କରୋନା ବଟିକା ମଗାଇବ ଓଡ଼ିଶା: ଡିସିଜିଆଇଙ୍କ ଅନୁମତିକୁ ଅପେକ୍ଷା

ଭୁବନେଶ୍ୱର: କରୋନା ବଟିକା ମଗାଇବ ଓଡ଼ିଶା । ୟୁକେରେ ପ୍ରସ୍ତୁତ ମୋଲନୁପିରାଭିର କ୍ୟାପସୁଲ୍ ମଗାଇବ ରାଜ୍ୟ । ମୋଲନୁପିରାଭିର ବଟିକା ୫୦% ମୃତ୍ୟୁ ରୋକୁଛି । ତେବେ ଡ୍ରଗ୍ସ କଣ୍ଟ୍ରୋଲରର ଅନୁମତି ମିଳିଲେ ବଟିକା ମଗାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଏପଟେ ରାଜ୍ୟରେ କରୋନା ସଂକ୍ରମଣ କମିବା ଖୁସିର କଥା । ସଂକ୍ରମଣ କମିଲେ ବି ସତର୍କ ଓ ସଚେତନ ରହିବା ଆବଶ୍ୟକ ।

ୟୁରୋପୀୟ ଦେଶମାନଙ୍କରେ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି । କଟକଣା କୋହଳ ଯୋଗୁଁ ସେଠାରେ ବଢୁଛି ସଂକ୍ରମଣ । ଏହି ସଂକ୍ରମଣ ବଢିବା ଆମ ପାଇଁ ଚିନ୍ତାର କାରଣ ବୋଲି ବିଜୟ ମହାପାତ୍ର କହିଛନ୍ତି । ୨ରୁ ୩ମାସ ଆମକୁ ଆହୁରି ସଚେତନ ରହିବାକୁ ପଡ଼ିବ । କରୋନା କଟକଣା ମାନିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ଅନ୍ୟ ପକ୍ଷରେ କୋଭିଡ ମୃତକଙ୍କ ପରିବାରକୁ ଆର୍ଥିକ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନେଇ  ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରତ୍ୟେକ ପରିବାରକୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ । ଏଥିପାଇଁ ମୃତକଙ୍କ ପରିବାର ପକ୍ଷରୁ ଆବେଦନ କରିବାକୁ ହେବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆବେଦନକାରୀଙ୍କୁ ଏଥିପାଇଁ କୋଭିଡ ପଜିଟିଭ୍ ସାର୍ଟିଫିକେଟ ସହିତ ମୃତ୍ୟୁ ପ୍ରମାଣ ପତ୍ର ସହ ଆବେଦନ କରିବାକୁ ହେବ ।

ପରେ ଆବେଦନକାରୀଙ୍କୁ ମିଳିବ କୋଭିଡ ଜନିତ ମୃତ୍ୟୁ ସାର୍ଟିଫିକେଟ । ସାର୍ଟିଫିକେଟ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନଲାଇନ୍ ଓ ଅଫଲାଇନ୍ ଯେକୌଣସି ଗୋଟିଏ ଫର୍ମାଟରେ ଆବେଦନ କରିବାକୁ ହେବ । ଆବେଦନ କରିବାର ମାସକ ମଧ୍ୟରେ ସମ୍ପୃକ୍ତ ପରିବାରକୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ମିଳିବ । ଏଥିପାଇଁ ଏକ ଟୋଲ ଫ୍ରି ନମ୍ବର ୧୫୫୩୩୫ ଜାରି କରାଯାଇଛି ।

ଏଥିସହିତ ପଢ଼ନ୍ତୁ: କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର, ପ୍ରକ୍ରିୟା ଆରମ୍ଭ

Leave a Reply