spot_img
Home Blog Page 4957

କୋଭାକ୍ସିନକୁ ସ୍ବୀକୃତି ଦେବ ୟୁକେ; ନଭେମ୍ବର ୨୨ରୁ ବିନା ପ୍ରତିବନ୍ଧକରେ କରିପାରିବେ ଯାତ୍ରା

ନୂଆଦିଲ୍ଲୀ: ବ୍ରିଟେନରେ ସ୍ବୀକୃତି ପାଇଲା ଭାରତୀୟ ଟିକା । ୟୁକେ ସରକାର ଭାରତ କରୋନା କବଚ କୋଭାକ୍ସିନକୁ  ୟୁକେରେ ଜରୁରୀକାଳୀନ ବ୍ୟବହାର ତାଲିକାରେ କୋଭାକ୍ସିନ ଯୋଗ କରିବ ବୋଲି ୟୁକେ ସରକାର କହିଛନ୍ତି । ଏହା ଘୋଷଣାରେ ସବୁଠାରୁ ଅଧିକ ଫାଇଦା ଯେଉଁମାନେ କୋଭାକ୍ସିନ ଭ୍ୟାକସିନ ନେଇଛନ୍ତି ଏବଂ ୟୁକେ ଯିବା ପାଇଁ ଅପେକ୍ଷା କରିଥିଲେ  । ସେମାନଙ୍କ ପାଇଁ ପୂର୍ବରୁ ଲାଗୁ କ୍ବାରେଣ୍ଟାଇନ ନିୟମ ଆଉ ଲାଗୁ ହେବ ନାହିଁ । ଆସନ୍ତା ନଭେମ୍ବର ୨୨ ତାରିଖରୁ ୟୁକେ ଏହାର ଜରୁରୀକାଳୀନ ବ୍ୟବହାର ତାଲିକାରେ ଭାରତର କୋଭାକ୍ସିନକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ବ୍ରିଟେନ ହାଇ କମିଶନର ଆଲେକ୍ସ ଏଲିସ୍ ଏହାକୁ ନେଇ ଟୁଇଟ କରିଛନ୍ତି । ସେ କହିଛନ୍ତି ଯେ ନଭେମ୍ବର ୨୨ରୁ ବ୍ରିଟେନ ଏହାର ଜରୁରୀକାଳୀନ ବ୍ୟବହାର ତାଲିକାରେ ଭାରତର କୋଭୋକ୍ସିନକୁ ମଧ୍ୟ ଅନ୍ତର୍ଭୁକ୍ତ କରିବ । ଏହା ପରେ, ଯେଉଁମାନେ ଉଭୟ ଟିକା ପାଇଛନ୍ତି ସେମାନଙ୍କୁ ଆତ୍ମ-ପୃଥକ କରିବା ଆବଶ୍ୟକ ନାହିଁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଭାରତର ବାୟୋଟେକର କୋଭିଡ -୧୯ ଟିକା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ତାଲିକାରେ ଅନ୍ତର୍ଭୁକ୍ତ କରିଥିଲା । ଏହା ପରେ ୟୁକେ ସରକାର କୋଭାକ୍ସିନର ବ୍ୟବହାର କରିବା ପାଇଁ ଅନୁମତି ଦେଇଛି ।

ଏପରିକି ବ୍ରିଟେନ ୧୮ ବର୍ଷରୁ କମ୍ ଯାତ୍ରୀଙ୍କୁ ଆଶ୍ୱସ୍ତି ମିଳିଛି । ଏହି ଯାତ୍ରୀମାନଙ୍କୁ ମଧ୍ୟ ସଂପୂର୍ଣ୍ଣ ଟୀକାକରଣ କରାଯାଇଥିବା ଯାତ୍ରୀ ଭାବେ ବିବେଚନା କରାଯିବ । ଆହୁରି ମଧ୍ୟ, ସେମାନଙ୍କୁ କୌଣସି ପରୀକ୍ଷା କିମ୍ବା ଅଲଗା ହେବାକୁ ପଡ଼ିବ ନାହିଁ । ତଥାପି, ଏହି ଯାତ୍ରୀମାନଙ୍କୁ ସେମାନଙ୍କ ସହିତ ଏକ କୋଭିଡ-୧୯ ପରୀକ୍ଷା ରିପୋର୍ଟ ବହନ କରିବାକୁ ପଡିବ ।

ଅକାଳରେ କୂଅରେ ପଡ଼ି ଚାଲିଗଲା ଦୁଇ ଭାଇଙ୍କର ଜୀବନ, ଭାଇରାଲ ହେଲା ମୃତ୍ୟୁର LIVE

ସମ୍ବଲପୁର: ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ଦୁଇ ଭାଇ। ଘରର ଦୁଇ ଭେଣ୍ଡିଆ ପୁଅଙ୍କର ଅକାଳରେ ମୃତ୍ୟୁ ହୋଇଛି। କୂଅରେ ଖସିପଡ଼ି ଦୁଇ ଭାଇ ମୃତ ହୋଇଛି। କୂଅ ମଧ୍ୟକୁ ଏକା ସାଙ୍ଗରେ ଖସିପଡ଼ିଥିଲେ ଦୁଇ ଭାଇ। ସମ୍ବଲପୁରରେ ଦେଇବାକୁ ମିଳିଛି ଏଭଳି ଆଶ୍ଚର୍ଯ୍ୟ କଲାଭଳି ଘଟଣା। ସମ୍ଵଲପୁର ସହର ଲକ୍ଷ୍ମୀ ଟକିଜ ଛକ ନିକଟରେ ଥିବା ଏକ କୂଅରୁ ମୃତଦେହ ଉଦ୍ଧାର ହୋଇଛି।

ମୃତକ ଦୁଇଜଣ ହେଉଛନ୍ତି ସାହୁ କଲୋନୀର ସୁନୀଲ ତ୍ରିପାଠୀ ଓ ସୁଶୀଲ ତ୍ରିପାଠୀ ବୋଲି ସୂଚନା ମିଳିଛି। ଏହି ସୁନୀଲ ଏବଂ ସୁଶୀଲ ହେଉଛନ୍ତି ଦୁଇ ଭାଇ। ଜତ ରାତିରେ ଘଟିଛି ଏମିତି ଘଟଣା। ଯାହାର ସିସିଟିଭି ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ସିସିଟିଭିରେ ଯାହା ଜଣା ପଡ଼ୁଛି ଦୁଇ ଭାଇ ନିଶା ସକ୍ତ ଅବସ୍ଥାରେ କୂଅ ଉପରେ ବସିପଡ଼ିଥିବା ବେଳେ ନିଜର ଭାରସାମ୍ୟ ହରାଇ କୂଅ ମଧ୍ୟକୁ ଗଳି ପଡ଼ିଥିଲେ।

ସିସିଟିଭିରେ ମଧ୍ୟ ଆଉଗୋଟିଏ କଥା ସାମ୍ନାକୁ ଆସୁଛି କି ସେହି ଦୁଇ ଜଣଙ୍କ ସାମ୍ନାରେ ଛିଡ଼ା ହୋଇଥିବା ମହିଳା ଜଣକ କିଏ। ଏବଂ ମହିଳା ଜଣକୁ କଣ କହିଥିଲେ କି ସେମାନଙ୍କକୁ ? ନା ଏହାର ପଛରେ ଆଉ କିଛି ଲୁଚି ରିହଛି। ଯାହାକୁ ନେଇ ପୋଲିସ୍‌ ଏବେ ତାର ତଦନ୍ତ ଆରମ୍ଭ କରିଛି। ଘଟଣା ପୋଲିସ୍‌ ଯାଣିବା ପରେ ଟାଉନ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ।

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର OPHWCର ଡେପୁଟି ମ୍ୟାନେଜର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଓପିଏଚଡବ୍ଲୁସି ଡେପୁଟି ମ୍ୟାନେଜର। ଓଡ଼ିଶା ରାଜ୍ୟ ପୋଲିସ ଗୃହ ନିର୍ମାଣ ନିଗମ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଚଢାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୧୨ଟି ସ୍ଥାନରେ ରେଡ୍ ଚାଲିଛି। ଭୁବନେଶ୍ୱରର ୫ଟି, ଭଦ୍ରକ ଓ ବାଲେଶ୍ୱରରେ ଚାଲିଛି ରେଡ୍।

ଆଇଆରସି ଭିଲେଜ୍ ସ୍ଥିତ ୩ ମହଲା କୋଠା, ପତ୍ନୀ ସସ୍ମିତାସାମଲଙ୍କ ନାଁରେ ଥିବା ଗୋଠପାଟଣା ସ୍ଥିତ ଘର, ନୟାପଲ୍ଲୀ ଆଇଆରସି ଭିଲେଜ ସ୍ଥିତ ୪ମହଲା କୋଠାରେ ଚାଲିଛି ରେଡ୍। ଜୟଦେବବିହାର ସ୍ଥିତ ବିଜୁ ପଟ୍ଟନାୟକ କଲେଜ ଛକ ନିକଟରେ ଥିବା ୬ମହଲା କୋଠା, ଖଣ୍ଡଗିରିରେ ଥିବା ଭଡ଼ା ଘର, ଜୟଦେବବିହାରର ନରେନ୍ଦ୍ର ଭିଲ୍ଲାରେ ଥିବା ଘର ଓ ଅଫିସରେ ଚାଲିଛି ଚଢାଉ।

ସେପଟେ ଭଦ୍ରକ ବାସୁଦେବପୁରରେ ଥିବା ୩ ମହଲା ଆପାର୍ଟମେଣ୍ଟ ଅନନ୍ୟା ଟାୱାରରେ ଚଢାଉ ଜାରି ରହିଛି। ବାଲେଶ୍ୱର ସିମୁଳିଆ ହରିପୁରରେ ଥିବା ପୈତୃକ ଘର ଓ ହରିପୁରରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ଚାଲିଛି। ଚଢାଉରେ ୧୦ଭିଜିଲାନ୍ସ ଟିମ୍‌ରେ ଜଣେ ଏଏସପି ଓ ୫ ଡିଏସପି ସାମିଲ ଅଛନ୍ତି। ୭ ଇନସପେକ୍ଟର ଓ ଅନ୍ୟ କର୍ମଚାରୀ ରେଡରେ ସାମିଲ ହୋଇଛନ୍ତି।

ପ୍ରତାପ ସାମଲ ୧୪ ନଭେମ୍ବର ୧୯୮୮ରେ ରାଜ୍ୟ ପୋଲିସ ଗୃହ ନିର୍ମାଣ ନିଗମରେ ଜୁନିଅର ଇଞ୍ଜିନିୟର ଭାବେ ଜଏନ୍ କରିଥିଲେ। ୧୯୪୪-୯୫ ଯାଏ ଏଷ୍ଟିମେଟର ଥିଲେ। କେନ୍ଦ୍ରାପଡା ଓ ଦେବଗଡ଼ରେ ମଧ୍ୟ କାମ କରିଥିଲେ ପ୍ରତାପ ସାମଲ। ୨୦୧୩ରେ ଡେପୁଟି ମ୍ୟାନେଜର ଭାବେ ପ୍ରମୋସନ ପାଇଥିଲେ ପ୍ରତାପ। ରାଉରକେଲା, ବଲାଙ୍ଗୀର, କେନ୍ଦୁଝର ଓ କଟକରେ ମଧ୍ୟ ସେ କାମ କରିଛନ୍ତି। ୨୦୧୯ରେ ଭୁବନେଶ୍ୱର ଅଫିସରେ ଜଏନ୍ କରିଥିଲେ ପ୍ରତାପ।

ଭୋପାଳ ହସ୍ପିଟାଲରେ ଅଗ୍ନିକାଣ୍ଡ; ୪ ନବଜାତ ଶିଶୁ ଜୀବନ୍ତ ଦଗ୍ଧ

ଭୋପାଳ: ଗତକାଲି ରାତିରେ ମଧ୍ୟପ୍ରଦେଶର ଭୋପାଳ ସହରରେ ଘଟିଛି ଏକ ଅଭାବନୀୟ ଘଟଣା । ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଚାରି ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଛି । କମଳା ନେହେରୁ ହସ୍ପିଟାଲର ଶିଶୁ ବିଭାଗରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଅତିକମରେ ଚାରି ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ଏହି ଶିଶୁ ବିଭାଗରେ ମୋଟ ୪୦ ଜଣ ଶିଶୁ ଥିବାବେଳେ ୩୬ ଜଣ ଶିଶୁ ସୁରକ୍ଷିତ ଥିବା ଜଣା ପଡ଼ିଛି । ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୯ଟାରେ ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡର ପ୍ରକୋପ ଏପରି ଥିଲା ଯେ  ଆଖି ପିଛୁଳାକେ ନିଆଁ ଚାରିଆଡେ ବ୍ୟାପିଯାଇଥିଲା । ଅଗ୍ନିକାଣ୍ଡର ପ୍ରକୋପ ଏତେଥିଲା ଯେ ଏହାକୁ ଆୟତ୍ତ କରିବାକୁ ୮ଟି ଦମକଳ ବାହିନୀ ଲାଗିଥିଲେ । ତେବେ ନିଆଁକୁ ଆୟତ୍ତ କରିବା ପୂର୍ବରୁ ଚାରି ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଯାଇଥିଲା ।

ତେବେ ଏହି ଘଟଣାରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ ପ୍ରକାଶ କରିବା ସହ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି । କମଳା ନେହେରୁ ହସ୍ପିଟାଲର ଶିଶୁ ବିଭାଗରେ ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳରେ ମଧ୍ୟପ୍ରଦେଶ ସ୍ବାସ୍ଥ୍ୟ ଶିକ୍ଷା ମନ୍ତ୍ରୀ ବିଶ୍ବାସ ସାରଙ୍ଗ ପହଞ୍ଚିଥିଲେ । ଉଦ୍ଧାର କାର୍ଯ୍ୟ ପୂରା ତଦାରଖ କରିଥିଲେ ସ୍ବାସ୍ଥ୍ୟ ଶିକ୍ଷା ମନ୍ତ୍ରୀ । ତେବେ ସଟ୍ ସର୍କିଟ କାରଣରୁ ଏପରି ଏକ ବଡ଼ ଦୁର୍ଘଟଣା ହୋଇଛି ବୋଲି କହିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ବିଶ୍ବାସ ସାରଙ୍କ କହିଛନ୍ତି ।

ଥଣ୍ଡା ବଢ଼ିବା ସହ ଆସୁଛି ବର୍ଷା, ୧୦ ଦିନ ମଧ୍ୟରେ ବଙ୍ଗୋପସାଗରେ ସୃଷ୍ଟି ହେବ ଦୁଇ ଦୁଇଟି ଲଘୁଚାପ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ରହିଛି। ଯାହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ। ଏହାପରେ ଅବପାତରେ ପରିଣତ ହେବ। ସେପଟେ ଖସୁଛି ତାପମାତ୍ରା ବଢୁଛି ଶୀତ। ୮ ସହରରେ ୧୫ଡ଼ିଗ୍ରୀ ତଳେ ରହିଛି ତାପମାତ୍ରା। ୧୦ ଡ଼ିଗ୍ରୀ ସହ ଆଜି ବି ଦାରିଙ୍ଗବାଡି ଓଡିଶାର ଥଣ୍ଡା ସହର ଭାବେ ରେକର୍ଡ ହୋଇଛି।

ଆସନ୍ତା ୧୦ ଦିନ ଭିତରେ ଦୁଇ ଦୁଇ ଟି ଲଘୁଚାପ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହେବ। ଫଳରେ ନଭେମ୍ବର୧୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ଦିନରେ କୋହଲା ପାଗ ସାଙ୍ଗକୁ ତାପମାତ୍ରା ୩୦ଡିଗ୍ରୀ ତଳେ ରହିବ। ଫଳରେ ଦିନରେ ବି ଥଣ୍ଡା ଅନୁଭୂତ ହେବ। ଦକ୍ଷିଣ ଓଡିଶାରେ ୧୧ରୁ ୧୩ ତାରିଖ ବର୍ଷା ହେବ। ଉପକୂଳରେ କାଁ ଭାଁ ବର୍ଷା ହୋଇପାରେ।

ଏହା ପରେ ୧୬ତାରିଖ ବେଳକୁ ଆଉ ଏକ ଲଘୁଚାପ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହେବ ଯାହାର ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ବର୍ଷା କମିଲେ ଶୀତ ଆଉରି ବଢିବ। ଆସନ୍ତା ଦୁଇ ଦିନ ଧରି ଶୀତର ପ୍ରକୋପ ବଢିବ, ୧୦ ତାରିଖ ପରେ ରାତିର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ କିନ୍ତୁ ଦିନରେ ଥଣ୍ଡା ଅନୁଭୂତ ହେବ।

ଚୀନ ଏବଂ ଋଷ ମଧ୍ୟରେ ସ୍ୱାକ୍ଷରିତ ହେଲା ହେଭି ହେଲିକପ୍ଟର ନିର୍ମାଣ ରାଜିନାମା, ଭାରତ ବିରୋଧରେ ହେଲେ ଭାଇଭାଇ

ନୂଆଦିଲ୍ଲୀ: ଭାରତ ବିରୋଧରେ ଋଷ-ଚୀନ ଭାଇଭାଇ। ବହୁମୁଖୀ ହେଭି ହେଲିକପ୍ଟର ନିର୍ମାଣ ନିମନ୍ତେ ଦୁଇ ରାଷ୍ଟ୍ର ମଧ୍ୟର ସ୍ୱାକ୍ଷରିତ ହୋଇଛି ରାଜିନାମା। ଏନେଇ ସୂଚନା ଦେଇଛି ରାଷ୍ଟ୍ରାୟତ୍ତ ଋଷିଆନ ହେଲିକପ୍ଟର୍ସ। କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଆନ୍ଦ୍ରେ ବୋଗିନ୍ସକି କହିଛନ୍ତି ଚୀନ ଏହି ହେଲିକପ୍ଟର ତିଆରି ନିମନ୍ତେ ପଥ ପରିଷ୍କାର କରିଛି। ଏଥିଲାଗି ଋଷିଆନ ହେଲିକପ୍ଟର୍ସ ଟ୍ରାନ୍ସମିଶନ, ଷ୍ଟିୟରିଂ ସ୍କ୍ରିଉ ଓ ଆଣ୍ଟି ଆଇସିଂ ସିଷ୍ଟମ ଯୋଗାଇଦେବ। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହି ପ୍ରକଳ୍ପ ନେଇ ସେ ସମସ୍ତ ସୂଚନା ପ୍ରଦାନ କରିଛନ୍ତି।

ଚୀନର ଆଭିକପ୍ଟର ଓ ଋଷିଆନ ହେଲିକପ୍ଟର୍ସ ମଧ୍ୟରେ ୨୦୧୬ରେ ସ୍ୱାକ୍ଷରିତ ଚୁକ୍ତି ଅନୁସାରେ ଏହି ଅତ୍ୟାଧୁନିକ ହେଲିକପ୍ଟର ନିର୍ମାଣ ନିମନ୍ତେ କ୍ଷେତ୍ର ପ୍ରସ୍ତୁ ହୋଇଛି। ଏହି ହେଲିକପ୍ଟର ନିର୍ମାଣ ହେଲେ ଚୀନ ନିଜ ବରଫାବୃତ୍ତ ସୀମାନ୍ତରେ ଏହାକୁ ମୁତୟନ କରିବ। ଏହା ସହ ସାମରିକ ଭାବେ ଚୀନ ଅଧିକ ଶକ୍ତିଶାଳୀ ହେବ। ଗତ ଜୁନ ୨୫ ତାରିଖରେ ଏହି ଯନ୍ତ୍ରାଂଶ ଯୋଗାଣ ନେଇ ଚୂଡାନ୍ତ କଥାବାର୍ତ୍ତା ସମ୍ପନ୍ନ ହୋଇଥିଲା। କୌଶଳଗତ ଦୃଷ୍ଟିରୁ ଚୀନ ନିଜକୁ ସାମରିକ ବଳରେ କରିବା ଲାଗି ଯୋଜନା ପ୍ରସ୍ତୁତ କରୁଥିବା ଖବର ପେଣ୍ଟାଗନ ପ୍ରକାଶ କରିବା ପରେ ଚର୍ଚ୍ଚା ହୋଇଥିଲା। ବିଶେଷ କରି ଏସୀୟ ପ୍ରଶାନ୍ତ ଅଞ୍ଚଳରେ ଚୀନ ଯେଉଁ ପ୍ରଭାବ ବିସ୍ତାର କରିବା ଲାଗି ଯୋଜନା କରୁଛି ତାହା କ୍ରମଶଃ ସଫଳ ହେବାରେ ଲାଗିଛି।

ଏହା ସହ ପ୍ରାୟ ୩୨୦ଜଣ ଯାତ୍ରୀ ଯାଇପାରୁଥିବା ନ୍ୟୁ ଜେନେରେସନ ଏୟାରବସ୍ ନିର୍ମାଣ କ୍ଷେତ୍ରରେ ଚୀନକୁ ଋଷ ସହଯୋଗ କରିଆସୁଛି। ସେପଟେ ଆମେରିକାର ନୌସେନା ବିମାନ ଓ ଡେଷ୍ଟ୍ରୟରକୁ ଧ୍ୱଂସ କରିବା ଲାଗି ଚୀନ ଯୋଜନା କରୁଥିବା ନେଇ ଉପଗ୍ରହ ଚିତ୍ରରୁ ସନ୍ଧାନ ମିଳିବା ପରେ ଆମେରିକା ଆଶଙ୍କା ପ୍ରକାଶ କରିଛି। ନିଜର ସମସ୍ତ ସାମରିକ ବ୍ୟବସ୍ଥାକୁ ଉନ୍ନୀତ କରିବା ଲାଗି ଚୀନ ଗତ କିଛି ଦିନ ଧରି ଉଦ୍ୟମ ଜାରି ରଖିଛି।

ବିଷାକ୍ତ ହେବାରେ ଲାଗିଛି ଯମୁନା ନଦୀର ଜଳ; ହରିଆଣାକୁ ଦାୟୀ କଲା ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଛଟ୍ ଯାତ୍ରା ଅବସରରେ ଯମୁନା ନଦୀରେ ବିଷାକ୍ତ ରାସାୟନିକ ପଦାର୍ଥ ଏବଂ ଫୋମର ଚିତ୍ର ଆସିବା ପରେ ଦିଲ୍ଲୀ ସରକାରଙ୍କୁ ଯମୁନା ସଫା କରିବାର ଦାବି ଉଠିଛି । ଯେତେବେଳେ ପ୍ରଶ୍ନ ଉଠିଥିଲା ଦିଲ୍ଲୀ ଜଳ ବୋର୍ଡ ଯମୁନା ପ୍ରଦୂଷଣ ମାମଲା ପାଇଁ ଉତ୍ତରପ୍ରଦେଶ ଓ ହରିଆଣା ସରକାରଙ୍କୁ ଦାୟୀ କରିଛି । ଏଥିସହ ଯମୁନାରେ ବିଷାକ୍ତ ରାସାୟନିକ ପଦାର୍ଥର ଚିତ୍ର ମାମଲାରେ ବିଜେପି ଦିଲ୍ଲୀ ସରକାର ଓ ଆମ୍ ଆଦମୀ ପାର୍ଟି ଉପରେ ପ୍ରଶ୍ନ ଉଠାଇଛି ।

ଦିଲ୍ଲୀ ଜଳ ବୋର୍ଡ ଉପାଧ୍ୟକ୍ଷ ରାଘବ ଚଡ୍ଡା କହିଛନ୍ତି କି ୟୁପି ଓ ହରିଆଣା ସରକାର ଯମୁନା ନଦୀରେ ମଇଳା ପାଣି ଛାଡୁଛନ୍ତି । ଏଥିସହ ଦିଲ୍ଲୀ ଜଳ ବୋର୍ଡ ଏହାର ଏସଟିପି କ୍ଷମତା ବୃଦ୍ଧି ଉପରେ ନିରନ୍ତର କାର୍ଯ୍ୟ କରୁଛନ୍ତି । ଯାହାଫଳରେ ଅପରିସ୍କାର ଜଳ ଯମୁନା ନଦୀରେ ଛଡାଯିବ ନାହିଁ । ରାଘବ ଚଡ୍ଡା କହିଛନ୍ତି କି ଓଖୋଲା ବ୍ୟାରେଜ ଉତ୍ତରପ୍ରଦେଶ ସରକାରଙ୍କ ଜଳସେଚନ ବିଭାଗ ମଧ୍ୟରେ କାର୍ଯ୍ୟ କରୁଛି । ତାଙ୍କର ଆରାମଦାୟକ ମନୋଭାବ ହେତୁ ଏହି ପରି ପ୍ରଦୂଷଣ ହେଉଛି ।

ଦିଲ୍ଲୀ ଜଳ ବୋର୍ଡ ଅନୁଯାୟୀ ଯେତେବେଳେ ଫସଫେଟ୍ ପରି ସର୍ଫାକ୍ଟାଣ୍ଟ ଥିବା ଜଳ କାଲିଣ୍ଡି କୁଞ୍ଜର ଉଚ୍ଚତାର ପଡ଼ିଥାଏ । ଯାହା ଫଳରେ ଫୋମ ସୃଷ୍ଟି ହୋଇଥାଏ । ଯାହାଫଳରେ ବହୁ ପରିମାଣରେ ମୁକ୍ତ ହୋଇଥିବା ଫୋମ୍ ଯମୁନା ନଦୀରେ ଭାସୁଛି । ଏହି ଫୋମ୍ ନଦୀରୁ ବାହାର କରିବା ଅତ୍ୟନ୍ତ କଷ୍ଟକର । ଦିଲ୍ଲୀ ଜଳ ବୋର୍ଡ କହିଛନ୍ତି ଯେ ଉତ୍ତରପ୍ରଦେଶର ମେରଟ, ମୁଜାଫରନଗର, ଶାମଲି ଏବଂ ସାହାରନପୁର କାର୍ଯ୍ୟ କରୁଥିବା କାଗଜ ଏବଂ ଚିନି ଶିଳ୍ପଗୁଡିକ ମଧ୍ୟ ଓଖୋଲା ବ୍ୟାରେଜରେ ହିନ୍ଦନ କେନାଲ ଦେଇ କାଲିଣ୍ଡି କୁଞ୍ଜ ନିକଟ ଯମୁନା ନଦୀରେ ଛାଡୁଛନ୍ତି । ଏହି କାରଣରୁ ଫୋମ୍ ସୃଷ୍ଟି ହେଉଛି ଏବଂ ଯମୁନାରେ ଜମା ହେଉଛି । ଏହା ପୂର୍ବରୁ ଦିଲ୍ଲୀ ସରକାରଙ୍କ ତରଫରୁ ଯମୁନାରେ ଆମୋନିଆର ବୃଦ୍ଧି ପାଇଁ ଅନେକ ଥର ଦିଲ୍ଲୀ ଜଳ ବୋର୍ଡ ହରିଆଣା ସରକାରଙ୍କୁ ଦାୟୀ କରିଥିଲେ । ଅନ୍ୟପକ୍ଷରେ ଯମୁନା ନଦୀର ସ୍ବଚ୍ଛତା ସମ୍ପର୍କରେ ଦିଲ୍ଲୀ ସରକାର ପୂର୍ବରୁ ଅନେକ ଦାବି କରିସାରିଛନ୍ତି । ଦିଲ୍ଲୀ ଜଳ ବୋର୍ଡ ଏହାର ଅତ୍ୟାଧୁନିକ ଜଳ ନିଷ୍କାସନ କାରଖାନା ମାଧ୍ୟମରେ ଜଳ ବିଶୋଧନ କରିବା ପାଇଁ ଚେଷ୍ଟା କରୁଛନ୍ତି । ଯମୁନା ନଦୀରେ ବିଶୋଧିତ ଜଳ ଛାଡିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି ।

ବ୍ରାଉନ୍‌ସୁଗର ଡିଲ୍‌ ବେଳେ ରେଡ୍‌ ମାରିଲା STF, ଜବତ ହେଲା କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର

ବାଲେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି ନିଶା କାରବାର। ଦିନକୁ ଦିନ ନିଶା ବେପାରୀଙ୍କର ପ୍ରାଦୁର୍ଭାବ ବଢ଼ିବାକୁ ଲାଗିଛି। ପୋଲିସ ଯେତେ ଚେଷ୍ଟା କଲେ ମଧ୍ୟ ନିଶା କାରବାରକୁ ରୋକିବାକୁ ଅସଫଳ ହେଉଛି। ପୋଲିସ୍‌କୁ ଟାର୍ଗେଟ ଦେଇ ନିଶା ବେପାର କରୁଛନ୍ତି ନିଶା ବେପାରୀ। ବାରମ୍ବାର ଗିରଫ ହେଉଛନ୍ତି ହେଲେ ଜାମିନ୍‌ରେ ବାହାରି କରୁଛନ୍ତି ବେପାର। ଆଉ ଏହି ନିଶା ବେପାରର ଆଡ୍ଡା ପାଲଟିଛି ବାଲେଶ୍ୱର। ଆଜି ପୁଣି ବାଲେଶ୍ଵରରେ କ୍ରାଇମବ୍ରାଞ୍ଚ stf ଚଢ଼ାଉ କରିଛି ବିପୁଳ ପରିମାଣରେ ବ୍ରାଉନସୁଗର ଜବତ କରିଛି।

ସହଦେଵ ଖୁଣ୍ଟା ନୟାବଜାର ହାଟରୁ କେଜିଏ ୫୨ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ବ୍ରାଉନସୁଗର ଜବତ ହେବା ସହ ଦୁଇ ଡ୍ରଗ୍ସ ମାଫିଆ ଗିରଫ ହୋଇଛନ୍ତି।
ତେବେ ବହୁଦିନ ହେବ ପରିବା ମାର୍କେଟରେ ଚାଲିଥିଲା ଧଳାଜହର ଡିଲ। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ହେବ ଏକ କୋଟି ଟଙ୍କାରୁ ଉର୍ଦ୍ଧ। ତେବେ ଏହି ବ୍ରାଉନସୁଗରକୁ ଲାଲଗୁଲାରୁ ଆଣି ବିକୁଥିଲେ ବେପାରୀ।

ବିଜୟ ସହ ଟି-୨୦ରୁ ଅଧିନାୟକ ପଦ ଛାଡିଲେ ବିରାଟ; ଭାବବିହ୍ବଳ ହେଲେ ପ୍ରଶଂସକ

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଗତକାଲି ଶେଷ ହୋଇଛି ଭାରତର ଅଭିଯାନ । ଗତକାଲି ଭାରତ ନାମିବ୍ୟା ସହ ଖେଳିଥିଲା ଏହି ମ୍ୟାଚ । ଏଥିସହ ବିରାଟ କୋହଲି ମଧ୍ୟ ଗତକାଲି କ୍ୟାପେଟନ ହିସାବରେ ଶେଷ ମ୍ୟାଚ ଖେଳିଥିଲେ । ତେବେ କ୍ୟାପଟେନ ହିସାବରେ ଶେଷ ମ୍ୟାଚରେ ବିଜୟ ଲାଭ କରିଥିଲେ କୋହଲି । ଯଦିଓ ଭାରତ ଚଳିତ ବିଶ୍ବକପର ସେମିଫାଇନାଲ ରେସରୁ ବାହାରି ଯାଇଛି କିନ୍ତୁ ବିରାଟଙ୍କ ଶେଷ ମ୍ୟାଚ ତାଙ୍କ ପ୍ରଶଂସକ ଭାବବିହ୍ବଳ ହୋଇଯାଇଥିଲେ ।

ନାମିବ୍ୟାବିପକ୍ଷରେ ଦମଦାର ବିଜୟ ପରେ ବିରାଟ କହିଛନ୍ତି କି ଟାଇମ୍ ମ୍ୟାନେଜମେଣ୍ଟ ପାଇଁ ଉପଯୁକ୍ତ ସମୟ ଆସିଛି । ଗତ ୬-୭ ବର୍ଷ ମଧ୍ୟରେ ଆମେ ଭଲ କାମ କରିଛୁ । ଯଦିଓ ଆମେ ଏହି ବିଶ୍ବକପ ଜିତି ପାରିନାହୁଁ, କିନ୍ତୁ ଦଳ ବହୁତ ଭଲ କାମ କରିଛନ୍ତି ଓ ପରସ୍ପରକୁ ସମର୍ଥନ କରିଛନ୍ତି । ଯେପରି ଭାବରେ ଆମେ ଶେଷ ତିନି ମ୍ୟାଚ ଖେଳିଥିଲୁ ତାହା ବହୁତ ଶାନଦାର ଥିଲା । ବିରାଟ କୋହଲି କହିଛନ୍ତି କି ପ୍ରଥମ ଦୁଇଟି ମ୍ୟାଚରେ ଆମେ ଭଲ ପ୍ରଦର୍ଶନ କରିପାରିନଥିଲୁ । ଯେଉଁଥି ପାଇଁ ଆମ ପାଇଁ ସେମିଫାଇନାଲ ରେସ୍ ଯିବା ପାଇଁ କଷ୍ଟସାଧ୍ୟ ହୋଇଥିଲା । ରବି ଶାସ୍ତ୍ରୀଙ୍କ ସହ ଅନ୍ୟ କୋଚିଂ ଷ୍ଟାଫ୍ ଦମଦାର କାମ କରିଛନ୍ତି । ସେ ଆମର ପରିବାରର ଏକ ବଡ଼ ଅଂଶ । ଯେଉଁମାନେ ସର୍ବଦା ଏକାଠି ରହୁଛନ୍ତି ବୋଲି କହିଛନ୍ତି ବିରାଟ କୋହଲି ।

ଚଳିତ ଟି-୨୦ ବିଶ୍ବକପରେ ଭାରତ ତା’ର ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ଲାଭ କରିଥିଲା । ଯାହାଫଳରେ ଭାରତ ଚଳିତ ବିଶ୍ବକପରେ ସେମିଫାଇନାଲ ରେସରେ ଏକ ପ୍ରକାର ବାହାର ହୋଇଯାଇଥିଲା । ଏଥିସହ ବିଶ୍ବକପରେ ପାକିସ୍ତାନଠାରୁ ପରାଜୟ ବରଣ କରିବାରେ ବିରାଟ କୋହଲି ହେଉଛନ୍ତି ପ୍ରଥମ ଅଧିନାୟକ । ବିରାଟ କୋହଲି କେବଳ ବର୍ତ୍ତମାନ କ୍ରିକେଟରେ ଜଣେ ବରିଷ୍ଠ ବ୍ୟାଟ୍ସମ୍ୟାନ ନୁହଁନ୍ତି କ୍ରିକେଟ ଇତିହାସରେ ଜଣେ ବରିଷ୍ଠ ବ୍ୟାଟ୍ସମ୍ୟାନ ଅଟନ୍ତି । ଗତ ୬-୭ ବର୍ଷ ଧରି ବିରାଟ କୋହଲି ସବୁ ଫର୍ମାଟରେ ଭାରତର ଅଧିନାୟକତ୍ବ କରିଆସୁଛନ୍ତି । ତେବେ ଗତକାଲି ବିରାଟ ଅଧିନାୟକ ଭାବରେ ଶେଷ ମ୍ୟାଚରେ ବିଜୟ ପରେ ସମସ୍ତେ ଭାବ ବିହ୍ବଳ ହୋଇଯାଇଥିଲେ । ସୋସିଆଲ ମିଡିଆରେ ପ୍ରଶଂସକ ବିରାଟଙ୍କୁ ବିଦାୟ ମଧ୍ୟ ଦେଇଥିଲେ ।

ଆଜି ନବୀନ ପଟ୍ଟନାୟକ ଓ ଜଗନମୋହନ ରେଡ୍ଡୀଙ୍କ ମଧ୍ୟରେ ବୈଠକ, ସମାଧାନ ହୋଇପାରେ ସୀମା ବିବାଦ

ଭୁବନେଶ୍ୱର: ଆଜି ଏକାଠି ବସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ। ଅପରାହ୍ନ ୪ଟା ୩୦ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ। ଅପରାହ୍ନ ୫ଟା ୫୦ରେ ଦୁଇ ରାଜ୍ୟ ମୁଖିଆଙ୍କ ମଧ୍ୟରେ ହେବ ଆଲୋଚନା। ଲୋକସେବା କନଭେନସନ ସେଣ୍ଟରରେ ବୈଠକ ବସିବ। ଉଭୟଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ ଆଲୋଚନା ହେବ। ସନ୍ଧ୍ୟା ୭ଟାରେ ଜଗନ ରେଡ୍ଡୀ ଆନ୍ଧ୍ର ଫେରିଯିବେ। ଦୁଇ ରାଜ୍ୟ ମଧ୍ୟରେ ସୀମା ଓ ପୋଲାଭରାମ ପ୍ରକଳ୍ପକୁ ନେଇ ରହିଥିବା ବିବାଦ ଉପରେ ଆଲୋଚନା ହୋଇପାରେ।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ସହ ଆଲୋଚନାରେ ଏହାକୁ ମୁଖ୍ୟ ପ୍ରସଙ୍ଗ କରିବ ରାଜ୍ୟ। ଏହାସହ ଦୀର୍ଘଦିନ ଧରି ଚାଲିଥିବା ପୋଲାଭରମ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇ ସମାଧାନର ବାଟ କଢାଯିବ। କଂଗ୍ରେସ ବିଜେଡିର ଦାବିକୁ ସମର୍ଥନ ଜଣାଇଛି। ଦୁଇ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ପାଇଁ ବ୍ୟାପକ ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।