ଟିକାକରଣ ଦଳକୁ ଦେଖି ଗଛ ଉପରେ ଚଢିଗଲେ ଗାଇଆଳ, ତା’ପରେ କଣ ହେଲା ଜାଣନ୍ତୁ

1 min read

ଜାଲୋର: ସାରା ବିଶ୍ୱରେ ଆତଙ୍କ ଖେଳାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଭାରତରେ ମଧ୍ୟ ଓମିକ୍ରନ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।  ଭାରତରେ ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖି ଦେଶରେ ପୁଣି ଥରେ ଟିକାକରଣ ଦ୍ରୁତ ଗତିରେ ଚାଲୁଛି ।  ରାଜସ୍ଥାନରେ ୪୩ଟି ଓମିକ୍ରନ ମାମଲା ଚିହ୍ନଟ ହେବା ପରେ ସେଠାରେ ମଧ୍ୟ ଜୋରଶୋରରେ ଆରମ୍ଭ ହୋଇଛି ଟିକାକରଣ । ଯେଉଁମାନେ ପ୍ରଥମ ଡୋଜ ଓ ଦ୍ୱିତୀୟ ଡୋଜ ଟିକା ନେଇ ନାହାନ୍ତି ସେମାନଙ୍କ ଘରକୁ ଘର ବୁଲି ଟିକା ଦେଉଛନ୍ତି ସ୍ୱାସ୍ଥ୍ୟକର୍ମୀ । ତେବେ ଲୋକମାନଙ୍କୁ ଟିକା ଦେବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ୱାସ୍ଥ୍ୟକର୍ମୀ । କାହିଁକି ନା ଏବେ ବି ଲୋକମାନେ ଟିକା ନେବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ।  ଏସବୁ ଭିତରେ ରାଜସ୍ଥାନର ଜାଲୋର ଜିଲ୍ଲାରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ସେଠାରେ ଜଣେ ପଶୁପାଳକ ଟିକା ନେବା ପାଇଁ ମନା କରିବାରୁ  ସ୍ୱାସ୍ଥ୍ୟକର୍ମୀ ତାଙ୍କୁ ଗଛ ଉପରେ ଚଢ଼ି ଟିକା ଦେଇଥିଲେ ।

ଏହି ଘଟଣା ଦେଖିବାକୁ ମିଳିଥିଲା ଜାଲୋର ଜିଲ୍ଲା ଆହୋର ଅଞ୍ଚଳର ରାମା ଗ୍ରାମର । ଏହି ଅଞ୍ଚଳରେ ଶନିବାର ଏକ ସ୍ୱତନ୍ତ୍ର ଟିକାକରଣ ଅଭିଯାନ କରାଯାଇଥିଲା । ଘରକୁ ଘର ବୁଲି ଲୋକମାନଙ୍କୁ ଟିକା ଦେଇଥିଲେ ସ୍ୱାସ୍ଥ୍ୟକର୍ମୀ । ଗୋରୁ ପାଳକଙ୍କୁ ମଧ୍ୟ ଟିକା ଦେଇଥିଲେ ସ୍ୱାସ୍ଥ୍ୟକର୍ମୀ । ଏହି ସମୟରେ ଜଣେ ପଶୁପାଳକଙ୍କୁ ଟିକା ଦେବା ପାଇଁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା ସ୍ୱାସ୍ଥ୍ୟକର୍ମୀଙ୍କୁ ।

ଡାକ୍ତରୀଦଳରେ ଥିବା CHA ଜେଠାରାମଙ୍କ କହିବା ଅନୁସାରେ ସୁଜାରାମ ନାମରେ ଜଣେ ଲୋକ ଗଛ କାଟୁଥିବାର ଦେଖିବାକୁ ମିଳିଥିଲା । ତାଙ୍କୁ ଟିକା ସମ୍ପର୍କରେ ପଚରା ଯିବାରୁ ସେ କେବଳ ଗୋଟିଏ ଡୋଜ ନେଇଥିବା କହିଥିଲେ । ଯେତେବେଳେ ତାଙ୍କୁ ଆଉ ଏକ ଡୋଜ ନେବାକୁ କୁହାଗଲା, ସେ ଡାକ୍ତରୀଦଳକୁ ସିଧାସିଧା ମନା କରିଦେଇଥିଲେ । ଏହା ପରେ ସେ ଗଛ ଉପରକୁ ଚଢ଼ି ଯାଇଥିଲେ । ତାଙ୍କୁ ବହୁ ବୁଝାସୁଝା ପରେ ମଧ୍ୟ ସେ ତଳକୁ ଆସିନଥିଲେ । ଏହା ପରେ ଜେଠାରାମ ତାଙ୍କୁ ଟିକା ଦେବା ପାଇଁ ଗଛ ଉପରକୁ ଚଢ଼ିଥିଲେ ଏବଂ ତାଙ୍କୁ ଗଛ ଉପରେ ଚଢ଼ି ଟିକା ଦେଇଥିଲେ ।

ଜାଲୋରରେ ମୋଟ ୧୩ ଲକ୍ଷ ୭୫ ହଜାର ଟିକାକରଣ କରାଯିବାକୁ ଲକ୍ଷ୍ୟ ରହିଛି । ସେଥିମଧ୍ୟରୁ ୧୦ ଲକ୍ଷ ୭୪ ହଜାର ଲୋକ ପ୍ରଥମ ଡୋଜ ଟିକା ନେଇଛନ୍ତି ଓ ୭ ଲକ୍ଷ ୪୨ ହଜାର ଲୋକ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି । ଏବେ ବି ୩ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇ ନାହାନ୍ତି ।

Leave a Reply