କଂଗ୍ରେସର ଘରସଜଡ଼ା ଚିନ୍ତା: ତୃଣମୂଳସ୍ତରରୁ ଦଳକୁ ସୁଦୃଢ଼ କରିବାକୁ ବିଧାୟକଙ୍କ ଚିଠି

1 min read

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଘାରିଲା ଘରସଜଡ଼ା ଚିନ୍ତା । ତୃଣମୂଳସ୍ତରରୁ ପିସିସି ଯାଏ ଦଳକୁ ସୁଦୃଢ କରିବା ପାଇଁ ହାଇକମାଣ୍ଡଙ୍କୁ ଚିଠି ଲେଖି ଦାବି ରଖିଛନ୍ତି କଂଗ୍ରେସ ବିଧାୟକ ଦଳ । ଏଥିରୁ ଜଳଜଳ ଦିଶୁଛି ଦଳୀୟ କନ୍ଦଳର ପୁରୁଣା ରୋଗ । ରାଜ୍ୟ କଂଗ୍ରେସରେ ଅଲ୍‌ ଇଜ୍ ନଟ୍ ଓ୍ୱେଲ୍ । ହାଇକମାଣ୍ଡ ସମୟ ଦେଲେ ଅଭିଯୋଗ ଶୁଣାଇବେ ବିଧାୟକ । ଏହାକୁ ନେଇ ହାତ ଶିବିରରେ ସୃଷ୍ଟି ହୋଇଛି କମ୍ପନ ।

କୁହୁଳୁଛି କଂଗ୍ରେସ ନିଆଁ । ପିସିସି ବିରୋଧରେ ଏକାଠି ବିଧାୟକ । ହାଇକମାଣ୍ଡଙ୍କ ଡାକରାକୁ ଅପେକ୍ଷା । ତାରା-ସୁର କହିଲେ ସଜଡ଼ାଯିବ ସଂଗଠନ । କଂଗ୍ରେସ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ୧୪୦ ବର୍ଷର ଦଳ ରାଜ୍ୟରେ ଦୁର୍ବଳ ହେବାରେ ଲାଗିଛି । ଦକ୍ଷିଣରୁ ପଶ୍ଚିମ, ଉତ୍ତରରୁ ଉପକୂଳ ହାତ ଛାଡୁଛନ୍ତି ଦଳର ହେଭିଓ୍ୱେଟ୍ । ଏଥିସହ ଦଳରେ ଗୋଷ୍ଠୀ ବିବାଦର ପୁରୁଣା ରୋଗ ବି ଉଗ୍ର ହୋଇଛି। ଏହା ବିରୋଧରେ ସ୍ୱର ଉଠାଇଛନ୍ତି ବିଧାୟକ ଦଳ । ରାଜ୍ୟରେ କଂଗ୍ରେସର ନେତୃତ୍ୱ ନେଉଥିବା ମଙ୍ଗୁଆଳ ଠିକ ବାଟରେ ଦଳକୁ ନେଉନଥିବା ବିଧାୟକଙ୍କ ଚିଠିରୁ ସ୍ପଷ୍ଟ ସଙ୍କେତ ଦେଇଛି । ତେବେ ପିସିସି ସଭାପତିଙ୍କୁ ହଟାଇବାକୁ ନୁହେଁ, ବରଂ ଦଳକୁ ସଂଗଠିତ କରିବା ପାଇଁ ହାଇକମାଣ୍ଡଙ୍କୁ ଚିଠି ଲେଖାଯାଇଛି । ଖୁବଶୀଘ୍ର ବିଧାୟକ ଦଳ ଦିଲ୍ଲୀ ଯାଇ ଆଲୋଚନା କରିବେ।

ଅନେକ ଦିନ ହେଲା କଂଗ୍ରେସରେ ଗୋଷ୍ଠୀ ବିବାଦ ଲାଗିରହିଛି । ପିସିସି ସଭାପତିଙ୍କୁ ହଟାଇବା ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏ ମେଳି ହେଉଛି । ପିସିସି ସଭାପତି ମଧ୍ୟ ଦୁଇଥର ଇସ୍ତଫା ଦେଇଥିବା କଥା କହିଛନ୍ତି । ତେବେ ତୃଣମୂଳସ୍ତରରୁ ପିସିସି ଯାଏ ଆମୂଳଚୂଳ ପରିବର୍ତ୍ତନ କରିବା ପାଇଁ ହାଇକମାଣ୍ଡଙ୍କ ସହ ପୁଣି ଆଲୋଚନା କରିବେ ବିଧାୟକ ।

ଦରଦାମ୍‌ ବୃଦ୍ଧିଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରକୁ ଘେରୁଛି କଂଗ୍ରେସ । ରାହୁଲ ଗାନ୍ଧୀ ବିଜେପିକୁ ସିଧାସଳଖ ଟାର୍ଗେଟ କରୁଛନ୍ତି । ହେଲେ ରାଜ୍ୟରେ ବିଜେପି ସହ ଭିତିରିଆ ସମ୍ପର୍କ ରଖି କଂଗ୍ରେସ କାମ କରୁଥିବା ଅଭିଯୋଗକୁ ନେଇ ଦଳରେ ଗୋଷ୍ଠୀ ବିବାଦ ଉଗ୍ର ରୂପ ନେଇଛି ବୋଲି ଚର୍ଚ୍ଚା ହେଉଛି ।

Leave a Reply