କଟକରେ ମେଗା ଓମଫେଡ୍ ଡାଏରୀ ପ୍ଳାଣ୍ଟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ: ୨ଲକ୍ଷ ଲିଟର ଗୁଣ୍ଡ ଦୁଗ୍ଧର ମଧ୍ୟ ହେବ ଉତ୍ପାଦନ

1 min read

କଟକ: ଦୁଗ୍ଧ ଉତ୍ପାଦନର ନୂଆ ଯୁଗ । କଟକ ଅରିଲୋରେ ଅତ୍ୟାଧୁନିକ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ଲାଣ୍ଟରୁ ଦୈନିକ ୫ଲକ୍ଷ ଲିଟର ଦୁଗ୍‌ଧ ଉତ୍ପାଦନ ହେବ । ପରେ ୧୦ ଲକ୍ଷ ଲିଟରକୁ ବୃଦ୍ଧି ପାଇବ ଉତ୍ପାଦନ । ସେହିପରି ଦୈନିକ ୨ ଲକ୍ଷ ଲିଟର ଗୁଣ୍ଡ ଦୁଗ୍‌ଧ ଉତ୍ପାଦିତ ହେବ । ୨୬୩ କୋଟି ଟଙ୍କା ବ୍ୟୟରେ ହୋଇଛି ଏହି ଦୁଗ୍‌ଧ ପ୍ରକ୍ରିୟାକରଣ ପ୍ଲାଣ୍ଟ । ଏଥିରେ ନିଯୁକ୍ତି ବଢିବା ସହ ୬ ଲକ୍ଷ ଦୁଗ୍‌ଧ ଚାଷୀ ଉପକୃତ ହେବେ। ସ୍କୁଲ, କଲେଜ, ଛାତ୍ରଛାତ୍ରୀଙ୍କ ସହ ବହୁ ପରିଦର୍ଶକ ବୁଲି ପାରିବେ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ଏହି ପ୍ଲାଣ୍ଟ ରାଜ୍ୟରେ ଦୁଗ୍ଧ ଓ ଦୁଗ୍ଧ ଜାତ ସାମଗ୍ରୀ ଉତ୍ପାଦନ, ବଣ୍ଟନ ଓ ନିଯୁକ୍ତି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବ ।

ଏହି ଅତ୍ୟାଧୁନିକ ପ୍ଳାଣ୍ଟର ଲୋକାର୍ପଣ ଅବସରରେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓମ୍‌ଫେଡର ବିକାଶରେ ପ୍ରାୟ ୩ଲକ୍ଷ ଚାଷୀଙ୍କ ଅବଦାନ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ସେମାନଙ୍କ ସ୍ୱର୍ଥ ରକ୍ଷା ନେଇ ଓମଫେଡ୍ କାର୍ଯ୍ୟ କରିଆସୁଛି । ଏହି ପ୍ଳାଣ୍ଟରୁ ଦୈନିକ ୫ଲକ୍ଷ ଲିଟର ଦୁଗ୍ଧ ପ୍ରସେସିଂ କରାଯିବା ସହ, ସ୍କିମ୍ଡ ମିଲ୍ , ପନୀର ଓ ଫ୍ଳେଭର ମିଲ୍କ ମଧ୍ୟ ଉତ୍ପାଦନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ଦ୍ୱାରା ଚାଷୀମାନଙ୍କ ରୋଜଗାର ବଢ଼ିବ । ସବୁ କାର୍ଯ୍ୟମର ଲକ୍ଷ୍ୟ ଚାଷୀଙ୍କ ଆୟ ବଢ଼ାଇବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରସେସିଂ ପ୍ଳାଣ୍ଟ ଆଦି ନିର୍ମାଣ ପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଦିଆଯାଉଥିବା କହିଛନ୍ତି । ରାଜ୍ୟ ସରକାର ସବୁବେଳେ ଚାଷୀଙ୍କ ସହ ଅଛନ୍ତି ବୋଲି ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଣୁ କରୋନା କାଳରେ ଦୁଗ୍ଧ ଚାଷୀମାନଙ୍କୁ ରାଜ୍ୟ ସରକାର ୬ ହଜାର ଲେଖାଏଁ ସହାୟତ ଯୋଗାଇ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପୁଷ୍ଟି ନିରାପତ୍ତାରେ ଦୁଗ୍ଧର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆହ୍ୱାନ ଜଣାଇଥିଲେ ଏବଂ ଶ୍ୱେତ ବିପ୍ଳବ ଆଣିବା ପାଇଁ ସରକାରଙ୍କ ଉଦ୍ୟମରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ରାଜ୍ୟରେ ଓମ୍‌ଫେଡ୍‌ର ଦୁଗ୍ଧ ସଂଗ୍ରହ କ୍ଷମତା ଦୈନିକ ୧୦ ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ ଗତ ଦୁଇ ଦଶକରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ତିନିଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୮ଲକ୍ଷ ୭୫ ହଜାର ମେଟ୍ରିକ ଟନ୍‌ ଥିବାବେଳେ ୨୦୨୦ ରେ ଏହା ୨୩ ଲକ୍ଷ ୭୦ ହଜାର ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଓମ୍‌ଫେଡ୍‌ ଦ୍ୱାରା ଦୈନିକ ସଂଗୃହିତ ୫ ଲକ୍ଷ ଲିଟର ଦୁଗ୍ଧ ଓମ୍‌ଫେଡ୍‌ର ୪୦୫ ଟି ଶୀତଳୀକରଣ କେନ୍ଦ୍ରରେ କରାଯାଉଛି ଏବଂ ୧୩ ଟି ପ୍ଲାଣ୍ଟରେ ପ୍ରକ୍ରିୟାକରଣ କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ ଡ. ଅରୁଣ ସାହୁ ରାଜ୍ୟରେ କୃଷି ଓ ଆନୁସଙ୍ଗିକ କୃଷିର ବିକାଶ କ୍ଷେତ୍ରରେ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ସଂଗୃହିତ ଦୁଗ୍ଧର ଉପଯୁକ୍ତ ବିକ୍ରି ଓ ଉଚିତ ମୂଲ୍ୟ ପାଇବା ହେତୁ ଦୁଗ୍ଧ ଚାଷୀଙ୍କ ଆୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, NDDB ର ଅଧ୍ୟକ୍ଷ ଓ ବିଭାଗୀୟ ଶାସନ ସଚୀବ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply