ଆଜି ୭୪ତମ ପ୍ରତିଷ୍ଠା ଦିବସ ପାଳୁଛି ଭାରତୀୟ ସେନା, ସେନାର ବିରତ୍ୱ ଓ ବଳିଦାନକୁ ମନେ ପାକଉଛି ଦେଶବାସୀ  

2 min read

ନୂଆଦିଲ୍ଲୀ: ଭାରତୀୟ ସେନା ପାଳୁଛି ୭୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ନୂଆଦିଲ୍ଲୀ କାଣ୍ଟେନମେଣ୍ଟ ଅନ୍ତର୍ଗତ କାରିଆପ୍ପା ପରେଡ ଗ୍ରାଉଣ୍ଡରେ ଆୟୋଜିତ ହେଉଛି ଚିତ୍ତାକର୍ଷକ ପରେଡ । ପରେଡରେ ପ୍ରଦର୍ଶିତ କରାଯାଉଛି ବିଭିନ୍ନ ସାମରିକ ଅସ୍ତ୍ରଶସ୍ତ୍ର । ଦେଶର ସୁରକ୍ଷା ଲାଗି ସଂଗ୍ରାମ କରୁଥିବା ଯବାନମାନଙ୍କ ତ୍ୟାଗ ଓ ଅବଦାନକୁ ସ୍ମରଣ କରି ପ୍ରତିବର୍ଷ ଜାନୁଆରୀ ୧୫ରେ ପାଳିତ ହେଉଛି ଭାରତୀୟ ସେନା ଦିବସ । ୧୮୯୫ ମସିହା ଏପ୍ରିଲ ୧ ତାରିଖରେ ବ୍ରିଟିଶ-ଇଣ୍ଡିଆନ ଆର୍ମି ପ୍ରତିଷ୍ଠା ହୋଇଥିଲା । ପରେ ଜେନେରାଲ ଫ୍ରାନ୍ସିସ ବଚର ଏହାର ମୁଖ୍ୟ ହୋଇଥିଲେ । ୧୯୪୯ ଜାନୁଆରୀ ୧୫ ତାରିଖରେ ଭାରତ ପ୍ରଥମ ସେନାମୁଖ୍ୟଙ୍କୁ ଲାଭ କରିଥିଲା ଏବଂ ଜେନେରାଲ ଫ୍ରାନସିସଙ୍କଠାରୁ ଦାୟିତ୍ୱ ନେଇଥିଲେ ଲେଫ୍ଟନାଣ୍ଟ ଜେନେରାଲ କେ.ଏମ. କାରିଆପ୍ପା । ସେହିଦିନଠାରୁ ଭାରତୀୟ ସେନା ନିଜର ପ୍ରତିଷ୍ଠା ଦିବସ ପାଳନ କରୁଛି ।

୭୪ ତମ ସେନା ଦିବସ ଅବସରରେ ଭାରତୀୟ ସେନାର ବିରତ୍ୱ ଓ ବଳିଦାନ ପାଇଁ ସେନା ଓ ତାଙ୍କ ପରିବାର ପ୍ରତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ଲେଫ୍ଟନାଣ୍ଟ ଜେନେରାଲ କାରିଆପ୍ପାଙ୍କ ଅସାଧାରଣ ତ୍ୟାଗକୁ ସ୍ମରଣ କରି ଏହି ଦିବସ ପାଳିତ ହୋଇଆସୁଛି । ଭାରତୀୟ ଯବାନଙ୍କ ଅସୀମ ତ୍ୟାଗ, ବଳିଦାନ ସହ ଜଡିତ ଏହି ଦିବସରେ ଦେଶର କେତେକ ବରିଷ୍ଠ ସୈନିକ, ସେନା ଅଫିସରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ଏହି ପରେଡରେ ବିଭିନ୍ନ ପରମବୀର ଚକ୍ର, ବୀରଚକ୍ର ଓ ଅନ୍ୟାନ୍ୟ ସମ୍ମାନଧାରୀ ଅଫିସର ବି ସାମିଲ ହୋଇଛନ୍ତି । ଉତ୍ସବରେ ଯବାନମାନେ ସେମାନଙ୍କ ଦକ୍ଷତା, ଯୁଦ୍ଧକୌଶଳ ଆଦି ପ୍ରଦର୍ଶିତ ହୋଇଥିଲା ।

Leave a Reply