spot_img
Home Blog Page 4809

‘ଅପରାଧୀଙ୍କୁ ମାଧ୍ୟମ କରି ସରକାର ଗଠନ କରିବାକୁ ଚାହୁଁଛି ବିଜେପି’

ଭୁବନେଶ୍ବର: ମମିତାଙ୍କୁ ନ୍ୟାୟ ନାଁରେ ଗତକାଲି ବିଜେପି କରିଥିବା ଗୁଣ୍ଡାଗିରିକୁ ବିଜେଡିର ନିନ୍ଦା । ହିଂସା ଓ ଅପରାଧୀଙ୍କୁ ମାଧ୍ୟମ କରି ବିଜେପି ସରକାର ଗଠନ କରିବାକୁ ଯୋଜନା କରୁଥିବା ଅଭିଯୋଗ ଆଣିଛି ଦଳ । ବିଜେପିର ଗୁଣ୍ଡାଗିରିକୁ ନେଇ ଏମିତି ବର୍ଷିଛନ୍ତି ବିଜେଡି ବିଧାୟକ ରାଜକିଶୋର ଦାସ ।

ସେ କହିଛନ୍ତି, ହିଂସା ବଳରେ ସରକାର ଗଠନ କରିବାକୁ ଯୋଜନା କରୁଛି ବିଜେପି । ଦଳର ଯୁବ ସଂଗଠନ ଦାୟିତ୍ବ ଜଣେ ଅପରାଧୀଙ୍କୁ ଦିଆଯାଇଛି । ଅପରାଧ ପ୍ରବଣର ମାନସିକତା ରଖୁଥିବେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ନେତୃତ୍ବରେ ହେଉଥିବା ଆନ୍ଦୋଳନରେ ହିଂସାକାଣ୍ଡ ଘଟିବା ସ୍ବାଭାବିକ । ବିଜେପିର କେନ୍ଦ୍ରୀୟ ନେତୃତ୍ବ ମଧ୍ୟ ହିଂସା ଉପରେ ବିଶ୍ବାସ କରେ । ଉତ୍ତରପ୍ରଦେଶ ଏବଂ ଗୁଜରାଟରେ ବିଜେପି ନେତାମାନେ ଭିଆଉଥିବା ହିଂସାର ଉଦାହାରଣ ଦେଇ ସେ ଏଭଳି ଆକ୍ଷେପ କରିଛନ୍ତି ।

ଓଡ଼ିଶାରେ ପୋଲିସ ବିରୋଧୀଙ୍କ ଶାଳୀନତା ରକ୍ଷା କରୁଥିବା ବେଳେ ବିରୋଧୀ ଦଳର ନେତା ଓ କର୍ମୀମାନେ ଗୁଣ୍ଡାଗିରି କରୁଛନ୍ତି । ବିଜେପି କର୍ମୀଙ୍କ ଆକ୍ରମଣରେ ବହୁ ସାଧାରଣ ଲୋକ ଓ ପୋଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି ବୋଲି ସେ କହିଛନ୍ତି ।

କେନ୍ଦ୍ର ବିରୋଧରେ ଗର୍ଜିଲେ ଅଙ୍ଗବାଡି କର୍ମୀ ଓ ସହାୟିକା

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ବିରୋଧରେ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ହାଲ୍ଲାବୋଲ । ଭୁବନେଶ୍ବର ଲୋୟର ପିଏମଜିରେ ବିଶାଳ ସମାବେଶରେ କେନ୍ଦ୍ର ସରକାରଙ୍କ ଅବହେଳା ବିରୋଧରେ ପ୍ରତିବାଦ ।

ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଦୀର୍ଘବର୍ଷ ଧରି ମାଆ ଓ ଶିଶୁମାନଙ୍କର ସେବା କରୁଛନ୍ତି । ପୂର୍ବରୁ ଏଥିପାଇଁ ୯୦:୧୦ ଅନୁପାତରେ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରୁଥିଲେ । ମାତ୍ର କେନ୍ଦ୍ରରେ ବିଜେପି ସରକାର ଆସିଲା ପରଠୁ ଅନୁଦାନ କମି ୬୦:୪୦ରେ ପହଞ୍ଚିଛି । କ୍ରମାଗତ ଭାବେ ମହିଳା ଓ ଶିଶୁ ବିକାଶ ଯୋଜନାରେ ବ୍ୟୟବରାଦ ମଧ୍ୟ କମିବାରେ ଲାଗିଛି ।

ଅନ୍ୟପଟେ ଓଡ଼ିଶା ସରକାର ଅଙ୍ଗନାବାଡି କର୍ମୀ ଓ ସହାୟିକାମାନଙ୍କର ପାରିଶ୍ରମିକକୁ ୩ହଜାର ଟଙ୍କା ବୃଦ୍ଧି କରିଛନ୍ତି । ଏହି ବାବଦରେ ବର୍ଷକୁ ୪ହଜାର ୫୦୦ କୋଟି ଟଙ୍କା ରାଜ୍ୟ ସରକାର ବହନ କରୁଛନ୍ତି । ଓଡ଼ିଶା ସରକାର ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଉଥିବାବେଳେ କେନ୍ଦ୍ର ସରକାର ସେମାନଙ୍କୁ କର୍ମଚାରୀର ମାନ୍ୟତା ନଦେଇ ସ୍ବେଚ୍ଛାସେବୀ ହିସାବରେ ରଖିଛନ୍ତି । କରୋନା ସମୟରେ ମଧ୍ୟ କେନ୍ଦ୍ର ସରକାର ସେମାନଙ୍କୁ କୌଣସି ସହାୟତା ଦେଇନଥିବାବେଳେ ଓଡ଼ିଶା ସରକାର କରୋନା ଯୋଦ୍ଧା ଘୋଷଣା କରି ସହାୟତା ପ୍ରଦାନ କରିଛନ୍ତି । ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାରରେ ସେମାନଙ୍କ ଦରମା ୧୮ହଜାର ଟଙ୍କାକୁ ବୃଦ୍ଧି କରିବାକୁ କେନ୍ଦ୍ର ନିକଟରେ ଅଙ୍ଗବାଡି କର୍ମୀ ଦାବି କରିଛନ୍ତି । ଏହାସହ ପେନସନ ସହିତ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି ।

ବିଜେଡିରେ ମିଶିଲେ ପ୍ରଫୁଲ୍ଲ ମାଝୀ

ଭୁବନେଶ୍ବର: ବିଜେଡିରେ ଯୋଗଦେଲେ ସୁନ୍ଦରଗଡ଼ ତଳସରାର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଡାକ୍ତର ପ୍ରଫୁଲ୍ଲ ମାଝୀ । ଗତ ୬ ତାରିଖରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।  ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରତାପ ଦେବ, ପ୍ରୀତିରଂଜନ ଘଡ଼େଇଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଉପସ୍ଥିତ ଥିଲେ ।

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଫୁଲ୍ଲଙ୍କୁ ଦଳରେ ସ୍ବାଗତ କରିବା ସହ ଦଳ ପଞ୍ଚାୟତ ନିର୍ବାଚନରେ କିଭଳି ଭଲ ଫଳାଫଳ କରିବ ସେ ନେଇ କାମ କରିବାକୁ ଆହ୍ବାନ ଦେଇଛନ୍ତି । ତଲସରା ନିର୍ବାଚନ ମଣ୍ଡଳୀରୁ ୩ଥର ବିଧାୟକ ହୋଇଥିଲେ ପ୍ରଫୁଲ୍ଲ ।

ବିଜେଡିରେ ସାମିଲ ହେବା ପରେ ସେ କହିଛନ୍ତି, ତଲସରା ଦିନେ କଂଗ୍ରେସର ଗଡ଼ ଥିଲା । ଦିଲ୍ଲୀରୁ ଓଡ଼ିଶା ମୁରବୀବିହୀନ ହୋଇପଡିଛି କଂଗ୍ରେସ । ଦଳରେ ତାଙ୍କୁ ଅଣଦେଖା କରିବା ସହ ଅପମାନିତ କରାଯାଉଥିଲା । ସେଭଳି ଦଳରେ ରହି ଲୋକଙ୍କ ସେବା କରିବା ସମ୍ଭବ ହେଲାନି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛି । ଆଦିବାସୀଙ୍କ ବିକାଶ ସହ ସୁନ୍ଦରଗଡ ଜିଲ୍ଲା ଏବଂ ରାଜ୍ୟର ବିକାଶ ନେଇ କାମ କରିବୁ।

ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭଲ ପାଆନ୍ତି ବୋଲି ଏହି ଅବସରରେ କହିଛନ୍ତି ପ୍ରଫୁଲ୍ଲ । ସମସ୍ତେ ଶୄଙ୍ଖଳାର ସହ କାମ କରିବେ । ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ କରିବ ବୋଲି ସେ କହିଛନ୍ତି ।

CDS ବିପିନ ରାଓ୍ୱତଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କଲେ ସଞ୍ଜୟ ରାଉତ

ମୁମ୍ବାଇ: ଗତ ବୁଧବାର ତାମିଲନାଡୁର କୁନ୍ନୁରରେ ବାୟୁ ସେନାର MI-17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ସହିଦ ହୋଇଛନ୍ତି ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାଓ୍ୱତ । ବିପିନ ରାଓ୍ୱତ, ତାଙ୍କ ପତ୍ନୀଙ୍କ ସହ ମୋଟ ୧୩ ଜଣ ସେନା ଅଧିକାରୀ ଏହି ଦୁର୍ଘଟଣାରେ ସହିଦ ହୋଇଛନ୍ତି । ଏହି ଦୁର୍ଘଟଣାରେ ରାଓ୍ୱତଙ୍କ ମୃତ୍ୟୁ ପରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ମଧ୍ୟ ବିପିନ ରାଓ୍ୱତଙ୍କ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି ଦେଶବାସୀ ।

ତାମିଲନାଡୁ କୁନ୍ନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ସେ କହିଛନ୍ତି କି ଏହି ଦୁର୍ଘଟଣାରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାଓ୍ୱତଙ୍କ ମୃତ୍ୟୁ ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ପାକିସ୍ତାନ ଓ ଚୀନ ବିପକ୍ଷରେ ଭାରତୀୟ ସେନା ଲଢ଼ିବା ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ବିପିନ । ସଞ୍ଜୟ ରାଉତ ଆହୁରି କହିଛନ୍ତି କି ଦେଶର ସର୍ବୋଚ୍ଚ ସେନାପତି ସବୁଠାରୁ ଆଧୁନିକ ଓ ସୁରକ୍ଷିତ ହେଲିକପ୍ଟରରେ ଯାତ୍ରା କରୁଥିଲେ । ତେବେ ଏହି ହେଲିକପ୍ଟର କିପରି ଦୁର୍ଘଟଣାଗ୍ରସ୍ତ ହେଲା ତାହା ଏବେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି ।

ଏହି ଦୁର୍ଘଟଣାରେ ସିଡିଏସଙ୍କ ମୃତ୍ୟୁ ପରେ ସାରା ଦେଶର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଲୋକଙ୍କ ମନରେ ପ୍ରଶ୍ନ ଯେ ଏହି ଦୁର୍ଘଟଣା କିପରି ହୋଇଛି । ତେଣୁ ପ୍ରତିରକ୍ଷା ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏହି ଘଟଣାରେ ସାଧାରଣ ଲୋକଙ୍କ ସବୁ ସନ୍ଦେହକୁ ଦୂର କରିବା ପାଇଁ ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ସର୍ଜିକାଲ ଷ୍ଟ୍ରାଇକ୍ ହେଉ କିମ୍ବା ପୁଲୁଓ୍ୱାମା ଆକ୍ରମଣ ପରେ ଭାରତୀୟ ବାୟୁ ସେନା ଦ୍ୱାରା ହୋଇଥିବା ଏୟାର ଷ୍ଟ୍ରାଇକ ସବୁ ବଡ଼ ଆକ୍ରମଣ ପଛରେ ବିପିନ ରାଓ୍ୱତ ବଡ଼ ଭୂମିକା ତୁଲାଇଥିଲେ ବୋଲି କହିଛନ୍ତି ସଞ୍ଜୟ ରାଉତ ।

ବିବାହ ବନ୍ଧନରେ ବାନ୍ଧି ହେଲେ ସୁପରହିଟ ଯୋଡି କ୍ୟାଟ୍ରିନା କୈଫ ଓ ଭିକି କୌଶଲ

ଜୟପୁର: ବାଜିଲା ସାହାନାଇ, ପଡିଲା ହାତଗଣ୍ଠି । ବିବାହ ବନ୍ଧନରେ ବାନ୍ଧି ହେଲେ ସୁପରହିଟ ଯୋଡି କ୍ୟାଟ୍ରିନା କୈଫ ଓ ଭିକି କୌଶଲ । କାଲି ହାତକୁ ଦି ହାତ ହୋଇଛନ୍ତି ବଲିଉଡର ଏହି ଲଭ ବାର୍ଡ । ରାଜସ୍ଥାନ ମଧୋପୁରର ସିକ୍ସ ସେନ୍ସେସ ରିଜର୍ଟରେ ପଡିଲା ହାତଗଣ୍ଠି । ବରୱାରା ଦୁର୍ଗରେ ଭିକି ଓ କ୍ୟାଟ୍ରିନାଙ୍କ ଡେଷ୍ଟିନେସନ ୱେଡିଂ ହୋଇଛି । ପାଲିଙ୍କିରେ ବିବାହ ମଣ୍ଡପକୁ ଏଣ୍ଟ୍ରି ମାରିଛନ୍ତି କ୍ୟାଟ୍‌ ।

ସେହିପରି ଭିକି ୭ଟି ଘୋଡା ଗାଡିରେ ଏଣ୍ଟ୍ରି କରିଥିଲେ । ପଞ୍ଜାବୀ ରିତିନୀତିରେ ବିବାହ ହୋଇଥିଲା । ଉଭୟଙ୍କ ପରିବାର ବର୍ଗ ସହ ମାତ୍ର ୧୨୦ ଅତିଥି ଉପସ୍ଥିତ ଥିଲେ । ବିବାହ ପୂର୍ବରୁ ନବଦମ୍ପତ୍ତି ନିଜ ୱେଡିଂ ଡେ କୁ ସେଲିବ୍ରେଟ କରି ଏକ ୫ ଷ୍ଟାର କେକ୍‌ କାଟିଥିଲେ । ଯାହାକୁ ଇଟାଲିର ଜଣେ ସୁପ୍ରତିଷ୍ଠିତ ସେଫ୍ ପ୍ରସ୍ତୁତ କରିଛନ୍ତି ।

ଏକାଧିକ ସିମ୍ କାର୍ଡ ରଖିଛନ୍ତି କି? ସାବଧାନ…

ନୂଆଦିଲ୍ଲୀ: ଦେଶର ଏବେ ଯେଉଁ ସବୁ ନୂଆ ସ୍ମାର୍ଟଫୋନ ଆସୁଛି ତାହା ସବୁ ଡୁଆଲ୍ ସିମ୍ । ଯାହା ଫଳରେ ଲୋକମାନେ ଏକାଧିକ ସିମ୍ କାର୍ଡ ବ୍ୟବହାର କରୁଛନ୍ତି । ଏମିତି କି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଅନେକ ସିମ୍ କାର୍ଡ ରହିଛି । ତେବେ ସରକାରଙ୍କ ନୂଆ ନିୟମ ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ ନାମରେ ୯ରୁ ଅଧିକ ସିମ୍ କାର୍ଡ ରହିଥିବା ତେବେ ଏହି ସିମକୁ ନିଷ୍କ୍ରିୟ କରାଯିବ । ଟେଲିକମ୍ ବିଭାଗ ଏହି ସବୁ ସିମକୁ ପୁଣି ଥରେ ଯାଞ୍ଚ କରିବ । ଯେଉଁ ବ୍ୟକ୍ତିଙ୍କ ପାଖରେ ୯ରୁ ଅଧିକ ସିମ୍ କାର୍ଡ ଥିବ ସେ ସବୁ ସିମକୁ ଟେଲିକମ୍ ବିଭାଗ ନିଷ୍କ୍ରିୟ କରିବ ।  ତେବେ ନିଷ୍କ୍ରୟ କରିବା ପୂର୍ବରୁ ଉପଭୋକ୍ତାଙ୍କୁ ଏକ ବିକଳ୍ପ ପ୍ରଦାନ କରିବ ଟେଲିକମ୍ ବିଭାଗ ।

ଜାମ୍ମୁ କାଶ୍ମୀର ଓ ନର୍ଥଇଷ୍ଟ ରାଜ୍ୟ ଗୁଡିକରେ ଜଣେ ବ୍ୟକ୍ତି ୬ଟି ସିମ୍ କାର୍ଡ ବ୍ୟବହାର କରିପାରିବ । ଯେଉଁବ୍ୟକ୍ତିଙ୍କ ପାଖରେ ୬ରୁ ଅଧିକ ସିମ୍ ଥିବା ସେମାନଙ୍କ କାର୍ଡ ଯାଞ୍ଚ କରାଯିବ । ଜାମ୍ମୁ କାଶ୍ମୀର ଓ ନର୍ଥଇଷ୍ଟ ରାଜ୍ୟ ବ୍ୟତୀତ ଭାରତରେ ଅନ୍ୟ ରାଜ୍ୟରେ ଜଣେ ବ୍ୟକ୍ତିଙ୍କ ନାମରେ ୯ଟି ସିମ୍ କାର୍ଡ ରଖିପାରିବେ । ଟେଲିକମ୍ ବିଭାଗ ୯ରୁ ଅଧିକ ସିମ୍ ଥିବା ବ୍ୟକ୍ତିଙ୍କୁ ସେମାନଙ୍କ ସିମ୍ ଯାଞ୍ଚ କରିବା ପାଇଁ କୁହାଯିବ । ଯେଉଁ ଉପଭୋକ୍ତା ଯାଞ୍ଚ କରିବେ ନାହିଁ ସେମାନଙ୍କ ସବୁ ନମ୍ବର ନିଷ୍କ୍ରିୟ କରାଯିବ । ଅନ୍ୟପକ୍ଷରେ ଯେଉଁ ସିମ୍ ଯାଞ୍ଚ କରିବାକୁ ଚାହିଁବେ ତାହାଲେ ସେମାନେ ତାଙ୍କ ପସନ୍ଦର ୯ଟି ନମ୍ବର ରଖିପାରିବେ ।

ଦେଶରେ ଆର୍ଥିକ ଅପରାଧ, ସ୍ୱଂୟକ୍ରୟ କଲ ଏବଂ ଠକେଇ ମାମଲା ବୃଦ୍ଧି ପାଉଥିବାରୁ ମୋବାଇଲ ନମ୍ବର ଯାଞ୍ଚ କରିବାକୁ ନିଷ୍ପତି ନେଇଛି ଟେଲିକମ୍ ବିଭାଗ । ଟେଲିକମ୍ ବିଭାଗ କହିଛି କି ଯେଉଁ ବ୍ୟକ୍ତିଙ୍କ ପାଖରେ ୯ରୁ ଅଧିକ ସିମ୍ ରହିଛି ଯଦି ସେମାନେ ତାଙ୍କ ସିମ୍ ଯାଞ୍ଚ କରିବେ ନାହିଁ ତେବେ ସବୁ ସିମ୍ ଡିସେମ୍ବର ୭ ପରେ ୬୦ ଦିନ ଭିତରେ ନିଷ୍କ୍ରିୟ କରାଯିବ ।

 

୫ ହରିଣ ଛାଲ ଜବତ, ବନ୍ଧା ହେଲେ ଦୁଇ

ପିପିଲି: କଠୋର ଆଇନ, ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପରେ ବି ବନ୍ୟଜନ୍ତୁ ବିପଦରେ । ଅପରାଧୀଙ୍କ ଲୋଭର ଶିକାର ହେଉଛନ୍ତି ବନ୍ୟଜନ୍ତୁ । ମୋଟା ଅର୍ଥରେ କାରବାର ହେଉଛି ଅଙ୍ଗପ୍ରତ୍ୟଙ୍ଗ । ଏମିତି ହରିଣ ଚୋରା ଚାଲାଣ ବେଳେ ଦୁଇ ଅଭିଯୁକ୍ତଙ୍କୁ ଧରିଲା ଏସଟିଏଫ । ଜବତ ହେଲା ୫ ହରିଣ ଛାଲ ।

ବାଲିପାଟଣା ଓ ଖୋର୍ଦ୍ଧା ବନ ବିଭାଗ ସହାୟତାରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ । ଗିରଫ ୨ ଅଭିଯୁକ୍ତ ହେଲେ ପୁରୀ ବଳଙ୍ଗାର କୃଷ୍ଣଚନ୍ଦ୍ର ସ୍ବାଇଁ ଓ ଗୋପର ସୁନୀଲ କୁମାର ପଲେଇ ।

୨୦୨୦ରୁ ଏବେ ସୁଦ୍ଧା ୨୧ଟି ବାଘ ଛାଲ, ୧୨ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ, ୮ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫ କେଜି ବଜ୍ରକାପ୍ତା କାତି ଜବତ କଲାଣି ଏସଟିଏଫ୍ । ୫୦ ବନ୍ୟପ୍ରାଣୀ ଅପରାଧୀଙ୍କୁ ଗିରଫ ହେଲେଣି ।

ଭାଇକୁ କଟୁରୀରେ ହାଣିଲା ଭାଇ

ଯାଜପୁର: ମତାନ୍ତରରୁ ଶତ୍ରୁତା । ଭାଇ ହେଲା ବଇରୀ । ପୂର୍ବ ଶତ୍ରୁତାରୁ ସମ୍ପର୍କିୟ ଭାଇକୁ କଟୁରୀରେ ହାଣି ହତ୍ୟା କଲା ଭାଇ । ଏମିତି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଟାଉନ ଥାନା ଅଞ୍ଚଳରେ । ମୃତକ ହେଲେ ପ୍ରକାଶ ଦାସ ।

ସୂଚନା ଅନୁସାରେ ମୃତକ ସକାଳୁ ସମିତିସଭ୍ୟଙ୍କ ସହ କଥା ହେଉଥିବା ବେଳେ ଅଭିଯୁକ୍ତ ଦେବ ପ୍ରସାଦ ମଲ୍ଲିକ ପହଞ୍ଚି ପୁରୁଣା କଥାକୁ ନେଇ ପ୍ରକାଶଙ୍କ ସହ ଯୁକ୍ତିତର୍କ କରିଥିଲେ । ପରେ ବସଚା ଏବଂ କ୍ଷମା ପ୍ରାର୍ଥନା ଆଳରେ ଲୁଚାଇ ରଖିଥିବା କଟୁରୀରେ ବେକକୁ ଚୋଟ ପକାଇଥିଲେ । ଗୁରୁତର ଅବସ୍ଥାରେ ପ୍ରକାଶଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାଜପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ।

ଗୃହ ଚଲାଇ ଦେଉ ନାହାନ୍ତି ବିରୋଧୀ

ଭୁବନେଶ୍ବର: ଲଗାତର ୮ ଦିନ ଧରି ଚାଲିପାରୁନି ବିଧାନସଭା ଶୀତ ଅଧିବେଶନ । ଆଉ ଆଜି ନବମ ଦିନରେ ବି ସାମନ ଅବସ୍ଥା । ଆରମ୍ଭରୁ ବିରୋଧୀ ବିଜେପି ଓ କଂଗ୍ରେସ ଗୃହ ମଧ୍ୟଭାଗକୁ ଆସି ଘଣ୍ଟ ବଜାଇବା ସହ ପ୍ଲା-କାର୍ଡ ଧରି ନାରାବାଜି କରିଥିଲେ । ବିରୋଧୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବାଚସ୍ପତି, ହେଲେ ବିରୋଧୀ ଶୁଣିନଥିଲେ । ତେଣୁ ବାଚସ୍ପତି ଗୃହକୁ ସାଢେ ୧୧ ଯାଏଁ ମୁଲତବି ଘୋଷଣା କରିଛନ୍ତି ।

୩ ଥର ସର୍ବଦଳୀୟ ବୈଠକ ପରେ ବି ସହଯୋଗ କରୁନାହାନ୍ତି ବିରୋଧୀ । ବିରୋଧୀଙ୍କ ଏପରି ବିଶୃଙ୍ଖଳା ପାଇଁ ବିଧାନସଭାରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରୁନି । ଉଠିପାରୁନି ଲୋକଙ୍କ ସ୍ବାର୍ଥ କଥା ।

ସେପଟେ ଆଜି ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବାର କାର୍ଯ୍ୟକ୍ରମ ରହିଛି । ୨୦୨୧-୨୨ ଆର୍ଥିକବର୍ଷ ନିମନ୍ତେ ରାଜ୍ୟ ସରକାର ଅତିରିକ୍ତ ୧୯ ହଜାର ୮୩୩ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଯାହା ଉପରେ ଆଜି ମୋହର ବାଜିବା କାର୍ଯ୍ୟକ୍ରମ ରହିଛି ।

ସେହିପରି ଆଜି ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସାଧାରଣ, ସାମାଜିକ ଓ ରାଜସ୍ବ କ୍ଷେତ୍ରର ସିଏଜି ରିପୋର୍ଟ ଉପସ୍ଥାପନ କରିବେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାର୍ଷିକ ରିପୋର୍ଟ, ରାଜ୍ୟ ପରିବହନ ନିଗମର ବାର୍ଷିକ ରିପୋର୍ଟ, ଜିଲ୍ଲା ଖଣିଜ ପାଣ୍ଠିର ବାର୍ଷିକ ରିପୋର୍ଟ ବିଭାଗୀୟ ମନ୍ତ୍ରୀ ଉପସ୍ଥାପନ କରିପାରନ୍ତି । ଗୁରୁବାର ସବୁ ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ ମାଧ୍ୟମରେ ପାରିତ ହୋଇଥିବା ବେଳେ କେବଳ ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇ ପାରିତ ହୋଇଥିଲା ।

ଓମିକ୍ରନ୍ ଆତଙ୍କ: ଧନୀ ରାଷ୍ଟ୍ରଙ୍କୁ ସତର୍କ କରାଇଲା WHO

ନୂଆଦିଲ୍ଲୀ: ବିଶ୍ୱରେ ଓମିକ୍ରନ କାୟା ବଢୁଥିବା ବେଳେ ଧନୀ ରାଷ୍ଟ୍ରଙ୍କୁ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ନିଜ ଦେଶର ନାଗରିକଙ୍କ ସୁରକ୍ଷା ପ୍ରଦାନ କରିବା ଲାଗି ଯେଉଁ ବୁଷ୍ଟର ଡୋଜ ପ୍ରଦାନ କରାଯାଉଛି ତାହାକୁ ସମାଲୋଚନା କରିଛି ସଂଗଠନ । ଏହି ଅସମାନୁପାତିକ ପ୍ରକ୍ରିୟା ପୁଣି ଥରେ ବିପଦକୁ ଡାକି ଆଣିବ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଟିକାକରଣ ନେଇ ବସିଥିବା ବିଶେଷଜ୍ଞ କମିଟି ବୈଠକରେ ବୁଷ୍ଟର ଡୋଜ ନେଇ ଚିନ୍ତାପ୍ରକଟ କରାଯିବା ସହ ବିଭିନ୍ନ ଧନୀ ରାଷ୍ଟ୍ରକୁ ଏନେଇ ଚେତାବନୀ ଦିଆଯାଇଛି ।

ଟିକା ଅଭାବରୁ ଅନେକ କମ୍ ଆୟକରୀ ଓ ଗରିବ ରାଷ୍ଟ୍ର ସମସ୍ୟାରେ ରହିଥିବା ବେଳେ ସେହି ସବୁ ରାଷ୍ଟ୍ରକୁ ଟିକା ରପ୍ତାନି ଲାଗି ପରାମର୍ଶ ଦିଆଯାଇଛି । ଯେଉଁମାନେ ଟିକା ଅଭାବରୁ ଜୀବନ ବିପଦରେ ରହିଛନ୍ତି ସେମାନଙ୍କ ଟିକାକରଣକୁ ପ୍ରଥମେ ପ୍ରାଧାନ୍ୟ ଦେବାକୁ ଆହ୍ୱାନ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିକାକରଣ ବିଭାଗ ମୁଖ୍ୟ ଡାକ୍ତର କେଟ୍ ଓବ୍ରିଏନ । ଆଫ୍ରିକା ସମେତ ଅନ୍ୟାନ୍ୟ ରାଷ୍ଟ୍ରରେ ଟିକାକରଣ ଅଭାବରୁ କରୋନା ତାଣ୍ଡବ ଜାରି ରହିଛି । ସେପଟେ ବ୍ରିଟେନରେ ଗୋଟିଏ ଦିନରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ବଢିଛି । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ରୁ ଅଧିକ ହୋଇଛି ।