spot_img
Home Blog Page 4846

କୋଣାର୍କ ମହୋତ୍ସବ: ମନମୋହିଲା ଓଡ଼ିଶୀ ଓ କଥକ ନୃତ୍ୟ

କୋଣାର୍କ: ଗତକାଲିଠାରୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ । ଭର୍ଚୁଆଲରେ ମହୋତ୍ସବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ଓ କଥକ ନୃତ୍ୟ ପରିବେଷଣ ଦର୍ଶକଙ୍କ ମନ ମୋହିଛି ।

ପ୍ରଥମ ସନ୍ଧ୍ୟାର ପ୍ରଥମାର୍ଦ୍ଧାରେ ପଦ୍ମଶ୍ରୀ ମାଧବୀ ମୁଦଗଲ ଓ ସାଥି କଳାକାରଙ୍କ ଦ୍ବାରା ପରିବେଷଣ ହୋଇଥିଲା ଓଡ଼ିଶୀ ନୃତ୍ୟ । ସନ୍ଧ୍ୟାର ଦ୍ବିତୀୟାର୍ଦ୍ଧରେ ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ଭାସ୍ବତୀ ମିଶ୍ର ଓ ସାଥି କଳାକାରଙ୍କ ଦ୍ବାରା କଥକ ନୃତ୍ୟ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା ।

ଉଦଘାଟନୀ ସମାରୋହରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସମେତ, ସମ୍ମାନିତ ଅତିଥି ଭାବେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଏମ. ବାଲକ୍ରିଷ୍ଣନ ପ୍ରମୁଖ ଯୋଗ ଦେଇଥିଲେ । ଆଜି ଗୌହ୍ବାଟି ସ୍ଥିତ ଅଭିନୟ ଡାନ୍ସ ଏକାଡେମୀର କଳାକାରଙ୍କ ଦ୍ବାରା ଶାସ୍ତ୍ରୀୟ ନୃତ୍ୟ ଓ ଭୁବନେଶ୍ବରର ନୁପୁର ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ ହେବ ।

ଆସୁଛି ବାତ୍ୟା ‘ଜଓ୍ବାଦ’: ଆଜିଠୁ ବଦଳିଯିବ ପାଣିପାଗ

ଭୁବନେଶ୍ବର: ଆଜି ଅବପାତରେ ପରିଣତ ହେବା ପରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ ଲଘୁଚାପ । ‘ଜଓ୍ବାଦ’ ନାଁରେ ମାଡ଼ି ଆସିବ ସ୍ଥଳପଥକୁ । ଲଘୁଚାପ ବାତ୍ୟାର ରୂପ ନେବା ପରେ ଏହାର ପ୍ରଭାବରେ ଆସନ୍ତାକାଲିଠୁ ଆରମ୍ଭ ହୋଇଯିବ ବର୍ଷା ।  ୪ ତାରିଖ ସକାଳେ ‘ଜଓ୍ବାଦ’ ଉତ୍ତର ଆନ୍ଧ୍ର-ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।

ବାତ୍ୟା ପ୍ରଭାବରେ ଆସନ୍ତାକାଲିଠୁ ୫ ତାରିଖ ସକାଳ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବର ସମ୍ଭାବନା ରହିଛି । କାଲି ଉପକୂଳ ଓଡ଼ିଶାରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବ । ୪ ତାରିଖ ବେଳକୁ ଘଣ୍ଟାପ୍ରତି ୭୦ରୁ ୮୦ ଏବଂ ଝଟକା ପବନ ୧୧୦ କିମି ପର୍ଯ୍ୟନ୍ତ ଯାଇପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବାତ୍ୟା ‘ଜଓ୍ବାଦ’ ତାଣ୍ଡବ ରଚିବା ଏକ ପ୍ରକାର ନିଶ୍ଚିତ । କଚ୍ଚାଘର ଭାଙ୍ଗିବା ସହ ମାଟିରାସ୍ତା ଧୋଇଯିବ । ସହରାଞ୍ଚଳରେ କୃତ୍ରିମ ବନ୍ୟା ସୃଷ୍ଟି କରିବ ବାତ୍ୟା ପ୍ରଭାବରେ ହେବାକୁ ଥିବା ଲଗାଣ ବର୍ଷା । ଏଥିପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

ରାଜ୍ୟର ୪ ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ, ୭ ଜିଲ୍ଲାକୁ ଅରେଞ୍ଜ ଓ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ରାୟଗଡା, କୋରାପୁଟ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସାମ୍ଭାବ୍ୟ ବାତ୍ୟା ଉପରେ ନଜର ରଖି ସବୁ ବନ୍ଦରରେ ବିପଦ ସଙ୍କେତ ୩ କିମ୍ବା ୪ ଦିଆଯିବ । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରି ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଚାଷୀମାନେ ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେବା ସହ ବିଲରୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି ।

ମାଓବାଦୀ ପାଳିବେ ପିଏଲଜିଏ ସପ୍ତାହ, ରାୟଗଡ଼ାରେ ୮ ପର୍ଯ୍ୟନ୍ତ ବସ ଚଳାଚଳ ବନ୍ଦ

ରାୟଗଡ଼ା: ଗୁରୁବାର ଠାରୁ ଆରମ୍ଭ ହେଉଛି ମାଓବାଦୀଙ୍କ ପିଏଲଜିଏ ସପ୍ତାହ । ଏଥିପାଇଁ ରାୟଗଡା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜିଲ୍ଲାରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ନିୟମଗିରି ଅଞ୍ଚଳରେ ସିଆରପିଏଫ, ବିଏସଏଫ ଓ ଏସଓଜି ନିୟୋଜିତ ହୋଇଛନ୍ତି । ସହର ଭିତରକୁ ପ୍ରଵେଶ କରୁଥିବା ସମସ୍ତ ଗାଡି ଗୁଡିକୁ ଯାଞ୍ଚ କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ସରକାରୀ ବସ ଚଳାଚଳକୁ ଆସନ୍ତା 8 ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

ଜିଲ୍ଲାର ୬ ଟି ରୁଟରେ ଯାଉଥିବା ସମସ୍ତ ସରକାରୀ ବସ ଚଳାଚଳକୁ ବନ୍ଦ ରଖାଯାଇଥିବା ଓଏସଆଟିସି ସୂଚନା ଦେଇଛି । ପ୍ରତିବର୍ଷ ମାଓବାଦୀମାନେ ଡିସେମ୍ବର 2 ରୁ 8 ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରନ୍ତି । ବିଶେଷ କରି ଯୁବକ ଓ ଯୁବତୀମାନଙ୍କୁ ସଂଗଠନରେ ସାମିଲ କରିବା ସହ ପୋଲିସ ଏନକାଉଣ୍ଟରରେ ମୃତ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥାଏ ସଂଗଠନ । ରାୟଗଡା ଜିଲ୍ଲାର କଲ୍ୟାଣସିଙ୍ଗପୁର ବ୍ଲକ ପାରସାଲି ପଞ୍ଚାୟତର ବିଭିନ୍ନ ସ୍ଥାନରେ କିଛିଦିନ ତଳେ ପୋଷ୍ଟର ମାରି ଏନେଇ ଉଲ୍ଲେଖ କରିଥିଲା ଲାଲ୍ ବାହିନୀ  ।

ଢେଙ୍କାନାଳରେ କୋରୋନା ଆତଙ୍କ, ଆବାସିକ କଲେଜରେ ୩୩ ଛାତ୍ରଛାତ୍ରୀ ସଂକ୍ରମିତ

ଢେଙ୍କାନାଳ: ପୁଣି ଡ଼ରାଇଲାଣି କରୋନା  । ଏକା ସାଙ୍ଗରେ 33 ଛାତ୍ର ଛାତ୍ରୀ କରନା ସଂକ୍ରମିତ। ଢେଙ୍କାନାଳ କୁଞ୍ଜକାନ୍ତ ସ୍ଥିତ 2 ନମ୍ବର ୱାର୍ଡ ରେ ଥିବା ସାଇ କୃପା ଆବାସିକ କଲେଜରେ ବୁଧବାର ଗୋଟିଏ ଦିନରେ ୩୩ ଜଣ କରନା ସଂକ୍ରମିତ ଛାତ୍ରଛାତ୍ରୀ ଚିହ୍ନଟ ହୋଇଛନ୍ତି। ସୂଚନା ଅନୁଯାୟୀ ଗତ 2 ଦିନତଳେ 4 ଛାତ୍ର ଛାତ୍ରୀ କରନା ସଂକ୍ରମିତ ହୋଇଥିଲେ। ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ତେବେ ଆଜି ପୁନର୍ବାର କିଛି ଛାତ୍ର ଛାତ୍ରୀ ଅସୁସ୍ତ ହୋଇଥିବାରୁ କଲେଜ ରେ ଥିବା 270 ଜଣଙ୍କର ଏକା ସାଙ୍ଗରେ କରନା ପରୀକ୍ଷା କରାଯାଇଥିଲା ।

ଯେଉଁଥିରେ ପ୍ରଥମ ପ୍ରଯ୍ୟାୟ ରେ 90 ଜଣ ଙ୍କ ର ରିପୋର୍ଟ ଆସିଛି।ଯେଉଁଥିରେ 33 ଜଣ ଛାତ୍ର ଛାତ୍ରୀ ପଜେଟିଭ ଥିବା ଜଣାପଡିଛି।ଆହୁରି 180 ଜଣଙ୍କର ରିପୋର୍ଟ ଆସିବା ପରେ ହେବ କେତେଜଣ ସର୍ବମୋଟ କରନା ଆକ୍ରାନ୍ତ ହୋଇଛନ୍ତି।ତେବେ ଘଟଣା ପରେ ଆସନ୍ତା କାଲି ଉକ୍ତ କଲେଜ କୁ ସିଲ କରାଯିବା ସହ ଉକ୍ତ ସ୍ଥାନକୁ 10 ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ତେବେ କିଛିଦିନ ହେବ ଢେଙ୍କାନାଳ ଜିଲ୍ଲା କରନା ମୁକ୍ତ ଥିବାବେଳେ ଏକାବେଳେ ୩୩ ସଂକ୍ରମିତ ହେବା ସହରରେ ପୁଣି ଭୟର ବାତାବରଣ ଖେଳିଯାଇଛି।

ଦିନେ ମଣିଷ ମାରୁଥିଲେ, ଆଜି ପ୍ରଭୁ ନାମ ଜପୁଛନ୍ତି

ମୁମ୍ବାଇ: ରକ୍ତପାତ ବଦଳରେ ଆଧ୍ୟାତ୍ମିକତା ଆଡକୁ ଢଳିଲେ ବିଶିଷ୍ଟ ମାଓନେତା କୋବାଡ ଘନ୍ଦି । ଏହି କାରଣରୁ ସିପିଆଇ ମାଓବାଦୀ ସଂଗଠନର ସଦସ୍ୟତାରୁ ତାଙ୍କୁ ବାଦ୍ ଦିଆଯାଇଛି । ମାର୍କସବାଦର କୌଣସି ଉତ୍ତମ ମୂଲ୍ୟବୋଧ ନାହିଁ ବୋଲି ସେ ଦର୍ଶାଇବା ସହ ଆଧ୍ୟାତ୍ମିକତା ଆଡକୁ ସେ ଢଳିବା ପରେ ସଂଗଠନ ଏହି ପଦକ୍ଷେପ ନେଇଛି । ସଂଗଠନର ମୁଖପାତ୍ର ଅଭୟ କହିଛନ୍ତି-ଦୀର୍ଘ ୫୦ ବର୍ଷ ଧରି କୋବାଡ ନକ୍ସଲ ଆନ୍ଦୋଳନ ସହ ସାମିଲ ଥିଲେ । ପ୍ରଥମେ ସେ ସିପିଆଇ ଏମଏଲ ଓ ପରେ ସିପିଆଇ ମାଓବାଦୀରେ ସାମିଲ ହୋଇଥିଲେ । ସେ ଅନେକ ଦିନ ଧରି ଜେଲରେ ବି ଥିଲେ ।

ସେ ମୁମ୍ବାଇରେ ପତ୍ନୀ ଅନୁରାଧାଙ୍କ ସହ ବସ୍ତି ଅଞ୍ଚଳରେ କାମ କରୁଥିଲେ । ମାତ୍ର କିଛି ଦିନ ଧରି ସେ ମାର୍କସବାଦ, ଲେନିନବାଦ ଓ ମାଓବାଦୀ ଚିନ୍ତାଧାରା ଛାଡି ଆଧ୍ୟାତ୍ମିକପନ୍ଥୀ ହେବାରେ ଲାଗିଥିଲେ । ଫଳରେ ତାଙ୍କ ସଦସ୍ୟତା ନବୀକରଣ ନ କରିବାକୁ ସିପିଆଇ ମାଓବାଦୀ ନିଷ୍ପତ୍ତି ନେଇଛି । ସେ ମାର୍କସବାଦୀ ବୁଦ୍ଧିଜୀବୀ ଭାବେ ଦେଶ ଓ ଦେଶ ବାହାରେ ବେଶ୍ ଜଣାଶୁଣା ଥିଲେ । ସେ ଇଂଲଣ୍ଡରେ ଶିକ୍ଷାଲାଭ କରିଥିବା ବେଳେ ୨୦୦୯ରେ ସିପିଆଇ ମାଓବାଦୀ ସଂଗଠନରେ ଯୋଗଦେଇଥିଲେ ।

ଅଧିନାୟକ ଭୂମିକାରେ ଆସିପାରନ୍ତି ଜାଡେଜା, ଉତ୍ସାହିତ CSK ଫ୍ୟାନ୍ସ !

ଚେନ୍ନାଇ: ଆଇପିଏଲର ଆଗାମୀ ସିଜିନ୍ ପୂର୍ବରୁ ହେବାକୁ ଯାଉଛି ମେଗା ଅକ୍ସନ । ଏହି ଅକ୍ସନ ପୂର୍ବରୁ ମଙ୍ଗଳବାର ସମସ୍ତ ଟିମ୍ ରିଟେନସନ ତାଲିକା ଘୋଷଣା କରିଛନ୍ତି । ଚେନ୍ନାଇ ସବୁବେଳେ ତା’ର କୋର୍ ଟିମକୁ ନିଜ ପାଖରେ ରଖିଥାଏ । ଚଳିତ ଥର ମଧ୍ୟ ଚେନ୍ନାଇ ତା’ର କୋର ଟିମର କିଛି ସଦସ୍ୟଙ୍କୁ ରିଟେନ କରିଛି । ଆଗାମୀ ସିଜିନ ପାଇଁ ଚେନ୍ନାଇ ଚାରି ଜଣ ଖେଳାଳିଙ୍କୁ ରିଟେନ କରିଛି । ଏହି ଚାରି ଜଣଙ୍କ ମଧ୍ୟରେ ଅଛନ୍ତି ଅଧିନାୟକ ମହେନ୍ଦ୍ର ସିଂ ଧୋନି, ରବିନ୍ଦ୍ର ଜାଡେଜା, ଋତୁରାଜ ଗାଏକୋଡ ଏବଂ ମୋଏନ ଅଲ୍ଲୀ ।

ତେବେ ଏହି ରିଟେନସନ ଲିଷ୍ଟରେ ସୁରେଶ ରାଇନାଙ୍କ ନାଁ ନାହିଁ । ଯାହା ସମସ୍ତ ଚେନ୍ନାଇ ଫ୍ୟାନଙ୍କୁ ଚକିତ କରିଛି । ଚେନ୍ନାଇ ୧୬ କୋଟି ଟଙ୍କାରେ ରବିନ୍ଦ୍ର ଜାଡେଜାଙ୍କୁ ରିଟେନ କରିଛି । ସେହିପରି ଭାବରେ ମହେନ୍ଦ୍ର ସିଂ ଧୋନିଙ୍କୁ ୧୨ କୋଟିରେ ରିଟେନ କରିଛନ୍ତି । ତେବେ ଚେନ୍ନାଇର ଏହି ନିର୍ଣ୍ଣୟ ସମସ୍ତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ସିଏସକେର ଏହି ନିର୍ଣ୍ଣୟ ଦର୍ଶାଉଛି କି ଚେନ୍ନାଇ ଆଗାମୀ ଦିନ ପାଇଁ ତା’ର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି । ଆଇପିଏଲରେ ଲଗାତର ଭାବରେ ଦମଦାର ପ୍ରଦର୍ଶନ କରିବା ଫଳରେ ପ୍ରଥମ ଖେଳାଳି ଭାବରେ ଜାଡେଜାଙ୍କୁ ରିଟେନ କରିଛି ସିଏସକେ ।

ଗତ ଦୁଇ ତିନି ବର୍ଷ କଥା ଯଦି କହିବା ତାହାଲେ ରବିନ୍ଦ୍ର ଜାଡେଜା ଚେନ୍ନାଇ ପାଇଁ ଦମଦାର ପ୍ରଦର୍ଶନ କରିଆସୁଛନ୍ତି । ଖାସ୍ କରି ବ୍ୟାଟିଂ କ୍ଷେତ୍ରରେ ବେଶ୍ ପରିପ୍ୱକ ନଜର ଆସିଛନ୍ତି ଜାଡେଜା । ଜାଡେଜା ବିଗତ ଦୁଇ ସିଜିନରେ ହାରାହାରି ୪୫ରେ ରନ ସ୍କୋର କରିଛନ୍ତି । ୨୦୨୧ କଥା ଯଦି କହିବା ତାହାଲେ ଜାଡେଜା ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ । ୨୦୨୧ ଆଇପିଏଲରେ ୧୬ଟି ମ୍ୟାଚରେ ୧୩ ଓ୍ବିକେଟ ଅକ୍ତିଆର କରିଥିଲେ । ଜାଡେଜାଙ୍କ ଏହି ପ୍ରଦର୍ଶନ ଫଳରେ ରବିନ୍ ଉଥପ୍ପା ଏବଂ ପାର୍ଥିବ ପଟେଲଙ୍କ ଅନୁସାରେ ଜାଡେଜା ଧୋନିଙ୍କ ଉତ୍ତରାଧୀକାର ଭାବରେ ଦଳରେ ରଖିଛି ।

ରବିନ ଉଥପ୍ପା କହିଛନ୍ତି କି ‘ ଧୋନି ଜାଡେଜାଙ୍କ ମହତ୍ତ୍ବ ଜାଣିଛନ୍ତି ।  ତେଣୁ ଧୋନିଙ୍କ ଅବସର ପରେ ରବିନ୍ଦ୍ର ଜାଡେଜା ଚେନ୍ନାଇର ନେତୃତ୍ବ ନେଇ ପାରନ୍ତି । ସେହିପରି ଭାବରେ ଭାରତୀୟ ଦଳର ପୂର୍ବତନ ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ କହିଛନ୍ତି କି ରବିନ୍ଦ୍ର ଜାଡେଜା ଅନ୍ତର୍ଜାତୀୟ କ୍ରିକେଟ ଏବଂ ଚେନ୍ନାଇ ପାଇଁ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି । ସେଥିପାଇଁ ଜାଡେଜା ଚେନ୍ନାଇ ସୁପର କିଙ୍ଗ୍ସର ପରବର୍ତ୍ତୀ ଅଧିନାୟକ ହେବେ ବୋଲି ସେ କହିଛନ୍ତି ।

ଜୁନିଅର ହକି ବିଶ୍ୱକପ: ସେମିରେ ଟିମ୍ ଇଣ୍ଡିଆ; ବେଲଜିୟମକୁ ୧-୦ରେ ଦେଲା ମାତ୍

ଭୁବନେଶ୍ୱର: ଜୁନିଅର ହକି ବିଶ୍ୱକପ ସେମିଫାଇନାଲରେ ଟିମ୍ ଇଣ୍ଡିଆ । ଟୋକିଓ ଅଲମ୍ପିକ୍ସ ପରାଜୟର ବଦଲା ନେଇଛି ଜୁନିଅର ହକି ଟିମ୍ । ବୁଧବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଶେଷ କ୍ବାଟର ଫାଇନାଲ ମ୍ୟାଚରେ ଶକ୍ତିଶାଳୀ ବେଲଜିୟମକୁ ହରାଇ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି ଟିମ୍ ଇଣ୍ଡିଆ । ଏଥିସହ ଚତୁର୍ଥ ଟିମ୍ ଭାବରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ  । ଆଜି ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ । ମ୍ୟାଚର ପ୍ରଥମ କ୍ୱାଟରରେ ଉଭୟ ଦଳ ଗୋଲ ସ୍କୋର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପ୍ରଥମ କ୍ୱାଟର ଶେଷ ସୁଦ୍ଧା କୌଣସି ଦଳ ଗୋଲ ସ୍କୋର କରି ପାରିନଥିଲେ । ତେବେ ଦ୍ୱିତୀୟ କ୍ୱାଟରରେ ବେଲିଜିୟମ ଉପରେ ଭାରି ପଡ଼ିଥିଲା ଟିମ୍ ଇଣ୍ଡିଆ । ମ୍ୟାଚର ୨୦ତମ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲା ଟିମ୍ ଇଣ୍ଡିଆ ।  ଯାହା ଫଳରେ ଭାରତ ୧-୦ରେ ଆଗୁଆ ରହିଥିଲା । ଦ୍ବିତୀୟ କ୍ବାଟର ଶେଷ ସୁଦ୍ଧା ଭାରତ ୧-୦ରେ ଆଗୁଆ ରହିଥିଲା ।

ଦ୍ୱିତୀୟ କ୍ୱାଟରରେ ଗୋଲ ସ୍କୋର କରିବା ପରେ ଏହି ଲିଡକୁ ମ୍ୟାଚର ଶେଷ ପର୍ଯ୍ୟନ୍ତ ବଜାୟ ରଖିଥିଲା ଭାରତ । ଶେଷ ଦୁଇଟି କ୍ୱାଟରରେ ବିପକ୍ଷ ଦଳ ବେଲଜିୟମକୁ ଏକାଧିକ ପେନାଲ୍ଟି କର୍ଣ୍ଣର ମିଳିଥିଲା କିନ୍ତୁ ଏହି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାକୁ ଦେଇନଥିଲେ ଭାରତୀୟ ରକ୍ଷଣ ଭାଗ ଖେଳାଳି । ଖାସ୍ କରି ଭାରତୀୟ ଗୋଲ ରକ୍ଷକ ପ୍ରଶାନ୍ତ ଚୌହାନ ଦମଦାର ପ୍ରଦର୍ଶନ କରିଥିଲେ । ବେଲଜିୟମର ସମସ୍ତ ଆକ୍ରମଣକୁ ଅଟକାଇଥିଲେ ପ୍ରଶାନ୍ତ । ଏହି ବିଜୟ ସହ ଚତୁର୍ଥ ଦଳ ଭାବରେ ସେମି ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି ଟିମ୍ ଇଣ୍ଡିଆ । ଏଥିସହ ଆସନ୍ତା ଡିସେମ୍ବର ୩ରେ ସେମି ଫାଇନାଲ ମୁକାବିଲାରେ ଜର୍ମାନୀକୁ ଭେଟିବ ଡିଫେଡିଂ ଚମ୍ପିଆନ ଭାରତ । ଡିସେମ୍ବର ୩ରେ ହେବାକୁ ଥିବା ସେମି ଫାଇନାଲ ମ୍ୟାଚରେ ଭାରତ ବିଜୟ ଲାଭ କରି ଫାଇନାଲରେ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

କାଲି ଆସିବ ରାୟ, ଆଜି ସୁମିତ ଓ ଡିମ୍ପଲଙ୍କୁ କାଉନସେଲିଂ କଲେ SDJM

ବ୍ରହ୍ମପୁର: ବ୍ରହ୍ମନଗରରେ ସ୍ୱାମୀଙ୍କ ଘର ଆଗରେ ନବବଧୂ ଡିମ୍ପଲଙ୍କ ଧାରଣା ଘଟଣା । ଏସଡିଜେଏମ କୋର୍ଟରେ ହାଜର ହେଲେ ଡିମ୍ପଲ ଓରଫ ତପସ୍ୱିନୀ ଦାଶ । ଡିମ୍ପଲଙ୍କ ପକ୍ଷରୁ କୋର୍ଟରେ ନୂଆ ପିଟିସନ ଦାଖଲ କରାଯାଇଛି । ସ୍ୱାମୀ ସୁମିତ ସାହୁ ଓ ଡିମ୍ପଲଙ୍କୁ କାଉସେଲିଂ କରିଛନ୍ତି SDJM । ଗଣମାଧ୍ୟମରେ ଏସମ୍ପର୍କରେ ପ୍ରତିକ୍ରିୟା ଦେବାକୁ କୋର୍ଟ ବାରଣ କରିଛନ୍ତି ।

ସେପଟେ ଯେହେତୁ ମାମଲା ବିଚରାଧିନ ରହିଛି, ତେଣୁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବାକୁ ବାରଣ କରିଛନ୍ତି କୋର୍ଟ  । ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଡିମ୍ପଲଙ୍କ ଓକିଲ । ଆସନ୍ତାକାଲି କୋର୍ଟ ରାୟ ଶୁଣାଇପାରନ୍ତି ବୋଲି ଡିମ୍ପଲଙ୍କ ଓକିଲ କହିଛନ୍ତି । ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ମାନିନଥିଲେ ବୋହୁ ଡିମ୍ପଲ । ସଖୀ ସୁରକ୍ଷା କେନ୍ଦ୍ର ପରିବର୍ତ୍ତେ ଡିମ୍ପଲ ପୁଣି ଧାରଣାରେ ବସିଥିଲେ ।

ଫିଲ୍ମ ଗଦ୍ଦାର-୨ ମାଧ୍ୟମରେ ପୁଣି ପରଦାରେ ଦେଖାଦେବେ ସନ୍ନି-ଅମିଷା

ଦିଲ୍ଲୀ : ଆସୁଛି ଗଦ୍ଦର-୨ । ଆରମ୍ଭ ହୋଇଛି ଫିଲ୍ମର ସୁଟିଂ । ଖୁବ୍ ଶୀଘ୍ର ପରଦାକୁ ଆସିବ ଏହି ସୁପରହିଟ୍ ଚଳଚ୍ଚିତ୍ରର ପାର୍ଟ-୨ । ୨୦୦୧ରେ ରିଲିଜ୍ ହୋଇଥିବା ସୁପରହିଟ୍ ଚଳଚ୍ଚିତ୍ର ‘ଗଦ୍ଦର’ ଚଳଚ୍ଚିତ୍ର ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଏଥିରେ ସନ୍ନି ଏବଂ ଅମିଷା ଚମତ୍କାର ଅଭିନୟ କରିଥିଲେ । ବର୍ତ୍ତମାନ ଏହାର ଦ୍ୱିତୀୟ ଭାଗର ସୁଟିଂ ଆରମ୍ଭ ହୋଇଯାଇଛି । ଉଭୟ ସନ୍ନି ଦେଓଲ ଏବଂ ଅମିଷା ପଟ୍ଟେଲ ସୁଟିଂ ସେଟରେ ବ୍ୟସ୍ତ ଥିବା ଦେଖାଯାଉଛି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି ।  ଗଦ୍ଦର-୨ କାହାଣୀର ଲେଖକ ତରଣ ଆଦର୍ଶ ଥିବା ବେଳେ ଅନିଲ ଶର୍ମା ଚଳଚ୍ଚିତ୍ରର ନିର୍ଦ୍ଦେଶନା କରିଛନ୍ତି । ଚଳଚ୍ଚିତ୍ରଟିକୁ ଜି ଷ୍ଟୁଡିଓ ଓ ଅନିଲ ଶର୍ମା ପ୍ରଯୋଜନା କରିଛନ୍ତି ।

 

ସନ୍ନି ଦେଓଲ ମଧ୍ୟ ସୁଟିଂ ସେଟରେ କେତେକ ଫଟୋ ନିଜ ଇନଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି । ଗଦ୍ଦର-୨ ଆରମ୍ଭ ହେଉଥିବା ସେ ଏଥିରେ ସ୍ପଷ୍ଟ କରିଛନ୍ତି । ସନ୍ନି ନିଜ ଇନଷ୍ଟା ଆକାଉଣ୍ଟରେ ଫିଲ୍ମର ପୋଷ୍ଟର ଛାଡ଼ିବା ପରେ ଦର୍ଶକ ଖୁବ୍ ଉତ୍ସାହିତ ଅଛନ୍ତି । ଏହାର ପ୍ରଥମ ଭାଗ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଏବେ ଏହାର ଦ୍ୱିତୀୟ ଭାଗର ରିଲିଜ୍ ପାଇଁ ଦର୍ଶକ ଅପେକ୍ଷାରେ ।

ତୃତୀୟ ଲହରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, କୋଭିଡ ନିୟମକୁ ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବୁଧବାର କୋଭିଡର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି  ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ ରହିବା ସହିତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ଏବଂ ସରକାରଙ୍କୁ ପୂର୍ଣ୍ଣ ସହଯୋଗ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡର ନୂଆ ଭାରିଏଣ୍ଟର ଭୟଭୟତା ସଂପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁ ଦେଶକୁ ସତର୍କ କରାଇ ଦେଇଛନ୍ତି ଏବଂ ଏହା ଗୁରୁତର ପ୍ରଭାବ ପକାଇବାର ମଧ୍ୟ ଆଶଙ୍କା କରିଛନ୍ତି ।

ଗତ କିଛି ସପ୍ତାହ ହେଲା ୟୁରୋପରେ ସଂକ୍ରମଣ ବୃଦ୍ଧି ପାଇଛି । ଏହି ନୂଆ ଭାରିଏଣ୍ଟ ଅଧିକ ସଂକ୍ରମଣଶୀଳ ଥିବାରୁ ଜନସାଧାରଣ ଏହାକୁ ଗୁରୁତର ସହ ନେବା ପାଇଁ ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଥମରୁ ହିଁ ଓଡିଶା ଏହି ମହାମୀରୀ ମୁକାବିଲା ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଆସିଛି । ଆହ୍ବାନମୂଳକ ପରିସ୍ଥିତି ସତ୍ତ୍ବେ ଜନସାଧାରଣଙ୍କ ସହଯୋଗରେ ଓଡିଶା ସଫଳତାର ସହିତ ପ୍ରଥମ ଓ ଦ୍ବିତୀୟ ଲହରୀର ମୁକାବିଲା କରିଥିଲା ଏବଂ ବର୍ତ୍ତମାନ ପରିସ୍ଥିତିର ଆମେ ମଧ୍ୟ ସଫଳ ମୁକାବିଲା କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶାବ୍ୟକ୍ତ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଆମର କୋଭିଡ ମୁକାବିଲା ପାଇଁ ଆମର ଥିବା ପ୍ରସ୍ତୁତିକୁ ପୁଣି ଥରେ ପୁନଃ ସକ୍ରିୟ କରିବା ସହିତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ ସମତେ ଏଥିରେ ସଂଶ୍ଲିଷ୍ଟ ସବୁ ଅଧିକାରୀ ମାନଙ୍କୁ ଜାଗତିଆର ରଖିବା ପାଇଁ ପରାମର୍ଶ ଦେଇଥିଲେ । କୋଭିଡ ନିୟମର ଯେପରି କଡାକଡି ପାଳନ କରାଯିବ, ସେଥିପ୍ରତି ସତର୍କ ପଦକ୍ଷେପ ନେବାପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ଆଦି କୋଭିଡ ନିୟମ ସଂପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ମିଶନ ଶକ୍ତି ଗ୍ରୁପ ପର୍ଯ୍ୟନ୍ତ ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ କରି ସଚେତନତା ତଥା କୋଭିଡ ନିୟମ ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଲୋଚନାରେ ଭାଗ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର କହିଲେ ଯେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ପୁରାପୁରି ସତର୍କ ଅଛନ୍ତି । କୋଭିଡ ଭିତ୍ତିଭୂମିକୁ ସୁଦୃଢ ରହିଛି ଏବଂ ତାକୁ ଆହୁରି ଅଧିକ ଜୋରଦାର କରିବା ପାଇଁ ପଦକ୍ଷେପ ନିଆଯାଉଛି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା କୋଭିଡ ମୁକାବିଲା ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ସେ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ଟେଷ୍ଟ ପଜିଟିଭ ହାର ମାତ୍ର ୦.୪୪ ପ୍ରତିଶତ ରହିଛି । ଚାରୋଟି ଜିଲ୍ଲା ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ସମ୍ବଲପୁରର କିଛି ଅଂଚଳରେ ଅପେକ୍ଷାକୃତ ଅଧିକ କେସ୍ ବାହାରିଥିଲେ ମଧ୍ୟ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ।

ନୂଆ ରୋଗୀ ମାନଙ୍କର Genome Sequencing ପାଇଁ ମଧ୍ୟ ନମୁନା ପଠାଯାଉଛି । ରାଜ୍ୟରେ ପ୍ରଥମ ଡୋଜ ଟୀକାକରଣ ୮୫.୬ ପ୍ରତିଶତ ଥିବାବେଳେ ଦ୍ୱିତୀୟ ଡୋଜ ଟୀକାକରଣ ୪୮.୪ ପ୍ରତିଶତ ରହିଛି, ଯାହା କି ଜାତୀୟ ହାର ଠାରୁ ଉନ୍ନତ ରହିଛି । ଘରକୁ ଘର ବୁଲି ଟୀକାକରଣ କାର୍ଯ୍ୟକୁ ତ୍ୱାରାନ୍ୱିତ କରାଯାଉଛି । ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କୋଭିଡରୁ ମୁକାବିଲା ପାଇଁ ପ୍ରସ୍ତୁତିକୁ ଆହୁରି ଉନ୍ନତ କରିବା, Oxygen Supply chainକୁ ଆହୁରି ମଜବୁତ କରିବା ଏବଂ ଘରୋଇ ହସ୍‌ପିଟଲଗୁଡିକୁ କୋଭିଡ ଚିକିତ୍ସା ପାଇଁ ପ୍ରସ୍ତୁତି ରଖିବା ଉପରେ ଗୁରୁତ୍ବ ଦେଇଥିଲେ । ବୈଠକରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ପୋଲିସ କମିଶନରଙ୍କ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ମହାନଗର ନିଗମ ଗୁଡିକର କମିଶନର ଏବଂ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।