରୀ ଓ ମେସିନାରୀ ପହଞ୍ଚିବା ଜରୁରୀ । ୧୯୬୨ ଯୁଦ୍ଧ ସମୟରେ ଭାରତୀୟ ସେନାଙ୍କ ପାଖକୁ ରାସନ ସମାଗ୍ରୀ ମଧ୍ୟ ପହଞ୍ଚି ପାରିନଥିଲା । ଏଠାରେ ଯଦି ଦୁଇ ଲେନ ବିଶିଷ୍ଠ ରାସ୍ତା ନିର୍ମାଣ ନହୁଏ ତେବେ ଏହାର କୌଣସି ଅର୍ଥ ରହିବ ନାହିଁ । ତେଣୁ ଏହି ରାସ୍ତାକୁ ୭ ମିଟର ପ୍ରଶସ୍ତ କରିବାକୁ ପଡ଼ିବ । ଏହା ଉପରେ ଗ୍ରୀନ ଡୁନ ନାମକ ଏନଜିଓ  ପାଇଁ ହାଜର ହୋଇଥିବା ସିନିୟର ଆଡେଭୋକେଟ୍ କଲିନ୍ ଗୋନସାଲଭସ୍ କହିଛନ୍ତି ଯେ ସେନାକୁ ବ୍ୟାପକ ରାସ୍ତା ଦରକାର ନାହିଁ ଏବଂ ସେନାଙ୍କୁ ବିମାନରେ ଉଡାଣ କରାଯାଇପାରିବ ।

ତେବେ କୋର୍ଟ କହିଛନ୍ତି କି ଏହାକୁ ବିରୋଧ କରାଯାଇପାରିବ ନାହିଁ କାହିଁକି ନା ଶତ୍ରୁ ସୀମାରେ ଭିତ୍ତିଭୂମି ସୃଷ୍ଟି କରୁଛନ୍ତି । କୋର୍ଟ କହିଛନ୍ତି କି ଆମେ ହିମାଳୟର ଅବସ୍ଥା ଜାଣିଛୁ । ଚଣ୍ଡିଗଡ଼ରୁ ସୈନିକଙ୍କୁ ସୀମା ପର୍ଯ୍ୟନ୍ତ ବିମାନରେ ନିଆଯାଇପାରିବ ନାହିଁ । କୋର୍ଟ ଆହୁରି କହିଛନ୍ତି କି ଟେଟ୍ରା ଟ୍ରାକ୍ ଏବଂ ଅନ୍ୟାନ ଭାରୀ ଯନ୍ତ୍ର ଚଳାଇବା ପାଇଁ ରାସ୍ତା ଆବଶ୍ୟକ । ତେବେ ଗୋନସାଲଭସ୍ କହିଛନ୍ତି ଯେ ଏଠାରେ ପର୍ବତ ଭାଙ୍ଗି ରାସ୍ତା ନିର୍ମାଣ କରାଯାଉଛି । ଉତ୍ତରାଖଣ୍ଡର ଲୋକମାନେ ୨୦୧୩ ଭଳି ବିପର୍ଯ୍ୟୟ ଦେଖିଛନ୍ତି ଏବଂ ବର୍ତ୍ତମାନ ରାସ୍ତାରେ ଲଗାେତର ଭାବରେ ବିସ୍ଫୋରଣ ହେତୁ ସେମାନେ ଭୟଭୀତ ହୋଇପଡ଼ିଛନ୍ତି । ଏହା ବ୍ୟତୀତ ଯାନ ବାହନରୁ ବାହାରୁଥିବା କଳା ଧୂଆଁ ଗ୍ଲାସିୟର ଉପରେ ଜମା ହେଉଛି । ଏହି ସମୟରେ ଗୋନସାଲଭସ୍ କୋର୍ଟରେ ଭୂସ୍ଖଳନର ଏକ ଭିଡିଓ ଦେଖାଇଥିଲେ । ଏହା ଉପରେ କୋର୍ଟ କହିଛନ୍ତି କି ଗ୍ଲାସିୟର ତରଳିବାର କାରଣ କେବଳ କଳା ଧୂଆଁ ନୁହେଁ ଅନ୍ୟାନ କାରଣ ପାଇଁ ଏହା ତରଳୁଛି ବୋଲି କୋର୍ଟ କହିଛି ।

Leave a Reply