ପୁଣି ଅଡ଼ୁଆରେ ଜୋକୋଭିକ, ଦ୍ୱିତୀୟ ଥର ରଦ୍ଦ ହେଲା ତାଙ୍କ ଭିସା

ମେଲବର୍ଣ୍ଣ: ପୁଣି ଅଡୁଆରେ ଟେନିସ ଷ୍ଟାର ନୋଭାକ ଜୋକୋଭିକ । ଦ୍ୱିତୀୟ ଥର ପାଇଁ ତାଙ୍କ ଭିସା ରଦ୍ଦ କରାଯାଇଛି । ଟିକା ନେଇ ନଥିବା ଜୋକୋଭିକ ଅଷ୍ଟ୍ରେଲୀୟମାନଙ୍କ ଲାଗି ଏକ ବିପଦ ଦର୍ଶାଇ ଏହି ପଦକ୍ଷେପ ନିଆଯାଇଛି ।  ୩୪ ବର୍ଷ ବୟସ୍କ ଜୋକୋଭିକ ଏବେ ମେଲବର୍ଣ୍ଣରେ ଥିବାବେଳେ, ତାଙ୍କୁ ସ୍ୱଦେଶକୁ ପଠାଇବା ଲାଗି ପଦକ୍ଷେପ ବିରୋଧରେ କୋର୍ଟରେ ଆବେଦନ କରିଛନ୍ତି । ଅଷ୍ଟ୍ରେଲିଆ ଓପନ ଆରମ୍ଭ ହେବାକୁ ଆଉ ମାତ୍ର ୨ ଦିନ ବାକିଥିବାବେଳେ ଜୋକୋଭିକଙ୍କ ଅଡୁଆ ଦିନକୁ ଦିନ ଅଧିକ ହେବାରେ ଲାଗିଛି । ଅଷ୍ଟ୍ରେଲିଆର ଇମିଗ୍ରେସନ ବିଭାଗ ମନ୍ତ୍ରୀ ଆଲେକ୍ସ ହକ୍ କହିଛନ୍ତି, ଜୋକୋଭିକ କୋଭିଡ ଟିକା ବିରୋଧୀ ମନୋଭାବ ଅଷ୍ଟ୍ରେଲିଆରେ ସମସ୍ୟା ସୃଷ୍ଟି କରୁଛି ଏବଂ ଏହି ପ୍ରସଙ୍ଗକୁ ନେଇ ଦେଶରେ ଅସ୍ଥିରତା ଦେଖାଯାଇପାରେ । ଏହା ସହ ଅଷ୍ଟ୍ରେଲିଆରେ ଟିକା ବିରୋଧୀ ମାନସିକତାକୁ ଜୋକୋଭିକ ପ୍ରୋତ୍ସାହନ ଯୋଗାଇବାର ଆଶଙ୍କା ରହିଛି ।

ଫେଡେରାଲ କୋର୍ଟରେ ଏହି ମାମଲାର ଶୁଣାଣି ଆଜି ଓ ଆସନ୍ତାକାଲି ହେବାକୁ ଥିବାବେଳେ ମେଲବର୍ଣ୍ଣସ୍ଥିତ ଇମିଗ୍ରେସନ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହେବା ଲାଗି ଜୋକୋଭିକଙ୍କୁ ସମନ ଜାରି କରାଯାଇଛି । ଅଷ୍ଟ୍ରେଲିଆନ ବର୍ଡର ଫୋର୍ସ ଅଧୀନରେ ଏବେ ଜୋକୋଭିକ ରହିଛନ୍ତି । ଗତ ଜାନୁଆରୀ ୫ରେ ସେ ମେଲବର୍ଣ୍ଣରେ ପାଦ ଦେବା ପରଠାରୁ ତାଙ୍କର ଭିସା ଦୁଇ ଥର ନାକଚ ହେଲାଣି । ମେଡିକାଲ ଏକ୍ସେମ୍ପସନ କାରଣ ଦର୍ଶାଇ ସେ ଅଷ୍ଟ୍ରେଲିଆରେ ପ୍ରବେଶ କରିଥିଲେ । ତେବେ ଏହାକୁ ନେଇ ପ୍ରତିବାଦ ହେବା ପରେ ପ୍ରଧାନମନ୍ତ୍ରୀ ସ୍କଟ ମରିସନ ତାଙ୍କର ଭିସା ରଦ୍ଦ କରିଥିଲେ । ମାତ୍ର ମାମଲାର ଶୁଣାଣି କରି କୋର୍ଟ ତାଙ୍କ ଭିସାକୁ ପୁନଃକାର୍ଯ୍ୟକ୍ଷମ କରିଥିଲେ ।

Leave a Reply