ଶ୍ରୀକ୍ଷେତ୍ରରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନେଇ NMA ଏନଓସି ଦେଇଥିବା ସ୍ପଷ୍ଟ କଲେ ଜିଲ୍ଲାପାଳ

1 min read

ପୁରୀ: ୨୦୨୩ ମସିହା ରଥଯାତ୍ରା ପୂର୍ବରୁ ଐତିହ୍ୟ କରିଡର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଛି  । କିନ୍ତୁ ବିଭିନ୍ନ ସମୟରେ ପ୍ରକଳ୍ପ ପାଇଁ ଏନଓସି ନଥିବା ଅଭିଯୋଗ କରି ବାଧା ସୃଷ୍ଟି କରାଯାଉଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ ମିଳିଛି  । ଏବେ ପୁଣି କେଁ ପୂରାଇଥିବାକୁ ନେଇ ଜବାବ ରଖିଛନ୍ତି ଜିଲ୍ଲାପାଳ  । ଶ୍ରୀମନ୍ଦିର ଐତିହ୍ୟ କରିଡରରେ ଜାରି ରହିଥିବା ନିର୍ମାଣ କାର୍ଯ୍ୟ ନେଇ ଏନଏମଏର ଏନଓସି ପାଇଥିବା ସ୍ପଷ୍ଠ କରିଛନ୍ତି ପୁରୀ ଜିଲ୍ଲାପାଳ  । ନିର୍ମାଣକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱକୁ ଖଣ୍ଡନ କରିଛନ୍ତି  । ସେପଟେ ଶ୍ରୀଜଗନ୍ନାଥ କ୍ଷେତ୍ରର ବିକାଶରେ ବିରୋଧ ଯୁକ୍ତିଯୁକ୍ତ ନୁହଁ ବୋଲି ବୁଦ୍ଧିଜୀବୀ ମହଲ କହିଛି  ।

ଶ୍ରୀମନ୍ଦିର ବିକାଶରେ କିଏ ଶତ୍ରୁ ? ବଡ଼ଦେଉଳ ବିକାଶ କାର୍ଯ୍ୟରେ ବାଧା ଦେଉଥିବା କିଏ ସେହି କଳାପାହାଡ଼ ? ଶ୍ରୀକ୍ଷେତ୍ର ଶିରି ବଢୁଥିବାରୁ ଅସହିଷ୍ଣୁ କି ? ଏନଓସି ସତ୍ତ୍ବେ କାହିଁକି ଓ କାହା ସ୍ବାର୍ଥରେ ପ୍ରକଳ୍ପକୁ ଅଟକାଇକୁ ଚେଷ୍ଟା କରାଯାଉଛି ? ସରକାରଙ୍କ ସୁପରପ୍ଲାନରେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି  । ୨୦୨୩ ରଥଯାତ୍ରା ଡେଡଲାଇନ। କିନ୍ତୁ ଏହା ଭିତରେ ବାରମ୍ବାର ଆଇନଗତ ପ୍ରଶ୍ନ ଉଠାଇ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରାଯାଉଛି । ଯେଉଁଥିପାଇଁ ପୂର୍ବରୁ ମଧ୍ୟ ତିନି ତିନି ଥର ବିବାଦ ହୋଇ ସମାଧାନ ହୋଇଛି  । ୨୦୨୧ ଫେବ୍ରୁଆରୀ ୮ ତାରିଖରେ ଏ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଏନଏମଏ ନୋଟିଫିକେସନ ହଟାଇ ନେବାକୁ ନିର୍ଦ୍ଦେଶ ଦେଇଥିଲେ  । ସେହିପରି ସୁପ୍ରିମକୋର୍ଟର ଏକ ମାମଲାରେ ଶୁଣାଣି କରି ଶ୍ରୀଜଗନ୍ନାଥ ମନ୍ଦିର କରିଡର ବିକାଶ ପ୍ରକଳ୍ପକୁ ଗ୍ରୀନ ସିଗନାଲ ଦେଇଥିଲେ  । ଏତେସବୁ ସତ୍ତ୍ବେ ପୁଣି ଥରେ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠି ଏହାକୁ ପ୍ରସଙ୍ଗ କରୁଛନ୍ତି  ।

ଯାହାକୁ ଖଣ୍ଡନ କରିଛନ୍ତି ପୁରୀ ଜିଲ୍ଲାପାଳ  । ଏନଏମଏ ପକ୍ଷରୁ  NOC ପ୍ରଦାନ କରାଯାଇଥିବା ନେଇ ସ୍ପଷ୍ଠ କରିଛନ୍ତି ଜିଲ୍ଲାପାଳ  । ସାଧାରଣ ଭକ୍ତ,ସେବାୟତଙ୍କ ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ସୁରକ୍ଷା କରିଡର ମଧ୍ୟରେ ଟଏଲେଟ, କ୍ଲକ ରୁମ, ଇଲେକଟ୍ରିକାଲ ରୁମ ଆଦି ନିର୍ମାଣ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ  । ଏପରିକି ଆମସାର ଆକ୍ଟ ଅନୁଯାୟୀ ନିଷିଦ୍ଧାଞ୍ଚଳରେ ଏ ସମସ୍ତ କାମ କରାଯାଉଥିବା ବେଳେ ASI ଡିଜି କାର୍ଯ୍ୟର ତଦାରଖ କରି ଖୁସି ବ୍ୟକ୍ତ କରିଛନ୍ତି  । ନିର୍ମାଣ କାର୍ଯ୍ୟକୁ ନେଇ ଉପୁଜିଥିବା ଚର୍ଚ୍ଚାକୁ ଖଣ୍ଡନ କରାଯାଇଥିବା ବେଳେ ସେବାୟତ ମାନେ ଏହାକୁ ସ୍ବାଗତ କରିଛନ୍ତି |

ଶ୍ରୀମନ୍ଦିର ଚତୁଃର୍ପାଶ୍ୱରେ କରାଯାଉଥିବା ବିକାଶ ମୂଳକ କାର୍ଯ୍ୟକୁ ନେଇ ଉଠିଥିବା ଦ୍ୱନ୍ଦ୍ୱର ସମାଧାନ କରାଯିବା ଉଚିତ  । କାର୍ଯ୍ୟ ସମ୍ପର୍କରେ ଅବଗତ ନ ହୋଇ ଏହାର ବିରୋଧ କରିବା ସମସ୍ଥଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ବୋଲି କହିଛନ୍ତି ବୁଦ୍ଧିଜୀବୀ  ।  ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ସୁବିଧାକୁ ନେଇ ଏହି ନିର୍ମାଣ କାର୍ଯ୍ୟକୁ ଶୀଘ୍ର ଶେଷ କରାଯାଇ ପାରିଲେ ଏହା ସମସ୍ଥଙ୍କ ପାଇଁ ମଙ୍ଗଳ ହେବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି  । ୨୦୨୧ ଫେବ୍ରୁଆରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ଗସ୍ତ କରି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ  । କହିଥିଲେ, ଶ୍ରୀଜଗନ୍ନାଥଙ୍କ କାମ କୌଣସି କେବେ ବି ଅଟକିବନି  । ଏନଓସି ମିଳିଛି, ତଥାପି କାହିଁକି ପ୍ରକଳ୍ପର କାର୍ଯ୍ୟରେ ବାଧା ସୃଷ୍ଟି କରାଯାଉଛି ଏ ସସପେନ୍ସରୁ ବି ପରଦା ହଟିବା ହଟିବା ଦରକାର  ।