spot_img
Home Blog Page 4916

ବଦଳୁଛି ପାଣିପାଗ, ଗୋଟିଏ ସମୟରେ ଦୁଇ ଦୁଇଟି ଲଘୁଚାପ

ନୂଆଦିଲ୍ଲୀ: କାର୍ତ୍ତିକରେ ଶୀତ ବଦଳରେ ହେଉଛି ବର୍ଷା । ଜଳବାୟୁରେ ଅସ୍ୱଭାବିକ ପରିବର୍ତ୍ତନ ଯୋଗୁଁ ବଦଳୁଛି ପାଣିପାଗ । ଦେଶରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ବର୍ଷା କମୁନି । ଗୋଟିଏ ସମୟରେ ଆରବ ସାଗର ଓ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଦୁଇ ଦୁଇଟି ଲଘୁଚାପ କ୍ଷେତ୍ର । ଯାହା ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ସହ ପୁଡୁଚେରୀ, କର୍ଣ୍ଣାଟକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ବାରଣ କରିଛି ଭାରତୀୟ ପାଣିପାଗ ବିଭାଗ ।

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଆଡ଼କୁ ଗତି କରି ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ରହିଛି । ଏହା କ୍ରମଶଃ ପଶ୍ଚିମକୁ ଗତି କରି ପଶ୍ଚିମ କେନ୍ଦ୍ରୀୟ ଓ ତତସଂଲଗ୍ନ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରର ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଓ ଉତ୍ତର ତାମିଲନାଡ଼ୁ ଉପକୂଳରେ ୧୮ ତାରିଖରେ ପହଞ୍ଚିବ ।

ସେହିଭଳି ଆଉ ଏକ ଲଘୁଚାପ ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପୂର୍ବ ଆରବ ସାଗରର କର୍ଣ୍ଣାଟକ-ଉତ୍ତର କେରଳ ଉପକୂଳରେ ସୃଷ୍ଟି ହୋଇଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ଘନୀଭୂତ ହେବ । ଏହାର ପ୍ରଭାବରେ ୧୮ ତାରିଖ ଯାଏଁ ବର୍ଷା ଲାଗି ରହିବ । ୧୬ ତାରିଖରେ କେରଳ ସହ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ଦକ୍ଷିଣ କୋଙ୍କଣ, ଗୋଆରେ ବର୍ଷା ହେବ ।

୧୭ ତାରିଖରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ସହ ଉତ୍ତର ତାମିନଲାଡ଼ୁ ଉପକୂଳରେ ପ୍ରବଳ ବର୍ଷା ହୋଇପାରେ । ୧୮ ତାରିଖରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ସହ ଉତ୍ତର ତାମିନଲାଡ଼ୁ ଉପକୂଳରେ ପ୍ରବଳ ବର୍ଷା ହୋଇପାରେ । ଏହି ସମୟରେ ବଙ୍ଗୋପସାଗର, ଆଣ୍ଡାମାନ ସାଗର, ଆରବ ସାଗର ଅଶାନ୍ତ ରହିବ । ୧୮ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ବଙ୍ଗୋପସାଗର ଓ ଆରବ ସାଗରକୁ ଯିବାକୁ ବାରଣ କରାଯାଇଛି ।

ରାବଣଙ୍କ ପୁଷ୍ପକ ବିମାନର ସତ ଖୋଜିବ ଶ୍ରୀଲଙ୍କା, ଭାରତର ସହଯୋଗ ଲୋଡ଼ିଲା

କଲୋମ୍ୱ: ରାବଣଙ୍କ ବିମାନ ଲାଗି ଆରମ୍ଭ ହେଲା ଗବେଷଣା । ରାବଣଙ୍କ ବିମାନ ସତରେ ଥିଲା କି ନାହିଁ, ବର୍ଣ୍ଣିତ ବିମାନବନ୍ଦର ସତ ନା ମିଥ୍ୟା ଏହା ଜାଣିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି ଶ୍ରୀଲଙ୍କା ସରକାର । ରାବଣଙ୍କ ପୁଷ୍ପକ ବିମାନ ନେଇ ବହୁ ପୁରାଣ, ଶାସ୍ତ୍ର, ପୁସ୍ତକରେ ଲିପିବଦ୍ଧ ରହିଥିବାବେଳେ ଏହାର ବୈଜ୍ଞାନିକ ପ୍ରମାଣ ଯୋଗାଡ କରିବା ଲାଗି ପଦକ୍ଷେପ ନିଆଯାଇଛି । ଉକ୍ତ ପ୍ରକଳ୍ପରେ ସହଯୋଗ କରିବା ଲାଗି ମଧ୍ୟ ଭାରତକୁ ଅନୁରୋଧ କରାଯାଇଛି । ଏହି ତଥ୍ୟ ସମ୍ପର୍କରେ ଅଧିକ ଗବେଷଣା ଲାଗି ଦୁଇ ବର୍ଷ ତଳେ କଲମ୍ବୋରେ ବେସାମରିକ ବିମାନ ବିଶେଷଜ୍ଞ, ପ୍ରତ୍ନତତ୍ତ୍ବବିତ୍, ଭୂତତ୍ତ୍ବବିତ ଓ ଐତିହାସିକମାନଙ୍କ ଏକ ବୈଠକ ବସିଥିଲା ।

ବୈଠକରେ ଏହା ବି ପ୍ରମାଣସିଦ୍ଧ ହୋଇଥିଲା ଯେ ରାବଣ ପ୍ରଥମେ ତାଙ୍କ ବିମାନରେ ଶ୍ରୀଲଙ୍କାରୁ ଭାରତ ଆସିଥିଲେ ଏବଂ ପରେ ଫେରିଯାଇଥିଲେ । ବୈଠକ ପରେ ଏହି ଗବେଷଣା ପ୍ରକଳ୍ପ ଲାଗି ସରକାର ୫୦ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ । ତେବେ କୋଭିଡ ଯୋଗୁ ଏହି ଗବେଷଣା ବନ୍ଦ ଥିଲା । ଏବେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀଲଙ୍କା ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ପୂର୍ବତନ ଉପାଧ୍ୟକ୍ଷ ଶଶୀ ଦାନୁତୁଙ୍ଗେ କହିଛନ୍ତି ଗବେଷଣା ପରେ ସତ ପଦାକୁ ଆସିବ ।

ପ୍ରଖ୍ୟାତ ଗବେଷକ ସୁନୀଳ ଜୟବର୍ଦ୍ଧନେ କହିଛନ୍ତି ମୌର୍ଯ୍ୟାଙ୍ଗ ରାଜତ୍ବ କାଳରେ ଅର୍ଥାତ ରାବଣଙ୍କ ସମୟରେ ବିମାନ ଥିଲା ଏବଂ ବିମାନ ବନ୍ଦର ମଧ୍ୟ ଥିଲା । ଏପରିକି ଗ୍ଲାଇଡର ମଧ୍ୟ ସେମାନଙ୍କ ନିକଟରେ ଥିଲା । ବର୍ତ୍ତମାନ ବି ଶ୍ରୀଲଙ୍ଗାରେ ଥୋଟୁପୋଲାକନ୍ଧା, ଉଷାନଗୋଡା, ଓ୍ବେରାଙ୍ଗଥୋଟା, ରୁମାସାଲା ଓ ଲେକଗାଲା ନାମକ ଜାଗା ରହିଛି ଯେଉଁଠାରେ ବିମାନ ଅବତରଣ ଲାଗି ବ୍ୟବସ୍ଥା ଥିଲା ବୋଲି ସେ କହିଛନ୍ତି । ଶ୍ରୀଲଙ୍କା ସରକାର ରାବଣଙ୍କ ନାମରେ ଏକ ଉପଗ୍ରହ ବି ମହାକାଶକୁ ପଠାଇଛନ୍ତି ।

ଏଥିସହିତ ପଢ଼ନ୍ତୁ:ବାୟୁ ପ୍ରଦୂଷଣରେ ଏକ ବର୍ଷରେ ୩ ଲକ୍ଷ ଲୋକଙ୍କ ମୃତ୍ୟୁ: ୟୁରୋପ ପର୍ଯ୍ୟାବରଣ ଏଜେନ୍ସି

 

ରାକ୍ଷୀ କାହାକୁ କହିଲେ ‘ଦେଶ କି ଗଦ୍ଦାର ହେ ଦିଦି ?

ମୁମ୍ବାଇ : କଙ୍ଗନାଙ୍କ ବିବାଦ ଥମିବାର ନାଁ ଧରୁନି । ସେ କହିଥିବା ମନ୍ତବ୍ୟକୁ ନେଇ ଦିନକୁ ଦିନ ବଢ଼ିଚାଲିଛି କଣ୍ଟ୍ରୋଭର୍ସି । ଏବେ ବଲିଉଡର ରାକ୍ଷୀ ସାୱନ୍ତ କଙ୍ଗନାଙ୍କୁ ନେଇ ନିଜ ମତ ରଖିଛନ୍ତି । ଗତ କିଛି ଦିନ ତଳେ ଏକ ସାକ୍ଷାତକାରରେ କଙ୍ଗନା କହିଥିବା ମନ୍ତବ୍ୟ ବିବାଦରେ ପରିଣତ ହୋଇଥିଲା । ସେ କହିଥିଲେ ଆମେ ଯେଉଁ ସ୍ୱାଧୀନତା ପାଇଥିଲୁ ତାହା ଆମକୁ ଭିକରେ ମିଳିଥିଲା । ପ୍ରକୃତ ସ୍ୱାଧୀନତା ଆମକୁ ୨୦୧୪ ମୋଦିଙ୍କ ଆସିବା ପରେ ପ୍ରାପ୍ତି ହେଲା । ଯାହାକୁ ଅନେକ ମନ୍ତ୍ରୀ, ନେତା ଟ୍ରୋଲ କରିଥିବା ବେଳେ ଏବେ ରାକ୍ଷୀ ସାୱନ୍ତ ଟ୍ରୋଲ କରିଛନ୍ତି ।

କଙ୍ଗନାଙ୍କର ଏହି ସାକ୍ଷାତକାରର ଭିଡିଓ ରାକ୍ଷୀ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଯେଉଁଥିରେ କଙ୍ଗନା କଥା କହୁଥିବାର ଦେଖାଯାଉଛି ସତ ମାତ୍ର, ଏଥିରେ କୁକୁର ଭୋକିବାର ମ୍ୟୁଜିକ୍ ଯୋଡ଼ାଯାଇଛି । ଅର୍ଥାତ୍ ରାକ୍ଷୀଙ୍କ ମତରେ କଙ୍ଗନା କହୁଥିବା କଥା କୁକୁର ଭୁକିବା ସଙ୍ଗେ ସମାନ । କେବଳ ଏତିକି ନୁହେଁ ଏହି ଭିଡିଓରେ ସେ ଲେଖିଛନ୍ତି ‘ଦେଶ କି ଗର୍ଦ୍ଦାର ହେ ଦିଦି’ । କଙ୍ଗନାଙ୍କୁ ନେଇ ରାକ୍ଷୀଙ୍କର ଏଭଳି ପୋଷ୍ଟକୁ ଫ୍ୟାନ୍ସମାନେ ପସନ୍ଦ କରିବା ସହ କଙ୍ଗନାଙ୍କ ବିରୁଦ୍ଧରେ କମେଣ୍ଟ କରିଥିବା ବେଳେ ଅନ୍ୟ କେତେକ ୟୁଜର୍ସ ଏଭଳି ପୋଷ୍ଟକୁ ବିରୋଧ କରିଛନ୍ତି । ସେପଟେ କଙ୍ଗନା ନିଜେ କହିଥିବା ମନ୍ତବ୍ୟକୁ ନେଇ କହିଛନ୍ତିଯେ ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅସମ୍ମାନ କରିବାର ମୋର କୈାଣସି ଉଦ୍ଦେଶ୍ୟ ନଥିଲା ।

 

 

 

 

 

ପୁଣି ବିବାଦରେ ପାକିସ୍ତାନ; ବାଂଲାଦେଶରେ ନିଜ ଜାତୀୟ ପତାକା ଲଗାଇଲା ପାକିସ୍ତାନ କ୍ରିକେଟ ଟିମ୍

ଢ଼ାକା: ପୁଣି ବିବାଦରେ ପାକିସ୍ତାନ କ୍ରିକେଟ ଟିମ୍ ।  ଚଳିତ ଥର  କ୍ରିକେଟ ପାଇଁ  ବିବାଦରେ ପଡ଼ିନାହିଁ ବରଂ ପତାକା ପାଇଁ ବିବାଦରେ ପାକିସ୍ତାନ କ୍ରିକେଟ ଟିମ୍ । ଆସନ୍ତା ନଭେମ୍ବର ୧୯ରେ ହେବାକୁ ଥିବା ଟି-୨୦ ସିରିଜ୍ ପୂର୍ବରୁ ପ୍ରାକ୍ଟିସ ସମୟରେ ଜାତୀୟ ପତାକା ପଡ଼ିଆରେ ଲଗାଇ ଅଡୁଆରେ ପାକିସ୍ତାନ କ୍ରିକେଟ ଟିମ୍ । ଚଳିତ ଟି-୨୦ ବିଶ୍ବକପର ସେମିଫାଇନାଲରେ ପରାଜୟ ବରଣ ଫଳରେ ବିଶ୍ବକପରରୁ ନିଜର ଅଭିଯାନ ଶେଷ କରିଥିଲା ପାକିସ୍ତାନ । ସେମିଫାଇନାଲରୁ ବାହାରିବା ପରେ ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ ଖେଳିବା ପାଇଁ ବାଂଲାଦେଶରେ ପହଞ୍ଚିଛି ପାକିସ୍ତାନ ।  ଆସନ୍ତା ନଭେମ୍ବର ୧୯ରୁ ଆରମ୍ଭ ହେବ ଏହି ତିନି ଟିକିଆ ଟି-୨୦ ସିରିଜ୍ । ତେବେ ଏହି ସିରିଜ ପୂର୍ବରୁ ବିବାଦରେ ପଡ଼ିଛି ପାକିସ୍ତାନ । ମ୍ୟାଚ ପୂର୍ବରୁ ପାକିସ୍ତାନ କ୍ରିକେଟ ଟିମ୍ ବାଂଲାଦେଶ କ୍ରିକେଟ ଗ୍ରାଉଣ୍ଡରେ ପ୍ରାକ୍ଟିସ୍ କରୁଥିବା ସମୟର ଫଟୋ ସୋସିଆଲ ମିଡିଆରେ ଛାଡିଥିଲେ । ସେହି ଫଟୋରେ ଦେଖାଯାଇଥିଲା କି ପାକିସ୍ତାନ ପ୍ରାକ୍ଟିସ୍ ସମୟରେ ପାକିସ୍ତାନ ଜାତୀୟ ପତାକା ପଡ଼ିଆରେ ଲଗାଇଥିଲା । ଯାହାକୁ ନେଇ ଅଡୁଆରେ ପଡ଼ିଛି ପାକିସ୍ତାନ । ପାକିସ୍ତାନର ଏପରି କାର୍ଯ୍ୟକୁ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା କରିଛନ୍ତି ବାଂଲାଦେଶ ଫ୍ୟାନ । ପାକିସ୍ତାନ କ୍ରିକେଟ ଟିମ୍ର ଏପରି କାର୍ଯ୍ୟକୁ ଦେଖି ବାଂଲାଦେଶ ଫ୍ୟାନ ଏହାକୁ ତୀବ୍ର ବିରୋଧ କରିଛନ୍ତି ।

ପାକିସ୍ତାନ ଏହି ଫଟୋ ସେୟାର କରିବା ପରେ ବାଂଲାଦେଶ ଫ୍ୟାନମାନେ କହିଛନ୍ତି କି ଏପରି ଅନ୍ୟ ଏକ ଦେଶକୁ ଆସି ନିଜ ଜାତୀୟ ପତାକା ଲଗାଇବା ଭୁଲ ଅଟେ । ଅନ୍ୟପକ୍ଷରେ ଆଉ କିଛି ଫ୍ୟାନ କହିଛନ୍ତି କି ପାକିସ୍ତାନ ଟିମକୁ ତୁରନ୍ତ ଫେରିଯିବା ଦରକାର । ଆଉ କିଛି ଉପଭୋକ୍ତା ଲେଖିଛନ୍ତି କି ବାଂଲାଦେଶକୁ ବହୁ ଦେଶ କ୍ରିକେଟ ଖେଳିବା ପାଇଁ ଆସିଛନ୍ତି କିନ୍ତୁ ଏମିତି କେହି ନିଜ ଦେଶର ଜାତୀୟ ପତାକା ଏଠାରେ ରଖିନଥିଲେ । ତେବେ ପାକିସ୍ତାନ ଏହା କାହିଁକି କରିଛି ବୋଲି କିଛି ଉପଭୋକ୍ତା ପ୍ରଶ୍ନ କରିଛନ୍ତି ।

ବାୟୁ ପ୍ରଦୂଷଣରେ ଏକ ବର୍ଷରେ ୩ ଲକ୍ଷ ଲୋକଙ୍କ ମୃତ୍ୟୁ: ୟୁରୋପ ପର୍ଯ୍ୟାବରଣ ଏଜେନ୍ସି

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଏବେ ଖାଲି ଭାରତ ପାଇଁ ନୁହେଁ ବିଶ୍ବର ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ବାୟୁ ପ୍ରଦୂଷଣ ମାତ୍ରାକୁ କିପରି କମ୍ କରାଯାଇପାରିବ ସେଥିପାଇଁ ଭାରତ ସହ ଦୁନିଆର ଅନେକ ଦେଶ ଚେଷ୍ଟା କରୁଛନ୍ତି । ତେବେ ଏହି ସମୟରେ ୟୁରୋପୀୟ ପର୍ଯ୍ୟାବରଣ ଏଜେନ୍ସି କହିଛି କି ସୂକ୍ଷ୍ମ କଣିକା ବାୟୁ ପ୍ରଦୂଷଣ ହେତୁ ଅକାଳ ମୃତ୍ୟୁ ୟୁରୋପରେ ପ୍ରାୟ ୧୦ ପ୍ରତିଶତ ହ୍ରାସ ପାଇଛି । କିନ୍ତୁ ଏବେ ବି ୩ ଲକ୍ଷ ୭ ହଜାର ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ ବାୟୁ ପ୍ରଦୂଷଣ । ଜାତିସଂଘ ଅନୁଯାୟୀ ବାୟୁ ପ୍ରଦୂଷଣ ସାରା ବିଶ୍ବରେ ୭୦ ଲକ୍ଷ ଅକଳ ମୃତ୍ୟୁ ପାଇଁ ଦାୟୀ ହୋଇଥାଏ ।

ୟୁରୋପୀୟ ପର୍ଯ୍ୟାବରଣ ଏଜେନ୍ସୀର ରିପୋର୍ଟ ଅନୁସାରେ ଯଦି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବାୟୁ ଗୁଣବତ୍ତା ନିୟମକୁ ୟୁରୋପୀୟ ସଂଘର ସଦସ୍ୟଙ୍କ ଦ୍ବାରା ପାଳନ କରାଯାଏ ତେବେ ୨୦୧୯ ମସିହାରେ ବାୟୁ ପ୍ରଦୂଷଣ କାରଣରୁ ହୋଇଥିବା ମୃତ୍ୟୁ ସଂଖ୍ୟା ଅଧା ହୋଇଯିବ । ଏକ ରିପୋର୍ଟ ଅନୁସାରେ ୧୯୯୦ ଦଶକର ପ୍ରାରମ୍ଭରେ ବାୟୁରୁ ସୂକ୍ଷ୍ମ କଣା ଯାହା ଫୁସଫୁସରେ ପ୍ରବେଶ କରିଥିଲା, ସେଥିପାଇଁ ୨୭ଟି ୟୁରୋପୀୟ ଦେଶରେ ଏକ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ହୋଇଥିଲା ।

୨୦୧୯ ଫାଇନ ପାର୍ଟିକୁଲେଟ ମିଟରର ରିପୋର୍ଟ ଅନୁସାରେ ବାୟୁରେ ସୂକ୍ଷ୍ମ କଣା କାରଣରୁ ଜର୍ମାନୀରେ ୫୩ ହଜାର ୮୦୦, ଇଟଲୀରେ ୪୯ ହଜାରା ୯୦୦, ଫ୍ରାନ୍ସରେ ୨୯ ହଜାର ୮୦୦ ଏବଂ ସ୍ପେନରେ ୨୩ ହଜାର ୩୦୦ ଲୋକଙ୍କ ଅକାଳରେ ମୃତ୍ୟୁ ହେଉଛି । ସେହିପରି ଭାବରେ ପୋଲାଣ୍ଡରେ ୩୯ ହଜାର ୩୦୦ ଲୋକଙ୍କ ମୃତ୍ୟୁ ହେଉଛି । ରିପୋର୍ଟ ଅନୁଯାୟୀ ନାଇଟ୍ରୋଜେନ ଡାଇଅକ୍ସାଇଡରେ ହେଉଥିବା ମୃତ୍ୟୁ ସାଧାରଣତଃ କାର, ଟ୍ରକ, ତାପଜ ବିଦ୍ୟୁତ କେନ୍ଦ୍ରରୁ ମୃତ୍ୟୁ ଏକ ଚତୁର୍ଥାଂଶ ୪୦ ହଜାର ପର୍ଯ୍ୟନ୍ତ କମି ଯାଇଛି । ୨୦୧୯ରେ ଓଜୋନ ସମ୍ବନ୍ଧୀୟ ମୃତ୍ୟୁ ୧୩ ପ୍ରତିଶତ କମିଯାଇଛି । ଏହି ଏଜେନ୍ସି କହିଛି କି ବାୟୁ ପ୍ରଦୂଷଣ ୟୁରୋପ ମାନବ ସ୍ବାସ୍ଥ୍ୟ ପାଇଁ ସବୁଠାରୁ ବଡ଼ ବିପଦ ।

ସୂଚନା ଅନୁସାରେ ବାୟୁ ପ୍ରଦୂଷଣରେ ହୃଦରୋଗ, ଷ୍ଟ୍ରୋକ ଏବଂ କର୍କଟ ସମେତ ଫୁସଫୁସ ରୋଗରେ ସମୟ ପୂର୍ବରୁ ମୃତ୍ୟୁ ବରଣ କରୁଛନ୍ତି । ବାୟୁ ପ୍ରଦୂଷଣ ଫଳରେ ପିଲାମାନଙ୍କର ଫୁସଫୁସ ବିକାଶରେ ବାଧା ହୋଇପାରେ ଏବଂ ଶାସ୍ବକ୍ରିୟା ଓ ଆସ୍ଥମା ବୃଦ୍ଧି ହୋଇପାରେ । ତେବେ ବାୟୁ ପ୍ରଦୂଷଣର ସ୍ଥିତି ଏବେ ସୁଧାର ଆସିଛି । କିନ୍ତୁ ସ୍ଥିତି ଏବେବି ଚିନ୍ତାଜନକ ରହିଛି । ୟୁରେପୀୟ ସଂଘ ବାୟୁ ପ୍ରଦୂଷଣ ଫଳରେ ହେଉଥିବା ମୃତ୍ୟୁ ୨୦୦୫ ତୁଳନାରେ ୨୦୩୦ରେ ୫୫ ପ୍ରତିଶତ କମ୍ କରିବ ପାଇଁ ଚେଷ୍ଟା କରୁଛି । ତେବେ ବର୍ତ୍ତମାନ ସ୍ଥିତିରେ ଯେଉଁଭଳି ଭାବରେ ବାୟୁ ପ୍ରଦୂଷଣ କମୁଛି ଯଦି ସେହିପରି ଭାବରେ କମେ ତେବେ ୨୦୩୨ ସୁଦ୍ଧା ଆମେ ଆମ ଲକ୍ଷ୍ୟରେ ପହଞ୍ଚିପାରିବୁ ବୋଲି କହିଛି ଏଜେନ୍ସି ।

ଯଦି ଭାରତ କହିବା ତାହାଲେ ଭାରତରେ ଏବେ ବାୟୁ ପ୍ରଦୂଷଣ ଉଦବେଗଜନକ ସ୍ଥିତିରେ ଅଛି । ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ଚିନ୍ତା ଜନକ ସ୍ଥିତିରେ ରହିଛି । ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏତେ ବଢ଼ିଯାଇଛି ଯେ ଦିଲ୍ଲୀ ଆକାଶରେ ଧୂଆଁର ଏକ ଚାଦର ପରି ନଜର ଆସୁଛି । ଯାହା ଫଳରେ ଦିଲ୍ଲୀ ସରକାର ଏକ ସପ୍ତାହ ପାଇଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତି ନେଇଛି । ତେବେ ଏହି ବାୟୁ ପ୍ରଦୂଷଣ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ତେବେ ଦିଲ୍ଲୀରେ ବାୟୁ ପ୍ରଦୂଷଣ କମ୍ କରିବା ପାଇଁ ଲକଡାଉନ ପରି ନିଷ୍ପତି ମଧ୍ୟ ନିଆଯାଇପାରେ ।

୧ କୋଟି ଟଙ୍କାର ଇନାମୀ ମାଓବାଦୀ ପ୍ରଶାନ୍ତ ବୋଷ ଗିରଫ: ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ

0

ରାଞ୍ଚି: ୧ କୋଟି ଟଙ୍କା ଇନାମୀ ନକ୍ସଲ ପ୍ରଶାନ୍ତ ବୋଷ ଛଦ୍ମନାମ ବୁଢ଼ା ଏବଂ ତାଙ୍କ ପତ୍ନୀ ଶିଲା ମାରାଣ୍ଡିଙ୍କ ସମେତ ୬ ଜଣ ମାଓବାଦୀଙ୍କୁ ଜେଲକୁ ପଠାଯାଇଛି। ପୋଲିସର ସୂଚନା ଅନୁସାରେ, ଭୀମା କୋରେଗାଓଁ ହିଂସା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ। କେବଳ ଏତିକି ନୁହେଁ, ସେ ପୂର୍ବ ସିଂହବମରେ ସାଂସଦ ସୁନୀଲ ମହତୋଙ୍କ ହତ୍ୟା, 2004ରେ ଗିରିଡ଼ିହିରେ ହୋମ ଡିଫେନ୍ସ କର୍ପସ ଅସ୍ତ୍ରଶସ୍ତ୍ର ଲୁଟିବା ଏବଂ ପୂର୍ବତନ ମନ୍ତ୍ରୀ ରମେଶ ସିଂ ମୁଣ୍ଡାଙ୍କ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ମଧ୍ୟ ଅଟନ୍ତି। ଏହା ବ୍ୟତୀତ ପ୍ରଶାନ୍ତ ବୋଷଙ୍କ ଯୋଜନା ମଧ୍ୟ ସାରନ୍ଦାରେ ୧୬ ଜଣ ପୋଲିସ୍ ହତ୍ୟା, ବିହାରରେ ଜେହାନାବାଦ ଜେଲ୍ ଭାଙ୍ଗିବା , ମହାରାଷ୍ଟ୍ରର ଭୀମା କୋରେଗାଓଁ ହିଂସା ଏବଂ ଛତିଶଗଡର ଦାନ୍ତେଓ୍ୱାଡା ଠାରେ ଡଜେନରୁ ଅଧିକ ସୈନିକଙ୍କ ଶହୀଦ ହେବା ପଛରେ ପ୍ରଶାନ୍ତ ବୋଷଙ୍କ ହିଁ ଯୋଜନା ରହିଛି ।

ଝାଡ଼ଖଣ୍ଡ ଡିଜିପି ନୀରଜ ସିହ୍ନା କହିଛନ୍ତି, “ବୋଷଙ୍କ ଗିରଫ କେବଳ ଝାଡ଼ଖଣ୍ଡ ପାଇଁ ନୁହେଁ, ବରଂ ନକ୍ସଲ ପ୍ରଭାବିତ ସମସ୍ତ ରାଜ୍ୟ ପାଇଁ  ବଡ଼ ସଫଳତା । ସେ ଶାରୀରିକ ତଥା ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।” ସେ କହିଛନ୍ତି, ପଚରାଉଚରା ବେଳେ ମାଓବାଦୀ ସଂଗଠନ ବିଷୟରେ ପ୍ରଶାନ୍ତ ମହାସାଗରୀୟ ସୂଚନା ଦେଇଛନ୍ତି। ବିହାର, ଝାଡ଼ଖଣ୍ଡ ସମେତ ଅନେକ ରାଜ୍ୟରେ ବୋଷଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କେବଳ ଝାଡ଼ଖଣ୍ଡରେ ପ୍ରଶାନ୍ତ ବୋଷଙ୍କ ବିରୋଧରେ 50 ଟି ମାମଲା ରହିଛି । ତାଙ୍କ ନିକଟରୁ ଏକ SSD କାର୍ଡ ଏବଂ ପେନ୍ ଡ୍ରାଇଭ୍ ପୁନରୁଦ୍ଧାର ହୋଇଛି ।

ବୋଷଙ୍କ ଗିରଫଦାରୀ ବିରୋଧରେ ୨୦ରେ ଭାରତ ବନ୍ଦ ଡାକରା

ମାଓବାଦୀ ପ୍ରଶାନ୍ତ ବୋଷ ଗିରଫଦାରୀକୁ ବିରୋଧ କରି ମାଓବାଦୀମାନେ ୨୦ ନଭେମ୍ୱରକୁ ଭାରତ ବନ୍ଦର ଆହ୍ୱାନ ଦେଇଛନ୍ତି । ଏହା ପୂର୍ବରୁ ୧୫ରୁ ୧୯ ନଭେମ୍ୱର ଯାଏଁ ମାଓବାଦୀମାନେ ପାଞ୍ଚ ଦିନ ଦରି ପ୍ରତିରୋଧ ଦିବସ ପାଳନ କରିବେ । ତେବେ ଏହି ଭାରତ ବନ୍ଦ ଡାକରାକୁ ସଫଳ କରିବାକୁ ବିଭିନ୍ନ ପାର୍ଟି କମିଟିଗୁଡ଼ିକୁ ସୂଚିତ କରାଯାଇଛି ।

ରେଡ୍ ବେଳେ CBI ଅଧିକାରୀ ହଟହଟା, ତାଲା ପକାଇ ମାଡ଼ ମାରିଲେ ଗ୍ରାମବାସୀ

ଢେଙ୍କାନାଳ: ରେଡ୍ ବେଳେ ହଟହଟା ହେଲା ସିବିଆଇ । ସନ୍ଦେହରେ ତାଲ ପକାଇଲେ, ମାଡ଼ ମାରିଲେ ଲୋକେ । ଅନଲାଇନରେ ଶିଶୁଙ୍କୁ ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗରେ ଦେଶର ୧୪ଟି ରାଜ୍ୟର ୭୬ଟି ଜାଗାରେ ଆଜି ଏକକାଳୀନ ରେଡ୍ ମାରିଛି ସିବିଆଇ । ଢେଙ୍କାନାଳର ଜଣେ ଯୁବକଙ୍କ ଘରେ ମଧ୍ୟ ସିବିଆଇ ସକାଳୁ ଛାନଭିନ୍ କରିଛି । ଜୁବଲି ଟାଉନ୍ କଲୋନୀ ସାହିର ସୁରେନ୍ଦ୍ର ନାୟକ ଓରଫ ମିଥୁନଙ୍କ ଘରେ ଅଚାନକ ରେଡ୍ କରିଥିଲେ ସିବିଆଇ ଟିମ୍ । ସକାଳ ୭ଟାରୁ ୪ଜଣ ଅଧିକାରୀ ମିଥୁନଙ୍କୁ ନିଜ ଅକ୍ତିଆରକୁ ନେବା ସହ ତାଙ୍କ ଘରେ ଯାଞ୍ଚ ଆରମ୍ଭ କରିଥିଲେ ।

People Beaten CBI Officials During Raid In Dhenkanal

ତେବେ ଯାଞ୍ଚ କରୁଥିବା ଅଧିକାରୀ ସିବିଆଇର କୌଣସି ପରିଚୟପତ୍ର ଦେଖାଇ ନପାରିବାରୁ ଲୋକେ ତାଲା ପକାଇ ଦେଇଛନ୍ତି । ଗାଁରେ ଚାପା ଉତ୍ତେଜନା ଦେଖା ଦେଇଛି । ଦୁଇଜଣ ଅଧିକାରୀ କଲୋନୀରୁ ବାହାରି ସ୍ଥାନୀୟ ଥାନାକୁ ଜଣାଇବା ପରେ ପୋଲିସ୍ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ନେଇଛି । ପୋଲିସ ସିବିଆଇ ଅଧିକାରୀଙ୍କୁ ଉଦ୍ଧାର କରି ଟାଉନ୍ ଥାନାକୁ ନେଉଥିବା ବେଳେ ଲୋକ ମାଡ଼ ମାରିଛନ୍ତି । ତେବେ, ସିବିଆଇ ରେଡ୍ ନେଇ ସ୍ଥାନୀୟ ଥାନାକୁ କୌଣସି ପ୍ରାକ୍ ସୂଚନା ଦେଇନଥିବା ଟାଉନ୍ ଥାନା ଅଧିକାରୀ କହିଛନ୍ତି ।

People Beaten CBI Officials During Raid In Dhenkanal

ପ୍ରାଥମିକ ସୂଚନା ମୁତାବକ ସୁରେନ୍ଦ୍ରଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଆସିଥିବା ସିବିଆଇ ଜାଣି ପାରିଛି । ସାରାଦେଶରୁ ୨୩ଟି ନୂଆ ଅଭିଯୋଗକୁ ଭିତ୍ତି କରି ୮୩ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ । ରାଜ୍ୟରେ ଢେଙ୍କାନାଳ ସହ ଭଦ୍ରକ ଓ ଅନୁଗୁଳରେ ସିବିଆଇ ରେଡ୍ କରୁଥିବା ଜଣାପଡ଼ିଛି ।

ରାଜ୍ୟ ନିଶ୍ଚିତ କର୍ମନିଯୁକ୍ତି ପରିଷଦର ସପ୍ତମ ବୈଠକ: ଅଙ୍ଗନୱାଡ଼ି ଗୃହ ନିର୍ମାଣ, ଜଳସଂରକ୍ଷଣ ଓ ଜଳ ପରିଚାଳନା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟ ନିଶ୍ଚିତ କର୍ମ ନିଯୁକ୍ତି ପରିଷଦର ସପ୍ତମ ବୈଠକ ଆଜି ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତି ରାଜ ଓ ପାନୀୟ ଜଳ, ଆଇନ୍, ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧକ୍ଷତାରେ ବୈଠକ ବସିଥିଲା । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ଫୋକସ୍ କାର୍ଯ୍ୟକ୍ରମ ଗୁଡ଼ିକ କାର୍ଯ୍ୟକାରୀତା କ୍ଷେତ୍ରରେ ସ୍ୱଚ୍ଛତା ଓ ଉତର ଦାୟିତ୍ୱ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ମନ୍ତ୍ରୀ ।

ପ୍ରାରମ୍ଭରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ପରିଷଦର ଅଧ୍ୟକ୍ଷ ଓ ଉପସ୍ଥିତ ସଦସ୍ୟ ସଦସ୍ୟା ମାନଙ୍କୁ ସ୍ଵାଗତ ଜଣାଇ ରାଜ୍ୟ ନିଶ୍ଚିତ କର୍ମନିଯୁକ୍ତି ପରିଷଦର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।

MGNREGA Focus On Anganwadi House Construction

୨୦୨୧-୨୨ ଆର୍ଥିକ ବର୍ଷର ସଫଳତା ଗତ ୨୦୨୦-୨୧ ବର୍ଷ ତୁଳନାରେ ଯଥେଷ୍ଟ ଅଧିକ ରହିଛି । ତା’ଛଡ଼ା ଚଳିତ ବର୍ଷ ରାଜ୍ୟର ସଫଳତା, ଦେଶର ୧୦ ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟ ମାନଙ୍କ ମଧ୍ୟରେ ସ୍ଥାନ ବଜାୟ ରଖିଛି । ୧୪.୬ କୋଟି ଶ୍ରମ ଦିବସ ସୃଷ୍ଟି ସହିତ ସପ୍ତମ ସ୍ଥାନ, ୧୦୦ ଦିନରୁ ଅଧିକ କାର୍ଯ୍ୟ କରିଥିବା ପରିବାରରେ ଦ୍ୱିତୀୟ ସ୍ଥାନ, ପ୍ରତି ପରିବାର ପିଛା ହାରାହାରି କାର୍ଯ୍ୟ ଦିବସରେ ଦ୍ଵିତୀୟ ସ୍ଥାନ, ଉଚିତ୍ ସମୟରେ ଶ୍ରମିକ ମାନଙ୍କୁ ଦେୟ ପ୍ରଦାନରେ ଅଷ୍ଟମ ସ୍ଥାନ, ଜିଓ-ମନରେଗାରେ ସପ୍ତମ ସ୍ଥାନ ଓ ଗ୍ରାମ ପଞ୍ଚାୟତ ଜିଆଇଏସ ପ୍ଲାନରେ ଶୀର୍ଷ ସ୍ଥାନ ବଜାୟ ରଖିଛି ।

ରାଜ୍ୟର ୨୦ ଦାଦନ ପ୍ରବଣ ବ୍ଲକ ଗୁଡ଼ିକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ  ଜବକାର୍ଡଧାରୀ ମାନଙ୍କୁ ବିଜ୍ଞାପିତ ମଜୁରି ଦର ଉପରେ ଅତିରିକ୍ତ ମଜୁରି ପ୍ରଦାନ କରି ଏହାକୁ ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଜ୍ଞାପିତ ସର୍ବନିମ୍ନ ମଜୁରି ହାରରେ ପ୍ରଦାନ କରାଯାଉଛି । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଅଧିନିୟମରେ ଧାର୍ଯ୍ୟ ହୋଇଥିବା ୧୦୦ ଦିନର ନିଶ୍ଚିତ କର୍ମନିଯୁକ୍ତି ବ୍ୟତିରେକ ଅତିରିକ୍ତ ୨୦୦ ଦିନର କର୍ମ ନିଯୁକ୍ତି ପ୍ରଦାନ କରାଯାଉଛି । ଉକ୍ତ ୨୦୦ ଦିନ ନିମନ୍ତେ ଜବକାର୍ଡଧାରୀ ମାନଙ୍କୁ ତାଙ୍କର ଦୈନିକ ମଜୁରି ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଜ୍ଞାପିତ ସର୍ବନିମ୍ନ ମଜୁରି ହାରରେ ପ୍ରଦାନ କରାଯାଉଛି ।

MGNREGA Focus On Anganwadi House Construction

ସେହିପରି ଫୋକସ୍ କ୍ରିୟା କଳାପ ମଧ୍ୟରେ ଲାଇନ୍ ବିଭାଗ ଗୁଡ଼ିକ ସହ ପ୍ରଭାବୀ ଏକାଭିମୁଖିକରଣ ମାଧ୍ୟମରେ ଚଳିତ ବର୍ଷ ୩୬୫୬ କୋଟି ଟଙ୍କାର କାର୍ଯ୍ୟ ଯୋଜନା ଅନୁମୋଦନ କରାଯାଇଛି । ଉକ୍ତ ପଦକ୍ଷେପ ଯୋଗୁଁ ୭୪୭.୮୮ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୨.୮୯ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଉଦ୍ୟାନ କୃଷି ୨୧୧୧୫ ହେକ୍ଟର, ଜଙ୍ଗଲ ଓ ପରିବେଶ ବିଭାଗ ଦ୍ଵାରା ୨୫୧୫୫ ହେକ୍ଟର ବନୀକରଣ ଓ ୬୦୬୬୩ ଫାର୍ମ ପୋଖରୀ କରାଯିବା ନିମନ୍ତେ ପଦକ୍ଷେପ ହାତକୁ ନିଆଯାଇ ଗରିବ ପରିବାରଙ୍କର ଜୀବିକା ସୁରକ୍ଷାକୁ ସୁଦୃଢ଼ କରାଯାଇଛି ।

ରାଜ୍ୟରେ ପକାଘର ନଥିବା ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ ପାଇଁ ପକାଘର ନିର୍ମାଣ କାର୍ଯ୍ୟ ଅଗ୍ରାଧିକାର ଭିତିରେ ଗ୍ରହଣ କରାଯିବ । ରାଜ୍ୟ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସଫଳ ରୂପାୟନ ନିମନ୍ତେ  ସ୍ଵଚ୍ଛତା ଓ ଉତ୍ତରଦାୟିତ୍ଵ ଉପରେ ପ୍ରାଧାନ୍ୟ ଦେଇଛନ୍ତି । ସ୍ୱଚ୍ଛତା ଓ ଉତ୍ତରଦାୟିତ୍ଵ ବଜାୟ ରଖିବା ପାଇଁ ଏରିଆ ଅଫିସର ଆପ୍, ନ୍ୟାସନାଲ୍ ମୋବାଇଲ୍ ମନିଟରିଂ ସିଷ୍ଟମ୍, ଜିଆଇଏସ ଆଧାରିତ ଯୋଜନା, ସମ୍ପତ୍ତିର ଜିଓ ଟ୍ୟାଗିଂ, ଆଧାର ସିଡିଂ, ଆଧାର ଆଧାରିତ ପେମେଣ୍ଟ ବ୍ୟବସ୍ଥା (ଏବିପିଏସ୍)ର ଉପଯୋଗ ସହ ସାମାଜିକ ସମୀକ୍ଷା ଏବଂ ଅମ୍ବୁଡ୍ସପର୍ସନଙ୍କ କାର୍ଯ୍ୟକୁ ପ୍ରାଥମିକତା ଦିଆଯାଉଛି ।

ଉକ୍ତ ବୈଠକରେ ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ. ଶାସନ ସଚିବ, ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଏବଂ ସଦସ୍ୟ ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ, ପଞ୍ଚାୟତ ସମିତି ଚେୟାରମ୍ୟାନ, ସରପଞ୍ଚ ଉପସ୍ଥିତ ଥିଲେ । ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ୍ ଡାକୁଆ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ବିଭିନ୍ନ ସଫଳତାର ଏକ ତୁଳନାତ୍ମକ ବିବରଣୀ ଉପସ୍ଥାପନ କରିଥିଲେ ।

ଦିଲ୍ଲୀ ଏନସିଆରରେ ଲାଗୁ ହେଲା ୱାର୍କ ଫର୍ମ ହୋମ

0

ଦିଲ୍ଲୀ : ରାଜଧାନୀ ଦିଲ୍ଲୀ ସମେତ ଦିଲ୍ଲୀ ଏନସିଆରରେ ପ୍ରଦୂଷଣର ମାତ୍ରା ବଢ଼ିଚାଲିଥିବା ବେଳେ ଅଣନିଶ୍ୱାସୀ ହେଲାଣି ଦିଲ୍ଲୀ । ପ୍ରଦୂଷଣ କାରଣରୁ କୋର୍ଟ ପୁଣି ଦିଲ୍ଲୀ ଏନସିଆରରେ ଲକଡାଉନ୍ ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲା । ରାଜଧାନୀ ଦିଲ୍ଲୀରେ କେତେକ ପ୍ରତିବନ୍ଧକ ଲଗାଯାଇଥିଲା ବର୍ତ୍ତମାନ ଦିଲ୍ଲୀ ଏନସିଆରରେ ମଧ୍ୟ କିଛି ପ୍ରତିବନ୍ଧକ ଲାଗୁ କରାଯିବ । ଦିଲ୍ଲୀ ସରକାର ୟୁପି, ପଞ୍ଜାବ, ହରିୟାଣା ସହ ଆଲୋଚନା କରି ଏନସିଆରରେ ୱାର୍କ ଫର୍ମ ହୋମର ପ୍ରସ୍ତାବ ରଖିଛି । ଏଥିସହ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇବା ସହ ଶିଳ୍ପାନୁଷ୍ଠାନମାନ ବନ୍ଦ କରିବାକୁ ଦାବି କରିଛି ।

ଦିଲ୍ଲୀ ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଳ ରାୟ ପଞ୍ଜାବ, ହରିୟାଣା ଏବଂ ୟୁପି ସହ ହୋଇଥିବା ଆଲୋଚନାରେ ଏନସିଆରରେ ୱାର୍କ ଫର୍ମ ହୋମ ଲାଗୁ କରିବାର ପ୍ରସ୍ତାବ ରଖିଛନ୍ତି । ଏଥିସହ ଏନସିଆରରେ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇବା ସହ ଶିଳ୍ପାନୁଷ୍ଠାନମାନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକ ସୁପ୍ରିମକୋର୍ଟର ଆଦେଶନୁସାରେ ଆୟୋଜନ କରାଯାଇଥିଲା । ଦିଲ୍ଲୀରେ ଏହି ପ୍ରଦୂଷଣର ମାତ୍ରା ହ୍ରାସ କରିବା ନିମନ୍ତେ ଅନ୍ୟ ଏନସିଆର ରାଜ୍ୟ ସହ ଆଲୋଚନା କରିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏନସିଆରରେ ୱାର୍କ ଫର୍ମ ହୋମ ଲାଗୁ କରିବାକୁ ସୁପ୍ରିମ କୋର୍ଟ ମଧ୍ୟ ପ୍ରସ୍ତାବ ରଖିଥିଲା । ଏହି ବୈଠକରେ ଅନ୍ୟ ରାଜ୍ୟମାନେ ମଧ୍ୟ କେତେକ ପ୍ରସ୍ତାବ ରଖିଛନ୍ତି ବୋଲି ଗୋପାଳ ରାୟ କହିଥିଲେ । ଏବେ କେବଳ କମିଶନଙ୍କ ନିଷ୍ପତ୍ତିକୁ ଅପେକ୍ଷା ।

ଗତ ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୋଟିଏ ସପ୍ତାହ ପାଇଁ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଥିଲେ । ଏଥିସହ ସେ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ରୋକ ଲଗାଇଥିଲେ ଏବଂ ସରକାରୀ କର୍ମଚାରୀଙ୍କୁ ୱାର୍କ ଫର୍ମ ହୋମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗୋପାଳ ରାୟ କହିଥିଲେ DPCC ଟିମ୍ ଗତ କାଲି ସମସ୍ତ ଅଞ୍ଚଳର ସ୍ଥିତି ପରଖି ପ୍ରଦୂଷଣର ମୁଖ୍ୟ କାରଣ ଖୋଜିଥିଲେ । ନିର୍ମାଣ କାର୍ଯ୍ୟ ହିଁ ପ୍ରଦୂଷଣର ମୁଖ୍ୟ କାରଣ । ଏଣୁ କନଷ୍ଟ୍ରକସନ କାମରେ ରୋକ ଲଗାଇଲେ ପ୍ରଦୂଷଣର ମାତ୍ରା ହ୍ରାସ କରାଯାଇପାରିବ ବୋଲି ସେ କହିଥିଲେ ।

 

 

 

 

କରୋନା ଟିକାକରଣରେ ଜାତୀୟ ହାର ଠାରୁ ଓଡ଼ିଶା ଆଗରେ: ୨୦ ଲକ୍ଷ କରୋନା ଡୋଜ୍‌ ଅପଚୟ ରୋକିପାରିଛି ରାଜ୍ୟ

ଭୁବନେଶ୍ୱର: ଟିକାକରଣରେ ସାରା ଦେଶରେ ଆଗରେ ଓଡ଼ିଶା । ସେହିପରି ରାଜ୍ୟରେ ଟିକା ଓ୍ବେଷ୍ଟେଜ୍ ହାର ରହିଛି ମାତ୍ର ମାଇନସ୍ ୫ ଦଶମିକ ୩ ପ୍ରତିଶତ । ଏବେ ସୁଦ୍ଧା ୪ ଦଶମିକ ୦୩ କୋଟି ଲୋକଙ୍କୁ ଦିଆଯାଇଛି ଟିକା । ୨କୋଟି ୬୮ ଲକ୍ଷ ୪ହଜାର ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇଛି ।

୧ କୋଟି ୩୪ ଲକ୍ଷ ୯୬ହଜାର ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ଟିକାକରଣର ଜାତୀୟ ହାର ଅପେକ୍ଷା ରାଜ୍ୟ ହାର ଅଧିକ ରହିଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କୋଭିଡ୍‌ ଟିକାକରଣକୁ ନେଇ ବସିଥିବା ବୈଠକରୁ ଏହି ସୂଚନା ମିଳିଛି । ପ୍ରଥମ ଡୋଜ୍ ଟିକାକରଣରେ ଜାତୀୟ ହାର ୭୯ ଦଶମିକ ୮ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ପ୍ରଥମ ଡୋଜ୍ ଟିକାକରଣ ହାର ରହିଛି ୮୨ ଦଶମିକ ୪ ପ୍ରତିଶତ । ସେହିପରି ଦ୍ୱିତୀୟ ଡୋଜ୍ ଟିକାକରଣରେ ଜାତୀୟ ହାର ୩୮ଦଶମିକ ୪ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୪୧ଦଶମିକ ୫ ପ୍ରତିଶତ ଲୋକଙ୍କୁ ଦିଆଯାଇଛି ଦ୍ୱିତୀୟ ଡୋଜ୍ । ନଭେମ୍ବର ୩୦ ସୁଦ୍ଧା ୯୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍ ଟିକାକରଣ ଲକ୍ଷ୍ୟ ରଖାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କୋଭିଡ୍‌ ଟିକାକରଣକୁ ନେଇ ବସିଥିବା ବୈଠକରୁ ଏହି ସୂଚନା ମିଳିଛି ।

ତେବେ ଏଯାବତ୍ ରାଜ୍ୟରେ ମୋଟ ୪.୦୩ କୋଟି ଡୋଜ୍ କରୋନା ଟିକାକରଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ କୋଟି ୬୮ ଲକ୍ଷ ୪୭୫୫ ଜଣ କରୋନା ଟିକାର ପ୍ରଥମ ଡୋଜ୍ ଗ୍ରହଣ କରିସାରିଥିବା ବେଳେ ୧ କୋଟି ୩୪ ଲକ୍ଷ ୯୬ ହଜାର ୫୯ ଜଣ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇ ସାରିଛନ୍ତି । ତେବେ ଏହି ପରିସଂଖ୍ୟାନକୁ ଡିସେମ୍ୱର ସୁଦ୍ଧା ଶତ ପ୍ରତିଶତରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଅନ୍ୟ ପକ୍ଷରେ ଟିକାର ଅପଚୟ ରାଜ୍ୟରେ ବହୁତ କମ୍ ହୋଇଥିବାରୁ ଏହାକୁ ପ୍ରଶଂସା କରିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ  ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ । ରାଜ୍ୟରେ ଟିକାର ପରିବହନକୁ ଅତ୍ୟନ୍ତ ବ୍ୟବସ୍ଥିତ ଢଙ୍ଗରେ କରାଯାଇଥିବାରୁ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ କୁଶଳ ଟିକାକରଣ ଯୋଗୁଁ ରାଜ୍ୟରେ ଟିକାର ଅପଚୟ କମ୍ ହୋଇଥିବା ସେ କହିଛନ୍ତି । ରାଜ୍ୟ ପ୍ରାୟ ୨୦ ଲକ୍ଷ କରୋନା ଡୋଜ୍‌ର ଅପଚୟକୁ ରୋକିପାରିଛି ।

ଏଥିସହିତ ପଢ଼ନ୍ତୁ: ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ଏକ୍ସପ୍ରେସ ଓ୍ବେ’ରେ ଅବତରଣ କଲେ ମୋଦି; ଉଦଘାଟନ କଲେ ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ବେ