ତୃତୀୟ ରାଉଣ୍ଡ କଥାବାର୍ତ୍ତାକୁ ନେଇ ସସପେନ୍ସ, ୟୁକ୍ରେନର ହଁ ଋଷର ନା…

1 min read

କିଭ୍: ଯୁଦ୍ଧ ପ୍ରସଙ୍ଗରେ ଋଷ-ୟୁକ୍ରେନ ତୃତୀୟ ରାଉଣ୍ଡ କଥାବାର୍ତ୍ତାକୁ ନେଇ ସସପେନ୍ସ । ବେଲାଋଷରେ ଅନୁଷ୍ଠିତ ଏହି କଥାବାର୍ତ୍ତା ସଫଳ ହୋଇଛି ବୋଲି ୟୁକ୍ରେନ ଦାବି କରୁଥିବାବେଳେ ବିଫଳ ହୋଇଛି ବୋଲି ଦର୍ଶାଇଛି ଋଷ । ବିଭିନ୍ନ ସହରରେ ହଜାର ହଜାର ଲୋକ ଫସି ରହିଥିବା ଯୋଗୁ ସେମାନଙ୍କ ନିରାପତ୍ତା ଲାଗି ହ୍ୟୁମାନିଟାରିଆନ କରିଡର ପ୍ରତିଷ୍ଠା ଲାଗି ପ୍ରସ୍ତାବ ରଖିଥିଲା ୟୁକ୍ରେନ । ମାତ୍ର ଏନେଇ କୌଣସି ନିଷ୍ପତ୍ତି ହୋଇପାରି ନାହିଁ ।

How Russia Claims Georgia And Crimea And Now Ukraine War

ଋଷର ମଧ୍ୟସ୍ଥି ଭ୍ଲାଦିମିର ମେଦିନସ୍କି କହିଛନ୍ତି- ବୈଠକରେ ଋଷ ଯାହା ଆଶା କରୁଥିଲା ତାହା ଘଟିଲା ନାହିଁ । ପରବର୍ତ୍ତୀ ସମୟରେ ଋଷ ଏନେଇ ଚିନ୍ତା କରିବ । ତେବେ ୟୁକ୍ରେନ ପ୍ରତିନିଧି ମିଖାଇଲୋ ପୋଦଲ୍ୟାକ କହିଛନ୍ତି- ବୈଠକରୁ କିଛି ସୁଫଳ ମିଳିଛି । ଗତକାଲି କିବ୍, ମାରିୟୁପୋଲ, ଖାର୍କିବ ଓ ସୁମିରେ ହ୍ୟୁମାନିଟାରିଆନ କରିଡର ପ୍ରତିଷ୍ଠା ନିମନ୍ତେ ଋଷର ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲା ୟୁକ୍ରେନ । ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୋଇଥିଲେ ଲୋକମାନେ ନିରାପଦରେ ଋଷ ଓ ବେଲାଋଷ ଚାଲିଯାଇପାରିଥାନ୍ତେ ।

ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତିଙ୍କ ମୁଖପାତ୍ର କହିଛନ୍ତି- ଲୋକଙ୍କୁ ଅଧିକ ଦୁର୍ଦ୍ଦଶା ଘେରକୁ ଠେଲି ଦେବା ଲାଗି ଋଷ ଯୋଜନା କରୁଛି । ନ୍ୟାସନାଲ ବାଟାଲିୟନର କମାଣ୍ଡରଙ୍କ ସହ ସୁମିର ମେୟର ଆଲେକଜାଣ୍ଡାର ଲିସେଙ୍କୋ କରିଛନ୍ତି ଭିନ୍ନ ଘୋଷଣା । ସୁମିରେ ଗ୍ରୀନ କରିଡର ପ୍ରତିଷ୍ଠା ହେବ ନାହିଁ ଏବଂ କୌଣସି ଲୋକଙ୍କୁ ବି ଋଷ ଯିବାକୁ ଅନୁମତି ଦିଆଯିବ ନାହିଁ । ଯଦି କେହି ଋଷ ଯିବାକୁ ଚାହାନ୍ତି ତେବେ ତାଙ୍କୁ ଗୁଳି କରିଦିଆଯିବ । ତେଣେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ବର୍ତ୍ତମାନ ୟୁରୋପରେ ସବୁଠାରୁ ବଡ ଶରଣାର୍ଥୀ ସମସ୍ୟା ଦେଖାଦେଇଛି ଏବଂ ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷ ନାଗରିକ ୟୁକ୍ରେନ ଛାଡିଲେଣି ବୋଲି କହିଛି ଜାତିସଂଘ । ଇତିମଧ୍ୟରେ ଋଷ ସହ ସମ୍ପର୍କ ଛିନ୍ନ କରିଛନ୍ତି ନେଟଫ୍ଲିକ୍ସ, ଟିକଟକ, ସାମସଙ୍ଗ ଓ କ୍ରେଡିଟକାର୍ଡ ।