ଭୁଲିଲା କେନ୍ଦ୍ର, ଲଢିବ ଓଡ଼ିଶା: ପାଇକ ବିଦ୍ରୋହ ପାଇଁ ଆନ୍ଦୋଳନ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଖୋର୍ଦ୍ଧା: ଅଧିକାର ପାଇଁ ଜାରି ରହିବ ଆନ୍ଦୋଳନ । ପରିଚୟ ପାଇଁ ପାଇକ ମାଟିରୁ ବଜ୍ରଶପଥ । ପାଇକ ସଂଗ୍ରାମକୁ ମାନ୍ୟତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ବୀର ମାଟିରୁ ଆନ୍ଦୋଳନ ଜାରି ରଖିବାକୁ ଦେଇଛନ୍ତି ଆହ୍ୱାନ । ନିଜେ କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ପରେ ଏହାକୁ ଟାଳି ଦେଇ ଓଡ଼ିଆ ଅସ୍ମିତା ପ୍ରତି କେନ୍ଦ୍ର ସରକାର କୁଠାରାଘାତ କରିଛନ୍ତି । ଯାହା ରାଜ୍ୟବାସୀଙ୍କୁ ଦୁଃଖ ଦେଇଛି ବୋଲି କହିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ଏପରି ଆହ୍ୱାନ କୋଟି କୋଟି ଓଡ଼ିଆଙ୍କୁ କେନ୍ଦ୍ର ଅବିଚାର ବିରୋଧରେ ଲଢିବାକୁ ଦେଇଛି ପ୍ରେରଣା ।

ପାଇକଙ୍କୁ ଭୁଲିଲା କେନ୍ଦ୍ର, ଲଢିବ ଓଡ଼ିଶା । ନବୀନଙ୍କ ଯୁଦ୍ଧଂଦେହୀ ଡାକରା । ଓଡ଼ିଶାର ଅଧିକାର ପାଇଁ ତୀବ୍ର ହେବ ଆନ୍ଦୋଳନ । ଖୋର୍ଦ୍ଧାରେ ବିଏସ୍‌କେଓ୍ୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଆରମ୍ଭରୁ ପାଇକ ଆନ୍ଦୋଳନର ମହାସଂଗ୍ରାମକୁ ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମାଟିକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାଟି କହି ପ୍ରଣିପାତ କରିଥିଲେ ନବୀନ । ବୀର ପାଇକଙ୍କୁ ବି ମନେ ପକାଇ ପ୍ରଣାମ ଜଣାଇଥିଲେ । କେନ୍ଦ୍ର ସରକାର ପାଇକ ଆନ୍ଦୋଳନକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ କହି ଠକିଛନ୍ତି । ଓଡ଼ିଶାବାସୀଙ୍କ ପ୍ରତି ଏହା ଅବିଚାର । ରାଜ୍ୟର ହକ୍ ପାଇଁ ଆନ୍ଦୋଳନ ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି ନବୀନ ।

୨୦୧୭ରେ ପାଇକ ବିଦ୍ରୋହକୁ ୨୦୦ ବର୍ଷ ପୂରିଥିଲା । ସେବେଠାରୁ ଏହାକୁ ପ୍ରଥମ ସ୍ୱାଧୀନତା ଆନ୍ଦୋଳନର ମାନ୍ୟତା ଦେବା କଥା ଉଠିଥିଲା । ଖୋଦ୍ ତତ୍କାଳୀନ ବରିଷ୍ଠ ବିଜେପି ନେତା ତଥା ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏହାକୁ ସମର୍ଥନ ଦେଇଥିଲେ । ରାଷ୍ଟ୍ରପତି ବରୁଣେଇ ଆସି ପାଇକ ସ୍ମାରକୀ ସ୍ତମ୍ଭର ଶୁଭ ଦେଇଥିଲେ । ଏ ନେଇ ଓଡ଼ିଶା ସରକାର ଜମି ବି ପ୍ରଦାନ କରିଛନ୍ତି । ତତ୍କାଳୀନ କେନ୍ଦ୍ର ମାନବ ସମ୍ବଳନ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଇତିହାସ ପୁସ୍ତକରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ଆନ୍ଦୋଳନ ଭାବେ ସିଲାବସ କରିବାର ଘୋଷଣା ମଧ୍ୟ କରିଥିଲେ । ହେଲେ କିଛି ଦିନ ତଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପାଇକ ଆନ୍ଦୋଳନକୁ ମାନ୍ୟତା ଦେବାକୁ ମନା କରିଛନ୍ତି । ଯାହା ବିରୋଧରେ ସାରା ରାଜ୍ୟରେ ନିଆଁ ଲାଗିଛି । ବିଧାନସଭାରୁ ବରୁଣେଇ ଯାଏ ଚାଲିଛି କେନ୍ଦ୍ର ବିରୋଧୀ ଆନ୍ଦୋଳନ ।

ଯେବେ ଯେବେ ଓଡ଼ିଆ ଅସ୍ମିତାର କଥା ଉଠିଛି, ଆଗରେ ଠିଆ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଇକ ଆନ୍ଦୋଳନ ଯେ ପ୍ରଥମ ସ୍ୱାଧୀନତା ସଂଗ୍ରାମ, ଏହା ଇତିହାସର ସତ୍ୟତା । ଯାହାକୁ ଜାଣିଶୁଣି କେନ୍ଦ୍ର ରାଜନୈତିକ ମୁଦ୍ଦା କରୁଥିବା ନେଇ ଚର୍ଚ୍ଚା ହେଉଛି । ସୂଚନା ଯୋଗ୍ୟ ଯେ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷନ ରେଡ୍ଡୀ ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମ ଭାବେ ଅଭିହିତ କରାଯାଇପାରିବ ନାହିଁ ବୋଲି କହିଛନ୍ତି । ସାଂସଦ ପ୍ରଶାନ୍ତ ପଚାରିଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ପାଇକ ବିଦ୍ରୋହକୁ ସମ୍ପର୍କରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ହିଷ୍ଟ୍ରୋରିକାଲ ରିସର୍ଚ୍ଚ ପକ୍ଷରୁ ଅନୁଧ୍ୟାନ କରାଯାଇଥିଲା । ସେମାନଙ୍କ ରିପୋର୍ଟ ଆଧାରରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଅଭିହିତ କରାଯାଇପାରିବ ନାହିଁ ବୋଲି ସଂସଦରେ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀ ।

Leave a Reply