୭ହଜାର ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି: ୧୬ ତାରିଖରେ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷକ ପଦବୀ ଅଶାୟୀଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ୧୬ ହଜାର ଶିକ୍ଷକ ନିଯୁକ୍ତି ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ମଧ୍ୟରେ ୭ ହଜାର ହାଇସ୍କୁଲ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି । ୧୬ ତାରିଖରେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ଗୁରୁମନ୍ତ୍ର । ଏହା ବାଦ୍‌ ସପ୍ତାହକ ମଧ୍ୟରେ ଆଉ ୪ ହଜାର ଶିକ୍ଷକ ନିଯୁକ୍ତି ପାଇବେ । ୫-ଟି ଉପକ୍ରମରେ ସ୍କୁଲ ଭିତ୍ତିଭୂମି ରୁପାନ୍ତର ସହ ଶିକ୍ଷକ ନିଯୁକ୍ତି ଉପରେ ବି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଶିକ୍ଷାକ୍ଷେତ୍ରରେ ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟ କରିବା ଲାଗି ନବୀନ ପଟ୍ଟନାୟକଙ୍କ ସରକାରଙ୍କ ପ୍ରତିବଦ୍ଧତାକୁ ଶିକ୍ଷାବିତ୍ ଓ ଶିକ୍ଷକ ସଂଘ ସ୍ୱାଗତ କରିଛନ୍ତି ।

ଯାହା କେବେ ହୋଇନଥିଲା, ତାହା ଏବେ ହେଲା । ଏକାଥରେ ନିଯୁକ୍ତି ପାଇଲେ ୭ ହଜାର ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ । ଆସନ୍ତା ୧୬ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଏହି ନବନିଯୁକ୍ତ ଶିକ୍ଷକମାନଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକାଥରେ ୧୧ ହଜାର ୪ ଶହ ଶିକ୍ଷକ ନିଯୁକ୍ତି ଯୋଜନା ଥିଲା । କିନ୍ତୁ ସଂରକ୍ଷିତ ବର୍ଗରେ ଉତ୍ତୀର୍ଣ୍ଣ ହୋଇନଥିବାରୁ ବଳକା ୪ହଜାର ୪ଶହ ପଦବୀ ସପ୍ତାହକ ମଧ୍ୟରେ ପୂରଣ ହେବ । ଏବର୍ଷ ୧୬ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଭାଗ ଲକ୍ଷ୍ୟ ରଖିଛି । 5-T ଉପକ୍ରମରେ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍‌, ଇ-ଲାଇବ୍ରେରୀ, ଡିଜିଟାଲ ଟେକ୍ନୋଲୋଜିରେ ପାଠପଢ଼ା ବ୍ୟବସ୍ଥା କରାଯାଉଛି । ଏହା ସହ ଶିକ୍ଷକ ପଦବି ପୂରଣ ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଏବେ ସୁଦ୍ଧା ରାଜ୍ୟର ୧୦୭୫ଟି ହାଇସ୍କୁଲ ରୂପାନ୍ତରିତ ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ ୩୩୭୫ ହାଇସ୍କୁଲ ଓ ବାକି ସମସ୍ତ ହାଇସ୍କୁଲ ଆସନ୍ତା ଶିକ୍ଷାବର୍ଷରେ ରୂପାନ୍ତର ପାଇଁ ଯୋଜନା ରହିଛି । ଉନ୍ନତ ଭିତ୍ତିଭୂମି ସହ ଉନ୍ନତ ମାନର ଶିକ୍ଷାଦାନ ପାଇଁ ନୂଆ ଶିକ୍ଷକ ନିଯୁକ୍ତି କରାଯାଉଛି । ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଦେଶରେ ସର୍ବୋତ୍କୃଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ କାମ କରୁଛି ବିଭାଗ । ଏହି ପ୍ରୟାସକୁ ଶିକ୍ଷାବିତ୍ ଓ ରାଜ୍ୟର ବୃହତ୍ତମ ଶିକ୍ଷକ ସଂଘ ଓଷ୍ଟା ସ୍ୱାଗତ କରିଛି ।

ସ୍କୁଲ ରୂପାନ୍ତର ପରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ନୂଆ ଉତ୍ସାହ ଦେଖିବାକୁ ମିଳୁଛି । ଖାଲିଥିବା ଶିକ୍ଷକ ପଦବୀ ପୂରଣ ପରେ ସରକାରୀ ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ ବଢିବା ସହ ନୂଆସ୍ତରକୁ ଯାଉଛି ସରକାରୀ ଶିକ୍ଷା ବ୍ୟବସ୍ଥା ।

Leave a Reply