spot_img
Home Blog Page 4962

ବୋମାମାଡ଼ ଓ ଘର ପୋଡ଼ା ପରେ ପୁରୁଷ ଶୂନ୍ୟ ହୋଇଗଲା ଗାଁ

ପୁରୀ: ସରକାରୀ ଜମିରେ ଘର ନିର୍ମାଣକୁ ନେଇ ଗତକାଲି ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳର ନାଥପୁର ଗ୍ରାମରେ ଘଟି ଯାଇଥିଲା ତୁମୁଳକାଣ୍ଡ । ଗୋଷ୍ଠୀ ସଂଘର୍ଷ ସହ ଜଳିଲା ଘର, ଫୁଟିଲା ବୋମା । ଏହାପରେ ପୂରା ଗାଁ ପୋଲିସ ଛାଉଣୀରେ ପରିଣତ ହୋଇଯାଇଛି । ଏପଟେ ଅଶାନ୍ତି ସୃଷ୍ଟି କରିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ଭୟ । ଗିରଫଦାରୀ ଭୟରେ ପୁରୁଷ ଶୂନ୍ୟ ହୋଇଯାଇଛି ପୂରା ଗାଁ ।

ଗତକାଲି ନାଥପୁର ଗାଁରେ ଦୁଇଟି ଗୋଷ୍ଠୀ ମଧ୍ୟରେ ତୀବ୍ର ବିବାଦ ଦେଖିବାକୁ ମିଳିଥିଲା । ସ୍ଥିତି ଏପରି ହୋଇଥିଲା ଯେ ଗୋଟିଏ ଗୋଷ୍ଠୀର ଘର ଜାଳି ଦେଇଛନ୍ତି ଅନ୍ୟ ଗୋଷ୍ଠୀ  । ଏହା ସହିତ ଗାଁରେ ହୋଇଥିଲା ତୁହାକୁ ତୁହା ବୋମାମାଡ ।

ଅଭିଯୋଗ ଅନୁସାରେ ନାଥପୁର ଗାଁର ଏକ ସରକାରୀ ଜମିକୁ ଜବରଦଖଲ କରି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକ ଘର କରି କରୁଥିଲେ । ଯାହାକୁ ସାତପଡ଼ା ଅଞ୍ଚଳର ୩୫ ମଉଜା ବିରୋଧ କରି ଆସୁଥିଲେ । ଏନେଇ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ 3୫ ମଉଜା ଲୋକେ ବୈଠକରେ ଆଲୋଚନା କରିବାକୁ ଡାକିଥିଲେ । ମାତ୍ର ବୈଠକକୁ ନଆସି ତାଙ୍କୁ ଡାକିବାକୁ ଯାଇଥିବା ଲୋକଙ୍କୁ ସେମାନେ ଆକ୍ରମଣ କରିଥିଲେ । ଏହାପରେ ଘଟଣା ଉଗ୍ରରୂପ ନେଇଥିଲା । ଘଟଣାସ୍ଥଳରେ ୨୦ରୁ ଅଧିକ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ସେତିକି ନୁହେଁ ଗୁଳି ବି ଫୁଟିଥିଲା । ଗୁଳି ବାଜି ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ପରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଙ୍କ ୪୦ରୁ ଅଧିକ ଘରେ ନିଆଁ ଲଗାଇ ଦେଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡିଥିଲା । ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ପରିସ୍ଥିତିକୁ ନଜରରେ ରଖି ୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ମାମଲାରେ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ । ଏହା ସହିତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଘଟଣା ପରେ ଦୁଇଟି ଗାଁ ପୁରୁଷ ଶୂନ୍ୟ ହୋଇଯାଇଛନ୍ତି । ପୁରୀ ଏସପିଙ୍କ ସମେତ ବରିଷ୍ଠ ଅଧିକାରୀ ମାମଲା ଉପରେ ନଜର ରଖିଛନ୍ତି ।

ଆନ୍ଧ୍ରର କୋଟିଆରେ ଅନୁପ୍ରବେଶ ଉଦ୍ୟମ

କୋରାପୁଟ: କୋଟିଆରେ ପୁଣି ଥରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଛି ଆନ୍ଧ୍ର ପ୍ରଦେଶ । ବିବାଦୀୟ ଅଞ୍ଚଳରେ ହୋର୍ଡିଂ ଲଗାଇଲା ଆନ୍ଧ୍ର ପ୍ରଶାସନ । ଆସନ୍ତାକାଲି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ତା’ପୂର୍ବରୁ ବିବାଦୀୟ ଅଞ୍ଚଳରେ ଅନୁପ୍ରବେଶ କରି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି ଆନ୍ଧ୍ର ଅଧିକାରୀ ।

ରବିବାର ଆନ୍ଧ୍ର ସାଲୁର ମଣ୍ଡଳ ଅନ୍ତର୍ଗତ ପାର୍ବତୀପୁରମ ଆଇଟିଡିଏ ପିଓ କୁର୍ମନାଥ ବିବାଦୀୟ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କରିଥିବା ଖବର ମିଳିଛି  । ସେହିପରି ନିଜ ଯୋଜନାର ପ୍ରଚାର ପ୍ରସାର ନିମନ୍ତେ ହୋର୍ଡିଂ ଲଗାଇଛନ୍ତି । ପୂର୍ବରୁ ମଧ୍ୟ ନାମଫଳକ ଲଗାଇବାକୁ ଚେଷ୍ଟା କରିଥିଲା ଆନ୍ଧ୍ର ପ୍ରଶାସନ ।

ପଞ୍ଚାୟତ ନିର୍ବାଚନ: ୧୪ ଡିସେମ୍ବର ସୁଦ୍ଧା ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢିଲେ ରାଜ୍ୟ ନିର୍ବାଚନ ଆୟୋଗ । ୱାର୍ଡ ୱାଇଜ୍ ଭୋଟର ତାଲିକା ପ୍ରସ୍ତୁତ କରିଯିବ । ୨୦୨୧ ନଭେମ୍ବର ୧ ତାରିଖ ସୁଦ୍ଧା ୧୮ ବର୍ଷ ହୋଇଥିଲେ ତାଲିକାରେ ସାମିଲ ହେବାକୁ ଆବେଦନ କରିପାରିବେ । କେବଳର ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁ ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କରାଯିବ।

୧୬ ନଭେମ୍ବରରେ ସମସ୍ତ ପଞ୍ଚାୟତରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଯିବ । କୌଣସି ଦାବି କିମ୍ବା ଆପତ୍ତି, ଅଭିଯୋଗ ଥିଲେ ନଭେମ୍ବର ୨୩ ତାରିଖ ସୁଦ୍ଧା ଇଲେକଟ୍ରୋରାଲ ରେଜିଷ୍ଟ୍ରଆର ଅଫିସରଙ୍କ ନିକଟରେ ଆବେଦନ କରିପାରିବେ । ୨୪ରୁ ୨୬ ନଭେମ୍ବର ମଧ୍ୟରେ ସମ୍ପୃକ୍ତ ଅଧିକାରୀ ଏହାର ଯାଞ୍ଚ କରିବେ । ଚିଠା ଭୋଟର ତାଲିକାକୁ ନେଇ ଯେଉଁମାନଙ୍କର ଅସନ୍ତୋଷ ଥିବ ସେମାନେ ୨୯ରୁ ୩୦ ନଭେମ୍ବର ମଧ୍ୟରେ ବିଡ଼ିଓଙ୍କ ପାଖରେ ଆବେଦନ କରିପାରିବେ । ୧ରୁ ୨ ଡିସେମ୍ବର ମଧ୍ୟରେ ବିଡ଼ିଓ ଅଭିଯୋଗର ଯାଞ୍ଚ କରି ନିଷ୍ପତ୍ତି ନେବେ । ୬ ଡିସେମ୍ବରରେ ଚୂଡାନ୍ତ ଭୋଟର ତାଲିକା କମିଶନଙ୍କ ନିକଟରେ ଦାଖଲ ହେବ । ୧୪ ତାରିଖ ସୁଦ୍ଧା ଚୂଡାନ୍ତ ଭୋଟର ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ଆସିବ । ୧୪ ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ଚାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ।

ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିପାରେ ଭୋଟ ଗ୍ରହଣ ସମୟ । ସକାଳ ୭ରୁ 1୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେଉଥିଲା। ହେଲେ ଏଥର ଗଣତି ବୁଥରେ ନ ହୋଇ ବ୍ଲକରେ ହେବାକୁ ଥିବାରୁ ଭୋଟ ଗ୍ରହଣ ଅବଧି ବଢାଇବାକୁ ରାଜନୈତିକ ଦଳ ଦାବି କରିଥିଲେ । ଗତ ୬ ତାରିଖରେ ବସିଥିବା ସର୍ବଦଳୀୟ ବୈଠକରେ ଭୋଟ ଗ୍ରହଣ ଅବଧି ସହ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ବୃଦ୍ଧି କରିବାକୁ ବି ଦାବି ହୋଇଥିଲା ।

କନ୍ଧମାଳ ପୁଅ ଖଡ଼ିରେ ତିଆରି କଲେ ମହାପ୍ରଭୁଙ୍କ ସବୁଠାରୁ ଛୋଟ ରଥ

ଫୁଲବାଣୀ: ଖଡିରେ ତିଆରି କଲେ ମହାପ୍ରଭୁଙ୍କ ରଥ । କନ୍ଧମାଳ ଜିଲ୍ଲାର ନଦୀଖଣ୍ଡି ସାହିର ପ୍ରତ୍ୟୁଷ କୁମାର ଚୌଧୁରୀ ଏବେ ନିଜର ରଥ ନିର୍ମାଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ରଥର ଲମ୍ବ ୧.୯ ସେମି ଓ ଓସାର ୨.୫ ସେମି ଥିବା ବେଳେ, ରଥଟି ଏସିଆ ବୁକ୍ ଅଫ୍ ରେକର୍ଡସ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି ।

ରଥଟି ଦୁଇଟି ଯାକ ରେକର୍ଡରେ ଅନୁମୋଦିତ ହେବା ପରେ ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି ଏନ୍. ପ୍ରତ୍ୟୁଷ କୁମାର ଚୌଧୁରୀ l ପୁଅର ସଫଳତା ନେଇ ପରିବାରରେ ଖୁସୀର ଲହରୀ ଖେଳିଯାଇଛି ।

ଥରାଉଛି ଜାଡ଼: ୮ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ

ଭୁବନେଶ୍ବର: ରାଜ୍ୟରେ କମୁଛି ତାପମାତ୍ରା, ବଢୁଛି ଶୀତ। ୮ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ । ଆଗକୁ ଆହୁରି କମିବ ତାପମାତ୍ରା ଓ ମାଡ଼ି ଆସିବ ହାଡଭଙ୍ଗା ଶୀତ।

୧୦ ଡିଗ୍ରୀ ସେଲସିୟସ ସହ ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଥଣ୍ଡା ସହରରେ ପରିଣତ ହୋଇଛି । ଫୁଲବାଣୀ ତାପମାତ୍ରା ୧୧.୫ ଡିଗ୍ରୀ ଥିବା ବେଳେ କୋରାପୁଟ ୧୨, କେନ୍ଦୁଝର ୧୩, ଭବାନୀପାଟଣା ଏବଂ ଝାରସୁଗୁଡା ୧୪.୨, ଟିଟଲାଗଡ ଏବଂ ସୋନପୁର ତାପମାତ୍ରା ୧୪.୮ ଡିଗ୍ରୀ ରହିଛି ।

ସେହିପରି ରାଜଧାନୀ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୭.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ କଟକରେ ୧୭ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି ।

ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ପବନ ତାପମାତ୍ରା କମାଇବାରେ ସହାୟକ ହେଉଛି । ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ରାତିରେ ତାପମାତ୍ରା ୨ ରୁ ୪ ଡିଗ୍ରୀ କମ ରହୁଛି । ଏହାସହିତ ଉପକୂଳ ଜିଲ୍ଲାଗୁଡିକରେ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ଘଟିଛି ।

ଅନ୍ୟପକ୍ଷରେ ଓଡ଼ିଶାକୁ ରହିଛି ଦୁଇ ଦୁଇଟି ଲଘୁଚାପ ଭୟ । ଚଳିତ ମାସ ଦ୍ବିତୀୟ ଓ ତୃତୀୟ ସପ୍ତାହରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେବ । ଆସନ୍ତାକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଘନିଭୂତ ହୋଇ ୧୨ କିମ୍ବା ୧୩ ତାରିଖରେ ତାମିଲନାଡୁ ଏବଂ ତତ୍ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।

ଆଜି ଶ୍ରୀମନ୍ଦିରରେ ହେବ ହରିହର ବେଶ

ପୁରୀ: ଆଜି ଶ୍ରୀମନ୍ଦିରରେ ହେବ ଶ୍ରୀଜିଉଙ୍କ ହରିହର ବେଶ । ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ  ହରିହର ବେଶରେ ସଜ୍ଜିତ କରାଯିବ । କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟାଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡ଼ିଲେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହୋଇଥିଏ ।

ଚଳିତ ବର୍ଷ ଦୀପାବଳି ଅମାବାସ୍ୟା ପରେ ଆଜି ସୋମବାର ପଡ଼ିଛି | ତେଣୁ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହେବ । କିନ୍ତୁ ମହାପ୍ରଭୁ ଜଗନ୍ନାଥ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିବେ । ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ବସ୍ତ୍ରରେ ଦର୍ଶନ ଦେବା ସହ ବିଭିନ୍ନ ପ୍ରକାରର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିବେ ।

ବିଦେଶୀ ପର୍ଯ୍ୟଟକ ଓ ଯାତ୍ରୀଙ୍କ ଉପରୁ କଟକଣା ହଟାଇଲା ଆମେରିକା

ଓ୍ବାସିଂଟନ: ବାଇଡେନ୍ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଦୀର୍ଘ ୨୦ ମାସ ପରେ ଆମେରିକା ବିଦେଶୀ ପର୍ଯ୍ୟଟକ ଓ ଯାତ୍ରୀଙ୍କ ଲାଗି କଟକଣା ପ୍ରତ୍ୟାହାର କରିଛି । ଏଣିକି ସମ୍ପୂର୍ଣ୍ଣ କୋଭିଡ ଡୋଜ ନେଇଥିବା ଲୋକ ଆମେରିକା ଯାଇପାରିବେ । ଫଳରେ ଦୀର୍ଘ ଦିନ ଧରି ପରିବାର, ଜ୍ଞାତି ପରିଜନଙ୍କ ସହ ଏକାଠି ହୋଇପାରୁ ନଥିବା ଲୋକେ ଉପକୃତ ହେବେ । ଏହା ସହ କୂଟନୈତିକ, ବାଣିଜ୍ୟିକ, ପର୍ଯ୍ୟଟନଗତ ସମ୍ପର୍କ ମଧ୍ୟ ସାରା ବିଶ୍ବ ସହ ଯୋଡି ହେବ ।

କୋଭିଡର ଭୟାବହତା ଯୋଗୁଁ ଗତବର୍ଷ ପ୍ରଥମ ଭାଗରେ ତତକାଳୀନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏହି କଟକଣା ଜାରି କରିଥିଲେ । ତାଙ୍କ ପରେ ରାଷ୍ଟ୍ରପତି ଜୋ ବାଇଡେନ ଏହି କଟକଣା ପ୍ରତ୍ୟାହାର କରିଛନ୍ତି । ଆମେରିକାର ଏହି କଟକଣା ଯୋଗୁଁ ସାରା ବିଶ୍ବର ଲକ୍ଷ ଲକ୍ଷ ଲୋକ ସମସ୍ୟାରେ ପଡିଥିଲେ । ବିଶେଷ କରି ୟୁରୋପ, ବ୍ରିଟେନ, ଚୀନ, ଭାରତ, ମେକ୍ସିକୋ ଓ କାନାଡା ପକ୍ଷରୁ ତୀବ୍ର ବିରୋଧ ହୋଇ ଆସୁଥିଲା ।

ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ କୋଟି ୬ ଲକ୍ଷରେ ପହଞ୍ଚିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ହେଲାଣି ୫୦ ଲକ୍ଷ ୬୪ ହଜାର । ଏକ ନମ୍ବରରେ ଥିବା ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୭୩ ଲକ୍ଷ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେ ୭ ଲକ୍ଷ ୭୫ ହଜାରରୁ ଅଧିକ ଲୋକ ।

କରୋନା ମାରିଛି ପେଟରେ ଲାତ: ମୃତ୍ୟୁର ରାସ୍ତା ବାଛି ନେଉଛନ୍ତି ଚାଷୀ ଓ ବ୍ୟବସାୟୀ

ନୂଆଦିଲ୍ଲୀ: କରୋନାକୁ ନେଇ ଚିନ୍ତାଜନକ ତଥ୍ୟ । ମହାମାରୀରେ ଛଟପଟ ଚାଷୀ ଓ ବ୍ୟବସାୟୀ କରୁଛନ୍ତି ଆତ୍ମହତ୍ୟା । ବ୍ୟବସାୟିକ ଘାଟା ଯୋଗୁଁ ଆପଣାଇ ନେଇଛନ୍ତି ମୃତ୍ୟୁର ରାସ୍ତା । ଏହି ସମୟ ମଧ୍ୟରେ ୧୧ ହଜାରରୁ ଅଧିକ ବ୍ୟବସାୟୀ ଓ ୧୦ ହଜାରରୁ ଅଧିକ ଚାଷୀ ମୃତ୍ୟୁକୁ ଆପଣାଇ ନେଇଛନ୍ତି ।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବି ତଥ୍ୟ ଅନୁସାରେ ଗତବର୍ଷ କୋଭିଡ ଯୋଗୁଁ ବ୍ୟବସାୟରେ ବ୍ୟାପକ କ୍ଷତି କାରଣରୁ ବ୍ୟବସାୟୀଙ୍କ ମଧ୍ୟରେ ଆତ୍ମହତ୍ୟା ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିପରି କୃଷି ସଂକଟ, ଫସଲହାନି, କ୍ଷତି, ଋଣଭାର ଆଦି କାରଣରୁ ଚାଷୀ ଆତ୍ମହତ୍ୟା ସଂଖ୍ୟା ବି ବଢିଥିଲା ।୨୦୨୦ରେ ୧୧ ହଜାର ୭୧୬ ଜଣ ବ୍ୟବସାୟୀ ଆତ୍ମହତ୍ୟା କରିଥିବା ବେଳେ, ୧୦ ହଜାର ୬୭୭ ଜଣ ଚାଷୀ ମୃତ୍ୟୁର ପଥ ବାଛି ନେଇଥିଲେ ।

ଆତ୍ମହତ୍ୟା କରିଥିବା ବ୍ୟବସାୟୀଙ୍କ ମଧ୍ୟରୁ ୪ ହଜାର ୩୫୬ ଜଣ ଛୋଟ, ମଧ୍ୟମ ଓ ବଡ ବ୍ୟବସାୟୀ ଥିବାବେଳେ, ୪ ହଜାର ୨୨୬ ଜଣ ଭେଣ୍ଡର ଥିଲେ । ସେପଟେ ଦେଶରେ ମୋଟ ଆତ୍ମହତ୍ୟା ହାର ୧୦ ପ୍ରତିଶତ ବୃଦ୍ଧି ପାଇଛି । ଗତବର୍ଷ ଦେଶରେ ୧ ଲକ୍ଷ ୫୩ ହଜାର ୫୨ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି ।

ସୂଚନାଯୋଗ୍ୟ, ଦେଶରେ ସାଧାରଣତଃ ବ୍ୟବସାୟୀଙ୍କ ତୁଳନାରେ ଚାଷୀମାନେ ଅଧିକ ଆତ୍ମହତ୍ୟା କରିଥାନ୍ତି । ମାତ୍ର ଗତବର୍ଷ ଏହି ଘଟଣା ଓଲଟା ହୋଇଛି । ବାରମ୍ବାର ଲକଡାଉନ, ସଟଡାଉନ, ମାନ୍ଦା ବ୍ୟବସାୟ କାରଣରୁ ବ୍ୟବସାୟୀମାନେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହୋଇଥିଲେ ଓ ଋଣ ପରିଶୋଧ କରିପାରି ନଥିଲେ । ଏହି କାରଣରୁ ବହୁ ଚାଷୀ ମୃତ୍ୟୁକୁ ଆପଣାଇ ନେଇଥିଲେ । ସେହିପରି ଶସ୍ୟହାନୀ, ଋଣଜନିତ ସମସ୍ୟା ଯୋଗୁଁ ଚାଷୀମାନେ ବି ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରିଛନ୍ତି । ଭାରତୀୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମହାସଙ୍ଘ ସାଧାରଣ ସମ୍ପାଦକ ଅନୀଲ ଭରଦ୍ବାଜ କହିଛନ୍ତି, ‘କୋଭିଡ ସମୟରେ ବ୍ୟବସାୟୀଙ୍କ ମଧ୍ୟରେ ସଙ୍କଟ ଅତି ଘନୀଭୂତ ହୋଇଥିଲା ଏବଂ କୌଣସି ସୂତ୍ରରୁ ସହାୟତା ନ ପାଇ ଶେଷରେ ଆତ୍ମହତ୍ୟା କରିଥିଲେ ।’

ଯବାନଙ୍କୁ ଗୁଳି ମାରିଲେ ଯବାନ: ୪ ମୃତ, ୩ ଗୁରୁତର

ସୁକମା: ଛତିଶଗଡ଼ ସୁକମା ଜିଲ୍ଲା ମାରାଇଗୁଡ଼ା ସିଆରପିଏଫ କ୍ୟାମ୍ପରେ ଗୁଳିକାଣ୍ଡ । ସାଥୀ ଯବାନଙ୍କ ଗୁଳିରେ ଚାଲିଗଲା ୪ ଯବାନଙ୍କ ଜୀବନ । ୩ ଜଣ ଗୁରୁତର । ମୃତ ଯବାନମାନେ ହେଲେ ଧାନଜୀ, ରାଜୀବ ମଣ୍ଡଳ, ରାଜମଣି କୁମାର ଯାଦବ ଓ ଧର୍ମେନ୍ଦ୍ର କୁମାର । ସେହିପରି ଗୁରୁତରମାନେ ହେଲେ ଧନଞ୍ଜୟ କୁମାର ସିଂ, ଧର୍ମାତ୍ମା କୁମାର ଓ ମଳୟ ରଞ୍ଜନ ମହାରଣା ।

ଗୁରୁତର ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତାହତ ସିଆରପିଏଫ ୫୦ ବାଟାଲିୟନର ଯବାନ ।  ପରସ୍ପର ମଧ୍ୟରେ ଝଗଡ଼ା ପରେ ଯବାନ ଜଣକ ନିଜ ସର୍ଭିସ ବନ୍ଧୁକରୁ ଗୁଳିମାଡ଼ କରିଥିବା ଜଣାପଡିଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁକମା ଏସପି ।

T20 World Cup: ଆଜି ଭାରତ- ନାମିବ୍ୟା ମୁକାବିଲା

ନୂଆଦିଲ୍ଲୀ: ଅଧାରେ ରହିଗଲା ଟି-୨୦ ବିଶ୍ବକପ୍ ଜିତିବା ସ୍ବପ୍ନ । ଆଫଗାନିସ୍ତାନର ପରାଜୟ ଭାରତର ସବୁ ଆଶକୁ କରିଦେଲା ଧୂଳିସାତ । ଏବେ ଖାଲି ହାତରେ ସ୍ବଦେଶ ଫେରିବ ଭାରତୀୟ କ୍ରିକେଟ୍ ଟିମ୍ ।

ଗତକାଲି ଆଫଗାନିସ୍ତାନଠାରୁ ନ୍ୟୁଜିଲ୍ୟାଣ୍ଡ ଜିତିବା ପରେ ଭାରତ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି । ଆଜି ନାମିବ୍ୟା ସହ ମ୍ୟାଚ୍ ଖେଳିବ ଭାରତ । ଅପରାହ୍ନରେ ଦୁବାଇରେ ହେବ ଏହି ମ୍ୟାଚ୍ । ପ୍ରଥମ ଦୁଇଟି ମ୍ୟାଚ୍ ହାରି ବ୍ୟାକଫୁଟରେ ଥିଲା ଭାରତ । ତେବେ ସ୍କଟଲ୍ୟାଣ୍ଡ ଓ ଆଫଗାନିସ୍ତାନଠାରୁ ଜିତିବା ପରେ ଭାରତର ସେମି ଆଶା ଉଜ୍ଜିବୀତ ହୋଇଥିଲା । ହେଲେ ଆଫଗାନିସ୍ତାନଠାରୁ ନ୍ୟୁଜିଲ୍ୟାଣ୍ଡ ଜିତିବା ପରେ ଭାରତର ସମସ୍ତ ଆଶା ଧୂଳିସାତ ହୋଇଯାଇଛି । ଗ୍ରୁପ୍ Bରୁ ସେମିଫାଇନାଲରେ ପହଞ୍ଚିଛନ୍ତି ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ । ୨୦୦୭ରେ ଭାରତ ପ୍ରଥମ ଟି-୨୦ ବିଶ୍ବକପ ହାତେଇବାରେ ସକ୍ଷମ ହୋଇଥିଲା । ଏହା ପରଠୁ ଟିମ ଇଣ୍ଡିଆ ଚାମ୍ପିଅନ୍ ହେବା ଲକ୍ଷ୍ୟରେ ରହିଥିଲେ ମଧ୍ୟ ସଫଳ ହୋଇପାରି ନାହିଁ  ।