ଚିତ୍ତରଞ୍ଜନଙ୍କ ମୃତ୍ୟୁରୁ ପରଦା ହଟାଇବ କ୍ରାଇମବ୍ରାଞ୍ଚ

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ସାନବନ୍ଧକେରାର ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ମୃତ୍ୟୁ ରହସ୍ୟରୁ ଉଠାଇବ ପରଦା । ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିଜ ଡିଜି ଅଭୟ । ପୁରୀ ଗଡମୃଗଶିରା ବ୍ରିଜ୍ ନିକଟ ନୂଆନଈ ପଠାରୁ ଚିତ୍ତରଞ୍ଜନଙ୍କ ମୃତଦେହ ଉଦ୍ଧାରକୁ ୨୪ ଘଣ୍ଟା ବିତିଥିବା ବେଳେ ପୋଲିସ ହାତ ଖାଲି ରହିଛି । ଘଟଣାରେ ସହଯୋଗୀ ଜଗନ୍ନାଥ ଷଡ଼ଙ୍ଗୀଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଶନିବାର ରାତିରେ ସାଙ୍ଗ ଜଗନ୍ନାଥଙ୍କ ସହ ଭୋଜି କରିବାକୁ ଯାଇ ଆଉ ଫେରିନଥିଲେ ଚିତ୍ତରଞ୍ଜନ । ରବିବାର ଗଡମୃଗଶିରା ବ୍ରିଜ୍ ନିକଟରେ ରକ୍ତଛିଟା ଓ ତାଙ୍କ ଜୋତା, ମୋବାଇଲ ପଡିଥିବା ଦେଖି ପୋଲିସର ସନ୍ଦେହ ବଢ଼ିଥିଲା । ସୋମବାର ସକାଳୁ ନୂଆନଈରୁ ଉଦ୍ଧାର ହୋଇଥିଲା ଚିତ୍ତରଞ୍ଜନଙ୍କ ମୃତଦେହ ।

କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ସଠିକ ତଦନ୍ତ ସହ ପରିବାରକୁ ନ୍ୟାୟ ମିଲିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଗତକାଲି ପରିବାର ସଦସ୍ୟଙ୍କ ସହ ପୁରୀ ଏସପିଙ୍କୁ ଭେଟି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ।

Leave a Reply