ଡୁଆଲ୍ ମୋଡ୍ ବସ୍: ରାସ୍ତା ସହ ଟ୍ରେନ୍ ଲାଇନରେ ବି ଚାଲିବ

1 min read

ଟୋକିଓ: ବିଶ୍ବର ପ୍ରଥମ ଡୁଆଲ ମୋଡ୍ ବସ୍ ଓ ଟ୍ରେନ ସେବା ବଡ଼ଦିନରୁ ଜାପାନରେ ଆରମ୍ଭ ହେବାକୁ ଯାଉଛି । ଡୁଆଲ ମୋଡ୍ ବିଶିଷ୍ଟ ଏହି ବାହାନ ପିଚୁ ରାସ୍ତା ସହ ଟ୍ରେନ୍ ଲାଇନରେ ମଧ୍ୟ ଗଡି ପାରିବ । ଜାପାନା ସିକୋକୁରେ ଏହା ଆରମ୍ଭ ହେବାକୁ ଯାଉଛି ।

ଟୋକୁସିମା ପ୍ରାନ୍ତ ପକ୍ଷରୁ କୁହାଯାଇଛି, ଡିସେମ୍ବର ୨୫ ବଡଦିନଠାରୁ ଏହି ଡୁଆଲ ସେବା ଆରମ୍ଭ ହୋଇଯିବ । ପରିବହନ, ଭିତ୍ତିଭୂମି ଓ ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ ସୁରକ୍ଷା କ୍ଲିୟରାନ୍ସ ମିଳି ସାରିଛି । ୫୦ କିମିର ଏହି ଡୁଆଲ ବସ୍ ଓ ଟ୍ରେନ୍ ସେବା ଟୋକୁସୀମା ପାନ୍ତର କାୟାରୁ କୋଚି ପ୍ରାନ୍ତର ମୁରୋଟୋକୁ ଚାଲିବ ।

ଏହି ଡୁଆଲ ସେବାରେ ୧୦ କିମି ଟ୍ରେନ୍ ଲାଇନ୍ ରହିଥିବା ବେଳେ ୪୦ କିମି ସଡ଼କ ପଥ ରହିଛି । ଅର୍ଥାତ ବସଟି ୧୦ କିମି ଟ୍ରେନ୍ ଲାଇନରେ ଚାଲିବ । ୩ଟି ବସକୁ ନେଇ ଆରମ୍ଭ ହେଉଛି ଏହି ନୂଆ ଡୁଆଲ ବସ୍ ଓ ଟ୍ରେନ ସେବା । ପ୍ରତି ବସରେ ୨୩ ଜଣ ଯାତ୍ରୀ ଯିବାର ବ୍ୟବସ୍ଥା ରହିଛି ।

ଡିଜେଲ ଚାଳିତ ଏହି ବସରେ ଉଭୟ ସଡ଼କ ପଥ ଓ ଟ୍ରେନ୍ ଲାଇନ ପାଇଁ ଚକା ଫିଟ କରାଯାଇଛି । ସଡ଼କ ପଥରୁ ଏହା ଟ୍ରେନ୍ ଲାଇନକୁ ଯିବା ପରେ ଚକ ବଦଳାଇବାକୁ ମାତ୍ର ୧୫ ସେକେଣ୍ଡ ସମୟ ଲାଗିଥାଏ ।

ଜାପାନର ଆସା ସି-ସାଇଡ ରେଲଓ୍ବେ ସହ ୩୫ ପ୍ରତିଶତ ଭାଗିଦାରୀ ଥିବା ଟୋକୁସୀମା ପ୍ରାନ୍ତ ସରକାରଙ୍କ ତରଫରୁ କୁହାଯାଇଛି, ‘ଏହି ଡୁଆଲ ବସ୍ ଓ ଟ୍ରେନ୍ ସେବା ସ୍ଥାନୀୟ ଲୋକଙ୍କ ଅର୍ଥିକ ସ୍ଥିତିକୁ ସୁଧାରିବ । କରୋନା ମହାମାରୀ କାରଣରୁ ବିଗିଡ଼ି ଯାଇଥିବା ଅର୍ଥନୀତିକଚ ଏହା ବଳ ଦେବ ।’

ଟ୍ରେନଠାରୁ ବହୁତ ହାଲକା ଏହି ଡୁଆଲ ବସ୍ ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇପାରିବ । ଏଥିରେ କମ ଡିଜେଲ ବ୍ୟବହାର ହେଉଥିବା ବେଳେ ଏହାର ରକ୍ଷଣାବେକ୍ଷଣା ସହଜ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।

Leave a Reply